Unknown

 

 

 

 

 

 

 

 

 

 

 

ଦେବୀ ଓ ଦୁର୍ଭଗା

ଚିନ୍ତାମଣି ମିଶ୍ର

 

ପ୍ରସ୍ତାବନା

ଦୁର୍ଗାଙ୍କର ଓଡ଼ିଶାଭ୍ରମଣ

 

ସ୍ଵୟଂ ନାରାୟଣ ଦେବଲୋକକୁ ଆସୁଥିବାର ଦୂରରୁ ଦିଶିବାରୁ ଶିବ–ଅନୁଚରଙ୍କ ଭିତରେ ହୁଲୁସ୍ତୁଲ ପଡ଼ିଗଲା । ଜଣେ ଲସର–ପସର ହୋଇ ଧାଇଁ ମା’ ଦୂର୍ଗାଙ୍କୁ ଖବର ଦେଲା । ସେ ତରତରରେ ପ୍ରସ୍ତୁତ ହୋଇ ମାନ୍ୟ ଅତିଥିଙ୍କୁ ସ୍ଵାଗତ କରିବା ପାଇଁ ଆଶ୍ରମର ଦ୍ଵାରକୁ ଧରି ଠିଆ ହୋଇ ରହିଲେ ।

 

ବିଷ୍ଣୁ ବାହନରୁ ଓହ୍ଲାଇ ଘରେ ପଶୁ ପଶୁ ପଚାରିଲେ,‘‘କି ଶକ୍ତି, ସବୁ ଭଲ ତ ? ଶିବ ନ ଥିଲା ପରି କାହିଁକି ଜଣାପଡ଼ୁଛି ?’’

 

ଦୁର୍ଗା କହିଲେ, ‘‘ଅନ୍ତର୍ଯ୍ୟାମୀ ! ଆପଣଙ୍କୁ କ’ଣ ଏତେବଡ଼ କଥା ଅଜଣା ଅଛି ! ଆଜକୁ ପ୍ରାୟ ଛଅ ମାସ ହେଲା ପରା ଦେବଦେବ ମର୍ତ୍ତ୍ୟରେ ଗସ୍ତ କରିବା ପାଇଁ ଯାଇଛନ୍ତି ।’’

 

ବିଷ୍ଣୁ ପଚାରିଲେ, ‘‘ଆଉ ତମେ ? ଶକ୍ତି ଶିବଙ୍କୁ ଛାଡ଼ି ରହିବା ତ ଠିକ୍ ନୁହେଁ । ତୁମେ କ’ଣ ଜାଣିନାହଁ , ଶିବ ତୁମ ଯୋଗୁଁ ଶିବ । ତୁମକୁ ଛାଡ଼ିଲେ ସେ ଶବ । ସେ ସବୁବେଳେ ଯୋଗରେ ବସି ନିଷ୍କ୍ରିୟ ହୋଇ ରହିବାରୁ ପରା ତାଙ୍କୁ ତୁମକୁ ଦେଇଛି । ଗୋଲକରେ ତୁମେ ରାଧା, ବୈକୁଣ୍ଠରେ ତୁମେ ଲକ୍ଷ୍ମୀ; ତୁମେ ମୋର ଯୋଗମାୟା । ବହ୍ମାଙ୍କର ମଧ୍ୟ ତୁମେ ଲୋଡ଼ା ପଡ଼ିବାରୁ ତୁମେ ସରସ୍ଵତୀ ହୋଇ ବ୍ରହ୍ମଲୋକରେ ଥିଲ ।

 

‘‘ଶିବଙ୍କର ପ୍ରୟୋଜନ ହେବାରୁ ତାଙ୍କୁ ତୁମକୁ ଦେଇଛି । ତୁମେ ତାଙ୍କୁ ଏକୁଟିଆ ଛାଡ଼ିଲ କାହିଁକି ?

 

ଦୁର୍ଗା ଅଭିମାନରେ କହିଲେ, ‘‘ମହାପ୍ରଭୁ, ଆପଣଙ୍କୁ ତ କିଛି ଅଛପା ନୁହଁ । ମୋତେ ସେଦିନ ମାଇକିନିଆଟେ ବୋଲି ସେ ଯେପରି ଧିକ୍‌କାରି କହିଲେ, ତାହା ଆପଣ ପ୍ରତ୍ୟକ୍ଷରେ ଦେଖିଥିଲେ, ମୋତେ ଆଉ ପଚାରନ୍ତେ ନାହିଁ ।’’

 

ବିଷ୍ଣୁ–ଦୁର୍ଗେ । ଆଖିରେ ଦେଖିଥିଲେ କ’ଣ ଅଧିକା ହୁଏ ? ତୁମଠାରୁ ଶୁଣିବା ତ ଦେଖିବାଠାରୁ ଅଧିକ । ମୁଁ ଅନୁମାନରେ ସବୁ ଜାଣିପାରୁଛି । ଠିକ୍ ଭାବରେ ଅନୁମାନ କରି ଜାଣିଲେ ଦେଖିବାଠାରୁ ଅଧିକ ଜଣାପଡ଼େ । ସେ ତୁମକୁ ଯେଛାତା କହିଲେ ମଧ୍ୟ ତୁମେ ଜିଦ୍‌ କରି ଯିବାର ଥିଲା । ମାନ ଅପମାନରେ କ’ଣ ସ୍ତ୍ରୀ ପୁରୁଷକୁ ଅଡ଼ୁଆକୁ ଠେଲିଦେବ ?

 

ଦୁର୍ଗା ଟିକିଏ ଶଙ୍କିତ ହୋଇ କହିଲେ, ‘‘ମହାପ୍ରଭୁ, ଦେବଦେବ କ’ଣ ଦୁର୍ଗତିରେ ପଡ଼ିଛନ୍ତି ? ଏବେ କେତେଦିନ ହେଲା ମୋ ମନ କାହିଁକି ଚଞ୍ଚଳ ହେଉଛି ।’’

 

ବିଷ୍ଣୁ ଆଶ୍ୱାସନା ଦେଇ କହିଲେ, ‘‘ଏଇ ଦେଖ–ସ୍ତ୍ରୀର ଦୁର୍ବଳତା । ତୁମେ ଜାଣ, ପାଖରେ ନ ଥାଇ ତୁମେ ଦୂରରେ ଥିଲେ ମଧ୍ୟ ମହାଦେବଙ୍କର କେହି ଅନିଷ୍ଟ କରିପାରିବେ ନାହିଁ । ତୁମରି ଯୋଗୁଁ ସେ ଜଗଦୀଶ । କିନ୍ତୁ ତୁମେ ପାଖରେ ନ ଥିବାରୁ ସେ ଅଡ଼ୁଆରେ ପଡ଼ୁଥିବେ ଓ ସେଥିରୁ କଷ୍ଟରେ ଉଦ୍ଧାର ପାଉଥିବେ । ଅଡ଼ୁଆରେ ପଡ଼ିବା ତାଙ୍କର ଦେହସୁହା ହୋଇଗଲଣି । ତୁମେ ତ ଜାଣ, ଥରେ ଭସ୍ମାସୁରକୁ ବର ଦେଇ ସେ କିପରି ନିଜ ମୁଣ୍ଡକୁ ବିପଦ ଆଣିଥିଲେ । ମୁଁ ଟିକିଏ ଖେଳ ଖେଳିବାରୁ ଭସ୍ମାସୁର ନିଜେ ଭସ୍ମ ହେଲା । ତାଙ୍କ ଭୋଳପଣ ଯୋଗୁଁ ସେ ସଙ୍ଗେସଙ୍ଗେ ସନ୍ତୁଷ୍ଟ ହୋଇଯାନ୍ତି ଓ ସଙ୍ଗେସଙ୍ଗେ ରାଗିଯାଆନ୍ତି । ଏଇ ଅସଂଯତତା ଯୋଗୁଁ ଲୋକେ ତାଙ୍କୁ ସନ୍ତୁଷ୍ଟ କରି ଓ ରଗେଇଦେଇ ଅଡ଼ୁଆରେ ପକାନ୍ତି । ତୁମେ ସଙ୍ଗରେ ଥିଲେ ସେ ରାସ୍ତାରେ ରହନ୍ତି । ସାଙ୍ଗରେ ନଯାଇ ଭୁଲ କଲ । ...ଯାହା ତ ହେବାର ହେଲାଣି । ମହାଦେବ ମର୍ତ୍ତ୍ୟ ଛାଡ଼ି ସାରିଲେଣି । ଅଳ୍ପ ସମୟ ଭିତରେ ସେ ଆସି ପହଞ୍ଚିବେ । ତାଙ୍କରି ଉପସ୍ଥିତିରେ ଭବିଷ୍ୟତ କାର୍ଯ୍ୟପନ୍ଥା ନିର୍ଣ୍ଣୟ କରିବାକୁ ପରା ମୁଁ ଆସିଛି ।’’

 

ଦୂର୍ଗା ନିଶ୍ଚିନ୍ତ ହେଲେ । ଦୁର୍ଗା ବିଷ୍ଣୁଙ୍କର ସମ୍ଭାବନା କରୁ କରୁ ଉଭୟେ ଦୁଃଖସୁଖ ହେଉଥାନ୍ତି । ବେଶି ସମୟ ଏପରି କଟିଲା ନାହିଁ । ଦୂର ଦିଗ୍‌ବଳୟରେ ବାସୁଆ ଓ ମହାଦେବଙ୍କୁ ଲକ୍ଷ କରି ଗଣମାନେ ଏକ ସ୍ଵରରେ ଆସି ଏ ସମ୍ବାଦ ଦୁର୍ଗାଙ୍କୁ ଦେଲେ । ବିଷ୍ଣୁ ମଧ୍ୟ ଚାଲ ଚାଲ ହୋଇ ଯାଇ ଆଶ୍ରମ ନିକଟରେ ଷଣ୍ଢ ଓହ୍ଳାଇବା ଜାଗାରେ ପହଞ୍ଚିଲେ ।

 

ମହାଦେବ ଓ ବାସୁଆଙ୍କର ଦୃଷ୍ଟ ବିଷ୍ଣୁଙ୍କ ଉପରେ ପଡ଼ିବା ସଙ୍ଗେ ସଙ୍ଗେ ଉଭୟେ ମନେ ମନେ ବୁଝିଗଲେ । ମର୍ତ୍ତ୍ୟରେ ଘଟିଥିବା କଥା ଦୁର୍ଗାଙ୍କଠାରୁ ଲୁଚାଇ ରଖିବା ସହଜ ହେବନାହିଁ ।

 

ମହାଦେବଙ୍କୁ ଅଭିବାଦନ କରି ଓ ତାଙ୍କଠାରୁ ଗ୍ରହଣ କରିସାରି ଖୁସି ଗପକରି ଫେରିବା ବାଟରେ ବିଷ୍ଣୁ କଥା ଆଦାୟ କରିବା ସକାଶେ ବାସୁଆଙ୍କୁ ପଚାରିଲେ, ‘‘କିରେ ବାସୁଆ, ଏଥର ଗୁଡ଼ାଏ ଗସ୍ତ ହୋଇଗଲା, ନା ?’’

 

ବାସୁଆ ଅନୁଗୃହୀତ ହୋଇ ଅତି ବିନୀତ ଭାବେ ଆରମ୍ଭ କଲା, ‘‘ମହାପ୍ରଭୁ, ଏଥର ଗସ୍ତଟା ଏକା–’’

 

ବାସୁଆକୁ ବାଧାଦେଇ ମହାଦେବ ଆବୁଡ଼ାପଡ଼ି କହିଲେ, ‘‘କ’ଣ ଏମିତି ହେଲା ଯେ ଏଥର ଗସ୍ତଟା ଏକା ମନେ ରଖିବା ପରି ଗସ୍ତ ବୋଲି ଆରମ୍ଭ କରୁଛୁ । କ’ଣ ଏମିତିଗୁଡ଼ାଏ ଅସୁବିଧା ହୋଇଗଲା ଯେ ? ଆମେ ତ ଶ୍ମଶାନରେ ଏକୁଟିଆ ବସିବା ଲୋକ ।’’

 

ଏହାପରେ ସମସ୍ତେ ଗସ୍ତବିବରଣୀ ମହାଦେବଙ୍କଠାରୁ ଆଦାୟ କରିବାରେ ଦୁର୍ଗା ଓ ମାଧବଙ୍କୁ କଷ୍ଟ ହେଲାନାହିଁ । ଷଣ୍ଢ ବିଚାରା ମନେମନେ ବିଚାରୁଥିଲା, ଏଥର ଗସ୍ତଟା ଭାରି ବଢ଼ିଆ ହେଲା ବୋଲି ଭୁରୁଡ଼ୁ ମାରିବ । ମହାଦେବଙ୍କ କଥା ଯାହା ହେଉ ପଛେ, ଏଥର ତାକୁ ମର୍ତ୍ତ୍ୟରେ ଯେତେ ସନାମନା ମିଳିଛି, ତା’ ତୁଳନାରେ ଯାହା କଷ୍ଟ ମିଳିଛି ତାହା କିଛି ନୁହେଁ ।

 

ମହାଦେବ କହୁ କହୁ ସବୁ କହିଦେବା ଦେଖି, ସେ ବଳଦର ସ୍ଵାଭାବିକ ରୀତିରେ ନିର୍ବିକାର ଭାବେ ପାକୁଳି କରିବାକୁ ଲାଗିଲା ।

 

ଓଳିଏରୁ ବେଶି ସମୟ ମହାଦେବଙ୍କ ଗସ୍ତଚରିତ ଧୀର ଭାବରେ ଶୁଣି ବିଷ୍ଣୁ ମୁରୁକି ହସି କହିଲେ, ‘‘ଦେବଦେବ ! ଆପଣ ମର୍ତ୍ତ୍ୟରେ ଯାହାଯାହା ଭୋଗ କଲେ ତାହା ଆପଣଙ୍କ ଦୃଷ୍ଟିରେ ସେପରି ଗୁରୁତର ନୁହେଁ ବୋଲି ମୁଁ ସ୍ୱୀକାର କରୁଛି । ଯେଉଁ ଶ୍ରେଣୀର ଲୋକଙ୍କୁ ଆପଣଙ୍କ ସଙ୍ଗେ ତୁଳନା କରାଯାଏ, ସେମାନେ ତ ଅଥାନରେ ବଥ ବାହାରିଲେ ଛାଇ ହେଲା ବୋଲି କହନ୍ତି । କିନ୍ତୁ ଆପଣ ଖାଲି ଲୋକଚରିତ୍ର ଜାଣିବା ବ୍ୟତୀତ ଆଉ ଲାଭ ପାଇଲେ କ’ଣ ? ମର୍ତ୍ତ୍ୟରେ ଲୋକେ ଆଜିକାଲିର ରୀତି ଛାଡ଼ି ଠିକ ମାର୍ଗରେ କିପରି ଚଳିବେ ତାହା ଦେଖିବା ତ ଆମରି କାମ । ଆପଣଙ୍କ ସଙ୍ଗେ ଦୂର୍ଗା ଯଦି ଥା’ନ୍ତେ, ତେବେ ସେ ଲୋକଙ୍କ ସଂଶୋଧନ ସକାଶେ ପ୍ରେରଣା ଦେଇଥାନ୍ତେ । ଲୋକେ ଶକ୍ତିର ଉପାସନାର ଭବିଷ୍ୟତ ପାଇଁ ସଜାଡ଼ି ହୋଇଥାନ୍ତେ ।’’

 

ମହାଦେବ ଟିକିଏ ବଗିଡ଼ି ଗଲେ । ତାଙ୍କର ସବୁବେଳେ ଆପତ୍ତି ଯେ, ସ୍ତ୍ରୀଲୋକଙ୍କ ସଙ୍ଗେ କିପରି ଚଳିବାକୁ ହୁଏ ସେକଥା ମହାଦେବ ଜାଣନ୍ତି ନାହିଁ । ଲକ୍ଷ୍ମୀ, ରାଧା, ସତ୍ୟଭାମା ସମସ୍ତଙ୍କୁ ସେ ବଢ଼ିଆ କରି ଘାଣ୍ଟି ହେଉଛନ୍ତି । ନିଜ ଘରର ଅଶାନ୍ତିରେ ସନ୍ତୁଷ୍ଟ ନରହି ସେ ତାଙ୍କ ଘର ଖଣ୍ଡିକ ଭାଙ୍ଗିବାକୁ, ଦୁର୍ଗାଙ୍କୁ ସବୁବେଳେ ବଢ଼େଇ କରି କହନ୍ତି । ସ୍ତ୍ରୀ ନିକଟରେ ସ୍ଵାମୀ ଯଦି ସବୁବେଳେ ନ୍ୟୂନ ବୋଲି କୁହାଯିବ, ତେବେ ଘରେ ତ ଗଣ୍ଡଗୋଳ ଥୁଆ । ମହାଦେବ ପ୍ରତିବାଦ କଲେ, ‘‘ଦୂର୍ଗା ଯାଇଥିଲେ ଏମିତି କ’ଣ ପ୍ରେରଣା ଦେଇ ପକାଇଥାନ୍ତେ, ମୁଁ ନଦେଲି ? ବରଂ ସେ ଇଜ୍ଜତ ଧରି ଫେରୁ ଫେରୁ ନୟାନ୍ତ ହୋଇଥାନ୍ତେ । ମୁଁ ଏ ଛ’ମାସ ଭିତରେ ବହୁବାର ସିଦ୍ଧାନ୍ତ କରିଛି ଯେ, ମର୍ତ୍ତ୍ୟର ଲୋକେ ବର୍ତ୍ତମାନ ଯେଉଁ ମାନସିକ ବିକାରଗ୍ରସ୍ତ, ସେଥିରେ ଦୁର୍ଗାଙ୍କର ଦୁର୍ଗତି ଗାଆଣି ଗାଇଲେ ସରନ୍ତା ନାହିଁ । ଆଜି ଲୋକେ ପରା ନିଜ ମା’କୁ ହୀନିମାନ କରୁଛନ୍ତି । ସାଇପଡ଼ିଶା ବିଚାର ଆସିବ କୁଆଡ଼ୁ ! ବିଶ୍ୱମାତାଙ୍କୁ ଦେଖିବା ସକାଶ ମନକୁ କେଡ଼େ ବଡ଼ କରିବାକୁ ହୁଏ ସେକଥା କ’ଣ ଆପଣଙ୍କୁ ବୁଝାଇବି ?’’

 

ବିଷ୍ଣୁ, ରାଜି ହେଲେ, ମର୍ତ୍ତ୍ୟ ଲୋକଙ୍କର ମନର ଗତି ବିଦେଶୀଙ୍କ ଅନୁକରଣରେ ଚାଲିଛି-। ‘‘କିନ୍ତୁ, ସେ କହିଲେ, ସେମାନଙ୍କ ମନକୁ ପୁଣି ଠିକ୍ ମାର୍ଗରେ ଚଳାଇବାକୁ ତ ହେବ ! ତାହା କରିହେବ କେବଳ ଦୁର୍ଗାଙ୍କ ସାହାର୍ଯ୍ୟରେ । ଏ ଯୁଗରେ ଦୁର୍ଗା ଅର୍ଥାତ ଶକ୍ତି ଉପରେ ସମସ୍ତଙ୍କର ବିଶ୍ୱାସ । ସେହି ବିଶ୍ୱାସର ସୁବିଧା ନେଇ ଦୁର୍ଗାଙ୍କ ସାହାଯ୍ୟରେ କାମ କରାଇବାକୁ ହେବ-। ବର୍ତ୍ତମାନର ସଙ୍ଗୀନ ପରସ୍ଥିତିକୁ ଦୁର୍ଗା ଏକୁଟିଆ ନେଇ ଆଣି ଥୋଇ ପାରିବା ବିଷୟରେ ବି ମୋର ସନ୍ଦେହ । କିନ୍ତୁ ଆଗ ଶକ୍ତି ଅବସ୍ଥାଟାକୁ କେତେ ସୁଧାରି ପାରୁଛନ୍ତି ତ ଦେଖିବାକୁ ହେବ । ମୋର ଇଚ୍ଛା, ବର୍ତ୍ତମାନ ଦୁର୍ଗା ମର୍ତ୍ତ୍ୟକୁ ଯାଇ ଅବସ୍ଥାଟା ନିଜେ ଦେଖନ୍ତୁ ଓ ଯାହା ହୋଇପାରିବ କରନ୍ତୁ-।’’ ଏହା କହି ଦୁର୍ଗାଙ୍କ ମୁହଁକୁ ଚାହିଁ ସେ ପଚାରିଲେ, ‘‘କ’ଣ ଦୁର୍ଗା, ତମର ମତ କ’ଣ ?’’

 

ଦୁର୍ଗା ମହାଦେବଙ୍କ ଆଡ଼କୁ ଚାହିଁ ଉତ୍ତର ଦେଲେ, ‘‘ଆପଣଙ୍କ କଥା ଉପରେ କଥା କହିବାକୁ କ’ଣ ମୁଁ ପାତ୍ର ? ଦେବଦେବ ଏତେ ଦିନ ପରେ ଫେରିଛନ୍ତି । ମୋର ସେବା ତାଙ୍କର ତ ନିଶ୍ଚୟ ଦରକାର । ଆଉ କିଛିଦିନ ପରେ ଗଲେ କ’ଣ ଚଳନ୍ତା ନାହିଁ ?’’

 

ମହାଦେବ କହିଲେ, ‘‘ନା ଦୁର୍ଗା ! ଯିବାର କଥା ତ ଶୀଘ୍ର ଯାଅ । ମର୍ତ୍ତ୍ୟର ଯାହା ଅବସ୍ଥା, ତାହାର ସେତେ ଶୀଘ୍ର ପ୍ରତିକାର ହୋଇପାରେ ସେତେ ଭଲ । ମୁଁ ବିଚାରୁଥିଲି, ଭଗବାନଙ୍କର ବେଳାରେ ପ୍ରତିକାର ହେବ । ଶୀଘ୍ର ହେବ କି ବିଳମ୍ବରେ ହେବ ସେକଥା କହିବାର ଅଧିକାର ଆମର ନାହିଁ । ସେ ଯଦି ସାଙ୍ଗେ ସାଙ୍ଗେ ଯିବାକୁ କହୁଛନ୍ତି, ତେବେ ଆମ୍ଭ ସୁବିଧା ଅସୁବିଧା ବିଚାରରେ ବିଳମ୍ବ କରିବା ଉଚିତ ହେବନାହିଁ ।’’

 

ତିନିହେଁ ଏକମତ ହେଲେ–ଦୁର୍ଗାଙ୍କୁ ଶୀଘ୍ର ଯିବାକୁ ହେବ; ମହାଦେବ ଓଡ଼ିଶାକୁ ଯାଇଥିବାରୁ ଦୁର୍ଗା ମଧ୍ୟ ସେହିଠାକୁ ଯିବେ ବୋଲି ସେ ମତ ଦେଲେ । ତାଙ୍କର କଥା ରହିଲା ।

 

ମହାଦେବଙ୍କର ଭିତରେ ଭିତରେ ମାନ ଥାଏ. ମାଇକିନିଆଟାକୁ ଏତେ ତ ବଢ଼ିଆ କରୁଛନ୍ତି, ଦେଖନ୍ତୁ ମୋ ଅପେକ୍ଷା ସେ ବେଶୀ ଘାଣ୍ଟି ହେଉଛି ନା ନାହିଁ ।

 

ମହାଦେବ ମର୍ତ୍ତ୍ୟରେ ଯେଉଁ ଦୂର୍ଗତିର ସମ୍ମୁଖୀନ ହୋଇଥିଲେ, ତାହା ସ୍ମୃତିରେ ଉତ୍କଟତର ଜଣାପଡ଼ିଗଲା । ଜଣା ପଡ଼ୁ ପଡ଼ୁ ତାଙ୍କୁ ବୋଧ ହେଲା, ନିଜେ ବିଷ୍ଣୁ ଗଲେ ବି ପାନେ ପାଆନ୍ତେ । ସେ ପ୍ରସ୍ତାବ କଲେ, ‘‘ଭଗବାନ ! ଦୁର୍ଗା ଯେତେ ହେଲେ ସ୍ତ୍ରୀ ଲୋକ । ଆପଣ ତାଙ୍କ ସଙ୍ଗରେ ରହିଲେ ଭଲ ହୁଅନ୍ତା । ଆପଣ ପଛେଇ ରହିଲେ, ମୁଁ ତ ମନେକରିବି, ଆପଣ ଦୁର୍ଗାଙ୍କୁ ବିପଦକୁ ଠେଲି ଦେଇ, ଆପେ ଆମ ସୁକୁଟ ଦେଖିବାକୁ ଚାହୁଁଛନ୍ତି ।’’

 

ବିଷ୍ଣୁ ମୁରୁକି ହସି ଉତ୍ତର ଦେଲେ, ‘‘ମାଧବ ପରା ଦୁର୍ଗାଙ୍କ ପାଖ ଛାଡ଼ନ୍ତି ନାହିଁ ବୋଲି ଆପଣଙ୍କର ଈର୍ଷା ହୁଏ । ଆପଣ ନକହିଥିଲେ ତ ମୁଁ ନିଜ ଆଡ଼ୁ ପ୍ରସ୍ତାବ କରିଥାନ୍ତି, ଦୁର୍ଗାଙ୍କ ସାଙ୍ଗରେ ଯିବାକୁ ।’’ ଦୁଇଜଣଯାକ ଏ କଥାରେ ଖୁବ୍‌ ପ୍ରେମ ହେଲେ । ଦୁର୍ଗା ହସ ହସ ହୋଇ କାର୍ଯ୍ୟାନ୍ତରେ ଭିତର ଘରକୁ ଚାଲିଗଲେ । ଏ ଦୁହଁଙ୍କ ପ୍ରୀତି ଓ ଦ୍ଵନ୍ଦ୍ଵ ଭିତରେ ସେ ବି ପୂରା ପଶି ପାରନ୍ତି ନାହିଁ ।

☆☆☆

 

ରାଜ୍ୟବାର୍ତ୍ତା ସଂଗ୍ରହ

 

ମହାଦେବୀଙ୍କର ଯାତ୍ରା ସମୟ ଯେତେ ପାଖେଇ ଆସୁଥାଏ, ତାଙ୍କ ପୁରୀରେ ବ୍ୟସ୍ତତା ଓ କୋଳାହଳ ସେତିକି ବଢ଼ୁଥାଏ । ବହୁତ ଲୋକଙ୍କର ବିଶେଷକରି ସ୍ତ୍ରୀ ଲୋକଙ୍କର ଗହଣରେ ଯୁଗେ ଯୁଗେ ରହି ମା’ ଏସବୁକୁ ଖାତିର କରନ୍ତି ନାହିଁ । ସହଚରୀମାନେ ଏଠା ଜିନିଷ ସେଠାରେ ଓ ସେଠା ଜିନିଷ ଏଠାରେ ପ୍ୟାକ୍ କରିବାର ଦେଖି ସେ ବେଳେ ବେଳେ ଖୁଣୁଥାନ୍ତି, ବେଳେ ବେଳେ ସାମାନ୍ୟ ବିରକ୍ତ ହେଉଥାନ୍ତି , କେତେବେଳେ କିମିତି ଉପହାସ ବି କରୁଥାନ୍ତି । କିନ୍ତୁ ଏସବୁ ଉପର ମନର କଥା । ସେଠା ଲୋକଙ୍କୁ କିପରି ରାସ୍ତାରେ ପକାଇବେ । ଯେଉଁ ପୁଅଟି ଅପାରିବାର ମା’ର ମନ ସବୁବେଳେ ତା’ରି ଠାରେ । ଓଡ଼ିଶା ଏବେ ଅପାରିବାର ହୋଇଯିବାର ସେ ଭଲକରି ଲକ୍ଷ୍ୟ କରିଛନ୍ତି । ଏହା କିପରି ହେଲା ବୋଲି ସେ ବିସ୍ମିତ ବି ହୁଅନ୍ତି । ଯେଉଁମାନେ କୋଣାର୍କ ଗଢ଼ିଥିଲେ, ଜଗନ୍ନାଥ ଧର୍ମର ପ୍ରବର୍ତ୍ତନ କରିଛନ୍ତି, ସେମାନଙ୍କର ଦରିଦ୍ର, ମୋଟା ବୁଦ୍ଧିଆ, ଅଳସୁଆ ବୋଲି ଦୁର୍ନାମ କିପରି ରଟୁଛି ତାହା ତାଙ୍କୁ ଭାରି ଆଶ୍ଚର୍ଯ୍ୟ ଲାଗେ । ରାସ୍ତାରେ ଯିବା ପୂର୍ବରୁ ଏଇ କଥାରେ ସମ୍ୟକ୍‍ ଆଲୋଚନା କରିବାକୁ ସେ ତାଙ୍କର ରାଜସୀନାମ୍ନୀ ସଖୀଙ୍କୁ ଡକାଇଲେ ।

 

ଡାକିବାର କାରଣ ଶୁଣି ରାଜସୀ କହିଲେ, ‘‘ଓଡ଼ିଶାର ଲୋକେ ନିଜ ମନକୁ ମନ ଦୁର୍ନାମ ରଟୁଛନ୍ତି । ତାଙ୍କ ପ୍ରତି ସମଗ୍ର ଦେଶର ବର୍ତ୍ତମାନ ସୁଦ୍ଧା ଖୁବ୍‌ ମାନନା ଅଛି । ନିଜକୁ ଦରିଦ୍ର ବୋଲି ଡିଣ୍ଡିମ ପିଟି ନେତାମାନେ ବନ୍ୟା ପାଇଁ ଯେତେ ପଇସା ଆଣିପାରୁଛନ୍ତି, ତହିଁରୁ ଦଶଗୁଣ ଟଙ୍କା ଏକାଦିନକେ ନେପାଳ ରାଜା ତାଙ୍କ ପଣ୍ଡାଙ୍କୁ ଦର୍ଶନୀ ଦେଉଥିଲେ । ଉଡ଼ିଆସିଥିବା ମୂର୍ଖକୁ ଓଡ଼ିଆ କର୍ମଚାରୀମାନେ ତୁଷ୍ଟ କରୁ କରୁ ନୟାନ୍ତ, ଏଣେ ତାଙ୍କରି ପିଲେ ଯାଇ ବନାରସ୍ ଆହ୍ଲାବାଦ ବିଶ୍ଵବିଦ୍ୟାଳୟରେ ସେଠା ପିଲାଙ୍କୁ ଟପି ପାସ୍ କରୁଛନ୍ତି । ଓଡ଼ିଆ କର୍ମଚାରୀମାନେ ଆପଣା ଗାଁରୁ ବାହାରିବାକୁ ଉତ୍ସୁକ ନୁହନ୍ତି ବୋଲି ପ୍ରଚାର ହେଉଛି, କିନ୍ତୁ ଓଡ଼ିଆ ମିସ୍ତ୍ରୀମାନେ, ପଣ୍ଡାମାନେ ଭାରତ ତମାମ ଚକର୍ ମାରି ନାମ କରିଛନ୍ତି ।

 

ଦୂର୍ଗା ଏସବୁ ଶୁଣି ଟିକିଏ, ଭ୍ରୂକୁଞ୍ଚିତ କରି କହିଲେ, ‘‘ରାଜସୀ ତୁମେ ତୁମ ନିଜ କର୍ତ୍ତବ୍ୟରେ ହେଳା କରୁଥିଲାପରି ଜଣା ଯାଉଛି । ତୁମେ ରାଜଲକ୍ଷ୍ମୀ; ତୁମେ ତୁମ କର୍ତ୍ତବ୍ୟ କଲେ ରାଜା ଠିକ୍ ମାର୍ଗରେ ରହନ୍ତେ । ରାଜା ଠିକ୍ ମାର୍ଗରେ ରହିଲେ ଲୋକଙ୍କର ଚିନ୍ତାରେ ଏପରି ବିଭ୍ରାଟ ହୁଅନ୍ତା ନାହିଁ ।’’

 

ରାଜଶ୍ରୀ ମଧ୍ୟ ତେଜୀ ସ୍ଵରରେ କୈଫିୟତ ଦେଲେ, ‘‘ଦୁର୍ଗେ ! ତୁମେ ସବୁକଥା ଶୁଣି ଦୋଷ ଦେଲେ ସିନା ହୁଅନ୍ତା ! ବର୍ତ୍ତମାନ ତ ଗାଦି ସ୍ଥିର ନାହିଁ । ମୁଁ କାହାର ଲକ୍ଷ୍ମୀ ହୋଇ ରହିବି ।’’

 

ଦୁର୍ଗା–ଯାହା ହୋଇ ନପାରିବ ସେଥିପାଇଁ ଆମେ ଧନ୍ଦି ଦେବା ତ ଠିକ୍ ହେଉନାହିଁ । ବଂଶାନୁକ୍ରମେ ଗୋଟାଏଠି ଗଦି ରହିବା ବେଳ ଗଲାଣି । ମରିବା ଲୋକଙ୍କୁ ସ୍ଵଦେହରେ ଫେରିପାଇବା ଯେପରି ଅସମ୍ଭବ ବଂଶାନୁକ୍ରମିକ ରାଜାଙ୍କୁ ଫେରାଇ ଆଣିବା ସେହିପରି । ଅବଶ୍ୟ ଗଡ଼ଜାତ ସବୁ ଖାସ୍ ହେବା ପରେ କେତେକ ରାଜା ପୁଣି ଫେରି ଆସିବେ ବୋଲି ଆଶା କରୁଥିଲେ-। ଏବେ ସେ ଆଶା ଛାଡ଼ିଲେଣି । କେହି କେହି ରାଜ୍ୟ ଛାଡ଼ି କଲିକତା ଲଖ୍‌ନୌରେ ରହୁଛନ୍ତି-। ବାକିମାନେ ମନ୍ତ୍ରୀ ଛାଲ ଘୋଡ଼େଇ ହୋଇ ପୁଣି ଗଦି ଫେରି ପାରିବେ ବୋଲି କଳ୍ପନା କରୁଛନ୍ତି-। ସେ ମନ୍ତ୍ର ହେଉ ପଛେ, ସେଇ ପାଞ୍ଚ ବର୍ଷ ତ ! ପାଞ୍ଚ ବର୍ଷ ପରେ ପୁଣି ଯେଉଁ ଖରାଖିଆକୁ ସେଇ ଖରାଖିଆ ହେବାକୁ ହେବ ।

 

ରାଜସୀ ଅସହିଷ୍ଣୁ ଭାବେ କହିଲେ, ‘‘ସେ ସବୁ ମୁଁ ଜାଣେ, ଦୁର୍ଗେ ! ଯେଉଁ ଋତୁରେ ଯେଉଁ ଫଳ, ସେଥିକି କିଏ କ’ଣ କରିବ ! ପାଞ୍ଚ ବର୍ଷ ତ କିଛି କମ୍ ସମୟ ନୁହେଁ; ପାଞ୍ଚ ବର୍ଷ ହେଉ ବା ବର୍ଷେ ହେଉ, ଯେଉଁ ସମୟତକ ଯେ ରାଜା ହେଉଛି, ସେ ସିନା ଆସନ ଦମ୍ଭ କରି ରହିଲେ ହୁଅନ୍ତା !’’

 

ଦୁର୍ଗା–‘‘ତା’ ତ ଠିକ୍ । ସେପରି ନହେଉଛି କାହିଁକି ?’’

 

ରାଜସୀ–କାହିଁକି ନହେଉଛି ତା’ ନେହେରୁ ସିନା ଜାଣିପାରୁ ନାହାନ୍ତି ତମେ କ’ଣ ଜାଣୁନାହଁ । ଓଡ଼ିଶା କଥା ଆଗ ଶୁଣ ।

 

ଦୁର୍ଗା–ମୁଁ ତ ବର୍ତ୍ତମାନ କେବଳ ସେଇ ଓଡ଼ିଶା କଥା ଇ ଭାବୁଛି । ମହାଦେବ ସେଠାକୁ ଯାଇ ଗୁଡ଼ାଏ ହିନସ୍ତା ହୋଇଛନ୍ତି ନାଁ, ମୁଁ ସେଠାକୁ ଯାଇ ଅବସ୍ଥା ସୁଧାରିବାକୁ ଊଦ୍ୟମ କରିବି ବୋଲି ଭାବିଛି ।

 

ରାଜସୀ–ଓଡ଼ିଶାରେ ୧୩ ଜଣ ମନ୍ତ୍ରୀ । ସେଥିରୁ ଜଣେ ମୁଖ୍ୟମନ୍ତ୍ରୀ । ୟେ କିନ୍ତୁ ଖାଲି ମନମୁଖୀ କାମ କଲାବେଳକୁ ମୁଖ୍ୟ । ଯେତେବେଳେ ତାଙ୍କ ମନ ଯେଉଁ ଆଡ଼କୁ ଢଳୁଛି, ସେପରି କହୁଛନ୍ତି । କିନ୍ତୁ ଅସଲ ଶାସନକାର୍ଯ୍ୟରେ ମନ ନିବେଶ କରୁ ନାହାନ୍ତି । ଶାସନର ବିଭିନ୍ନ ବିଭାଗ ମନ୍ତ୍ରୀମାନଙ୍କ ଭିତରେ ବଣ୍ଟା ହୋଇଛି । ପ୍ରତ୍ୟେକ ନିଜ ନିଜ ବିଭାଗରେ ରାଜା । ଜଣେ ଯାହା କରୁଛି, ସେକଥା ଅନ୍ୟ କେହି ଜାଣୁନାହାନ୍ତି । ତେଣୁ ମୁଖ୍ୟମନ୍ତ୍ରୀ ରାଜା ହେବା ପରିବର୍ତ୍ତେ ତେରଜଣଯାକ ନିଜ ପରାକ୍ରମକୁ ଚାହିଁ ଜଣେ ଜଣେ ରାଜା–ଠିକ୍ ଯେପରି ଓଡ଼ିଶା ଗଡ଼ଜାତରେ ରାଜା ଥଲେ । ଏତିକିମାତ୍ର ଫରକ ଯେ ସେଥିରେ ଛବିଶ, ୟେ ତେରଜଣ । ଜଣେ ଜଣେ ମୟୂରଭଞ୍ଜ, ପାଟଣା, କଳାହାଣ୍ଡି ପରି ବଡ଼; ଆଉ କେହି କେହି ରଣପୁର, ଖଣ୍ଡପଡ଼ା, ତିଗିରିଆ ପରି ଗୋଷ୍ପଦ ଆବୋରି ରହିଛନ୍ତି । ମୁଁ କାହାକୁ ଆଦରି ରହିବି ? ସମସ୍ତଙ୍କୁ ସମାନ ଭାବରେ ଆଦରିବାକୁ ଯଦି କହିବ, ତେବେ ମୋର ରାଜଲକ୍ଷ୍ମୀପଣିଆ ସେତିକି ଥାଉ । ତମେ ଅନ୍ୟଲୋକ ଖୋଜ ।

 

ଦୁର୍ଗା ଟିକିଏ ହସି କହିଲେ, ‘‘ସମସ୍ତଙ୍କ ରାଜ୍ୟଲକ୍ଷ୍ମୀ ହେବାକୁ ତ ମୁଁ କହୁନାହିଁ । ଯାହାଙ୍କଠାରେ ରାଜ୍ୟର ସର୍ବୋଚ୍ଚ କ୍ଷମତା ତୁମେ ତାଙ୍କରି ପାଖେ ରହିବାର କଥା ।’’

 

ରାଜସୀ–ତା’ ବି ଆଜିକାଲି ଓଡ଼ିଶାରେ ସମ୍ଭବ ନୁହେଁ । ଘର ଓ ରାଜ୍ୟ ଭିତରେ ପାର୍ଥକ୍ୟ ରଖିଲେ ସିନା ହୁଅନ୍ତା ! ଘରକରଣା ଓ ରାଜ୍ୟଶାସନ ଉଭୟ ମିଳାଇ ଖେଚେଡ଼ି ପାଗକରିବା ଫଳରେ ଗୃହଲକ୍ଷ୍ମୀ ଓ ରାଜ୍ୟଲକ୍ଷ୍ମୀ ଭିତରେ ସଂଘର୍ଷ ଅନିବାର୍ଯ୍ୟ ।

 

ଦୁର୍ଗା ଚିନ୍ତିତ ହେଲେ । ବାସ୍ତବିକ୍‌ ଏକଥା ଯଦି ସତ ହୋଇଥାଏ ତେବେ ତ ସାଂଘାତିକ-। ରାଜସୀଙ୍କ କଥାରେ ସେ କେବେ ଅବିଶ୍ଵାସ କରିବାର କାରଣ ଦେଖି ନଥାନ୍ତି । ସେ ନିଜ ମନର ପ୍ରତିଷ୍ଠିତ ଭାବକୁ ସାଧାରଣ କାର୍ଯ୍ୟରେ କେଭେଁ ପୂରାନ୍ତି ନାହିଁ । କେଜାଣି ଅବା ନିଜର ଅସହାୟତା ଯୋଗୁଁ ସମସ୍ୟାକୁ ସାମାନ୍ୟ ଅତିରଞ୍ଜିତ କରିଥିବେ ।

 

ଦୂର୍ଗା ସ୍ଥିରକଲେ, ଅବସ୍ଥାକୁ ନିଜେ ଲକ୍ଷ୍ୟ କରି ରାଜସୀଙ୍କ କଥାକୁ ବାଛିଦେବେ । ତାଙ୍କ କଥା ସତ ବୋଲି ଧରି ନେଇ ସେ ପ୍ରତିକାରର ଉପାୟ ଚିନ୍ତା କରିବାରେ ଲାଗିଲେ । ଜିନିଷପତ୍ର ସେତେବେଳକୁ ସଜିଲ ହୋଇସାରିଥାଏ । ସାଙ୍ଗରେ ସହଚରୀଭାବେ ଯିବାକୁ ନିର୍ବାଚିତ ହୋଇଥିବା ଭୈରବୀ ବାହାରିବାକୁ ଉତ୍ସୁକ ହୋଇ ଥରକୁଥର ଠିଆହୋଇ ଦୁର୍ଗାଙ୍କ ବିଳମ୍ବ ଯୋଗୁଁ ପୁଣି ବସୁଥାନ୍ତି ।

 

ଦୁର୍ଗା ଯାତ୍ରାରେ ବାହାରିବା ପୂର୍ବରୁ ରାଜସୀଙ୍କଠାରୁ ଆଉ ଟିକିଏ ସୁରାକ ପାଇବା ଆଶାରେ ପଚାରିଲେ, ‘‘ଆଚ୍ଛା ରାଜସୀ ! ମନ୍ତ୍ରୀମାନଙ୍କର ଏ ଯେଉଁ ଏକୁଟିଆବାରା ନୀତି ବାହାରିଛି ଏହାର ମୂଳରେ କାରଣ କ’ଣ ଅଛି ବୋଲି ତୁମେ ମନେକରୁଛ ?’’

 

ରାଜସୀ ଟିକିଏ ଚିନ୍ତିତ ଭାବେ ତୁନୀ ହୋଇ ରହିଲେ । ଦୁର୍ଗା ପଚାରିଲେ, ‘‘ଯେଉଁ ଘଟଣା ଦେଖୁଛ, ତାହାର କାରଣ କ’ଣ ଅନୁମାନରେ ସ୍ଥିର କରୁନାହଁ ?’’

 

ରାଜସୀ ଦୋଷ ମାଗି ନେଲାପରି ସ୍ଵରରେ କହିଲେ, ‘‘ମା’, ଏହାର ଅନେକଗୁଡ଼ିଏ କାରଣ ଥିଲା ପରି ମୋତେ ଲାଗୁଛି ।’’

 

ଦୁର୍ଗା–ଏଥରୁ ତ ଜଣାପଡ଼ୁଛି ତୁମେ ବିଷୟଟିକୁ ବୈଜ୍ଞାନିକ ରୀତିରେ ବିଚାର କରିନାହଁ-। ଯେ କୌଣସି କାର୍ଯ୍ୟର ବହୁତ ଗୁଡ଼ିଏ କାରଣ ଥିଲାପରି ପ୍ରଥମେ ଲାଗେ । ପ୍ରକୃତରେ ବି ଏକରୁ ଅଧିକ ସ୍ଥୂଳ କାରଣ ଥାଇପାରେ । କିନ୍ତୁ ସୂକ୍ଷ୍ମରେ ବିଚାର କଲେ, ପ୍ରତି କାର୍ଯ୍ୟ ମୂଳରେ ଗୋଟିଏ ମାତ୍ର ମୂଳ କାରଣ । ଏ କ୍ଷେତ୍ରରେ ସେଇଟି କ’ଣ ବୋଲି ମନେକର ।

 

ରାଜସୀ କହିଲେ, ‘‘ଆପଣଙ୍କ ପ୍ରଦର୍ଶିତ ରୀତିରେ ବର୍ତ୍ତମାନ ଚିନ୍ତା କରି ମୁଁ ମନେ କରୁଛି, ଓଡ଼ିଶାର ମନ୍ତ୍ରୀମାନେ ନିଜ ନିଜ କାର୍ଯ୍ୟ–ସର୍ବସ୍ଵ ହେବାର ମୂଳରେ, ମଧୁବାବୁଙ୍କ ‘ସାହିତ୍ୟ କୁସୁମ’ ।

 

ଦୁର୍ଗା ବୁଝି ନ ପାରି ପଚାରିଲେ,‘‘ଏ ମଧୁବାବୁ କିଏ ? ତାଙ୍କୁ ସାହିତ୍ୟ କୁସୁମ ବା କ’ଣ-? ମୋର ତ ମନେପଡ଼ୁ ନାହିଁ । ଓଡ଼ିଶାରେ ତ ‘ମଧୁ’ ନାମଟା ବହୁଳ ଥିବାର ଦେଖାଯାଏ-। ତୁମେ କେଉଁ ମଧୁଙ୍କ କଥା କହୁଛ ?’’

 

ରାଜସୀ–ମୁଁ ଯାହାଙ୍କ କଥା କହୁଛି ତାଙ୍କୁ ଆପଣ ଜାଣି ନ ଥିବେ । ଦୁଇଜଣ ମଧୁବାବୁ ଓଡ଼ିଶାରେ ଖୁବ୍‍ ନାମ କରିଥିଲେ; ଜଣେ ରାଜନୀତିରେ ଓ ଆଉ ଜଣେ ସାହିତ୍ୟରେ । ସେମାନେ ଖ୍ରୀଷ୍ଟିଆନ୍ ଓ ବ୍ରାହ୍ମ ଥିବାରୁ ଆପଣ ସେମାନଙ୍କ ପ୍ରତ୍ୟକ୍ଷ ସମ୍ପର୍କରେ ଆସି ନଥିବେ ।’’

 

ଦୁର୍ଗାଙ୍କ ମନ ପ୍ରସନ୍ନ ହୋଇଗଲା । ସେ କହିଲେ, ‘‘ହଁ, ହଁ ମୁଁ ଏ ଦୁହଁଙ୍କୁ ଜାଣେ । ମୋର ପିଲେ ମତେ ମନେ ନ ପକାଇଲେ ବୋଲି କ’ଣ ମୁଁ ତାଙ୍କୁ ପାସୋରି ଦେବି ? ବହୁଦିନ ପୂର୍ବର କଥା ବୋଲି ମନେ ପଡ଼ୁ ନଥିଲା । ଯେଉଁ ମଧୁବାବୁ ସ୍କୁଲ ଇଲାକା ହାକିମ ହୋଇ ପାଠ୍ୟପୁସ୍ତକ ଲେଖିଥିଲେ ତାଙ୍କରି କଥା କହୁଛ ପରା । ସାହିତ୍ୟ–କୁସୁମ ଖଣ୍ଡିଏ ପାଠ୍ୟପୁସ୍ତକ ବୋଧହୁଏ ?’’

 

ରାଜସୀ କହିଲେ, ଆଜ୍ଞା ହଁ, ସେ ଖଣ୍ଡ ପ୍ରାଇମେରୀ କ୍ଲାସରେ ପଢ଼ାହେଉଥିଲା । ପ୍ରତ୍ୟେକ ମନ୍ତ୍ରୀ ତ ସେ ବହି ପଢ଼ିଛନ୍ତି । ଦ୍ରୋଣଗୁରୁ କୁରୁ ପାଣ୍ଡବଙ୍କୁ ଧନୁର୍ବିଦ୍ୟାରେ ପରୀକ୍ଷା କରିବା ବିଷୟରେ ଗୋଟିଏ ପାଠ ସେ ବହିରେ ଥିଲା । ସେଇ ପାଠ ମନ୍ତ୍ରୀମାନଙ୍କ ରାଜନୀତି ଜୀବନକୁ ବିଶେଷଭାବେ ପ୍ରଭାବିତ କରିଥିଲା ପରି ମନେ ହେଉଛି । ଆପଣଙ୍କର ସେ ବିଷୟ ମନେଥିବ ବୋଧହୁଏ ?

 

ଦୁର୍ଗା କହିଲେ, ‘‘ସେ କଥା ତ ମୁଁ ଜାଣେ । କିନ୍ତୁ ମଧୁବାବୁ କି ରୂପରେ କଥାଟିର ଅବତାରଣା କରିଥିଲେ କହ । ଆଜିକାଲି ତ ମହାଭାରତ ଗପ ସବୁ ବଡ଼ ଅଦ୍ଭୁତ ଭାବରେ ପାଠ୍ୟପୁସ୍ତକ ମାନଙ୍କରେ ବାହାରୁଛି । ଏବେ ଦେଖୁଥିଲି, ଏକଚକ୍ରପୁରରେ ଭୀମ ବକାସୁରକୁ ମାରିବାକୁ ଯିବାରେ ଯେଉଁ ଅଦ୍ଭୁତ ଆତ୍ମତ୍ୟାଗ ଓ ବୀରତ୍ଵ ଦେଖାଇଥିଲେ, ତାହାକୁ ‘‘ପେଟୁ ଭୀମ’’ ବୋଲି ଗୋଟିଏ ଗଳ୍ପରେ ପିଲାଙ୍କ ଆଗେ ବଢ଼ା ହୋଇଛି । ମଧୁବାବୁ ସେପରି କରି ନଥିଲେ ତ ?’’

 

ରାଜସୀ–ନା, ସେ ସେପରି କରିବା ଭଳି ମୂର୍ଖ ନ ଥିଲେ । କିନ୍ତୁ ସେତେବେଳର ଇଂରେଜ ପ୍ରଭାବ ଯୋଗୁଁ ମହାଭାରତର ମହତ୍ତ୍ଵରେ ବିଶ୍ୱାସ ଲୋପ ହୋଇଯାଇଥିଲା । ଲେଖକମାନେ ପୂର୍ବପରସଙ୍ଗତିକୁ ଖାତିର ନ କରି କେତୋଟି ଗଳ୍ପ ମାତ୍ର ପିଲାଙ୍କ ଶିକ୍ଷା ପାଇଁ ଦେଉଥିଲେ । ଏ ଗଳ୍ପରେ ଥିଲା, ଦ୍ରୋଣଗୁରୁ ପଞ୍ଚପାଣ୍ଡବ ଓ କୌରବମାନଙ୍କୁ ଗଛରେ ରଖାହୋଇଥିବା ଗୋଟିଏ ଶୁଆକୁଣ୍ଢେଇର ଆଖିକୁ ଶର ବିନ୍ଧବାକୁ ସନ୍ଥ ଦେଇ, ଗଛରେ କ’ଣ ଦେଖୁଛ ବୋଲି ଗୋଟି ଗୋଟି କରି ସମସ୍ତଙ୍କୁ ପଚାରିଲେ । ଯୁଧିଷ୍ଠିର କହିଲେ ‘‘ତୋଟା ଦେଖୁଛି, ଗଛ ଦେଖୁଛି, ଶୁଆ କଣ୍ଢେଇ ଦେଖୁଛି ଓ ତା’ ଆଖି ଦେଖୁଛି ।’’ ଅର୍ଜୁନଙ୍କୁ ଛାଡ଼ି ସମସ୍ତେ ଅଳ୍ପ ବହୁତେ ଏହିପରି କହିଲେ । କେବଳ ଅର୍ଜୁନ କହିଲେ ‘‘ମୁଁ ଶୁକପକ୍ଷୀର ଚକ୍ଷୁ ବ୍ୟତୀତ ଆଉ କିଛି ଦେଖୁନାହିଁ ।’’ ଦ୍ରୋଣଗୁରୁ ଅର୍ଜୁନଙ୍କୁ ତାରିଫ୍‌ କଲେ, ଅନ୍ୟମାନଙ୍କୁ ନାପସନ୍ଦ କଲେ । ଏଇ ଗପରୁ ତ ମନ୍ତ୍ରୀମାନେ ଶିଖିଛନ୍ତି, ନିଜେ ଯେଉଁ ବିଭାଗ କଥା ବୁଝୁଛନ୍ତି ବା ସେ ବିଭାଗର ଯେଉଁ କେତୋଟି ବିଷୟରେ ତାଙ୍କର ନିଜର ମନ, ତ ବ୍ୟତୀତ ଅନ୍ୟ କୌଣସି ବିଷୟ ପ୍ରତି ସେ ନଜର ଦେବେ ନାହିଁ-

 

ଦୁର୍ଗା ହସ ହସ ହୋଇ କହିଲେ, ‘‘ରାଜସୀ ! ତୁମେ ଏ ଅବସ୍ଥାରେ ବି ରହସ୍ୟ କରୁଛ ! ମନ୍ତ୍ରୀମାନେ ରାଜ୍ୟ ଶାସନରେ ଲାଖବିନ୍ଧା ନୀତି ପ୍ରୟୋଗ କରୁଛନ୍ତି ନା ? ଆଚ୍ଛା, ମୁଁ ତ ଯାଉଛି, ନିଜେ ସବୁ ଦେଖିବି ନାଇଁ କି ?’’

 

ରାଜସୀ–ଭଲ କଥା । ତୁମେ ଯଦି ଦେଖିବ ଯେ, ମୁଁ ଯାହା କହୁଛି ତାହା ଅକ୍ଷରେ ଅକ୍ଷରେ ସତ, ତେବେ ମୋ ବିଷୟରେ ଯେଉଁ ଭ୍ରମଧାରଣା କରୁଛ, ତାହା ଅନୁଗ୍ରହ କରି ବଦଳାଇଦବ ।

 

ଦୁର୍ଗା ଦେବଦେବଙ୍କର ପାଦ ଛୁଇଁ ଭୈରବୀଙ୍କ ସାଙ୍ଗରେ ତଳକୁ ଆସିଲେ ।

☆☆☆

 

କାଠଯୋଡ଼ି କୂଳେ–କୂଳେ

 

ଭୈରବୀଙ୍କୁ ସାଙ୍ଗରେ ଧରି ମହାଦେବୀ ଆସି ଭୂଇଁ ଧଇଲେ, ବିଡ଼ାନାସୀ ତଳକୁ କାଠଯୋଡ଼ି ନଦୀର ବାଁ କୂଳରେ । ଚାଲ ଚାଲ ହୋଇ ସତୀଚଉରା ଆଡ଼କୁ ଆଗଉ ଆଗଉ ସେ କହିଲେ, ‘‘ଓଃ ! ଏ ତ ଭୟଙ୍କର ନଈବଢ଼ି । ଅନେକ ଦିନ ହେଲା ଏତେ ପାଣି କାଠଯୋଡ଼ିରେ ପଡ଼ିବାର ତ ଦେଖା ନଥିଲା !’’

 

ଭୈରବୀ କହିଲେ,‘‘ମା’ ! ବାବା ଏକା ଅମ୍ଭୋଦାନୀ । ଓଡ଼ିଶାର ଲୋକେ ପାଣି ଅଭାବରୁ ଡହଳ ବିକଳ ହେଉଥିଲେ । ଖରା ତାପରେ ସେମାନଙ୍କର ଏପରି ମୁଣ୍ଡ ଗରମ ହୋଇ ଯାଇଥିଲା ଯେ ମରୁଡ଼ି କାହିଁକି ହେଉଛି ବୋଲି ଆସେମ୍ବ୍‍ଲି ବସାଇ ଗାଳି ଦିଆଦେଇ ହେଉଥିଲେ । ବାବା ଏ କଥା ଶୁଣି ଏମିତି ବର୍ଷା କରେଇ ଦେଇଛନ୍ତି ଯେ ସମସ୍ତେ ବୋଧ ।’’

 

ଦୁର୍ଗା ଚିନ୍ତିତ ହୋଇ କହିଲେ, ‘‘ଓଡ଼ିଶାର ଲୋକେ ବନ୍ୟା ବିଷୟରେ ଅନ୍ଧ ହୋଇଗଲେ ବୋଲି, ମହାଦେବ ଏପରି ଆଖିବୁଜିଆ ବର୍ଷା କରାଇଦେବା କ’ଣ ଠିକ୍‌ ହେଲା । ଯେତେବେଳେ ତ ଯାହା ଇଚ୍ଛା, କରାଇ ଦେଉଛନ୍ତି; ମୁଁ ସମ୍ଭାଳିବି କିମିତି ? ଓଡିଶାରେ ମରୁଡ଼ି ଅପେକ୍ଷା ବନ୍ୟା ବଡ଼ ସମସ୍ୟା । ମରୁଡ଼ି ହେଲେ ବରଂ ସମ୍ଭାଳି ହବ, କିନ୍ତୁ ବନ୍ୟା ହେଲେ ତ ଅନ୍ତତଃ ତିନୋଟି ଜିଲ୍ଲା ମୂଳରୁ ଯିବ । ଦେଖାଯାଉ କ’ଣ ହେଉଛି ।’’

 

ଭୈରବୀ ପଚାରିଲେ, ‘‘ମା’ ! ସମ୍ବଲପୁରର ହୀରାକୁଦଠାରେ ମହାନଦୀ ଉପରେ ପରା ଗୋଟାଏ କ’ଣ ବନ୍ଧ ବନ୍ଧା ହୋଇଚି । ବନ୍ୟା ପାଣିକୁ ସେଇ ଅଟକାଇ ଦେବ । ଏ ବର୍ଷକୁ ପରା ବନ୍ଧ କାମ ପ୍ରାୟ ସରିଗଲାଣି । ମହାନଦୀ ପାଣି ତ ସେଇଠାରେ ଅଟକିଯିବ, ଧୋଇ ହବ କାହିଁକି-?

 

ଦୁର୍ଗା ହୁଁ କହି ତୁନି ରହିଲେ । କିଛି ସମୟ ପରେ କହିଲେ, ‘‘ବାଇଗଣ ବିକିବାବାଲା ନିଜ ବାଇଗଣକୁ ନିଶ୍ଚୟ ତାରିଫ୍‌ କରିବ । ୟା ବୋଲି କ’ଣ କିଣିବାବାଲା ଆଖି ବୁଜି, ମଞ୍ଜିଆ ପୋକରା ନ ବାଛି କିଣି ପକେଇବ । ଏ ବନ୍ଧ ବିଷୟରେ ସେଇପରି ହୋଇଛି । କେତେଜଣ ଇଞ୍ଜିନିଅର୍‌ ନିଜକୁ ଲାଭ ଓ ବହାଦୁରି ମିଳିବ ବୋଲି, ଏ ବନ୍ଧରୁ ହାତୀ ମିଳିବ, ଛତି ମିଳିବ କହି ପ୍ରଚାର ଚଳାଇଦେଲେ । ମନ୍ତ୍ରୀମାନେ ଭିତରକୁ ନ ପଶି ଇଞ୍ଜିନିଅରଙ୍କ ସବୁ କଥାରେ ହଁ ଭରି ଦେଲେ । କ୍ରମେ ବୁଝିବେ ଯେ, ବନ୍ଧ ବନ୍ଧାଇ ବନ୍ୟା ରୋକିବା, ଖଡ଼ା କିଆରୀକି ଇଟାବାଡ଼ ପରି ।

 

ଭୈରବୀ ପ୍ରତିବାଦ କଲେ, ‘‘ବନ୍ଧରେ ପାଣି ଅଟକିବା କଥା ତେବେ କ’ଣ ମିଛ ? ଚାଲ, ନଈକୂଳରେ ଜଣେ ମନ୍ତ୍ରୀ ଅଛନ୍ତି, ତାଙ୍କଠାରୁ ବୁଝିବ, ମହାନଦୀରେ ହାରାହାରି ପ୍ରତି ସେକେଣ୍ଡ୍‌ରେ କେତେ ପାଣି ବୁହେ; ମିନିଟ୍‌, ଘଣ୍ଟା ଓ ଦିନରେ କେତେ ପାଣି ଜାମିବ । ବନ୍ଧ ପଡ଼ି ଯେଉଁ ହ୍ରଦ ତିଆରି ହେବ ତାହା କେତେ ଲମ୍ବା, ଚଉଡ଼ା, ଓ ଗଭୀର ତାହା ତାଙ୍କଠାରୁ ବୁଝିଲେ ପରିଷ୍କାର ଜଣାପଡ଼ିବ, କେତେଦିନର ବଢ଼ିପାଣି ହ୍ରଦରେ ଅଟକି ଯାଇପାରିବ । ପ୍ରାୟ ବଢ଼ି ତ ତିନିଦିନରୁ ବେଶୀ ରହେନାହଁ ।’’

 

ଦୁର୍ଗା କହିଲେ ‘‘ଏ ତ ସେଇ ଇଂରେଜ ପ୍ରଚାରକଙ୍କ କଥା । ‘ପ୍ରାୟ’ ‘ହାରାହାରି’ କାଗଜପତ୍ରକୁ ଭଲ । ଅସଲ କାମ ବେଳକୁ ସେ କଥା ପାଏ ନାହିଁ । ବରଂ ମଣିଷ ଅଡ଼ୁଆରେ ପଡ଼େ । ନଈ ହାରାହାରି କେତେ ଗଭୀର କଣ୍ଟି ଯେଉଁ ବାବୁ ନଈ ପାରି ହେଉଥିଲେ ତାଙ୍କ ଦଶା କ’ଣ ହେଲା, କ’ଣ ଜାଣି ନାହଁ ?’’

 

ଭୌରବୀ ଏ କଥାଟି ଜାଣି ନଥିବାରୁ ଦୁର୍ଗା କହିଦେଲେ–ଜଣେ ଗଣିତ ପଣ୍ଡିତ ନଈ କୂଳରେ ଆସି ପହଞ୍ଚି ନଈ ପାର ହେବାକୁ ବସିଲେ । ପାରି ହୋଇ ହେବନାହିଁ ବୋଲି ଜଣେ ନଈକୂଳିଆ ଲୋକ କହିବାରୁ ପଣ୍ଡିତେ କାଗଜ କଲମ ଧରି ଅଙ୍କ କସିବାକୁ ଲାଗିଲେ । ସେ ବୁଝିଲେ, ଏ କୂଳରେ ଫୁଟେ ପାଣି, ଆର କୂଳରେ ଦୁଇ ଫୁଟ ଓ ମଝିରେ ୯ ଫୁଟ। ଏ ତିନି ସଂଖ୍ୟାକୁ ମିଶାଇ ତିନିରେ ହରି ଦେଲାରୁ ହାରାହାରି ବାହାରିଲା ଚାରି ଫୁଟ । ପଣ୍ଡିତେ ନିଜେ ଛ’ଫୁଟ ଉଚ୍ଚ । ନଈର ହାରାହାରି ଗଭୀରତାଠାରୁ ନିଜର ଉଚ୍ଚତା ଦୁଇଫୁଟ ଅଧିକ ଥିବାର ଦେଖି ସେ ନିର୍ଭୟରେ ନଈରେ ପଶିଲେ । ମଝି ଗଣ୍ଡକୁ ଯିବା ପୂର୍ବରୁ ସୁଅର ତୋଡ଼ରେ ଭାସିଗଲେ । ଏଠାରେ ସେଇଆ ହେବ । ମଧ୍ୟପ୍ରଦେଶ ଓ ଓଡ଼ିଶାର ବାର୍ଷିକ ବୃଷ୍ଟିପାତ ସିନା ପ୍ରାୟ ଏକାପରି ରହୁଛି । ଦିନେ ଯଦି ହଠାତ୍‌ ୧୪\୧୫ ଇଞ୍ଚ ବର୍ଷା ହୋଇଗଲା, ତେବେ ବନ୍ଧ ଆଉ କାହାକୁ କ’ଣ ରଖିବ, ନିଜ ରକ୍ଷଣ ଅସମ୍ଭବ ହୋଇପଡ଼ିବ । ପୁଣି ଖାଲି ଉପର ମୁଣ୍ଡରୁ ତ ନଈରେ ପାଣି ପଶେନାହିଁ । ବନ୍ଧତଳେ ତ ଅସଂଖ୍ୟ ଉପନଦୀ ଅଛନ୍ତି । ବନ୍ଧ ଯୋଗେ ଯେଉଁମାନେ ବନ୍ୟା ନିରୋଧ କରୁଛନ୍ତ, ସେମାନେ ମୂଳ ନଈ ଓ ଉପନଦୀମାନଙ୍କରେ ଠାକୁ ଠା’ ବନ୍ଧ ପକାନ୍ତି । ୟାଙ୍କର ତ ଗୋଟିଏ ବନ୍ଧ ପକାଉ ପକାଉ ଖଜଣାଖାନା ଖାଲି, ୟେ ବନ୍ଧ ଉପରେ ଏତେ ଭରସା କରୁଛନ୍ତି କାହିଁକି ?

 

ଭୈରବୀ–ମା’, ତମ କଥାଗୁଡ଼ାକ ଆଜିକାଲିର ଲୋକଙ୍କୁ ସୁଖ ଲାଗିବ ନାହିଁ । କାଳ ବଦଳୁଛି । ଏ ଯୁଗର ନାଁ ବୈଜ୍ଞାନିକ ଯୁଗ । ବିଜ୍ଞାନ କହୁଛି, ପାଣି ବନ୍ଧାଇ ଇଲେକ୍‌ଟ୍ରିକ୍‌ କର, ଜମିରେ ପାଣି ମଡ଼ାଅ, ବନ୍ୟା ନିରୋଧ କର । ଯେ ଏ କଥାରେ ଆପତ୍ତି କରିବ ତାକୁ ସମସ୍ତେ ହସିବେ ।

 

ଦୁର୍ଗା–ପିଲେ ନାହିଁ କରିବେ କି ହଁ କରିବେ, ସେଇ କଥାକୁ ଚାହିଁ ମୁଁ ଘର ଚଳେଇବି, ନା-? ମାନନ୍ତୁ ବା ନ ମାନନ୍ତୁ ଆମକୁ ଠିକ୍‌ କଥା କହିବାକୁ ପଡ଼ିବ । ଆଜି ଅଜଟ ହୋଇଛନ୍ତି ବୋଲି, କାଲି କ’ଣ ବୁଝିବେ ନାହିଁ ? ଆଜି ନେହେରୁ କହୁଛନ୍ତି ବନ୍ଧବାଡ଼ ହେଉ, କାଲି ସେ ବଳେ କହିବେ ଯେ ବନ୍ଧ ବାଡ଼ ନଈ ପାଣିକୁ ରୋକିଲେ ଖର୍ଚ୍ଚକୁ ଚାହିଁ ଲାଭ ମିଳିବ ନାହିଁ । ଯଦି ବା ଏହା କରିବାକୁ ମନ, ତେବେ ଆଗ ନୁହେଁ, ପଛେ ।

 

ଭୈରବୀ–ଇଲେକ୍‌ଟ୍ରିକ୍‌ ତ ପୁଣି ଦରକାର । ଜଳସେଚନ ଦରକାର।

 

ଦୁର୍ଗା–ଦରକାର ଯଦି ବନ୍ଧ ପକାଅ । କିନ୍ତୁ ଏବେ ଯେ ଆଗ ବନ୍ଧ ପକାଇ ଇଲେକ୍‌ଟ୍ରିକ୍‌ କିପରି ଖର୍ଚ୍ଚ ହେବ ସେ କଥା ପଛେ ବିଚାର ହେଉଛି, ସେମିତି ହେଲେ ଖର୍ଚ୍ଚ ହେଉଥିବା ଟଙ୍କା ଉପରେ ସୁଧ ଗଣୁଥିବ, ଏଣେ ଇଲେକ୍‌ଟ୍ରିକ୍‌ତକ ବୃଥା ଯାଉଥିବ ।

 

ଭୈରବୀ–ବୃଥା କାହିଁକି ଯିବ ? ଏବେ ପରା ଗାଁ ଗାଁରେ ଇଲେକ୍‌ଟ୍ରିକ୍ ଆଲୁଅ ଲାଗିବାର ବ୍ୟବସ୍ଥା ହେଉଛି ।

 

ଦୁର୍ଗା–ତୁଚ୍ଛା ଅବୁଝାମଣା କଥା । ଗାଁ ମାନଙ୍କରେ ବିଜୁଳିଶକ୍ତି ଯଦି କୌଣସି ଶିଳ୍ପ ବ୍ୟବସାୟରେ ଲାଗୁଥାନ୍ତା, ତେବେ ଲାଭ ହୁଅନ୍ତା । ସେ କଥା ନ କରି ଖାଲି ସୁଖ ସୁବିଧା ପାଇଁ ଆଲୁଅ ବାଣ୍ଟିଲେ, ଆଲୁଅ ସୁବିଧା ହେଲା ବେଳକୁ ପେଟରେ ଓଦା କନା ପଡ଼ିଥିବ । ବର୍ତ୍ତମାନ ଯେଉଁ ଶାସନ ଚାଲୁଛି, ସେଥିରେ ଗାଁ ଲୋକଙ୍କର ମଙ୍ଗଳ ହେବାପାଇଁ ଯୋଜନା ହୋଇଛି । ତା’ ଫଳରେ ଗାଁ ଲୋକଙ୍କର କାର୍ଯ୍ୟ ହେଉଛି, ନା ଅକାର୍ଯ୍ୟ ହେଉଛି ନିଜେ ଦେଖିଲେ ଜାଣିବ । ଗୋଟିଏ ବିଜୁଳି ଆଲୁଅ ଘରକୁ ଦେଲା ବେଳକୁ ,ବ୍ୟବସାୟ ପାଇଁ ଦୁଇଟି ଯିବା ଦରକାର ।

 

ଏତେବେଳକୁ ସେମାନେ ଆସି ଗଭର୍ଣ୍ଣର କୋଠି ପାଖରେ ପହଞ୍ଚିଲେ । ଗତାନୁଗତିକ ରୀତିରେ ପ୍ରହରୀ ପହରା ଦେଉଛନ୍ତି । ସୋର ଶବ୍ଦ କିଛି ନାହିଁ । ପ୍ରକାଣ୍ଡ ହତା, ଭଲ ବଗିଚା ହୋଇଛି । ଘର ମଧ୍ୟ କଟକକୁ ଚାହିଁଲେ ଭଲ । ଜାଗାଟାର ଶ୍ମଶାନ ଶୂନ୍ୟତାରେ ଦୂର୍ଗା ଟିକିଏ କ୍ଷୁବ୍‌ଧ ହୋଇ ଖାଲି ଚାରିଆଡ଼େ ଆଖି ବୁଲାଉଛନ୍ତି, ଭୈରବୀ ପଚାରିଲେ, ‘‘ମା’ ! ଏତେଗୁଡ଼ାଏ ଜାଗା ଏଠି ଖାଲି ପଡ଼ିଛି, ତେଣେ ବଜାର ଭିତରେ ଲୋକେ ପାଣି କାଦୁଅରେ ଘରଦ୍ୱାର କରି ରହିଲେଣି । ଏ ଲାଟ ସାହେବ ରହିବାରେ ଫଳ କ’ଣ ?’’

 

ଦୁର୍ଗା କ୍ଷୋଭରେ କହିଲେ, ‘‘ହଁ, ସେ କଥା କହିବାକୁ ହେଲା । ଶାସନବିଧାନ ଅନୁସାରେ ରାଜ୍ୟଶାସନରେ ୟାଙ୍କର କିଛି ହାତ ନାହିଁ । ତାଙ୍କୁ ରାଜ୍ୟପାଳ ବୋଲି କହିବା ଅନର୍ଥକ ହୋଇଛି ।

 

ଭୈରବୀ–ତେବେ ସେ ଅଛନ୍ତି କାହିଁକି ?

 

ଦୁର୍ଗା–ଆମ ଭାରତବର୍ଷରେ ଯେଉଁ ଶାସନବିଧାନ ଗଢ଼ା ହୋଇଛି ତାହା ତ ମାଗି ଆଣିଲା ତିଅଣ । ଅନ୍ୟ ଦେଶରେ, ବିଲାତ, ଫ୍ରାନ୍‌ସ, ଜର୍ମାନୀ ପ୍ରଭୃତିରେ ରାଜ୍ୟଶାସନ ଉପରେ ଏହିପରି ଗଭର୍ଣ୍ଣର ଥାପନା ହୁଏ ବୋଲି ଆମର ହୋଇଛି । ତାଙ୍କ ପାଇଁ କାମ ଯାହା ନିର୍ଦ୍ଦିଷ୍ଟ କରାଯାଇଛି, ତାହା ଅତି ମାମୁଲି । ଅସଲ ଯେଉଁ କ୍ଷମତା ଦିଆହୋଇଛି ତାହା କାର୍ଯ୍ୟରେ ଲାଗିବାର ଅବସର ଆସିବାର ସମ୍ଭାବନା କମ୍ ।

 

ଭୈରବୀ–ଯେଉଁ ଦେଶର ଅନୁକରଣ ଏମାନେ କରିଛନ୍ତି , ସେଠାରେ କ’ଣ ଗଭର୍ଣ୍ଣର ନିରର୍ଥକ ଅଛନ୍ତି ?

 

ଦୁର୍ଗା–ନା, ନା, ସେଠାରେ ତ ଏପରି ଅନୁକରଣ କରି ପଦବୀ ସୃଷ୍ଟି ହୋଇନାହିଁ । ସେଠାରେ ରାଜା ବା ସର୍ବୋଚ୍ଚ କର୍ତ୍ତାଠାରୁ କ୍ଷମତା କାଢ଼ି ନିଆଯାଇଛି । ଯାହା ନିଆ ନ ହୋଇଛି ସେ ସବୁ ତାଙ୍କ ହାତରେ ଅଛି । ସମାଜରେ ସେମାନଙ୍କର ଭାରି ପ୍ରତିଷ୍ଠା । ଦେଶର ନିରୋଳା ରାଜନୀତିକ ନେତୃତ୍ଵରେ ଛାଡ଼ି ବାକି ସବୁରେ ସେମାନେ ନେତୃତ୍ଵ ଦିଅନ୍ତି ।

 

ଭୈରବୀ–ଏଠାରେ ସେପରି ନ ହେଉଛି କିଆଁ ?

 

ଦୁର୍ଗା–ସେଥିକୁ ବହୁତ କାରଣ । ତଥାପି ଯୋଗା ଲୋକ ଏ ଆସନରେ ବସିଲେ, ଆଇନଗତ କ୍ଷମତା ଥାଉ ବା ନଥାଉ ନିଜ ବ୍ୟକ୍ତିତ୍ଵ ବଳରେ ସେ ଶାସନକୁ ବହୁଭାବରେ ପ୍ରଭାବିତ କରନ୍ତି । ଓଡିଶାର ପଡ଼ୋଶୀ ଆନ୍ଧ୍ର ରାଜ୍ୟରେ ସେଇପରି ଜଣେ ଲୋକ ଅଛନ୍ତି । ସମସ୍ତଙ୍କୁ ଯୋଗ୍ୟତା ଦୃଷ୍ଟିରେ ନିଯୁକ୍ତ କଲେ ସିନା ହୁଅନ୍ତା ! ପ୍ରିୟ ଲୋକଙ୍କୁ ଚାକିରି ଯୋଗାଇବାକୁ, ଅକଡ଼ବାଗିଆ ନେତାଙ୍କୁ ନିଜ ରାଜ୍ୟରୁ ଅପସାରି ଦେବାକୁ, ଅତୀତରେ ଭଲ କାର୍ଯ୍ୟ କରିଥିବା ଲୋକଙ୍କୁ ନିଶ୍ଚିତରେ ଶେଷ ଜୀବନ କଟାଇବା ସକାଶେ ସୁଯୋଗ ଦେବାକୁ, ବହୁ କ୍ଷେତ୍ରରେ ଏ ରାଜ୍ୟପାଳ ପଦଟିମାନ ବଣ୍ଟା ହେଉଛି । ଆଜି ଯଦି ଏଠାରେ ଜଣେ ଦକ୍ଷ ଲୋକ ଥାନ୍ତା, ତେବେ ସେ ନଈର ଏ ଅବସ୍ଥା ଦେଖି ପ୍ରତିକାରର ବ୍ୟବସ୍ଥା କରାଉଥାନ୍ତା । ସବୁବେଳେ ଟେଲିଫୋନ୍‌ ହେଉଥାନ୍ତା । କେତେ ଧାଁ ଧପଡ଼ ଚାଲିଥାନ୍ତା ।

 

ଉଭୟେ ଏହିପରି କଥାବାର୍ତ୍ତା ହେଉ ହେଉ ହେଉ କିଲଟରୀ ପାର ହେଲେ । ଶେଷ ମୁଣ୍ଡରେ ଗୋଟାଏ କୋଠିରେ ୫/୭ ଖଣ୍ଡ ମଟର ଥୁଆ ହୋଇଛି । ଡ୍ରାଇଭର ଚପରାସି ହୋଇ ୮ଜଣ ଧାଁ ଧପଡ଼ ଯିବାଆସିବା କରୁଛନ୍ତି–ଏହା ଦେଖି ଭୈରବୀ କହିଲେ ‘‘ମା’ ! ଯେଉଁ ଧାଁ ଧପଡ଼ ଲାଗିବା କଥା କହୁଥିଲ,ଏଇଠି ଲାଗିଛି । ଏଇଟା ଜଣେ ମନ୍ତ୍ରୀଙ୍କ ଘର ହୋଇଥିବ ! ଲାଟଙ୍କର ପୂର୍ବେ ଯେଉଁ ଦାୟିତ୍ଵ ଥିଲା, ତାହା ମନ୍ତ୍ରୀଙ୍କ ପାଖକୁ ଆସିଛି ପରା ।’’

 

ଭୈରବୀଙ୍କ ଆଗ୍ରହ ଦେଖି ଦୁର୍ଗା ନଈକୂଳରୁ ଗଡ଼ି ସେଇ ଘରର ଭିତରକୁ ଗଲେ ।

☆☆☆

 

ବିଚାର ଓ ବିନୋଦ

 

ଦୁଇ ଦେବୀ ମଣିଷଙ୍କ ଆଖିକୁ ଦିଶୁ ନ ଥାନ୍ତି କି ତାଙ୍କ କଥାବାର୍ତ୍ତା ମଣିଷଙ୍କୁ ଶୁଭୁ ନଥାଏ । ତେଣୁ ସେ ଦୁହେଁ ଯାଇ ମନ୍ତ୍ରୀଙ୍କ ଦୁଆର ମୁହଁରେ ଠିଆ ହେବାର କେହି ଦେଖିଲେ ନାହିଁ । ଦେବୀ ଦୁହେଁ ଦେଖିଲେ, ଦୁଆର ମୁହଁରେ ଲେଖା ହୋଇଛି ‘ଭିତରେ ପ୍ରବେଶ ନିଷେଧ’। ସେ ଦୁହେଁ ଭିତରକୁ ଯିବେ କି ନାହିଁ ବିଚାରୁଛନ୍ତି, ବାହାରୁ ଦୁଆରକୁ ଠେଲି ତିନି ଚାରିଜଣ ଚପରାସି, ଜଳଖିଆ ଥାଳିଆ ଓ ଚା’ ପିଆଲା ଧରି ସେ ଘରକୁ ପଶିଲେ । ଜଳଖିଆ ଥାଳିଆର ସଂଖ୍ୟାରୁ ଜଣାଯାଉଥାଏ ଭିତରେ ପ୍ରାୟ ଦଶବାର ଜଣ ଲୋକ ଭୋଜନରେ ବସିଛନ୍ତି । ଭୋଜି ଭାତରେ ଅତିଥିଙ୍କୁ ସ୍ଵାଗତ ନ କରି ନିଷେଧାଜ୍ଞା ଜାରି କରିଦେବା ମନ୍ତ୍ରିପାହିଆର ଲୋକଙ୍କୁ ପକ୍ଷରେ ଅଶାସ୍ତ୍ରୀୟ ହେଉଛି ବୋଲି ଦୁର୍ଗାଙ୍କ ମୁହଁରେ ଈଷତ୍‌ ବିରକ୍ତି ଦେଖାଗଲା । ଭୈରବୀ କହିଲେ, ‘‘ଆମକୁ ତ କେହି ଦେଖୁ ନାହାନ୍ତି, ଚାଲ ଭିତରକୁ ଯିବା । କେଜାଣି ମନ୍ତ୍ରୀ ଅବା ଏ ଭୋଜିରେ ଥିବେ ।’’

 

ଚପରାସି ଦୁଆର ମେଲେଇଲାବେଳେ ଦୁହେଁଯାକ ଭିତରେ ପଶିଯିବାର ଦେଖିଲେ, ସାହେବୀ ଢଙ୍ଗରେ ଖାନା ହେଉଛି । ଗୋଟେ ପାଖେ ଜଣେ ଗୌରବର୍ଣ ଶୁଭ୍ରପରିଚ୍ଛଦଧାରୀ ପୌଢ଼ ବସିଛନ୍ତି । ତାଙ୍କ ଆଗରେ ଗୁଡ଼ାଏ କାଗଜପତ୍ର ଇତସ୍ତତଃ ଭାବେ ପଡ଼ିଛି; ଓଡ଼ିଶାର ବିଭିନ୍ନ କିସମର ମାନଚିତ୍ର ଆଗରେ ମେଲା ହୋଇ ରହିଛି । ଆର ପାଖେ ଓ ଦୁଇ କଡ଼ରେ ପ୍ରାୟ ୮ ଜଣ ଲୋକ ବସିଛନ୍ତି । ସମସ୍ତଙ୍କ ଆଗରେ ଅଳ୍ପ ବହୁତ କାଗଜ ଜମା ହୋଇଛି । ତାକୁଇ ସବୁ ଟିକିଏ ଆଡ଼ିଆ ଆଡ଼େଇକରି ଜଳଖିଆ ଥାଳିଆ ଓ ଚା’ ପିଆଲା ସବୁ ସେଇ ଭିତରେ ରଖା ହୋଇଥାଏ । ଏକପାଖିଆ ହୋଇ ବସିଥିବା ପୌଢ଼ଙ୍କୁ ଅନ୍ୟମାନେ ଦେଖାଉଥିବା ମାନ୍ୟରୁ ଓ ତାଙ୍କ ଖଦଡ଼ ପୋଷାକରୁ ଜଣା ପଡ଼ୁଥିଲା, ସେ ମନ୍ତ୍ରୀ । ଅନ୍ୟ ସମସ୍ତଙ୍କର ସାହେବୀ ପୋଷାକ । ସବୁ କର୍ମଚାରୀ ଦେଶୀ ଓ ଖଦଡ଼ ପୋଷାକ ପିନ୍ଧନ୍ତୁ ବୋଲି ମଝିରେ ମଝିରେ କୁହାଯାଏ, କିନ୍ତୁ ସେପରି ହେଲେ ସେମାନଙ୍କଠାରୁ ନିଜର ଥିବା ପାର୍ଥକ୍ୟ ଟିକକ କେଜାଣି ଚାଲିଯିବ ଏଥି ସକାଶେ ମନ୍ତ୍ରୀମାନେ ଏ କଥା ଉପରେ ଜୋର ଦିଅନ୍ତି ନାହିଁ ।

 

ଜଳଖିଆ ସମସ୍ତଙ୍କ ଆଗରେ ଥୁଆହେବାରେ ମନ୍ତ୍ରୀ ସମସ୍ତଙ୍କୁ ଖାଇବାକୁ ବୋଲାଇଲେ-। ଘଣ୍ଟେ ଖଣ୍ଡେ ପୂର୍ବରୁ ସେଇଠାରେ ବହୁତ ଖାଇଥିବାର କାରଣ ଯେଉଁମାନେ ଦେଖାଇଲେ, ସେମାନଙ୍କୁ ଆଉ ଟିକିଏ ବଳାଇବାକୁ ପଡ଼ିଲା । ମନ୍ତ୍ରୀ ନିଜ ଆଗରେ ଥିବା ଜଳଖିଆରେ ସଦ୍‌ବ୍ୟବହାର କରୁ କରୁ ମାନଚିତ୍ରକୁ ଦେଖୁଥାନ୍ତି ଓ ଅନ୍ୟମାନଙ୍କୁ ଦେଖାଉଥାନ୍ତି; ଖାଉ ଖାଉ ବକ୍ତୃତା ବି ଦେଉଥାନ୍ତି, ଓ ବକ୍ତୃତା ମଝିରେ ଉଠି ଯାଇ ଘରଯାକ ଏଠି ସେଠି ଗଦା ହୋଇଥିବା ଫାଇଲ ଭିତରୁ ଗୋଟାଏ ଖୋଜି ବାହାର କରିବାର ନିଷ୍ଫଳ ଉଦ୍ୟମ କରି, ଟେଲିଫୋନରେ କର୍ମଚାରୀଙ୍କୁ ଓ ତହିଁ ସଙ୍ଗେ ବଡ଼ପାଟିରେ ପାଖରେ ଥିବା ଚପରାସିଙ୍କୁ ଗାଳି ଦେଉଥାନ୍ତି–ଗାଳି ମଝିରେ ଅମୁକ ସାହେବଙ୍କ ପାଇଁ ଆଉ ଜଳଖିଆ ଆଣିବାକୁ ବରାଦ କରୁଥାନ୍ତି ।

 

ଏହା ଦେଖି ଭୈରବୀ ମନ୍ତ୍ରୀଙ୍କ ଉପରେ ଭାରି ପ୍ରସନ୍ନ ହୋଇ କହିଲେ, ‘‘ମା’ ! ଦେଖୁଛ-! ଏ ବୟସରେ ଭଦ୍ରଲୋକଟିର କି ଉତ୍ସାହ ! ଟିକିଏ ଆଳସ୍ୟ ନାହିଁ ବଡ଼ଲୋକି ନାହିଁ । କି ଆତିଥେୟତା ! ମନ୍ତ୍ରୀ କାମଟାକୁ ଭଦ୍ରଲୋକ ନିଜର କରି ପକାଇଛନ୍ତି । ଗୋଟାଏ କ’ଣ କରିପକାଇବାକୁ ୟାଙ୍କର ଭାରି ମନ ପରି ଜଣାପଡ଼ୁଛି । ’’

 

ଦୁର୍ଗା କିଛି ନ କହି ଗମ୍ଭୀର ଭାବରେ ଚାରିଆଡ଼େ ଆଖି ବୁଲାଉଥାନ୍ତି । ମନ୍ତ୍ରୀଙ୍କୁ ବେଢ଼ି ବସିଥିବା ଅଫିସରମାନଙ୍କ ମୁହଁକୁ ଚାହିଁ ସେମାନଙ୍କ ପେଟ ଭିତରର ଭାବ ଠଉରେଇବାକୁ ଚେଷ୍ଟା କରୁଥାନ୍ତି । ଜଣେ ବିଚାରିଲାପରି ଜଣାପଡ଼ୁଥାଏ, ‘‘ମଲା ଆଜି ମଣିଷ ! ଇମିତି ଯଦି ତିନି ଚାରିଟା ଆଲୋଚନା ସଭା ହୋଇଯିବ ତେବେ ଫୁଣି ପେଟ ବେମାରିରେ ଯାଇ ଡାକ୍ତରଖାନାରେ ପଡ଼ିବାକୁ ହେବ । ‘‘ ଆଉ ଜଣେ ବିଚାରୁଥାନ୍ତି, ‘‘ଯଦି ସବୁ ନିଜେ କରିବାକୁ ମନ, ଆମଠାରୁ କିଛି ଶୁଣିବା ଯଦି ପ୍ରୟୋଜନ ନ ହେଉଛି, ତେବେ ଆମକୁ ରଖିବା ଦରକାର କ’ଣ ? ଯଦି ବେକାର ସମସ୍ୟାର ସମାଧାନ ପାଇଁ ଆମକୁ ଚାକିରି ମିଳିଛି, ତେବେ ଆମ ପାରିବାରିକ ସମସ୍ୟାର ସମାଧାନ ପାଇଁ ଆମକୁ ଘରକୁ ଯିବାକୁ ଦେଇ, ସବୁ ସମସ୍ୟା ଏଇ ଘରେ ତାଲା ପକାଇ ରଖ ବା ସମାଧାନ କର-।’’ ଆଉ ଜଣେ ବିଚାରୁଥାନ୍ତି, ‘‘ଯୋଜନାର ତତ୍ତ୍ଵ ବିଷୟରେ ଏ ମହାଶୟଙ୍କର ଯେଉଁ ବକ୍ତୃତା ଆମେ ଏଠାରେ ନିର୍ବାକ୍‌ ହୋଇ ଶୁଣୁଛୁ, ସେଇ କଥା ପିଲାମାନେ ପରୀକ୍ଷା ଖାତାରେ ଲେଖିଲେ ଅନ୍ତତଃ ପାସ୍‌ ମାର୍କ ଯଦି ନଦେବି ତେବେ ମୁଁ ମିଥ୍ୟାଚାରୀ ହେବି ନା ନାହିଁ ?’’

 

ଆଉ ଜଣେ ବିଚାରୁଥାନ୍ତି, ‘‘ଯେ ଯେଉଁ ବିଷୟରେ ମନ୍ତ୍ରୀ ହେଉଛନ୍ତି, ଯେ ସେ ବିଷୟରେ ବିଶେଷଜ୍ଞ ହେବାକୁ ଚେଷ୍ଟା କରିବା ବିଡ଼ମ୍ବନା । ବିଶେଷଜ୍ଞମାନେ ଯେଉଁ ମତ ଦେଉଛନ୍ତି ତାହା ଯୁକ୍ତିଯୁକ୍ତ କି ନୁହେଁ ଓ ଦେଶ ଓ କାଳର ଉପଯୋଗୀ ହେବ କି ନାହିଁ ସେତିକି ଜାଣିବା ଭଳି କାଣ୍ଡଜ୍ଞାନ ଥିଲେ ଲୋକ ମନ୍ତ୍ରୀ ଦାୟିତ୍ଵ ତୁଲାଇପାରିବ । ତହିଁରୁ ବେଶୀ ନିଜର ଅଛି ବୋଲି ଦେଖାଇବାକୁ ଗଲେ, ସେ ଟିକକ ମଧ୍ୟ ନଷ୍ଟ ହୋଇଯିବାର ଆଶଙ୍କା ଅଛି । ବିଲାତରେ ଥରେ ମନ୍ତ୍ରୀମଣ୍ଡଳ ଗଠନ ହେଉଥିଲା । ପ୍ରଧାନମନ୍ତ୍ରୀ ଜଣଙ୍କୁ ଉପନିବେଶ ମନ୍ତ୍ରୀ ହେବାକୁ କହିବାରେ, ସେ ଆପତ୍ତି କଲେ ଯେ, ତାଙ୍କର ଉପନିବେଶ ବିଷୟରେ କିଛି ଜ୍ଞାନ ନାହିଁ । ତହୁଁ ପ୍ରଧାନମନ୍ତ୍ରୀ ତାଙ୍କୁ ନିଜ ବାସଭବନରେ ଟଙ୍ଗା ହୋଇଥିବା ମାନଚିତ୍ର ପାଖକୁ ନେଲେ ଓ ସେଥିରେ ନାଲିରେ ରଙ୍ଗା ହୋଇଥିବା ଅଂଶଗୁଡ଼ିକ କହିଲେ, ‘‘ହେଇଟି, ଏଇ ଆମର ସାମ୍ରାଜ୍ୟ । ସେଥିରୁ ଏଇତକ ଆମର ଉପନିବେଶ । ଉପନିବେଶ ମନ୍ତ୍ରୀ ତେବେ ଜାଣିବାର କଥା ବର୍ତ୍ତମାନ ତୁମର ସେଇ ଜ୍ଞାନ ହୋଇଗଲା, ଆଉ ଆପତ୍ତି କାହିଁକି ? ଆମ ଦପ୍ତରରେ ବହୁଦିନର ଅଭିଜ୍ଞ ଅଫିସରମାନେ ଅଛନ୍ତି-।’’ ଆମ ମନ୍ତ୍ରୀ ବହିରୁ ଏକଥା ନିଶ୍ଚୟ ପଢ଼ିଥିବେ । କିନ୍ତୁ ପଢ଼ି ଖାଲି; ମ୍ୟାପ୍‌ ଦେଖିବାଟି ଶିଖିଛନ୍ତି, ଓ ଶିଖି ଆଜି ନିଜ ଗାଁକୁ ମ୍ୟାପରେ ଦେଖି ଚିହ୍ନୁଛନ୍ତି । ’’

 

ଅଫିସରମାନଙ୍କର ମନର ଚିନ୍ତା ଏଇପରି ଠଉରାଇ ଦୂର୍ଗାଙ୍କ ଚେହେରା ଆହୁରି ଗମ୍ଭୀର ହୋଇଥାଏ । ଭୌରବୀଙ୍କର ଆଉ ଟିକିଏ ରହିବାକୁ ମନ ହେବାରୁ, ସେ ବାଧ୍ୟ ହୋଇ ରହିଲେ ଓ ବାଧ୍ୟ ହୋଇ କରୁଥିବା କାର୍ଯ୍ୟରେ ମନ ଲଗାଇବା ସକାଶେ ଆଶା କଲେ ଯେ, ବୋଧହୁଏ ଏ ଆଲୋଚନା ପ୍ରସଙ୍ଗରେ ସମୟୋଚିତ କଥା କିଛି ପଡ଼ିବ ।

 

ମନ୍ତ୍ରୀ ମହାଶୟ କିରାଣୀ ଓ ଚପରାସୀମାନଙ୍କୁ ବିଦା କରି, ବାହାରର କୌଣସି ଲୋକଙ୍କୁ ହତା ଭିତରେ ନ ରଖିବାକୁ ଅର୍ଡର ଦେଇ, ଫୁଣି ସେ ଅର୍ଡରର ପୁନରାବୃତ୍ତି କରି ଯଥାସମ୍ଭବ ଥୟ ହୋଇ ନିଜ ଆସନରେ ବସିଲେ, ଓ ଆର ପାଖରେ ବସିଥିବା ବାବୁମାନଙ୍କୁ କହିଲେ, ‘‘ଆଜି ଆପଣମାନଙ୍କୁ ବଡ଼ ଜରୁର କାର୍ଯ୍ୟରେ ଡାକିଛି । ଟିକିଏ ଡେରି ହୋଇଗଲା, କ୍ଷମା କରିବେ । (ଘରର କାଗଜମାନଙ୍କ ଉପରେ ହାତ ବୁଲାଇ) ମୁଁ ତ କାମରେ ବୁଡ଼ିଗଲିଣି । ଆପଣମାନେ ତ ଦେଖୁଥିବେ, ମୋତେ ମୁହୂର୍ତ୍ତେ ଫୁରସତ୍‌ ନାହିଁ। ’’

 

ଦୁର୍ଗା ଓ ଭୈରବୀ ଦେଖି ନଥିଲେ କିନ୍ତୁ ବାବୁମାନେ ସବୁ ଦିନ ଦେଖନ୍ତି, ଆଜି ବି ଦେଖୁଥାନ୍ତି, ହଜି ଯାଇଥିବା କାଗଜ ଖୋଜିବାରେ, ଚପରାସି ଓ ଟାଇପ ବାବୁଙ୍କୁ ଗାଳି ଦେବାରେ ଓ ଭୁବନେଶ୍ଵର ପୁରୀ ପ୍ରଭୃତି ଜାଗାକୁ ଜରୁର୍‌ ସରକାରୀ କାର୍ଯ୍ୟରେ ଘଣ୍ଟା ଘଣ୍ଟା ଲାଗି ଟେଲିଫୋନ କରିବାରେ ମନ୍ତ୍ରୀଙ୍କର ସବୁତକ ସମୟ ଚାଲିଯାଉଛି । ଆଜି ସେମାନେ ଉପରଓଳି ତିନିଟା ବେଳେ ଆସିଥିଲେ, ଜରୁର୍‌ କାର୍ଯ୍ୟପାଇଁ ଜରୁରି ଡକରା ପାଇ । ଦୁଇଥର ଜଳଖିଆ ଖିଆ ସରିଲାଣି । କିନ୍ତୁ ଜରୁର୍‌ କାର୍ଯ୍ୟଟା କ’ଣ ତାହା ଏପର୍ଯ୍ୟନ୍ତ ସେମାନେ ଶୁଣି ନଥାନ୍ତି । ଶେଷରେ ତାହା ପ୍ରକାଶ ହେବ ବୋଲି, ଜଣେ ଦି’ଜଣ ଉତ୍ସୁକରେ ଚାହିଁଲେ, ଓ ଅନ୍ୟମାନେ ଘରକୁ ଫେରିବାର ଓ ସନ୍ଧ୍ୟା କର୍ମ କରିବାର ଅବକାଶ ମିଳିବା ଆଶାରେ ଆଶ୍ଵସ୍ତ ହୋଇ ଶୁଣିବାକୁ କାନ ଡେରିଲେ ।

 

ମନ୍ତ୍ରୀ ମହାଶୟ ପୁଣି କଥା ଆରମ୍ଭ କଲେ, ‘‘ଏହା ଖୁବ୍‍ ଗୋପନୀୟ । ଆପଣମାନେ ଏହା କୁତ୍ରାପି ପ୍ରକାଶ କରେବେ ନାହିଁ । ମୁଁ ଆଉ ଏ ସରକାର ଦାୟିତ୍ଵ ମୁଣ୍ଡାଇ ପାରିବା ନାହିଁ । ଏଇଥର ମୁଁ ଯେଉଁ ଇସ୍ତଫା ଦେଉଛି ତାହା ଆଉ କେବେହେଁ ଫେରାଇବି ନାହିଁ । ଯେ ଯେତେ ପ୍ରବର୍ତ୍ତାନ୍ତୁ ପଛେ ମୁଁ ଆଉ ମାନିବି ନାହିଁ । କେହି କିଛି କାମ କରୁନାହାନ୍ତି, ସବୁ ମୋରି ମୁଣ୍ଡରେ । ମୁଖ୍ୟମନ୍ତ୍ରୀ ଭୂଦାନରେ ବ୍ୟସ୍ତ, ଅନ୍ୟ ମନ୍ତ୍ରୀମାନେ ଖାଲି ଗସ୍ତ କରିବାରେ ଲାଗିଛନ୍ତି । କହନ୍ତୁ ଭଲା, ମୁଁ କୁଆଡ଼େ ଗସ୍ତ କରୁଛି ? ମୁଁ ଖଣ୍ଡ ଖଣ୍ଡ କରି ଅଞ୍ଚଳ ଆଣି ରାଜ୍ୟରେ ମିଶାଇବି, ଏମାନେ ଖାଲି ଗସ୍ତ କରିବେ । ଗସ୍ତ ଖର୍ଚ୍ଚା କମାଇବାକୁ ଏତେ ଉଦ୍ୟମ କଲି । କିନ୍ତୁ ଫଳ ଓଲଟା ହେଲା । ମୁଁ କମେଇବାକୁ ଚାହିଁଲାବେଳକୁ ଗସ୍ତଖର୍ଚ୍ଚ ଦେଢ଼ା ହୋଇଗଲା । ମୋରି ସେକ୍ରେଟାରୀମାନେ ମୋରି ବିରୁଦ୍ଧରେ ମତ ଦେଲେ । ସମସ୍ତଙ୍କର ତ ଗସ୍ତଖର୍ଚ୍ଚା ଉପରେ ମନ ।’’

 

ଶ୍ରୋତାଙ୍କ ଭିତରେ ଗସ୍ତ କରିବା ଅଫିସର ଦୁଇ ଚାରି ଜଣ ଥିଲେ । ସେମାନେ ମନ୍ତ୍ରୀଙ୍କ ଅଙ୍ଗଲାଗି ହୋଇ ମାସକୁ କୋଡ଼ିଏ ଦିନ କଟାଉଥିବାରୁ, ବାକି ସମୟତକ ନିଜ ଟେବୁଲ୍‌ ସଫା କରିବାରେ ଲାଗୁଛନ୍ତି । ଆଉ ଗସ୍ତ କରିବାକୁ ବେଳ କାହିଁ ? ମନ୍ତ୍ରୀଙ୍କ ବିଷୟରେ ନିଜର ଅସଲ ମତ ଘରେ ଓ ଅଫିସରେ ଦେବାକୁ ରଖି ସେମାନେ ମନ୍ତ୍ରୀଙ୍କ ବକ୍ତୃତା ଉଦାସୀନ ଭାବେ ଶୁଣି ଯାଉଥାନ୍ତି ।

 

ମନ୍ତ୍ରୀ ପୁଣି ଆରମ୍ଭ କଲେ, ‘‘ମୁଁ ଏ ଦାୟିତ୍ୱ ଆଉ ଦଣ୍ଡେ ବି ମୁଣ୍ଡାଇବାକୁ ଚାହେ ନାହିଁ । କିନ୍ତୁ କ’ଣ କରିବି ? ଦାସେ ସିନା କମ୍ବଳ ଛାଡ଼ିବେ, କମ୍ବଳ ଦାସଙ୍କୁ ଛାଡ଼ିଲେ ତ ? ‘‘ମନ୍ତ୍ରୀଙ୍କର ଏ ପଦକ ଗୋଟିଏ ଭାରି ରହସ୍ୟ କଥା । ପ୍ରତିଦିନ କଥା ପ୍ରସଙ୍ଗରେ ଅନ୍ତତଃ ଥରେ ହେଲେ କହନ୍ତି । ପୂର୍ବରୁ ଯେତେ କହିଥିଲେ ବି ଏ ପଦକ କହିଲା ବେଳେ ମନ୍ତ୍ରୀ ଖୁବ୍‌ ହସନ୍ତି । ତେଣୁ ଶୁଣିବା ବାଲାଙ୍କର ହସିବା ଆବଶ୍ୟକ ହୁଏ ।

 

ମନ୍ତ୍ରୀ ହସି ସାରି ପୁଣି ଆରମ୍ଭ କଲେ, ‘‘ମୋର ମୂଳରୁ ଏ ମନ୍ତ୍ରୀତ୍ଵ ପାଇଁ କେବେହେଲେ ଆଗ୍ରହ ନ ଥିଲା । ଅବସ୍ଥା ଚକ୍ରରେ ଆସି ଯେତେବେଳେ ଏଥିରେ ପଡ଼ିଛି, ବର୍ତ୍ତମାନ ଛାଡ଼ିଦେଲେ ସବୁ ବିଭ୍ରାଟ ହୋଇଯିବ । ଏ ଘରଟା ଭଲ ବୋଲି ନୁହେଁ, ମନ୍ତ୍ରୀତ୍ଵ ଛାଡ଼ିଲେ ମଟରଟା ବଜ୍ରଲେପ ହୋଇଯିବ ବୋଲି ନୁହେଁ, ଆପଣମାନଙ୍କ ସଙ୍ଗେ ଯେଉଁ ଆନ୍ତରିକତା ହୋଇଯାଇଛି, ତାହା ମୋତେ ଟାଣି ରଖୁଛି । ‘ଆନ୍ତରିକତା’ ଏହି ଶବ୍ଦଟା ଉଚ୍ଚାରଣ କରିବା ସଙ୍ଗେ ସଙ୍ଗେ ମନ୍ତ୍ରୀଙ୍କର ଆଖି ଛଳ ଛଳ ହୋଇଗଲା ।

 

କିଛି ସମୟରେ ନିଜକୁ ସମ୍ବରଣ କରି ସେ ଶ୍ରୋତାମାନଙ୍କର ଆଖିକୁ ଅନୁସରଣ କରି ଘଣ୍ଟାକୁ ଚାହିଁଲେ । ସେତେବେଳକୁ ରାତି ପ୍ରାୟ ଦଶଟା । ଯେଉଁ ଜରୁର କାମ ପାଇଁ ସେ ଏତେଗୁଡ଼ିଏ ଅଫିସରଙ୍କୁ ଡକାଇଥିଲେ ତାହା ମନେ ପଡ଼ିଯିବାରୁ ମନ୍ତ୍ରୀ–ମହାଶୟ କହିଲେ, ‘‘ବଡ଼ ଦୁଖର କଥା, ବହୁତ ଡେରି ହୋଇ ଗଲାଣି । ମୁଁ ଆଜି ଆପଣମାନଙ୍କୁ ଗୋଟାଏ ବଡ଼ ଜରୁରୀ କାମରେ ଡକାଇଛି । ଏତିକି କହି ସେ ପୁଣି ଘଣ୍ଟି ଦେଲେ । ଚପରାସୀ ଆସିବାରୁ ତାକୁ ଅର୍ଡର ଦେଲେ, କପେ କପେ ଚା’ ଦେବାକୁ । ଜଣେ ଅଫିସର ଆପତ୍ତି କଲେ, ବହୁତ ଚା’ ହୋଇଗଲାଣି, ଆଉ ପିଇଲେ ରାତିରେ ଭାତ ଖାଇ ହେବନାହିଁ । ଆଉ ଜଣେ ପ୍ରତିବାଦ କଲେ ‘‘ଭାତ ପୁଞ୍ଜିଏ ଖାଇବା ଲୋଭରେ ଆଲୋଚନାର ରୀତି ଭାଙ୍ଗିବା ଠିକ ନୁହେଁ । ଦିଲ୍ଲୀରେ ଦେଖିନାହଁ, ଆଲୋଚନାର ପ୍ରତିପଦରେ ସୋଡ଼କେ ଲେଖାଏଁ ଭଜା ଚିନାବାଦାମ ମଞ୍ଜି ପାଟିରେ ପକାଇବାକୁ ହୁଏ, ଓ ତହିଁ ସଙ୍ଗେ କଳେ ସିଗ୍ରେଟ ଟଣାଯାଏ ! ତମେ କାହିଁକି ଏ ଗୁଡ଼ାକ ଜାଣିବ ? ତମର ତ ହରଦମ୍‌ ପାନ ଚୋବା ଚାଲିଚି ।’’ ସମସ୍ତେ ହସିଲେ । ମନ୍ତ୍ରୀ ହସି ହସି ଆରମ୍ଭ କଲେ, ‘‘ମୁଁ ଆଜି ଆପଣମାନଙ୍କୁ ଗୋଟିଏ ବଡ଼ ଜରୁରୀ କାର୍ଯ୍ୟରେ ଡକାଇଛନ୍ତି । ଆମେ ଦ୍ଵିତୀୟ ପଞ୍ଚବାର୍ଷିକ ଯୋଜନା ପାଇଁ ୧୨୦ କୋଟି ଟଙ୍କାର ପରିକଳ୍ପନା ଦେଇଥିଲେ । ଭାରତ ସରକାର ତାଙ୍କୁ କାଟି ୯୭ କୋଟି କରି ଦେଉଛନ୍ତି । ଯୋଜନା କମିଶନର ରିସର୍ଚ୍ଚ ଆସିଷ୍ଟାଣ୍ଟ ବୋଲି ଯେଉଁ ଲୋକ ଡାହାଳ କୁକୁର ପଞ୍ଝା ଅଛନ୍ତି ସେମାନେ ଆମ ଯୋଜନାରୁ ଆଉ ପୁଳାଏ ଛିଣ୍ଡାଇ ନେଇ ଯାଇଥାନ୍ତେ-। ମୁଁ ସେମାନଙ୍କୁ କଥାର ଜାଲରେ ବାନ୍ଧି ଦେଲି, ତେଣୁ ସେମାନେ ଆମକୁ ଏତକ ଦେଲେ-।’’

 

ଜଣେ ସେକ୍ରେଟାରୀ ପଚାରିଲେ, ‘‘ଆଜ୍ଞା ! ବଙ୍ଗଳା ଓ ବମ୍ବେଇର ଯୋଜନାରେ ତ ଏପରି କାଟ କସୋର ହୋଇନାହିଁ ।’’

 

ମନ୍ତ୍ରୀ ଟିକିଏ ଇତସ୍ତତଃ ହୋଇ ସାମାନ୍ୟ ଭ୍ରୂକୁଞ୍ଚିତ କରି କହିଲେ, ‘‘ସେ ଦୁଇ ପ୍ରଦେଶ କଥା କହନାହିଁ । ବଙ୍ଗଳାର ମୁଖ୍ୟମନ୍ତ୍ରୀ ତ ଏ ରିସର୍ଚ୍ଚ ଆସିଷ୍ଟାଣ୍ଟ୍‌ମାନଙ୍କ ସଙ୍ଗେ ଏକାବେଳକେ ଆଲୋଚନା କରନ୍ତି ନାହିଁ । ଜଣେ ଦିନେ ତାଙ୍କୁ ଗୋଟାଏ କ’ଣ ପ୍ରଶ୍ନ ପଚାରିଦେଲା । ତାକୁ କୌଣସି ଉତ୍ତର ନଦେଇ ବଙ୍ଗ ମୁଖ୍ୟମନ୍ତ୍ରୀ ଯୋଜନା କମିଶନ୍‌ର ମୁଖ୍ୟଙ୍କୁ କହିଲେ, ‘‘ଆପଣ ଯଦି ଇଚ୍ଛା କରନ୍ତି ଯେ, କଲେଜ ଛାତ୍ରମାନେ ଆମ ଯୋଜନାର ଭାଗ୍ୟ ନିର୍ଣ୍ଣୟ କରିବେ, ତେବେ ମୋର ଏଠାରେ କିଛି ଆଲୋଚନା କରିବାର ନାହିଁ । ଆମ ରାଜ୍ୟର ଅଫିସରମାନେ ବହୁ ପରିଶ୍ରମ କରି ଏ ଯୋଜନା ତିଆରି କରିଛନ୍ତି । ଆମ୍ଭେମାନେ ଖୁବ୍‌ ତନ୍ନ ତନ୍ନ କରି ୟାକୁ ଦେଖିଛୁଁ । ଆମ ରାଜ୍ୟ ପାଇଁ ଏ ଯୋଜନା ପ୍ରୟୋଜନ ବୋଲି ବୁଝିଛୁଁ । ବର୍ତ୍ତମାନ ଏକମାତ୍ର ପ୍ରଶ୍ନ, ଆପଣମାନେ ପ୍ରୟୋଜନ ହେଉଥିବା ଟଙ୍କା ଦେବେ କି ନାହିଁ । ଯଦି ନ ଦେବେ ତେବେ ମୁଁ ରାଜ୍ୟର ଭାର ମୁଣ୍ଡାଇ ପାରିବି ନାହିଁ । ଆପଣଙ୍କ ଇଚ୍ଛା ଅନୁସାରେ ଯଦି ଯୋଜନା ଭାରତ ସରକାର ବଙ୍ଗ ଦେଶରେ ଚଳାଇବାକୁ ଚାହାନ୍ତି ତେବେ ସେଠାର ମନ୍ତ୍ରୀମଣ୍ଡଳ ଭାଙ୍ଗି ଆପଣଙ୍କ ଏ ଦିଗ୍‌ରାଜମାନଙ୍କୁ ନେଇ ଯୋଜନା ଚଳାନ୍ତୁ ।’’

 

ଅଫିସରମାନଙ୍କ ମୁହଁ ପ୍ରସନ୍ନ ହୋଇଗଲା । ଜଣେ ବାହାରି କହିଲେ, ‘‘ବଙ୍ଗଳାର ମୁଖ୍ୟମନ୍ତ୍ରୀ ! ଜଣେ ଦଣ୍ଠା ଲୋକ ।’’

 

ମନ୍ତ୍ରୀ କହିଲେ, ‘‘ଖାଲି ଏଇପରି ଦଣ୍ଠା ବୋଲାଇଲେ ପଳ କ’ଣ ? ଆମେ ଯେଉଁ ଯୋଜନା କରିଥାଇଁ ତାକୁ କାଗଜପତ୍ର ଧରି ରୁଝାଇଦେବା ଉଚିତ । ବନ୍ୟା ବିଷୟ ଯେତେବେଳେ ପଡ଼ିଲା, ମୁଁ ୧୮୫୫ ଖ୍ରୀଷ୍ଟାବ୍ଦଠାରୁ ଇତିହାସ ଯେତେବେଳେ କହିବାକୁ ଆରମ୍ଭ କଲି, ସମସ୍ତେ ତୁନୀ ହୋଇଗଲେ । ଯୋଜନାର ଟଙ୍କା କାଟି ଦେଲେ ବୋଲି କ’ଣ ହେଲା ? ଆମେ ଯଦି ଏ ଟଙ୍କା ଖର୍ଚ୍ଚ କରି ପାରିବା, ତେବେ କ’ଣ ତୃତୀୟ ପଞ୍ଚବାର୍ଷିକ ଯୋଜନା ନାହିଁ ?’’

 

ଆଉ ଜଣେ ଅଫିସର କୁତୁହଳୀ ହୋଇ ପଚାରିଲେ, ‘‘ଆଜ୍ଞା ! ବମ୍ବେ ମୁଖ୍ୟମନ୍ତ୍ରୀ ତାଙ୍କ ଯୋଜନା କିପରି ପାସ କରାଇଲେ ?’’

 

ମନ୍ତ୍ରୀ କହିଲେ, ‘‘ତାଙ୍କ ରୀତି ମଧ୍ୟ ମୁଁ ପସନ୍ଦ କରେ ନାହିଁ । ତାଙ୍କୁ ତ ଯୋଜନା କମିସନ ମୁଖ୍ୟଙ୍କର ବି ମହା ଭୟ । ପୂର୍ବକାଳର ପଲଟିକେଲ୍‌ ଏଜେଣ୍ଟଙ୍କ ପରି ମୁହଁ କରି ସେ ସଭାରେ ବସନ୍ତି । ପ୍ରଶ୍ନଟିଏ ପଚାରିଲେ ପଦଟିଏ ଉତ୍ତର ଦିଅନ୍ତି । ତାକୁ ଯେଉଁ ପ୍ରଶ୍ନ ସୁଖ ନଲାଗେ ତା’ର ଏପରି କଡ଼ା ଜବାବ ଦିଅନ୍ତି ଯେ, ସମସ୍ତେ ଚୁପ୍‌ । ଥରେ ଜଣେ ଭାରତ ସରକାରଙ୍କ ବଡ଼ ପାହିଆ ଅଫିସର ପଚାରିଲେ, ‘‘ଆପଣଙ୍କ ରାଜ୍ୟରେ ଶତକଡ଼ା କେତେ ଲୋକ ବେକାର ଅଛନ୍ତି, ଓ କେତେ ଲୋକ ନିଜ ଯୋଗ୍ୟତା ଅନୁପାତରେ ଅଳ୍ପ ଦରମା ପାଉଛନ୍ତି ?’’ ବମ୍ବେର ମୁଖ୍ୟମନ୍ତ୍ରୀ ନାଲି ଆଖିରେ ଅଫିସରଙ୍କ ଆଡ଼କୁ ଚାହିଁଲେ ଓ କହିଲେ, ‘‘ଆପଣ ନିଜ ଯୋଗ୍ୟତାକୁ ଚାହିଁ ଦରମା କମ୍‌ ପାଉଛନ୍ତି ନା ବେଶୀ ପାଉଛନ୍ତି ଆଗ ଠିକଣା କରନ୍ତୁ । ଅସଲ କାମଟା କ’ଣ ତାହା ନବୁଝି, ଏପରି ଚକୁଳିର ବିନ୍ଧ ଗଣିବାକୁ ମୁଁ ପସନ୍ଦ କରୁନାହିଁ । ମୋର ବିଶ୍ଵାସ, ଯୋଜନା କମିସନ୍‌ରେ ପ୍ରୟୋଜନକୁ ଚାହିଁ ବେଶୀ ଲୋକ ଅଛନ୍ତି ।’’ ସମସ୍ତେ ତୁନୀ ହୋଇଗଲେ ଓ ତାଙ୍କ ଯୋଜନାଟି ପାସ୍‌ ହୋଇଗଲା ।’’

 

କିଛି କ୍ଷଣ ତୁନୀ ରହି ମନ୍ତ୍ରୀ କହିଲେ, ‘‘ୟା କିନ୍ତୁ ମୁଁ ପସନ୍ଦ କରେନାହିଁ । ସେମାନେ ଉପର ହାତରେ ଦେବେ ଓ ଆମେ ତଳ ହାତରେ ନେବା । ଆମେ ଔଦ୍ଧତ୍ୟ ଦେଖାଇଲେ ଚଳିବ କିପରି ? ମୁଁ ତ ଅଫିସ ଚପରାସିଙ୍କୁ ମଧ୍ୟ ପାରିଲେ ଟଙ୍କେ ମସେ ମିଠେଇଖିଆ ଦିଏ ।’’

 

ବହୁତ ବିଳମ୍ବ ହୋଇଯାଇଥିବାରୁ ଅଫିସରମାନେ ବଡ଼ ଚଞ୍ଚଳ ହୋଇଯାଇଥାନ୍ତି । ଟିକିଏ ତାକତ୍‌ ଥିବା ଦୁଇ ତିନିଜଣ ଅଫିସର କିଛି ନକହି ଇତିମଧ୍ୟରେ ଘରକୁ ଯାଇସାରିଥାନ୍ତି । ମନ୍ତ୍ରୀ ମହାଶୟଙ୍କର କିନ୍ତୁ ତରତର ହେବାର କୌଣସି ଲକ୍ଷଣ ଦେଖାଯାଉନଥାଏ ।

 

ଏ ମନ୍ତ୍ରୀଙ୍କ ବିଭାଗରୁ ଅନ୍ୟତ୍ର ଚାଲିଯିବାକୁ ଅର୍ଡ଼ର ପାଇଥିବା ଜଣେ ଅଫିସର ଏତିକିବେଳେ କହିଲେ, ‘‘ଆଜ୍ଞା ! ଯେଉଁ ଜରୁରୀ କଥା ପାଇଁ ଡାକିଥିଲେ ତାହା କାଲି ପକାଇଲେ ହୁଅନ୍ତା ନାହିଁ ?’’ ଅନ୍ୟମାନେ ମୁରୁକି ହସିଲେ ।

 

ମନ୍ତ୍ରୀ କହିଲେ, ‘‘ନା, ନା, ସବୁଦିନ ଏପରି ଯଦି ଆଲେଚନା କରିବା ତେବେ ଆଉ କାମ କରିବା କେତେବେଳେ ? ଆଜି ଏ ସଭା ଯୋଗୁଁ ମୁଁ କିଛି କରିପାରିଲି ନାହିଁ । ଆପଣମାନଙ୍କୁ ଏତେ ଭିଡ଼ ପଡ଼ୁ ନଥିବ । ଆପଣଙ୍କର ସମସ୍ତଙ୍କ ଫାଇଲ୍‌ ଆସି ପରା ମୋରି ପାଖରେ ଜମା ହେଉଛି । ପାଞ୍ଚ ଜନ୍‌କା ଲାଠି ଏକ ଜନ୍‌କୁ ବୋଝ ।’’

 

ଅଫିସରମାନେ କୁହାକୁହି ହୁଅନ୍ତି, ମନ୍ତ୍ରୀଙ୍କ ପାଖକୁ ଯେଉଁ ଫାଇଲ୍ ଗଲା, ସେ ଗଲା । ତେଣୁ ସମାନେ ପଚାଶକେ ଶହକେ ଖଣ୍ଡ ମାତ୍ର ମନ୍ତ୍ରୀଙ୍କୁ ଦିଅନ୍ତି । ତେଣୁ ବେଳେବେଳେ ମନ୍ତ୍ରୀ ଦୁଃଖ କରନ୍ତି ଯେ, ତାଙ୍କ ଅଜାଣତରେ ଅନେକ କଥା ହୋଇଯାଉଛି । ଆଜି ଅନ୍ୟ ମୁହଁରେ କଥା ଶୁଣି ସେମାନଙ୍କ ଭିତରୁ କେହି କେହି ବିଚାରିଲେ, ‘‘ୟାଙ୍କ କଥାକୁ ରକେର୍ଡ କରି ରଖା ହୋଇପାରନ୍ତା କି ?’’ ଅନ୍ୟ କେହି ବିଚାଚିଲେ, ‘‘ଫାଇଲ୍‌ମାନଙ୍କର ତାରିକ ଦେଖିଲେ ଜଣାପଡ଼ନ୍ତା ଯେ, ମହାତ୍ମାଙ୍କ ପାଖକୁ ହାରାହାରି ପାଞ୍ଚଖଣ୍ଡ ମଧ୍ୟ ଫାଇଲ୍‌ ଆସୁ ନଥିବ ! କଥାର ବାଗକୁ ଦେଖ-।’’

 

ଅଫିସରମାନଙ୍କ ମନ ଭିତର କଥା ଚେଷ୍ଟା କଲେ ସିନା ମନ୍ତ୍ରୀ ଜାଣନ୍ତେ । ନିଜ ମନକୁ ତ ଜାଣୁ ଜାଣୁ ମନ୍ତ୍ରୀଙ୍କୁ ସମୟ ନଅଣ୍ଟ । ଭାଗ୍ୟକୁ ତାଙ୍କ ମନେ ପଡ଼ିଗଲା, ଯେଉଁ ଜରୁର୍‌ କଥାଟା ସେ କହିବାକୁ ବାହାରିଥିଲେ । ସେ ନିଦରୁ ଉଠିଲା ପରି ଚଉକିରୁ ଉଠି ଠିଆ ହୋଇ ପଡ଼ିଲେ । ଅଫିସରମାନେ ଛୁଟି ପାଇଲେ ବୋଲି ଆନନ୍ଦରେ ଆସନ ଛାଡ଼ିଲେ । ମନ୍ତ୍ରୀ ଆରମ୍ଭ କଲେ, ‘‘ଆପଣମାନଙ୍କୁ ଯେଉଁ କାର୍ଯ୍ୟରେ ଡକାଇଥିଲି ତାହା କହି ପାରିନାହିଁ । ନାନା ଚିନ୍ତାରେ ମୋ ମୁଣ୍ଡ ଏପରି ଘାରି ହେଲାଣି ଯେ, ମୋର ଆଉ ସମୟ ଜ୍ଞାନ ରହୁନାହିଁ । ମୁଁ ଆଜି ଆପଣମାନଙ୍କୁ ଡକାଇ ଏଇ କଥା ଜଣାଇଦେବାକୁ ଚାହେଁ, ଯୋଜନା କମିସନ୍‌ କହୁଛନ୍ତି ଯେ, ଆମ ଓଡ଼ିଶାରେ ଯୋଜନା ଆଗେଇ ପାରୁନାହିଁ । ପ୍ରଥମ ପଞ୍ଚବାର୍ଷିକ ଯୋଜନାରେ ଆମେ ଟଙ୍କା ଖର୍ଚ୍ଚ କରି ନପାରିବାରୁ ଆମର ଦ୍ୱିତୀୟ ପାଞ୍ଚ ବର୍ଷର ଟଙ୍କା କମିଗଲା । ଆପଣମାନେ ଟିକିଏ ଯୋଜନାକୁ କାର୍ଯ୍ୟକାରୀ କରିବାରେ ଲାଗିଯାନ୍ତୁ ।’’

 

ଗେଟ୍‌ ପର୍ଯ୍ୟନ୍ତ ଆସି ପୁଣି ସେଠାରେ ମନ୍ତ୍ରୀ କହିଲେ, ‘‘ଆଜି ଯାହା ସବୁ ପଡ଼ିଲା,ସେ ସବୁ ଯେପରି ବାହାରେ ଚର୍ଚ୍ଚା ନ ହୁଏ ।’’

 

ଅଫିସରମାନେ ନିଜ ନିଜ ମଟରକୁ ଯାଉ ଯାଉ କୁହାକୁହି ହେଲେ,‘‘ ଭଦ୍ରଲୋକଟି କି ଗୋପନ କଥା କହିଲେ ଯେ, କଥା ଫିଟିଯିବ ବୋଲି ଡରୁଛନ୍ତି ।

 

ମନ୍ତ୍ରୀ ଯାଇ ଫାଇଲ କାମରେ ବସିଲେ । ଅଫିସରମାନେ ସାନ୍ଧ୍ୟ କର୍ମର ତାଡ଼ନାରେ ଘରକୁ ଜୋରରେ ମଟର ଚଳାଇଲେ । ଦେବୀ ଦୁଇଜଣ ପୁଣି କାଠଯୋଡ଼ି କୂଳରେ ଯାଇ ପହଞ୍ଚିଲେ । ଭୈରବୀ କହିଲେ, ‘‘ଆଗକୁ କ’ଣ ଅଛି କେଜାଣି ? ମୂଳରୁ ତ ଦୁଇ ଘଣ୍ଟା ଠିଆ ଦଣ୍ଡ ପଡ଼ିଗଲା । ଦୁର୍ଗା କହିଲେ, ‘‘ଦି’ଟା ଘଣ୍ଟା ତୁନିଟି ଠିଆ ହୋଇ ତୁମକୁ ଏତେ କଷ୍ଟ ହେଉଛି, ଯେ ଦିନ ବାରଟାଠାରୁ ଅନର୍ଗଳ ଗପୁଛି, ମଝିରେ ମଝିରେ ଏତେ ବ୍ୟସ୍ତ ହୋଇ କାଗଜ ଦରଣ୍ଡାଦରଣ୍ଡି କରୁଛି, ଚାକରବାକରଙ୍କ ଉପରେ ଏତେ ହାଉ ହାଉ ହେଉଛି, ସେ ବିଚରାକୁ କେଡ଼େ କଷ୍ଟ ନହେଉଥିବ ? ପୁଣି ଯେଉଁମାନେ ଅନିଚ୍ଛା ସତ୍ତ୍ୱେ ଏତେଗୁଡ଼ାଏ ବେଳ ବସି ତୁଚ୍ଛା କଥା ଶୁଣୁଛନ୍ତି ତାଙ୍କୁ କେଡ଼େ ଖରାପ ଲାଗୁ ନ ଥିବ ? ନିଜର ସୁବିଧା ଅସୁବିଧାକୁ ଅମେ ଯଦି ଏତେ ନଜର ଦେବା ତେବେ ସଂସାର ଚଳିବ ?’’

 

ଭୈରବୀ ଆପତ୍ତି କଲେ, ତମକୁ ସିନା ତାଙ୍କୁ କଷ୍ଟ ଦିଶୁଛି, ସେ କ’ଣ ୟାକୁ କଷ୍ଟ ବୋଲି ମନେ କରୁଛନ୍ତି ? ନିଜ ମନକୁ ଘେନି ସିନା କଷ୍ଟ, ନୋଇଲେ ସୁଖ; ମନ୍ତ୍ରୀ ତ ବିଚାରୁଥିବେ ଇମିତି ଦିନ କଟାଇବାଟା ହେଉଛି ମନ୍ତ୍ରୀପଣିଆ । ଅଫିସରମାନେ ତ ଚାକିରି କରୁଛନ୍ତି ବୋଲି ମନ୍ତ୍ରୀଙ୍କ ମୁହଁକୁ ଚାହିଁ ରହିବା ନିଜ କର୍ତ୍ତବ୍ୟ ବୋଲି ମନେ କରୁଥିବେ । ନିଜ ଲୋକ ଯାହାକୁ କର୍ତ୍ତବ୍ୟ ବୋଲି ମନେ କରିବ, ତା’ କରିବାରେ ନିସତ ହେବ କାହିଁକି ? ଆମେ ଅନର୍ଥକ ଠିଆ ହେଲେ ବୋଲି ସିନା-!’’

 

ଦୁର୍ଗା–ମୁଁ ସମୟତକ ଅନର୍ଥକ ଗଲା ବୋଲି ମନେ କରୁନାହିଁ । ଆଜି ମନ୍ତ୍ରୀଙ୍କ ଏ ସଭା ଓ ମସୁଧା ଦେଖି ଶୁଣି ଏ ରାଜ୍ୟର ଶାସନ କେଉଁଠି ଅଟକୁଛି ବୁଝିଲି । ଅଫିସରମାନେ ଯୋଗ୍ୟତା ଯୋଗୁଁ ନିଯୁକ୍ତ ହୋଇଛନ୍ତି । ମନ୍ତ୍ରୀ ବଛା ହୋଇଛନ୍ତି ନିଜର ଲୋକପ୍ରିୟତା ଯୋଗୁଁ । ୟେ ଲୋକଙ୍କ ସୁଖ ସୁବିଧାକୁ ଚାହିଁ କ’ଣ କରିବାକୁ ହେବ ସେ ବିଷୟରେ ନିର୍ଦ୍ଦେଶ ଦିଅନ୍ତେ, ସେ ନିଜ ଅଭିଜ୍ଞତା ଓ କୌଶଳ ଖଟାଇ ତଦନୁସାରେ କାର୍ଯ୍ୟ କରନ୍ତେ । ତା’ ନକରି ଅଫିସରଙ୍କୁ ବସାଇ ବକ୍ତୃତା ଶୁଣାଇବା ଫଳରେ ଦରମାରେ କେତେ ପଇସା ଯାଉଛି ? ବରଂ ସାଧାରଣ ଲୋକଙ୍କୁ ଏ ବକ୍ତୃତା ଶୁଣାଇଲେ, ଶସ୍ତା ପଡ଼ନ୍ତା, ନିର୍ବାଚନ ବେଳେ ବି କାମ ଦିଅନ୍ତା ।

 

ଭୈରବୀ ବହିଲେ, ‘‘ମା’, ତମେ ଯେଉଁ କଥା କହ ! ୟାଙ୍କର ପରା ଇମିତି ଗପିବା ସ୍ଵଭାବ ହୋଇଗଲାଣି । ଯାହାର ଯିମିତି ସ୍ଵଭାବ ହୋଇଗଲାଣି, ସେ ବଦଳିବ କିମିତି ?’’

 

ଦୁର୍ଗା–ସ୍ଵଭାବ ଯଦି ବଦଳାଇ ନ ପାରିବ ତେବେ ଏମିତି କାର୍ଯ୍ୟରେ ହାତ ଦେବ କାହିଁକି-? ଅନର୍ଥକ ଗପିବା ଲୋକ ରାଜ୍ୟଶାସନ କରିବ କିମିତି ? ଗପିବା ଲୋକ ତ ଆକାଶ କଇଁଆ ଚିଲିକା ମାଛ ଏକାଠି କରିବ ‘ଏସା କରେଙ୍ଗେ ତେଷା କରେଙ୍ଗେ’ ବୋଲି ପ୍ରୌଢ଼ି ଦେଖାଉଥିବ, ନଗଦ କାମଟା ହେବ କିପରି ? ଦେଖିଲ ନାହିଁ, କାଠଯୋଡ଼ିରେ, ୨୬ ଫୁଟ ପାଣି ପଡ଼ିଲାଣି, କୂଳରେ ବସି ଏମାନେ ଆର ପାଞ୍ଚ ବର୍ଷରେ କ’ଣ କରିବେ ସେ କଥା ଘଣ୍ଟା ଘଣ୍ଟା ଧରି ଗପୁଛନ୍ତି-

 

ଭୈରବୀ–ଏଇଲେ ପରା କହିଲ, ମନ୍ତ୍ରୀ ଖାଲି ନିର୍ଦ୍ଦେଶ ଦେବେ । ସିମିତି, ପଞ୍ଝେ ଅଫିସର ନିର୍ଦ୍ଦେଶ ଶୁଣିବେ, ଆଉ ପଞ୍ଝେ କାର୍ଯ୍ୟ କରିବେ । ବଢ଼ି କଥା ସମ୍ବାଳିବାକୁ ୟାଙ୍କର ଆଉ ଲୋକ ଥିବେ ନା ! ବଢ଼ି ହେଲେ ସମ୍ଭାଳିବା ଜିଲ୍ଲା ମେଜେଷ୍ଟରଙ୍କ କାମ ପରା !

 

ଦୁର୍ଗା ହୁଁ ବୋଲି କହି, ଜିଲ୍ଲା ମେଜେଷ୍ଟରଙ୍କ କୋଠି ଆଡ଼େ ପାଦ ଚଳାଇଲେ । ତାଙ୍କ କୋଠି ପାଇବା କଷ୍ଟ ହେଲାନାହିଁ, କିନ୍ତୁ ସେଠାରେ ସାହେବ ନ ଥିଲେ । ତାଙ୍କ ପରିଜନଠାରୁ ଖବର ମିଳିଲା ସେ ଏଗାରଟା ପୂର୍ବରୁ ‘କଲବ’ ରୁ ଫେରନ୍ତି ନାହିଁ । ବାଧ୍ୟ ହୋଇ ଦେବୀ ଦୁହିଁଙ୍କୁ କ୍ଳବ୍‌କୁ ଯିବାକୁ ପଡ଼ିଲା । ଅଦୃଶ୍ୟ ଥିବାରୁ ସେମାନେ ସେଠାର ଘଟଣା ଭଲ କରି ଦେଖିପାରିଲେ ।

☆☆☆

 

ହାକିମଙ୍କ ଘର ଓ ବାହାର

 

ପ୍ରଥମେ ଦୁହିଁଙ୍କର ଆଖି ପଡ଼ିଲା କ୍ଲବ୍‌ ପାଖ ପଡ଼ିଆରେ ଦୁଇଟା ବଡ଼ି ଆଲୁଅ ଉପରେ–ଦୁଇଜଣ ବାବୁ ପଡ଼ିଆର ସିମେଣ୍ଟ ବେଦୀର ଦୁଇପାଖରେ ରହି ଗୋଟାଏ ପେଣ୍ଡୁକୁ ଏପାଖକୁ ସେପାଖକୁ ବାଡ଼ୋଉଥାନ୍ତି । ବେଳେ ବେଳେ ପେଣ୍ଡୁ ତଳୁ ଗୋଟାଇ ଆଣି ପୁଣି ଆଉ ଥରେ ବାଡ଼ିଆବାଡ଼େଇ ଆରମ୍ଭ କରୁଥାନ୍ତି । ପେଣ୍ଡୁ ଦୂରରେ ପଡ଼ିଲେ ତାହା ଗୋଟାଇ ଆଣି ଦେବାକୁ ମଣିଷ ଦି’ ଜଣ ବି ପାଖେ ଠିଆ ହୋଇଥାନ୍ତି । ଦୁର୍ଗା ବା ଭୈରବୀ ଏ ଖେଳ ହେଖିବେ କୁଆଡ଼ୁ ! ସ୍ଵର୍ଗରେ ତ ଏ ଖେଳ ହୁଏନାହିଁ । ମର୍ତ୍ତରେ ଯେଉଁମାନେ ଦେବୀଙ୍କୁ ଆଦର କରନ୍ତି ସେମାନେ ତ ଏ ଖେଳକୁ ଆଦର କରିବାର ଦେଖାଯାଏ ନାହିଁ । ନୂଆ ଖେଳ ଦେଖିବାରେ ଅଧିକ କୁତୁହଳୀ ହୋଇଥିବା ଭୈରବୀଙ୍କୁ କର୍ତ୍ତବ୍ୟ ଚେତାଇ, ଦେବୀ କ୍ଲବ୍‌ ଭିତରକୁ ଗଲେ । ରାତିର ପ୍ରଥମ ପ୍ରହର ଶେଷ ହୋଇଥିବାରୁ ଗହଳି ନଥାଏ । ଆଉ ମୋଟେ ଦୁଇ ତିନି ଜଣ ଦେଶୀ ସାହେବ ସାହେବାଣୀ ଓ ଗଣ୍ଡେ ଖଣ୍ଡେ ଚାକର ଏ ପାଖ ସେ ପାଖ ହେଉଥାନ୍ତି । ଜଣେ ଦେଶୀ ଟୋକା ସାହେବ ଗୋଟିଏ କୁଣରେ ଚଉକି ଲାଗି ହୋଇ ଆଖି ଜୁଳୁ ଜୁଳୁ କରି ପଡ଼ିଥାନ୍ତି । ତାଙ୍କ ପାଖରେ ଜଣେ ଚପରାସି ଠିଆ ହୋଇଥାଏ । ତା’ ମୁହଁରୁ ମନେ ହେଉଥିଲା, ସେ ବୋଧହୁଏ ସାହେବଙ୍କୁ ଘରକୁ ନେବାକୁ ମେମ୍‌ସାହେବଙ୍କଠାରୁ ଧମକ୍‌ ପାଇ ଆସି ଅପେକ୍ଷା କରୁଛି ।

 

ସାହେବ ଚଉକିରେ ଯଥା ସମ୍ଭବ ଡେରି ହୋଇ ବସି ଡାକିଲେ ‘‘ବେହେରା ! ଅଉର୍ ଦୋ’ ପେଗ୍‌ ଲାଓ ।’’ ବେହେରା ‘ହଜୁର’ ବୋଲି ଗର୍ଜନ କରି ହୁକୁମ୍ ତାମିଲ କରୁଛି, ଗୋଟାଏ ଟେବୁଲ ପାଖରେ ଗୋଟାଏ ଛୋଟ ଗୋଲିକୁ ବାଡ଼ି ଆଗରେ ଛୁଇଁବାକୁ ଚେଷ୍ଟା କରୁଥିବା ଜଣେ ସାହେବ ଚଉକି ପାଖକୁ ଆସି କହିଲେ, ‘‘କିଓ, ମାଜିଷ୍ଟ୍ରେଟ୍‌ ! ଚପରାସି କେତେବେଳୁ ଠିଆ ହୋଇ ରହିଲାଣି ? କୋଠିକୁ ଯାଅ । ଆଜି ଏକା ରାତିକେ ତ ତୁମେ ଦୁଇତିନି ରାତିର ପିଇ ସରିଲାଣି । ଆଜି ଆଉ ନ ପିଇଲେ ଚଳେ ।’’

 

ଚଉକିରେ ବସିଥିବା ସାହେବ ସମ୍ଭ୍ରମରେ ଉଠିପଡ଼ି କହିଲେ ‘‘ସାର୍‌ ! ମୁଁ ଆଦୌ ଅତିରିକ୍ତ ପାନ କରି ନାହିଁ ।

 

ବଡ଼ ସାହେବ ହସି ହସି କହିଲେ, ନା ନା, ମୁଁ ତ କହୁନାହିଁ ଯେ ତୁମେ ଯାହା ପିଇଛ ତାହା ତୁମକୁ ଅତିରିକ୍ତ ବୋଲି । ଆଚ୍ଛା ! ଆଉ ବଢ଼ିର ଖବର କ’ଣ ?

 

ସାନ ସାହେବ କୈଫିୟତ୍‌ ଦେଲା ପରି କହିଲେ, ମୁଁ ସେ ଭାର ଏ. ଡ଼ି.ଏମ୍.କୁ ଦେଇଦେଇଛି ।’’

 

ବଡ଼ ସାହେବ କହିଲେ, ‘‘ତାଙ୍କଠାରୁ ଖବର ରଖୁଥାଅ । ମୋର ବିଶ୍ଵାସ ହୀରାକୁଦ ବନ୍ଧ ଯୋଗୁଁ କଟକ ଉପରେ ବିପଦର ଆଶଙ୍କା ନାହିଁ ।’’

 

ସେ କଥାରେ କୌଣସି ସନ୍ଦେହ ନାହଁ ବୋଲି ସାନ ସାହେବ କହି ଚପରାସି ପଛେ ପଛେ ଘରକୁ ଫେରିଲେ ।

 

ଭୈରବୀ ପଚାରିଲେ, ‘‘ମା’ ! ଏଇ ବୋଧହୁଏ ଜିଲ୍ଲା ମେଜେଷ୍ଟର ।’’

 

ଦୁର୍ଗା ଈଷତ୍‌ ବିରକ୍ତ ହୋଇ କହିଲେ, ‘‘ଆଉ ବୋଧହୁଏ କାହିଁକି ! ଶୁଣିଲ ପରା, ଏ. ଡ଼ି. ଏମ୍. ଉପରେ ନଈବଢ଼ି ଲଦି ଦେଇ ଆପେ ଇଠେଇ ବସି ଭୋଳ । ମୋର ତ ୟାଙ୍କୁ ଦେଖି ପ୍ରଥମେ ସନ୍ଦେହ ହେଉଥିଲା, ବୋଧହୁଏ ଏ ଜଣେ କଲେଜଛାତ୍ର । ଏ ବୟସରେ ଦାୟିତ୍ଵ ଜ୍ଞାନ ଆସିବ କୁଆଡ଼ୁ ? ଅନ୍ତତଃ ପଞ୍ଚତିରିଶି ଚାଳିଶି ବର୍ଷ ନହେଲେ, ଲୋକଙ୍କୁ ଏଡ଼େ ବଡ଼ ପାହିଆ ଦିଆଯାଏ ?’’

 

ଭୈରବୀ–‘‘ମା, ତମେ ଜାଣି ନାହଁ ପରା ! ସ୍ଵରାଜ୍ୟ ହେଲା ପରେ ୟାଙ୍କଠାରୁ ସାନ ଟୋକା ବି ଜିଲ୍ଲା ମେଜେଷ୍ଟର କାମରେ ଅଛନ୍ତି । ସାହେବମାନେ ପରା ସମସ୍ତେ ଚାଲିଗଲେ ! ନୂଆ ଲୋକ ରଖା ହେଉଛନ୍ତି । ବର୍ଷେ ଦୁଇବର୍ଷ ଚାକିରି କରୁ କରୁ ତ ଜିଲ୍ଲା ମେଜେଷ୍ଟର ପାହିଆ ହୋଇଯାଉଛି !’’

 

ଦୁର୍ଗା–ହଁ ! ଜାଣିଛି । ତୁଚ୍ଛା ଅବୁଝାମଣା କଥା । ୟାଙ୍କ ଦେଶରେ କ’ଣ ପୁରୁଖା ଲୋକ ମିଳୁନାହାନ୍ତି । ମୁରବୀ ଭଳିଆ ଲୋକଙ୍କୁ ବାଛି ବଡ଼ ବଡ଼ ଜାଗାରେ ରଖିଲେ ସିନା ହୁଅନ୍ତା । କ’ଣ ନା ଇଂରେଜିରେ ଦସ୍ତଖତ କରି ନ ଜାଣିଲେ ଶାସନ ଚଳିବ ନାହିଁ । ଇଂରେଜି ଦସ୍ତଖତ ଯଦି ଶାସନ ଚଳେଇବ, ତେବେ ଇଂରେଜଙ୍କୁ ତଡ଼ିଲ କାହିଁକି ?.....ହଉ, ହଉ, ସେ ତ ପଛ କଥା । ଆଗ ଚାଲ ଦେଖିବା, ଏ ବଢ଼ି କଥା ବୁଝୁଛି କିଏ ?

 

ଦୁହେଁ ଏ.ଡ଼ି.ଏମ୍. ଙ୍କ ଘରକୁ ଗଲେ । ଏ.ଡ଼ି.ଏମ୍. ଟେଲିଫୋନ ଧରି ଟେଲିଫୋନକୁ ସଲାମ କରି ଅତି ବିନୀତ ସ୍ଵରରେ କହୁଛନ୍ତି, ‘‘ଆଜ୍ଞା କ୍ଷମା କରିବେ, ମୁଁ ଆପଣଙ୍କୁ ଏତେ ରାତିରେ କଷ୍ଟ ଦେଲି । ସାହେବ କ୍ଲବରୁ ଫେରିଲେ ଟିକିଏ କହିବେ ,କାଠଯୋଡ଼ିରେ ପାଣି ୨୬ ଫୁଟକୁ ବଳିବା ଉପରେ ।’’

 

ସେ ଆଡ଼କୁ କ’ଣ ପ୍ରଶ୍ନ ହେବାରୁ ଏ.ଡ଼ି.ଏମ୍‌. ପୁଣି କହିଲେ, ‘‘ନା, ଆଜ୍ଞା ! କୌଣସି ଭୟ ନାହିଁ । କଟକ ସହରକୁ ରକ୍ଷା କରିବାକୁ ଆମ୍ଭେମାନେ ପ୍ରାଣ ପଣେ ଯତ୍ନ କରୁଛୁ । ବାଲିବସ୍ତା ମହଜୁତ୍‌ ଅଛ; ସ୍ଵେଚ୍ଛାସେବକମାନେ ଖାଡ଼ାପହରା ଦେଉଛନ୍ତି । ରିଜର୍ଭ ପୁଲିସ୍‌ ମଧ୍ୟ ତିଆରି ରହିଛନ୍ତି । ବନ୍ଧ କୌଣସି ଜାଗାରେ ଟିକିଏ ଝରେଇଲେ ଆମେ ବନ୍ଧକୁ ସାଙ୍ଗେ ସାଙ୍ଗେ ବାଲି ଦେଇ ଧୁର୍ମସ୍‌ରେ ମଜବୁତ୍‌ କରିଦେବୁ । ମୋର କିନ୍ତୁ ଭୟ......’’

 

ଆର ପାଖୁ ତୁରନ୍ତ ପ୍ରଶ୍ନଟାଏ ଆସିବାରୁ ଏ.ଡ଼ି.ଏମ୍‌. ଆହୁରି ଜଡ଼ ସଡ଼ ହୋଇ କହିଲେ ‘‘ନା, ଆଜ୍ଞା ସେଥିରେ ବିଚଳିତ ହେବାର କୌଣସି କାରଣ ନାହିଁ । ମୋର ଭୟ କଟକକୁ ନୁହେଁ । ତଳେ ହୁଏତ କୌଣସିଠାରେ ଘାଇ ଭାଙ୍ଗିଯାଇପାରେ । ତାହା ଅବଶ୍ୟ ମୋର ଦାୟିତ୍ଵ ନୁହେଁ । ପୂର୍ତ୍ତ ବିଭାଗ ସେ ବିଷୟ ବୁଝିବାର କଥା । ବିଦାୟ ! ନମସ୍କାର ! ମୋତେ କ୍ଷମା କରିବେ ।’’

 

ସେତିକିବେଳେକୁ ଏ.ଡ଼ି.ଏମ୍‌. ଗୃହିଣୀ ସ୍ଵାମୀଙ୍କର ଲମ୍ବା ଟେଲିଫୋନ୍‌ ଶୁଣି ଆସି କୈଫିୟତ୍‌ ମାଗିଲେ, ‘‘କାହା ସଙ୍ଗେ ଏତେବେଳ କଥାବାର୍ତ୍ତା ହେଉଥିଲ ? କଥା ପଦକୁ ତ ଆଜ୍ଞା ପଦେ । ସେ କିଏ ମ ?’’

 

ଏ. ଡ଼ି.ଏମ୍. ଘରେ ଟିକିଏ ଗରମ ମେଜାଜ୍ ଦେଖାନ୍ତି । ତାଙ୍କ ସ୍ତ୍ରୀଙ୍କର ବିଶ୍ୱାସ ଯେ, ବାବୁ ସ୍ତ୍ରୀ ଜାତି ଉପରେ ଭାରି କଡ଼ା । ଆଊ ଜଣେ ସ୍ତ୍ରୀଙ୍କୁ ଯେ ସେ ଏତେ ଆଜ୍ଞା କରୁଥଲେ, ଏକଥା ଜଣାଇ ନଦେବା ସକାଶେ ଏ.ଡ଼ି.ଏମ୍. କହିଲେ, ‘‘ଓଃ ତୁମର ସେଥିରେ କ’ଣ ଅଛି ? ମୁଁ ସାହେବଙ୍କ ପାଖକୁ ଟେଲିଫୋନ୍ କରୁଥିଲ, ବଢ଼ି ବିଷୟରେ ।’’

 

ହାକିମାଣୀ କହିଲେ, ‘‘ମୁଁ କ’ଣ କହୁଛି କି ଆଉ କାହାକୁ ଟେଲିଫୋନ୍‌ କରୁଥିଲ ବୋଲି-? ସାହେବ ଆସିଲେ କହିବେ ବୋଲି କାହାକୁ କହୁଥିଲି ଯେ ?’’

 

ଏ ଡ଼ି. ଏମ. ଲାଜରେ କ୍ରୋଧର ଭାନ କରି କହିଲେ, ‘‘ଓଃ, ତୁମର ସେଥିରେ କ’ଣ ଅଛି-? ମତେ ଜେରା କରିବ ନା ପୁଞ୍ଜେ କ'ଣ ବାଢ଼ିଦେବ, ଖାଇଲେ ମୁଁ ବନ୍ଧ ଉପରକୁ ଯିବି ?’’

 

ଗୃହିଣୀ ଆପତ୍ତି କଲେ, ‘‘ବରାଦ ତ କରି ଦେଇ ଆସିଛ, ଯିବ କାହିଁକି ?’’

 

ଏ.ଡ଼ି.ଏମ୍‌.–ଯାଇ କରି ମୁଁ କ’ଣ ଖମ୍ବ ଖୁନ୍ଦିବି । ଟିକିଏ ବୁଲି ଆସିବାର କଥା । କେଜାଣି କାଲି କିଏ ଦୋଷ ଧରିବ, ରାତିରେ କାମ ତନଖି କରିଥିଲ କି ନାହିଁ ! ଆମ ଉପରେ ଦୋଷ ଲଦିବାକୁ ପରା ସମସ୍ତେ ଚାହିଁ ବସିଛନ୍ତି । ନିଉଛଣାଗୁଡ଼ାକ ରାତି ଅଧ ଯାଏଁ ମଦ ପିଇ ଖେଳିବେ, ଆପଣା ମୁଣ୍ଡରୁ ଦାୟିତ୍ଵ ଖସାଇ, ସକାଳୁ ହୋସ୍‌ ପାଇଲା ମାତ୍ରେ ଆମରି ଛିଙ୍କକୁ,–କୁ କାନ ନାକ ବଢ଼ାଇଥିବେ । ତୁମେ ଯଦି ଏଥିରୁ ଖାଳୋଇଏ ପିଲା ଜନ୍ମ ନକରି ଥାନ୍ତ, ତେବେ ମୁଁ ଆଉ ଦଣ୍ଡେ ଏ ଦହସତ୍‌ ସହନ୍ତି ନାହିଁ ।’’

 

ବାବୁ ରାଗିଲେ, ପିଲା ଜନ୍ମ କରିବାର ଷୋଳପଣ ଦାୟୁତ୍ଵ ଗୃହିଣୀଙ୍କୁ ଦିଅନ୍ତି । ଥରେ ଦି’ ଥର ସେ ପ୍ରତିବାଦ ଜଣାଇ ଫଳ ନହେବାରୁ ଆଜିକାଲି ନିର୍ବିବାଦରେ ସବୁ ଦୋଷ ମୁଣ୍ଡାଇଯାନ୍ତି । ବାବୁଙ୍କୁ ଶୀଘ୍ର ଖାଇବାକୁ ଦେବାର କର୍ତ୍ତବ୍ୟ ମନେ ପଡ଼ିବାରୁ ଗୃହିଣୀ ଭିତରକୁ ଚାଲିଗଲେ । ଏ. ଡ଼ି. ଏମ୍. ସାହେବ ପୁଣି ଟେଲିଫୋନ ଧରି ପୂର୍ତ୍ତବିଭାଗର ଏଗ୍‌ଜିକ୍ୟୁଟିଭ ଇଞ୍ଜିନିଅରଙ୍କୁ ଟେଲିଫୋନ କଲେ । ବହୁ ସମୟ ସମୟ ଘଣ୍ଟି ଦେବା ପରେ ଆର ପଟୁ କ’ଣ ଉତ୍ତର ପାଇ ଏ. ଡ଼ି. ଏମ୍ .ବିରକ୍ତିରେ ଟେଲିଫୋନ୍ ଥୋଇ ଦେଇ ଗାରୁ ମାରୁ ହୋଇ କହିଲେ, “ଏଇ ଲୋକଟା ବାସ୍ତବିକ୍ ଏ କାଳକୁ ଜିଣିଛି । କାମ ଉପରେ ୟାକୁ କେବେ ହେଲେ ଦେଖିନାହିଁ; ଖୁବ୍‌ ସମ୍ଭବ ରାତି ହେଲେ ଘରୁ ବାହାରୁ ନାହିଁ, କ’ଣ ନା ‘ବାବୁ’ ଘରେ ନାହାନ୍ତି । ପୂର୍ବ କାଳ ପରି ଯଦି କାମର ତତ୍‌ପିର ହେଉଥାନ୍ତା, ତେବେ ପୁଅ ଚାରିଦିନରେ ଧରା ପଡ଼ିଯାଆନ୍ତା ।’’

 

ସେତେବେଳେକୁ ଗୃହିଣୀ ଆଣି ଖାଇବାର ଟେବୁଲ୍‍ ଉପରେ ଥୋଇ ବାବୁଙ୍କ ଚଉକି ପଛରେ ଠିଆ ହୋଇଥିଲେ । ବାବୁଙ୍କ କଥା ଶୁଣି ସେ ପଚାରିଲେ, ‘‘ଘରେ ଥାଇ କରି କିମିତି ନାଇଁ ବୋଲି କୁହାଇ ଦେଉଚି ମ ? ସେ ବାବୁଟା କିଏ ?

 

ବାବୁ ଖାଇବାକୁ ଆରମ୍ଭ କରି କହିଲେ, ‘‘ତମର ସେଥିରେ କ’ଣ ଅଛି ? ତମେ ତ ଟେଲିଫୋନ୍‌ ଆସିବାର ଜାଣିଲେ ମତେ ଯାଇଁ ପାଇଖାନା ଦୁଆରେ ଡାକ ମାରି ଦେଇ ଆସିବ ।’’

 

ଖାଇ ସାରି ବାବୁ ମଟର ବାହାର କରି ନଈକୂଳକୁ ବାହାରିଲେ । ଭୈରବୀଙ୍କ ସଙ୍ଗେ ମହାଦେବୀ ମଧ୍ୟ ଗଲେ । ଏ.ଡ଼ି. ଏମ୍‌. ସାହେବ ମଟର ଭିତରୁ ୟାକୁ ପଦେ ତାକୁ ପଦେ କହି ଘରକୁ ଫେରିଲେ । ରାଜ୍ୟପାଳଙ୍କ କୋଠି ପାଖରୁ ଖାନନଗର ପର୍ଯ୍ୟନ୍ତ ବନ୍ଧରେ କୌଣସିଠାରେ କୌଣସି ଆଶଙ୍କାର କାରଣ ନାହିଁ ବୋଲି ଅଫିସରମାନେ ଦେଖଣାହାରୀଙ୍କୁ ଅଶ୍ଵାସନା ଦେଉଥାନ୍ତି; କିନ୍ତୁ ନିଜ ନିଜ ଭିତରେ କଥାବାର୍ତ୍ତା ହେଉଥାନ୍ତି, ଆଜି ରାତି ଭିତରେ ତଳେ ଯଦି ଘାଇ ଫାଇ ହୋଇଯାଏ ତେବେ ରକ୍ଷା, ନ ହେଲେ ପୁଣି ତ ପାଣି ଫୁଟେ ଖଣ୍ଡେ କାଲ ବଢ଼ିବାର ଅଟକଳ ହୋଇଛି ? କ’ଣ ହେବ କେଜାଣି ?

☆☆☆

 

ଆଲୁଅରେ ଅନ୍ଧାର

 

ରାତି ପ୍ରାୟ ଦଶଟାବେଳକୁ କାଠଯୋଡ଼ି କୂଳରେ ଲୋକ ପତଳା ପଡ଼ିଗଲେ । ବଢ଼ି ଯେଉଁମାନେ ଦେଖିବାକୁ ଆସିଥିଲେ ସେମାନେ ଆଖିକୁ ତୃପ୍ତ କରି, ଓ କଟକର କୌଣସି ବିପଦର ଆଶଙ୍କା ନାହିଁ ବୋଲି ହାକିମମାନଙ୍କଠାରୁ ଆଶ୍ଵାସନା ପାଇ ମନ ଖୁସିରେ ଘରକୁ ଫେରିଲେ, ଖାଇ ଶୋଇବାକୁ । କେତେଜଣ ପୁଲିସବାଲା ନଈକୂଳରେ ପହରା ଦେବାକୁ ,ଗୋଡ଼ରୁ କମର ପଟି ଫିଟାଇ ଜୋତା କାଢ଼ି ସୁବିଧା ଥାନ ଖୋଜି ଆସନ ଜମାଇଲେ । ଭୈରବୀ ପଚାରିଲେ, “ମା ! ଏଠଉଁ କୁଆଡ଼େ ଯିବ ?’’

 

ଦୁର୍ଗା ଈଷତ୍‌ ବିରକ୍ତିରେ କଲେ, "ଶେଷରେ ଯେଉଁଠିକୁ ଯିବାକୁ ପଡ଼ିବ ତାହା ମୁଁ ଘଡ଼ିଏ ଖଣ୍ଡେ ହେଲା ବିଚାରିଲିଣି । କିନ୍ତୁ ସେଠାକୁ ଯିବା ପୂର୍ବରୁ ଚାଲ ଭୁବନେଶ୍ଵରରେ ଘେରାଏ ମାରି ଦେଇ ଆସିବା । ସେଠାରେ ପରା ମୁଖ୍ୟମନ୍ତ୍ରୀ ରହୁଛନ୍ତି, ସର୍ବୋଚ୍ଚ ହାକିମ ରହୁଛନ୍ତି । ସେମାନେ ବୋଧହୁଏ ବର୍ତ୍ତମାନର ଗୁରୁତର ଅବସ୍ଥାର ପ୍ରତିକାର ପାଇଁ କିଛି କରୁଥିବେ ।’’

 

ମନର ବେଗରେ ଦୁହେଁ ଯାଇ ଭୁବନେଶ୍ଵର ନୂଆ ରାଜଧାନୀରେ ପହଞ୍ଚିଲେ । ଦେବଦେବ ଯେଉଁ ଦେଉଳିଆ ଘର କଥା କହିଥିଲେ ତା’ଉପରେ ନଜର ପଡ଼ିଲା , ସେଥିରେ ଓଁ ତା’ର ଚାରିପାଖ ସଡ଼କରେ ଜଳୁଥିବା ବଡ଼ ବଡ଼ ଆଲୁଅ ଯୋଗୁଁ । ସଡ଼କରେ ଲୋକବାକ କେହି ନଥାନ୍ତି, କିନ୍ତୁ ଆଲୁଅ ଏପରି ଟାଣ ଯେ ତଳେ ଛୁଞ୍ଚିଟାଏ ପଡ଼ିଥିଲେ ଦିଶିବ । ସେ ଘରର ପଶ୍ଚିମ ଆଡ଼କୁ ତା'ଠାରୁ ଆହୁରି ବଡ଼ ଗୋଟାଏ ଘରେ ଦୀପାବଳୀ ପରି ଆଲୁଅ ଜଳୁଥିବାର ଦେଖି ଭୈରବୀ କହିଲେ, ‘‘ମା’, ତୁମେ ଯାହା ଅନୁମାନ କରିଥିଲ ଠିକ୍ । କଟକରେ ସିନା ଚାକିରିଆମାନେ ମୁନିବଙ୍କଠାରୁ ଦୂରରେ ଅଛନ୍ତି ବୋଲି ଖେଳିଲା ପରି କାମ କରୁଛନ୍ତି, ଏଠାରେ ଦେଖ କିପରି ଅଷ୍ଟପ୍ରହରୀ କାମ ଚାଲିଛି। ଏଇ ବଡ଼ ଘରଟା ବୋଧହୁଏ ଦପ୍ତରଖାନା ହୋଇଥିବ ।’’

 

ଭୈରବୀଙ୍କ ସଙ୍ଗେ ଦୁର୍ଗା ସେଇ ଘରଆଡ଼କୁ ମୁହାଁଇଲେ । ମର୍ତ୍ତ୍ୟରେ କୌଣସି ସ୍ଥାନ ରୀତିରେ ଏତେ ଆଲୋକିତ ହୋଇଥିବାର ସେ ଦେଖିନଥିଲେ । ମୋଗଲଙ୍କ ବିଳାସ-ଭୂତ ପରି ଏବେ ମାଡ଼ିବସିଥିବା ନୂଆ ଦିଲ୍ଲୀରେ ମଧ୍ୟ ଏତେ ଅଳ୍ପ ଜାଗାରେ ଏତେ ଟାଣୁଆ ବିଜୁଳି ଆଲୁଅ ନଥିବ । ଜେମସେଦ୍‌ପୁର ପରି କାରଖାନା-ସହରରେ ରାତିଯାକ ଆଲୁଅ, କିନ୍ତୁ ଏତେ ନୁହେଁ । ଠାଏ ବଡ଼ ନେଳିଆ ଆଲୁଅ ତଳେ ଦୁଇଟି କୋକିଶିଆଳି ପୋକ ଜୋକ ଖାଇବାକୁ ଛପିକରି ପଡ଼ିଥାନ୍ତି । କୋକିଶିଆଳିଙ୍କ ଜୀବିକା ବ୍ୟବସ୍ଥା ସକାଶ ଆଉ ଅଳ୍ପ ଖର୍ଚ୍ଚ ସାପେକ୍ଷ ବନ୍ଦୋବସ୍ତ କ'ଣ ହୋଇପାରନ୍ତା ଭାବି ଭାବି ଦୁର୍ଗା ମେଲା ଝରକାବାଟେ ଭୈରବୀଙ୍କ ସଙ୍ଗେ ଦପ୍ତରଖାନାରେ ପଶିଲେ । ଟେବୁଲରେ କାଗଜପତ୍ର ଜମା ହୋଇଛି । ଉପରେ ଆଲୁଅ ଜଳୁଛି, କିନ୍ତୁ ଚଉକି ଖାଲି । ଗୋଟିଏ ଗୋଟିଏ କରି ସବୁ ବଖରା ସେମାନେ ଦେଖି ଆସିଲେ । ଯେଉଁ ବଖରାରେ ବାହାରୁ ତାଲା ପଡ଼ିଛି ସେଥିରେ ବି ଗୋଟାଏ ଯୋଡ଼ାଏ ଲେଖାଏଁ ଆଲୁଅ ଜଳୁଛି ! ଦୁଇଚାରି ଜାଗାରେ ପଙ୍ଖା ଚାଲିଛି । ଘରର ହାଉଆ କାଲିକୁ ଥଣ୍ଡା ରଖିବାକୁ ଯଦି ବା ପଙ୍ଖା ଚଳୁଥିବ, ଏତେ ଆଲୁଅ କାହିଁକି, ତାହା ମହାମାୟା ବି ଠଉରେଇ ପାରିଲେ ନାହିଁ ।

 

ଗୋଟାଏ କୁଣରୁ ଗୋଟାଏ କିପରି ବ୍ରିକାଳିଆ ଶବ୍ଦ ବାହାରୁ ଥିବାର ଠଉରେଇ ଦୁହେଁଯାକ, ତାହାର ଅନୁସନ୍ଧାନ ପାଇଁ ସେଇଆଡ଼କୁ ଆଗେଇଲେ । ଏପରି ଶବ୍ଦ କେଉଁ ଜନ୍ତୁର ତାହା ଭୈରବୀ ଜାଣିପାରିଲେ ନାହିଁ । ପାଖରେ ଯାଇ ସେମାନେ ଦେଖିଲେ, ଦୁଇଜଣ ଲୋକ ସେ ଜାଗାଟିକୁ ଯଥାସମ୍ଭବ ଅନ୍ଧାର କରି ଶୋଇ ଘୁଙ୍ଗୁଡ଼ି ମାରୁଛନ୍ତି । ସେମାନେ ଯେ ଦପ୍ତରଖାନାରେ ଜଗୁଆଳି ବା ଚୌକିଦାର ଏ କଥା ଅନୁମାନ କରିବାକୁ କଷ୍ଟ ହେଲାନାହିଁ । ଏଡ଼େ ଶବ୍ଦରେ ଯେଉଁମାନଙ୍କର ନିଦ ନ ଭାଙ୍ଗୁଛି, ସେମାନଙ୍କୁ ଉଠାଇବା ସକାଶ ଘଡ଼ଘଡ଼ି ମଧ୍ୟ ଯଥେଷ୍ଟ ହେବନାହିଁ ଜାଣି, ତାଙ୍କୁ ଉଠାଇବାକୁ ଚେଷ୍ଟା ନକରି ଦୁହେଁ ଯେଉଁବାଟେ ଆସିଥିଲେ ସେଇବାଟେ ଫେରିଲେ ।

 

ଚୌକିଦାରଙ୍କୁ ଦେଖିଲାବେଳୁ ଭୈରବୀ ହସ ରୋକିବାକୁ ଯେଉଁ ଚେଷ୍ଟା କରୁଥିଲେ ତାହା ବ୍ୟର୍ଥ ହେଲା । ତାଙ୍କ ମୁହଁରୁ ଖେଁ କିନି ହସ ବାହାରିପଡ଼ିବାରୁ ଦୁର୍ଗା ଟିକିଏ ମୁରୁକି ହସି ପଚାରିଲେ, “କିଲୋ ! ଇମିତି ଫାଟି ପଡ଼ୁଛୁ କାହଁକି ?”

 

ଭୈରବୀ କହିଲେ, “ମା’, ତମେ ତ ଆସିଲା ବେଳୁ ଇମିତି ମୁହଁ କରିଛ ଯେ ତମକୁ କିଛି କହିବାକୁ ଡର ମାଡ଼ୁଛି । ଗୋଟାଏ କଥା ମନେ ପଡ଼ିଗଲା ଯେ, ହସ ହୋଇଗଲା ।’’

 

ଦୁର୍ଗା ଜିଜ୍ଞାସୁ ଦୃଷ୍ଟିରେ ଚାହଁଲେ । ଭୈରବୀ ଶଙ୍କି ଶଙ୍କି କହିଲେ, ‘‘ମୁଁ ବିଚାରିଲି, ଯୋଗେଶ୍ୱର ଯେତେବେଳେ ଯୋଗରେ ବସିଯାନ୍ତି ତୁମକୁ କେଡ଼େ ଏକୁଟିଆ ଲାଗେ । ଏଇ ଚୌକିଦାର ଦୁହିଁଙ୍କୁ ଯଦି ଆମେ ନେଇ ଆମ ଆଶ୍ରମରେ ଶୁଆନ୍ତେ, ଆଉ ବାପା ଯୋଗରେ ବସି ପାରନ୍ତେ ନାହିଁ ।’’

 

ଦୁର୍ଗା ବି ହସିଦେଲେ; କହିଲେ, ସମସ୍ତେ ତ ଏଠେଇ ବେପରୁଆ ହୋଇଯାଇଛନ୍ତି, ବିଚରା ଚୌକିଦାରଙ୍କର ଦୋଷ କ’ଣ ? ଚାଲ, ଚାଲ, ଟିକିଏ ମୁଖ୍ୟମନ୍ତ୍ରୀଙ୍କୁ ଦେଖି ଆସିବା ।”

 

ମୁଖ୍ୟମନ୍ତ୍ରୀଙ୍କ ଦାଣ୍ଡ ଫାଟକର ଦୁଇପାଖେ ଦୁଇ ବଡ଼ବଡ଼ ଆଲୁଅ । ହତା ଭିତରର ସୁନ୍ଦର ବଗିଚାଟି ଆଲୁଅରେ ଝଲମଲ ହେଉଥାଏ । ଭୈରବୀ ଭାରି ଖୁସିହୋଇ କହିଲେ, “ମା ଦେଖୁଛ, କେଡ଼େ ସୁନ୍ଦର ବଗିଚା ! ସବୁଗୁଡ଼ିକ ଫୁଲଗଛ, ସବୁଥିରେ ଏକା ସଙ୍ଗେ ଫୁଲ ଫୁଟିଛି । ମୁଖ୍ୟମନ୍ତ୍ରୀ ବୋଧହୁଏ ତୁମରି ପାଇଁ ଏଗୁଡ଼ିକ ଲଗାଇଛନ୍ତି ।’’

 

ଦୁର୍ଗା ବଗିଚା ଉପରେ ଟିକିଏ ଆଖି ବୁଲାଇ କହିଲେ, “ଏ ଫୁଲକୁ କାହଁକି ଚାହଁଛୁ ? ଏଡ଼େ ବଗିଚା, କିନ୍ତୁ ଆମର କାମରେ ଲାଗିଲା ଭଳି ଗୋଟିଏ ତ କାଇଁ ଦିଶୁନାହଁ ! ଏ ସବୁ ବିଦେଶୀ ଫୁଲ, ଗନ୍ଧ ନାଇଁ କି ବାସନା ନାଇଁ ।

 

ଭୈରବୀ କହିଲେ, ‘‘ଆଉ ଏତେ ଫୁଲ ଲଗାହୋଇଛି କାହିଁକି ? ଏ ଗାଁ ଯାକର ମାଇପେ ତ ମୁଣ୍ଡରେ ଲଗାଇଲେ ଏ ସରିବ ନାହିଁ !’’

 

ସେ କାହଁକି ଜାଣିବେ, ଦୁର୍ଗା ବା କାହିଁକି ଜାଣିବେ ଯେ, ମୁଣ୍ଡରେ ଫୁଲ ଲଗାଇଁବା ଆଧୁନିକାମାନେ ଅସଭ୍ୟତା ବୋଲି ଛାଡ଼ିଦେଲେଣି । ମୁଣ୍ଡ ସୁନ୍ଦର ଦିଶିବ ବୋଲି ନାଲି କନା ମୁଣ୍ଡରେ ଭିଡ଼ିବା ପଛେ ଚଳୁଛି, ଫୁଲ ଖୋସିଲେ ଲାଜ । ଏ କଥା ସବୁ ବିଚାରିବାକୁ ଦୁର୍ଗାଙ୍କର ମାନସିକ ଅବସ୍ଥା ବି ନଥାଏ । ମୁଖ୍ୟମନ୍ତ୍ରୀ କ’ଣ କରୁଛନ୍ତି ସେ କଥା ଜାଣିବା ପାଇଁ ସେ ହତା ଭିତରେ ପଶିଲେ । ଘରେ ଆଲୁଅ ଜଳୁଥାଏ । ବାହାରେ ପୁଲିସ ବାଲା ପହରା ଦେଉଥାନ୍ତି । ଦୁର୍ଗାଙ୍କ ମନରେ ଟିକିଏ ସନ୍ତୋଷର ଚିହ୍ନ ଦେଖାଗଲା । ମୁଖ୍ୟମନ୍ତ୍ରୀ ତେବେ ଏତେବେଳେ ବି କାର୍ଯ୍ୟବ୍ୟସ୍ତ ! ହେବାର ତ କଥା–ଏଡ଼େ ବଡ଼ ବନ୍ୟା ବିପତ୍ତିର ଆଶଙ୍କା ବେଳେ, ସବୁ ଦାୟିତ୍ଵ ଯାହାଙ୍କ ମୁଣ୍ଡରେ, ତାଙ୍କ ଆଖିକୁ ନିଦ ଆସିବ କୁଆଡ଼ୁ ? ସେ ତ ସମଗ୍ର ଉପକୂଳ ଅଞ୍ଚଳକୁ କାନ ଡେରି ବସିଥିବେ ।

 

ଘରର ଦାଣ୍ଡଘରେ ଜଣେ ଲୋକ ବସିଥିବାର ଦେଖି, ସେଇ ମୁଖ୍ୟମନ୍ତ୍ରୀ ବୋଲି ଠଉରେଇ ଦେବୀ ଦୁହେଁ ଅଲକ୍ଷିତରେ ତାଙ୍କ ପାଖକୁ ଗଲେ । ଘରେ ଗୋଟିଏ ଛୋଟ ଟେବୁଲ, ଦୁଇଟି ଚଉକି; ଟେବୁଲ ଉପରେ ଗୋଟିଏ ଟେଲିଫୋନ୍ । ଛାତରୁ ଖୁବ୍ ଟାଣ ଆଲୁଅଟିଏ ଝଲୁଛି; ଟେବୁଲ ଉପରେ ପୁଣି ଗୋଟିଏ ବଡ଼ ଟେବୁଲ ଆଲୁଅ, ରୁଖା ଉପରେ ଜଳୁଛି । ରୁଖାଟିରେ ଭଲ କାରୁକାର୍ଯ୍ୟ ହୋଇଛି । ଟେବୁଲରେ ଟେଲିଫୋନ୍ ଦେଖି ଦୁର୍ଗା ମନେକରିଥିଲେ, ଏଇଟା ମୁଖ୍ୟମନ୍ତ୍ରୀଙ୍କ ଅଫିସ ଘର । କିନ୍ତୁ ଘରର ଗୋଟାଏ କଣରେ ଖଟ ପଡ଼ିଥିବାରୁ, ସେ ବୁଝିଲେ ଏହା ଶୟନାଗାର ହୋଇଥିଲେ ହେଁ, ନିଦ ନଲାଗିଲେ ଅଫିସ କାମ କରିବେ ବୋଲି ମୁଖ୍ୟମନ୍ତ୍ରୀ ଏଡ଼େ ବଡ଼ ଆଲୁଅ ଓ ଟେଲିଫୋନ୍ ରଖିଛନ୍ତି । ତାଙ୍କ ସନ୍ତୋଷ ବଢ଼ିଲା ।

 

କିନ୍ତୁ ସେ ଘରେ ଯେଉଁ ଭଦ୍ରବ୍ୟକ୍ତି ଜଣକ ଚଳପ୍ରଚଳ ହେଉଥାନ୍ତି, ନାଙ୍କର ରୂପ ଭେକ ଦେଖି ଏ ମୁଖ୍ୟମନ୍ତ୍ରୀ ହୋଇଥିବେ, ବୋଲି ଭୈରବୀଙ୍କର ପସନ୍ଦ ହେଉନଥାଏ । ସେ କହିଲେ, “ମା’, ଏଇଟାକୁ କାହିଁକି ଚାହିଁରହିଛ ଯେ ! ଏ କେବେ ମୁଖ୍ୟମନ୍ତ୍ରୀ ହୋଇ ନଥିବ । ବାୟା ପରି କିମିତି ମୁହଁ କରୁଛି ଦେଖୁନାହଁ ? ଆମେ ତ ଦଣ୍ଡେ ହେଲା ଏଠି ଠିଆ ହେଲେଣି, ତାହାର କୌଣସି କାର୍ଯ୍ୟରେ କିଛି ଲାଭ ସ୍ଥିର-ସଙ୍କଳ୍ପ ଅଛି ? ଶୋଇବାକୁ ଯାଉ ଯାଉ ଟେଲିଫୋନ୍ ଉଠାଇବାକୁ ଯାଉଛି । ସେଠୁ ଯାଇ ବହି ଖଣ୍ଡେ ଧରିପକାଉଛି । ବହିଟାକୁ ଟିକିଏ ଚାହୁଁ ଚାହୁଁ ହେଇଟି ଶୋଇବାକୁ ଗଲାଣି । ଏ ଗୋଟେ କୁଆଡ଼ୁ ଆଡ଼ବାୟା ଆସି ଏଠେଇଁ ଢୁକିଛି ।

 

ଦୁର୍ଗା ଲୋକଟିକୁ ଏ ଦୃଷ୍ଟିରେ ଦେଖୁ ନଥାନ୍ତି । ଚେହେରା ଦେଖି ଯେ ମଣିଷ ଚିହ୍ନା ପଡ଼ନ୍ତିନାହିଁ ସେ କଥା ତାଙ୍କଠାରୁ ଅଧିକ ଜାଣେ କିଏ ? ଜଟାଧାରୀ, ଚିତାଭସ୍ନଲେପିତ, କୃତ୍ତିବାସଙ୍କୁ ଯେତେବେଳେ ପ୍ରଥମେ ସେ ଦେଖିଲେ, ତାଙ୍କ ମନରେ ମୁହୂର୍ତ୍ତକ ପାଇଁ ଦେବଦେବଙ୍କ ପ୍ରତି ଘୃଣା ଆସିଥିଲା । ତା’ପରେ ଯେତେବେଳେ ତାଙ୍କ ଆଖି ଏସବୁରୁ ଉପରକୁ ଉଠିଲା, ସେତେବେଳେ ତାଙ୍କର ଭୁଲର ସେ ପ୍ରାୟଶ୍ଚିତ୍ତ କଲେ, ନିଜ ମନକୁ ଷୋଳପଣ ସେଇ ଜଟାଜୁଟରେ ବାନ୍ଧିଦେଲେ । ବାପ ମା’ ଯେତେ ନିବର୍ତ୍ତାଇଲେ ସେ ଶୁଣିଲେ ନାହିଁ । ‘ଭୈରବୀ ଏ କଥା ଜାଣି, ଏମିତି କହୁଛି କିପରି ? ତା’ର କ’ଣ ଦେବଦେବଙ୍କଠାରୁ ମନ ଛାଡ଼ିଗଲାଣି ନା କ’ଣ’ ବୋଲି ସେ ଶଙ୍କିତ ହେଲେ ।

 

ଭୈରବୀ କହିଲେ, “ମା’, ମୋ କଥା କ’ଣ ଦେହକୁ ନେଇଗଲ କି ? ମୁଁ କ’ଣ ଏ ଲୋକର ଲୁଗାପଟା, ଭୂତୁରାମୁଣ୍ଡି ଦେଖି ଏମିତି କହୁଛି । ତା’ ଆଖିକୁ ଚାହୁଁ ନାହିଁ ! ମଣିଷ ସିନା ଆଖିରୁ ଚିହ୍ନା ପଡ଼ନ୍ତି ! ବବାଙ୍କ ଆଖି ଯେ ଦେଖିଛି, ସେ ଆଖିରୁ ମଣିଷ ଜାଣିପାରିବ ନାହିଁ ?’’

 

ତଥାପି ଦୁର୍ଗାଙ୍କ ମନ ମାନୁ ନଥାଏ । ମଣିଷକୁ ଚାହିଁଲାବେଳେ କେତେଜଣ ଆଖି ଉପରେ ଆଗ ଆଖି ପକାନ୍ତି ? ଆଗ ଦିଶେ ବେଶଭୁଷା, ଚାଲି ଚଳନ । ଯେ ଆଖିକୁ ଦୃଷ୍ଟି ଦିଅନ୍ତି ସେ ତା’ପରେ ଦେଉଥିବେ ସିନା ! ଆଗ ବେଶଭୂଷା ଚାକଚକ୍ୟ ଦେଖି ମନରେ ଯେଉଁ ଧାରଣା ସବୁ ହୋଇଯାଇଥାଏ, ତାହା ଯୋଗୁଁ ଆଖିରେ ମହତ୍ତ୍ୱ ଧରା ପଡ଼ିବା କାଠିକର ପାଠ । ତାଙ୍କର ମନେ ପଡ଼ିଗଲା, ଜଡ଼ଭରତଙ୍କ କଥା । ଯେଉଁ ରାଜା ତାଙ୍କର ରୂପ ଭେକ ଦେଖି ଗଉଡ଼ ବୋଲି ତାଙ୍କୁ ସବାରିରେ ଯୋଚିଥିଲେ, ସେ ପରେ ତାଙ୍କ ଗୋଡ଼ ତଳେ ପଡ଼ି ତାଙ୍କ ଶିଷ୍ୟ ହୋଇଥିଲେ । କିନ୍ତୁ ତାହା କେଡ଼େ ବିଳମ୍ବରେ ହୋଇଥିଲା ? ଜଡ଼ଭରତଙ୍କୁ ଚିହ୍ନିବା ପୂର୍ବରୁ ରାଜା ତାଙ୍କୁ କୋରଡ଼ାରେ ପିଟିଥିଲେ ତ ! ଦେବୀ ନିଜର ସଂଶୟ ଦୂର କରିବାକୁ ଆହୁରି ତୀକ୍ଷ୍‌ଣ ଭାବରେ ଭଦ୍ରଲୋକଟିର ଗତିବିଧି ଲକ୍ଷ୍ୟ କରୁଥାନ୍ତି ।

 

ସେ ଯେତେ ଦେଖୁଥାନ୍ତି, ଭୈରବୀଙ୍କ କଥା ଠିକ୍‍ ବୋଲି ତାଙ୍କର ସେତିକି ମନେ ହେଉଥାଏ । କ୍ରମେ ସେ ମଧ୍ୟ ବଚାରିବାକୁ ଆରମ୍ଭ କଲେ, ଏ ଲୋକଟା ହୁଏତ ଆଡ଼ବାୟା ନଚେତ୍ ନିପଟ ଗଧ । ଲୋକଟି ଆଲୁଅ ଲିଭାଇ ଦେଇ ଶେଷରେ ଯେତେବେଳେ ଖଟକୁ ଗଲା, ସେତେବେଳେ ଦେବୀ ଦୁହେଁ ମୁଖ୍ୟମନ୍ତ୍ରୀଙ୍କ କୋଠିରୁ ବାହାରି ଦାଣ୍ଡକୁ ଆସିଲେ । ଦାଣ୍ଡରେ ଆଲୁଅ ସେଇପରି ଜଳୁଥାଏ, କିନ୍ତୁ ପହରା ଦେଉଥିବା ପୁଲିସ କାମ ଛାଡ଼ି ସାମନା ଘରର ବାରଣ୍ଡାରେ ଆରାମ କରୁଥାନ୍ତି । ଖୁସି ଗପରେ ବାଧା ଦେଉଥାଏ, ଜଣେ ପ୍ରହରୀ, ଘର କଟକ ଜିଲ୍ଲା ତଳମାଳରେ । ସେ ଲମ୍ବ ହୋଇ ପଡ଼ିଥାଏ, ସମସ୍ତଙ୍କ ବସିବା ଭିତରେ । ତା’ର ମନ ରହିଥାଏ, କାଠଯୋଡ଼ିର ବଢ଼ିପାଣିରେ–ସେଇ ପାଣି ପରି ତାହା ଉଦ୍‌ବେଳିତ ହେଉଥାଏ, ବନ୍ଧୁମେଳ ଭାଙ୍ଗିବାକୁ । ପାଖରେ ବସିଥିବା ସାଙ୍ଗ ମଝିରେ ମଝିରେ ତା’କୁ କୁତୁ କୁତୁ କରିଦେଲେ ଅନିଚ୍ଛାରେ ତା’ ମୁହଁରୁ ହସ ବାହାରିପଡ଼େ; ହସ ସାଙ୍ଗେ ବାହାରେ,‘‘ଥାଉ, ବେ ! ମୋ ସାଙ୍ଗେ କାହିଁକି ଲାଗୁଛ-? ମୋପରି ନଈ ମୁହାଁଣରେ ଯଦି ଘର କରିଥାନ୍ତ, ତେବେ ଆଉ ଗେଲ କରିବାକୁ ଏତେବେଳେ ମନ ହେଉନଥାନ୍ତା ଯେ ।’’ ଏମିତି ପୁଣି ଥରେ କହିବାରେ, ତା’ ସାଙ୍ଗ କହିଲା, ବଢ଼ି ଭୟରେ ଏମିତି କହନ୍ତି ବୋଲି କହୁଚୁ ନା’ ସତେ ମନଦୁଃଖ ହେଉଚି ମ ? ଆଜି ପରୀକ୍ଷା ହୋଇଯାଆନ୍ତା, ଯଦି ଏଇଲାଗେ ସାହେବ ଆସି ଡାକନ୍ତେ ଶିକାର କରି ଯିବାକୁ ।’’

 

କନ୍‌ଷ୍ଟେବଲ୍‌ର ନାମ, ରସିକ୍‌ । ଶିକାରରେ ସେ ରସିକ ବୋଲି କହିଲେ ଯଥେଷ୍ଟ ହେବନାହିଁ । ଶିକାରରସିକ ବହୁତ ଅଛନ୍ତି, ଜନ୍ତୁକୁ ମାରିବା ଆଳରେ ପବନକୁ ଗୁଳି କରନ୍ତି । ବାଘ ମାରୁ ମାରୁ ମଣିଷ ମାରନ୍ତି ରସିକ ବନ୍ଧୁକ ମାରିବାରେ ସବ୍ୟସାଚୀ । ସେ ପବନକୁ ଲାଖ କରି ବାଁ ହାତରେ ଗୁଳି ମାଇଲେ ବି ତାହା ଯାଇ ଜନ୍ତୁ ଦେହରେ ବାଜେ । ପୁଲିସ ବିଭାଗରେ ଏମିତି ବାଣୁଆ ଦେଖିବାକୁ ସହଜରେ ମିଳନ୍ତି ନାହିଁ । ସେମାନଙ୍କର ଲାଠିରେ କାମ । ଲମ୍ବ ଅସ୍ତ୍ର, ଯେମିତି ହେଲେ ବାଜିବ । ପୁଣି ଲକ୍ଷ୍ୟ ତ ସ୍ଥିର ହେବା ଦରକାର ନାହିଁ । ଲାଠି ହେଉ ବା ଗୁଳି ହେଉ, ଜନଗହଳିରେ ପ୍ରୟୋଗ ହୁଏ । ମୁଣ୍ଡରୁ ତଳିପା ପର୍ଯ୍ୟନ୍ତ ସାଢ଼େ ପାଞ୍ଚଫୁଟ ଓସାରରେ, ଫର୍ଲଙ୍ଗେ ବା ଦୁଇ ଫର୍ଲଙ୍ଗ ଦୀର୍ଘରେ ଯେଉଁଠି ଠାଏ ବାଜିଲେ ହେଲା; ଯେ ମଲା ସେ ତ ଦୋଷୀ । ଯଦି ତଥାପି ଲାଖ ନ ବାଜିଲା, ଗୁଳି ଉପରେ ବା କଡ଼ରେ ଉଡ଼ିଗଲା, ତେବେ ତ ଫାଙ୍କା ଆବାଜ–ପୁଲିସିଙ୍କୁ ଭଲ, ଲୋକଙ୍କୁ ଭଲ, ମନ୍ତ୍ରୀଙ୍କୁ ଭଲ, ହାଇକୋର୍ଟକୁ ବି ଭଲ–ଦୋଷ ଗୁଣ ବାଛିବାକୁ ଯାଇ ନାବାଳକ ବୋଲି ଗାଳି ଶୁଣିବାକୁ ନ ଥିବ ।

 

ଏହା ସିନା କାମକୁ ଭଲ, ଶିକାର ଆମୋଦକୁ ଭଲ ନୁହେଁ । ବଡ଼ବଡ଼ିଆ ପୁଲିସ ହାକିମଙ୍କ ଭିତରେ ଶିକାର ଆମୋଦୀଙ୍କ ସଂଖ୍ୟା ଢେର ବେଶୀ । ତେଣୁ ରସିକ କନଷ୍ଟେବଳର ଭାରୀ ଚାହିଦା । ଯେ ଶିକାରକୁ ବାହାରନ୍ତି, ରସିକକୁ ସାଙ୍ଗରେ ଖୋଜନ୍ତି । ଜନ୍ତୁ ବାହାରିଲେ ହାକିମ ଗୁଳି କରନ୍ତି; ବାଜେ ତ ନାଇଁ, କିନ୍ତୁ ରକ୍ଷା ପାଇଲା ବୋଲି ଜନ୍ତୁ ନିଃଶ୍ଵାସ ମାଇଲା ବେଳକୁ ରସିକର ଚୋଟ ଯାଇ ଢାଇ କରି ବାଜେ ।

 

ଆଗେ ଶିକାରରେ ଯିବାକୁ ରସିକର ଯେଉଁ ଆଗ୍ରହ ଥିଲା, ଆଜିକାଲି ସେତେ ନାଇଁ, ଆଜି ତ ଏକାବେଳକେ ନଥାଏ । ତେଣୁ ଶିକାର କଥା ଉଠିବାରୁ ସେ କହିଲା, ‘‘ହ ! ଗର୍ଭିଣୀ ହରିଣ ମାରି ମାରି ତ ଏତେ ସରି ହେଲିଣି । ଦି’ ଦିଟା ମାଇପ ମଲାପରେ ଏଇଟାକୁ ଆଣି ଘରେ ଛାଡ଼ିଦେଇ ଆସିଛି ଯେ, ଏଥର ବଢ଼ିରେ ଭାସି ଯିବା ପରି ଲାଗିଲାଣି । ଆଜି ଦୁଇ ଦିନ କିଏ ଛୁଟି ଦିଅନ୍ତା, ତେବେ ଗାଁକୁ ଯାଆନ୍ତି ।’’

 

ରସିକ ତୁଣ୍ଡରୁ ଏକଥା ସରିଛି କି ନ ସରିଛି, ଗୋଟାଏ ସରକାରୀ ଜିପ୍‌ ଗାଡ଼ି ଆସି ଧାଉଁକିନା ସେଇଠାରେ ଲାଗିଲା । ସେଥିରୁ ପୁଲିସ ସାହେବ ବାହାରିଲା ଆଗରୁ ସର୍ବଜ୍ଞ ପରି ସବୁତକ ପହରାବାଲା ଓ ତାଙ୍କ ଜମାଦାର ଆଟେନ୍‌ସନ୍‌ରେ ଠିଆ ହୋଇଗଲେ । ସାହେବ କିନ୍ତୁ ସେମାନଙ୍କ ଅଭିବାଦନ ଗ୍ରହଣ କରିବା ପରିବର୍ତ୍ତେ ରସିକକୁ ଚାହିଁ ଅତି ଘରୋଇ ଭାବରେ କହିଲେ, ‘‘ଆରେ ରସିକ, ବନ୍ଧୁକ ବାହାର କରିବୁଟି । ଟିକିଏ ଚନ୍ଦକା ଆଡ଼େ ବୁଲି ଆସିବା । ଏ ମେଘ ଅନ୍ଧାର ଓ ବର୍ଷା ପାଗରେ ଜନ୍ତୁ ବାହାରିଥିବେ ।’’

 

ରସିକ କିଛି ନକହି ଠିଆ ହୋଇ ରହିଲା । ତା’ର ସଙ୍ଗୀ କହିଲା, ‘‘ହଜୁର, ତା’ ଘର ଦଳେଇଘାଇ ପାଖରେ ବୋଲି, ତା’ର ଆଉ ମନରେ ସୁଖ ନାହିଁ । କହୁଥିଲା ଦୁଇଦିନ ଛୁଟି ନେଇ କରି ଯିବାକୁ ।’’

 

ସାହେବ କହିଲେ, ‘‘ଯିବ ତ କାଲି ସକାଳୁ ଯାଉ । ତମେ ଆଠ ଜଣ ଯାକ ଅଛ ତ ?’’ କେହି ଛୁଟି ନେଇ ନଥିବାର ଶୁଣି ସେ ପୁଣି କହିଲେ, ଏ ତୀର୍ଥବାସ ଛାଡ଼ି ଘରକୁ ଯାଉଛି କଏ । ଏଇ ରସିକ ପରି ଶୁଖିଲା ମୁହାଁଙ୍କର ଘରକୁ ଯିବାକୁ ମନ ହେଉଥିବ । ଇନ୍ଦ୍ରପୁରୀ ଛାଡ଼ି, ଚାରିପଟେ ଅପସରାମାନଙ୍କ ହାଉଆରେ ନରହି ,ବଢ଼ି ମରୁଡ଼ିରେ ଘାଣ୍ଟି ହେବାକୁ କାହିଁକି ବାହାରିଛି କେଜାଣି-?’’

 

ସାହେବଙ୍କର ଅପସରାମାନେ ମନେ ପଡ଼ିବାର କାରଣ ଅଛି । ନୂଆ ରାଜଧାନୀ ଯେ କଳ୍ପନା କରିଥିଲା, ସେ ତାହାକୁ ଛଅଟି ଗୋଷ୍ଠୀ ବା ଇୟୁନିଟ୍‌ରେ ବାଣ୍ଟିଥିଲା । ପ୍ରତି ଗୋଷ୍ଠୀରେ ବଡ଼ ଅଫିସର ରହିବେ, ସାନ ଅଫିସର କିରାଣୀ, ଚପରାସି ମଧ୍ୟ ରହିବେ । ବଡ଼ ଅଫିସରଙ୍କ ବଙ୍ଗଳାର ବଡ଼ ବଡ଼ ହତା, ତାହା ଟିକିଏ ଅଣଆଡ଼ିଆ ହୋଇ ଥାଏ । ସାନ ଅଫିସର ଓ କିରାଣୀ, ଚପରାସିଙ୍କ ଘର ଲଗାଲଗି ।

 

ମୁଖ୍ୟମନ୍ତ୍ରୀ ଆସି ଗୋଟିଏ ସାନ ଅଫିସର ବଙ୍ଗଳାରେ ରହିଲେ । ଆଗ ଆଗ ଏହାଦ୍ଵାରା ତାଙ୍କ ସରଳ ମହତ୍ତ୍ଵ ଦେଖାଗଲା । କିନ୍ତୁ କ୍ରମେ ସେ କୋଠିଟିକୁ ରଜା ନଅର ପରି ସଜାଇଲେ–ବଡ଼ ବଡ଼ ଆଲୁଅ ଜଳିଲା ଯେ, ପାଖରେ ଥିବା କିରାଣୀଙ୍କ ଘର ସବୁବେଳେ ଆଲୁଅ । କାଚ ଝରକା, ପରଦା ପାଇଁ ପଇସା କାହିଁ, ମାଇପେ ଚଳିପାରିଲେ ନାହିଁ । ତହିଁ ଉପରକୁ ଆଠଜଣ ପୁଲିସଙ୍କର ଷୋଳଟା ଆଖି ସବୁବେଳେ ଏଇ ଘର ଭିତର ଖାନତଲାସ କରିବାରେ ଲାଗିଲା । ସେମାନଙ୍କ ଆଚରଣ ବିଷୟରେ ଜଣେ କିରାଣୀ ପୁଲିସ ସାହେବଙ୍କୁ ବେନାମୀ ଚିଠି ଲେଖିଲେ । ସାହେବ ଏହାର ଏକମାତ୍ର ପ୍ରତିକାର ବିଚାରିଲେ, ମୁଖ୍ୟମନ୍ତ୍ରୀଙ୍କ ଘର ବଡ଼ ଅଫିସର ବଙ୍ଗଳାକୁ ବଦଳାଇ ଦେବାକୁ । ମୁଖ୍ୟମନ୍ତ୍ରୀ ତ ପରଦା ପ୍ରଥାର ଘୋର ବିରୋଧୀ । ସେ ବେନାମୀ ଆପତ୍ତି ହସରେ ଉଡ଼ାଇଦେଲେ । ସେଇଦିନୁ ହାକିମ ଏପରି ବେନାମୀ ଓ ସ୍ଵନାମୀ ଆପତ୍ତିକୁ ହସରେ ଉଡ଼ାନ୍ତି, ଓ ପ୍ରହରୀମାନେ ଯଦି ପଡ଼ିଶା ଘରର ସ୍ତ୍ରୀମାନଙ୍କୁ ନ ଚାହିଁବେ, ତେବେ ସେମାନଙ୍କର ମନ ଅଯଥା କଠୋର ହୋଇଯିବ ବୋଲି ପ୍ରକାଶ୍ୟରେ କହନ୍ତି । ଏଥିରେ ବଢ଼ିଆ ହୋଇ ପୁଲିସ କନ୍‌ଷ୍ଟେବଲ୍‌ମାନଙ୍କ ଆଖି ଏପରି ସ୍ଵରାଜ୍ୟ ପାଇଯାଇଛନ୍ତି ଯେ ମୁଖ୍ୟମନ୍ତ୍ରୀଙ୍କ ପଡ଼ୋଶୀମାନେ ବଡ଼ ସନ୍ତର୍ପଣରେ ଥାନ୍ତି ।

 

ଛୁଟି ଲାଞ୍ଚ ମିଳିବାରୁ ରସିକ ପ୍ରସ୍ତୁତ ହେବାକୁ ଚାଲିଗଲା । ସାହେବ କନ୍‌ଷ୍ଟେବଲ୍‌ଙ୍କ ସଙ୍ଗେ ଦୁଃଖ ସୁଖ ହେଉ ହେଉ ପଚାରିଲେ, ‘‘କିରେ, ବୁଢ଼ା ଦିଲ୍ଲୀରୁ କେବେ ଆସିବ ?’’ କାଲି ଆସିବାର ଅଛି ବୋଲି ଶୁଣି ପୁଣି ପଚାରିଲେ, ‘‘ଶ୍ରୀମତୀଜୀ ଅଛନ୍ତି’’ ? ଜମାଦାର ଉତ୍ତର ଦେଲା, “ଆଜ୍ଞା, ସେ ତ କୋରାପୁଟରୁ ଫେରି ନାହାନ୍ତି ।” ସାହେବ ମନରେ ଯାହା ବିଚାରିବାର କଥା, ତାହା ତୁଣ୍ଡରେ କହିଦେଲେ, “ସେ ଯାଇ ଦିଲ୍ଲୀରେ କୋରାପୁଟରେ ନେତା ନେତ୍ରୀ ହେବେ; କିଏ ଯଦି ପଞ୍ଚବାର୍ଷିକ ଯୋଜନା ତିଆରି କରୁଛି ତ ଆଉ କିଏ ଭୂମି ବାଣ୍ଟୁଛି; ଆମେ ତ ମୁଣ୍ଡ ବିକିଛୁ–ବଢ଼ି ମରୁଡ଼ି ଆମେ ସମ୍ଭାଳିବୁ ।’’

 

ଏତେବେଳକୁ ଦୁର୍ଗା ଓ ଭୈରବୀଙ୍କର ଜାଣିବାକୁ ବାକି ନଥାଏ ଯେ, ସେ ମୁଖ୍ୟମନ୍ତ୍ରୀଙ୍କ ଘରେ ଯାହାଙ୍କୁ ଦେଖିଲେ ସେ ମୁଖ୍ୟମନ୍ତ୍ରୀ ନୁହନ୍ତି–ଅସଲ ମୁଖ୍ୟମନ୍ତ୍ରୀ ଦିଲ୍ଲୀ ଯାଇଛନ୍ତି, ଦ୍ଵିତୀୟ ପଞ୍ଚବାର୍ଷିକ ଯୋଜନା ତିଆରି କରିବାକୁ, ଓ ତାଙ୍କ ସହଧର୍ମିଣୀ ବିନୋବାଙ୍କ ସଙ୍ଗେ କୋରାପୁଟରେ ଭୂଦାନ କରୁଛନ୍ତି । ସେମାନେ ଆଉ କାଳ ବିଳମ୍ବ ନକରି ମୁଖ୍ୟମନ୍ତ୍ରୀ-ହୀନ ମୁଖ୍ୟମନ୍ତ୍ରୀ ଭବନ ଛାଡ଼ିଲେ ।

 

ବଡ଼ ଅଫିସରଙ୍କ ସାହାଲାକୁ ଯାଇ ଦେଖିଲେ, ଗୋଟିଏ ଗୋଟିଏ ଘରେ ଆଲୁଅ ଜଳୁଛି, କଥାବାର୍ତ୍ତା ବି ଚାଲିଛି । ଆଉ ଗୋଟିଏ କୋଠିରୁ ଯେପରି ବାସନା ଆସୁଥାଏ, ସେଥିରୁ ପରିଷ୍କାର ଜଣାପଡ଼ିଲା, ସେଠାରେ ଭୋଜି ହେଉଛି । କଟକ ମନ୍ତ୍ରୀକୋଠି କଥା ମନେପଡ଼ିବାରୁ ଭୈରବୀ କହିଲେ ‘‘ମା’ ! ଏଇଠାରେ ବୋଧହୁଏ ବନ୍ୟା ବିଷୟରେ ମସୁଧା ହେଉଥିବ । ଚାଲ ଦେଖିବା ।” ସେମାନେ ଗେଟ ଭିତରେ ପଶିବାମାନେ ମାଟିଆ ମିଶା କାଳିଆ ରଙ୍ଗର ଦୁଇଟା ବଡ଼ କୁକୁର ମିଶି ଆସିଲେ । ଦେବୀ ଦୁହେଁ ଯଦି ଅଦୃଶ୍ୟ ହୋଇ ନଥାନ୍ତେ ତେବେ କୁକୁର ଦୁହେଁ ସେ ଦୁହିଁଙ୍କୁ ମାଡ଼ି ବସିଥାନ୍ତେ । ତା'ପରେ ଆଉ ଯେଉଁ କୋଠି ନିକଟ ହେଲେ ସେଠାରେ ପଶିଲାବେଳକୁ ସେହିପରି ଗୋଟେ କୁକୁର ମାଡ଼ି ଆସିଲା । ଦେବୀଙ୍କର ଜାଣିବାକୁ ବାକି ରହିଲା ନାହିଁ ଯେ, ବଡ଼ ବଡ଼ ଅଫିସରମାନେ କାଳଭୈରବୀଙ୍କ ଅନୁକରଣରେ କୁକୁର ବାହନ ରଖିଛନ୍ତି । ସେମାନଙ୍କ ଆଶ୍ରୟରେ ପ୍ରତ୍ୟେକେ ଶୋଇଛନ୍ତି ବା ମଉଜ କରୁଛନ୍ତି । ମୁଖ୍ୟମନ୍ତ୍ରୀଙ୍କର ମଣିଷ ପ୍ରହରୀ ଓ ଏମାନଙ୍କର କୁକୁର । ଏପର ସୁରକ୍ଷିତ ଅବସ୍ଥାରେ ବନ୍ୟା କଥାଏ କୋଠିମାନଙ୍କ ଭିତରେ ପଶିବ କୁଆଡ଼ୁ ?

 

ଦୂରରେ ଆଉ ଗୋଟିଏ କୋଠିରେ ତିନିଜଣ ଲୋକ ବସିଥିବାର ଦେଖି ଭୈରବୀ କହିଲେ, ‘‘ମା’ ! ଚାଲ ସେଇ ଘରକୁ ଯିବା । ସେଇଠାରେ ଗୁଡ଼ିଏ ଲୋକ ଏକାଠି ହୋଇଛନ୍ତି ।’’ ଦୁର୍ଗା କହିଲେ, ନା, ନା, ଆଉ ସମୟ ନଷ୍ଟ କରିବାକୁ ମୁଁ ଚାହୁଁନାଇଁ । ଚାରିଆଡ଼େ ସେ ବେପରୁଆ ଭାବ ଦେଖା ଦେଇଛି ତାହାର ପ୍ରତିକାର ଉପାୟ ମୁଁ କଟକଠାରୁ ବିଚାରି ସାରିଛି । ଚାଲ ସେଇଆ କରିବା । ତା’ ବ୍ୟତୀତ ଅନ୍ୟ ଉପାୟ ନାହିଁ । କୌଣସି ପ୍ରକାର ଗୁରୁତର ପରିସ୍ଥିତି ଉପୁଜୁ ନାଇଁ ବୋଲି ମନ୍ତ୍ରୀ ହାକିମ ସମସ୍ତେ ନାହିରେ ତେଲ ଦେଇ ଶୋଇଛନ୍ତି । ଏମାନଙ୍କୁ ଗୋଟିଏ କିନ୍ତୁ ବଡ଼ ବିପଦରେ ପକାଇଦେଲେ, ଚେତା ପଶିବ ମନର ଜଡ଼ତା ଦୂର ହେବ । ଚାଲ, ଆଉ ଏଙ୍କ ଆଲୁଅ, କି ଡାହାଳ କୁକୁର ଦେଖିବାର ପ୍ରୟୋଜନ ନାହିଁ ।’’

 

ଭୈରବୀ, ପଚାରିଲେ, ‘‘ମା’ ! କେଉଁ ବିପତ୍ତି ପକାଇବାକୁ କହୁଛ ?’’

 

ଦୁର୍ଗା ଯାହା ବିଚାରୁଥିଲେ ତାହା କହନ୍ତେ, ଭୈରବୀ କହିଲେ, ‘‘ମା’ ! ମରୁଡ଼ିରେ ଲୋକେ ନାରଖାର ହୋଇ ଯାଇଛନ୍ତି । ତା’ ପଛକୁ ବଢ଼ି ମାଡ଼ିଆସିଲେ ଏମାନେ ସମ୍ଭାଳି ପାରିବେ ନାହିଁ । ମନ୍ତ୍ରୀ ଓ ହାକିମ କେତେଜଣ ବେପରୁଆ ହୋଇଗଲେ ବୋଲି ସାଧାରଣ ଲୋକଙ୍କର ଦୋଷ କ’ଣ ? ଆମେ ଦୋଷୀକୁ ସିନା ଦଣ୍ଡ ଦେବା, ଦୋଷୀ ନିର୍ଦ୍ଦୋଷ ସମସ୍ତଙ୍କୁ ପାଣିରେ ବୁଡ଼ାଇ ମାରିବାଟା କ’ଣ ଭଲ ହେବ । ତୁମେ ଯାହା କର ବୋଲି କହିବ ସେଥିରେ ମୁଁ ନାହିଁ କରିବାର ପାତ୍ର ନୁହେଁ । କିନ୍ତୁ ଯାହା କରିବ, ବୁଝି ବିଚାରି କର । ହୁଏତ ଦୈବାତ୍‌ ଆମେ ଏଙ୍କ ଭିତରେ ଯେଉଁଗୁଡ଼ିକ ଅପଦାର୍ଥ ସେଇମାନଙ୍କୁ ଦେଖୁଥାଇଁ । ଏଙ୍କ ଭିତରେ ଭଲ ଲୋକ ଥିବେ, ଯେଉଁମାନେ କି ଅବସ୍ଥା ସମ୍ଭାଳିବାକୁ ବାସ୍ତବ ଉଦ୍ୟମ କରୁଛନ୍ତି । ସେମାନଙ୍କୁ ଦଣ୍ଡ ଦେବା ତ ଠିକ୍‌ ହେବ ନାହିଁ !’’

 

ଦୁର୍ଗା କିଛି ନ କହି ଭୈରବୀ ଯେଉଁ ଯେଉଁ ଆଡ଼େ ବାଟ କଢ଼ାଇଲେ ସେଇ ଆଡ଼େ ଚାଲିଲେ । ତାଙ୍କ ମନରେ ସନ୍ତାନ ବାତ୍ସଲ୍ୟ ଓ ସେଇ ବାତ୍ସଲ୍ୟରୁ ଜାତ ଦଣ୍ଡ ଦେବାର ପ୍ରବୃତ୍ତି, ଘୋର ସଂଘର୍ଷ ସୃଷ୍ଟି କରୁଥାଏ । ମନକୁ ଶାନ୍ତ କରିବାକୁ ସମୟ ଦରକାର । ତାହାର ଅବସର ତ ମିଳିବ !

 

ଯେଉଁ ଘରେ ମଣିଷ ବସିଥିବାର ଭୈରବୀ ଲକ୍ଷ୍ୟ କରିଥିଲେ ସେଠାରେ ଯାଇ ପହଞ୍ଚି ସେ ବିଗିଡ଼ିଗଲେ । ସେଠାରେ ଲାଗିଛି ନିର୍ଧୁମ ତାସ ଖେଳ । ସେମାନେ ମୁହଁ ସେଠାରୁ ଫେରାଉଛନ୍ତି ଏଇ ସମୟରେ ବାଜିଏ ଖେଳ ସାରି ତାସ ଫେଣ୍ଟ ହେଉ ହେଉ ଆଲୋଚନା ଆରମ୍ଭ ହେଲା–ବଢ଼ି ବିଷୟରେ ।

 

ଯେ ଫେଣ୍ଟୁଥିଲେ ସେ ପଚାରିଲେ, ‘‘ଆରେ ! ଆଉ କାଠଯୋଡ଼ିରେ ପାଣି କେତେ, ଖବର ପାଇଛ ?’’

 

ଆଉ ଜଣେ କହିଲା, ‘‘ଘଣ୍ଟାକ ତଳେ ଟେଲିଫୋନରେ ଖବର ମିଳିଛି; ୨୬ ଫୁଟ ହେଲାଣି । ଇଆଠାରୁ ବେଶୀ ପାଣି ବି ଆସେ । କିନ୍ତୁ ଏବେ କେତେ ବର୍ଷ ହେଲା ପୂର୍ତ୍ତ ବିଭାଗର ଯେପରି ଅବହେଳା ଦେଖାଯାଉଛି, ସେଥିରେ ବନ୍ଧବାଡ଼ ସବୁ ସମ୍ଭାଳିବ କି ନାହିଁ କେଜାଣି ? ଯାଉ ଗୁଡ଼ାଏ ଭାସିଭୁସି ଯାଉ । ଏ ଦେଶର ଭାଗ୍ୟରେ ସର୍ବନାଶ ଥୁଆ । ପୂର୍ବେ ଏପରି ଅବସ୍ଥାରେ ଉପରୁ ତଳ ପର୍ଯ୍ୟନ୍ତ ସମସ୍ତେ ଜାଗତିଆର ହୋଇ ଥାଆନ୍ତେ । ଆଜି କ’ଣ ଅବସ୍ଥା, ଦେଖ । କହାର ତ କିଛି ଶୋଚନା ଥିଲା ପରି ଜଣାଯାଉନାହିଁ । ମୁଖ୍ୟମନ୍ତ୍ରୀ ଦିଲ୍ଲୀରେ ଭବିଷ୍ୟତ ସ୍ୱପ୍ନ ଦେଖୁଛନ୍ତି । ଆଉ ତିନିଜଣ ମନ୍ତ୍ରୀ ଉପମନ୍ତ୍ରୀ ଆଜି ସନ୍ଧ୍ୟାରେ ସମ୍ବଲପୁର, ସୁନ୍ଦରଗଡ଼ ଓ ଫୁଲବାଣୀ ଗସ୍ତରେ ଗଲେ ।’’

 

ଆଉ ଜଣେ ବାଧା ଦେଇ କହିଲା, ‘‘ତେବେ ତ ବନ୍ୟା କାମରେ ଯାଇଛନ୍ତି । ପୁଣି ତ ସେଆଡ଼ୁ ତଳକୁ ଆସୁଛି । ସେଇ ପଟେ ଗସ୍ତ କରି ପାଣିକୁ ଯଦି ଅଟକାଇ ଦେବେ, ତେବେ ତଳର ଭୟ ରହିବ ନାହିଁ । ନୀତି ଶାସ୍ତ୍ରରେ ପରା କହନ୍ତି, ବିପଦକୁ ମୂଳରୁ ମାରିଦେବ ।’ ସମସ୍ତେ ହସିଲେ-

 

ପ୍ରଥମ ଜଣକ କହିଲେ, ‘‘ମନ୍ତ୍ରୀଙ୍କୁ ବନ୍ୟା ବଡ଼ ଦିଶୁନାହିଁ ବୋଲି ସେମାନେ ଗସ୍ତରେ ମାତିବାର ଦେଖି ବଡ଼ ହାକିମମାନେ ଭୋଜିରେ ମାତିଛନ୍ତି । ତାଙ୍କର ବା କ’ଣ ଯାଉଛି ଆସୁଛି ? ତାଙ୍କ ଭାଇ ବନ୍ଧୁ କୁଟୁମ୍ଭ ତ ଘାଇ ମୁହଁରେ ଘର କରି ନାହାନ୍ତି । କାଲି ଯେଉଁ ମନ୍ତ୍ରୀ ଭୋଟ ପାଇଁ ଧୋଇଆରେ ସଭା କରିବାକୁ ଯିବେ, ତାଙ୍କ ମୁଣ୍ଡ ଯଦି ନ ଘୁରାଉଛି , ଯେଉଁମାନେ ଏ ଦେଶକୁ ଖାଲି ଚାକିରି କରିବାକୁ ଆସିଛନ୍ତି ତାଙ୍କୁ ଦୋଷ ଦେବା କାହିଁକି ?’’

 

ଆଉ ଜଣେ କହିଲା, ‘‘ଆମେ କେଉଁ ଭଲ ଲୋକ ଯେ ! ଆମ ବାପ ମା’ ପାଣିରେ ଭାସିବାବେଳେ ତ ଆମେ ଖେଳରେ ମାତିଥାଇଁ ।’’

 

ଯେ ଫେଣ୍ଟୁଥିଲେ, ଏତେବେଳକୁ ତାଙ୍କର କାମ ସରିଥାଏ । ସେ କହିଲେ, ‘‘ଆରେ, ଖେଳିବ ଯଦି ତାସ ତଳୁ ଗୋଟାଅ, ଖେଳିବ ନାଇଁ ତ କରିବ କ’ଣ ? ମୁଁ ପରା ଆଜି ଛୁଟି ମାଗିଥିଲି ଯେ, ଆମ ହାକିମ କହିଲେ, ବନ୍ୟା କାମ ପଡ଼ିପାରେ; ଏତେବେଳେ ମୁଁ ଛୁଟି ଦେବିନାହିଁ ।’’ ଆମେ ନିଜ ମନରେ କାମ କରିବାର ଯଦି ସୁବଧା ଥାଆନ୍ତା ତେବେ ଅବା ଆଉ କ’ଣ କରନ୍ତେ । ଅନ୍ୟର ଆଦେଶକୁ ଅପେକ୍ଷା କରୁଥିବା ଲୋକଙ୍କର ଏ ତାସ ଖେଳ ଏକମାତ୍ର ଆଶ୍ରୟ । ଅର୍ଡର ମିଳିଲା ତ ସାଙ୍ଗେ ସାଙ୍ଗେ ବାଜିଟା ସାରିଦେଇ ଉଠିପଡ଼ିବା । ଏ ତ କିଛି ପଶାଖେଳ ନୁହେଁ ଯେ, ବାଜିକ ତିନିଘଣ୍ଟା ଲାଗିବ, ନା ନ୍ୟାୟବଳ ନୁହେଁ ଯେ ତିନିଦିନ ଲାଗିବ । ଯେତିକିବେଳ ଗପରେ ନଷ୍ଟ କଲଣି ସେତିକିରେ ଏ ବାଜି ସରନ୍ତାଣି । ଅନ୍ୟମାନେ ଏ କଥାର ସାରବର୍ତ୍ତା ଗ୍ରହଣ କରି ଖେଳିବାକୁ ନିଜ ନିଜ ତାସ୍‌ ସୁଆରିବାରେ ଲାଗିଲେ ।

 

ଦୁର୍ଗା କହିଲେ, ‘‘ଭୈରବୀ ! ଚାଲ, ଦଳେଇଘାଇ ପାଖକୁ । ଏ ରହସ୍ୟ ଦେଖିବାକୁ ମୋର ବେଳ ନାହିଁ ।’’

☆☆☆

 

Unknown

ଦଳେଇଘାଇ ଭାଙ୍ଗିଲା

 

କଟକଠାରୁ ୧୨।୧୭ ମାଇଲ ଦୂରରେ ଦଳେଇଘାଇ । କଟକ ଜିଲ୍ଲାର ଏ ଅଞ୍ଚଳର ବନ୍ୟାକ୍ଳିଷ୍ଟ ଲୋକଙ୍କ ମନରେ ଏହା ଭୂତ ପରି ଭୟ ସଞ୍ଚାର କରେ । ଏ ଭୁତ ଖବରକାଗଜ ବାଲା, ହାକିମ ଓ ବନ୍ୟା ସାହାଯ୍ୟ–ଦାତା ସମସ୍ତଙ୍କର ପରିଚିତ ! ଦେଶକର୍ମୀମାନେ କିନ୍ତୁ ଏ ଭୁତକୁ ମାନନ୍ତି ନାହିଁ । ବରଂ ଏହାର ଉତ୍ପାତକୁ ମନେ ମନେ ସ୍ୱାଗତ କରନ୍ତି । ଇଂରେଜ ଅମଳରେ ସରକାରଙ୍କୁ ଅପ୍ରିୟ କରିବାର ଏହା ଥିଲା ଗୋଟିଏ ବଡ଼ ଅସ୍ତ୍ର । ‘‘ସରକାର ଦଳେଇଘାଇକୁ ଟାଣ ରଖିବାକୁ ଯତ୍ନ କରୁନାହାନ୍ତି, କଟକକୁ ରକ୍ଷା କରିବା ସକାଶେ ଏ ଘାଇ ନିଜେ ଭାଙ୍ଗି ଦେବାକୁ ଭିତରେ ମସୁଧା କରୁଛନ୍ତି,’’ ଏହିପରି ପ୍ରଚାର କରି ଲୋକଙ୍କୁ ସରକାର ବିରୁଦ୍ଧରେ ଉତ୍ତ୍ୟକ୍ତ କରୁଥିଲେ । ଏ ଘାଇ ବା ଅନ୍ୟ ଘାଇ ଭାଙ୍ଗି ବନ୍ୟା ହେଲେ ମଧ୍ୟ ଲୋକଙ୍କ ସେବା କରିବାର ସୁଯୋଗ ମିଳୁଥିଲା । ବନ୍ୟା ସାହାଯ୍ୟ ଟଙ୍କା ହାତ ପଇଠ ହେଉଥିଲା । ବନ୍ୟା ଓ ଦୁର୍ଭିକ୍ଷ ଯୋଗୁଁ ଓଡ଼ିଶା ଜନସେବୀର ସ୍ଵର୍ଗ ବୋଲି ଜଣେ ନେତା କହିଲେ । ଏଇ କଥାରୁ ଖମ୍ବଆଳୁ ବୁଝି ତାଙ୍କର ଜଣେ କର୍ମୀ ପ୍ରତିବର୍ଷ ଭଗବାନଙ୍କୁ ଡାକନ୍ତି, ‘‘ମହାପ୍ରଭୁ ! ଏ ବର୍ଷ ହେଲେ ବନ୍ୟା ହୁଅନ୍ତା । ବନ୍ୟା ସାହାଯ୍ୟ କରିବାର ସୁଯୋଗ ମିଳନ୍ତା ।’’

 

ଇଂରେଜ ଅମଳରେ ବର୍ଷାଦିନ ଆସିଲେ ପୂର୍ତ୍ତବିଭାଗରେ କିପରି ଆତଙ୍କ ପଡ଼ିଯାଏ, ତାହା ଲୋକଙ୍କର ଅଦ୍ୟାପି ମନେଅଛି । ବଡ଼ ଇଞ୍ଜିନିୟର୍‌ଙ୍କଠାରୁ ଆରମ୍ଭ କରି ଛୋଟ ଓଭରସିଅରଙ୍କ ପର୍ଯ୍ୟନ୍ତ ସମସ୍ତେ ବଢ଼ି ବେଳେ ଏଇ ଜାଗାରେ ପହରା ଦିଅନ୍ତି । ବାଲି ବସ୍ତା କମାଇ ଥାଆନ୍ତି, କେଉଁଠି ହଠାତ୍‌ ମେଲିଗଲେ ସାଙ୍ଗେ ସାଙ୍ଗେ ବସ୍ତା ଦେଇ ବନ୍ଦ କରିଦେବାକୁ । ଥରେ ଜଣାପଡ଼ିଲା, ନଈବନ୍ଧରେ ଠାଏ ଭିତରେ କୋରଡ଼ ହେଉଛି । ବଡ଼ ଇଞ୍ଜିନିଅର୍‌ଙ୍କ ଅଣ୍ଟାରେ ଦଉଡ଼ି ବନ୍ଧା ହେଲା, ସେଇ ଜାଗାରେ ବୁଡ଼ିଲେ କୋରଡ଼ଟା ଠିକଣା କଲେ ଓ ଉପରୁ ବାଲିବସ୍ତା ନେଇ ସେଇ ଜାଗାକୁ ବଳୁଆ କଲେ । ସେ ବର୍ଷ ନଈ ଆଉ ଦୁଷ୍ଟାମି କଲାନାହିଁ ।

 

ଅଫିସରମାନେ ପ୍ରାଣାନ୍ତକ ଚେଷ୍ଟା କରି ମଧ୍ୟ ସାହସ କରି ପାରନ୍ତି ନାହିଁ, ଘାଇକୁ ସମ୍ଭାଳିପାରିବେ ବୋଲି । ଆଗରୁ ଘାଇମୁହଁ ଲୋକଙ୍କୁ ସତର୍କ କରି ଦିଆହୋଇଥାଏ, ଘାଇ ଫିଟିଗଲେ ସାଙ୍ଗେ ସାଙ୍ଗେ ପଳାଇଯାଇ ନଈବନ୍ଧରେ ଓ ଅନ୍ୟ ଢିପ ଜାଗାମାନଙ୍କରେ ଆଶ୍ରୟ ନେବାକୁ ।

 

ବିଶାରଦ ଇଞ୍ଜିନିଅର୍‌ମାନେ ଦେଖିଥିଲେ, ନଈ ଏଇ ଜାଗାରେ ଅମାନିଆ ହୋଇ ବାଁ ଆଡ଼କୁ ମାଡ଼ି ଆସୁଛି । ନଈର ଏଇ ସ୍ୱାଭାବିକ ବୃତ୍ତିକୁ ମାନିଯାଇ ସେମାନେ ସ୍ଥିର କଲେ ବାଁ ପାଖେ ନଈକୁ ଖଣ୍ଡେ ଜାଗା ଛାଡ଼ି ଦେବେ । ବାଁ ପଟକୁ ମାଇଲିଏ ଖଣ୍ଡେ ବନ୍ଧକୁ ହଟାଇ ଦେବେ । ଶେଷରେ ତାହାହିଁ କରିବାକୁ ହେଲା । ସାବକ ବନ୍ଧକୁ ମଜବୁତ୍‌ କରାଯାଉଥାଏ । ଏ ନୂଆ ବନ୍ଧକୁ ମଧ୍ୟ ମଜବୁତ୍‌ କରାଯାଇଥାଏ । ନଈ ସାବକ ବନ୍ଧକୁ ଡେଇଁଲେ ନୂଆ ବନ୍ଧଠାରେ ତ ହେଲେ ଅଟକିବ ! ନଈକୁ ଥରକୁ ଥର ହାରି ନୂଆ ବନ୍ଧ ଆହୁରି ଉତ୍ତରକୁ ଘୁଞ୍ଚାଉଥାନ୍ତି । ସାହସର ସହିତ ପଛଘୁଞ୍ଚା–ଖଣ୍ଡେ ବାଟ ଘୁଞ୍ଚିଯାଇ ନିଜକୁ ସେଇଠାରେ ବଳୁଆ କରି ଶତ୍ରୁକୁ ଭେଟିବାକୁ ତିଆରି ହେଉଥାନ୍ତି । ଏହିପରି କରି ଦଳେଇ ଘାଇର ବିପତ୍ତିରୁ ସ୍ଥାୟୀ ଭାବରେ ଏକରକମ ରକ୍ଷା ମିଳିଲା ବୋଲି ସରକାର ଲୋକଙ୍କ ମନରେ ବିଶ୍ଵାସ ଜନ୍ମାଇ ପାରିଥିଲେ । ନିଜ ମନରେ କିନ୍ତୁ ବିଶ୍ଵାସ ନଥାଏ । ଯେଉଁ ବଡ଼ ଇଞ୍ଜିନିଅର ନିଜେ ବୁଡ଼ି ବାଲିବସ୍ତା ଦେଇ ଘାଇ ରକ୍ଷା କରିଥିଲେ, ସେ ଭବିଷ୍ୟତ ପାଇଁ ଗୁପ୍ତ ବାଣୀ ଲେଖୁଥାନ୍ତି ଯେ ଭବିଷ୍ୟତରେ ଏଇଠାରେ ବିପଦ ଅବଶ୍ୟମ୍ଭାବୀ । ସେଥିପାଇଁ ପ୍ରତିକାରକ କଳ୍ପନା କରି, ତଦନୁସାରେ ଯଥାଶୀଘ୍ର କାମ ଆରମ୍ଭ କରିବାକୁ ସେ ପ୍ରସ୍ତାବ କରିଥାନ୍ତି ।

 

ହୀରାକୁଦ ବନ୍ଧ ଯୋଗୁଁ ଏ ବିପଦ ଆଉ ସେହିପରି ଭୟଙ୍କର ଦିଶିଲା ନାହିଁ । ହୀରାକୁଦ ଯୋଗୁଁ ବନ୍ୟାବିପତ୍ତି କେତେ ଦୂର ରୋକି ହେବ ତାହା ଆଜିକୁ ଜଣା ପଡ଼ିଲାଣି । କିନ୍ତୁ ସେତେବେଳେ ତ ‘‘ନ ଦେଖିଲା ଓଉ ଛ’ ଫଡ଼ା’’ । ହୀରାକୁଦ ବନ୍ଧ ଯୋଗୁଁ ଓଡ଼ିଶାର ଉପକୂଳ ଅଞ୍ଚଳରୁ ବନ୍ୟା ସମସ୍ୟା ଏକାବେଳେକେ ଉଭେଇ ଯିବ ବୋଲି ସେତେବେଳେ ସରକାରଙ୍କର ବି ବିଶ୍ୱାସ ହୋଇ ଯାଇଥିଲା । ସ୍ଵରାଜ୍ୟ ହେଲା ପରେ ହୀରାକୁଦ ବନ୍ଧ ଶେଷ କରିବାକୁ ତନାଘନା କାମ ଚାଲିଲା । ଯେତେ ଉଦ୍ୟମ ଓ ଅର୍ଥର ଏଥିପାଇଁ ବ୍ୟବସ୍ଥା ହେଲା, ତହିଁରୁ କାଣିଚେ ମଧ୍ୟ ବନ୍ଧବାଡ଼ ଆଡ଼େ ଗଲା ନାହିଁ । ପ୍ରକୃତି ମଧ୍ୟ ସରକାର ଓ ଲୋକଙ୍କୁ ଉଦାସୀନ କରିବାରେ ସାହାଯ୍ୟ କଲା । ହୀରାକୁଦ ବନ୍ଧରେ କାମ ଆରମ୍ଭ ହେଲା ଦିନୁଁ ବଡ ବଢ଼ିର ନାମ ବି ଶୁଣାଗଲା ନାହିଁ । ମୂର୍ଖ ଲୋକ ବିଚାରିଲେ, ହୀରାକୁଦ ଯୋଗୁଁ ବଢ଼ି ହେଉନାହିଁ । ସରକାର ବନ୍ୟା ସମସ୍ୟା ଓ ଅତୀତର ସମସ୍ୟା ବୋଲି ନାହିରେ ତେଲ ଦେଇଦେଲେ । ପୂର୍ତ୍ତବିଭାଗର ମନ୍ତ୍ରୀ, ପୂର୍ତ୍ତ ବିଭାଗରେ ତାଙ୍କର କୌଣସି ଦାୟିତ୍ଵ ନାହିଁ ବୋଲି ଉପଲବ୍‌ଧି କରି, ଖେଳାଳୀଙ୍କ ସଙ୍ଗେ ମାଳୟ ଓ ରୁଷିଆ ବୁଲି ଚାଲିଲେ । ରାଜ୍ୟରେ ରହିଲାବେଳେ କିଲା ପଡ଼ିଆରେ ଖେଳଘର ତୋଳିବାରେ ଲାଗିଲେ । ମୁରବୀ ଖେଳରେ ମାତିଲେ ଘରର ଅନ୍ୟ ସମସ୍ତେ ଯେପରି ମନୋଭାବ ଦେଖାଇବାର କଥା, ପୂର୍ତ୍ତ ବିଭାଗରେ ସେଇଆ ହେଲା । କିଏ କୁକୁଡ଼ା ପାଳିଲା, ତ କିଏ ବଗିଚା କଲା, କିଏ ମଦ ପିଇ ଭୋଳ ହେଲା, ତ କିଏ ମାଛ ଚାଷ ପାଇଁ କୃତ୍ରିମ ପୋଖରୀ ଖୋଳିବାରେ ବ୍ୟସ୍ତ ରହିଲା ।

 

ଚୂଡ଼ାନ୍ତ ଅସାବଧାନତା ପାଇଁ ସୁଯୋଗ ଦେଲା ମରୁଡ଼ି । ଅଗଷ୍ଟମାସ ପର୍ଯ୍ୟନ୍ତ ପାଣି କଷ୍ଟରେ ଲୋକେ ଡହଳ ବିକଳ ହେଉଛନ୍ତି, ବନ୍ୟା କଥା ବିଚାରୁଛି କି ? ପୁରୁଣା ଇତିହାସ ଦରାଣ୍ଡି ଥିଲେ ଜଣାପଡ଼ିଥାନ୍ତା ଯେ, ମରୁଡ଼ି ପଛକୁ ବଢ଼ି ଆସେ । କିନ୍ତୁ ବର୍ତ୍ତମାନ ତ ସମସ୍ତେ ଇତିହାସ ତିଆରି କରୁଛନ୍ତି, ନିଜେ କ’ଣ ଇତିହାସ ପଢ଼ନ୍ତେ !

 

ବନ୍ୟାର ଆଶଙ୍କା ଏତେ ଦୂର ହୋଇଯାଇଥିଲା ଯେ, ଦେବୀ ଦୁହେଁ ଯାଇ ଦଳେଇଘାଇ ପାଖରେ ପହଞ୍ଚି ଦେଖିଲେ, ସେଠାରେ ଜନମାନବ କେହି ନାହାନ୍ତି । ନଈ ଟୁମେଇ କରି ରହିଛି । ଭରା ନଈ ଯୋଗୁଁ ସୁଅ ଆଖିକୁ ଦିଶୁନଥାଏ, ଗୁମ୍‌ ହୋଇଥାଏ । ଭୈରବୀଙ୍କୁ ଦିଶିଲା, ବିରାଡ଼ି ମୂଷାକୁ ଛପି ରହିଲା ପରି ନଈ ଛପିକରି ରହିଛି, ଏକାଡ଼ିଆକେ ସର୍ବନାଶ କରିବ ବୋଲି । ଭବିଷ୍ୟତ ବିପଦ ଆଶଙ୍କାରେ ସେ ଦୁର୍ଗାଙ୍କୁ କହିଲେ, ‘‘ମା’ ! ଦେଖୁଛ ?’’

 

ଦୁର୍ଗା ନିଜର କର୍ତ୍ତବ୍ୟ ନିର୍ଣ୍ଣୟ କରିବାକୁ ଭ୍ରୂକୁଞ୍ଚିତ କରିଥାନ୍ତି । କିଛି ଉତ୍ତର ନ ଦେଇ ସେ ନଈକୁ ଚାହୁଁଥାନ୍ତି, ସେଠାରୁ ଖଣ୍ଡେ ଦୂରରେ ଥିବା ଗୋଟିଏ ବଙ୍ଗଳା ଆଡ଼କୁ ଚାହିଁଥାନ୍ତି । ଭୈରବୀ ତାଙ୍କ ଭଙ୍ଗୀରେ ଆହୁରି ଆତଙ୍କିତ ହୋଇ କହିଲେ, “ମା’ ! କିଛି କହୁ ନାହିଁ କାହିଁକି ମ ? ମତେ ଡର ମାଡ଼ୁଛି ।’’

 

ଦୁର୍ଗା ହସିଲେ, କହିଲେ, ‘‘ଏ ଦୃଶ୍ୟ ଏମିତି କ’ଣ ଯେ, ଭୈରବୀଙ୍କୁ ଭୟଙ୍କର ଦିଶୁଛି, ତୁମେ ଯାଅ ଏ ବଙ୍ଗଳାରେ କିଏ ଅଛି ଦେଖି ଆସ । ମୁଁ ଏ ଭୀଷଣ ସୌନ୍ଦର୍ଯ୍ୟ ଉପଭୋଗ କରୁ କରୁ ଭବିଷ୍ୟତ ପାଇଁ କାର୍ଯ୍ୟପନ୍ଥା ଠିକଣା କରୁଛି ।’’

 

ନିଜେ ଏକୁଟିଆ ହୋଇ ଯିବାକୁ ବା ଦୁର୍ଗାଙ୍କୁ ନଈବନ୍ଧରେ ଏକୁଟିଆ ଛାଡ଼ିବାକୁ ଭୈରବୀଙ୍କର ମନ ହେଉନଥାଏ । କିନ୍ତୁ ଦୁର୍ଗା ଚାହିଁ ସେ ବୁଝିଲେ, ଏ ଆଦେଶ ମାନିବାକୁ ହିଁ ହେବ-

 

ସେ ଯାଇ ବଙ୍ଗଳାରେ ପହଞ୍ଚିଲା ବେଳକୁ, ସେଠାରେ ଦାମ୍ପତ୍ୟ କଳହ ଚରମ ସୀମାରେ ଯାଇ ପହଞ୍ଚିବା ଉପରେ । ଏସ୍‌.ଡ଼ି.ଓଙ୍କ ପତ୍ନୀ କହୁଛନ୍ତି, ‘‘ଏଠାରେ ଯଦି ଏପରି ବିପଦର ଆଶଙ୍କା ଦେଖୁଥିଲ, ମୋତେ ଏଠାକୁ ଆଣିଥିଲ କାହିଁକି ?’’

 

ହାକିମ ବୁଝାଉଥାନ୍ତି, ‘‘ତୁମେ ଏପରି କାହିଁକି ହେଉଛ, ମୁଁ ବୁଝି ପାରୁନାହିଁ । ମୁଁ ତୁମକୁ ଦି’ ପହର ଦିନରୁ କହୁଛି, ଘାଇ ଭାଙ୍ଗିପାରେ, କିନ୍ତୁ ଆମର କିଛି ବିପଦ ନାହିଁ । ଏ ବଙ୍ଗଳା ପାଖକୁ ପାଣି ଆସିବାର ଆଦୌ ସମ୍ଭାବନା ନାହିଁ । ଯଦିବା ତୁମର ଏ ବଙ୍ଗଳାକୁ ଭୟ ହେଉଛି, ତେବେ ଆସ, ନଈବନ୍ଧରେ ଗୋଟିଏ ନିରାପଦ ସ୍ଥାନରେ ତମ୍ବୁ ପକାଇ ସାରିଲିଣି । ତୁମେ ପିଲାକୁ ଧରି ସେଇଠାରେ ରହ, ମୁଁ ଟିକିଏ ଘାଇ ପାଖ ଦେଖି ଆସେ । ତୁମରି ଯୋଗୁଁ ମୁଁ ନଈର ଭୟାନକ ଅବସ୍ଥା ବିଷୟରେ କଟକକୁ ଟେଲିଗ୍ରାମ କରିପାରି ନାହିଁ । ସ୍ଥାନୀୟ ଲୋକଙ୍କୁ ମଧ୍ୟ ସତର୍କ କରିପାରି ନାହିଁ । ସେମାନଙ୍କ ନିରାପତ୍ତା ପାଇଁ ମୁଁ ଯେ ପୁରାମାତ୍ରାରେ ଦାୟୀ ।’’

 

ହାକିମାଣୀ ପଣତକାନିରେ ଲୁହ ପୋଛି କଇଁ କଇଁ ହୋଇ କହିଲେ, ‘‘ଆଉ ମୋ ନିରାପତ୍ତା ପାଇଁ ତୁମର ଆଦୌ ଦାୟିତ୍ଵ ନାହିଁ ! ମୋ ବାପା, ମା’ ତୁମକୁ ମୂଳରୁ ଚିହ୍ନିଥିଲେ ନିଶ୍ଚୟ-। ଓଡ଼ିଶାରେ ବିଭା ନ ହେବାକୁ ମୋତେ ମୋ ମା’ କାନ୍ଦି କାନ୍ଦି କେତେ ପ୍ରବର୍ତ୍ତାଇ ନାହାନ୍ତି-? ତୁମରି କଥାରେ ଭାସି ଯାଇ ମୁଁ ସେମାନଙ୍କ କଥାକୁ କାନ ଦେଲି ନାହିଁ । ଆଜି ମୁଁ ନଈରେ ଭାସିବି ନାହିଁ ତ କିଏ ଭାସିବ ? ମୋଠାରୁ ସିନା ତୁମର ମନ ଛାଡ଼ିଗଲାଣି, ପିଲାଟିର ବିପଦ କଥା ଟିକିଏ ମନରେ ବିଚାର । ସେ ତ ଖାଲି ମୋର ନୁହେଁ । ସେ ତ ତମର ମଧ୍ୟ । ଏ କରାଳ କନ୍ୟା ଭୟରୁ ତା’କୁ ଉଦ୍ଧାର କର, ମୁଁ ଗୋଡ଼ତଳେ ପଡ଼ି ତୁମକୁ ମାଗୁଛି ।’’

 

ଏହା କହି ହାକିମାଣୀ ତୁ କିନି ମୁଣ୍ଡ ପିଟି ଦେଲେ ବସିବା ଜାଗାରେ । ହାକିମ ପାଖରେ ପଡ଼ିଥିବା ଗୋଟିଏ ଚୌକିରେ ମୁଣ୍ଡରେ ହାତ ଦେଇ ବସିଥାନ୍ତି । କିଛି କ୍ଷଣ ପରେ ସେ କହିଲେ, ‘‘ଆଚ୍ଛା, ତମରି କଥା ହେଉ । ମୋର କର୍ତ୍ତବ୍ୟରେ ହେଳା ହେବ ବୋଲି ମୁଁ ସିନା ବ୍ୟସ୍ତ ହେଉଥିଲି । ତୁମରି କଥା ହେଉ, ଟ୍ରକକୁ ବରାଦ କରୁଛି, ସେ ତୁମକୁ ନେଇ କଟକରେ ଛାଡ଼ି ଦେଇ ଆସୁ । ଭଗବାନ ନକରନ୍ତୁ, ଟ୍ରକ ଫେରିବା ପୂର୍ବରୁ ଏଠାରେ କୌଣସି ଦୁର୍ଘଟଣା ନ ଘଟୁ ।’’

 

ହାକିମାଣୀ ଉଠିପଡ଼ି ସ୍ଵାମୀଙ୍କ ପାଖକୁ ଆସିଲେ, ଓ ତାଙ୍କ କାନ୍ଧରେ ମୁହଁ ରଖି କହିଲେ, ‘‘ନା ତା’ କେଭେଁ ହେବ ନାହିଁ । ମୁଁ ଏକୁଟିଆ ଏ ଘରୁ କେଭେଁ ଗୋଡ଼ କାଢ଼ିବି ନାହିଁ । ମୋ ସଙ୍ଗେ ତୁମକୁ ବି ଯିବାକୁ ହେବ । କଟକରେ ମୁଁ କାହା ପାଖେ ରହିବି ? କଟକରେ ତ ଦି’ପାଖେ ନଈ । ମତେ ତୁମେ ନିଜ ଯାଇ କଟକ ଷ୍ଟେସନ୍‌ରେ ଛାଡ଼ି ଦେଇ ଆସିବାକୁ ହେବ ।’’

 

ହାକିମଙ୍କ ମନରେ ଯେଉଁ ଦୁର୍ବଳତା ଆସିଥିଲା, ତାହା ଆଉ ଟିକିଏ ବଢ଼ିଲା । ସେ ହିଁ କରି ଟ୍ରକ୍‌ ବୋଝାଇ କରିବାର ଯୋଗାଡ଼ରେ ରହିଲେ ।

 

ଭୈରବୀ ଏଠାରୁ ଫେରି ଦୁର୍ଗାଙ୍କ ପାଖରେ ପହଞ୍ଚି ଦେଖିଲେ ତାଙ୍କ ମନରେ ଆଉ ଲେଶମାତ୍ର ଦୁଶ୍ଚିନ୍ତା ନାହିଁ । କ’ଣ କରିବାକୁ ହେବ, କିପରି କରିବାକୁ ହେବ ତାହା ସେତେବେଳକୁ ସେ ସ୍ଥିର କରି ସାରିଥାନ୍ତି । ଭୈରବୀ ବଙ୍ଗଳାର ଘଟଣା ଜଣାଇ କହିଲେ, ‘‘ବିଚାରା ଯୁବକକୁ ରାକ୍ଷସୀ କର୍ତ୍ତବ୍ୟଭ୍ରଷ୍ଟ କରିଦେଲା । ବିପଦବେଳେ ସେ ବନ୍ଧ ଉପରେ ହାଜର ରହିବାର କଥା, ସେ ବାହାରିଛି ଭାର୍ଯ୍ୟକୁ କଟକରେ ଗାଡ଼ି ଚଢ଼େଇବାକୁ ।’’

 

ଦୁର୍ଗା ଈଷତ୍‌ ବିରକ୍ତିରେ କହିଲେ, ‘‘ଭୈରବୀ, ତମେ ତ କ’ଣ ସ୍ତ୍ରୀ ଚରିତ୍ରକୁ ପୁରୁଷଙ୍କ ଦୃଷ୍ଟିରେ ଦେଖିଲଣି ? ଏ ସ୍ଥଳରେ ଦୋଷ କାହାର ? ବିଚାରୀ ସ୍ତ୍ରୀ ଲୋକଟିର ସାହସ ଭାଙ୍ଗିଲା କାହା ଯୋଗୁଁ ? ଯେ ଏଇ ହାକିମକୁ ବିଭା ହେବାକୁ ବାପ ମା’ଙ୍କୁ ଛାଡ଼ିଥିଲା, ସେ ଆଜି ଛାଟିପିଟି ହୋଇ ପଳାଉଛି କାହିଁକି ? ସ୍ଵାମୀଠାରେ ଯେଉଁ ମଣିଷପଣିଆଁ ଥିବ ବୋଲି ସେ ସେତେବେଳେ କଳ୍ପନା କରିଥିଲା, ତାହା ନପାଇ ସିନା ତାକୁ ଏତେ ଭୟ ଲାଗୁଛି !’’

 

‘‘ଯେ କଲିକତାରେ ବଢ଼ିଛି, ଗାଧୁଆ କୁଣ୍ଡ ବ୍ୟତୀତ ଅନ୍ୟ କୋଣସିଠାରେ ବଢ଼ି ଦେଖି ନ ଥିବ, ସେ ଏ ନଈବଢ଼ିକୁ ଏତେ ଡରିଲା କାହା ଯୋଗୁଁ ? ଛାଡ଼, ଜଣକର ଭଲ ମନ୍ଦରେ ଆମର ଅଛି କ’ଣ ? ଆମର କର୍ତ୍ତବ୍ୟ ଆମର ଏଥର କର । ଏଇ ଜାଗାରେ ବନ୍ଧଟା ଦୁର୍ବଳ ଜଣା ପଡ଼ୁଛି ! ଦିଅ, ଏଇଠାରେ ଟିକିଏ ମେଲାଇ ଦେବଟି ।’’

 

ଭୈରବୀ ଭୁବନେଶ୍ଵରଠାରୁ ଏଇପରି କିଛି ଆଶଙ୍କା କରିଥିଲେ, କିନ୍ତୁ ଦୁର୍ଗା ଏଡ଼େ ଭୟଙ୍କର କଥା ତାଙ୍କଦ୍ଵାରା କରାଇବେ ବୋଲି ତାଙ୍କ ମନକୁ ଯାଇ ନ ଥିଲା । ସେ ଆତଙ୍କିତ ହୋଇ କହିଲେ, ‘‘ମା’ ! ବନ୍ଧ ଏତେବେଳେ ଟିକିଏ ମେଲାଇ ଦେଲେ କି ବିଭୀଷିକା ବ୍ୟାପିଯିବ ତାହାର କଳ୍ପନା କରିଚ ଟି ?’’

 

ଦୁର୍ଗା ଟିକିଏ ମାତ୍ର ବିଚଳିତ ନ ହୋଇ କହିଲେ, ‘‘କଳ୍ପନା କରି ନାହିଁ ତ ବନ୍ଧ କାଟିବାକୁ କାହିଁକି କହୁଛି ?’’

 

ଭୈରବୀ–ମା’ ! ମୁଁ ପରା ତୁମକୁ କହିଲି ବନ୍ଧ ହାକିମ କହୁଥିଲା, ପାଖଆଖ ଲୋକଙ୍କୁ ଆଦୌ ସାବଧାନ କରାଯାଇନାହିଁ । ଚାରିଆଡ଼େ ନିସ୍ତବ୍‌ଧ । ପାଖଆଖ କୌଣସି ଗାଁରେ ଆଲୁଅଟିଏ ମଧ୍ୟ ଦିଶୁନାହିଁ । ମୋର ମନେ ହେଉଛି, ଲୋକେ ଆଶ୍ୱସ୍ତ ହୋଇଛନ୍ତି ଯେ,ଏଥର ବଢ଼ି ହେବ ନାହିଁ । ଏମିତି ସମୟରେ–?’’

 

ଦୁର୍ଗା–ଏଙ୍କପାଇଁ ଏଇଆ । ସାବଧାନ କଲେ ବା ଡରେଇଲେ କ’ଣ ଫଳ ହେଉଛି, ଦେଖୁଛ ? ବର୍ଷା ତ ସାବଧାନ କରି ଦେଇଛି: ନଈ ତ ତିନିଦିନ ହେଲା ଡରାଉଛି: ଫଳ କ’ଣ ? ସର୍ବୋଚ୍ଚ ଶାସକ ଦିଲ୍ଲୀରେ ବସିଛନ୍ତି, ମନ୍ତ୍ରୀ ଗଡ଼ଜାତ ରାଜାଙ୍କ ପରି ପଣ୍ଡିତ ସଭାରେ ପଣ୍ଡିତଙ୍କୁ ଶାସ୍ତ୍ର ଶୁଣାଉଛନ୍ତି । ହାକିମଙ୍କ ଏକମାତ୍ର ଚିନ୍ତା ନିଜ ଗୋଡ଼ରେ କିପରି ପାଣି ନ ଲାଗିବ । ଏତେବେଳେ ଅଚାନକ ବିପଦ ହିଁ ଏକମାତ୍ର ଔଷଧ । ଦିଅ ଫିଟାଅ ।

 

ଭୈରବୀ ପୁଣି ବିନତି କଲେ ‘‘ମା’ ! ଦୋଷ କରୁଛି କିଏ ଦଣ୍ଡ ଦଉଛ କାହାକୁ ? ଏ ଯେଉଁ ନିରୀହ ଦୁଃସ୍ଥ ଲୋକେ ଘାଇମୁହଁରେ ଘର କରି ରହିଛନ୍ତି, ସେମାନଙ୍କ ଅପରାଧ କ’ଣ ?’’

 

ଦୁର୍ଗା–ଭୈରବୀ ତୁମକୁ ଯାହା କରିବାକୁ କହୁଛି, ତାହା କର । ଆଦେଶ ପାଳନ କରିବାକୁ ଗଲାବେଳେ ଏତେ ତର୍କ କରିବା ଭଲ ହେବ ନାହିଁ । ଏମାନେ ଦୁଃସ୍ଥ ହୋଇପାରନ୍ତି, ନିରୀହ ତ ନୁହନ୍ତି । ଏମାନଙ୍କୁ ଭୋଟ ଅଧିକାର ମିଳିଛି । ଏଇମାନଙ୍କର ନାମରେ ଶାସନ ଚାଲିଛି । ଆଜି ଯେ ମନ୍ତ୍ରୀ ଓ ଶାସକ ସେମାନେ ଏଇମାନଙ୍କ ଭୋଟ ବଳରେ ତାହା ହୋଇଛନ୍ତି, ପୈତୃକ ଅଧିକାରରୁ ନୁହେଁ । ଏମାନେ ନିଜର କର୍ତ୍ତବ୍ୟ ଭୁଲିଛନ୍ତି ବୋଲି କ’ଣ ସଂସାର ଅଟକିବ ।

 

ଭୈରବୀ ବନ୍ଧ କାଟିବାକୁ ଉଦ୍ୟତ ହୋଇ ଅଭିମାନରେ କହିଲେ ‘‘ମା’ ! ତୁମେଇ ତ କୁହ ଆଦେଶ ଯୁକ୍ତିସଙ୍ଗତ ନୁହେଁ ବୋଲି ଯଦି ମନେ ହେବ, ତେବେ ପଚାରି ନିଜ ମନକୁ ସନ୍ତୁଷ୍ଟ କଲା ପରେ ଯାଇ କାମ କରିବ । ନିଜର ପିଲାଗୁଡ଼ାକୁ ଘାଇ ମୁହଁକୁ ଠେଲି ଦେବାକୁ ବସିଛ, ମୁଁ ପଚାରିବାରୁ କହୁଛ କ’ଣ ନା, ମୁଁ ତର୍କ କରୁଛି । ମୋର ଆଉ କିଛି ପଚାରିବାର ନାହିଁ । ତୁମ କାମର ଫଳ ତମେ ସମ୍ଭାଳିବ ନାହିଁ କି ?

 

ଦୁର୍ଗା ଭୈରବୀଙ୍କ ପାଖକୁ ଯାଇ ତାଙ୍କ କାନ୍ଧରେ ହାତ ରଖିକି କହିଲେ, ‘‘ସଖୀ ! ପିଲାଙ୍କୁ ଘାଇ ମୁହଁକୁ ପେଲୁଛି ବୋଲି ଜାଣିକାରି ତ ଇଆ କରୁଛି–ସେଇ ପିଲାଙ୍କ ପାଇଁ । ମା’ ପିଲାଙ୍କୁ ମାରେ ନାହିଁ? ଆକଟ ନ କଲେ ଦଣ୍ଡ ନ ଦେଲେ, ଅବୁଝା ପିଲା ଶାସ୍ତା ହୁଅନ୍ତି? ମୋ ନିଜର ପିଲା ନ ହୋଇଥିଲେ କ’ଣ ମୁଁ ଭରସି କରି ଇଆ କରନ୍ତି?’’

 

ମୋଟେ ଚାରି ଆଙ୍ଗୁଳି ଆକ୍ରାନ୍ତରେ ଘାଇ ମେଲା ହେବ। ସଙ୍ଗେ ସଙ୍ଗେ କିନ୍ତୁ ଏଡ଼େ ବଡ଼ ନଈ, ସତେ ଯେମିତି ସେଇ ଚାରି ଆଙ୍ଗୁଳି ବାଟରେ କୂଳ ଲଙ୍ଘିବାକୁ ଉଦ୍ୟମ ଆରମ୍ଭ କରିଦେଲା । ଘଣ୍ଟାକ ଭିତରେ ଘାଇ ବେଁ ଓସାର ହୋଇଗଲା । ପୂର୍ବ ଦିଗରେ ସିନ୍ଦୂରା ଫାଟିଲା ବେଳକୁ ଘାଇର ଓସାର ହୋଇଗଲାଣି ଅଧମାଇଲିଏ ଲମ୍ବ । ପାଖ ଆଖ ଗାଁ ମାନଙ୍କରେ ମର୍ମଭେଦୀ ଚିତ୍କାର ପବନକୁ ମୁଖରିତ କରୁଥାଏ । ଭୈରବୀ ଏ ଭୀଷଣ ଦୃଶ୍ୟକୁ କାବା ହୋଇ ଚାହିଁଥାନ୍ତି । ଦୁର୍ଗାଙ୍କ ଦୁଇ ଗଣ୍ଡକୁ ଧୋଇ ଦୁଇ ଧାର ଲୁହ ଅନବରତ ବୋହୁଥାଏ ।

 

ଭଗବାନ ମାଧବ ମହାଦେବଙ୍କ ଆଗେ ପ୍ରତିଶ୍ରୁତି ହୋଇଥିଲେ ଯେ, ସେ ଦୁର୍ଗାଙ୍କର ସାଙ୍ଗେ ସାଙ୍ଗେ ରହିବେ । ମର୍ତ୍ତ୍ୟକୁ ଆସିଲାବେଳୁ ଏତେବେଳେ ଯାଏଁ ମର୍ତ୍ତ୍ୟର ଲୀଳାରେ ବ୍ୟସ୍ତ ରହିଥିବାରୁ ଦେବୀ ସେକଥା ଏକରକମ ଭୁଲି ଯାଇଥିଲେ । ତେଣୁ ହଠାତ୍‌ ଆଗରେ ନାରାୟଣକୁ ଦେଖି ସେ ବିବ୍ରତ ହୋଇପଡ଼ିଲେ । ନାରାୟଣଙ୍କ ମୁହଁରେ ତାଙ୍କରି ସ୍ୱାଭାବିକ ସ୍ମିତ ହାସ୍ୟ । ପୂର୍ଣ୍ଣେନ୍ଦୁ ସୁନ୍ଦର ମୁଖରେ ,ପଦ୍ମନେତ୍ରର ପ୍ରଶାନ୍ତ ଦୃଷ୍ଟିରେ ଟିକିଏ ହେଲେ ବ୍ୟତିକ୍ରମ ନାହିଁ । ମହାଦେବୀ ଲୋତକ ପାଇଁ ଲଜ୍ଜିତ ହେଲେ ।

 

ମାଧବ କହିଲେ–ମହାଦେବୀ, ମୁଁ ଅନବରତ ତୁମ ସାଙ୍ଗେ ସାଙ୍ଗେ ଅଛି । ଯାହା କରିଛ ଠିକ୍‌ କରିଛ । ଏ ପର୍ଯ୍ୟନ୍ତ ତ କର୍ତ୍ତବ୍ୟ ନିରୂପଣ ଚାଲିଥିଲା । କାର୍ଯ୍ୟର ବେଳ ଆସିଲାବେଳକୁ ଭାବାବେଗ ରୋକିଲେ ସିନା ହେବ । ତୁମ ଆଖିରେ ଲୁହ ଦେଖି ମୋତେ ସୁଖ ଲାଗୁନାହିଁ ।

 

ଦୁର୍ଗା ମୁହଁ ପୋଛୁ ପୋଛୁ କହିଲେ ‘‘ନା, ନା, ମାଧବ ! ମୋତେ ଆପଣ ଯେଉଁ କାମରେ ଲଗାଇଛନ୍ତି ସେଥିରେ ଭାବାବେଗ ପାଇଁ ଅବସର କାହିଁ, ଭଗବାନ୍‌ ! ଅନ୍ତଯାର୍ମୀ ! ଭୈରବୀଙ୍କୁ କିପରି ଏ କାର୍ଯ୍ୟରେ ଲଗାଇଲି ତାହା ତ ଜାଣ ! କିନ୍ତୁ ଯେତେ ହେଲେ ମା’ର ହୃଦୟ ତ ! ସହି ହେଉନାହିଁ ! ଲୋକେଶ ! ମୋ ପିଲାଙ୍କୁ ରକ୍ଷା କର । ବର୍ତ୍ତମାନ ଯେ ତୁମ ବ୍ୟତୀତ ଅନ୍ୟ ଗତି ନାହିଁ, ଭଗବାନ୍‌ !

 

ଭଗବାନ୍‌ ସେହିପରି ପ୍ରସନ୍ନ ବଦନରେ କହିଲେ ‘‘ଦେବୀ ! ତୁମର ପିଲା କ’ଣ ମୋର ପିଲା ନୁହନ୍ତି ! ମୋର କାର୍ଯ୍ୟ ଚାଲିଛି, ଯାଅ, ଦେଖ । ସମସ୍ତେ ବର୍ତ୍ତମାନ ମୋର ଶକ୍ତି, ଆତ୍ମଶକ୍ତିରେ ଅସାଧ୍ୟ ସାଧନ କରୁଛନ୍ତି । ଯେଉଁମାନଙ୍କୁ ଅପଦାର୍ଥ, ନିର୍ଜୀବ, ଉତ୍ସାହହୀନ ବୋଲି ପ୍ରତିଦିନ ଗାଳି ଶୁଣିବାକୁ ହେଉଛି, ଯାଅ ଦେଖିବ, ସେମାନେ କିପରି ସିଂହ ପରି ଏ କରାଳ ବନ୍ୟା ସଙ୍ଗେ ଲଢ଼ୁଛନ୍ତି । ମନର ଏହି ବଳ ଯଦି କିଛିଦିନ ସ୍ଥାୟୀ ହୋଇଯାଆନ୍ତା, ତେବେ ମର୍ତ୍ତ୍ୟର ଲୋକେ ବୁଝନ୍ତେ, ମନୁଷ୍ୟ ଜନ୍ମର ବିଶେଷତ୍ୱ କ’ଣ ? ଦେବତାମାନେ କାହିଁକି ନରଦେହ କରିବାକୁ ଲାଳସୀ ହୁଅନ୍ତି ? ଆଚ୍ଛା, ଭବିଷ୍ୟତର କାର୍ଯ୍ୟ ପନ୍ଥା ନିର୍ଣ୍ଣୟ ହୋଇ ସାରିଛି ତ ?’’

 

ମହାଦେବୀ କହିଲେ, ‘‘ହଁ, ପ୍ରଭୁ ! ହୋଇଛି । ମୁଁ ସ୍ଥିର କରିଛି, ଜଣକଠାରେ ଅବତରିବି-! ବର୍ତ୍ତମାନ ସେଇ ଜଣକୁ ଖୋଜିବାକୁ ଯାଉଛି ।’’ ଭଗବାନ କହିଲେ "ହେଇ ! ଦୂରରେ ଯେଉଁ ତୋଟାଟା ଦିଶୁଛି, ତାରି ଡାହାଣ ପାଖରେ ଥିବା ଗାଁକୁ ଯାଅ, ଖୋଜ । ଯେଉଁ ଭାଗ୍ୟବତୀ ତୁମର ଶକ୍ତି ଗ୍ରହଣ କରିବାକୁ ସମର୍ଥ ସେ କିପରି ଶୀଘ୍ର ମିଳନ୍ତୁ ।’’

 

ଦୁର୍ଗାଙ୍କ ମୁହଁରୁ ହସ ଉକୁଟିଲା । ସେ କହିଲେ, ‘‘ଭଗବାନ ! ମୁଁ ତ ସେଇ ଗାଁକୁ ଯିବାକୁ ବାହାରୁଛି ।’’

 

ମାଧବ ଦୁଷ୍ଟାମି ହସି ହସି କହିଲେ ‘‘ମୁଁ କ’ଣ କେବଳ କହିଛି, ତୁମଠାରୁ ମୁଁ ଅଧିକ ଜାଣେ ବୋଲି ? ସ୍ଵର୍ଗରୁ ଓହ୍ଲାଇଲା ବେଳୁ ତୁମର ସେଇ ଗାଁଟି ଉପରେ ଲକ୍ଷ୍ୟ, ଏହା ମୁଁ ଆଗରୁ ଜାଣିଛି । ଯାଅ, ଯାଅ, ତୁମର ଅନୁଗୃହୀତାକୁ ଶୀଘ୍ର କୋଳକୁ ନିଅ ।’’

 

ଦୁର୍ଗା ଅଭିମାନରେ କହିଲେ ‘‘ଲୀଳାମୟ ! ଏତେବେଳେ ବି ରହସ୍ୟ କରୁଛ ? ମୁଁ ଯାହାର ସନ୍ଧାନରେ ଯାଉଛି ତା’କୁ ଭାଗ୍ୟବତୀ କହୁଛ । ସେ ତ ଦୁର୍ଭଗା । ତା’ ସଂସାରରେ ଯାହାକୁ ସୁଖ ବୋଲି କହନ୍ତି, ସେସବୁ ତ ଯିବାକୁ ଆଉ ବେଶୀ ଡେରି ନାହିଁ, ଭଗବାନ୍‌ । ତା’ର ଆଉ କିଏ ଅଛି ?’’

 

ମାଧବ କହିଲେ–ଏଇମିତି କଥାକୁ ତ ଦେବଦେବ ଚିଡ଼ନ୍ତି । ଏଇ ମାଇକିନିଆ କଥା । ସଂସାରରେ ଦେଖିନାହିଁ, କୋଡ଼ପୋଛା ପିଲାଟିକୁ, ଅସମର୍ଥ ପିଲାଟିକୁ ମା’ ଅରକ୍ଷ ଅପାରିବାର ଦୋଲି ନିଜର ସମସ୍ତ ଶ୍ରଦ୍ଧା ଓ ସ୍ନେହ ତାକୁଇ ଦେଇଦିଏ । ଯେ ମାତୃସ୍ନେହର ଏକଚାଟିଆ ଅଧିକାର ପାଇଗଲା, ତା’ର ଶକ୍ତି ଯେ ପୂର୍ବରୁ ବଳୁଆ ଓ ସମର୍ଥ ବୋଲାଉଥିବା ସମସ୍ତଙ୍କଠାରୁ ବେଶୀ ହୋଇଥିଲା ଏକଥା ମା’ ଆଉ କଳ୍ପନା କରିପାରେ କି ? ତୁମର ଶକ୍ତି ଓ ମୋର ଅନୁଗ୍ରହ ଯେ ପାଇଯିବ, ସେ ଲୋକଦୃଷ୍ଟିରେ କେତେଦିନ ଦୁର୍ଭଗା ହୋଇ ରହିବ, ଅପର୍ଣ୍ଣା ?

 

ଦୁର୍ଗା ଗଭୀର କୃତଜ୍ଞତାରେ ଭଗବାନଙ୍କୁ ଅଭିବାଦନ କରି କହିଲେ, “ବିଶ୍ଵାତ୍ମନ ! ତୁମରି ଇଚ୍ଛା ପୂରଣ ହେଉ ।’’ ଭଗବାନ ବିଦାୟ ନେଲେ; ଦୁର୍ଗା ଓ ଭୈରବୀ ଉଲ୍ଲିଖିତ ଗାଁ ଅଭିମୁଖରେ ଚାଲିଲେ ।

☆☆☆

 

ବିପତ୍ତି ଉପରେ ବିପତ୍ତି

 

ଆମ୍ବ, ପଣସ ଓ ନଡ଼ିଆ ମାଳ ଭିତରେ ନୂଆସାହି ଗ୍ରାମଟି ଦୂରରୁ ଦିଶେନାହିଁ । ବିଲମାଳରୁ ଗାଁ ଭିତରକୁ ଗୋଟିଏ ସରୁଆ ରାସ୍ତା, ସେଇ ବାଟେ ଯାଇ ମହାଦେବୀ ଓ ଭୈରବୀ ଗାଁ ଭିତରେ ପଶିଲେ । ଦୁଇଟି ସାହାଲା ଘର । ମୋଟେ କୋଡ଼ିଏ ପଚିଶଟି ପରିବାର ନଈ ମୁହଁରେ ପଡ଼ିଥିବା ଗୋଟିଏ ଗାଁରୁ ଉଠି ଆସି ନୂଆ ବସ୍ତି ବାନ୍ଧିଛନ୍ତି । ଗାଁର ପଶ୍ଚିମ ପାଖେ ଠାକୁର ଘର–ଚାଳ ଖଣ୍ଡିଏ । ଭିତରେ ଖୁବ୍‌ ସୁନ୍ଦର ଗୋପୀନାଥ ମୂର୍ତ୍ତିଟିଏ । କୁଡ଼ିଆର କଡ଼ରେ ତାଙ୍କ ପାଇଁ ଗୋଟିଏ ଦେଉଳ ଅଧା ତିଆରି ହୋଇଛି । ଦୁର୍ଗା ଗୋପୀନାଥଙ୍କ ମୂର୍ତ୍ତିକୁ ଟିକିଏ ଚାହିଁ ରହିଲେ । ଜୀବନ୍ତ ମୂର୍ତ୍ତି । ଦୁର୍ଗା ଓ ଗୋପୀନାଥଙ୍କର ଚାରିଚକ୍ଷୁ ମିଳିଗଲା । ଗୋପୀନାଥଙ୍କ ପ୍ରସନ୍ନ ମୂର୍ତ୍ତି ଦେଖି ଦୁର୍ଗାଙ୍କ ମୁହଁରେ ବିଷାଦର ଯେଉଁ ଶେଷ ଚିହ୍ନ ଥିଲ ତା’ କୁଆଡ଼େ ମିଳାଇଗଲା । ଦେଉଳ ଉପରେ ଟିକିଏ ଆଖି ବୁଲାଇଦେଇ ସେ ଭୈରବୀଙ୍କୁ କହିଲେ, “ଆହା ବିଚାରା ! ଏଇ ଖଣ୍ଡ ଏବର୍ଷ ପୂରଣ କରି ଦେବ ବୋଲି ହାଡ଼ଭଙ୍ଗା ପରିଶ୍ରମ କରି ବେମାର ପଡ଼ିଯାଇଛି, ଗୁଡ଼ାଏ ଦିନ ହେଲା ।’’

 

ଭୈରବୀଙ୍କର ମୁହଁରୁ ଆତ୍ମଗ୍ଳାନି ଓ ଦୁଃଖର ଚିହ୍ନ ପୂରା ଯାଇ ନଥାଏ । ସେ ଉତ୍ତର ଦେଲେ, “ଆଉ ଆହା ବୋଲି କହି ଲାଭ କ’ଣ ? ତମର କାମ କରି କରି ତ ବିଚାରା ଏତେ ସରି ହେଲା, ଶେଷରେ ତ ଏକାଥରକେ ଜୀବନ ନେବାର ଉପାୟ କରି ଆସିଛ । ଆଉ ‘ଆହା’ କାହିଁକି-।’’

 

ଦୁର୍ଗା ଇଷତ୍‌ ହସି କହିଲେ, ‘‘ଭୈରବୀ, ସେଇ ଗୋଟାଏ କଥା ଏତେବେଳେ ଯାଏଁ ଭାବି ଭାବି ଘାଣ୍ଟି ହେଉଛୁ ? ଯାହା ହେବାର କଥା ତାହା ହେଉଛି । ତୋ’ର ମୋର ସେଥିରେ କ’ଣ ଅଛି ? ଈଶ୍ଵରଙ୍କ ଇଚ୍ଛା ଅନୁସାରେ ସବୁ ଚାଲିଛି । ଆମେ ଖାଲି ବେକରେ ଦଉଡ଼ି ଲଗାହୋଇ ତାଙ୍କର ଇଚ୍ଛା ଅନୁସାରେ ଟଣା ହେଉଥାଇଁ ସିନା ! ଚାଲ, ଚାଲ, ତାଙ୍କ ଘରେ ଟିକିଏ ମୁହଁମାରି ଦେଇ ଆସିବା ।’’

 

ଦୁହେଁ ଗୋଟିଏ ଛୋଟ ପିଣ୍ଡା ଉପରେ ଉଠି ଦୁଆର ଖୋଲିବାକୁ ଅପେକ୍ଷା କରୁଛନ୍ତି, ଜଣେ ସତୁରୀ ବର୍ଷର ବୃଦ୍ଧ ତୁଣ୍ଡରେ କୃଷ୍ଣନାମ ଜପି ଜପି ସେଇ ପିଣ୍ଡାରେ ଉଠିଲେ ଓ ଆଉଜା ହୋଇଥିବା ଦୁଆର ମେଲାଇ ଘରେ ପଶି ଧୀରଭାବରେ ଡାକିଲେ, ‘‘ମା’ ! ଦୁରୁଗି, ଜ୍ଵାଇଙ୍କି ଜର କାଲି ଛାଡ଼ିଲା ଟିକି ?"

 

ଦୁର୍ଗା ଆସି ବୁଢ଼ାଙ୍କୁ ଓଳଗି ହେଲାବେଳକୁ ଦୁର୍ଗା ଓ ଭୈରବୀ ଘର ଭିତରକୁ ଆସି ସେଇଠାରେ ଅଲକ୍ଷିତରେ ଠିଆ ହୋଇଥାନ୍ତି ।

 

ଦୁର୍ଗା ହସି ହସି ବୁଢ଼ାକୁ କହିଲା, “ବାପା ! ତମରି କଥା ହେଲା । ତମେ ଏଡ଼େ ସକାଳୁ ପୁଣି କାହିଁକି ଆସି ପହଞ୍ଚିଲ ଯେ ?’’

 

ବୁଢ଼ା ଝିଅ ହାତରୁ ତାଳ ନେଇ ଗୋଡ଼ ଧୋଇ ପୋଛି ବସୁ ବସୁ କହିଲେ, “ମା’, ମନ ପରା ସବୁବେଳେ ଏଇଠି । ଖାଲି ଗୋରୁ ଗାଈଙ୍କ ଯୋଗୁଁ ସିନା କାଲି ରାତିରେ ଘରକୁ ଗଲି । ମା’ ପିଲା ଯୋଡ଼ାକଯାକ ମୁଁ ଗଲା ବେଳକୁ ଦାଣ୍ଡଦୁଆରେ ଶୋଇଛନ୍ତି । ବର୍ଷା ଦିନ, ପୁଣି ସେ ହେଟାଳଟା ପ୍ରତିଦିନ ଗାଁ ଭିତରକୁ ଆସୁଛି । ମା’ଠାରୁ ପିଲାକୁ ଛଡ଼େଇ ନେବା ସହଜ ନୁହେଁ ଯେ, ତଥାପି ଆମର ତ ବିଚାରିବା କଥା । କିନ୍ତୁ ଯୋଡ଼ିକ ଗୁହାଳରେ ପୂରାଇ ଦେଇ ବିଚାରିଥିଲି, ସାଙ୍ଗେ ସାଙ୍ଗେ ତୋ’ରି ପାଖକୁ ଫେରି ଆସିଥାନ୍ତି । ବସୁ ବସୁ ନିଦ ଲାଗିଗଲା । ମୁଁ ତ ସବୁବେଳେ ଖାଲି ମୋରି କଥା ଗପୁଛି, ମା’ ! କହିବୁଟି କିମିତି ଏ ରାତି ପାହିଲା ?’’

 

ସେତିକିବେଳକୁ ଆର ଘରୁ ପିଲାଙ୍କ ପାଟି ଶୁଭିଲା । ‘ରାତିଯାକ ଇମିତି ତ କଟୁଛି !’ ବୋଲି ଟିକିଏ ହସି ହସି କହି ଦୁର୍ଗା ପିଲାଙ୍କ ପାଖକୁ ଗଲାବେଳକୁ ଦିହେଁ ଯାକ ଆସି ସେଇ ଘରର ଦୁଆର ମୁହଁରେ ହାଜର । ବୋଉ ଉପରୁ ଅଜାଙ୍କ ଉପରେ ଦୃଷ୍ଟି ପଡ଼ିବାରୁ ଦୁହେଁ ଯାକ ତାଙ୍କରି ଉପରେ ଲଦି ହୋଇଗଲେ । ବଡ଼, ଝିଅଟି କହିଲା, ‘‘ହଁ, ସିଠେଉ କ’ଣ ହେଲା କହିବଟି ଅଜା ! ପ୍ରହଲାଦ ତ ପାଣିରେ ପଡ଼ି ବୁଡ଼ି ଯାଇଥିବ ?’’ ସାନର ବି ଗପ ଶୁଣିବାକୁ ମନ, ଯଦିଓ ସେ କିଛି ବୁଝିପାରେ ନାହିଁ ।

 

ବୋଉ ଦି’ଖଣ୍ଡ ଦାନ୍ତକାଠି ଧରି ପହଞ୍ଚିବାରୁ ଗପରୁ ମନ ଜଳଖିଆ ଆଡ଼କୁ ଚାଲିଗଲା । ପିଲାମାନେ ମୁହଁ ଧୋଇ, ଦାନ୍ତ ଘଷି, ମୁଢ଼ି ପୁଞ୍ଜିଏ ଧରି ଦାଣ୍ଡକୁ ଚାଲିଗଲେ । ଅଜା ପଛରୁ ଡାକିଦେଲେ, “ଏ ମାଳ ! ଭାଇକୁ କନ୍ଦେଇବୁ ନାହିଁ ।’’

 

ଦୁର୍ଗା କହିଲା, ସେଇ ଟୋକିଟା ଯୋଗୁଁ ତ ବାପା ଏ ମାସକ କଟିଲା ! ସେ ତା’ ଭାଇକି ଯେମିତି ସମ୍ଭାଳିଛି, କୋଉ ମା’ ଇମିତି ସମ୍ଭାଳିବ ଯେ ! କାଲି ରାତିରେ ସପନରେ କହୁଥାଏ, “ବାପା ! ପାଟି କରନା; ବାପାଙ୍କ ନିଦ ଭାଜିଯିବ, ତାଙ୍କ ଦିହ ପରା ଉ ହୋଇଛି । କ'ଣ ଖରାପ ସପନ ଦେଖୁଥିବ ବୋଲି ବିଚାରି ମୁଁ କୋଡ଼କୁ ନେଇ ଆପେ ଶୋଇ ପଡ଼ିଲି ।”

 

ବୁଢ଼ା କହିଲେ, ‘‘ହଉ ମା’ ! ଗୋଟାଏ ବଡ଼ ବିପଦରୁ ଉଦ୍ଧାର ହୋଇଗଲେ । ମାଧବଙ୍କର ଗୋଟାଏ ବଡ଼ ରିଷ୍ଟ ଥିଲା । ହରି ଅବଧାନ କହିବା ଦିନୁଁ ପରା ମୋର ଛାତି ଧଡ଼ଧଡ଼ ହେଉଥାଏ । ଯାହା ହେଉ କଟିଗଲା ! ମା’, ମାଧ’କୁ ଆଜି କ’ଣ ଟିକିଏ ପଥି ଦେବା । କବିରାଜେ ଆଜି ସକାଳୁ ଆସିବେ ବୋଲି ପରା କହିଛନ୍ତି ?’’

 

ଦୁର୍ଗା–ସେ ଆସିବେ ବୋଲି କହିଥିଲେ ଯେ ମୁଁ ନାହିଁ କରିଛି । ମୁଁ କହିଛି, ଯଦି ଜର ନ ଛାଡ଼ିବ, ଆଉ ଯଦି ବାଉଳି ଚାଉଳି ହେବେ ତେବେ ମୁଁ ଡକାଇ ପଠାଇବି ।

 

ବୁଢ଼ା–ଭଲ କଲୁ ମା’ ! କବିରାଜ ବୋଇଲେ ଏ ମୂଲକରେ ସେଇ ଜଣକ । ସେ ଜଣକ ଗଲେ, ଆଗ ପଇସା ଅଣ୍ଟାରେ ନ ଖୋସିଲେ କିଏ ଆଉ ଘରୁ ବାହାରିବ ? ସେ ମୋ’ଠାରୁ ବର୍ଷ ଦି'ଟା ସାନ ସିନା, ଟିକିଏ ପିଣ୍ଡବସା ଲୋକ ହୋଇଥିବାରୁ ଯିବା ଆସିବାକୁ ପାରନ୍ତି ନାହିଁ । ବୁଢ଼ା ଖାଲି ମନର ଜୋରରେ ମାରୁଛି ନା ! କ’ଣ ପଥି ଦେବାକୁ କହିଛନ୍ତି ?

 

ଦୁର୍ଗା–କହିଲେ, ନ୍ତ୍ରିଦୋଷ ସନ୍ନିପାତ ଜରରେ ରୋଗୀ ଖାଇବାକୁ ଖୋଜିବ । ଯେତିକି ନ ଦେବ ସେତିକି ଭଲ । ଭାତ ଫୁଟିଆଣି ପାଣି ଟୋପେ ଦେବାକୁ କହିଛନ୍ତି । ‘‘ହଉ, ହଉ,ପୁଞ୍ଜେ ବସେଇ ଦେ । ପୁଅ ଉଠିକରି ଯଦି ଖାଇବାକୁ ଖୋଜିବ କେଜାଣି ? ରାତିରେ ଆଉ କ’ଣ ନିଦ ଭାଜିଥିଲା ?’’

 

‘‘ନାଇଁ, ତମେ ଗଲାବେଳୁ ତ ସିମିତି ଏକା କଡ଼ରେ ଶୋଇଛନ୍ତି ।’’

 

ବୁଢ଼ା ତୃପ୍ତିରେ ନିଃଶ୍ୱାସଟିଏ ମାଇଲେ, କହିଲେ ‘‘ହଉ ଶୋଉ,ଶୋଉ । ତା’ର ବହୁତ ନିଦ ବାକି ଅଛି ମା’ !’’ ବୁଢ଼ା ଆତ୍ମତୃପ୍ତିରେ ଗୁଣୁଗୁଣୁ ହୋଇ ଗାଇଲେ :–

 

ସମାଶ୍ରିତା ! ଯେ ପଦପଲ୍ଲବବିପ୍ଳବଂ

ମହତ୍‌ପଦଂ ପୁଣ୍ୟଯଶୋ ମୁରାରେଃ ।

ଭବାମ୍ଭୁଧିର୍ବତ୍ସପଦଂ ପରଂ ପଦଂ

ପଦଂ ପଦଂ ଯଦ୍‌ବିପଦାଂ ନ ତେଷାମ୍‌ ।।

 

ଝିଅକୁ ପାଖକୁ ଡାକି କହିଲେ,‘‘ମା’ ! ଭଗବାନଙ୍କ ପାଦପଦ୍ମରେ ମନ ରଖିଥିଲେ ବିପଦ ପାଖେ ପଶିପାରିବ ନାହିଁ । ସବୁ ବିପଦରୁ ପାରି କରିବା ବାଲା ସେଇ । ତାଙ୍କରିଠେଇ ମନ ରଖିଥିବୁ । ଭଗବାନଙ୍କଠାରେ ଯାହାର ଲୟ ତା’କୁ ବିପଦ କ’ଣ ମା’ !’’

 

ଦୁର୍ଗାର ପିଲାଦିନୁ କମିତି ଗୋଟାଏ ବିଶ୍ୱାସ ତା’ରି ବାପା ନିଜେ ଭଗବାନ୍‌ । ତା’ର କାଲିପରି ମନେ ଅଛି, ତା’ ମା’ଙ୍କର ମୃତ୍ୟୁଶଯ୍ୟା । ବୁଢ଼ା କବିରାଜ ପାଖରେ ବସିଥାନ୍ତି, ବାପା ପଚାରିଲେ,‘‘କ’ଣ ସରିଗଲା ? କବିରାଜେ !’’ କବିରାଜେ ମୁହଁ ଶୁଖାଇ ବାପାଙ୍କ ଆଡ଼କୁ ଖାଲି ଚାହିଁଲେ । ବାପା ଦୁର୍ଗାକୁ କାଖେଇ ଦାଣ୍ଡକୁ ବାହାରିଗଲେ । ମୁହଁରୁ କିଛି ଜଣା ପଡ଼ୁ ନଥାଏ । ବାପା ବୁଝାଇ ଦେଲେ,‘ମା’ ! ତୋ ମା’ ଭଲ ମା’ ହୋଇଥିବାରୁ ଭଗବାନ୍‌ ତା’କୁ ନେଇଗଲେ, ଆକାଶରେ ରଖିବେ । ଆକାଶର ଗୋଟିଏ ତାରାକୁ ଦେଖାଇ ଦେଇ କହିଲେ, ‘‘ଦୁର୍‌ଗି,ଏଇ ତୋ’ର ମା’ ! ବହୁତ ଦୂରରେ ଥିବାରୁ ଇମିତି ଦିଶୁଛି ।’’ ‘‘ମୋ ମା’ ତ ଏଡ଼େ ଉଜ୍ଜ୍ଵଳ ନୁହେଁ । ‘‘ଆଲୋ ଝିଅ ! ମର୍ତ୍ତ୍ୟରେ କ’ଣ ଉଜ୍ଜ୍ଵଳ ଦିଶନ୍ତା ? ଯେ ଭଲ ଲୋକ ସେ ମରିଗଲେ ଇମିତି ଉଜ୍ଜ୍ଵଳ ଦିଶନ୍ତି । ମେଘରେ ଯାଇ ତରା ହୋଇ ରହନ୍ତି ।’’

 

ମା’ ମରିବାର ତିନି ଚାରି ବର୍ଷଯାଏ ଦୁର୍ଗା ରାତିରେ ତିନି ଚାରିଥର ଲଗାଏ, ମା’କୁ ଦେଖିବାକୁ । ତା’ପରେ ଦୁର୍ଗା ଯେତେବେଳେ ବଡ଼ ହେଲା ସବୁ ଜାଣିଲା, ସେତେବେଳେ ସେ ଆଉ ତାରାକୁ ଚାହିଁବାକୁ ଚାହେନାହିଁ । ସେ ବାପାଙ୍କ ମୁହଁକୁ ଚାହିଁ ଦିଏ, ମା’ ମରିବାର ଦିନର ସ୍ମୃତି ତା’ର ମନେପଡ଼େ,ସେ ଦିନ ବାପାଙ୍କ ମୁହଁ ଯେମିତି ଦିଶୁଥିଲା ମନେପଡ଼େ–ମା’ର ସ୍ମୃତି ଉପରେ ଦିଶେ ବାପାଙ୍କ ମୁହଁ । ସେ ମନେ ମନେ ବିଚାରେ,ତା'ରି ବାପା ହିଁ ଭଗବାନ । ମା ତାଙ୍କରି ପାଖରେ ଅଛି-। ଆଜି ବି ସେଇ ମା’ର ସ୍ମୃତି ଆସି ମନରେ ହାବୁଡ଼ିଗଲା । ଦୁର୍ଗା ବାପାଙ୍କ ମୁହଁକୁ ଚାହିଁଲା-। ସେ ମନେ ମନେ ଗୋଟିଏ କ’ଣ ଶ୍ଳୋକ ପଢ଼ୁଥାନ୍ତି । ଆଜି ବି ଦୁର୍ଗାକୁ ଜଣାପଡ଼ିଲା, ମା’ ବାପାଙ୍କ ଦେହରେ ମିଶି ଯାଇଛି ।

 

ଦୁର୍ଗା ପଚାରିଲା, ‘‘ବାପା ! ତୁମେ ଆଜି ଇଠେଇ ଗାଧୋଇ ପଡ଼ ।’’

 

ବାପା କହିଲେ, ‘‘ଦୁର, ପାଗଲି ! ଘରେ ପରା ତୋ ବାପାର ବାପା ବସିଥିବେ ମୁହଁ ନ ଧୋଇ । ତାଙ୍କ ମୁହଁରେ ପାଣି ଟିକିଏ ମାରି ଦେଇ, ତାଙ୍କ ଆଗରେ କ’ଣ ପୁଞ୍ଜେ ଥୋଇ ଦେଇ ଆସିବି । ଏଇଠେଇଁ ଖାଇବି । ହଁ, ଗୋରୁ ଯୋଡ଼ାକୁ ମୁହିଁ ଦେଇ ଫିଟେଇ ଦେଇ ଆସିବି । ଆଜି ହାଲିଆ ଲାଗୁଛି, ପଡ଼ିଶାଘର ରାମକୁ କୁଞ୍ଚିଟା ଦେଇ ଆସିବି ଯେ ସେ ରାତିରେ ଗୋରୁଙ୍କୁ ଗୁହାଳରେ ପୂରାଇ ଦେଇଥିବ । ମୁଁ ଆଜି ରାତିରେ ତୋ'ରି ଘରେ ଶୋଇବି ।’’

 

ବୁଢା, ଏହା କହି ଗାମୁଛା ଖଣ୍ଡେ କାନ୍ଧରେ ପକାଇ, ବାଡ଼ିଟା କବାଟକୁଣରୁ ନେଇ ଘରୁ ବାହାରିଲା ବେଳକୁ, ନାତି ପଛଆଡ଼ୁ ଡାକି ଦେଲା, ‘‘ଅଜା ! ତମେ ବୁଢ଼ାଅଜା ଘରକୁ ଯାଉଛ, ମୁଁ ଯିବି ।’’

 

ଦୁର୍ଗା ପୁଅକୁ ଧରି ପକାଇ ଆକଟ କଲା, ‘‘ଛି ବାପା ! ଅଜାଙ୍କୁ ପଛରୁ ଡାକୁଛୁ । ସେ ପରା ସାଙ୍ଗେ ସାଙ୍ଗେ ଯାଇ ଫେରି ଆସିବେ । ସେ ଏତେବାଟ ତୋତେ କାଖେଇ କରି ନେଇ ଆଣି ପାରିବେ ? ତୁ ରୁହ ।"

 

ବୁଢ଼ା କହିଲେ, ‘‘ପିଲା ଲୋକ । ସେ ଜାଣୁଛି କ’ଣ ? ଶଳା ଆମ ବୟସକୁ ବଞ୍ଚନ୍ତୁ ଆଗ-।’’ ପଛରୁ ଡାକିବା ଦୋଷ କାଟିବାକୁ ସେ ମଶିଣାରେ ଟିକିଏ ବସି ପଡ଼ି ବାହାରିଲେ ।

 

ଭୈରବୀ ଦେବୀଙ୍କ ଆଡ଼କୁ ଚାହିଁଲେ । ତାଙ୍କ ମୁହଁରେ ନିର୍ଗୁଣ ବୃଷ୍ଟି । ତା’ପରେ ସେ ଦୁର୍ଗା ଆଡ଼କୁ ଚାହିଁଲେ । ତା’ ମୁହଁରେ ପୂର୍ଣ୍ଣ ପରିତୃପ୍ତି । ତା’ର ମାସକର ତପସ୍ୟା ସାଙ୍ଗ ହୋଇଛି । ଏତେ ଦିନପରେ ମାଧବଙ୍କର ଜର ଛାଡ଼ିଛି । ମାସକରେ ସେ କାଲି ରାତିରେ ଶୋଇଛନ୍ତି ଯେ ଆଜି ବେଳ ଦି ଘଡ଼ିଯାଏଁ ନିଦ ଭାଜିବାକୁ ନାହିଁ । ଆଜି ଦିନଯାକ ଶୁଅନ୍ତୁ । ଏଥର ତ ଯେତେ ବେଶୀ ନିଦ ହେବ ସେତେ ଶୀଘ୍ର ସେ ଦେହ ପାଇବେ ।

 

ଆଜି ମାସକ ପରେ ଦୁର୍ଗା ନୂଆ କରି ପିଲା କୁଆଡ଼େ ଗଲେ ବୋଲି ଦାଣ୍ଡ ଦୁଆର ଟିକିଏ ଫିଟାଇ ଦାଣ୍ଡକୁ ଉଣ୍ଡିଲା । ଏ ମାସକ ଯାକ ପିଲା କାନ୍ଦି କାନ୍ଦି ଆସି ପାଖରେ ପହଞ୍ଚିଲେ, ସେ ପିଲା ଅଛନ୍ତି ବୋଲି ମନେ ପକାଏ ।

 

ଦୁର୍ଗା ଦୁଆର ଅଧା ମେଲାଇ ସେଇପରି ଦାଣ୍ଡକୁ ଚାହିଁଛି, ଦେବୀ ଓ ଭୈରବୀ ଦାଣ୍ଡକୁ ବାହାରି ଆସିଲେ । ସେତିକିବେଳେ ଗୋଟିଏ କିପରି ବିକଟାଳ ଚିତ୍କାର ଦୂରରୁ ପବନରେ ଭାସି ଆସିଲା ପରି ଲାଗିଲା । ଗାଁ ଯାକ ସମସ୍ତେ ତ୍ରସ୍ତ ହୋଇ ଦାଣ୍ଡକୁ ବାହାରି ପଡ଼ିଲେ । ଦୁର୍ଗାର ପିଲା ଯୋଡ଼ିକ ସତେ ଯେମିତି ସେଇ ଚିତ୍କାରରେ ପିଚ୍‌କି କରି କାହାଘରୁ ଦାଣ୍ଡକୁ ବାହାରି ପଡ଼ିଲେ ଓ ସେଠାରୁ ଧାଇଁ ଧାଇଁ ଆସି ବୋଉ କୋଡ଼ରେ ମୁହଁ ମାଡ଼ି ନିର୍ଭୟ ପାଇଲେ । ଦୁର୍ଗି ପିଲାଙ୍କୁ ଧରି ମାଧବ ଶୋଇବା ଘରକୁ ଧାଇଁ ଗଲା ଓ ସେଠାରୁ ପୁଣି ଧାଇଁ ଆସି ଦୁଆର ମେଲାଇ ଦାଣ୍ଡକୁ ଚାହିଁଲା । ସେତେବେଳକୁ ନୂଆସାହି ଗାଁଯାକରେ ଚିତ୍କାର ବ୍ୟାପିଗଲାଣି । ସମସ୍ତଙ୍କ ମୁହଁରେ ପାଟି-। କିଏ କ'ଣ କହୁଛି, ଭଲ କରି ବାରି ହେଉ ନ ଥାଏ । ଦୁର୍ଗା ୟାଙ୍କ ଗାଁରେ ତ ଏ ପର୍ଯ୍ୟନ୍ତ ଦାଣ୍ଡକୁ ବାହାରି ନାହିଁ । କାହାକୁ ଯାଇ କ’ଣ ପଚାରିବ ?

 

ସେ କାକୁସ୍ଥ ହୋଇ ଠିଆ ହୋଇଛି, ଜଣେ ଟୋକା ତାଙ୍କରି ଦୁଆର ବାଟେ ଧାଇଁ ଧାଇଁ ପଳାଇଲା । ଦୁର୍ଗାକୁ ଶୁଭିଲା ପରି ଲାଗିଲା, ସେ କହୁଛି, ‘‘ସାପୁଆ ଜୋଡ଼ରେ ବାସୁଦେବ ବୁଢ଼ା ଭାସିଗଲେ ।’’ ଦୁର୍ଗା ବସି ପଡ଼ିଲା । ବାସୁଦେବ ତ ତା'ରି ବାପା ! ସାପୁଆ ଯୋଡ଼ ପାରି ହେଲେ ତ ତାଙ୍କର ଗାଁ'କୁ ଯାଆନ୍ତି ! ସେ ଅସ୍ପଷ୍ଟ ସ୍ଵରରେ ‘ବାପା’ ବୋଲି ଥରେ ପାଟି କରିଛି, ପଡ଼ିଶାଘର ଖୁଡ଼ୁତାଶୁର ଦାଣ୍ଡ ଦୁଆରକୁ ଆସି ତାକୁ ଲକ୍ଷ୍ୟ କରି କହିଲେ, ‘‘ଆଉ କାନ୍ଦିବାକୁ ବେଳ ନାଇଁ ମା’ ! ପାଣି ଭାରି ଜୋର୍‌ରେ ମାଡ଼ି ଆସୁଛି । ଆମେ ଯେଉଁ ରିଙ୍ଗ୍‌ବନ୍ଧ ଉପରେ ଆଶା କରି ବସିଥିଲୁ ତାହା ଏଇଲେ ଭାଙ୍ଗିଗଲା । ମାଧବକୁ ଓ ପିଲାଙ୍କୁ ଧରି କୁଦକୁ ଯାଅ ଭାରି । କିଛି ଜିନିଷପତ୍ର ନେବାକୁ ଚେଷ୍ଟା କରନାହିଁ । ରୋଗୀକୁ ତୁମେ ଧରି କରି ନିଅ । ମୁଁ ପିଲାଙ୍କୁ ବରଗି ଦେଇ ଆସୁଛି ।’’

 

ଏକଥା ସରିଛି କି ନାହିଁ, ଦାଣ୍ଡରେ ଆସି ପାଣି ପଡ଼ିଲା । ଦୁର୍ଗା ଯନ୍ତ୍ରଚାଳିତ ପରି ଯାଇ ସ୍ଵାମୀଙ୍କ ପାଖରେ ଠିଆ ହେଲା । ମାଧବ ନିଘୋଡ଼ ନିଦ ଶୋଇଛନ୍ତି । ଏ ନିଦ ଭାଙ୍ଗିବାକୁ ଦୁର୍ଗାର ହାତ ଯାଉ ନଥାଏ । ସେ ସନ୍ତର୍ପଣରେ ସ୍ୱାମୀଙ୍କର ଖୁଆରେ ହାତ ଦେଲା । ଦିହ ହେମ କାକର । ଆଗ ଧୀରେ ଧୀରେ, ତା’ପରେ ଟିକିଏ ଟାଣରେ ଦି’ଥର ହଲେଇଲା । ମାଧବଙ୍କୁ କଷ୍ଟ ହେଲା ପରା ! ସେ ଉଁ କହି ଆଖି ଟିକିଏ ମେଲିଲେ, ତା'ପରେ ଆଖି ବୁଜିଦେଲେ ! ଦୁର୍ଗା ଆଉ ଥରେ ହଲାଇ ବିକଳରେ କହିଲା, ‘‘ଉଠ ମ ! ଗାଁରେ ପାଣି ପଶିଗଲାଣି ।’’

 

ମାଧବଙ୍କର ନିଦ ଭାଙ୍ଗିଗଲା । ସେ ଆଖି ପୂରା ଖୋଲି ମଟ କରି ଚାହିଁ ପଚାରିଲେ, ‘‘କ’ଣ କହିଲ ! ଆମ ଗାଁରେ ପାଣି ପଶିଗଲା ? ଦଳେଇଘାଇ ଭାଙ୍ଗିବ, ରିଟାୟର୍ଡ ଲାଇନ୍ ଭାଙ୍ଗିବ, ତେବେ ଯାଇ ଆମ ଗାଁରେ ପାଣି ଟୋପେ ପଶିବ, ଜାଣ ?’’ ସେ ପୁଣି ଥରେ ଆଖି ବୁଜିଲା ବେଳକୁ ଦୁର୍ଗା ଦୁଇ ହାତରେ ତାଙ୍କୁ ଆଉ ଥରେ ଜୋର୍‌ କରି ହଲାଇ ଦେଇ ଗାଁର ଅବସ୍ଥା ଅନର୍ଗଳ ଗାଇଗଲା । ମାଧବ ଉଠିପଡ଼ିବାକୁ ବ୍ୟର୍ଥ ଉଦ୍ୟମ କରି କହିଲେ, ‘‘ନାଃ, ମୁଁ ଉଠିପାରିବି ନାଇଁ ! ତମେ ଯାଅ ଆଗ ପିଲାଙ୍କୁ କଦ ଉପରେ ରଖିଦେଇ ଆସ । ମୋତେ ସାଙ୍ଗରେ ଧଇଲେ ମିଛରେ ସମସ୍ତେ ମରିବ ।’’

 

ଦୁର୍ଗା ଆଉ କିଛି ନକହି, ଯଥାସାଧ୍ୟ ଚେଷ୍ଟାକରି ସ୍ଵାମୀଙ୍କୁ ଡେରିକରି ବସାଇଲା । ମାସକର ଜରରେ ମାଧବ ଖୁବ୍‌ ଶୁଖିଯାଇ ଥିବାରୁ ଦୁର୍ଗା ଏତକ ପାରିଲା; ନହେଲେ ମାଧବଙ୍କର ଡେଣାଟିଏ ମଧ୍ୟ ସେ ଭଲବେଳେ ଦୁଇ ହାତରେ ଟେକିପାରେ ନାହିଁ । ଏଇ ନେଇ ଦୁହିଁଙ୍କର ମଝିରେ ମଝିରେ ଖୁବ୍‌ ରହସ୍ୟ ହୁଏ । ସେକଥା ଆଉ କ'ଣ ଏତେବେଳେ ମନେପଡ଼ୁଛି । ନିଜ ଦେହରେ ସତେ ଅବା ସିଂହର ବଳ, ଏଇଆ ବିଚାରି ଦୁର୍ଗା ମାଧବଙ୍କୁ ଖଟ ପାଖରେ ଠିଆକଲା । ମାଧବଙ୍କର ମୁଣ୍ଡ ବୁଲାଇ ହୋଇ ଯିବାରୁ ସେ ଖଟର ଦାଢ଼ି ଧରି ଥୟ ହେଲେ । ତା'ପରେ ସେ ଅନୁକମ୍ପାପୂର୍ଣ୍ଣ ଦୃଷ୍ଟିରେ ଦୁର୍ଗାକୁ ଚାହିଁ କହିଲେ, ‘‘ଦୁର୍ଗେ : ଏ ଶେଷ ପରୀକ୍ଷାରେ ପାରିବ ନାହିଁ । ମାସକଯାକ ଲାଗି ଲାଗି ରୋଗରୁ ଉଠାଇଲ । କିନ୍ତୁ କୁଦଯାଏଁ ତୁମେ ମୋତେ ନେଇପାରିବ ନା ମୁଁ ଯାଇପାରିବି ?ଏତେବେଳେ ଆଉ ବେଶୀ ଲୋଭ କରନାହିଁ; ପିଲାଙ୍କୁ ନେଇ ଚାଲିଯାଅ, ମୁଁ ରହେଁ-। ଏଠାକୁ ପାଣି ଲବେ ହେଲେ ଆସିବ ନାହିଁ ବୋଲି ଲୋକଙ୍କୁ କେତେ ବୁଝାଇ ଏ ଗାଁକୁ ଆଣିଥିଲି-। ମୋର ଏଇଠାରେ ସମାଧି ହେଉ ।’’

 

ଦୁର୍ଗାର ଆଖିରୁ ଦୁଇଧାର ଲୁହ ବୋହିଗଲା । ସେ ମାଧବଙ୍କୁ ଓହଳପଡ଼ିଲା ପରି ଧରି ଦାଣ୍ଡ ଦୁଆରଆଡ଼େ ମୁହାଁଇଲା । ଝିଅ ଗୋଟିଏ ହାତରେ ତା’ର ପଣତକାନିକୁ ଧରିଥାଏ, ଆର ହାତରେ ଭାଇକୁ ଟାଣୁଥାଏ । ଦାଣ୍ଡଦୁଆର ଫିଟାଇ ଦେଇ ଚାହିଁ ଦେଲାବେଳକୁ ଦାଣ୍ଡରେ ପାଣିର ସୁଅ ପଡ଼ିଲାଣି । ଦୁର୍ଗା ତର ତର ହୋଇ ପାହାଚ ତଳକୁ ଗୋଡ଼ ବଢ଼ାଇଲା । ମାଧବ କହିଲେ, ‘‘ନିଜକୁ ସମ୍ଭାଳ, ପିଲାଙ୍କୁ ସମ୍ଭାଳ । ସବୁତକ ବଳ ମୋ ଉପରେ ଖର୍ଚ୍ଚ କଲେ ଚଳିବ ନାହିଁ । ମୋର ଅନ୍ତତଃ ନିଜକୁ ସମ୍ଭାଳିବାକୁ ତ ବଳ ଅଛି । କ୍ଷଣକ ପାଇଁ ଦୁର୍ଗାର ମୁହଁ ହସ ହସ ହୋଇଗଲା ।

 

ଅଳ୍ପ ଦୂରରେ ଦେବୀ ଓ ଭୈରବୀ ଠିଆ ହୋଇଥିଲେ । ଭୈରବୀ କହିଲେ, “ମା,ଏ ପରିବାରଟିକୁ ଚାହିଁ ସହୁନାହିଁ, ଏଇପରି ଲୋକଙ୍କୁ କେଡ଼େ କଷ୍ଟରେ ପକାଉଛି ?’’

 

ମହାଦେବୀ କହିଲେ, ‘‘ଭୈରବୀ, ତୋ'ର ତ ମନ ଏକାବେଳକେ ବୁଝୁନାହିଁ । ଲୋକଙ୍କଠାରେ ଏତେ ମାୟା ଲଗାଇଦେଲେ ଅମେ ସଂସାର ଚଳାଇବା କିପରି ? ଏ ପରୀକ୍ଷାରେ ତ ଏଙ୍କୁ କେହି ମହାଳିଆ ପକାଉନାହିଁ । ପ୍ରୟୋଜନ ନଥିଲେ ମନ୍ଦ କଥା ମଧ୍ୟ ଘଟେ ନାହିଁ, ଏହା କ'ଣ ତୋତେ ବୁଝାଇବା ଦରକାର ।’’

 

ଏତେବେଳକୁ ଦୁର୍ଗା ଓ ମାଧବ ଯାଇ ଦାଣ୍ଡରେ, ସୁଅ ମଝିରେ । ଦୁର୍ଗା ଗୋଟିଏ କାଖରେ ପୁଅକୁ କାଖେଇଥାଏ, ଆର ହାତରେ ମାଧବଙ୍କ ଅଣ୍ଟାକୁ ଟାଣକରି କୁଣ୍ଢେଇ ଥାଏ ଓ ସେଇ ହାତର ମୁଠାରେ ଝିଅର ଡେଣାକୁ ଧରିଥାଏ ।

 

ଆଉ ପଚାଶ ହାତମାତ୍ର ଚାଲିଗଲେ କୁଦରେ ପହଞ୍ଚିଯିବେ । ଦୁର୍ଗା ଓ ମାଧବ ଦୁହିଁଙ୍କ ଆଖି କୁଦ ଉପରେ । ମାଧବ ଏଇ ୫୦ ହାତ ସମ୍ଭାଳି ଯିବାକୁ ପ୍ରାଣାନ୍ତକ ଉଦ୍ୟମ କରୁଥାନ୍ତି । ଦୁର୍ଗା ଝିଅକୁ ଆଉ ଟିକିଏ ଧରିବାକୁ ପ୍ରାଣପଣେ ଚେଷ୍ଟା କରୁଥାଏ । ପୁଅଟି ବୋଉର କାଖରୁ ବାପକୁ ମା’କୁ ଓ ନାନିକୁ କ୍ରମାନ୍ଵୟରେ ଚାହୁଁଥାଏ । ଏଇ ସମୟରେ ପଡ଼ିଶାଘର ଖୁଡ଼ୁତାଶୁର ସେମୁଣ୍ଡେ ଦେଖାଦେଲେ । ଦୁର୍ଗାକୁ ଲାଗିଲା, ଏଥର ସେ ନିରାପଦ । ତାକୁ ଆହୁରି ଆଶ୍ୱସ୍ତ କରି ସେ ଡାକ ପକାଇଲେ,‘‘ମାଧବ । ସମସ୍ତେ ଟିପ ଟାଣ କରି ଆସ । ଆଉ ମୋଟ ଖୋଜେ ବାଟ ।’’

 

ମାଧବଙ୍କର ଉତ୍ତର କରିବାକୁ ବଳ ନଥାଏ, କିନ୍ତୁ ଯଥାସାଧ୍ୟ ଉଦ୍ୟମ କରି ସେ ଆଗକୁ ବଢ଼ୁଥାନ୍ତି । ଏଇ ସମୟରେ ଅଚାନକଭାବେ ପଛଆଡ଼ୁ ପୁରୁଷେ ଉଚ୍ଚରେ ପାଣି ମାଡ଼ିଆସିଲା । ସମସ୍ତଙ୍କର ସବୁ ହିସାବ କିତାବ ଗଣ୍ଡଗୋଳ ହୋଇଗଲା । ଆଖିପିଛୁଳାକେ ମାଧବଙ୍କର ଏଡ଼େ ସୁନ୍ଦର ପରିବାରଟି ଛିନଛତ୍ର ହୋଇଗଲା ।

☆☆☆

 

ଭାଗ୍ୟ ନା ଦୁର୍ଭାଗ୍ୟ

 

ଯେଉଁଦିନ ସକାଳେ ଦଳେଇଘାଇ ଭାଜିଲା, ସେଦିନ ଛାଇ ଲେଉଟିଲା ବେଳକୁ ଶହ ଶହ ବର୍ଗମାଇଲ ଜମି ଗାଁ ବିଲବାଡ଼ି, ସବୁ ଚିଲିକାମୟ । ରୁସ୍‌ ବିପ୍ଳବ ଫଳରେ ଯେପରି ମଣିଷଙ୍କ ମୁଣ୍ଡକାଟି ଓ ଚାଞ୍ଛିସମାନ କରଯାଇଥିଲା,ବଢ଼ିପାଣି ସେହିପରି ସବୁକୁ ସମତଳ କରିଦେଇଛି । ପୋଖରୀ ଉପରେ ପାଣି, ଘର ଉପରେ ବି ପାଣି–ଘର ଉପରେ ବା ହାତେ, ଓ ପାଖରୀରେ ଦି’ କାତ । ଉପରଟା ସମାନ । ଏହି ସମାନତା ଯୋଗୁଁ ଦୂରତ୍ଵ କମିଯାଇଛି । ବରଡ଼ାକୁ ତିର୍ତ୍ତୋଲ ଡାକେ ବାଟପରି ପାଣିରେ ଦିଶୁଛି । କିନ୍ତୁ କଲେଜ ପିଲାଙ୍କ ସାହାଯ୍ୟ ଡଙ୍ଗାର ଏହି ବିରାଟ ହ୍ରଦ ଭିତରେ ବାଟ ସରୁନାହିଁ । ଯେଉଁ ଯୁବକମାନେ ପାଠପଢ଼ାରୁ ଅବ୍ୟାହତି ପାଇବାକୁ ମହାଖୁସିରେ ବନ୍ୟା–ସାହାଯ୍ୟ କାମକୁ ଆସିଥିଲେ, ସେମାନେ ଟିଁ ଟିଁଆ ଖରାରେ ବିଶେଷ ସନ୍ତାପିତ ହୋଇ ସାରଥାନ୍ତି ଓ ନାଉରୀକୁ ତିନିଥର କହି ସାରିଥାନ୍ତି, କନ୍ଦରପୁର ଆଡ଼େ ମଙ୍ଗ ମୋଡ଼ିବା ସକାଶେ । ଖରା ସାଙ୍ଗକୁ ଭୋକ । କଲେଜ ହଷ୍ଟେଲରେ ହରେକ୍‌ ଅସୁବିଧା ଭିତରେ, ଏତକ ସୁବିଧା ଥାଏ, ଜଳଖିଆ ଖାଇବାକୁ ମନ ହେଲେ, ମନର ଏକାଗ୍ରତା ଆଣିବାକୁ ସିଗ୍ରେଟ୍‌ ବା ପାନ ଖଣ୍ଡେ ଦରକାର ହେଲେ, ସାଙ୍ଗେ ସାଙ୍ଗେ ଗୋଡ଼ କାଢ଼ିଲ ତ ମିଳିଲା । ପଇସା ନଥିଲେ କାଳୀରେ ମିଳେ, ସାଙ୍ଗ ପିଲାଙ୍କଠାରୁ ଉପହାରରେ ବି ମିଳେ । ଡଙ୍ଗାରେ ଯେତେ ଜିନିଷ, ସେଥିପାଇଁ ପଇସା ଅବଶ୍ୟ ପଡ଼ୁନାହିଁ, କିନ୍ତୁ ଲୋଡ଼ିବା ଜିନିଷ ମିଳୁଛି କୁଆଡ଼ୁ ? ନବକିଶୋର ଡଙ୍ଗାର ଚୁଡ଼ାବସ୍ତାକୁ ଯେତେଥର ଚାହାନ୍ତି, ସେତେଥର ମାଡ୍ରାସ ହୋଟେଲର ଗୋଟାଏ କିପରି ଅସ୍ପଷ୍ଟ ଛାୟା ସେ ବସ୍ତା ଉପରେ ତାଙ୍କୁ ଦିଶେ । ଭୋକ ଯୋଗୁଁ ଥରେ ତାଙ୍କ ମୁଣ୍ଡ ଏପରି ବଗିଡ଼ିଗଲା ଯେ ଭ୍ରମରେ ସେ ଛାୟାକୁ କାୟା ବୋଲି ବିଚାରି ବସ୍ତାଭିତରକୁ ହାତ ପୂରାଇ ମୁଠାଏ ପାଟିକୁ ପକାଇଦେଲେ ଓ ଥୁ ଥୁ କରି ସେଗୁଡ଼ାକ ପାଣିକୁ ଫୋପାଡ଼ିଦେଇ କହିଲେ,‘‘ଛି ! ଏଗୁଡ଼ାକ ମଣିଷ ଖା’ନ୍ତି ? ଆଜି ଯେପରି ଜଣା ପଡ଼ିଲାଣି, ମଣିଷର ପୈତୃକ ପ୍ରାଣଟି ଭୋକରେ ଯିବ ।’’

 

ଭୋକ କଥା ଶୁଣି ଅନ୍ୟ ସଙ୍ଗୀମାନଙ୍କର ନଜର ପଡ଼ିଲା, ମାଡ୍ରାସ ଓ ଗୁଜରାଟି ହୋଟେଲରୁ ଆସିଥିବା ଅତିକାୟ ଠୁଙ୍ଗା ଦୁଇଟି ଉପରେ । ଠୁଙ୍ଗାଦୁଇଟିଯାକ ଅନୁଃସାରଶୂନ୍ୟ ହୋଇ ଯାଇଥାନ୍ତି । ସେ ଦୁଇଟିଯାକ ନବକିଶୋରଙ୍କର ହାତ ପହଞ୍ଚରେ ଥିବାରୁ ତାଙ୍କର ଦୁର୍ଗତିର ମୂଳରେ କିଏ, ସେ କଥାରେ କାହାର ବିଶେଷ ସନ୍ଦେହ ନଥାଏ । ଯାହା ବି ଟିକିଏ ଥାନ୍ତା, ତାକୁ ଦୂର କରି ଅଧ୍ୟାପକ ବିମଳବାବୁ କହିଲେ, ‘‘ନବ, କେବଳ ତୁମରି କଥା ମନରେ ଭାବି ମୁଁ ଜଳଖିଆ ଠୁଙ୍ଗାର କଳେବର ବୃଦ୍ଧି କରିଥିଲି; ତଥାପି ଖାଦ୍ୟ ଅଭାବରେ ତୁମେ କଷ୍ଟ ପାଇଲଣି ?’’ ନବକିଶୋର ନିରୀହ ଭାବରେ ଉତ୍ତର ଦେଲେ, ‘‘ସାର୍‌, ବସି ଖାଇଲେ ତ ନଈ ବାଲି ସରେ ।’’

 

ସମସ୍ତେ ହସିଲେ, କିନ୍ତୁ ଆନନ୍ଦଚନ୍ଦ୍ରଙ୍କ ମୁହଁକୁ ଆନନ୍ଦ ଆସି ପାରିଲା ନାହିଁ । ସକାଳେ ଯେତେବେଳେ ବନ୍ୟା ସାହାଯ୍ୟ ପାଇଁ ସ୍ଵେଚ୍ଛାସେବକ ଖୋଜାହେଲେ, ସେତେବେଳେ ସେ ବନ୍ୟାକ୍ଳିଷ୍ଟଙ୍କ ଦୁର୍ଗତି କଳ୍ପନାରେ ଏପରି ବିଭୋର ହୋଇଥିଲେ ଯେ ପହଁରି ଜାଣି ନଥିବାରୁ ନିଜେ ଦୁର୍ଗତିରେ ପଡ଼ିପାରନ୍ତି, ଏ ଆଶଙ୍କା ତାଙ୍କ ମନକୁ ଛୁଇଁନଥିଲା । କନ୍ଦରପୁର ପାଖରୁ ମଟର ଛାଡ଼ି ସମସ୍ତେ ଯେତେବେଳେ ଡଙ୍ଗା ଧଇଲେ ସେତେବେଳେ ସେ ବନ୍ୟାର ଭୀମ ସୌନ୍ଦର୍ଯ୍ୟରେ ନିଜକୁ ଭୁଲିଯାଇଥିଲେ । ଘଣ୍ଟେ ଖଣ୍ଡେ ପରେ ତାଙ୍କ ମନ ସାହିତ୍ୟ କ୍ଲାସରୁ ଯେତେବେଳେ ଦର୍ଶନଶାସ୍ତ୍ର କ୍ଲାସକୁ ଆସିଲା, ସେତେବେଳେ ସେ ପାଖରେ ବସିଥିବା ବିଜ୍ଞାନଛାତ୍ର ଅମଳେନ୍ଦୁଙ୍କୁ ପଚାରିଲେ, ‘‘ଆଚ୍ଛା, ଯଦି ଏ ଡଙ୍ଗା ବୁଡ଼ିଯାଏ ?’’ ଅମଳେନ୍ଦୁ ଆଶ୍ଵାସନା ଦେଲାପରି କହିଲେ, ‘‘ଡଙ୍ଗା ବୁଡ଼ିବାର କୌଣସି ଆଶଙ୍କା ନାହିଁ । ପବନ ନଥିବାରୁ ପାଣି ଖୁବ୍‌ ଥିର ଅଛି । ବୋଝେଇ ମଧ୍ୟ ଡଙ୍ଗାକୁ ଚାହିଁ ରହିଛି–ବେଶୀ ନୁହେଁ କି ଅତି କମ୍‌ ନୁହେଁ ।’’ ଆନନ୍ଦଙ୍କର ମନ ମାନିଲା ନାହିଁ । ସେ ପୁଣି ପଚାରିଲେ, ‘‘ନାଇଁ, ଧର ଯଦି କୌଣସି ଅପ୍ରତ୍ୟାଶିତ କାରଣରୁ ଡଙ୍ଗା ବୁଡିଗଲା, ତେବେ କ’ଣ ହେବ ?’’ ଅମଳେନ୍ଦୁ କିଛି ଉତ୍ତର ନଦେଇ ତୁନୀ ରହିଲେ; ଉତ୍ତର ମିଳିଲା ନବକିଶୋରଙ୍କଠାରୁ, ‘‘ଯଦି ଡଙ୍ଗା ବୁଡ଼େ, ତେବେ ସମସ୍ତେ ମରିବା ।’’ ବିମଳବାବୁ ସଂଶୋଧନ କରିଦେଲେ ‘‘ନା, ନା, ଯେଉଁମାନେ ପହଁରା ଜାଣନ୍ତି, ସେମାନଙ୍କର ରକ୍ଷା ପାଇବାର ଯଥେଷ୍ଟ ସମ୍ଭାବନା ରହିଛି ଏଇ ଗଛ ଓ କୁଦମାନଙ୍କରେ ।’’ ନବକିଶୋର ନିକଟବର୍ତ୍ତୀ କୁଦକୁ ଚାହିଁଲେ ଓ ପେଟରେ ହାତ ମାରି ସେଥିରେ ମହଜୁଦ୍‌ ଥିବା ଖାଦ୍ୟ କେତେ ପର୍ଯ୍ୟନ୍ତ ଟେକିବ ତାହାର କଳନା କରି ଚିନ୍ତିତ ହେଲେ ଓ ସେ ବିଷୟକୁ ମନରୁ ହଟାଇ ଦେବା ସକାଶେ ପକେଟରେ ଥିବା ବଂଶୀଟିକୁ ବାହାର କଲେ । ସେ ଭାରି ଭଲ ବଜାଇ ପାରନ୍ତି । ଅଧିକାଂଶ ତାଙ୍କୁ ଲଗେଇଲେ ବଜାଇବାକୁ । ତାଙ୍କର ମଧୁର ବଂଶୀ ସ୍ଵନରେ ସମଗ୍ର ଡଙ୍ଗାଟି ସତେ ଯେପରି ଚେଇଁ ଉଠିଲା ।

 

ତିନିଜଣଙ୍କର, କାନରେ ବଂଶୀର ସ୍ଵନ ଅବଶ୍ୟ ବାଜୁଥାଏ, ଫଳରେ ମୁହିଁ ବି ଟିକିଏ, ଉଜ୍ଜଳ ଦିଶୁଥାଏ, କିନ୍ତୁ ମନ ଥାଏ ଅନ୍ୟ ଦିଗରେ । ଡାକ୍ତରୀ କଲେଜରୁ ସଦ୍ୟ ବାହାରିଥିବା କୁଞ୍ଜବନ ବାବୁ ମଫସଲ୍‌ରେ ସ୍ଵାଧୀନ ଭାବରେ ଚିକିତ୍ସା କରିବାର ସୁଯୋଗ-ପ୍ରତ୍ୟାଶାରେ ଏ ଯାତ୍ରାରେ ବାହାରିଥିଲେ । ସେ ସୁଯୋଗ, ବାହାରିବାବେଳେ ଯେତିକି ଦୂରରେ ଥିଲା, ବର୍ତ୍ତମାନ କଟକଠାରୁ ୨୦ ମାଇଲ ଦୂରରେ, ଅପରାହ୍ନରେ ମଧ୍ୟ ସେତିକି ଦୂରରେ; ଏଇଆ ଭାବି ସେ ଚିନ୍ତିତ ହୋଇ ନିଜର ଔଷଧ ଓ ଯନ୍ତ୍ରବାକ୍‌ସକୁ ଚାହୁଁଥାନ୍ତି । ଅଧ୍ୟାପକ ବିମଳବାବୁ ଶ୍ୟେନଦୃଷ୍ଟିରେ ଦୂର ଦିଗ୍‍ବଳୟକୁ ଦରାଣ୍ଡି ପକାଉଥାନ୍ତି । ସେ ସକାଳେ ଏହି ବନ୍ୟାସାହାଯ୍ୟ ଦଳ ଗଢ଼ି ବାହାରିଲା ବେଳେ, ତାଙ୍କ ସହକର୍ମୀ ଜଣେ କହିଥିଲେ, ‘‘ବାହାରିଲେ, ବିମଳବାବୁ କେଞ୍ଚି ପକେଇବେ । ‘‘ରବିବାର ଦିନ ନିଜ ବାଡ଼ିଆଡ଼ ପୋଖରୀକୂଳରେ ବନ୍‌ସି ଧରି ବସି ବସି ଘରକୁ ଖାଲି ହାତରେ ଫେରିଲାବେଳେ ତାଙ୍କୁ ଯେପରି ଲାଗେ ଆଜି ଯଦି ସେଇପରି ଲାଗେ, ତେବେ ସହକର୍ମୀଙ୍କ ମନରେ କି ପ୍ରତିକ୍ରିୟା ହେବ ସେ ସେଇକଥା ଭାବୁଥାନ୍ତି । ସବୁଠାରୁ ବେଶୀ ଚିନ୍ତିତ ଥାନ୍ତି ଅମଳେନ୍ଦୁ-। ସେ ପହଁରିବାରେ କଲେଜରେ ଫାଷ୍ଟ୍‌ । ମ୍ୟୁନିସିପାଲିଟି ପୋଖରୀରେ ସେ ବହୁବାର କୃତିତ୍ଵ ଅର୍ଜନ କରିଛନ୍ତି । ତାଙ୍କର ମନ, ଏଇ ବିସ୍ତୃତ ଜଳରାଶି ଉପରେ ସେ ନିଜର କୃତି ଦେଖାନ୍ତେ-। ତାହାର ସୁଯୋଗ ନ ମିଳିଥିବାରୁ ସେ ନିଜ ଭାଗ୍ୟକୁ ନିନ୍ଦିଥାନ୍ତି, ବଢ଼ିଟାକୁ ଅତି ତୁଚ୍ଛ ମନେକରୁଥାନ୍ତି-। ଏତେ ବଡ଼ ବଢ଼ି! ଲୋକସେବାର ଗୋଟିଏ ସୁଯୋଗ ଦେଇପାରିଲା ନାହିଁ । ଗୋଟିଏ ହେଲେ ମଣିଷ କେଉଁଠି ଭାସୁଥିବାର ବା କୁଦରେ ଲାଗିଥିବାର ଦିଶୁନାହିଁ । ତାଙ୍କ ଭାଗ୍ୟ ଅବା ଖୋଲିବ, ଏଇ ଆଶାରେ ସେ ବିମଳ ବାବୁଙ୍କ ଆଖିର ଗତି ଅନୁସାରେ ନିଜ ଆଖିକୁ ଚଳାଉଥାନ୍ତି । ଏଇପରି ଏମାନଙ୍କର ଚିକୀର୍ଷା, ନବକିଶୋରଙ୍କ ବୁଭୁକ୍ଷା, ଓ ଆନନ୍ଦଚନ୍ଦ୍ରଙ୍କ ଜିଜୀବଷା ଭିତରେ ପ୍ରାୟ ଘଣ୍ଟେ ଖଣ୍ଡେ କଟିଯିବା ପରେ, ହଠାତ୍‌ ବିମଳ ବାବୁ ଅମଳେନ୍ଦୁଙ୍କ ହାତକୁ ଦୁର୍ବିନ୍ଦ ବଢ଼ାଇ ଦେଇ କହିଲେ, ‘‘ଦେଖିବଟି ଅମଳ, ସେଇ ଯେଉଁ ଗଛ ଉପରେ–ବୋଧହୁଏ ଗୋଟାଏ ମଣିଷ । ବଞ୍ଚିଛି ନା ମରିଛି ଦେଖି ଆସିବା ଦରକାର ।’’ ଅମଳେନ୍ଦୁ ଦେଖିଲେ, ମଣିଷ ! ଅନ୍ୟମାନେ ସବୁ ଦୁର୍ବିନ୍ଦକୁ ହାତ ବଢ଼ାଉ ବଢ଼ାଉ, ଓ ନାଉରି ଡଙ୍ଗା ସେଇଆଡ଼କୁ ମୋଡ଼ୁ ମୋଡ଼ୁ ଅମଳେନ୍ଦୁ ପାଣି ଭିତରକୁ ଝପ୍‌କିନି ଡେଇଁ ପଡ଼ିଲେ ଓ ଡଙ୍ଗା ଯାଇ ସେଇ ଗଛ ପାଖରେ ଲାଗିବାର ବହୁ ପୂର୍ବରୁ ଗଛ ଉପରେ ଚଢ଼ି ସ୍ତ୍ରୀ ଲୋକଟିର ପାଖରେ ବସି ତାହାର ମୁହଁକୁ ତନଖି କରିବାରେ ଲାଗିଲେ, ‘‘ବଞ୍ଚିଛି ନା ମରିଛି’’ ?

 

ଡଙ୍ଗା ଲାଗିବା ସାଙ୍ଗେ ସାଙ୍ଗେ ଡାକ୍ତର ନିଜ କାର୍ଯ୍ୟରେ ଲାଗିଗଲେ । ଖୁବ୍‌ ଯତ୍ନରେ ଶରୀରଟିକୁ ଡଙ୍ଗା ଭିତରକୁ ଆଣି ଯଥାସମ୍ଭବ ସୁବିଧାରେ ରଖାଗଲା । ପ୍ରାଥମିକ ଚିକିତ୍ସା ପରେ କୁଞ୍ଜବନ ବାବୁ ଘୋଷଣା କଲେ, ‘‘ଜୀବନ ଅଛି, କିନ୍ତୁ ସଂଜ୍ଞା ଅନେକବେଳୁ ଲୋପ ହେଲାପରି ସନ୍ଦେହ ହେଉଛି । ଶୀଘ୍ର କଟକ ଫେରିବାକୁ ହେବ ।’’

 

ଯୁବତୀର ମୁଖମଣ୍ଡଳର ଶୋଭା ଏ ଅବସ୍ଥାରେ ମଧ୍ୟ ବିମଳେନ୍ଦୁ ବାବୁଙ୍କ କବି ପ୍ରାଣକୁ ଆଲୋଡ଼ିତ କଲା ପରା ! ସେ ନିଜ ବ୍ୟାଗ୍‌ରୁ ଲୁଙ୍ଗି ଖଣ୍ଡ ବାହାର କରି ଅତି ଯତ୍ନରେ ଯୁବତୀର ଅଙ୍ଗ ସୌଷ୍ଠବ ଘୋଡ଼ାଇ ଦେଇ କଳ୍ପନାର ଆଖିରେ ତାହା ସବୁ ଦେଖିବାକୁ ଲାଗିଲେ । ସେ ଇଂରେଜି ସାହିତ୍ୟର ଅଧ୍ୟାପକ, ଓଡ଼ିଆରେ କବି । ଗୋଟିଏ ଇଂରେଜି କବିତାର ଛାଞ୍ଚରେ ‘‘ପଲ୍ଲୀବଧୂ’’ ବୋଲି ଗୋଟିଏ କବିତାର ପ୍ରଥମ ଦୁଇଧାଡ଼ି ରଚନା କରି ତାକୁ ଗୁଣୁ ଗୁଣୁ ସ୍ଵରରେ ଗାଉଥାନ୍ତି, ଓ ଛାତ୍ରମାନଙ୍କ ଆଖିକୁ ଏଡ଼ାଇ ପ୍ରେରଣା ସକାଶ ସଂଜ୍ଞାହୀନ ଯୁବତୀର ମୁଖମଣ୍ଡଳକୁ ଥରକୁ ଥର ଚାହୁଁଥାନ୍ତି ।

 

ନବକିଶୋରଙ୍କ ଭୋକ ପାଶୋର ହୋଇଗଲା, ମୃତ୍ୟୁକୁ ନିଜ ଡଙ୍ଗାରେ ଦେଖି ଆନନ୍ଦଙ୍କ ମୃତ୍ୟୁର ଭୟ କୁଆଡ଼େ ଉଭେଇଗଲା । କୁଞ୍ଜବନ ବାବୁ ଓ ଅନ୍ୟ ସମସ୍ତଙ୍କ ମନରେ ଏକ ଉଦ୍‌ବେଗ, ଯୁବତୀର ପ୍ରାଣ ଥାଉ ଥାଉ କିପରି କଟକ ବଡ଼ ଡାକ୍ତରଖାନାରେ ପହଞ୍ଚିବେ । ଏହି ଉଦ୍‌ବେଗ ଯୋଗୁଁ ବାଟ ଅସରନ୍ତି ହୋଇପଡ଼ିଲା । ସମସ୍ତେ କନ୍ଦରପୁରର ଆଲୁଅକୁ ନିର୍ନିମେଷ ନୟନରେ ଚାହିଁଥାନ୍ତି । ବିମଳେନ୍ଦୁ ବାବୁ ମନର ଉଦ୍‌ବେଗ ଦବାଇବାକୁ ତାଙ୍କ ସଦ୍ୟ କବିତାର ସେଇ ଦୁଇଧାଡ଼ି ମନେ ମନେ ଗାଉଥାନ୍ତି :–

 

‘ଏ ରୂପସମ୍ଭାର ଥୋଇ ରିକ୍ତ ପଲ୍ଲିବୁକେ

ପ୍ରତିଦାନେ ପାଇଛ କି ସଖି, ଏ ଦୁର୍ଗତି ?

 

ଅସ୍ପଷ୍ଟ ସ୍ଵରରେ ହେଲେ କ’ଣ ହେଲା, ବହୁବାର ଆବୃତ୍ତି ହେବାରୁ ସମସ୍ତଙ୍କର ଏ ପଦଟି ମୁଖସ୍ଥ ହୋଇଯାଇଥାଏ, ଏବଂ ପ୍ରତ୍ୟେକେ ପ୍ରତ୍ୟେକର ରୁଚି ଓ ସାମର୍ଥ୍ୟ ଅନୁସାରେ ପଦ ପୂରଣ କରିବାକୁ ଚେଷ୍ଟା କରୁଥାନ୍ତି ।

 

ଅବଶେଷରେ ସଡ଼କ ଦାଢ଼ରେ ଯେତେବେଳେ ଡଙ୍ଗା ଲାଗିଲା ସମସ୍ତଙ୍କର ଉଦ୍‌ବେଗ ଆହୁରି ଅଧିକ ହେଲା, କିପରି କଟକ ଯିବେ । ଖଣ୍ଡିଏ ମଟର ସଡ଼କରେ ଥୁଆ ହୋଇଥିବାର ଦେଖି ବିମଳ ବାବୁ ତାହାର ସ୍ଵତ୍ତାଧିକାରୀଙ୍କ ସନ୍ଧାନ ନେଇ ବୁଝିଲେ, ତାହା ଜଣେ ମନ୍ତ୍ରୀଙ୍କର । ସେ ଓ କୁଞ୍ଜବନ ବାବୁ ଖୁବ୍‌ ଆଶାୟୀ ହୋଇ ତାଙ୍କ ପାଖକୁ ଗଲେ ଓ ଘଟଣାଟି ତାଙ୍କୁ ଜଣାଇଲେ । ମନ୍ତ୍ରୀ ପ୍ରଥମେ ଉତ୍ସାହ ଦେଖାଇ ଯୁବତୀର ପାଖକୁ ଆସିଲେ; ତାହାର ମୁହଁକୁ ଦେଖି ସେ ମଧ୍ୟ ପ୍ରଭାବିତ ହେଲେ ପରା । ଟିକକ ପରେ ଡାକ୍ତରଙ୍କୁ ଏକୁଟିଆ କରି ପଚାରିଲେ, ‘‘ୟେ ବଞ୍ଚିବ ନା ?’’ ଡାକ୍ତର ବାବୁ ସନ୍ଦିଗ୍‌ଧ ହୋଇ କହିଲେ, ‘‘ଆଜ୍ଞା, ଅବସ୍ଥା ଭାରି ଖରାପ ।’’ ମନ୍ତ୍ରୀଙ୍କର ବୋଧହୁଏ ମନେ ପଡ଼ିଗଲା, ଭର୍ତ୍ତୁହରିଙ୍କ ବୈରାଗ୍ୟଶତକ :–

 

‘‘ସ୍ତନୌ ମାଂସଗ୍ରନ୍ଥୀ କନକ–କଳଶାବିତ୍ୟୁପମିତୌ ମୁଖଂ ଶ୍ଲେଷ୍ମାଗାରଂ ତଦପି ଚ ଶଶାଙ୍କେନ ତୁଳିତମ୍‌’’

 

ସେ ପୂର୍ଣ୍ଣ ବୈରାଗ୍ୟରେ ମୁହଁ ମୋଡ଼ି କହିଲେ, ‘ମୋ ମଟରରେ ମୁଁ ଶବ ବୋହିବାକୁ ଦେବି ନାହିଁ’ । ବିମଳବାବୁ ଆପତ୍ତି କଲେ, ‘‘ଆଜ୍ଞା, ଏ ଶବ ନୁହେଁ । ଜୀବନର ଆଶା ତ ଅଛି ।’’ ମନ୍ତ୍ରୀ ମଟର ଭିତରେ ପଶି ଗାଡ଼ି ଚଳାଇବାକୁ ଡ୍ରାଇଭରକୁ କହିବା ଅବସରରେ ଉତ୍ତର ଦେଲେ, ‘‘ବର୍ତ୍ତମାନ ଶବ ନ ହୋଇପାରେ, ହେବାକୁ ତ ଆଉ ବିଳମ୍ବ ନାହିଁ ।’’ ଟିକକ ପରେ ପୁଣି କହିଲେ, ‘‘ମୁଁ କଟକ ପହଞ୍ଚି ଡାକ୍ତରଖାନାକୁ ଟେଲିଫୋନ୍‌ କରିଦେବି ଆମ୍ବୁଲାନ୍‌ସ ପଠାଇବାକୁ ।’’

 

ଆନନ୍ଦଚନ୍ଦ୍ରଙ୍କର ନିଜର ପ୍ରାଣଭୟ ଏତେବେଳକୁ ଦୂର ହୋଇଥିବାରୁ, ମୁମୂର୍ଷୁ, ଯୁବତୀଟି ବିଷୟରେ ସେ ଅଧିକ ଚିନ୍ତା କରୁଥାନ୍ତି । ମନ୍ତ୍ରୀଙ୍କ ବ୍ୟବହାରରେ ଚିଡ଼ି ଯାଇ ସେ ଗାଁରେ ଶୁଣିଥିବା ଗୋଟିଏ ଭାଗବତ ପଦ ଆବୃତ୍ତ କଲେ–

 

‘‘ଅଳପ ଲୋକେ ଅଧିକାର

କିପାଇଁ ଦେଲୁ ଦାମୋଦର ।’’

 

ଡାକ୍ତର କୁଞ୍ଚବନ ବାବୁଙ୍କର ମଧ୍ୟ ଧୈର୍ଯ୍ୟଚ୍ୟୁତି ହୋଇଥାଏ । ସେ କହିଲେ ‘‘ଏ ଲୋକଟା ବ୍ୟାଧିମନ୍ଦିର ବଜାରୁଣୀ ଟୋକୀଙ୍କୁ ମଟରରେ ବସାଇ ନିଜ ମଟର ଚଳାଇବାର ମୁଁ ଦେଖଛି । ଯାଇଥିଲା, ଯଦି ଦେଖିଥାନ୍ତା ବଞ୍ଚିବାର ଆଶା ଅଛି, ତେବେ ମଟରର ଦ୍ୱାର ନିଜେ ଖୋଲିଦେଇଥାନ୍ତା ।’’

 

ବିମଳ ବାବୁ କନ୍ଦରପୁର ଯାଇ ଖଣ୍ଡେ ଗାଡ଼ିର ବନ୍ଦୋବସ୍ତ କଲେ । ବଡ଼ ଡାକ୍ତରଖାନାରେ ଗାଡ଼ି ପହଞ୍ଚିଲା ବେଳକୁ ରାତି ବା’ର । ନବକିଶୋର ମଧ୍ୟ ନିଜର ପେଟକୁ ପାଶୋରି ଜିଦ୍‌ ଧରି ବସିଲେ, ସ୍ତ୍ରୀଲୋକଟିର ସଂଜ୍ଞା ଫେରି ଆସିବା ପର୍ଯ୍ୟନ୍ତ ଅପେକ୍ଷା କରିବେ । ପ୍ରାୟ ରାତି ତିନିଟା ବେଳକୁ କୁଞ୍ଜବନ ବାବୁ ବାହାରକୁ ବାହାରି ଅପେକ୍ଷା କରୁଥିବା ସ୍ଵେଚ୍ଛାସେବକ ସଙ୍ଗୀମାନଙ୍କୁ ଜଣାଇଲେ, ‘‘ଜୀବନର ଆଶା ବଢ଼ିଛି, କିନ୍ତୁ ସଂଜ୍ଞା ଫେରିବାକୁ ଆହୁରି ଅନେକ ଡେରି-।’’ ସମସ୍ତେ ଆଶା ଓ ନୈରାଶ୍ୟ ଧରି ବାହୁଡ଼ିଲେ।

 

ତହିଁ ଆରଦିନ ଭୋରରୁ ଆସି ବିମଳବାବୁ ରୋଗୀର ଶଯ୍ୟାପାର୍ଶ୍ଵରେ ବସିଛନ୍ତି, ଜଣେ ନର୍ସ ରୋଗିଣୀର ସେବା କରୁ କରୁ ହସି ହସି କହିଲା, ‘‘ଆପଣ ଏଠାରେ ଆସି ବସିବାରୁ ରୋଗିଣୀ, ନାଡ଼ି ଟିକିଏ ବଳ ପାଇଲା ପରି ଜଣାଯାଉଛି । ବୋଧହୁଏ ନିକଟରେ ସଂଜ୍ଞା ଫେରିବ-।” ନର୍ସ ମନରେ ହୋଇଥିବା ଭ୍ରମଧାରଣାକୁ ଦୂର କରିବା ପ୍ରୟୋଜନ ନ କରି ବିମଳବାବୁ ସେଇପରି ବସି ରହିଲେ । କାଲି ଉପରଓଳି ଏ ମହିଳାଟିକୁ ଦେଖିଲାବେଳୁ ତାଙ୍କ ମନରେ କିପରି ଗୋଟାଏ ଧାରଣା ହୋଇଯାଇଛି ଯେ ସେ ଏତେ କାଳ ହେଲା ଯାହାକୁ ଖୋଜି ଲାଗିଛନ୍ତି, ଏ ସେଇ । ପୂର୍ବଜନ୍ମ ବିଷୟରେ ତାଙ୍କର ମନରେ ସବୁବେଳେ ଗୋଟାଏ ସନ୍ଦେହ ରହିଥାଏ । ସେ ମନେ କରନ୍ତି, ନିଜର ମନକୁ ପ୍ରବୋଧ ଦେବା ପାଇଁ, ଏ ଜନ୍ମର ଯେଉଁ ଦୁଃଖ ଦୁର୍ବିପାକରୁ ନିଜକୁ ରକ୍ଷା କରି ପାରୁନାହାନ୍ତି, ତାହାର ସଂଘର୍ଷରୁ ନିଜକୁ ରକ୍ଷା କରିବାକୁ ଲୋକେ ପୂର୍ବଜନ୍ମ ଓ ପରଜନ୍ମର କଳ୍ପନାକୁ ବିଶ୍ୱାସରେ ପରିଣତ କରି ପକାଇଛି । କିନ୍ତୁ ଆଜି ତାଙ୍କର ଦୃଢ଼ବିଶ୍ୱାସ ହେଲା, ସେ ପୂର୍ବଜନ୍ମରୁ ସେ ଏ ମହିଳା ସଙ୍ଗେ ସଂପୃକ୍ତ । ଏ କିଏ ? ଭଉଣୀ ନା ସ୍ତ୍ରୀ, ନା ଗୁରୁଜନ ସ୍ଥାନୀୟ-? ନିଜେ ଏ ଯାଏଁ ଅବିବାହିତ ଥିବାରୁ ତାଙ୍କର ମନେ ହେଲା, ସେ ବୋଧହୁଏ ଆର ଜନ୍ମରେ ତାଙ୍କର ଜୀବନସଙ୍ଗିନୀ ଥିଲା ।

 

ଏଥର ନର୍ସ ଉପରେ ନଜର ପଡ଼ିଲେ ତାଙ୍କୁ ଲାଜ ମାଡ଼ିଲା । ନର୍ସ ମଧ ଏ ଭାବ ଠଉରେଇ, ଦୃଢ଼ବିଶ୍ୱାସ କଲା ଯେ, ରୋଗିଣୀ ବିମଳବାବୁଙ୍କର ନିଜ ସ୍ତ୍ରୀ ।

 

ନିଜ ବିଷୟରେ ଏ ଯେଉଁ କଳ୍ପନା ଚାଲିଥାଏ, ସେ ବିଷୟରେ କିନ୍ତୁ ରୋଗିଣୀର କୌଣସି ଧାରଣା ନଥାଏ । ସେ ଅଦ୍ୟାପି ସଂଜ୍ଞାହୀନ । କିଛି ସମୟ ପରେ ବଡ଼ ଡାକ୍ତର ରୋଗିଣୀକୁ ଦେଖିବାକୁ ଆସିଲେ । ନାଡ଼ି, ଛାତି ପରୀକ୍ଷା କଲେ, ଆଖିକୁ ହାତରେ ମେଲେଇ ଧରି ଦେଖିଲେ, ଏବଂ ଜ୍ୟୋତିଷ ପରି କହିଲେ । ମୋର ବିଶ୍ୱାସ ଅଳ୍ପ ସମୟ ଭିତରେ ରୋଗିଣୀ ଚାହିଁବ ଓ ହୁଏତ ପୂର୍ଣ୍ଣ ସଂଜ୍ଞା ଫେରି ପାଇବ । ଘରେ ଗହଳ ରଖିବ ନାହିଁ ।

 

ତା’ପରେ ସେ ବିମଳବାବୁଙ୍କ ଆଡ଼କୁ ଚାହିଁ କହିଲେ, ‘‘ୟେ ଆପଣଙ୍କର ନିକଟ ସମ୍ପର୍କୀୟା ବୋଧହୁଏ । ଆପଣଙ୍କୁ ଦେଖିଲେ ତାଙ୍କର ଭଲ ହୋଇପାରେ । ଆପଣ ରହିଲେ ଭଲ-।’’

 

ବିମଳବାବୁ ବୁଝି ପାରୁନାହାନ୍ତି, ଏପରି ଧାରଣା ବଡ଼ ଡାକ୍ତରଙ୍କର ମଧ୍ୟ କାହିଁକି ହେଲା । ରୋଗିଣୀ ଯେ ବନ୍ୟା ଅଞ୍ଚଳରୁ ଆସିଛି ଏ ବିଷୟରେ ତ ବଡ଼ ଡାକ୍ତର ଜାଣନ୍ତି । ବୋଧହୁଏ ସେ ଠଉରାଇ ନେଲେ, ବିମଳବାବୁଙ୍କ ଘର ସେହି ଅଞ୍ଚଳରେ । ବଢ଼ି ଖବର ପାଇ ସେ ନିଜ ଗାଁକୁ ଯାଇ ୟାକୁ ଧରି ଫେରିଛନ୍ତି । ବିମଳବାବୁ ଟିକିଏ, ସାହସ ପାଇଲେ ।

 

କିଛି ସମୟ ଗଲା । ବିମଳ ବାବୁଙ୍କର କଲେଜ ବେଳ ହୋଇଗଲାଣି । ସେ ସ୍ଥିର କରି ସାରିଥାନ୍ତି, ଆଜି ଦିନକ ଛୁଟି ନେବେ । ଏଠା ଛାଡ଼ି ଯିବେନାହିଁ । ସଂଜ୍ଞାହୀନ ଯଦି ସଂଜ୍ଞା ପାଇବା ପରେ କୌଣସି କାରଣରୁ ତାଙ୍କର ଉପସ୍ଥିତି ସହି ନପାରିବ ତେବେ ସ୍ଵତନ୍ତ୍ର କଥା; ନହେଲେ ସେ ସମସ୍ତଙ୍କୁ ବୁଝାଇବାକୁ ଚେଷ୍ଟା କରିବେ ଯେ, ରୋଗିଣୀ ଅନ୍ତତଃ ତାଙ୍କର ଜଣେ ଆତ୍ମୀୟା, ଯଦି ଆଉ କିଛି ନୁହେଁ ।

 

ଦୁଇ ପହର ଗଡ଼ିଗଲା ପରେ ବିମଳ ବାବୁ କ୍ୟାଣ୍ଟିନରୁ ସାମାନ୍ୟ ଟିକିଏ ଜଳଖିଆ କରି ଆସି ଚଉକିରେ ଘୁମାଇ ପଡ଼ିଛନ୍ତି, ନର୍ସ କାର୍ଯ୍ୟାନ୍ତରରେ ଯାଇଛି, ଖଟିଆରୁ ଗୋଟିଏ ଅସ୍ପଷ୍ଟ ସ୍ଵର ବାହାରିଲା; ବିମଳବାବୁ ଚମକି ପଡ଼ି ଚାହିଁଲା ବେଳକୁ ଯୁବତୀ ତାଙ୍କର ଆଡ଼କୁ ଚାହିଁଛନ୍ତି । ତାଙ୍କ ମୁହଁରେ ପ୍ରସନ୍ନ କୌତୂହଳ । ବିମଳବାବୁଙ୍କ ଆଖି ତାଙ୍କ ଆଖିରେ ପଡ଼ିଯିବାରୁ ଯୁବତୀ ଅସ୍ପଷ୍ଟ ସ୍ୱରରେ କହିଲେ, ‘‘ପାଣି’’ ।

 

ସେତିକିବେଳେ ନର୍ସ ପିଇବାକୁ ଟିକିଏ ଟିକିଏ କରି ପାଣି ଦେଲା । ଯୁବତୀଙ୍କୁ ଏ ପାଣି ପୁଣି ଜୀବନ ଦେଲା ପରା । ସେ ବିମଳବାବୁଙ୍କ ଆଡ଼କୁ ଚାହିଁ ପଚାରିଲେ, ଆମେ ଏଠି ‘‘କେଉଁଠି ବିମଳବାବୁ ଉତ୍ତର ଦେବା ପୂର୍ବରୁ ନର୍ସ କହିଲା, ‘‘ତୁମର ପରା ଦେହ ଖରାପ ଥିବାରୁ ଡାକ୍ତରଖାନାକୁ ଆସିଥିଲ; ବର୍ତ୍ତମାନ ଭଲ ହୋଇଗଲାଣି, ଏଥର ଘରକୁ ଯିବ ଯେ ।’’

 

ରୋଗିଣୀଙ୍କ ଭ୍ରୂକିଞ୍ଚିତ ହୋଇଗଲା । ସେ ସତେ ଯେପରି ମନକୁ ମନ କହିଲେ, ‘‘ନା ନା, ମୁଁ ତ ବେମାର ହୋଇ ନଥିଲି ।’’ ୟା ପରେ ସେ ବିହ୍ଵଳିତ ହେଲା ପରି ଚାରିଆଡ଼କୁ ଚାହିଁବାକୁ ଲାଗିଲା, ଓ କୋଠରୀର ଗୋଟିଏ କୋଣରେ ଦୃଷ୍ଟି ନିବଦ୍ଧ କରି ରଖିଲେ ।

 

ତାଙ୍କୁ ବା ବିମଳବାବୁଙ୍କୁ ବା ନର୍ସଙ୍କୁ ଦିଶିବ କାହିଁ ? ସେତେବେଳକୁ ଦେବୀ ଓ ଭୈରବ ଆସି ସେଇ କୋଣରେ ଠିଆ ହୋଇ ରହିଥାନ୍ତି । ମୁର୍ହୂର୍ତ୍ତକ ପରେ ମାଧବ ମଧ୍ୟ ସେଇଠାରେ ଆସି ପହଞ୍ଚିଲେ, ଓ ଦୁର୍ଗାଙ୍କୁ ପ୍ରଶ୍ନବାଚକ ଦୃଷ୍ଟିରେ ଚାହିଁଲେ ।

 

ଦୁର୍ଗା କହିଲେ, ‘‘ମହାପ୍ରଭୁ ! ମୋର ଶକ୍ତି ବର୍ତ୍ତମାନ ମୁଁ ୟାକୁ ଦେଉଛି । ଆପଣ ମୋଠାରୁ ଯାହା ଆଶା କରନ୍ତି ଏଥର ଏଇ ମୋର ପ୍ରତିଭୂ ଭାବେ ତାହା କରିବ । ନିଜକୁ ସମ୍ଭାଳିବାକୁ ଓ ତା’ଉପରେ ପଡ଼ୁଥିବା ଦାୟିତ୍ଵ ତୁଳାଇବାକୁ ଆପଣ ତାକୁ ବଳ ଦିଅନ୍ତୁ, ଭଗବାନ୍‌!’’

 

ମାଧବ ମନ୍ଦ ମନ୍ଦ ହସିଲେ । ଏତିକିବେଳେ ଦୁର୍ଗାଙ୍କଠାରୁ ଗୋଟିଏ ଘର ଭାସ୍ୱର ଜ୍ୟୋତି ଚକ୍‌କିନି ରୋଗିଣୀର ଦେହରେ ପଶିଗଲା । ସେ ଦଣ୍ଡେ ଆଖି ବନ୍ଦ କରି ପୁଣି ଚାହିଁଲା ନର୍ସକୁ ଓ ତା’ଠାରୁ ବିମଳବାବୁଙ୍କୁ ପଚାରିଲା, ‘‘ଭାଇ ! ତୁମେ ଏଠାକୁ କେତେବେଳେ ଆସିଲ ?’’ ନର୍ସ ଲଜ୍ଜିତ ହେଲା । କଥା ଲହସରେ ନିଜର ଅପ୍ରତିଭ ଭାବ ଲୁଚାଇବାକୁ ପଚାରିଲା, ‘‘ୟାଙ୍କ ନାମ କ’ଣ ?’’ ବିମଳବାବୁ ଉତ୍ତର ଦେବା ଆଗରୁ, ରୋଗିଣୀ କହିଲା ‘‘ମୋ ନାମ ଦୁର୍ଗା ।’’

☆☆☆

 

ସଂକଟ ପରେ ପୁଣି ସଂକଟ

 

ଦୁର୍ଗା ଡାକ୍ତରଖାନାରେ ରହିବାର ପ୍ରାୟ ୧୫ ଦିନରୁ ଟପିଗଲାଣି । ସେ ନିଜର ନାମ ଦୁର୍ଗା ବୋଲି ସଂଜ୍ଞା ଫେରିବା ସଙ୍ଗେ ସଙ୍ଗେ ସ୍ମରଣ କରିଥିଲା । ବିମଳବାବୁ ଓ ଡାକ୍ତରଖାନାର ସମସ୍ତେ ଆଶା କରିଥିଲେ ଆସ୍ତେ ଆସ୍ତେ ସବୁ ମନେପଡ଼ିଯିବ । କିନ୍ତୁ ୧୫ ଦିନ ପରେ ବି କୌଣସି ପରିବର୍ତ୍ତନ ଦେଖାଗଲା ନାହିଁ । ବିମଳବାବୁ ଯେ ତା’ର ଭାଇ, ସଂସାର ସଙ୍ଗେ ତା’ର ଏଇ ଗୋଟିକ ସମ୍ପର୍କ ବ୍ୟତୀତ ତା’ର ଆଉ କିଛି ମନେ ନଥାଏ । ବିମଳବାବୁଙ୍କ ସଙ୍ଗେ କଥାବାର୍ତ୍ତା ହେବାବେଳେ ସେ ଯେପରି ଗେହ୍ଲେଇ ହୋଇ କଥାବାର୍ତ୍ତା କରେ ସେଥିରେ କାହାର ସନ୍ଦେହ ହେଉ ନଥିଲା ଯେ, ସେ ସମସ୍ତଙ୍କ ପରି ତା’ର ଅପରିଚିତ । ଭବିଷ୍ୟତକୁ ଡରି ବିମଳବାବୁ ଡାକ୍ତରବାବୁଙ୍କୁ ସବୁ ଘଟଣା ଜଣାଇ ଦେଇଥିଲେ । ଡାକ୍ତରବାବୁ ଚିନ୍ତିତ ହେଲେ । ମସ୍ତିଷ୍କ ବିକୃତି ତ ନିଶ୍ଚୟ ! କିନ୍ତୁ ନିଜର ନାମ ଓ ବିମଳବାବୁଙ୍କ ସଙ୍ଗେ ନିଜର ସମ୍ୱନ୍ଧ ବିଷୟରେ ଚିତ୍ତର ସ୍ଥିରତା ତାଙ୍କୁ ପ୍ରଥମେ ଟିକିଏ ଆଶା ଦେଇଥିଲେ ମଧ୍ୟ, ୧୫ ଦିନରେ ଅବସ୍ଥାର କୌଣସି ପରିବର୍ତ୍ତନ ନ ହେବାରୁ ସେ ନିରାଶ ହେଲେ ଯେ, ସ୍ତ୍ରୀଲୋକଟି ଏହିପରି ଅର୍ଦ୍ଧସଂଜ୍ଞା ଅବସ୍ଥାରେ ଜୀବନତମାମ ରହିଯିବ । ତେବେ ଆଶାର କଥା, ଅତୀତର କୌଣସି ସ୍ମୃତି ତାହାର ନଥିଲେ ହେଁ ଡାକ୍ତରଖାନାର ସମସ୍ତଙ୍କୁ ସେ ଚିହ୍ନୁଛି, ଓ ନିକଟ ଅତୀତର ସବୁ ଘଟଣା ତା’ର ମନେ ରହୁଛି । ଦୁର୍ଗାର ବୟସ ୨୫ ଭିତରେ, ଡାକ୍ତରଖାନାର ସୁଚିକିତ୍ସାରେ ତା’ର ରୂପ ଲାବଣ୍ୟ ଫେରି ଆସିଥାଏ, ପୂର୍ବ ଅପେକ୍ଷା ସେ ଢେର ସୁନ୍ଦର ଦିଶୁଥାଏ । ଡାକ୍ତରବାବୁ ଆଶ୍ଵସ୍ତ ହେଲେ, ଅତୀତ ବିସ୍ମୃତି ହେଲେ କ୍ଷତି ବା କ’ଣ ? ସାମାନ୍ୟ ଟିକିଏ ଲେଖି ପଢ଼ି ପାରିଲେ ସେ ଡାକ୍ତରଖାନାର ପରିଚାରିକା ହୋଇ ସ୍ଵଚ୍ଛନ୍ଦରେ ଜୀବନ କଟାଇ ଦେଇ ପାରିବ–ସୁବିଧା ହେଲେ ଘର ସଂସାର କରିବାର ସୁଯୋଗ ବି ଜୁଟିଯାଇପାରେ । ବିମଳବାବୁ ନିୟମିତ ଦୁର୍ଗା ପାଖରେ ଯେପରି ଧାରଣ ଦେଇଥାନ୍ତି ତାହା ଦେଖି ନର୍ସମାନଙ୍କ ଭିତରେ ଆଖି ଠରାଠରି ଚାଲିଥାଏ ଯେ, ଦୁର୍ଗାର ସଂସାର କରିବାର ସୁଯୋଗ ସାଙ୍ଗେ ସାଙ୍ଗେ ମିଳି ସାରିଛି ।

 

ବିମଳବାବୁ ଅବିବାହିତ । ବିବାହ କରିବେ ନାହିଁ ବୋଲି ବାପା ମା’ଙ୍କୁ ସେ ବର୍ଷେ ଖଣ୍ଡେ ହେଲା ନିର୍ଭର ଭାବେ ଶୁଣାଇ ଦେଇ ସାରିଛନ୍ତି । ଆଜିକାଲି ଯୁଗର ପିଲାଙ୍କ କଥା ଉପରେ କଥା କହିବା ଉଚିତ ନୁହେଁ ବୋଲି ବାପା ଯେଉଁ ନୀତି ବଚନ କହନ୍ତି ତାହା ମା’ ହସରେ ଉଡ଼ାଇ ଦେଉଥିଲେ । ପୁଅ ଏକାବେଳକେ ବିଭା ହେବନାହଁ ବୋଲି ତାଙ୍କ ଶୁଣାଇ ଦେବାଦିନୁଁ ସେ ମଝିରେ ମଝିରେ ଅସ୍ରେ ଲେଖାଏ କାନ୍ଦନ୍ତି, ଓ ଦି’ଓଳି ନିଜ ଘରର ଠାକୁରଙ୍କ ପାଖେ ମୁଣ୍ଡ କୋଡ଼ନ୍ତି–ଗୋଟିଏ ବୋଲି ପୁଅ ! ଠାକୁରେ, ତା'କୁ ଭଲ ବୁଦ୍ଧି ଦିଅ । ତା’ର ହାତକୁ ଦି'ହାତ ହେଉ । ଠାକୁରେ ଏପର୍ଯ୍ୟନ୍ତ ନ ଶୁଣିବାରୁ ମା’ଙ୍କର ନୈରାଶ୍ୟ ଆସିବା ପରିବର୍ତ୍ତରେ ପୁଅକୁ ନିଶ୍ଚୟ ବିଭା କରିବେ ବୋଲି ଜିଦ୍‌ ଆସିଛି ।

 

ଏଇ ପରିସ୍ଥିତିରେ ଦୁର୍ଗାକୁ ଦେଖି ବିମଳବାବୁଙ୍କର ମନରେ ସେଇ ପୁରୁଣା ସମସ୍ୟାଟା ଗୋଟାଏ ନୂଆ ପ୍ରଶ୍ନ ରୂପରେ ଜାଗ୍ରତ ହେଲା–ମୁଁ ବିଭା ନ ହେଉଛି କାହିଁକି ? ଏ କ’ଣ ଖାଲି ଗୋଟାଏ ଜିଦ୍‌ ନୁହେଁ ? ବାପାମା’ଙ୍କର ଗୋଟିଏ ପୁଅର ପିତୃପୁରୁଷଙ୍କ ପ୍ରତି ତ କର୍ତ୍ତବ୍ୟ ଅଛି ! ନିଜ ପୁଅଠାରେ ବଂଶ ଲୋପ ହେବ ଏକଥା କେଉଁ ବାପ ମା’ ଚାହିଁବେ ?

 

ଏ ପ୍ରଶ୍ନ ଉପରେ ଚାପା ଦେଇ ମନରେ ଆହୁରି ଜାଗିଲା, ତାଙ୍କ ଯୌବନ ଆରମ୍ଭରୁ ଆଜିଯାଏଁ ଯାହା ଘଟିଯାଇଛି ସେ ସବୁ । କୌଣସି ନାରୀ ଯେ କେବେ ତାଙ୍କର ମନକୁ ପ୍ରଭାବିତ କରି ନାହାନ୍ତି ତାହା ତ ନୁହେଁ । କିନ୍ତୁ କାହାର ପ୍ରଭାବ ଜୀବନଯାକ ପାଇଁ ସ୍ଥାୟୀ ହେଲାପରି ଗଭୀର ନଥିଲା । କିନ୍ତୁ ପୂର୍ବର ସମସ୍ତେ ଆଡେ, ଦୁର୍ଗା ଆଡ଼େ । ସେ ସମସ୍ତେ ସୁଖ ସମ୍ଭୋଗ ଇଚ୍ଛାରେ ତାଙ୍କ ପାଖକୁ ଆଉଜିଥିଲେ । କିନ୍ତୁ ଦୁର୍ଗାର ମନରେ ତ କୌଣସି କାମନା ନାହିଁ । ତାହାର ସରଳ ନିଷ୍ପପଟ ମୁହଁ, ତା’ପରେ ଚାହାଣୀ ଓ କଥା ବିମଳବାବୁଙ୍କୁ ଅପୂର୍ବ ଆନନ୍ଦ ଦେଲା । ଦୁର୍ଗାର ଚାହାଣୀରେ କାମନା ନ ଥିବାରୁ ବିମଳବାବୁଙ୍କ ମନରେ ଜାଗ୍ରତ ହେଲା କାମ ! ସେ ହଠାତ୍‌ ପିତୃ–ମାତୃଭକ୍ତ ପାଲଟିଗଲେ; ସ୍ଥିର କଲେ, ଏହି ନାରୀ ରତ୍ନଟିକୁ ଜୀବନର ସଙ୍ଗିନୀ କରିବେ ।

 

ପ୍ରଥମ ୫l୭ ଦିନ ମନରେ ପ୍ରେମର ଜୁଆର ଉଠିଲା । କିନ୍ତୁ ତା'ପରେ ଦୁର୍ଗାର ସରଳ ସ୍ନେହଭାବ ଭାଇ ଡାକରେ ସେ ବିବ୍ରତ ହୋଇ ପଡ଼ିଲେ । ଦୁର୍ଗାର କଥା ଓ ଚାହାଣୀରୁ ଜଣାପଡ଼ୁଥାଏ, ସତେ ଯେପରି ସେ ବିଶ୍ଵାସ କରୁଛି, ବିମଳବାବୁ ତା’ର ଜନ୍ମ କଲା ଭାଇ । ଦୁର୍ଗା ମନରେ ଯଦି ଏ ଭାବ ଦୃଢ଼ ହୋଇଯାଏ ? ତା'ର ଅତୀତ ସ୍ମୃତି ଯଦି ପୁଣି ଚେଇଁ ନଉଠେ । ତେବେ-? ବିମଳବାବୁ ସ୍ଥିର କଲେ, ଦୁର୍ଗା ସଙ୍ଗେ କୌଣସି ତରଳ ଘନିଷ୍ଠତା ନ କରି ସେ ‘ଭାଇ’ ଡାକର ଗୌରବ ରଖିବେ । ଦୁର୍ଗାର ସ୍ମୃତି ବାଧା ନ ପାଇ ଜାଗ୍ରତ ହେଉ । ପରେ ଦେଖାଯିବ ପ୍ରେମର ଜୁଆର ରୋକି ହୋଇଗଲା–ଧୀରେ ଧୀରେ ଭଟ୍ଟା ଆରମ୍ଭ ହେଲା । ବିମଳବାବୁ ସଙ୍କଳ୍ପ କଲେ ସେ ଦୁର୍ଗାକୁ ନିରାଶ କରିବେ ନାହିଁ ।

 

ତେଣୁ, ଯେତେବେଳେ ଡାକ୍ତରବାବୁ ଜଣାଇଦେଲେ ସେ ଦୁର୍ଗାକୁ ଆଉ ବେଶୀଦିନ ଡାକ୍ତରଖାନାରେ ରଖିବା ସମ୍ଭବ ହେବ ନାହଁ, ସେତେବେଳେ ସେ ଆଗ୍ରହରେ ନିଜ ଘରକୁ ଦୁର୍ଗାର ସୁବିଧା ସକାଶେ ସଜାଇବାକୁ ଲାଗିଲେ । ଦୁଇଦିନ ପରେ ସେ ଦୁର୍ଗାର ଖଟପାଖେ ବସି ତାହାର ହାତ ପାପୁଲିକୁ ଆଉଁଶୁ ଆଉଁଶୁ ଆରମ୍ଭ କଲେ, ‘‘ଦୁର୍ଗା ! ଏଥର ଆମେ ଘରକୁ ଯିବା । ଆଉ ଏଠାରେ ରହିବା ପ୍ରୟୋଜନ ନାଇଁ ।’’

 

ଦୁର୍ଗା କିଛି ନ କହି ତୁନି ରହିଲା । ହଠାତ୍‌ ତା’ ମୁହଁରେ କିପରି ଗୋଟାଏ ବିଷାଦର ଛାଇ ପଡ଼ିଗଲା । ସେ ଆଖି ଅଧା ବୁଜି ଦେଇ ପଡ଼ିରହିଲା ।

 

ବିମଳବାବୁ ଶଙ୍କିତ ହୋଇ ଡାକିଲେ, ‘‘ଦୁର୍ଗା’’ ମୁହଁ ଟେକି ପଚାରିଲା, ‘କ’ଣ, ଭାଇ !’’

 

ବିମଳବାବୁ ଏଥର ତୁନି ହୋଇ କିଛିକ୍ଷଣ ବସି ରହିଲେ, ଦୁର୍ଗା ନିର୍ନିମେଷ ଦୃଷ୍ଟିରେ ତାଙ୍କ ମୁହଁକୁ ଚାହିଁଥାଏ । ଟିକକ ପରେ ସେ ଡାକିଲା, ‘‘ଭାଇ !’’

 

ବିମଳବାବୁ ମୁହଁ ଟେକି ଚାହିଁ କହିଲେ, ‘କ’ଣ ? ଦୁର୍ଗା ଅଳି କଲା ପରି ପଚାରିଲା, ତୁମେ ଇମିତି ତୁନି ହୋଇ କାହିଁକି ବସିଛ ଯେ ?’’

 

ବିମଳବାବୁ ହସି ପକାଇଲେ, ତୁ ତ ମୁହଁ ଶୁଖାଇ ଶୋଇ ରହିଲୁ ବୋଲି ମୁଁ ଚିନ୍ତିତ ହେଉଛି, ମତେ ପଚାରୁଛ କ’ଣ ?’’

 

ଦୁର୍ଗାର ମୁହଁରେ ଆଉ ପ୍ରସ୍ତେ ବିଷାଦ ବୋଳି ହୋଇଗଲା । ସେ କହିଲା, ‘‘ଭାଇ ! ତୁମ ମନରେ କଷ୍ଟ ହେବ ବୋଲି ମୁଁ ମନକୁ ସବୁବେଳେ ନିଶ୍ଚିନ୍ତ ରଖିବାକୁ ଚେଷ୍ଟା କରୁଛି । କିନ୍ତୁ ମନକୁ ତ ଚିନ୍ତା କାହୁଁ କାହୁଁ ମାଡ଼ି ପଡ଼ୁଛି । ମୁଁ କରିବି କ’ଣ ?’’

 

ବିମଳବାବୁ ଅପ୍ରସ୍ତୁତ ହୋଇଗଲେ । ଦୁର୍ଗାର ମନରେ ତାଙ୍କ ଯୋଗୁଁ କ’ଣ ଗୋଟାଏ ଚିନ୍ତା ଜାତ ହୋଇଛି । ସେ ତାକୁ ଭଉଣୀ ବୋଲି ତ ମନରେ ବି ଆସିଲେଣି, ତା' ମନରେ ଅନ୍ୟ ପ୍ରତିକ୍ରିୟା ହେଲା କାହିଁକି, ସେ ବୁଝିପାରିଲେ ନାହିଁ : ଶଙ୍କି ଶଙ୍କି କହିଲେ, ‘‘ଦୁର୍ଗା ! କ’ଣ ଭାବୁଛୁ କହିଲେ ସିନା ହୁଅନ୍ତା ! ବର୍ତ୍ତମାନ ତୋ’ର ଦେହର ଯାହା ଅବସ୍ଥା, ସେଥିରେ ମନକୁ ଭାରାକ୍ରାନ୍ତ କରିବା ଭଲ ନୁହେଁ ।’’

 

ଦୁର୍ଗା ଦୋଷ ସ୍ୱୀକାର କଲାପରି କହିଲା, ‘‘ଭାଇ ! ସବୁ କଥା କ’ଣ ତୁମକୁ କହିହେବ ? ମୋର ବର୍ତ୍ତମାନ ଯେଉଁ ଅବସ୍ଥା ସେଥିରେ କ’ଣ ମନ ନିଶ୍ଚିତ ହୋଇପାରିବ, ଭାଇ ! ମାଇକିନିଆ ମନ ତମେ କୁଆଡ଼ୁ ଚିହ୍ନିବ ?’’

 

ବିମଳବାବୁ ଏକଥାକୁ କ’ଣ ଉତ୍ତର ଦେବେ ଠିକ୍‌ କରିପାରିଲେ ନାହିଁ । ସେ ତୁନୀ ହୋଇ ରହିଲେ । ଦୁର୍ଗା ମଧ୍ୟ ଆଖିକୁ ଅଧାମୁଦି ରହିଲା । ଉଭୟଙ୍କର ଏ ଅବସ୍ଥା କେତେବେଳ ରହିଲା, କେଜାଣି ? ବିମଳବାବୁ ମୁହଁ ଉପରକୁ କରି ଚାହିଁଲା ବେଳକୁ ଦୁର୍ଗା ନିଦରେ ଶୋଇ ପଡ଼ିଥିଲା ପରି ଦିଶିଲା । ନିର୍ନିମେଷ ଦୃଷ୍ଟିରେ ତା’ ଆଡ଼କୁ ଚାହୁଁ ଚାହୁଁ ତାଙ୍କର ଆତ୍ମଗ୍ଳାନି ଜାତ ହେଲା । ସେ ବିଚାରିଲେ, ‘‘ମୁଁ ମିଛରେ ଡରି ଯାଇ ଏଣୁ ତେଣୁ ଗୁଡ଼ାଏ ଭାବୁଛି ! ହାତରେ ମଣି ପାଇ ତାକୁ କାଚ ବୋଲି ତୁଚ୍ଛ ତାଚ୍ଛଲ୍ୟ କରିବାକୁ ସାଧନା କରୁଛି । ପ୍ରକୃତରେ ଯାହା କହନ୍ତି, ନାରୀ ମହାନଦୀ । ସେ ମୋତେ ଲୌକିକ ସୌଜନ୍ୟରେ ଭାଇ ବୋଲି ଡାକୁଛି, ଏଣେ ମୁଁ ସେଇ ଭାଇ ଡାକରେ ଭଡ଼କି ଯାଇ ମୋର ସ୍ଵର୍ଗର ପାରିଜାତ ହାତରେ ଧରି ମକଚି ଦେଉଛି ।’’ ବିମଳବାବୁଙ୍କ ମନରେ ସଂକଳ୍ପ ଦୃଢ଼ ହେଲା, ଆଜି ସବୁ ସମସ୍ୟାର ସମାଧାନ ସେ ଏଇ ଡାକ୍ତରଖାନା ଖଟ ପାଖେ କରିଦେବେ । କ’ଣ ପଚାରିବେ ଓ କ’ଣ ଉତ୍ତର ମିଳିବ ତାହାର ଅଭିନୟ ମନେ ମନେ ବହୁବାର କରି ସାରି ସେ ଦୁର୍ଗାର ନିଦ ଭାଙ୍ଗିବାକୁ ଟିକିଏ ବଡ଼ ପାଟିରେ ଡାକିଲେ, ‘‘ଦୁର୍ଗେ ।’’

 

ଦୁର୍ଗାର ଚାଉଁକିନି ନିଦ ଭାଙ୍ଗିଗଲା । ସେ ଖୋଜି ପକାଇଲା ପରି ଚାରିଆଡ଼କୁ ଚାହିଁ ପଚାରିଲା,‘‘ଭାଇ ! ମୋତେ ଇଲେ କିଏ ଡାକିଲା ?’’ ବିମଳବାବୁଙ୍କ ଉତ୍ତର ପାଇ ସେ ନିରାଶରେ କହିଲା, ‘‘ମୁଁ ସ୍ଵପ୍ନ ଦେଖୁଥିଲି, ଆଉ ମୋ ଉପରେ ରାଗ ନକରି ମୋତେ ଦେଖିବାକୁ ସେ ଆସିଛନ୍ତି, ମୋତେ ଆଦର କରି ଡାକୁଛନ୍ତି, ଦୁର୍ଗେ ବୋଲି । ତାଙ୍କର ଡାକରେ ମୋ ନିଦ ଭାଙ୍ଗିଗଲା ପରି ଲାଗିଲା । ତମେ ଡାକିଚ ନିଶ୍ଚୟ । ସେ ଆଉ ଆସିବେ କାହିଁକି ?’’

 

ବିମଳବାବୁଙ୍କ ଜାଗ୍ରତ ସ୍ଵପ୍ନ ଭାଙ୍ଗିଗଲା । ପର୍ବତ ଶିଖରରୁ ଖସି ପଡ଼ିଲା ବେଳେ ଦୈବାତ୍‌ ରକ୍ଷା ପାଇଗଲେ ଯେମିତି ଲାଗେ ତାଙ୍କୁ ସେମିତି ଲାଗିଲା । ସେ ଆଶ୍ଵସ୍ତିରେ ଦୀର୍ଘ ନିଃଶ୍ଵାସଟିଏ ମାଇଲେ । କିଛି କ୍ଷଣ ପରେ ଦୁର୍ଗା ପୁଣି ଆରମ୍ଭ କଲା, ‘‘ଭାଇ ! ମୁଁ ତ କିଛି ଅପରାଧ କରି ନାଇଁ ! ତମେ ତାଙ୍କ କଥା ଶୁଣିଥିବ ! ତାଙ୍କ ପରି ଲୋକଙ୍କଠାରେ, ମୁଁ ତ ମୁଁ, ଦାଣ୍ଡଲୋକ ତ କେବେ ଅପରାଧ କରିପାରେ ନାଇଁ । ସେ ପୁଣି ଏଡ଼େ ସହିବା ଲୋକ ! ଯଦିବା ମୋର କୋଉ କଥାରେ ତାଙ୍କର ମନରେ କଷ୍ଟ ହେଲା, ଏତେ ଦିନ ହେଲା ତାହା ପେଟରେ ରଖି ମୋତେ ପାସୋରି ଦେବା ବଡ଼ ଆଚମ୍ବିତ ଲାଗୁଛି । ଭାଇ ! ତମେ ଭଲା ତାଙ୍କଠାରୁ କିଛି ଶୁଣିଛ ?’’

 

ବିମଳବାବୁ ଏଣୁ ତେଣୁ ଗୁଡ଼ାଏ ଆଶଙ୍କା ଓ ଅନୁମାନ କରିବାରେ ଲାଗିଲେ । ଦୁର୍ଗା ତାଙ୍କରି ଆଡ଼କୁ ଚାହିଁ ରହିଥାଏ । ଏହା ଜାଣି ମଧ୍ୟ ସେ ମୁହଁ ପୋତି ସେଇପରି ଭାବୁଥାନ୍ତି । ମନର ଦୁର୍ବାସନା ଦୂର କରିବାକୁ ମନକୁ ଥର ଥର କରି ଧୋଇ ନିର୍ମଳ କରିବାରେ ଲାଗୁଥାନ୍ତି, ଗୋବର ପାଣି, ଫିନାଇଲ ଛିଞ୍ଚୁଥାନ୍ତି । ତାହାର ଉତ୍କଟତା ମାରିବା ପାଇଁ ସେଥିରେ ଝୁଣାଧୂଆଁ ଦେଇଥାନ୍ତି । ମନ ଭିତରେ ଇଂରେଜ ସାହିତ୍ୟର କେତେ ମହକ ଫୁଲ ସଜାଡ଼ିଥାନ୍ତି । ତଥାପି କେଉଁ ନିଭୃତ କୋଣରୁ ପୁଣି ଗନ୍ଧ ଆସେ; ବାରି ନପାରି ସେ ପୁଣି ଆଉଥରେ ସବୁ ଧୋଇ ସଫା କରୁଥାନ୍ତି, ପୁଣି ଗନ୍ଧ ଓ ଦୁର୍ବାସନ ମାରୁଥାନ୍ତି । ଏଇପରି ଗୁଡ଼ାଏ ସମୟ ଯିବାପରେ ବିମଳବାବୁଙ୍କର ଆତ୍ମବିଶ୍ଵାସ ଆସିଲା; ସେ ମୁରବୀର ଦୃଢ଼ ସ୍ଵରରେ କହିଲେ, ‘‘ଦୁର୍ଗି ! ଅଧୀର ହୁଅନା ! ସେ କ’ଣ ଗୋଟାଏ ବଡ଼ ଅସୁବିଧାରେ ପଡ଼ି ଆସିପାରି ନାହାନ୍ତି । ସେ ନିଶ୍ଚୟ ଆସିବେ । ତତେ ସେ କ’ଣ ପାଶୋରି ପାରିବେ । ତୁ ଆଶା ରଖ । ସେ ନିଶ୍ଚୟ ଆସିବେ ବୋଲି ବିଶ୍ୱାସ କର....ହଁ; ଆଜି ଉପରଓଳି ଆମେ ଘରକୁ ଯିବା । ମୁଁ ସବୁ ଠିକ୍‌ କରି ଆସିଛି ।’’

 

ବିମଳବାବୁଙ୍କ ଘରର ଶୋଭା ବଢ଼ିଗଲା, ଦୁର୍ଗା ସେଠାରେ ଅଧିଷ୍ଠିତ ହେବା ପରେ । ଘରର ଏ କୁଣରୁ ସେ କୁଣରେ ଦୁର୍ଗା ଗଦା ଗଦା ଅଳିଆ ଆବିଷ୍କାର କରି ସଫାସୁତୁରା କଲା । ସେ ସବୁ ୨।୩ ବର୍ଷ ଭିତରେ ଆସି ଯାଇଥିବା ପ୍ରାୟ ଛ’ଜଣ ଚାକରଟୋକାଙ୍କର ସ୍ମୃତିର ଅବଶେଷ । ସେମାନେ ଘର ଓଳେଇ ମଇଳାକୁ କୃପଣର ସମ୍ପତ୍ତି ପରି ଆଖି ନ ପଡ଼ିବା ଜାଗାରେ ସାଇତି ଦେଇଥାନ୍ତି । ବିମଳବାବୁଙ୍କର ସାହିତ୍ୟିକ ପ୍ରାଣର ସ୍ପନ୍ଦନ ଆକାଶରେ ଭାସି ଯାଉଥିବା ମେଘ ସଙ୍ଗେ ଦୂର ଦିଗ୍‌ବଳୟ ମେଘ ସଙ୍ଗେ; ଉପରୁ ଆଖି ଫେରାଇ ଘରକୁ ଚାହିଁଲେ କିପରି ତାହାର ସୌନ୍ଦର୍ଯ୍ୟ ଫୁଟିଉଠେ ସେକଥା ଜୀବନରେ ସର୍ବପ୍ରଥମେ ବିମଳବାବୁ ଦୁର୍ଗାର ହାତ ଓ ପାଦ ପଛରେ ଆଖିକୁ ଚଳାଇ ନୂଆ କରି ଜାଣିଲେ । କଥାରେ ଯେପରି କହନ୍ତି, ତାଙ୍କ ମନ ଘର ଧଇଲା ।

 

ପ୍ରତିବେଶୀ ବନ୍ଧୁ-ସ୍ତ୍ରୀମାନଙ୍କର ଓ କଲେଜ ପିଲାମାନଙ୍କର ଦୃଷ୍ଟିରେ ବିମଳବାବୁଙ୍କ ମନୋବୃତ୍ତିର ବିପ୍ଳବ ଇନ୍ଦ୍ରଧନୁର ରୂପରେ ଦିଶିଲା । ଜଣେ ଅଧେ ବିଶ୍ୱାସ କଲେ ଯେ ଦୁର୍ଗି ସାଙ୍ଗରେ ତାଙ୍କର ପ୍ରକୃତ ଭାଇ-ଭଉଣୀ ସମ୍ପର୍କ । ମନସ୍ତତ୍ତ୍ଵବିତ୍‌ ଅଧ୍ୟାପକଙ୍କ ସ୍ତ୍ରୀ ବିଭିନ୍ନ ଦିଗରୁ ଆଲୋଚନା କରି ଏ ବିଶ୍ଵାସ ଯୁକ୍ତିଯୁକ୍ତ ବୋଲି ସ୍ୱୀକାର କଲେ । କିନ୍ତୁ ଦାର୍ଶନିକ ଅଧ୍ୟାପକଙ୍କ ସ୍ତ୍ରୀ ଓ ଛାତ୍ରମାନେ, ବିଶେଷ କରି ଓଡ଼ିଆ ଓ ସଂସ୍କୃତ ଅଧ୍ୟାପକଙ୍କ ସ୍ତ୍ରୀ ଓ ଛାତ୍ରମାନେ ଦୂରରୁ ବିମଳବାବୁଙ୍କୁ ଦେଖି ମୁଡ଼ୁକି ମୁଡ଼ୁକି ହସନ୍ତି । ଜଣେ ସଂସ୍କୃତ ଅଧ୍ୟାପକ ଏଥିରେ ପ୍ରଭାବିତ ହୋଇ ଥରେ ବିମଳବାବୁଙ୍କୁ ପଚାରି ଦେଲେ, ‘‘ବିମଳବାବୁ ! ପକ୍ୱାନ୍ନଂ ଇତରେ ଜନାଃ ! ଇତରେ ଜନାଃ ଆଉ କେତେ ଦିନ ଅପେକ୍ଷା କରିବେ ?’’ ବିମଳବାବୁ ଟିକିଏ ହସି ଦେଲେ ମାତ୍ର ।

 

ଅନ୍ୟ ଅଧ୍ୟାପକମାନେ କିନ୍ତୁ କୌଣସି ଲୋକର ବ୍ୟକ୍ତିଗତ କାର୍ଯ୍ୟକଳାପ ବିଷୟରେ ଅତି କୁତୁହଳୀ ହେବା ଅନ୍ୟାୟ ବୋଲି ବୁଝି ତୁନି ଥାନ୍ତି । ବିମଳବାବୁ ନିଃସଙ୍କୋଚରେ ନିଜର କାର୍ଯ୍ୟରେ ଲାଗିଯିବାରେ କୌଣସି ବିଶେଷ ପ୍ରତିବନ୍ଧକ ପାଇଲେ ନାହିଁ ।

 

ଦୁର୍ଗାର ସରଳ ଅମାୟିକ ବ୍ୟବହାର ଓ ନିଷ୍କପଟ ଦୃଷ୍ଟି କ୍ରମେ କ୍ରମେ ପାଖଆଖ ସମସ୍ତଙ୍କୁ ଆକୃଷ୍ଟ କଲା । ପାଖ ପଡ଼ାର ଦୁଃଖୀ ଦରିଦ୍ର ଗଛଛାଇ ପରି ବିମଳବାବୁଙ୍କ ବସାକୁ ଆଶ୍ରା କରିବାକୁ ଆରମ୍ଭ କଲେ । ସେମାନଙ୍କ ପିଲାମାନେ ଓ ଅଧ୍ୟାପକଙ୍କ ପିଲାମାନେ ମଧ୍ୟ ପ୍ରତି ଦି’ପହରେ ଆସି ଦୁର୍ଗାନାନି, ଦୁର୍ଗାମାଉସୀ, ଓ ଦୁର୍ଗାପିଉସୀ ପାଖରେ ହରେକ୍‌ରକମ ଆବଦାର ବାଢ଼ିଲେ । କେବଳ ‘ତାଙ୍କରି’ କଥା ବେଳେବେଳେ ମନକୁ ଆସି ଦୁର୍ଗାର ମନ ଅଜ୍ଞାତରେ ବିଷର୍ଣ୍ଣ ହୋଇଯାଏ, ନହେଲେ ବାହାରକୁ ଦେଖିବାକୁ ସେ ପରମ ଶାନ୍ତିରେ ‘ଭାଇ’ଙ୍କ ପାଖେ ଦିନ କଟାଇବାକୁ ଲାଗିଲା ।

 

ପୁଅ, ଝିଅ ତା’ ମନକୁ ସେଯାଏଁ ଆସି ନଥାନ୍ତି । ତା'କୁ ଦିଶନ୍ତି ଖାଲି ସିଏ ! ଯେଉଁଦିନ ସେ ପ୍ରଥମେ ତା’ ହାତ ଧରିଥିଲେ, ସେଦିନ ସେ ସବାରୀରେ ବସି ପ୍ରଥମେ ତାଙ୍କ ଆଗେ ଆଗେ ଆସିଥିଲା, ସେଇ ଦିନଟା ମାତ୍ର ତା'ର ସୁସ୍ପଷ୍ଟ ଭାବେ ମନରେ ଥାଏ । ଆଉ ଥାଏ ଶେଷ ସାକ୍ଷାତର ଦିନ, ଯେତେବେଳେ ସେ ଦୁହେଁ ହାତ ଧରାଧରି ହୋଇ ଗୋଟାଏ ବଣ ଭିତରେ ଯାଉଥିଲେ–ହଠାତ୍‌ ‘ସେ’ ଦୁର୍ଗାର ହାତ ଛାଡ଼ିଦେଇ ବଣ ଭିତରେ କୁଆଡ଼େ ଛପି ଗଲେ । କୁଆଡ଼େ ଗଲେ ଓ କାହିଁକି ଗଲେ ସେ କଥା ଦୁର୍ଗା ଠଉରେଇ ପାରୁ ନଥାଏ । ଏ ବିଷୟରେ ତା'କୁ କିଏ କେମିତି ଅବା ସାହାଯ୍ୟ କରିବ ? କ’ଣ ବୁଝାଇବ ? କ’ଣ ତା’ ମନେ ପକାଇ ଦେବ ? ବିମଳଭାଇଙ୍କ ସ୍ନେହ, ଓ ପିଲାଙ୍କ ଆବଦାରରେ ଦୁର୍ଗା ଏ ସ୍ମୃତିକୁ ମନର ଗୋଟାଏ କୁଣରେ ଲୁଚାଇ ରଖିଥାଏ । ବିମଳବାବୁ ଏହାର ଅସ୍ପଷ୍ଟ ସଙ୍କେତ ପାଇଥାନ୍ତି ମାତ୍ର ।

 

ଦୁର୍ଗାର ସ୍ପଷ୍ଟତର ପରିଚୟ ବିମଳବାବୁଙ୍କୁ ଦୈବାତ୍‌ ମିଳିଗଲା ତାଙ୍କ ମା’ଙ୍କଠାରୁ । ଦିନେ ସନ୍ଧ୍ୟାରେ ତାଙ୍କର ମା’ ଓ ବାପା ଅପ୍ରତ୍ୟାଶିତ ଭାବେ ଆସନ୍‌ସୋଲ ଗାଡ଼ିରୁ ଆସି ଓହ୍ଳାଇଲେ । ବାପା ବସାରେ ପହଞ୍ଚିବା ସଙ୍ଗେ ସଙ୍ଗେ ଦୁର୍ଗା ଆଣି ଥୋଇଦେବା ପାଣି ମୁନ୍ଦାକରେ ଧୁଆଧୋଇ ହୋଇ ସନ୍ଧ୍ୟା ଉପାସନାରେ ବସିଲେ । ମା’ଙ୍କର ଉପାସନା ତ ଅନ୍ୟ ରକମର । ସେ ସବୁ ଘର ଥରେ ଦୁଇଥର ତିନିଥର ବୁଲିଆସିଲେ, ରୋଷେଇ ଘର ତଦାରଖ କରେ । ପୁଅର ମୁହଁ ଦେହ ଉପରେ ବାରମ୍ବାର ଆଖି ବୁଲାଇ ଗଲେ ଓ ଏସବୁଥିରେ ଦୁର୍ଗା ଉପରେ ତୀକ୍ଷ୍‌ଣ ଦୃଷ୍ଟି ହାଣି ଦେଇଯାଉଥାନ୍ତି ।

 

ଦୁର୍ଗା ପୁଝାରୀ ପିଲାଟିକୁ ଲମ୍ବା ଛୁଟି ଦେଇଥାଏ, ଗାଁରେ ତା’ ବାପ ମା’ଙ୍କୁ ଦେଖିଆସିବାକୁ । ରୋଷେଇ ଘରେ ଅନ୍ତତଃ ଘଣ୍ଟାକ ପାଇଁ ସେ ଆବଦ୍ଧ ରହିବାର ଜାଣି ମା’ ବିମଳବାବୁଙ୍କ ପାଠ-ଘରକୁ ଆସି ‘ଚଉକିରେ ବସ୍‌ ବସ୍‌’ ବୋଲି ପୁଅଠାରୁ ଆଦେଶ ପାଉ ପାଉ, କବାଟ କୁଣରେ ବସିପଡ଼ି ଆରମ୍ଭ କଲେ, ‘‘ହଇରେ ପୁଅ, ବାସୁଭାଇଙ୍କ ଝିଅ ଦୁର୍ଗି ଏଠାରେ କିମିତି ପହଞ୍ଚିଲା ?’’

 

ବିମଳବାବୁ କିଛି ବୁଝିପାରିଲେ ନାହିଁ । ସେ ପଚାରିଲେ, ‘‘କେଉଁ ବାସୁଭାଇ ! ତୁ କମିତି ତା' ନାଁ ଜାଣିଲୁ, ବୋଉ ।’’

 

ବୋଉ ଖୁଣିଲାପରି କହିଲେ, ‘‘ମୁଁ କିମିତି ତା’ ନାଁ ଜାଣିଲି ଜାଣିଲି ବୋଲି କହୁଛୁ, ଆଉ ବାସୁ ଭାଇଙ୍କ ନାଁ ଶୁଣିଲା ବେଳକୁ କାବା ହୋଇଯାଉଛୁ ! ତୋ’ର କ'ଣ ଅଜାଘର କଥା ମନେ ନାଇଁ କିରେ ? ସେ ଟୋକି କ’ଣ ତତେ ତା' ଘରକଥା କିଛି କହିନାଇଁ କିରେ ? ବିମଳ ! ତୋ’ର କ'ଣ ମନେ ନାଇଁ, ତୁ ଏଣ୍ଟନେସ୍‌ ପଢ଼ୁଥିବାବେଳେ ମୋ ସଙ୍ଗରେ ପରା ତୁ ମାସେ ଥିଲୁ, ଆମ ଗାଁରେ । ଆମରି ପଡ଼ିଶାଘର ବାସୁଭାଇଙ୍କର । ମୋର ସେ କୁଟୁମ୍ବେଇତି ଭାଇ । ତୋ’ରିପାଇଁ ଏ ଦୁର୍ଗିଟି କଥା କହିଥିଲି, ଭାଉଜକୁ । ତା’ର ମନ ଥିଲା । ତୋ ବାପାଙ୍କର ବି ମନ ଥିଲା । କିନ୍ତୁ ବାସୁଭାଇ କହିଲେ, ‘‘ସୁଲ, ତୁ କ’ଣ ମୋର ଭଉଣୀ ନୁହଁ କିଲୋ ? ତମ ଘରକୁ ଆମଘର ତିନିପୁରୁଷ ଛାଡ଼ ହେଲେ କ’ଣ ହେଲା ? ତୋର ମୋର ପରା ଭାଇ ଭଉଣୀ ! ତୋ ପୁଅ, ମୋ ଝିଅ ବିଭା ହେବେ କିମିତ ମ ?’’ ମୁଁ ତୁନି ହୋଇଗଲି । ସତ କଥା ତ ! ତୋ ବାପା କହିଲେ, ଦକ୍ଷିଣ ହେଇଥିଲେ ମାମୁଁ ଝିଅ ବିଭା ଚଳିଥାନ୍ତା । ହଇରେ ବିମଳ ! ତୁ ତା’ ସଙ୍ଗେ କେବେ ଖେଳିଛୁ, ବେଣ୍ଟ ପୋଖରୀରୁ ଥରେ ତା’ ପାଇଁ ପଦ୍ମ ଆଣିବାକୁ ଗଲୁ ଯେ ବୁଡ଼ିଯାଇଥାନ୍ତୁ । ତା'କୁ ଚିହ୍ନିପାରିଲୁ ନାଇଁ ? ସେ ଟୋକି ମଧ୍ୟ ତତେ ନ ଚିହ୍ନି ତୋ ଘରେ ଆସି ରହିଛି କିମିତି ମ ? ପୋଡ଼ାମୁହିଁ ତା’ ପୁଅଝିଅ ଆଉ ବର ସାଙ୍ଗେ ବୁଡ଼ି ମରିଛି ବୋଲି ସିନା ମୁଁ ଜାଣିଥିଲି ।

 

ବିମଳବାବୁ ସବୁକଥା ବୋଉ ଆଗରେ ବର୍ଣ୍ଣନା କଲେ । ବାପା ପୂଜାରୁ ଉଠି ସବୁ ଶୁଣି କହିଲେ, ‘‘ହଉ ! ହଉ ! ତା’ ଆଗରେ ଆଉ ପୂରାଣ ମେଲେଇବ ନାଇଁ । ବିଚାରୀ ଯିମିତି ଅଛି ସିମିତି ଥାଉ । ବାସୁଭାଇ ତ ତୁମକୁ ଏଡ଼େ ଆପଣାର କରିଥିଲେ, ତୁମ ପୁଅ ତାଙ୍କ ଝିଅଙ୍କଠାରେ ଋଣ ପରିଶୋଧ କରୁ ।’’

 

ବିମଳ-ବୋଉ ଆଗ ଅଭିମାନରେ କହିଲେ, ‘‘ମୁଁ ତ ଖାଲି ପୁରାଣ ମେଲେଇବାକୁ ଅଛି-। ଆପଣାର ପଛେ ତୁଣ୍ଡ ଫିଟିଲେ ପାଳବିଣ୍ଡା ମାଇଲେ ବି ବନ୍ଦ ହେବ ନାଇଁ । ହଇରେ ବିମଳ-! କହିଲୁ ଦେଖି, ତୋ’ ବାପା ବେଶୀ ଗପୁଡ଼ି କି ମୁଁ ବେଶୀ ଗପୁଡ଼ି ।’’ ବିମଳବାବୁ ତ ଗେହ୍ଲା ପୁଅ-। ସେ ସାଙ୍ଗେ ସାଙ୍ଗେ ଉତ୍ତର ଦେଲେ, ବାପା ସିନା ଶାସ୍ତ୍ର ପୁରାଣ ବିଷୟରେ ଗପନ୍ତି, ତୁ ତୁଚ୍ଛା କଥାରେ ହାଉହାଉ ହେଉଥାଉ ।

 

ମା’ଙ୍କର ଅଭିମାନ ଶାନ୍ତ ହେବା ପରେ ସେ କାନ୍ଦ କାନ୍ଦ ହୋଇ କହିଲେ, ‘‘ଆଜି ମୋର ଖାଲି ବାସୁଭାଇ ମନେପଡ଼ୁଛନ୍ତି ! ସେ ତ ମଣିଷ ନୁହଁ, ଦେବତା ଥିଲେରେ ପୁଅ ।’’

 

ଆଉ ଟିକକ ପରେ ଦୁର୍ଗା ସେଇ ଘରେ ଆସି ପଶିଲା, ଭାତ ବାଢ଼ିବ କି ନାଇଁ ପଚାରିବାକୁ । ସମସ୍ତଙ୍କ ମୁହଁରେ ଦୃଷ୍ଟି ପଡ଼ିଯିବାରେ ସେ ସନ୍ଦେହ କଲା, ବୋଧହୁଏ ତା'ରି କଥା ପଡ଼ିଥିଲା । ସେ ଅପ୍ରତିଭ ହୋଇ ଠିଆହୋଇ ରହିଲା । ବିମଳଭାଇଙ୍କ ବୋଉଙ୍କୁ ଚାହିଁ ତା’ର ନାରୀ–ମନରେ କେତେ ଆଶଙ୍କା ଓ ଭୟ ମୁଣ୍ଡ ଟେକି ଉଠିଲା । ତା’ର ଛାତି ଧଡ଼ଧଡ଼ ହେଲା ପରା-!

 

ଏତିକିବେଳେ ବିମଳ-ବୋଉ ସ୍ନେହପୂର୍ଣ୍ଣ ଦୃଷ୍ଟିରେ ତା’ ଆଡ଼କୁ ଚାହିଁ ପଚାରିଦେଲେ, ‘‘ହଇଲୋ ଦୁର୍ଗି ! ମତେ ଚିହ୍ନି ପାରୁନାହୁଁ ।’’ ଦୁର୍ଗା ତାଙ୍କ ମୁହଁକୁ ଦଣ୍ଡେ ଚାହିଁଲା । ତା'ରି ପାଟିରୁ ଗୋଟିଏ ମାତ୍ର ପଦ ବାହାରିପଡ଼ିଲା, ‘‘ସୁଲ ଅପା !’’ ସେତିକିରେ ସେ କାଟିଦେବା କଦଳୀଗଛ ପରି ସୁଲଅପାଙ୍କ କୋଡ଼ରେ ପଡ଼ିଗଲା । ସୁଲ ଅପା, ତା’ର ମୁଣ୍ଡକୁ କୋଡ଼ରେ ଧରି ବିମଳବାପାଙ୍କୁ ‘‘କହିଲେ, ଚାହୁଁଛି କ’ଣ ମ ? ପିଲାଟାର ଚେତା ହଜିଗଲା ମ । କାହାକୁ ଟିକିଏ ଡାକ । ମୁଁ ବଉଁଶଖାଇ କାହିଁକି ତାକୁ ପଚାରନ୍ତି ଟି ?’’

☆☆☆

 

ସମସ୍ୟା ଓ ସମାଧାନ

 

ସୁଲ ଅପାଙ୍କ ସ୍ନେହମୟ କୋଡ଼ରେ ମୂର୍ଚ୍ଛା ବେଶୀ ବେଳ ସ୍ଥାୟୀ ହେଲା ନାହିଁ । ବିମଳବାବୁ ଖୁବ୍‌ ତରତରରେ ଡାକ୍ତରଙ୍କୁ ଡାକିବାକୁ ଯାଇଥିଲେ; ଡାକ୍ତର ବି ଯେଉଁ ସଜରେ ଥିଲେ ସେଇ ସଜରେ ଆସି ପହଞ୍ଚିଲେ । କିନ୍ତୁ ତାଙ୍କ ଆସିବା ପୂର୍ବରୁ , ସୁଲ ଅପାଙ୍କ ଚିକିତ୍ସାରେ ଦୁର୍ଗି ଉଠି ବସିଥାନ୍ତି । ସୁଲ ଅପାଙ୍କ ଆଖିର ଲୁହ, ମୂର୍ଚ୍ଛାବେଳେ ମରା ହୋଇଥିବା ପାଣିରେ ମିଶି ତାଙ୍କର ମୁଣ୍ଡର ବାଳକୁ ଆହୁରି ଭିଜାଇ ଦେଇଥାଏ । ଡାକ୍ତର ଉଭୟ ମହିଳାଙ୍କ ଆଡ଼କୁ ଥରଟାଏ ମାତ୍ର ଚାହିଁ ଦେଇ, ବିମଳବାବୁଙ୍କ ସଙ୍ଗେ ବୈଠକଖାନାକୁ ଅପସରି ଗଲେ, ଓ ତାଙ୍କ ବାପାଙ୍କ ସଙ୍ଗେ ଓଷୁଅ ଖାଇଲା ପରି ଧର୍ମ ଚର୍ଚ୍ଚାରେ ଟିକିଏ ଯୋଗ ଦେଇ ଘରକୁ ଫେରିଲେ ।

 

ଦୁର୍ଗି ଟିକିଏ ସୁସ୍ଥ ବୋଧ କରିବା ସଙ୍ଗେ ସଙ୍ଗେ ସୁଲଅପା ଆରମ୍ଭ କରିଦେଲେ, ଦୁର୍ଗି ଉପରେ ଅର୍ଡ଼ର ଜାରି–ଅମୁକ ପ୍ରକାର ତିଅଣ କର, ଏମିତି ଫୁଟା, ଏମିତି ଭାଜ, ତିଅଣ ହେଉ ହେଉ ଖାଇବାକୁ ଠା’ କର । ଏ ସବୁ ଦୁର୍ଗିର ଏଠାରେ ନିତ୍ୟନୈମିତ୍ତିକ ଘଟଣା–ଆଦେଶ ବା ନିଦେଶର ପ୍ରୟୋଜନ ନଥାଏ । କିନ୍ତୁ ସୁଲ ଅପାଙ୍କ ମୁରବିଆନା ଦୁର୍ଗିଙ୍କୁ ପ୍ରକୃତିସ୍ଥ କରିବାରେ କମ୍‌ ସହାୟ ହେଲାନାହିଁ । ସେ ବିମଳବାବୁଙ୍କ ଘରକୁ ଏଇ ସୂତ୍ରରେ ସେଦିନ ଯେପରି ନିଜର ବୋଲି ଅନୁଭବ କଲେ, ଏ ପର୍ଯ୍ୟନ୍ତ ସେପରି କରି ପାରିନଥିଲେ । ତାଙ୍କର ମନର କେଉଁ କୋଣରେ ଅସ୍ପଷ୍ଟ ଭାବରେ ଲିପିବଦ୍ଧ ହୋଇଥିଲା ଯେ, ସେ ଏ ଘରେ ଆଶ୍ରିତା–ବିମଳବାବୁ ତାଙ୍କର କେହି ହୋଇ ନଥିବାରୁ ସେମାନଙ୍କ ସମ୍ପର୍କ ଏତେ ଘନିଷ୍ଠ ବୋଲି ଲୋକେ ଯେଉଁ ଧାରଣା କରୁଥାନ୍ତି, ସେ କଥା ଦୁର୍ଗିଙ୍କ ମନକୁ ଯେ ପ୍ରଭାବିତ କରି ନଥିଲା ତାହା ନୁହଁ । ଫଳରେ ସେ ନିଜ ଦୃଷ୍ଟିରେ ନିଜେ ଯାହା ନ୍ୟୁନ ଦିଶୁଥିଲେ, ତାହା ସୁଲ ଅପାଙ୍କ ‘ହାଉ ହାଉ’ରେ ଏକାବେଳକେ ଦୂର ହୋଇଗଲା । ସେ ଅନୁଭବ କଲେ, ସୁଲ ଅପା ବିମଳବାବୁଙ୍କର ଯେତିକି ତାଙ୍କର ବି ସେତିକି । ବିମଳବାବୁଙ୍କୁ ଭାଇ ବୋଲି ଡାକିଲା ବେଳେ, ତାହା ମାମୁଲି ଶିଷ୍ଟାଚାର ନହୋଇ, ଏଥର ଏଣିକି ମନର ପ୍ରତିଷ୍ଠିତ ଭାବର ପ୍ରକାଶ ପରି ତାଙ୍କୁ ଲାଗିଲା । ତାଙ୍କର ସମସ୍ତ ସଙ୍କୋଚ ଦୂର ହୋଇଗଲା । ସେ ବିମଳ ଭାଇଙ୍କ ଉପରେ ଅଳି ଅର୍ଦଳି ଜାହିର କରିବାକୁ କୁଣ୍ଠିତ ହେଲେନାହିଁ; ଖାଇବା, କାମ କରିବା, ବୁଲିବା ଓ ଶୋଇବା କାର୍ଯ୍ୟରେ ତାଙ୍କୁ ସମୟାନୁବର୍ତ୍ତୀ କରିବାକୁ ଉଦ୍ୟମ ଆରମ୍ଭ କରିଦେଲେ । ବିମଳବାବୁଙ୍କ ବାବନାଭୂତ ଜୀବନରେ ଅପ୍ରତ୍ୟକ୍ଷ ଭାବରେ ଶୃଙ୍ଖଳା ଓ ପରିପାଟୀ ପ୍ରବେଶ କଲା ।

 

ସୁଲ ଅପାଙ୍କ କରୁଣାର୍ଦ୍ର ଆଖିକୁ ଦିଶିଲା, ଦୁର୍ଗିର ମନ କ୍ରମେ ଆନମାନ ହେଉଛି । ଏ ପରିବର୍ତ୍ତନରେ ତାଙ୍କର ତ ମୁଖ୍ୟ ଭାଗ । ତେଣୁ ଏ ପରିବର୍ତ୍ତନକୁ ସ୍ଥାୟୀ କରିବା ପାଇଁ ସେ ସ୍ଥିର କଲେ, ଦୁର୍ଗିକୁ ପାଖଛଡ଼ା କରିବେ ନାହିଁ ! ବିମଳବାପାଙ୍କର ନିତାନ୍ତ ଗାଁକୁ ଫେରିବା ପ୍ରୟୋଜନ ନ ହେବା ପର୍ଯ୍ୟନ୍ତ ସେ ଗଡ଼ମସ କରୁ କରୁ ପନ୍ଦର ଦିନ ଯାଏଁ କଟକରେ ରହିଲେ । ସ୍ଵାମୀଙ୍କର ଜିନିଷପତ୍ର ଅଧା ବନ୍ଧାବନ୍ଧି ହେଲା ପରେ ସେ ଦୁର୍ଗିକୁ ଡାକି କହିଲେ, ‘‘ଆଲୋ ମା, ଆମ ଲୁଗା ପିଟା ବି ବାନ୍ଧ । ପିଇସାଙ୍କ ସାଙ୍ଗେ ଆମେ ନ ଗଲେ, ସେ ଠିକଣାବେଳେ ଖାଇବେ ନାଇଁ, କି ଶୋଇବେ ନାଇଁ । ଚାରି ଛ’ ମାସ ହେଲା ଦେହ ଟିକିଏ ଧାରାରେ ପଡ଼ିଛି ଯେ, ତାଙ୍କ ଢଙ୍ଗରେ ଦିନ ପାଞ୍ଚଟା ଚଳିଲାରୁ ପୁଣି ଯୁ’ ତାକୁ ସି'ତା ହୋଇଯିବ ।’’

 

ହରିବାବୁ ଆପତ୍ତି କଲେ, ‘‘ମୁଁ ମୋ କଥା ବୁଝି ପାରିବି ନାଇଁ ଯେ, ଏଠାରେ ବିମଳକୁ ଏକୁଟିଆ ଛାଡ଼ି ସମସ୍ତେ ପଳାଇବା । ତମେ କଟକରେ କିଛିଦିନ ରହିଯାଅ । ମୁଁ ମୋ କାମ ସାରି ଫେରି ଆସିବି; ପୁଣି ପ୍ରୟୋଜନ ହେଲେ, ଦିନେ ଦି’ ଦିନ ପାଇଁ ଗାଁରେ ବୁଲି ଆସୁଥିବି ।’’

 

ତା’ପରେ ଲାଗିଲା ଯୁଦ୍ଧ । ସେ ନିଜେ ନଗଲେ, ଗାଁରେ ଆଚାର ହାଣ୍ଡିଗୁଡ଼ାକର କି ଅବସ୍ଥା ହେବ, ଗାଈଗୋରୁଙ୍କର କି ଦୁର୍ଗତି ହେବ, ଲୋକବାକ ଘରେ କିପରି କଳାକନା ବୁଲାଇ ଦେବେ, ଏ କଥା ଓଜସ୍ଵିନୀ ଭାଷାରେ ବୟାନ କରିବା ଦ୍ଵାରା ସ୍ଵାମୀ ଯେତେ ପ୍ରଭାବିତ ନହେଲେ ତହିଁରୁ ବେଶୀ ପ୍ରଭାବିତ ହେଲେ ବିମଳ ବୋଉ ନିଜେ । ତାଙ୍କର ମନରେ ଆଉ କୌଣସି ସନ୍ଦେହ ରହିଲା ନାଇଁ ଯେ ସେ ସ୍ୱାମୀଙ୍କ ସଙ୍ଗେ ଘରକୁ ନ ଫେରିଲେ, ସ୍ଵାମୀଙ୍କ ନୂଆ ଦେହ ପୁଣି ଭାଙ୍ଗିଯିବ, ଓ ଶଶୁରଙ୍କ ଏତେ କାଳର ଘର ପୂରା ଛିନ୍‌ଛତ୍ର ହୋଇଯିବ । ନିଜ ପତ୍ନୀଙ୍କୁ ଏତେ କାଳରୁ ଚିହ୍ନିଥିବା ହରିବାବୁ ନିଜର ପରାଜୟ ସ୍ଵୀକାର କରିବାକୁ ବିଳମ୍ବ କରି ନଥିଲେ । ପତ୍ନୀଙ୍କର ହାଉ ହାଉ ଅପେକ୍ଷା ତାଙ୍କର ବେଶୀ ଭୟ, ବିଚଳିତ ହୋଇଗଲେ ତାଙ୍କର ପ୍ରକାଶ ହେଉଥିବା ଅପସ୍ମାର ରୋଗକୁ ।

 

କଟକ ଷ୍ଟେସନରୁ ଗାଡ଼ି ଛାଡ଼ିଲା । ପିଇସା ପିଇସୀଙ୍କ ସଙ୍ଗେ ଦୁର୍ଗା କଟକ ଛାଡ଼ିଲେ, କିନ୍ତୁ ବିମଳ ଭାଇ ବିଦାୟ ନେଲାବେଳେ ତାଙ୍କୁ ଯେପରି ଚାହିଁ, ‘‘ତୁ ଆଉ କଟକ ଆସିବୁ ନାଇଁ, ଦୁର୍ଗି ?’’ ବୋଲି ଯେଉଁ ପଦକ ପଚାରିଥିଲେ, ତାହାର ଉତ୍ତର ଦେଇ ନ ଆସିଥିବାରୁ ସେ ବିମଳ ବାବୁଙ୍କ ଗାଁରେ ନିଶ୍ଚିନ୍ତ ହୋଇ ରହିପାରିଲେ ନାହିଁ ।

 

ପ୍ରଥମେ ତାଙ୍କର ମନେହେଲା, ସେ ବିମଳ ଭାଇଙ୍କ ପ୍ରତି କୃତଘ୍ନ ହୋଇଛନ୍ତି । ତାଙ୍କ ପାଇଁ ବିମଳ ଭାଇ କେତେ ନ ସହିଛନ୍ତି ? ପିଲାଦିନେ ତାଙ୍କ ପାଇଁ ପଦ୍ମଫୁଲଟିଏ ତାଙ୍କ ଗାଁ । ପୋଖରୀ ଦୀପଦଣ୍ଡୀଠାରୁ ଆଣୁ ଆଣୁ ବିମଳଭାଇ କିପରି ବିପନ୍ନ ହୋଇଥିଲେ ତାହା କାଲିର ଘଟଣା ପରି ଦିଶିଲା । ତା’ ସଙ୍ଗେ ଦିଶିଲା ଡାକ୍ତରଖାନାରେ ତାଙ୍କ ସଂଜ୍ଞା ଫେରିବା ଦିନୁ କଟକ ଷ୍ଟେସନ୍‌ରେ ବିଦାୟ ସମ୍ଭାଷଣ, କେଉଁ ଯୁଗର କଥା ପରି । ତାଙ୍କ ଚିନ୍ତାର ଖିଅ ହଜିଗଲା ।

 

କେତେବେଳେ ସେ ବିଚାରୁଥାନ୍ତି କଟକ ଫେରିଯିବେ; ପୁଣି ଦିଶିଯାଏ, ବିମଳବାବୁଙ୍କର ବିଦାୟ ବେଳର ଚାହାଣୀ । ନାରୀ ପ୍ରକୃତିର ଭୟ ଓ ଆଶଙ୍କା ମନା ନମାନି ମନରେ ଉଁକିମାରେ–ବିମଳ ଭାଇ ତାଙ୍କର ଖାଲି ଭାଇ ତ ? ତାଙ୍କ ଦୃଷ୍ଟିରେ ଖାଲି ଭାଇର ଚାହାଣୀ ଥିଲା ନା ଆଉ କିଛି ? ଗାଁରେ ଚାକର ପୁଝାରୀଙ୍କ ଗହଳ ଭିତରେ ମନ ଆନମାନ ହେବାର ସୁଯୋଗ ଯେତିକି ସଙ୍କୁଚିତ ହେଲା, ମନ ସଂଶୟ ଓ ଭୟରେ ସେତିକି ଉଦ୍‌ବେଳିତ ହେଲା । ଚେଷ୍ଟା କରି ଯେଉଁମାନଙ୍କୁ ସେ ପାସୋରି ପାରୁ ନ ଥିଲେ ସେଇମାନଙ୍କ ପାଇଁ ବ୍ୟର୍ଥ ଶୋଚନା ତାଙ୍କ ମନ ଉପରେ ଆଧିପତ୍ୟ ବିସ୍ତାର କରି ବସିଲା । ସ୍ଵାମୀ ମନେ ପଡ଼ିଲେ; କୋଳରୁ ଖସି ଯାଇଥିବା ପିଲା ଯୋଡ଼ିକ ହୃଦୟକୁ ଜଟକ ମକଟ କରି ଧରିବସିଲେ । ଦୁର୍ଗାଙ୍କ ମୁହଁରେ ଅବସାଦ ବସା ବାନ୍ଧି ରହିଲା । ତାଙ୍କର ଦେହ ଯେ ଭାଜିଯାଉଛି ଏହା ଅଛପା ରହିଲା ନାହିଁ ।

 

ଦିନେ ଏକାନ୍ତରେ ହରିବାକୁ ଗୃହିଣୀଙ୍କୁ କହିଲେ, ‘‘ହଇ ଏ, ଦୁର୍ଗାକୁ ଦେଖୁଛଟି କି ?’’ ସୁଲକ୍ଷଣା ଦେବୀ କହିଲେ, ‘‘ଆଖି କ’ଣ ଫୁଟିଯାଇଛି ଯେ, ଦେଖିପାରିବି ନାଇଁ । ପୋଡ଼ାମୁହିଁର ତ ସବୁ ପାଇଛି, ମନଟା ପୋଡ଼ି ଯିବନାଇଁ ଆଉ କ'ଣ ହେବ ? ଜୀବନଟାଯାକ ତ ଆଗକୁ ଅଛି । ଆପଣା ମନକୁ ଯଦି ଆପେ ଟାଣ ନକରିବ ତେବେ ତା’ପାଇଁ ଆମେ କ'ଣ କରିବା ଯେ !’’

 

ହରିବାବୁ–ମନକୁ ସମ୍ଭାଳିବାକୁ ତ ପୁଣି, ଗୋଟିଏ କ’ଣ ଆଶ୍ରା ଦରକାର ? ମୁଁ ବିଚାରୁଛି ତା’ ପାଇଁ ଗୋଟିଏ କ’ଣ ଧନ୍ଦା ଦରକାର । ସେ କଟକ ଯାଉ ବିମଳ ପାଖରେ ରହୁ । ବିମଳ ତା’କୁ ନର୍ସ କି ସ୍କୁଲ ମାଷ୍ଟରାଣୀ କାମରେ ତାଲିମ୍‌ ହେବାକୁ ବ୍ୟବସ୍ଥା କରିଦେବ । ସେ ବିମଳ ପାଖରେ ରହିଲେ, ବିମଳର ବି ବାଆଜି ଢଙ୍ଗ ଭାଜୁଥିଲା ।

 

ସୁଲକ୍ଷଣା ଦେବୀ ସ୍ୱାମୀଙ୍କର ସଂସାରୀ ବୁଦ୍ଧିକୁ ତାଚ୍ଛଲ୍ୟ କରିବା ସ୍ଵରରେ କହିଲେ, ‘‘ତମେ ଏ କଥାରେ ସବୁ ମୁଣ୍ଡ ଘୂରାଉଛ କାହିଁକି ଯେ ? ତମେ ଭଲ କି ତମ ଭାଗବତ ଭଲ । ଏଡ଼ୁଟିଏ ହେଲଣି, ତମକୁ କିମିତ ଦିଶୁଛି, ଭେଣ୍ଡା ପୁଅ ପାଖରେ ନେଇ ଏ ନିରାଶ୍ରୀଟିକୁ ଛାଡ଼ିଦେବାକୁ ?’’

 

ହରିବାବୁ ଅପ୍ରତ୍ୟାଶିତ ଆଘାତ ପାଇ କହିଲେ, ‘‘ଏତେ ଦିନ ସେ ଦୁଇଜଣଙ୍କ ଚଳଣୀ ଦେଖି ତଥାପି ତମ ମନରୁ ସନ୍ଦେହ ଯାଉନାହିଁ ! ତମର ଆଖି ଅଛି ବୋଲି ପରା କହୁଛ !–ବିମଳ ଓ ଦୁର୍ଗାଙ୍କ ଅକୃତ୍ରିମ ଭାଇ ଭଉଣୀ ଭାବ ତୁମକୁ ତ ଦିଶିନାଇଁ !’’

 

ସୁଲକ୍ଷଣାଦେବୀ ଆସନ୍ନ ଝଡ଼ର ସୂଚନା ଦେଇ କହିଲେ, ‘‘ରଖିଥାଅ ତମ ଭାଇ ଭଉଣୀ ଭାବ । ମୁଁ ବହୁତ ଭାଇଭଉଣୀ ଦେଖିଛି । ଭେଣ୍ଡା ଭେଣ୍ଡା, ଟୋକୀ ଟୋକୀ । କହିଦେଲେ କ’ଣ ଭାଇଭଉଣୀ ହୋଇଯାଆନ୍ତି । ଯେତିକି ଜଗିଥିବ, ସେତିକି ଭାଇ ଭଭଣୀ । ଲାହିରେ ତେଲ ପକାଇ ବସି ପଡ଼ିଲେ, ଏକାଦିନକେ ମାଇକିନିଆଟାର ସର୍ବନାଶ ହୋଇଯିବ; ଜାଣିଚ ? ଅଣ୍ଡିରା ତ ଗୋପାଳଙ୍କ ଷଣ୍ଢ; ଲଗା ଅଛି ନା ପଘା ଅଛି ! ପୁରୁଷ ତ ପଦ୍ମପତ୍ରରେ ପାଣି ପରି, ତମକୁ ତ ଆଉ କଳଙ୍କ ବୋଝ ଦଶମାସେ ବୁହାଇବାକୁ ପଡ଼େ ନାଇଁ । ଦୁର୍ଗା ମୋ ବଞ୍ଚିଥିବା ଯାକ ମୋରି ପାଖେ ରହିବ । ଗଲେ ମୋରି ସଙ୍ଗେ କଟକ ଯିବ, ମୋରି ସାଙ୍ଗରେ ଫେରିବ, ଜାଣିଥାଅ ।’’

 

ହରିବାବୁ ଶେଷ ପ୍ରଚେଷ୍ଟା କଲେ, ‘‘ତମେ କ’ଣ ତା’କୁ ତା’ ଜୀବନ ତମାମ୍‌ ଜଗି ବସିଥିବ ? ସେ ଗୋଟାଏ କ'ଣ ଧନ୍ଦା ତ ଶିଖିବା ଦରକାର ! ଜୀବନରେ ଗୋଟାଏ କିଛି ଅବଲମ୍ବନ ନ ଧଇଲେ ଦିନ କଟିବ କେମିତି ?’’

 

ସୁଲକ୍ଷଣା ଦେବୀ ଶେଷ ନିଷ୍ପତ୍ତି କଲେ, ‘‘ତମକୁ କହୁଛି ପରା ଏ ସବୁ ବିଷୟରେ ମୁଣ୍ଡ ନ ଘୂରାଇବାକୁ ! ତମେ ସବୁ କିମିତି ଆମ ଦେଶରେ ରହିଛ କେଜାଣି ? ତମ ମନ ସବୁ ଇଂରେଜ ନେଇ ସାରିଲେଣି । ହଇଏ, ମାଇକିନିଆକୁ କୋଉ ଧନ୍ଦା ଅପୂର୍ବ ! ତା’ ମନ ଟିକିଏ ଘର ଧରିଯାଉ, ଦେଖିବ, ସେ କେତେ କାମ କରିବ । ମୋ ପାଖରୁ ଖାଲି ବଡ଼ି କରିବା, ସୂଚୀକାମ, ଝୋଟି ଦିଆ ଶିଖୁ ତ ଦେଖି । ବାସୁଭାଇ ତ ତା'କୁ ଏତେ ପାଠ ପଢ଼େଇଥିଲେ, ଆମରି ଗାଁ ଝିଅଙ୍କୁ ପାଠପଢ଼ାଇ, ମଣିଷ ହେବାକୁ ଶିଖାଉ, ପ୍ରତିଦିନ ଦି’ପହରେ ବସି ଯାଇ ମାଇପିଙ୍କୁ ଟିକିଏ ମହାଭାରତ ରାମାୟଣ ଶୁଣାଉ । ସବୁତକ ମାଇକିନିଆ ଝିଅଙ୍କୁ ସାହେବୀ ଇସ୍କୁଲକୁ ପଠାଇବାରୁ ମାଇକିନିଆଯାକ ଘର କାମ ଧନ୍ଦା ସବୁ ଛାଡ଼ିଲେଣି । କିମିତି ସବୁ ସଂସାର ବାହାର କଥା ତମେ ବେଳେବେଳେ କହ ଯେ-! ଇଂରେଜୀ ସ୍କୁଲରେ ପଢ଼ି ଆମ ଭୂଇଁ ମାଇପେ ମା’ଗୁଣ ଶିଖିବେ ନା ଡାଆଣୀ ଗୁଣ ଶିଖିବେ, କହିଲ ?’’

 

ସୁଲକ୍ଷଣା ଦେବୀଙ୍କ ବିଦ୍ରୁପମଖା ଚାହାଣୀ ସାଙ୍ଗକୁ ଏକଥା ଶୁଣି ହରିବାବୁ ଦାଣ୍ଡଦୁଆରକୁ ଗଲେ । ଭାବି ଭାବି ସେ ସିଦ୍ଧାନ୍ତ କଲେ, ପତ୍ନୀଙ୍କ ବିବେଚନା ହିଁ ଠିକ୍‌ । ସେ ବୋଧହୁଏ ନାରୀ ସୁଲଭ ଅନୁସନ୍ଧିତ୍ସାରେ ଜାଣି ପାରିଚନ୍ତି, ବିମଳ ଓ ଦୁର୍ଗାଙ୍କ ଭିତରେ ସମ୍ପର୍କ ପୂର୍ଣ୍ଣ ନିର୍ମଳ ନୁହେଁ । ନିଜ ଅନୁସନ୍ଧାନରେ ପତ୍ନୀଙ୍କ ଧାରଣାକୁ ପ୍ରମାଣିତ କରିବା ପାଇଁ ସେ ଦୁର୍ଗିର ଗତି ବି ଲକ୍ଷ୍ୟ କରିବାକୁ ସ୍ଥିର କଲେ ।

 

ପିଲାଦିନୁଁ ହରିବାବୁ ସବୁ କଥାକୁ, ପୁଙ୍ଖାନୁପୁଙ୍ଖ ଭାବରେ ଭାବନ୍ତି ଓ କରନ୍ତି । ବିମଳ ଓ ଦୁର୍ଗାଙ୍କୁ ଚିହ୍ନିବା ପାଇଁ ସେ ମନସ୍ତତ୍ତ୍ଵ ବହି ଖୋଜି ପଢ଼ିଲେ ଓ ନାରୀମାନଙ୍କ ବିଷୟରେ ଆମ ଦେଶର ମହାପୁରୁଷମାନେ ଯାହା ଲେଖି ଯାଇଛନ୍ତି, ତା’ ସଙ୍ଗେ ଇଂରେଜ ଦାର୍ଶନିକଙ୍କ ଅନୁଭୂତିର ତୁଳନାତ୍ମକ ବିଚାର କରି, ଦୁର୍ଗାର ଗତିବିଧିକୁ ଲକ୍ଷ୍ୟ କରିବାକୁ ଆରମ୍ଭ କଲେ ।

 

ତାଙ୍କ ଦୃଷ୍ଟି ଦୁର୍ଗାଙ୍କର ଦୃଷ୍ଟିକୁ ଏଡ଼ି ପାରିଲା ନାହିଁ । ଦୁର୍ଗାଙ୍କ ଶଙ୍କିତ ମନ ପିଇସାଙ୍କ ନଜରରେ ଲସିଗଲା । ତାଙ୍କ ବିଷୟରେ ପିଇସାଙ୍କର କୌଣସି ଦୁଶ୍ଚିନ୍ତା ଆସିଥିବାର ଠଉରାଇ ସେ ନିଜକୁ ଦୋଷିଲେ । ସେ ଦୁଶ୍ଚିନ୍ତା କ’ଣ, ତାହା ଅନୁମାନ କରିବାକୁ ସେ ଯେତେ ଚେଷ୍ଟା କଲେ ତାଙ୍କ ନିଜର ସନ୍ଦେହ ଓ ଆତ୍ମଗ୍ଳାନି ସେତିକି ବଢ଼ିବାକୁ ଲାଗିଲା ।

 

ପିଇସୀଙ୍କ ପାଖରୁ ମଧ୍ୟ ଆଶ୍ୱାସନାର କୌଣସି ସାମଗ୍ରୀ ମିଳିଲା ନାହିଁ । ପିଇସୀଙ୍କର ତାଙ୍କ ପ୍ରତି ବର୍ତ୍ତମାନର ବ୍ୟବହାରରେ ସେ କୃତ୍ରିମତା ଦେଖିଲେ । ତାଙ୍କ ମନରେ ଜାତ ହୋଇଥିବା ପାପଚିନ୍ତା ଦୃଢ଼ୀଭୂତ ହେଲା । ସେ ନିଶ୍ଚିତ ଭାବେ ବୁଝିଲେ ଯେ, ଷ୍ଟେସନ୍‌ରେ ବିମଳବାବୁଙ୍କର ଚାହାଣୀ ସୁଲ ଅପାଙ୍କ ନଜରରେ ପଡ଼ିଛି ଓ ସେଇ କାରଣରେ ପିଇସା ଓ ପିଇସୀଙ୍କ ମନରେ ତାଙ୍କ ପ୍ରତି ଅସନ୍ତୋଷ ହୋଇଛି ।

 

ଦୁର୍ଭାବନା ଗୋଟିଏ ସଂକ୍ରାମକ ରୋଗ ପରି, ଜଣକଠାରୁ ଅନ୍ୟକୁ ଚହଟେ । ଏକା ରୋଗ ବିଭିନ୍ନ ଲୋକଠାରେ ବିଭିନ୍ନ କ୍ଷେତ୍ର ପାଇଲେ ବି ରୋଗର ଉତ୍ପାତରେ ଇତର ବିଶେଷ ହୁଏ ନାହିଁ । କ୍ଷେତ୍ରକୁ ଚାହିଁ ତାହା ଫଳ ଧରେ । ପିଇସା ପିଇସୀଙ୍କର ମନକୁ କଳ୍ପନାରେ ଦେଖି ଦୁର୍ଗି ଯେପରି ବିବ୍ରତ ହେଲେ, ଦୁର୍ଗିର ବିବ୍ରତ ଭାବ ଦେଖି ସେ ଦୁହେଁ ସେହିପରି ଶଙ୍କିତ ହେଲେ । ସେମାନଙ୍କ ମନରେ ଉଁକି ମାରିଥିବା ସନ୍ଦେହ ଦୃଢ଼ୀଭୂତ ହେବାକୁ ଆରମ୍ଭ କଲା । ଉଭୟେ ଯେତେବେଳେ ପରସ୍ପରକୁ ନିରୋଳା ପାଆନ୍ତି, ସେତେବେଳେ ସେଇ ଏକ କଥା–ବିମଳ ଓ ଦୁର୍ଗିଙ୍କ ସମସ୍ୟା ।

 

ହରିବାବୁ ଅପେକ୍ଷାକୃତ ନିର୍ଲିପ୍ତ ଭାବେ ସମସ୍ୟାର ବିଚାର କରୁଥାନ୍ତି । ଦୁର୍ଗି ସାଙ୍ଗେ ବିମଳ ସଂସାର କରିବା ଆରମ୍ଭ କଲେ ସେ ବିଚଳିତ ହୁଅନ୍ତେ ନାହିଁ । ଆଜିକାଲି ତ ବିଧବାର ପୁନର୍ବିବାହ ଚାଳିଲାଣି ! ପ୍ରଥମ ବିବାହର ସନ୍ତାନ ଥିଲେ ଅବା ବିଭ୍ରାଟ ହୁଅନ୍ତା । ପରସ୍ପର ପରସ୍ପର ପ୍ରତି ଆକୃଷ୍ଟ ହେଲା ପରି ଜଣାଯାଉଛି । ବିମଳବୋଉଠାରୁ ଟିକିଏ ସମ୍ମତି ପାଇଲେ ସେ ବିବାହ ଆୟୋଜନରେ ଲାଗନ୍ତେ ।

 

ବିମଳବୋଉ କିନ୍ତୁ ଅଟଳ । ସେ ଶେଷ ଦିନ ଜଣାଇ ଦେଲେ,‘‘ବାସୁ ଭାଇ ସିନା ମରି ଯାଇଛନ୍ତି, ମୁଁ ତ ଅଛି ! ତାଙ୍କ ପିଲାକୁ ମୁଁ କଦର୍ଥନାରେ ପକାଇବି ନାହିଁ । ତମେ ସବୁ ବିଚାରିଛି ପରା, ଜଣେ ପୁରୁଷର ଆଶ୍ରା ନ ପାଇଲେ ମାଇକିନିଆ ରହି ପାରିବ ନାହିଁ ! ସମସ୍ତେ କିଛି ଅଭିସାରିକା ନୁହନ୍ତି । ମାଇକିନିଆଙ୍କ ଭଲ ମନ୍ଦ ପୁରୁଷଙ୍କ ଦୃଷ୍ଟିରେ ଦେଖିବାରୁ ସବୁ ଗୋଳମାଳ । ଦୁର୍ଗି ମୋର ବିଧବା ହିଁ ରହିବ । ତା’ର ପିଲାପିଲି ନାହାନ୍ତି ବୋଲି କ'ଣ ପିଲା ଅଭାବ ଅଛନ୍ତି ? ଗାଁର ସବୁ ଅରକ୍ଷ ପିଲାଙ୍କ ସେ ହେବ ମା । ତମେ ପରା କହୁଥିଲ, ତମ ଆମେରିକା ଦେଶରେ ବାଞ୍ଝମାନେ ବିଦେଶୀ ପିଲାଙ୍କୁ ପାଳି ପୁତ୍ର ସୁଖ ପାଉଛନ୍ତି ? ମୋ ଦୁର୍ଗି ଆମ ଗାଁ ପିଲାଙ୍କୁ, ତୁମ ଗାଁ ପିଲାଙ୍କୁ ଆପଣାର କରି ପାରିବ ନାହିଁ ବୋଲି ବିଚାରୁଛ ?

 

ଟିକିକ ପରେ ସେ ପୁଣି କହିଲେ, ‘‘ହଁ, ମତେ ବି ଦିଶୁଛି, ଦୁର୍ଗି ମନରେ କ’ଣ ଗୋଟେ ଚିନ୍ତା ପଶିଛି । ତା' ବସା ଭାଙ୍ଗିଯିବାର ତ ପୁରା ଦି’ ମାସ ହୋଇନାହିଁ । ବିଚାରୀକୁ ନୂଆ ଜାଗା ଆଙ୍ଗୁ ଆଙ୍ଗୁଆ ଲାଗୁଥିବ । ରହ, ଦିନ ଗଡ଼ୁ, ମନ ଥୟ ହୋଇଯିବ ଯେ । ତା' ପାଇଁ ତ ମୁଁ କେତେ କଥା ବିଚାରିଛି । ତମର ତ ଝିଅ ନାଇଁ, ଦୁର୍ଗିକୁ ଝିଅ ବୋଲି ବିଚାରୁନାହିଁ ! ଝିଅ ବୋଲି ବିଚାରିଲେ, ସେ ବିମଳ ହାତ ଧରୁ ବୋଲି ମନକୁ ଆସନ୍ତା ଭଲା ?’’ ହରି ବାବୁ ତୁନୀ ହେଲେ, ଦୁର୍ଗି ଉପରେ ପୁଲିସବାଲାଙ୍କ ଆଖି ନରଖି, ଦୟା ଓ ସହାନୁଭୂତି ଦେଖାଇବାକୁ ଆରମ୍ଭ କଲେ । କଡ଼ା ଆଖି ହେଉ ବା କଅଁଳ ଆଖି ହେଉ, ଦୁର୍ଗିକୁ ଦିଶୁଥାଏ ସମାନ । ମନର କଥା କାହା ଆଗେ କହିବ, କିଏ ଅବା ଖୋଜୁଛି ?

 

ମା’କୁ ଖାଇଲା ପରେ ବାପା ମା' ହୋଇଥିଲେ । ସେ ତ ଯାଇଛନ୍ତି । ସୁଲି ଅପାର ଘଡ଼ିକେ ଘୋଡ଼ା ଛୁଟୁଛି । ତା’ ମନ ଭଲ ଥିଲା ବେଳେ ସେ ସବୁ ଶୁଣନ୍ତା, ବୁଝନ୍ତା । କିନ୍ତୁ ନରମ ଓ ଗରମ ବର୍ଷା ଦିନର ଖରା ଓ ମେଘ ପରି ଏପରି ଅତର୍କିତ ଭାବେ ଆସୁଛି, ତା’ ଉପରେ ନିର୍ଭର କରିବା ସହଜ ନୁହେଁ ।

 

ଦୁର୍ଗି ନିଜେ ନିଜର ସମସ୍ୟା ସମାଧାନ କରିବାକୁ ସଙ୍କଳ୍ପ କରିଦେଲା । ସଂକଳ୍ପ ସଙ୍ଗେ ସମାଧାନର ବାଟ ବି ଦିଶିଗଲା । ସମାଧାନର ବାଟ ଦିଶିଯିବାରେ ତା'ର ମନ ଉଶ୍ଵାସ ହେଲା । ଅନେକ ଦିନର ବାକିଆ ନିଦ ଭରିଣା କରିବାକୁ ତା’ର ଆଖି ବୁଜି ହୋଇଗଲା ।

 

ସ୍ୱପ୍ନରେ ସେ ଦେଖିଲା, ତା’ ସ୍ଵାମୀଙ୍କୁ । ରୋଗରୁ ଉଠିଥିବା ସେଇ ଶୁଖିଲା ଶେତା ଚେହେରା, କିନ୍ତୁ ଆଖିରେ ତାଙ୍କ ସହଜାତ କୌତୁକ ଓ ଆମୋଦ । ହଠାତ୍‌ ସ୍ୱାମୀଙ୍କୁ ଦେଖି ସେ ଏପରି ବିଭୋର ହୋଇଯାଇଥିଲା ଯେ, ତାଙ୍କ ହାତକୁ ଧରି ଠିଆ ହୋଇଥିବା ଝିଅ ଉପରେ ତା’ର ଆଗ ଦୃଷ୍ଟି ପଡ଼ି ନ ଥିଲା । ବୋଉ ତା’କୁ କିଛି ନ କହି ତୁନି ରହିବାରେ ଝିଅ ଅଭିମାନରେ କୋହରି ହୋଇ ବୋଉ ଉପରେ ଆସି ଲେପଟି ହୋଇ ପଡ଼ିଲା । ଦୁର୍ଗି ତା’କୁ କୋଳ କରି ଲୁହ ଭରା ଆଖିରେ ସ୍ଵାମୀଙ୍କ ଆମୋଦ ଭରା ଆଖି ଯୋଡ଼ିକୁ ଜିଜ୍ଞାସୁ ଦୃଷ୍ଟିରେ ଚାହିଁ ରହିଲା ।

 

ମାଧବ କହିଲେ, ‘‘ଦୁର୍ଗି, ବହୁତ ଦିନୁ ତୁମକୁ ଓ ଟୋକାକୁ ଚାହିଁ ରହିଥିଲୁଁ । ଆଜି ଯାଏଁ ତୁମର କିଛି ଖବର ନ ପାଇବାରୁ ଖୋଜି ଖୋଜି ଏଠାକୁ ଆସିଲୁ । ଯଦି ତୁମର ମନ ହେଉଚି, ଆମ ସାଙ୍ଗକୁ ଆସ ନ ହେଲେ ନାଇଁ । ଏତେ ଦିନ ତ ଚଳି ଗଲୁଣି, ଆଉ ପାରିବୁ ଯେ ।’’

 

ଝିଅ ଆପତ୍ତି କଲା, ‘‘ନାଇଁ ବୋଉ, ବାପା ଆଦୌ ଚଳି ପାରୁନାହାନ୍ତି । ତାଙ୍କର ଖାଇବାରେ ଠିକଣା ନାଇଁ କି ଶୋଇବାରେ ଠିକଣା ନାଇଁ । ସବୁବେଳେ ତୋରି ନାଁ ଧରି ଡାକୁଛନ୍ତି-। ତୁ ଆମ ସାଙ୍ଗରେ ଆ ଯେ, ଭାଇକୁ ଆଣିବୁ ! ସେ ନ ଥିବାରୁ ମୋର ଖେଳାଖେଳି ହେଇ ପାରୁନି-। ସେ କେଉଁଠି ଶୋଇଛି, କହିବୁଟି, ମୁଁ ଟିକିଏ ତାକୁ ଦେଖି ଆସେ ।’’

 

ଦୁର୍ଗି ଝିଅ ମୁଣ୍ଡରେ ହାତ ବୁଲାଇ ଦେଲା, ମୁଣ୍ଡ ଟେକି ମାଧବ ଆଡ଼କୁ ଚାହିଁଲା । ତା’ ଆଖିରୁ ଲୁହର ଧାର ବୋହିଯାଉଥାଏ । ତାକୁ ଦିଶିଲା, ମାଧବଙ୍କୁ ଆଖିରେ ମଧ୍ୟ ଲୁହ । ତାଙ୍କ ଆଖିରେ ତ ଲୁହ ଅପୂର୍ବ ! ସେ କୋହରେ ଚିତ୍କାର କରି ତାଙ୍କ ଗୋଡ଼କୁ ହାତ ବଢ଼ାଇ ଆଗେଇ ଗଲାବେଳକୁ ଖଟ ଉପରୁ ତଳକୁ ପଡ଼ିଗଲା । ନିଦ ଭାଙ୍ଗିଯିବାରୁ ସେ ଲାଜରେ ଜଡ଼ ସଡ଼ ହୋଇଗଲା । ସୁଲି ଅପାଙ୍କର ଯଦି ନିଦ ଭାଙ୍ଗିଯାଏ ? ସେ ଯଦି ପଡ଼ିଯିବା କାରଣ ପଚାରନ୍ତି ? କ’ଣ କହିବ ?

 

ଭାଗ୍ୟକୁ ସୁଲ ଅପା କଡ଼ ଲେଉଟାଇ ଶୋଇଲେ, ଉଠିଲେ ନାଇଁ କି କିଛି ପଚାରିଲେ ନାଇଁ । ଦୁର୍ଗି ପୁଣି ଶୋଇବାକୁ ଚେଷ୍ଟା କଲା, କେଜାଣି ଅବା ପୁଣି ସପନରେ ସେ ଆସିବେ ! ଛାଇ ନିଦ ଟିକିଏ ହେଲା, କିନ୍ତୁ ଆଉ ସ୍ଵପ୍ନ ନାଇଁ । ଦୁର୍ଗି ସ୍ଵପ୍ନ କଥା ଥରକୁ ଥର କଳ୍ପନାରେ ଦେଖିଲା, ନିଜର ସଂକଳ୍ପ ଦୃଢ଼ରୁ ଦୃଢତର ହେଲା ।

☆☆☆

 

ବିମଳାମନ୍ଦିର

 

ଗୋଟିଏ କ୍ଷୁଦ୍ର କୋଠରୀ । ଆସବାସପତ୍ର କିଛି ନାହିଁ । ଗୋଟିଏ କଡ଼କୁ ଚଟାଣରେ ପଡ଼ିଥିବା ଖଣ୍ଡିଏ ଶେଯରେ ଜଣେ ଯୁବତୀ ଅଚେତ ହେଲାପରି ଶୋଇଛନ୍ତି । ଜଣେ ପୌଢ଼ା ପରିଚାରିକା ସେହି ଶେଯର ଗୋଟିଏ କଡ଼କୁ ବସି ଯୁବତୀର ମୁହଁକୁ ଅପଲକ ଦୃଷ୍ଟିରେ ଚାହୁଁଛି । ବେଳେବେଳେ ଦେହରେ ଟିକିଏ ହାତ ମାରି ତାପ ଦେଖୁଛି, କେତେବେଳେ ଅବା ଗୋଡ଼ ତଳିପା ଉପରୁ ଚାଦର କାଢ଼ି, ତଳିପାକୁ ଟିକିଏ ଆଉଁଶି ଦେଉଛି, ପୁଣି କେତେବେଳେ ପିଠି ତଳକୁ ହାତ ପୁରାଇ ଶେଯରେ ପଡ଼ି ପଡ଼ି ରୋଗିଣୀର ଆଶ୍ଵସ୍ତି ହେଉଥିବ ବୋଲି ଅନୁମାନ କରି ତାହା ନିବାରଣ କରିବା ଚେଷ୍ଟା କରୁଛି । ପରିଚାରିକାର ମୁହଁରେ ତୀବ୍ର ଉତ୍କଣ୍ଠା–ଏହିପରି ଚାରିଦିନ ଗଲାଣି । ଆଜି ସକାଳୁ ବାବା କହିଛନ୍ତି, ରୋଗିଣୀର ପୂର୍ଣ୍ଣ ଚେତନା ଆଜି ଫେରିବ । ବାବାଙ୍କ କଥାରେ ପରିଚାରିକାର ପୂର୍ଣ୍ଣ ବିଶ୍ୱାସ । ଖାଲି କେତେବେଳେ ଚେତନା ଫେରିବ ସେତିକି ଯାହା ସଂଶୟ ।

 

କିଛି ସମୟ ପରେ ରୋଗିଣୀର ମୁହଁ ସତେ ଯେପରି ଆଲୁଅ ହୋଇଗଲା । ସେ ଆଲୁଅର ପ୍ରତିବିମ୍ବ ପରିଚାରିକାର ମୁହଁରେ ପଡ଼ିଲା । ତା’ ମୁହଁର ଉତ୍କଣ୍ଠା ଆହୁରି ବଢ଼ିଲା । ନିର୍ନିମେଷ ଦୃଷ୍ଟି ଆହୁରି ନିବିଡ଼ ହେଲା । ସେ ମନେ ମନେ ଉତ୍‌ଫୁଲ୍ଲ ହେଲା ଯେ ବାବାଙ୍କର ଅଭୟ ବାଣୀ ଶେଷରେ ଫଳିଲା । ବାବାଙ୍କୁ ଯାଇ ଏ ସମ୍ବାଦ ସେ କିପରି ଶୀଘ୍ର ଦେବ, ଏଥିପାଇଁ ସେ ବ୍ୟଗ୍ର ହୋଇ ଉଠିଲା । ମନେ ମନେ ସେ ଥରକୁ ଥର ମନ୍ଦିରର ଜଗମୋହନକୁ ଯାଇ ନିଜର ଶୁଭବାର୍ତ୍ତା ବାବାଙ୍କୁ ଜଣାଇ ଫେରିଆସୁଥାଏ । ଶରୀର ଉତ୍‌ପିଚ୍ଛ ହେଉଥାଏ, ରୋଗିଣୀ କିମିତି ଟିକିଏ ଆଖି ଫିଟାନ୍ତା, ସେ ସତରେ ଧାଇଁ ଯାଇ ଡାକି ଆଣନ୍ତା ।

 

ପ୍ରାୟ ପାଞ୍ଚ ମିନିଟ୍‌ ପରେ, ପରିଚାରିକାକୁ ଲାଗୁଥାଏ ସତେ ଯେପରି ଯୁଗେ; ରୋଗିଣୀର ମୁହଁ ଆହୁରି ପ୍ରସନ୍ନ ହୋଇଗଲା । ଆସ୍ତେ ଆସ୍ତେ ତାହାର ଆଖି ଖୋଲିଗଲା । ଆଖି ପୂରା ଖୋଲିବା ପୂର୍ବରୁ ଝାପ୍‌ସାରେ ପରିଚାରିକାର ରୂପକୁ ଦେଖି ସେ ଆଶ୍ଵସ୍ତି ରେ ଡାକିଲା–ସୁଲ ଅପା ! ମୁହୂର୍ତ୍ତକ ପରେ ଭଲକରି ଚାହିଁ ସେ ବିସ୍ମିତା ହେଲା । ଘରର ଚାରିପଟକୁ ଯେତେ ଚାହିଁଲା ବିସ୍ମୟ ସେତିକି ବଢ଼ିଲା । ସେଥିରୁ ଆସିଲା ବିସ୍ମୃତି । ତା’ର ଆଖି ସତେ ଯେପରି ବୁଜି ହୋଇଗଲା-। ମୁହୂର୍ତ୍ତକ ଭିତରେ ସୁଷୁପ୍ତିର ଶ୍ରାନ୍ତ ନିଃଶ୍ୱାସ ପ୍ରଶ୍ୱାସ ଚାଲିଲା ।

 

ପରିଚାରିକା ଟିକିଏ ଅପେକ୍ଷା କରି ଧୀରେ ଧୀରେ ରୋଗିଣୀର ଦେହରେ ହାତ ବୁଲାଇଲା । କିଛି ସମୟ ପରେ ଟିପି ଟିପି ସେ କୋଠରୀରୁ ବାହାରକୁ ଯିବାକୁ ଦୁଆର ପାଖେ ପହଞ୍ଚୁଚି, ରୋଗିଣୀ ପୁଣି ଆଖି ମେଲାଇ ଓ ପୂର୍ଣ୍ଣ ବିସ୍ମୟରେ ଧୀରେ ଧୀରେ କହିଲା, ମୁଁ ଏଠାକୁ କିମିତି ଆସିଲି ?

 

ପରିଚାରିକା ସାଙ୍ଗେ ସାଙ୍ଗେ ଫେରି ଆସି ପୁଣି ରୋଗିଣୀର ପାଖରେ ବସି ତାହାର ଦେହରେ ହାତ ବୁଲାଉ ବୁଲାଉ କହିଲା, ‘‘ସବୁ ଜାଣିବୁ ଲୋ ମା ! ତୁ ଆଗ ଭଲ ହେଇଯା । ସତେ ଏ ବେଳ ଆସିବ ! ତୁ ଆଖି ଫିଟାଇ କଥା ହବୁ ! ମୋର ତ ଭରସା ପାଉ ନ ଥିଲା ।’’

 

ପରିଚାରିକାର ବାତ୍ସଲ୍ୟପୂର୍ଣ୍ଣ କଥାରେ ରୋଗିଣୀର ଆଖି ପୁଣି ବୁଜି ହୋଇଗଲା । ପରିଚାରିକା ବାହାରକୁ ଯିବାକୁ ଆଗ୍ରହ ନ ଦେଖାଇ ସ୍ଥିର ଭାବରେ ବସି ରହି, ଦେହରେ ଓ ପାଦରେ ହାତ ବୁଲାଉଥାଏ ।

 

କିଛି ସମୟ ପରେ ସେ ମୁଣ୍ଡ ସଜାଗ ହୋଇଗଲାବେଳକୁ ଟିକିଏ ଦୂରରେ କଠାଉର ଶବ୍ଦ ହେଲା । ବାବା ପାହାଚରେ କଠାଉ ରଖି ଦେଇ ଧୀରେ ଧୀରେ ଘର ଭିତରକୁ ଆସିଲେ ।

 

ହାତରେ ଗୋଟିଏ ତମ୍ବା ଗ୍ଲାସ । ସେ ରୋଗିଣୀର ପାଖକୁ ଆସନ୍ତେ, ପରିଚାରିକା ପାଖରେ ଗୋଟିଏ ଆସନ ପକାଇ ଦେଲା । ବାବା ବସୁ ବସୁ ପଚାରିଲେ ‘‘ମା’ ! ଶୋଷ ହେଉଛି-?’’ ରୋଗିଣୀ ଆଖିରେ ହଁ କଲା । ବାବା ଗ୍ଲାସରୁ ଗୋଟିଏ ଛୋଟ ପାତ୍ରିରେ ଟିକେ ଟିକେ ପାଣି ପିଆଉ ପିଆଉ କହିଲେ ‘‘ମା’ ! ଏ ମା’ ଙ୍କର ପାଦୁକ । ଦେହରେ ଆଉ ଯାହା ଦୁର୍ଗୁଣ ଥିବ, ସବୁ ଏଇଥିରେ ଯିବ ।’’

 

ସେ ପାଦୁକରେ କ’ଣ ଥିଲା କେଜାଣି, ସତେ ବିଦ୍ୟୁତ୍‌ ପରି ତାହା ରୋଗିଣୀକୁ ସଜାଗ କରିଦେଲା । ଚାରିଦିନରେ ଏହାହିଁ ତାହାର ପ୍ରଥମ ଆହାର । ସେ ବାବାଙ୍କୁ ଦେଖି ସଂଭ୍ରମରେ ଉଠିବାକୁ ଚେଷ୍ଟା କରିବାରୁ ବାବା କହିଲେ, ‘‘ମା’ ! ବ୍ୟସ୍ତ ହୁଅନା–ଆଉ କଛି ସମୟ ସ୍ଥିର ହୋଇ ରହିବାକୁ ହେବ । ଆଉ ଟିକକ ପରେ ଟିକିଏ ଦୁଧ ପିଇବୁ; ତା'ପରେ ପାରିଲେ ଉଠିବୁ ।’’ ବାବା ଆସନରେ ସ୍ଥିର ହୋଇ ବସି ଘରର ଛାତକୁ ଚାହିଁ ରହିଲେ । ଗୁଣୁଗୁଣୁ ହୋଇ ସେ କଅଣ ବୋଲୁଥାଆନ୍ତି , ପ୍ରତି ପଦର ଶେଷ ଧାଡ଼ି ଟିକିଏ ସ୍ପଷ୍ଟ ଶୁଣା ଯାଉଥାଏ–‘‘କୁୟତ୍ରୋ ଜାୟେତ, କ୍ଵଚିଦପି କୁମାତା ନ ଭବତି’’ । ସ୍ତବ ଆବୃତ୍ତି ସାରି ବାବା ଉଠିବାକୁ ଉଦ୍ୟତ ହୋଇ କହିଲେ, ‘‘ମାଳତି ! ଏଥର ଟିକିଏ ଦୁଧ ଦେ । ମୁଁ ଯାଉଛି ।’’

 

ମାଳତୀ କହିଲା ବାବା ! ଆଜି ପାରଣା କରିବ ଟି ?

 

ବାବା ହସି ହସି କହିଲେ, ଆଉ କ'ଣ ସବୁଦିନ ଉପବାସ ରହିବି ? ଆଜି ତ ମୋର ବ୍ରତ ଭଙ୍ଗ ହେଲା ।’’

 

ମାଳତୀ କହିଲା–ବାବା ! ତୁମେ ଏଠାରେ ଟିକିଏ ବସ, ମୁଁ ଯାଉଛି ବେଗ୍‌ଭୋଗ ବଢ଼ାଇବାର ବନ୍ଦୋବସ୍ତ କରିବି । ବାବା କୃତ୍ରିମ କ୍ରୋଧ ପ୍ରକାଶ କରି କହିଲେ, ‘‘ଦୂର୍‌ ପାଗଳି ! ଏତେ ଦିନ ରହିଲୁଣି, ଆଚାର ଶିଖୁନାହୁଁ । ମୁଁ ପାରଣା କରିବି ବୋଲି କ’ଣ ମା’କୁ ତରତର ହୋଇ ଭୋଗ କରିଦେବା । ବ୍ୟସ୍ତ ହେବାର କିଛି କାରଣ ନାହିଁ । ମୁଁ ପାଦୁକ ଘେନି ଇଆଡ଼େ ଆସିବାରୁ, ଆଜି ମୁଁ ପାରଣା କରିବି ବୋଲି ସୁଆର ଜାଣି ସାରିଥିବ । ଯେତିକି ତର ତର ହେଲ ଚାଳିବ, ସେତିକି ସେ ନିଶ୍ଚୟ କରୁଥିବ ।

 

ମାଳତୀ ତୁନି ହେଲା । ସଂସାରର ସବୁ ବନ୍ଧନ ଛିଣ୍ଡିଯିବା ପରେ, ଆଜିକୁ ଦଶବର୍ଷ ହେଲା ସେ ଏଇ ବିମଳାଙ୍କ ପୀଠରେ ଆଶ୍ରୟ ନେଲାଣି । ଦଶ ବର୍ଷ ଯାକର ପ୍ରତିଦିନ ସେ ବାବାଙ୍କର ପ୍ରତି କାର୍ଯ୍ୟକୁ ଲକ୍ଷ୍ୟ କରୁଅଛି ! କିନ୍ତୁ ଏପର୍ଯ୍ୟନ୍ତ ତାଙ୍କୁ ଏବେ ଚିହ୍ନି ବି ଚିହ୍ନି ପାରିନାହିଁ । ପ୍ରତିଦିନ ସେ ତାକୁ ନୂଆ ନୂଆ ରୂପରେ ଦିଶନ୍ତି । ଦିନେ ସେ ତାଙ୍କୁ ଯାହା ବୋଲି ଭାବିଥାଏ ତା’ ଆର ଦିନକୁ ସେ ସମାନ ଅଲଗା ଦିଶନ୍ତି । କିନ୍ତୁ ଦିନ ପରେ ଦିନ ସେ ଦେଖେ ଓ ଜାଣେ ବାବା ଅନ୍ୟ ମଣିଷଙ୍କ ପରି ମଣିଷ ନୁହଁନ୍ତି । ସେ ସମସ୍ତଙ୍କ ପରି ଚଳ ପ୍ରଚଳ ହେଉଛନ୍ତି କିନ୍ତୁ ସେ ଦେବତା । ଦଶବର୍ଷ ପୂର୍ବେ ଯେପରି ଦିଶୁଥିଲେ ଆଜି ବି ଦେଖିବାକୁ ସେହିପରି । ସୁଆର ଓ ଟହଲିଆମାନେ କହନ୍ତି, ତା’ର ଦଶବର୍ଷ ଆଗେ ମଧ୍ୟ ସେହିପରି ଦିଶୁଥିଲେ । ତାଙ୍କର ବୟସ, ବଳ, ଓ ଚେଷ୍ଟାର କେହି କଳନା କରିପାରନ୍ତି ନାହିଁ ।

 

ଚାରିଦିନ ପୂର୍ବର କଥା–ଦେଉଳ ବେଢ଼ା ଭିତରୁ କଥା ଯାଇ ପାଖ ଆଖ ଗାଁରେ ପ୍ରକଟ ହୋଇଗଲାଣି, କେହି କିନ୍ତୁ ପୂରା ବିଶ୍ୱାସ କରି ପାରୁନାହାନ୍ତି । ଆଜି ଯେଉଁ ପିଲାଟି ଚେତା ପାଇଲା, ତାକୁ ଦୁଇ ହାତରେ ଶୁଆଇ, ଯେତେବେଳେ ବାବା ବେଢ଼ା ଭିତରକୁ ପଶିଲେ ସେତେବେଳେ ଦେଉଳରେ ସମସ୍ତେ ତାଜିବ୍‌ ହୋଇ ଯାଇଥିଲେ । ବାବା ଯେତେବେଳେ କହିଲେ, ‘‘ଏ ମା’ଟି ଏକ୍‌ସପ୍ରେସ୍‌ ଗାଡ଼ିରୁ ପାଣି ଭିତରକୁ ଖସି ପଡ଼ିଲା, ମା’ର ଅନୁଗ୍ରହରେ ମୋର ନଜର ପଡ଼ିବାରୁ ମୁଁ ତାକୁ ଘେନି ଆସିଛି, ଏହାର ଦେହ ପୋଛିଦିଅ, ଶୁଖିଲା ଖଣ୍ଡେ ଗୁଡ଼ାଇ ଦେଇ ଗୋଟିଏ ଭଲ ଶେଯରେ ଶୁଆଅ’’, ସେତେବେଳେ ବାବା ଯେ କେଡ଼େ ଅସାଧ୍ୟ ସାଧନ କରିଥିଲେ ତାହା କଳନା କରି ହୋଇ ନ ଥିଲ । ସେଦିନ ନଈ ପୁରା ବଢ଼ିଥାଏ । କୂଳରୁ ଅତଡ଼ା ଛିଡ଼ୁଥାଏ । ଘାଟରୁ ଗୋଡ଼ ବଢ଼ାଉ ବଢ଼ାଉ କାତେ ପାଣି । ସାପ ଦି’ଗଡ଼ କରିଦେଲା ପରି ସୁଅ । ସେଥିରେ ବାବା କେତେବାଟ ପହଁରି କରିଗଲେ, କିପରି ତାହାକୁ ଠାବ କଲେ ଓ କମିତି ପୁଣି କୂଳରେ ଆସି ଲାଗିଲେ, ତାହାର ବର୍ଣ୍ଣନା ଶୁଣିବାର ସମ୍ଭାବନା ନ ଥିବାରୁ କିଏ କେତେ ପ୍ରକାର କହୁଛନ୍ତି ! କିନ୍ତୁ ସମସ୍ତେ ତାଜିବ୍‍, ବାବା ଯେ ନଈ ପହଁରି ଜାଣନ୍ତି , ଏହାର ପରିଚୟ ନୂଆ କରି ପାଇବାରେ । ମାଳ ଦିନକ ପରେ ସାହସ କରି ପଚାରିଲା,‘‘ବାବା ! ନଈ ପହଁରା ତୁମେ କେମିତି ଶିଖିଲ ?’’ ବାବା ଏ ପ୍ରଶ୍ନରେ ଚିଡ଼ିଲାପରି ଉତ୍ତର ଦେଲେ, ପିଲାଦିନେ ନଈ କୂଳରେ ତ ଥିଲି, ନଈକୂଳିଆ ଲୋକ ପହଁରି ଜାଣିବା କ'ଣ ଆଶ୍ଚର୍ଯ୍ୟ କଥା ?’’

 

ସେହି ଦିନର କଥା ମନେ ପକାଇ ପକାଇ ରୋଗିଣୀକୁ ଟିକିଏ ଦୁଧ ଦେଉ ଦେଉ ମାଳତୀ କହିଲା, ‘‘ବାବା ! ଏ ପଚାରୁଥିଲା ଏଠିକି କେମିତି ଆସିଲା ?’’

 

ବାବା ହସି ହସି ଉତ୍ତର ଦେଲେ, ‘‘ସେ କଥା ସେ ଜାଣିଥିବ ନାଁ, ମୁଁ କମିତି ଜାଣିଲି ? ଗାଡ଼ିରୁ ତାକୁ କିଏ ନଈକୁ ପେଲିଦେଲା, ନାଁ ସେ ଆପଣା ମନକୁ ଡେଇଁ ପଡ଼ିଲା, ସେ କଥା ସେ ଭଲ ହୋଇଗଲେ ମନେ ପକାଇବ । ପାଣିରେ ପଡ଼ କି ପର୍ବତରେ ପଡ଼, ଯିବାର ବେଳ ନ ହୋଇଥିଲେ ନେବ କିଏ ? ଏହାର ବେଳ ହୋଇ ନ ଥିଲା, ମା’ ମୋତେ ପଠାଇଲେ ଘେନି ଆସିବାକୁ ।’’ ରୋଗିଣୀ ଅପଲକ ଦୃଷ୍ଟିରେ ବାବାଙ୍କ ଆଡ଼କୁ ଚାହିଁ ରହିଥାଏ ।

 

X X X X

 

ଏ ଘଟଣାର ଦୁଇ ତିନି ଦିନ ପରେ । ସେ ଦିନର ରୋଗିଣୀ ଆଉ ରୋଗିଣୀ ନୁହେଁ । ସୂର୍ଯ୍ୟୋଦୟ ପୂର୍ବରୁ ସେ ନିତ୍ୟକର୍ମ ସାରି ମନ୍ଦିରର ଜଗମୋହନକୁ ଓଳାଇ ଓଦାକନାରେ ଭଲକରି ପୋଛି ବାବାଙ୍କର ପୂଜାସଜ ଆଣି ଥୋଉଛି, ବାବା ନଈରୁ ଫେରିଲେ । ମଠା ଖଣ୍ଡେ ପିନ୍ଧୁ ପିନ୍ଧୁ ପଚାରିଲେ ‘‘ମା ଦୁର୍ଗି ! ତୁ ଏତେ ରାତିରେ ଉଠି ନଈକୁ କାହିଁକି ଯାଉଛୁ ? ତୋର ମନ ତ ଏଡ଼େ ଦୁର୍ବଳ, ପୁଣି କେଜାଣି କୋଉଦିନ ବୁଡ଼ିଯିବାକୁ ମନ ହେବ ? ମାଳତୀ ତ ମାଇପି ଲୋକ, ସେ କରିବ କ’ଣ ?’’

 

ଦୁର୍ଗା ଅଭିଯୋଗ କରିଥାନ୍ତେ ଯେ, ବୋଧହୁଏ ବାବାଙ୍କ ଇଙ୍ଗିତରେ ମାଳ ମାଉସୀ ତାକୁ ଆଣ୍ଠୁଏରୁ ବେଶୀ ଗହୀରକୁ ଯିବାକୁ ଦେଉନାହାନ୍ତି । ସେ କିଛି କହିବା ଆଗରୁ ବାବା ପୁଣି କହିଲେ, ‘‘ମା’ ! ମୃତ୍ୟୁ ତ ଅବଶ୍ୟମ୍ଭାବୀ । ତା’ ନିଶ୍ଚୟ ହେବ । କିନ୍ତୁ ବିଧାତାର ବେଳରେ ହେବ । ନିଜ ହାତରେ ମରିବାକୁ ବସିବା ଘୋର ଅଜ୍ଞାନ କଥା । ଭଗବାନଙ୍କର ନିୟମ ବିପର୍ଯ୍ୟୟ ହେବ; ନିଜର କଷ୍ଟ ତ ଥୁଆ । ସଂସାରରେ ତା’ ମନକୁ ମନ ବହୁତ କଷ୍ଟ ମିଳୁଛି, ନିଜେ ଲୋଡ଼ିବା କାହିଁକି ? ମନ ଟାଣ ହେଲାଣି ଟି ?’’ ଦୁର୍ଗା ଅତି ବିନୀତ ଭାବରେ କହିଲେ, ‘‘ବାବା ! ମୋ ଜୀବନରେ ଆଉ କ’ଣ ଲାଭ ? ଗଲେ ଭଲ ।’’

 

ବାବା ଆଶ୍ୱାସନା ଦେବା ଭଳି କହିଲେ, ‘‘ଦୂର ପାଗଳୀ ! ସେଥିପାଇଁ ତୋ ମୁଣ୍ଡ ବଥାଉଛି କାହିଁକି ? ତୁ ଗଲେ ଯଦି ଭଲ, କେବେ ନେବା ବାଲା ସେ କଥା ବୁଝିବ, ନାଁ ତୁ ବୁଝିବୁ ? ସେ ଦିନର ଯେଉଁ ଘଟଣା; ମୁଁ ତ ବେଳେ ବେଳେ ଆଶ୍ଚର୍ଯ୍ୟ ହେଉଛି, ରେଳର ଘୁ, ଘୁ ଭିତରେ ତୋ'ର ପଡ଼ିବାର ଶବ୍ଦ ମୋତେ ଜଣାଗଲା କେମିତି ? ଏ ବୁଢ଼ା ଆଖିକୁ ତୁ ଦିଶିଲୁ ବା କିମିତି ? ଷାଠିଏ ପଞ୍ଚଷଠି ବର୍ଷ ହେଲା ଅଭ୍ୟାସ କରି ନଥିବା ବିଦ୍ୟା ମୋତେ ଆସିଲା ବା କେମିତି ? ଏ ସବୁ ମା’, ଠାକୁରାଣୀର ଲୀଳା । ତତେ ଯଦି ରଖିବାର ଇଚ୍ଛା, ତେବେ ନଈକୁ ଡେଇଁବାକୁ ପ୍ରବୃତ୍ତି ଦେଲା ବା କାହିଁକି ! ଏ ସବୁ ବୁଝିବାକୁ ବସିଲେ ବଡ଼ କଷ୍ଟ । ବଞ୍ଚିଥାଇଁ ଯେତେବେଳେ, ବୁଝିନେବାକୁ ହେବ, ଆମଠାରେ ତା’ର କିଛି ପ୍ରୟୋଜନ ଅଛି ।’’

 

ଦୁର୍ଗା ବିନୟ ଓ ଭକ୍ତିରେ ଏସବୁ ଶୁଣିଲେ, କିନ୍ତୁ ଥଳକୂଳ କିଛି ନ ପାଇ ପୁଣି ପଚାରିଲେ, ମୋ’ ଦ୍ଵାରା କ'ଣ କାମ ହେବ ଯେ, ବାବା ?’’

 

ବାବା ଖୁବ୍‌ ହସିଲେ ! ହସି ହସି କହିଲେ, ‘‘ଆରେ, ସତେ ତ ତୁ ପାଗଳୀ । ମୁଁ କ’ଣ ଦୁର୍ଗା ନାଁ ମାଧବ ଯେ ତୁ କାହିଁକି ଅଛୁ କହିଦେବି ? ଏଇଠି ଠାକୁରାଣୀ ବସିଛି, ତା’କୁ ପଚାର, ସେ କହିବ ?’’

 

ଏଥର ଦୁର୍ଗାଙ୍କର ହସିବାର ପାଳି ପଡ଼ିଲା । ସେ କହିଲେ, ‘‘ବାବା, ଠାକୁରାଣୀ ତ ପଥର ହୋଇଯାଇଛନ୍ତି, ତାଙ୍କର କ’ଣ ପାଟି ଫିଟିବ ?’’

 

ବାବା ଈଷତ୍‌ କ୍ଷୋଭରେ କହିଲେ, ‘‘ଓଃ, ତୁ ବୋଧହୁଏ ମା, ଆଜିକାଲିକା ଇଂରାଜୀ ପଢ଼ୁଆଙ୍କ ଭିତରେ ବଢ଼ିଛୁ ? ପଥରର ଦେବତା କଥା କହେ ନାହିଁ, ନାଁ ? ଦେବତା ପଥରରେ, ପିତ୍ତଳରେ, ମାଟିରେ ତିଆରି ନ ହୋଇ ଆଉ କେଉଁଥିରେ ହୁଅନ୍ତା ଭଲ । ପଥରର ଦେବତାକୁ କଥା କୁହାଇବାର ସକାଶ ଟିକିଏ ପ୍ରଯତ୍ନ କରିବାକୁ ପଡ଼େ ! ସେତକ କରି ବାକୁ ଡରି ବା ହଦେଇ ଆଜିକାଲିର ଲୋକେ ଏକାଥରକେ ଦେବତାକୁ କାଟି ଦେବା ପାଇଁ ବସିଛନ୍ତି । ମୋର ବି ସେହି ସଂଶୟ ଥିଲା, ମା କିନ୍ତୁ ମୁଁ ତ ଅନୁଭବ କରୁଛି, ‘ପଥରର ଦେବତା’ କଥା କହେ । ପଥରର ଦେବତା କଥା କହିବା ମିଛ ନୁହେଁ, ସତ । ତୁ ତାକୁ ଡାକ୍‌, ସେ ନିଶ୍ଚୟ ଶୁଣିବ ଓ କହିବ ।’’

 

ଦୁର୍ଗାଙ୍କ ମନ ବୁଝିଲା ନାହିଁ । ଆଉ ପଚାରିଲେ ବାବାଙ୍କର ପୂଜା ପାଠରେ ଡେରି ହୋଇଯିବ ବୋଲି ଭୟ କରି ସେ ତୁନି ହେଲେ । କିନ୍ତୁ ବାବାଙ୍କର ଆଦେଶ ମାନି ଠାକୁରାଣୀଙ୍କର ପୀଠ ନିକଟକୁ ଗଲେ ଓ ଏକାନ୍ତ ଆନ୍ତରିକତାର ବହୁ ସମୟ ମୁଣ୍ଡିଆ ମାରି ରହି ଡାକିଲେ, ‘‘ମା’ ! ମୋତେ ରଖିଲୁ କାହିଁକି କହ । ଯଦି ମୋତେ ରଖିଲୁ ତେବେ ମୋତେ କାମ ଦେ ।’’

 

ଦେଉଳ ଭିତରେ ଓ ବାହାରେ ଦୁର୍ଗାଙ୍କ ମନରେ ସବୁବେଳେ ଏଇ ଚିନ୍ତା । ‘‘ଭଗବାନ୍‌ ଥରକୁ ଦି’ଥର ତ ମୋତେ ରଖିଲ, କାହିଁକି ରଖିଲ ? କରିବି କ’ଣ ?’’

 

ଦିନ ପରେ ଦିନ ଚାଲି ଯାଉଥାଏ । ଦିନ ଭିତରେ ପ୍ରାୟ ଚାରି ପାଞ୍ଚଥର ତାଙ୍କ ଉପରେ ବାବାଙ୍କର ଦୃଷ୍ଟି ପଡ଼େ, ଖାଇବା କଥା ପଚାରନ୍ତି, ଲୁଗାରେ ଟିକିଏ ମଇଳା ଲାଗିଗଲେ ଖୁଣନ୍ତି, ବେଢ଼ା ଭିତରେ କୌଣସିଠାରେ ଟିକିଏ ମଇଳା ଥିଲେ ତାହାଙ୍କ ପାଖରେ ଅଭିଯୋଗ କରନ୍ତି; ୟାକୁ ପୁଞ୍ଜେ ଖାଇବାକୁ ଦିଅ, ତାକୁ ପଇସାଟିଏ ଦିଅ ବୋଲି ବରାଦ କରନ୍ତି, କିନ୍ତୁ ସମୟ କିପରି କଟିବ କହନ୍ତି ନାହିଁ ।

 

ପ୍ରାୟ ପନ୍ଦର ଦିନ ପରେ ସେଇ ସକାଳ ବେଳା ବାବାଙ୍କ ପାଇଁ ପୂଜା ସରଞ୍ଜାମ ବାଢ଼ିଲା ବେଳ । ଦୁର୍ଗା ଟିକେ ଶଙ୍କି ଶଙ୍କି ପଚାରିଲେ, ‘‘ବାବା ! ଏ ଯେଉଁ ଦରିଦ୍ର ପିଲାଗୁଡ଼ିକ ଦେଉଳ ବେଢ଼ା ଭିତରେ ବୁଲାବୁଲି କରୁଛନ୍ତି, ତାଙ୍କୁ ଘଣ୍ଟାଏ ଘଣ୍ଟାଏ ପଢ଼ାଇଲେ ହୁଅନ୍ତା ନାହିଁ ?’’

 

ବାବା ଟିକିଏ ଚିନ୍ତିତ ହୋଇ କହିଲେ, ‘‘ସବୁ ହୁଅନ୍ତା ମା’ ! ସବୁ ହୁଅନ୍ତା । ଏଇ ପଥରର ଦେବତା ସିନା ବିଚାରିଲେ ହେବ ? ଏଇ ଯୋଉଁ ପିଲାମାନେ, ସେମାନଙ୍କର ପାଠପଢ଼ା କଥା କ’ଣ ପଚାରୁଛୁ ? ସେମାନେ ଟିକିଏ ସଫାସୁତୁରା ହୋଇ ଭଲ ଲୁଗା ଖଣ୍ଡିଏ ପିନ୍ଧିବାକୁ ପାଇଲେ କେମିତି ହୁଅନ୍ତା, କହିଲୁ ? ମୁଁ ତ ଏଠାରେ ପଞ୍ଚଷଠି ବର୍ଷ ରହିଲିଣି, ଏହା ଭିତରେ ମତେ ମିଶାଇ ତିନିଜଣ ପୂଝାରୀଙ୍କର ସମୟ ଆସି କଟିଯିବାକୁ ବସିଲାଣି, କିନ୍ତୁ ଏ ପିଲାଗୁଡ଼ାକ ଯେ ମଣିଷ, ୟାଙ୍କଠାରେ ଯେ ପରମାତ୍ମା ଅଛନ୍ତି, ଏକଥା ବିଚାରିବାକୁ ମା' ତ କାହାରିକୁ ବୁଦ୍ଧି ଦେଉନାହିଁ । ତା'ର ବିଚାର–?’’

 

ଦୁର୍ଗା ଏକଥା ଆଦୌ ବୁଝିପାରିଲେ ନାହିଁ । ପାଖରେ ଠିଆ ହୋଇଥିବା ଜଣେ ଟହଲିଆ କହିଲା ‘‘ବାବା ! ଭଲ କଥାଟିଏ ମନେ ପଡ଼ିଲା । ରତନପୁର ଯୋଗୀ ମାଷ୍ଟେରେ କହୁଥିଲେ, ଏତେ ଦୂରରେ ଯାଇଁ ମାଷ୍ଟର ହେବା ପାଇଁ ତାଙ୍କର ଆଉ ମନ ନାହିଁ, ଆପଣ ଟିକିଏ ଦେଉଳ ଭିତରେ ଯଦି ଗୋଟିଏ ସ୍କୁଲ ମଞ୍ଜୁର କରାନ୍ତେ, ତାହାହେଲେ ଭଲ ହୁଅନ୍ତା ।

 

ବାବା ଖତେଇ ହେଲା ପରି କହିଲେ, ‘‘ଆରେ କାହାର ଭଲ ହୁଅନ୍ତା ମ ? ଠାକୁରାଣୀର, ନା ପିଲାଙ୍କର, ନା ଯୋଗୀ ମାଷ୍ଟ୍ରଙ୍କର । ଯୋଗୀ ମାଷ୍ଟରଙ୍କର ଯାହା ଭଲ ହେବ, ସେ କ'ଣ ତା' କରିବାକୁ ଅସମର୍ଥ ଯେ ମୋତେ ଘୋଷାରୁଛନ୍ତି ହାକିମ ପାଖକୁ । ଆମର ଏଠି ସ୍କୁଲ ଯୋଉ ଦିନ ହେବାର ଥିବ ସେ ଦିନ ହେବ ।’’

 

 

ଦୁର୍ଗା ଖୁବ୍‌ ସାହସ ବାନ୍ଧି ଏହା ଉପରେ କଥା କହିଲେ ‘‘ବାବା ! ମୁଁ ପଚାରୁଥିଲି ମୁଁ ଏ ପିଲାଙ୍କୁ ବସେଇ ବସେଇ ଘଣ୍ଟାଏ ଘଣ୍ଟାଏ ପଢ଼େଇଲେ ହୁଅନ୍ତା ନାହିଁ ?’’ ବାବା ଭାରି ପ୍ରସନ୍ନ ହୋଇଗଲେ, ‘‘ମା ! ମା ! ତତେ ତ ପଥର ଦେବତା କେଉଁଦିନ କଥା କହି ସାରିଲାଣି ? ଏଠାରେ ତୋତେ ସ୍କୁଲ କରିବାକୁ ସେ କହିଲାଟି ? ଆଉ ଦିନେ କହିବୁ ନାହିଁ, ପଥର ଦେବତା କଥା କହେ ନାହିଁ ବୋଲି ।’’ ଦୁର୍ଗା କିଛି ନ କହି ପୂଜା ସରଞ୍ଜାମ ସଜାଡ଼ିବାକୁ ଲାଗିଲେ । ଯେଉଁ ଟହଲିଆ ଯୋଗୀ ମାଷ୍ଟରଙ୍କ କଥା ଉଠାଇଥିଲା ତାକୁ ଡାକି ବାବା ହୁକୁମ ଦେଲେ,‘‘ବେବର୍ତ୍ତାକୁ ଡାକ ! ଆଜି ଉପରଓଳି ଶୁଭ ବେଳା ଅଛି, ସ୍କୁଲ ଆରମ୍ଭ ହେବ । ପିଲାମାନଙ୍କୁ ଡାକି, ସେ ଯାଆନ୍ତୁ ବାହାରି କଟକ, ଯେଝା ମାପରେ କୁରୁତା ଫୁରୁତା ଘେନି ଆସିବେ । ତାଙ୍କ ବାପା ମା’ ଦଶ ପନ୍ଦର ଜଣଙ୍କୁ ଡାକିବ, ଭୋଗ ଫୋଗ ଦି'ଟା ପାଇକରି ଯିବେ ।’’

 

ଟହଲିଆର ପ୍ରସ୍ତାବ ରହିବାରେ ସେ ଆନନ୍ଦରେ ବେବର୍ତ୍ତାଙ୍କ ପାଖକୁ ଧାଇଁଲା । ବେବର୍ତ୍ତା ଆସି ପହଞ୍ଚିବାରୁ ବାବା କହିଲେ, ବେବର୍ତ୍ତାଏ ! ଆମକୁ ତ ଖାଲି ଖାଇବା କଥା ଓ ପିନ୍ଧିବା କଥା ଦିଶୁଛି । ଗୋପାଳିଆ ହାତରେ କହିଥିଲି ତାଙ୍କ ପାଇଁ ଲୁଗା କୁରୁତା ବରାଦ କରିବାକୁ । ଆହେ ! ସ୍କୁଲ ପାଇଁ ତ ବହି, ସିଲଟ ଦରକାର ! ପିଲାଙ୍କ ପାଇଁ ଭଲ ବହି ଦେଖି ଆଣିବ ।’’

 

ବେବର୍ତ୍ତାଙ୍କୁ ଏ ନୂଆ ଜଞ୍ଜାଳ ସୁଖ ଲାଗୁ ନ ଥାଏ । ସେ କହିଲେ,‘‘ବାବା ! ସବୁଆଡ଼େ, ସ୍କୁଲ ପାଇଁ ଘର ଆଡ଼େ । ଆମର ତ ଘର ସେମିତି ସୁବିଧା ନାହିଁ, ଭଲ ଘର ନ ଦେଖିଲେ, ସରକାର କ'ଣ ସ୍କୁଲ ମଞ୍ଜୁର କରିବେ ?’’

 

ବାବା ହସିଲେ, କହିଲେ, ‘‘ପିଲା ଜନ୍ମ ହେଉ ହେଉ, ପୁଆଣୀ ଘର କଥା କାହିଁକି ପଡ଼ୁଚି ମ ? ବର୍ଷା ଦିନରେ ଏଇ ଜଗମୋହନରେ ସ୍କୁଲ ହେବ, ଅନ୍ୟ ଦିନରେ ସେ ବଉଳଗଛ ମୂଳ ପିଣ୍ଡିରେ । ମା’ ବରାଦ କରୁଛି, ଦୁର୍ଗୀ ଗୋଟାଏ ସ୍କୁଲ କରିବ । ତା’ ହୁକୁମ ଆଗ ତାମିଲ କର । ତା’ର ଯଦି ବଡ଼ ସ୍କୁଲ କରିବାର ଇଚ୍ଛା ଥିବ, ତାହେଲେ ବଡ଼ ଘରର ବନ୍ଦୋବସ୍ତ କରିବ ନାହିଁ ?’’ ବେବର୍ତ୍ତା ଜାଣନ୍ତି, ୟା ଉପରେ ଆଉ ଆପତ୍ତି ଚଳେ ନାହିଁ । ସେ ପିଲାଙ୍କୁ ଗୋଟାଇ କଟକ ଯିବାକୁ ସଜିଲ ହେଲେ ।

☆☆☆

 

Unknown

ପୁଣି ବିପଦ ସଂକେତ

 

ବିମଳା ମନ୍ଦିରର ଚାଟଶାଳୀ ଶୁଭବେଳାରେ ଆରମ୍ଭ ହେଲା । କ୍ରମେ ପିଲାଙ୍କର ପଢ଼ାରେ ଯେମିତି ମନ ଲାଗିଲା, ବାବା ପୂଜାପାଠରୁ ସମୟ କାଟି ସ୍କୁଲରେ ଆସି ବସନ୍ତି, ପିଲାଙ୍କୁ ଦୁଃଖ ସୁଖ ପଚାରନ୍ତି , ପିଲାଙ୍କ ସାଙ୍ଗେ ଦୁର୍ଗାକୁ ପଢ଼ା ବିଷୟରେ ପ୍ରଶ୍ନ କରନ୍ତି । ପିଲାଙ୍କ ମୁଣ୍ଡରେ ଏତେ ସମସ୍ୟା ଖେଳୁଛି, ବାହାରୁ ଲୋକେ କଳନା କରିପାରିବେ ନାହିଁ । ଜଣେ ପଚାରେ–ବର୍ଷେ କାହିଁକି ମରୁଡ଼ି ହେଉଛି, ଆର ବର୍ଷ କାହିଁକି ପାଣିରେ ଖେତ ଭାସିଯାଉଛି; ଆଉ ଜଣେ ପଚାରେ–ନବା ମଳିକର ପଲେ ଛୁଆ, କିନ୍ତୁ ସେମାନଙ୍କ ତୁଣ୍ଡରେ ଦେବାକୁ ତା’ଘରେ ପୋଷେ ଧାନ ନାଇଁ । ଆଉ ଜଣେ ଯୋଡ଼ି ଦିଏ, ଦାସଙ୍କ ଘରେ ଏତେ ଧାନ କିନ୍ତୁ ଖାଇବାକୁ ଗୋଟିଏ ବୋଲି ପିଲା ନାହିଁ, କାହିଁକି ? ଦୁର୍ଗାଙ୍କ ପାଖକୁ ଲାଗି ବସିଥିବା ମାଈକିନିଆ ଝିଅଟି, ତୁନି କରି ପଚାରେ–ମାଉସୀ, ତମର ନିଜର ପିଲାମାନେ କାହିଁକି ଆସୁନାହାନ୍ତି, ଏ ଇସ୍କୁଲରେ ପଢ଼ିବାକୁ ? ଆଉ ଜଣେ ତା’କୁ ତିଆରି କହେ, ସେ ତ ବଡ଼ଲୋକ, ତାଙ୍କ ପିଲେ କ'ଣ ଏଇ ଚାହାଳୀରେ ପଢ଼ିବେ ! ଆମ ବାପା କହୁଥିଲେ, କଟକରେ ବଡ଼ ଲୋକଙ୍କ ପିଲାଙ୍କୁ ସାହେବବାଣୀ ପଢ଼ାଉଛନ୍ତି । ମାଉସୀ, ତମ ପୁଅ ଝିଅ ସେ ସ୍କୁଲରେ ପଢ଼ୁଛନ୍ତି ଟି ? ଦୁର୍ଗା ଏ ସବୁ ପ୍ରଶ୍ନର ଉତ୍ତର ଦେଉଥାନ୍ତି, ନିଜ ସାମର୍ଥ୍ୟକୁ ଚାହିଁ ।

 

ଦିନେ ବେବର୍ତ୍ତା ବାବାଙ୍କୁ ଏକୁଟିଆ ପାଇ କହିଲେ, ‘‘ବାବା, ଦୁର୍ଗା ନାନୀ ସ୍କୁଲ ଚଳାଇ ପାରିବେ ନାହିଁ । ପିଲା ତ ତାଙ୍କୁ ଇଆଡ଼ୁ ସିଆଡ଼ୁ ପ୍ରଶ୍ନ ପଚାରି ପଚାରି ଆକତା ମାକତା କରି ଦେଉଛନ୍ତି ।’’

 

ବାବା ପଚାରିଲେ, ‘‘ତମେ ତେବେ କ'ଣ କହୁଛ ଯେ ?’’

 

ପାଖରେ ଠିଆ ହୋଇଥିବା ଟହଲିଆ ଗୋପାଳିଆ ଆବୁଡ଼ାପଡ଼ି ଉତ୍ତର ଦେଲା, ‘‘ବାବା, ବାଲି ଯୋଗୀ ମାଷ୍ଟ୍ରେ କହୁଥିଲେ, ଆମ ଇସ୍କୁଲରେ ଯେମିତି ପଢ଼ା ହେଉଛି, ସେମିତି ପଢ଼ାଇବା ଆଜିକାଲିର ନିୟମ ନୁହେଁ । ଏବେ ପରା ପିଲାଙ୍କ ମନକୁ ମନାଇଲା ପରି ପଢ଼ା ହେଉଛି-। ଶଗଡ଼ ଚକଟା ଆଗ ଦେଖାଉଛନ୍ତି, ପରେ ‘ଚ’ ଘୋଷାଉଛନ୍ତି । କମଳ ଦେଖାଇଲେ ‘କ’ ଶିଖାଉଛନ୍ତି । ଡାଳ ଦେଖାଇଲେ ‘ଡା’ ଶିଖାଉଛନ୍ତି ।

 

ବାବା କହିଲେ, ‘‘ବେଶ୍‌, ଏମିତି ପଢ଼ାଇଲେ ତ ପିତୃପୁରୁଷ ସ୍ୱଦେହରେ ସ୍ଵର୍ଗକୁ ଚାଲିଯିବେ ! ଚକଡ଼ା ଶିଖାଉ ଶିଖାଉ ଖଣ୍ଡେ କମଳ, ଗୋଟାଏ ଶଗଡ଼ ଚକ ଆଉ ଗୋଟାଏ ବରଡ଼ାଳ ଦରକାର । ଏମିତି ‘ହାତୀ’ ଶିଖାଇବାକୁ ବଣକୁ ଯିବାକୁ ହେବ । ‘ବାଘ’ ଶିଖାଉ ଶିଖାଉ ତ ବାଘ ମୁହଁରେ ପଡ଼ି ଇହଲୀଳା ଶେଷ ! କାଳର ଗତିକୁ ଦେଖ ଯେ ପିଲାଙ୍କୁ ମୁର୍ଖ କରିବାକୁ ସାହେବ ଯେଉଁ ପାଠପଢ଼ା ଢଙ୍ଗ ଆମ ଦେଶରେ ଚଳାଇଲେ, ସ୍ଵାଧୀନ ହୋଇ ସାରିବା ପରେ ମଧ୍ୟ ତାହାର ମୋହ ଭାଙ୍ଗି ନାହିଁ ।’’

 

ବାବା ବେବର୍ତ୍ତାଙ୍କୁ ଚାହିଁବାରେ ସେ କହିଲେ ‘‘ଆଜ୍ଞା, ମୁଁ ସେ କଥା କହୁନାହିଁ । କହୁଥିଲି, ଆଜିକାଲି ତାଲିମ୍‌ କେନ୍ଦ୍ରରୁ ଯେଉଁ ଶିକ୍ଷକମାନେ ଉତୁରୁଛନ୍ତି, ସେମାନେ ପିଲାଙ୍କ ମନ ପାଠରେ ଏମିତି ଲଗାଇ ରଖୁଛନ୍ତି ଯେ ପିଲା ଆଉ ଆମ ଚାହାଳୀ ପରି ବାର ସୃଷ୍ଟିଛଡ଼ା ପ୍ରଶ୍ନ ପଚାରୁନାହାନ୍ତି-। ଦୁର୍ଗାନାନୀ କରିବେ କ’ଣ ? ପିଲା ଯାହା ପଚାରୁଛନ୍ତି, ତାରି ଉତ୍ତର ଦେଉ ଦେଉ ତ ସେ ନୟାନ୍ତ-। ତାଙ୍କ ପିଲାଙ୍କ କଥା ଯେଉଁଦିନ ପିଲେ ପଚାରିଲେ ସେଦିନ ତାଙ୍କ ଆଖି କମିତି ଛଳ ଛଳ ହୋଇଗଲା, ଆପଣ ଦେଖି ନଥିବେ ? ମୁଁ ବିଚାରୁଛି, ଜଣେ ନୂଆ ତାଲିମ୍‌ ପାଇଥିବା ଶିକ୍ଷକ ଆଣି ରଖିଦେଲେ ଦୁର୍ଗା ନାନୀଙ୍କୁ ଆୟାସ ପଡ଼ନ୍ତା ।’’ ବାବା ହସି ହସି କହିଲେ, ‘‘ଗୋପାଳିଆ ଯାହା କହୁଛି, ତମର ବି ସେଇ କଥା । ଯୋଗୀ ମାଷ୍ଟ୍ରେ ତମ ଦୁଇଜଣଙ୍କୁ ଧରିଛନ୍ତି ତାହାହେଲେ । ମତେ ତ ଜଣାଯାଉଛି, ଯୋଗୀମାଷ୍ଟ୍ରଙ୍କର ନଈ ତାଲିମରେ ଆମକୁ ଗୁଡ଼ାଏ ଘାଣ୍ଟି ହେବାକୁ ହେବ । ଏ ସ୍କୁଲରେ ରହିବାକୁ ତାଙ୍କର ଖୁବ୍‌ ମନ, ନା ?’’

 

ଗୋପାଳିଆ କହିଲା, ‘‘ବେବର୍ତ୍ତା ଆପଣେ, ସତ କଥାଟା କହି ଦେଉନାହଁ । ଆଗ ସବୁ କଥାଟା ନିର୍ମଳ କରି ଦେଇଥିଲେ ଆଉ ଅଡ଼ୁଆ ରହିବ ନାଇଁ । ବାବା, ଯୋଗୀ ମାଷ୍ଟ୍ରେ ଦି'ଓଳି ଆସି ବେବର୍ତ୍ତାଙ୍କୁ କହୁଛନ୍ତି, ଆମ ଏ ଚାହାଳୀରେ ଯିମିତ ପାଠପଢ଼ା ହେଉଛି ତାହା ଏ କାଳରେ ଚଳିବ ନାହିଁ । ପିଲାଙ୍କ ମନ ଚିହ୍ନି ନଥିବା ଲୋକ ପିଲାଙ୍କୁ ପଢ଼ାଇଲେ ବା କିଛି ବତାଇଲେ ପିଲାଙ୍କର ମୁଣ୍ଡ ଖରାପ ହୋଇଯିବ, ସେମାନେ ବଡ଼ ଦିନେ ଭଲ ମଣିଷ ହୋଇ ପାରିବେ ନାହିଁ ।’’

 

ବେବର୍ତ୍ତା ଯୋଡ଼ିଲେ, ‘‘ସେମିତି ଗୁଡ଼ାଏ କ'ଣ କହୁଛୁ ? ଯୋଗୀ ମାଷ୍ଟ୍ରେ କହୁଥିଲେ, ପିଲାଙ୍କ ମନସ୍ତତ୍ତ୍ଵ ବୋଲି ଗୋଟିଏ କ’ଣ ପାଠ ବାହାରିଛି, ସେଇଟା ପଢ଼ିଲେ ଯାଇ ପିଲାଙ୍କୁ ଚଳାଇ ହେବ । ତାଙ୍କର ସେ ତତ୍ତ୍ଵ ପଢ଼ା ଅଛି ।’’

 

ବାବା କହିଲେ, ‘‘ସଫା କରି କହୁନାହିଁ ? ସେ ତତ୍ତ୍ଵ ନପଢ଼ିଥିବାରୁ ଆମ ଚାହାଳୀର ପାଠପଢ଼ାରେ କ’ଣ ଖଇଚା ରହୁଛି ବୋଲି ସେ କହିଛନ୍ତି ଯେ ! ମୁଁ ତ ଦେଖୁଛି, ଏଇ ଦିନ କେତୋଟାରେ ଆମ ପିଲେ, ଗୀତ ବୋଲି ଜାଣିଲେଣି, ପଣକିଆ ଘୋଷିଲେଣି । ତେଲ ସେରକୁ ତିନି ଟଙ୍କା ହେଲେ, ଅଧଛଟାଙ୍କିକୁ କେତେ ବୋଲି ତମେ ପରା ସେଦିନ ପଚାରିଲ, ଉତ୍ତର ପାଇଲ ନା ନାହିଁ ?

 

ବେବର୍ତ୍ତା–ଯୋଗୀ ମାଷ୍ଟ୍ରେ ପରା କହୁଛନ୍ତି, ଏଗୁଡ଼ାକ ଘୋଷା ପାଠ । ପ୍ରଥମେ ପିଲାଙ୍କୁ କାଠି ସାହାଯ୍ୟରେ, ଗୋଡ଼ି ସାହାଯ୍ୟରେ ଗଣି ଶିଖାଇବାର କଥା । ସେ ଦିନ ଦୁର୍ଗା ନାନୀ ଗଛରୁ ପିଜୁଳି ତୋଳାଇ ଗଣତି ଶିଖାଇବାଟା ଯୋଗୀ ମାଷ୍ଟ୍ରେ ଭାରୀ ଅପସନ୍ଦ କଲେ ।

 

ବାବା ଖୁବ୍‌ ହସିଲେ, କହିଲେ, “ହଉ, ଥାଉ ଥାଉ । ଯାହା ବାଡ଼ିରେ ପିଜୁଳି ଅଛି, ସେ ଗୋଡ଼ିରେ କାହିଁକି ପିଲାଙ୍କୁ ଗଣତି ଶିଖାଇବ ? ପିଲାଙ୍କ ମନସ୍ତତ୍ତ୍ଵ କଥା ପରା ସେ କହୁଥିଲେ, ପିଲାଙ୍କଠାରୁ ଯାଇ ବୁଝନ୍ତୁ, ଗୋଡ଼ିଠାରୁ ପିଜୁଳି ତାଙ୍କ ମନକୁ ବେଶୀ ପାଉଛି କି ନାହିଁ ?’’

 

ବେବର୍ତ୍ତା ଦେଖିଲେ, ଇସ୍କୁଲ କଥା ଆଉ ଏତେବେଳେ ପକାଇଲେ ଭଲ ହେବ ନାହିଁ । ସେ ଉଠି ଠିଆ ହେଲେ, ବିଦା ହେବାକୁ । ଏତିକିବେଳେ ଦୁର୍ଗା ହସି ହସି ଆସି ବାବାଙ୍କ ପାଖରେ ବସି କହିଲେ, ‘‘ବାବା, ମୁଁ ଗୋଟେ ଭାରି ଅଡ଼ୁଆରେ ପଡ଼ିଛି । ନଡ଼ିଆତେଲ ଦାମ୍‌ ଉପରେ ଅଙ୍କ ଶିଖାଉଥିଲି ଯେ, ସରଜୁ କହୁଛି, ବଇଁଶୀ ସାହୁ ଦୋକାନରେ ନଡ଼ିଆ ତେଲ ଅଢ଼େଇ ଟଙ୍କାରେ କିମିତ ବିକ୍ରି ହେଉଛି ବୋଲି ତା’ ବୋଉ ପଚାରୁଥିଲା ।’’

 

ବାବା ବେବର୍ତ୍ତାଙ୍କୁ ଚାହିଁ କହିଲେ, ‘‘କିଓ ବେବର୍ତ୍ତା, ହେଇଟି ପିଲାଙ୍କ ମନସ୍ତତ୍ତ୍ଵ ! କ’ଣ ଉତ୍ତର ଦେବ କହ ।’’

 

ଗୋପାଳିଆ ଆବୁଡ଼ାପଡ଼ି କହିଲା, ‘‘ବେବର୍ତ୍ତା ଆପଣେ କ'ଣ କହିବେ, ବାବା ? ଯୋଗୀ ମାଷ୍ଟ୍ରେ ତ ତାଙ୍କରି ବସାଘରେ ବସିଛନ୍ତି, ତାକୁ ଡାକିଲେ ସାଙ୍ଗେ ସାଙ୍ଗେ ଉତ୍ତର ଦିଅନ୍ତେ ।’’

 

ଯୋଗୀ ମାଷ୍ଟ୍ରଙ୍କୁ ବସାରେ ବସାଇ ତାଙ୍କ ପାଇଁ ଓକାଲତି କରିବାକୁ ଆସିଥିବା କଥା ଧରା ପଡ଼ିବାରୁ ବେବର୍ତ୍ତା ଟିକିଏ ବିବ୍ରତ ହେଲେ । ଗୋପାଳିଆ ଆଡ଼କୁ ଟିକିଏ ବିଗିଡ଼ି କରି ଚାହିଁଲେ । ପୁଣି ବିଚାରିଲେ, ସାମନାସାମନି କଥାଟା ପଡ଼ିଯିବାର ସୁବିଧା ମିଳିଗଲା, ଭଲ ହେଲା । ସେ ନିଜେ ଯାଇ ଯୋଗୀ ମାଷ୍ଟ୍ରଙ୍କୁ ଡାକି ଆଣିଲେ ।

 

ମାଷ୍ଟ୍ରେ ଆସି ବାବାଙ୍କୁ ମୁଣ୍ଡିଆ ମାଇଲେ, ଚରଣ ଧୂଳି ନେଇ ମୁଣ୍ଡରେ ଲଗାଇଲେ, ଓ ଦୁର୍ଗାଙ୍କ ଆଡ଼କୁ ଟିକିଏ କଡ଼େଇ କଡ଼େଇ ଚାହିଁ କହିଲେ, ‘‘ବାବା, ଆଜି ଆପଣଙ୍କ ଚରଣ ଧୂଳି ମୋ ମୁଣ୍ଡରେ ଲାଗିଲା, ମୋର ଭାରି ସୁକୃତ ! ବହୁତ ଦିନ ହେଲା, ଆପଣଙ୍କୁ ଦର୍ଶନ ଟିକିଏ ପାଇବି ବୋଲି ଆଶା କରି ରହିଥିଲି ।’’

 

ବାବା କହିଲେ, ‘‘ଲେଉଟ କଥା ତ କହୁଛ, ମାଷ୍ଟ୍ରେ ! ମୁଁ ତ ସବୁ ଦିନ ବିଚାରେ, ଯୋଗୀ ମାଷ୍ଟ୍ରେ ଏଇ ପାଖରେ ଥାଇ, ଏ ବେଢ଼ା ଭିତରେ ପଶନ୍ତି ନାହିଁ କାହିଁକି ?’’

 

ମାଷ୍ଟ୍ରେ କହିଲେ, ‘‘ଆଜ୍ଞା, ମଙ୍ଗଳରେ ରାହୁ ପ୍ରତ୍ୟନ୍ତର ପଡ଼ିଥିବାରୁ ମୋତେ ଏ ଚାରିମାସ ଖୁବ୍‌ ବୁଲାଇଲାଣି । କାଲିଠାରୁ ମୋର ଦଶା ଯାଇଛି । ମତେ ତ ଜଣାପଡ଼ିଲାଣି, ଆଜିଠାରୁ ମୋର ଭାଗ୍ୟ ଫେରିଲା ।’’

 

ବାବା ପଚାରିଲେ, ‘‘ହଉ,ହଉ ମଣିଷର ଦୁଃଖ ସବୁଦିନେ ରହେ ନାହିଁ । ମା’ଙ୍କଠାରେ ନିଘା ରଖ, ସବୁ ଠିକ୍‌ ହୋଇଯିବ ।’

 

ମାଷ୍ଟ୍ରେ ଦୁର୍ଗାଙ୍କ ଆଡ଼କୁ ଟିକିଏ ଚୋରାରେ ଚାହିଁ ଦେଇ, ବାବା ବୋଧହୁଏ ଠାକୁରାଣୀଙ୍କଠାରେ ନିଘା ରଖିବାକୁ କହିଲେ ବୋଲି ବିଚାରି ତାଙ୍କ ଉଦ୍ଦେଶ୍ୟରେ ମୁଣ୍ଡିଆଟିଏ ମାଇଲେ ।

 

ବାବା ପୁଣି ପଚାରିଲେ, ‘‘ମାଷ୍ଟ୍ରେ, ସକାଳୁ ସକାଳୁ କାହିଁକି ଆସିଥିଲ, କହ ।’’

 

ମାଷ୍ଟ୍ରେ ଏଇ ସୁଯୋଗକୁ ଚାହିଁ ବସିଥିଲେ । କିନ୍ତୁ ଏତେ ଲୋକଙ୍କ ଭିତରେ କଥାଟା ପକାଇବାକୁ ତାଙ୍କର ମନ ନଥାଏ । ସେ କହିଲେ, ‘‘ଆଜ୍ଞା, ଆପଣଙ୍କୁ ତ କହିବି ବୋଲି ଆସିଛି । ଆପଣଙ୍କ କାମ ସରୁ । ବେବର୍ତ୍ତା ହେରିକା କାହିଁକି ବସିଛନ୍ତି, ତାଙ୍କ କଥା ଆଗ ତୁଟୁ ।’’

 

ଗୋପାଳିଆ କହିଲା, ‘‘ସେଇ କଥାକୁ ତ ମାଷ୍ଟ୍ରେ ତମକୁ ଡକରା ।’’

 

ବାବା ଆରମ୍ଭ କଲେ, ‘‘ହଇଏ ମାଷ୍ଟ୍ରେ, ମା’ ଆମର ଆସି ପଚାରୁଛି, ବଇଁଶୀ ସାହୁ ଦୋକାନରେ ନଡ଼ିଆତେଲ ଅଢ଼େଇ ଟଙ୍କାରେ କିମିତି ବିକ୍ରି ହେଉଛି । କହିଲ ଦେଖି, ୟା’ର କାରଣ-?’’

 

ମାଷ୍ଟ୍ରେ ଶୁଣି ଟିକିଏ ଦୁର୍ଗାଙ୍କ ଆଡ଼କୁ ଚାହିଁ, କହିଲେ, ‘‘ବାବା, ଦୋକାନୀଙ୍କ ଦୌରାତ୍ମ୍ୟ କଥା ସେ ଜାଣିବେ କୁଆଡ଼ୁ । ଯେ ଅନୁଭବୀ, ସେ ଜାଣେ । ସେମାନେ ତ ଏ ସୃଷ୍ଟିକୁ ବୁଡ଼ାଇ ଦେବାକୁ ବସିଛନ୍ତି । ମୁଁ ତ ଆପଣଙ୍କ ଆଗରେ ଜନ୍ମ ! ମୋର ମନେ ଅଛି, ନଡ଼ିଆତେଲ ସେର ପାଞ୍ଚଅଣାକୁ ବିକ୍ରି ହେଉଥିଲା । ସେଇ ତେଲ ଆଜି ଅଢ଼େଇଟଙ୍କା । ବଇଁଶୀ ସାହୁ ତେଲ ବୋଝ ମୁଣ୍ଡେଇ ଗାଁକୁ ଗାଁ ବୁଲୁଥିଲା । କେଉଁଦିନ ଚାରିଅଣା ପାଇଲେ ଚୁଲିକୁ ହାଣ୍ଡି ଯାଏ, ନ ହେଲେ ନାଇଁ । ଆଜି ତା’ର ଚୂନ ଘର । ଏ କାଳ ତ ସେମିତି ହୋଇଛି ।’’

 

ମାଷ୍ଟ୍ରେଙ୍କ ଜାଣିବାପଣରେ ଗୋପାଳିଆ ଭାରି ଖୁସି । ସେ ହସ ହସ ହୋଇ ମୁଣ୍ଡ ଟୁଙ୍ଗାରୁଥାଏ । ମାଷ୍ଟ୍ରେ କହିଥିଲେ, ଯଦି ବାବା ବିମଳା ମନ୍ଦିର ହତାରେ ଗୋଟାଏ ଇସ୍କୁଲ ବସାନ୍ତି, ସେ ତେବେ ତା’କୁ ନୂଆ ଲୁଗା ଖଣ୍ଡେ ଦେବେ । ଦୁର୍ଗା ନାନୀ ଚାହାଳୀ ଖୋଲିବା ପରେ କହିଛନ୍ତି, ଖଣ୍ଡକ ଠେଇଁ ଯୋଡ଼ାଟାଏ ଦେବେ ଓ ମିଠେଇଖିଆ ଟଙ୍କା ପାଞ୍ଚଟା ମିଳିବ । ମାଷ୍ଟ୍ରଙ୍କର ଏ କଥା ଶୁଣି ସେ ଟଙ୍କା ପାଞ୍ଚଟା କିମିତି ଖର୍ଚ୍ଚ କରିବି ତାହାର ବଜେଟ୍‍ ମନେ ମନେ ତିଆର କରୁଥାଏ ।

 

ବେବର୍ତ୍ତା କିନ୍ତୁ ବାବାଙ୍କ ମୁହଁକୁ ଚାହିଁ ମାଷ୍ଟ୍ରଙ୍କୁ ଖୁଣିଲେ, ‘‘ଏଥରୁ ଗୁଡ଼ାଏ କ’ଣ ଗପୁଛ ହେ ମାଷ୍ଟ୍ରେ ! ସୁରୁଜି ବୋଉ ପଚାରୁଛି କ’ଣ, ତମେ କହୁଛ କ’ଣ ?’’

 

ମାଷ୍ଟ୍ରେ ଦୋଷ କରିଥିବା ପିଲା ପରି ମୁହଁ କରି ଦୁର୍ଗାଙ୍କ ଆଡ଼କୁ ମୁହଁ ପୋତି ଚାହିଁ କହିଲେ, ‘‘ଆପଣ ତେବେ ଆଉ କ’ଣ ପଚାରିଛନ୍ତି ?’’ ଦୁର୍ଗାଙ୍କର ଝିଅଟିଏ ଥିବା କଥା ତାଙ୍କୁ ଆଗରୁ କେହି କହି ନଥିଲେ । ଝିଅ ତ ଗୋଟାଏ ସ୍ଥାୟୀ ଦାୟିତ୍ଵ ନୁହେ । ‘ଦେଲା ନାରୀ ହେଲା ପାରି’ । ତଥାପି ଏ ଅଡ଼ୁଆଟା ଆସି ପଡ଼ିବାରୁ ସେ ସେଇ କଥା ମନରେ ପାଞ୍ଚୁଥାନ୍ତି ।’’

 

ତାଙ୍କ ଚିନ୍ତାକୁ ପ୍ରତିହତ କରି ବାବା କହିଲେ, ‘‘ଆମ ଚାହାଳୀରେ ସରଯୁ ବୋଲି ଗୋଟିଏ ଝିଅ ପଢ଼ୁଛି, ତା’ ବୋଉ ନଡ଼ିଆତେଲ ମାରେ ! ଗୁଡ଼ାଏ ଦିନ ହେଲାଣି, ବେବର୍ତ୍ତା ତାକୁ ବରାଦ କରିଥିଲେ, ସେରେ ନଡ଼ିଆ ତେଲ ପାଇଁ । ବିଚାରୀ ଖୁବ୍‍ ସଚୋଟ ଭାବେ ତେଲ ମାଇଲା । କିନ୍ତୁ ଖାଲି ନଡ଼ିଆର ଦାମ ପଡ଼ିଲା, ତିନିଟଙ୍କା । ମାରିବାର ମଜୁରୀ ନାଇଁ କି ଜାଳଖର୍ଚ୍ଚ ନାଇଁ । ଏପରି ସ୍ଥଳେ ବାହାରୁ ଯେଉଁ ତେଲ ଆସୁଛି, ତା’ଉପରେ ଏମୁଣ୍ଡେ ଲାଭ ସେମୁଣ୍ଡେ ଲାଭ ମିଶି, ଗାଡ଼ିଭଡ଼ା ମିଶି, ବଂଶୀ ସାହୁର ଲାଭ ରହି ଅଢ଼େଇ ଟଙ୍କାରେ କିମିତି ବିକ୍ରି ହେଉଛି, ସେଇ ହେଉଚି କଥା ।’’

 

ମାଷ୍ଟ୍ରେ କହିଲେ, ‘‘ବାବା, ସେ ତେଲଗୁଡ଼ାକ ଆମ ଏଠା ନଡ଼ିଆରୁ ହେଉନାହିଁ । ଲଙ୍କା ନଡ଼ିଆର ତେଲ ସିଏ । ଲଙ୍କା ଛେଳି ଗୁଡ଼ାକ ଯେମିତି ବଡ଼, ବେଶୀ ଦୁଧ ଦିଅନ୍ତି, ସେମିତି ଲଙ୍କା ନଡ଼ିଆଗୁଡ଼ାକ ବଡ଼, ସେଥିରୁ ବେଶୀ ତେଲ ବାହାରେ ।’’

 

ବାବା କହିଲେ, ‘‘ଆଗ ବେବର୍ତ୍ତାଏ ତ ସେଇ କଥା କହିଥିଲେ । ତାଙ୍କରି କଥାରେ ଆମେ ସେ ବର୍ଷ ଗୁଡ଼ାଏ ଲଙ୍କା ନଡ଼ିଆ ମଗାଇଲୁ । ତାକୁ ପେଡ଼ାଇଲୁଁ ଯେ ଫଳ ସେଇଆ । ସେଥିରୁ ଚାରଣ୍ଡା ଗଛ ବି ବାଡ଼ିରେ ଲାଗି ଫଳ ଧଇଲାଣି ।’’

 

ମାଷ୍ଟ୍ରେ କହିଲେ, ‘‘ଆଜ୍ଞା, ଆମେ ମାଷ୍ଟ୍ରିଆ ଲୋକ, ଏତେ ପରୀକ୍ଷା କରାଇବୁ କୁଆଡ଼ୁ, ଜାଣିବୁ କିମିତି ?’’

 

ବାବା ହସି ହସି କହିଲେ, ‘‘ଆମେ ତ ଦେଉଳ ବେଢ଼ାରେ ମାଷ୍ଟ୍ରିଆ କାମ ଆରମ୍ଭ କରିବାରୁ ଏ ଅଡ଼ୁଆରେ ପଡ଼ିଛୁଁ । ସରଯୁକୁ ଦୁର୍ଗା ଅଙ୍କ ଶିଖାଉଥିଲା ଯେ, ସେ ପଚାରିଛି, ବଂଶୀ ସାହୁ ଅଢ଼େଇ ଟଙ୍କାରେ ତେଲ ବିକୁଚି କିମିତି ?’’

 

ମାଷ୍ଟ୍ରେ କହିଲେ, ’’କିରାସିନୀଗୁଡ଼ାଏ ମିଶାଇ ଦେଉଥିବ ।’’ ଗୋପାଳିଆ କହିଲା, ‘‘ଏମିତି କ’ଣ କହୁଛ ହେ ମାଷ୍ଟ୍ରେ, ସେରକେ ଛଟାଙ୍କିଏ କିରାସିନି ମିଶେଇଦେଲେ ତ ହାତକୁ ଜଣାଯିବ, ନାକକୁ ଜଣାଯିବ । ବଂଶୀ ସାହୁ ଦୋକାନ ନଡ଼ିଆ ତେଲ ଆମେ କ’ଣ ଲଗାଉନାହୁଁ ? ବାସନା ନାହିଁ, ଗନ୍ଧ ବି ନାହିଁ ।’’ ମାଷ୍ଟ୍ରେ ତୁନି ହୋଇଯିବାରୁ ବେବର୍ତ୍ତାଙ୍କୁ ବଡ଼ ଅଡ଼ୁଆ ଲାଗିଲା । ସେ ଦେଖିଲେ, ମାଷ୍ଟ୍ରେ ଯଦି ବାବାଙ୍କୁ ନିଜ ବିଦ୍ୟା ଦେଖାଇ ନପାରିବେ ତେବେ ତାଙ୍କର ଏ ସ୍କୁଲରେ ରହିବା କଥା ସିମିତି ସିମିତି । ତା’ଆଗକୁ ମାଷ୍ଟ୍ରେ ଯେଉଁ ଆଶା ରଖିଛନ୍ତି ସେ କଥା ତ ହାଉଆରେ ଉଡ଼ିଯିବ । ସେ ମାଷ୍ଟରଙ୍କୁ ଟେହିବାକୁ କହିଲେ, ‘‘ମାଷ୍ଟ୍ରେ, ତୁମକୁ ଯଦି ଚାହାଳୀରେ ଏଇ କଥା କିଏ ପଚାରନ୍ତା, ତେବେ ତୁମେ କ’ଣ ଉତ୍ତର ଦିଅନ୍ତ, କହୁନ ?”

 

ମାଷ୍ଟ୍ରଙ୍କୁ ନିଜର ବିଦ୍ୟା ଦେଖାଇବାକୁ ମୌକା ମିଳିଗଲା, ସେ କହିଲେ, ‘‘ଜାଣିଲ, ବେବର୍ତ୍ତାଏ, ଉପଯୁକ୍ତ ପ୍ରଣାଳୀରେ ପାଠପଢ଼ା ହେଲେ, ଏପରି ସବୁ ଅବାନ୍ତର ପ୍ରଶ୍ନ ପଚାରିବାକୁ ଫୁରସତ୍‍ ମିଳନ୍ତା କୁଆଡ଼ୁ ? ଆମର ନଇ ତାଲିମରେ ଚାହାଳୀ ପାଠ ଚଳେନାହିଁ । ସ୍କୁଲ ପାଇଁ ରୁଟିନ୍‍ ତିଆର କରି ପଢ଼ାଇଲେ ସିନା ହେବ । ପୁଣି ନିର୍ଦ୍ଦିଷ୍ଟ ପଦ୍ଧତିରେ ପଢ଼ାପଢ଼ି ହେବା ଦରକାର-। ପିଲା ଯଦି ପଚାରିବେ, ପାଠ ଉପରେ ପଚାରିବେ । ତାଙ୍କ ସଙ୍ଗେ ଦୁଃଖସୁଖ କରିବା ଯୋଗୁଁ ଏପରି ହେଉଛି । ବୋଧହୁଏ ଦୁର୍ଗାଦେବୀଙ୍କୁ ଟ୍ରେନିଂ ପାଇଁ ବର୍ଷେ ପଠାଇ ଦେଲେ ଭଲ ହୁଅନ୍ତା-। ନହେଲେ ଜଣେ ଟ୍ରେନିଂ ପାସ୍‌ ଶିକ୍ଷକଙ୍କ ସଙ୍ଗେ କିଛି ଦିନ କାମ କଲେ ହୋଇଯିବ ।’’

 

ଏକଥାର ପ୍ରତିକ୍ରିୟା ଦୁର୍ଗାଙ୍କ ପରେ କ’ଣ ହେଲା ଲକ୍ଷ୍ୟ କରିବାକୁ ମାଷ୍ଟ୍ରେ ତାଙ୍କ ଆଡ଼କୁ ଟିକିଏ ଚାହିଁଲେ । ଦୁର୍ଗାଙ୍କର ଦୃଷ୍ଟି କାହାରି ଉପରେ ନଥାଏ । ସେ ବାବାଙ୍କୁ ଯେଉଁ ପ୍ରଶ୍ନଟି ପଚାରିଥିଲେ ତାହାର ଉତ୍ତର ନପାଇ ଇତସ୍ତତଃ ହେଉଥାନ୍ତି । ପିଲାଗୁଡ଼ାକ ସିଆଡ଼େ ଗୋଳମାଳ କରୁଥିବେ । ପ୍ରଶ୍ନର ଉତ୍ତର ନନେଇ ଗଲେ, ପିଲାଗୁଡ଼ାକ ହଟହଟା କରିବେ ।

 

ଦୁର୍ଗାଙ୍କ ଚିନ୍ତାକୁ ଅନୁମାନ କରି ବାବା କହିଲେ, ଆଲୋ ଦୁର୍ଗି, ଯା, ଯା, ପିଲାଗୁଡ଼ାକ ଗଉଡ଼ ନ ଥିବା ଗୋଠ ପରି ହେଉଥିବେ । ଏ ଯେଉଁ ନଡ଼ିଆ ତେଲ କଥା କହୁଥିଲୁ, ତା’ ମୁଁ ସେଇ ସମୟରେ ଅନୁସନ୍ଧାନ କରାଇଥିଲି । କିରାସିନିରୁ ଏବେ କମ୍ପାନୀବାଲା ଗୋଟାଏ ତେଲ ବାହାର କରୁଛନ୍ତି, ଧଳା ତେଲ । ତା’ର ଗନ୍ଧ ନାହିଁ କି ବାସନା ନାହିଁ । ସେ ଶସ୍ତା ପଡ଼ୁଛି । ସେରକୁ ମୋଟେ ଟଙ୍କାଟିଏ । ରାଶି, ସୋରିଷ, ନଡ଼ିଆ–ସବୁ ତେଲରେ ସେଇଥିରୁ ଗୁଡ଼ାଏ ମିଶାଇ ଦେଉଛନ୍ତି । ଧର, ସେରେ ନଡ଼ିଆ ତେଲରେ ସେରେ ଧଳା ତେଲ ମିଶିଲା । ସେ ଟ୩ ।, ୟେ ଟ୧୮। ସେରକୁ ପଡ଼ିଲା ଟ୨୯ । ଛ’ ଅଣା ଲାଭ ମିଶାଇ ସେର ଟ୨୪ରେ ବିକୁଛନ୍ତି ।’’

 

ମାଷ୍ଟ୍ରେ ପଚାରିଲେ, ‘‘ବାବା, ଏ ଧଳାତେଲର ଦୁର୍ଗୁଣ ତ ଥିବ ।’’

 

ବାବା କହିଲେ, ‘‘ମାଷ୍ଟ୍ରେ, ଆଜିକାଲି ସବୁଥିରେ ଦୁର୍ଗୁଣ । ଏ ତେଲରେ ମୁଣ୍ଡବାଳ ପାଚି ଯାଉଛି ବୋଲି ଲୋକେ କହୁଛନ୍ତି ।’’

 

ମାଷ୍ଟ୍ରଙ୍କୁ ଆଉ ଗୋଟାଏ ମୌକା ମିଳିଗଲା । ଦୁର୍ଗାଦେବୀ ସ୍କୁଲକୁ ଯିବାକୁ ବାହାରିଥାନ୍ତି-। ତାଙ୍କୁ ଶୁଣାଇବା ସକାଶେ ଡଗ ଡଗ କରି କହିଲେ, ‘‘ବାବା ! ଆଜି ଗୋଟାଏ ମର୍ମ କଥା ମୁଁ ଜାଣିଲି । ମୋତେ ଚାଳିଶ ପୂରି ଏକଚାଳିଶ ଚାଲିଛି । କିନ୍ତୁ ମୁଣ୍ଡରେ ଆଉ ଗୋଟିଏ କଳା ବାଳ ନାହିଁ । କାହିଁକି ଇମିତି ହେଲା, ମୁଁ ଜାଣିନଥିଲି । ମୁଁ ତ ହେତୁ ପାଇଲା ଦିନୁ ସେଇ ବଇଁଶୀ ସାହୁ ଦୋକାନରୁ ନଡ଼ିଆ ତେଲ ଲଗାଉଛି ।’’

 

ବାବା କହିଲେ, ‘‘କିଓ, ମାଷ୍ଟ୍ରେ ! ତମେ ତ ଗୋଟାଏ ମେଖଡ଼ ପୂରାଇବ ନା କ’ଣ ! ଆହେ, ବଂଇଶୀ ସାହୁ ବିଚାରାର କିଛି ଦୋଷ ନାହିଁ । ନଡ଼ିଆ ତେଲ ଭେଜାଲ ହେଉଛି ଉପର ମୁଣ୍ଡରେ । ଆଚ୍ଛା ହଉ, ତମେ କ’ଣ ପାଇଁ ଆସିଥିଲ, ଏଥର କହ ।’’ ବାବାଙ୍କ ଆଖିର ଇଙ୍ଗିତରେ ବେବର୍ତ୍ତା ଓ ଗୋପାଳିଆ ଉଠି ଚାଲିଗଲେ ।

 

ମାଷ୍ଟ୍ରେ ବାବାଙ୍କ ପାଖକୁ ଘୁଞ୍ଚିଆସି କହିଲେ, ‘‘ବାବା ! ଆପଣ ତ ଆମ ଏ ଅଞ୍ଚଳରେ ଠାକୁର ପରି । ମନର କଥା ଆପଣ ଜାଣିପାରନ୍ତି । ମୁଁ ବର୍ଷେ ହେଲା ବଡ଼ କଷ୍ଟ ପାଉଛି । ଆପଣ ବିଚାରିଲେ, ମୁଁ କୂଳରେ ଲାଗିଯାନ୍ତି ।’’

 

ବାବା କହିଲେ, ‘‘ହଁ, ମାଷ୍ଟ୍ରେ, ମୁଁ ଶୁଣିଛି, ଏ ସ୍କୁଲରେ ମାଷ୍ଟ୍ର ହେବାକୁ ତୁମର ମନ । ସରକାର ମଞ୍ଜୁର କଲେ ସିନା ତମେ ମାଷ୍ଟ୍ର ହେବ ? ଏଇଲେ କିଏ ଧାଁ ଧପଡ଼ କରୁଛି, ଇସ୍କୁଲ ମଞ୍ଜୁର କରିବାକୁ । ଫସଲ ଉଠିସାରୁ, ଦେଖିବା ।’’

 

ମାଷ୍ଟ୍ରେ କହିଲେ, ‘‘ଆଜ୍ଞା, ମଞ୍ଜୁର ନହେଲେ ବି ଆପଣଙ୍କ ଚରଣତଳେ ସ୍ଥାନ ପାଇଲେ ମୁଁ କ’ଣ ଛାଡ଼ିବି ?’’ ଭିତରର କଥା ମାଷ୍ଟ୍ରେ ଲୁଚେଇଲେ । ପିଲାମାନଙ୍କ ପ୍ରତି ଅସତ୍ ଆଚରଣ କରିବା ଯୋଗୁଁ ତାଙ୍କୁ ତଡ଼ିବା ସକାଶେ ସେ ଯେଉଁ ସ୍କୁଲରେ ଅଛନ୍ତି ସେ ଗାଁର ଲୋକେ ହାକିମଙ୍କ ପାଖକୁ ଲେଖିଛନ୍ତି । ହାକିମଙ୍କୁ ଧରାଧରି କରିବାରୁ ସେ ଏତିକି ବର ଦେଇଛନ୍ତି ଯେ ଦରଖାସ୍ତ ଉପରେ ଅର୍ଡ଼ର ଦେବାକୁ ସେ ଟିକିଏ ଡେରି କରିବେ, ଇତି ମଧ୍ୟରେ ମାଷ୍ଟ୍ରେ ଆଉ କୁଆଡ଼େ ଚାହାଳୀ ଫାହାଳୀ ଖଣ୍ଡେ ଯୋଗାଡ଼ କରି ରହିଯିବାକୁ ।

 

ବାବାଙ୍କ ଆଡ଼ୁ କିଛି ଊତ୍ତର ନ ପାଇ ସେ ଅନୁମାନ କଲେ–ବୋଧହୁଏ, ବାବାଙ୍କ କାନରେ ଏ କଥା ପଡ଼ିସାରିଲାଣି । ସେ ନିଜର ସଫେଇ ଦେବାକୁ ଆରମ୍ଭ କଲେ, ‘‘ଆଜ୍ଞା, ଘର ଭାଙ୍ଗିବାର ଆଜକୁ ଦେଢ଼ବର୍ଷ ହେଲା । ମୁଁ ତ ଯୋଗୀ ଋଷି ନୁହେଁ । ଆଉ ଗୋଟିଏ ଛନ୍ଦି ନ ହେଲେ ଚଳିପାରିବ ନାହିଁ । ଆଜିକାଲି ବିଧବା ବିବାହ ଚଳିଗଲାଣି, ଆପଣ ଅନୁଗ୍ରହ କରନ୍ତେ, ତେବେ ମୁଁ କୂଳରେ ଲାଗିଯାନ୍ତି ।’’

 

ମାଷ୍ଟ୍ରେ ପ୍ରଥମବାର ଦୁର୍ଗାଙ୍କ ଆଡ଼କୁ ଆଖି ପକାଇଲା ବେଳୁ ବାବା ମାଷ୍ଟ୍ରଙ୍କର ମନ ବିଡ଼ିସାରିଥାନ୍ତି । ସେ ନିଜର ରାଗ ଚାପି ଦେଇ ଏତିକି କହିଲେ, ‘‘ହଉ, ମାଷ୍ଟ୍ରେ, ମୁଁ ତ ଶୁଣିଲି । ମୁଁ ବିଚାର କରି କହିବି । ମୋ ପାଖରେ ଲୋକଟିଏ ଆଶ୍ରୟ ନେଇଛି ବୋଲି ମୁଁ ତ ତା’ର ମୁରବୀ ନୁହେଁ । ତା’ ମନ ତ ପୁଣି ବୁଝିବା ଦରକାର ।’’

 

ମାଷ୍ଟ୍ରେ ଆଶାନ୍ୱିତ ହେଲେ । ସେ ଜାଣନ୍ତି ବାବାଙ୍କୁ କିଛି ଅପାର ନୁହେଁ ।

☆☆☆

 

ଅନ୍ଧାର ଭିତରେ

 

ଯୋଗୀ ମାଷ୍ଟ୍ରେ ବାବାଙ୍କ ଆଗରେ ଜନ୍ମ । ବାବା ବିମଳା ମନ୍ଦିରରେ ଆସି ରହିବା ବେଳକୁ ଯୋଗୀମାଷ୍ଟ୍ରଙ୍କ ବାପା ପିଲାଟିଏ ହୋଇଥାନ୍ତି । ବାବାଙ୍କର ପରିଷ୍କାର ମନେ ଅଛି, ଯୋଗୀଙ୍କର ବାପା ରଘୁ ଅବଧାନେ ଯେଉଁଦିନ ବିଭାହୋଇ କନ୍ୟା ଧରି ଫେରିଲେ ସେ ଦିନ ଛଞ୍ଚାଟିଏ ଧରି ମା’ଙ୍କ ପାଖକୁ ଆସିଲେ । ବାବାଙ୍କୁ ମଧ୍ୟ ଅତି ଭକ୍ତି ସହକାରେ ମୁଣ୍ଡିଆଟିଏ ମାରି ତାଙ୍କର ଆଶୀର୍ବାଦ ନେବାକୁ ଅତି ବିନୀତ ଭାବରେ ବସି ରହିଥିଲେ । ରଘୁ ବିଚାରା ବଡ଼ କଷ୍ଟରେ ଚଳୁଥିଲା । ତାକୁ ଭାର୍ଯ୍ୟାଟିଏ ମିଳିବ ବୋଲି କାହାର ବିଶ୍ଵାସ ନଥିଲା, ହେଲେ କ’ଣ ହେଲା, ମା’ର ଅନୁଗ୍ରହରୁ ଗୋଟିଏ ଭଲଜାଗାରୁ କନ୍ୟାଟିଏ ମିଳିଲା; ଜମି ଦୁଇ ଚାରିମାଣ ମଧ୍ୟ ମିଳିଲା । ରଘୁ ଉପରେ ବାବାଙ୍କର ସବୁବେଳେ ଭାରି ସନ୍ତୋଷ । ସେ ସେଦିନ ତାକୁ ଆଶୀର୍ବାଦ କରି କହିଥିଲେ, ‘‘ରଘୁ ! ଏଥର ଏଣିକି ତୁମର ଭଲଦିନ ଆସିଲା । ଏ କନ୍ୟାଟିର ଜାତକ ଦେଖି ମୁଁ ଜାଣିଛି, ଆଉ ତୁମର ଅଭାବ ରହିବ ନାହଁ ।’’

 

ସତକୁ ସତ, ସେଇ ବିଭାହେବା ତାରିଖରୁ ଅବଧାନଙ୍କର ନିୟମିତ ଦି’ଓଳି ଚୁଲି ଜଳିଲା-। ଅବଧାନେ ପିଲା ପୁଞ୍ଜିଏ ପାଞ୍ଚୋଟି ମନ୍ଦିରର ମଣ୍ଡପରେ ବସାଇ ଯେଉଁ ଟଙ୍କେ ମସେ ପା’ନ୍ତି, ତା’ ସାଙ୍ଗକୁ ମନ୍ଦିରରୁ ବର୍ଷକୁ ଧାନ ଭରଣେ ପାଉଥିଲେ । ଶଶୁର ଘର ଜମିର ଆୟ ସେଥିରେ ମିଶିଯିବାରୁ ଅବଧାନେ ଫି ବର୍ଷ ଡୋଲିଏ ଖଣ୍ଡେ ପାଣ୍ଠି କଲେ । ତା’କୁ ବଢ଼େଇ କୁଢ଼େଇ ପାଞ୍ଚ ଦଶବର୍ଷ ଭିତରେ ଅବଧାନେ ବନ୍ଧା ଛନ୍ଦା ରଖି, ମହାଜନୀ କରି ଗାଁରେ ଜଣେ ବୋଲି ସୁମାରି ହେଲେ । କେତେବେଳେ କିମିତି ଖାତକଙ୍କ ଉପରେ ତା’ଙ୍କ ଅଦୌତି କଥା କାନକୁ ଆସିଲେ ଅବଧାନଙ୍କୁ ଡାକି ବାବା ତାଗିଦ୍‌ କରିଦିଅନ୍ତି; ନିଜ ପିଲାଦିନ କଥା ସବୁବେଳେ ମନରେ ରଖି ଚଳିବାକୁ ପରାମର୍ଶ ଦିଅନ୍ତି । ଅବଧାନଙ୍କୁ ଲୋଭ ଯେତେ ଗ୍ରାସ କରିଥାଉ ପଛେ, ବାବାଙ୍କ କଥା ସେ ତଳେ ପକାନ୍ତି ନାହିଁ । ଯେଉଁ ଖାତକପାଇଁ ବାବା ଦି’ପଦ କହନ୍ତି, ତା’କୁ ଟଙ୍କେ ମସେ ରିହାତି ମିଳେ । ଅବଧାନଙ୍କ ରୀତିକୁ ଯେଉଁମାନେ ଖୁଣନ୍ତି, ବାବା ସେମାନଙ୍କୁ ବୁଝାଇ ଦିଅନ୍ତି, ‘‘ବିଚାରା ପ୍ରଥମାବସ୍ଥାରେ ପଇସା ବିନା ଗୁଡ଼ାଏ କଷ୍ଟ ପାଇଥିବାରୁ ସେମିତି ହଉଚି ।’’

 

ଯୋଗୀମାଷ୍ଟ୍ରଙ୍କ ଏକୋଇଶିଆ ଦିନ ଅବଧାନେ ଆସି ଲଗେଇଲେ, ଜାତକ ଖଣ୍ଡେ କରି ଦେବାକୁ । ସେ କାଳେ ବାବା କେତେବେଳେ କିମିତି ଜାତକ ଖଣ୍ଡେ ଅଧେ ସାଧୁଥିଲେ । ପିଲାର ଜାତକଟି କରି ଅବଧାନଙ୍କ ହାତକୁ ବଢ଼େଇ ଦେଲାବେଳେ ବାବା କହିଲେ, ‘‘ରଘୁ ! ପିଲାଟି ବିଚକ୍ଷଣ ହେବ । କିନ୍ତୁ ଗୁଡ଼ାଏ ପାପଗ୍ରହ ଜାତକଟାରେ ପ୍ରବଳ ଅଛନ୍ତି । ମଝିରେ ମଝିରେ ଟିକିଏ ଟିକିଏ ଗ୍ରହଶାନ୍ତି କରି ଦେଉଥିବ, ଦାନ ଧର୍ମ କରୁଥିବ । ତେବେ ପୁଅଟି ଦୀର୍ଘାୟୁ ହେବ, ତମ କୁଳର ମର୍ଯ୍ୟାଦା ରଖିବ ।’

 

ସେଇଦିନଠାରୁ ରଘୁ ଅବଧାନଙ୍କ ରୀତି ରାଣ ଦେଲାପରି ବଦଳିଗଲା । ଦୁଧ ପିଆଇଲେ ସାପର ବିଷ ବଢ଼େ ବୋଲି ଲୋକେ ଯାହା କହନ୍ତି, ଯୋଗୀମାଷ୍ଟ୍ରଙ୍କଠାରେ ସେ କଥା ଫଳିଲା । ରଘୁ ଯେତିକି ଗ୍ରହଶାନ୍ତି ଓ ଦାନଧର୍ମ କରାଇଲେ, ଯୋଗୀର ମନ୍ଦପ୍ରବୃତ୍ତି ସେତିକି ବଢ଼ିଲା-। ରଘୁ ଅବଧାନେ ପ୍ରାୟ ପ୍ରତିଦିନ ପୁଅ ନାମରେ ଆସି ଫେରାଦ କରନ୍ତି, ବାବା ବି ଯୋଗୀକୁ ତିଆରିବାକୁ ବହୁତ ଚେଷ୍ଟା କଲେ, କିଛି ଫଳ ହେଲାନାହିଁ । ରଘୁ ଅବଧାନେ ମନସ୍ତାପରେ କତରାଲାଗି ହେଲା ବେଳକୁ ଯୋଗୀଙ୍କ ଦୌରାତ୍ମ୍ୟରେ ଗାଁର ମରଦ ମାଇପେ ସମସ୍ତେ ଅତିଷ୍ଠ ହେଲେଣି । ଯୋଗୀ ପ୍ରାଇମେରୀ ଶିକ୍ଷକ ଟ୍ରେନିଂ ପାଇବାକୁ ବଛାହେଲେ, ବାବା ଭବିଷ୍ୟତ ବଂଶଧରମାନଙ୍କୁ ଦୁର୍ଗତିରୁ ରକ୍ଷା କରିବାପାଇଁ ମା’ଙ୍କ ପାଖେ ମୁଣ୍ଡିଆଟିଏ ମାଇଲେ କିନ୍ତୁ ବାବାଙ୍କର କେବେ ହେଲେ ଆଶଙ୍କା ନଥିଲା ଯେ, ଯୋଗୀ ମାଷ୍ଟ୍ରେ ତାଙ୍କୁ ଏତେ ଦହସତ୍‌ କରିବେ ।

 

ଦୁର୍ଗାଙ୍କ ପ୍ରତି ଲୋଭେଇବା ଦିନଠାରୁ ଯୋଗୀ ମାଷ୍ଟ୍ରେ ମନ୍ଦିରକୁ ଧାଉଡ଼ି ଲଗେଇଲେ । ସେ ମନ୍ଦିରକୁ କେବେ ନ ଆସୁଥିବାରୁ ବାବା ଥରେ ତାଙ୍କୁ ପଡ଼ୁଚେଇଥିଲେ । ଏବେ ସେ ମା’ଙ୍କୁ ଡାକୁଥାନ୍ତି, ଯୋଗୀ ମାଷ୍ଟ୍ରଙ୍କଠାରୁ ସେ ଓ ଦୁର୍ଗା କିମିତି ହେଲେ ରକ୍ଷା ପା’ନ୍ତେ । ମାଷ୍ଟ୍ରେ କିନ୍ତୁ ମନ୍ଦିରରେ ଦେଖିଲେ, ଦୁଇଟା ଲାଭ । ଦୁର୍ଗା ଯଦି ମଙ୍ଗିଯାଏ, ତାଙ୍କ ଘରଟି ପୁଣି ଡେରି ହୋଇଯିବ, ମା’ଙ୍କ ମନ୍ଦିରରେ ସ୍କୁଲ ଖଣ୍ଡେ ମଞ୍ଜୁର କରାଇ ପାରିଲେ, ସେ ଗାଁରେ ବସି ଦି’ ପଇସା ରୋଜଗାର କରିପାରିବେ । ବାବାଙ୍କ ପ୍ରତିପତ୍ତି ଯୋଗୁଁ ଛାତ୍ର, ଅଭିଭାବକ, ସବ୍ଇନ୍‍ସପେକ୍ଟର ସମସ୍ତଙ୍କର ମୁହଁ ବାନ୍ଧି ହୋଇଯିବ । ସେ ଏଇ ଆଶାରେ ପ୍ରତିଦିନ ସକାଳୁ ତରତରରେ ପଡ଼ି ମନ୍ଦିରକୁ ଆସି ରାତି ଓ ଦି’ଘଡ଼ି ପର୍ଯ୍ୟନ୍ତ ନିୟମିତ ଭାବରେ ରହିବାକୁ ଆରମ୍ଭ କଲେ ।

 

ମନ୍ଦିରରେ ଦୁଇଓଳି ଦି’ମୁଠି ପ୍ରସାଦ ପାଇ ସେ ବାବା, ଦୁର୍ଗା, ବେବର୍ତ୍ତା, ଗୋପାଳିଆ ଓ ମାଳତୀନାନୀ ସମସ୍ତଙ୍କ କାର୍ଯ୍ୟରେ ଏପରି ସହଯୋଗ କରିବାକୁ ଆରମ୍ଭ କରିଦେଲେ ଯେ ସମସ୍ତେ ମନେ ମନେ ତ୍ରାହି ତ୍ରାହି କହୁଥାନ୍ତି । ବାବାଙ୍କର ପୂଜାସଜ ଦୁର୍ଗା ସଜାଡ଼ିବା ପୂର୍ବରୁ ମାଷ୍ଟ୍ରେ ସଜାଡ଼ିଦିଅନ୍ତି । ମଣ୍ଡପଟି ନିଜେ ଓଳାଇ ପକାନ୍ତି । ପୂଜାସଜଗୁଡ଼ିକ ଏପାଖ ସେପାଖ ହୋଇଯାଏ, ମଣ୍ଡପରେ ଯାଦୁ ହେଲା ପରି ମନ୍ଦାମନ୍ଦା ହୋଇ ଅଳିଆ ରହିଥାଏ । ମାଳତୀ ଫୁଲ ତୋଳିଲା ବେଳେ ମାଷ୍ଟ୍ରେ ଯାଇ ମିଶିଯାନ୍ତି ଯେ, ଏଠି ପୁଞ୍ଜାଏ ଫୁଲ ତଳେ ପଡ଼ିଗଲେ, ସେଠି ସୁନ୍ଦର ଫୁଲ ଗୁଡ଼ିକରୁ ପାଖୁଡ଼ା ଛିଡ଼ି ଉଡ଼ିଯାଏ । ଫୁଲ ତୋଳୁ ତୋଳୁ ମାଷ୍ଟ୍ରେ ମାଳତୀକୁ ପଚାରନ୍ତି, ‘ଦୁର୍ଗାକୁ ମୋ କଥା କହିଲୁଟି ନାନି ?’ ମାଳତୀ ମାଷ୍ଟ୍ରଙ୍କଠାରୁ ରକ୍ଷା ପାଇବାକୁ ହୁଁ ବୋଲି ଥରେ କହି ଦେଇ ସବୁବେଳେ ପସ୍ତାଉଥାଏ ।

 

ଗୋପାଳିଆ ବାସନ ମାଜିଲାବେଳେ ମାଷ୍ଟ୍ରେ ଯାଇ ପହଞ୍ଚି ତା’ ପାଇଁ କିମିତି ଲୁଗା ଯୋଡ଼ଟେ ଆଣିବେ, ତାହାର ବିଶଦ ବ୍ୟାଖ୍ୟ ଶୁଣାଇ ଦିଅନ୍ତି । ଦିନେ ଗୋପାଳିଆ ମାଷ୍ଟ୍ରଙ୍କ ଅତିଆଦରର ପ୍ରତିବାଦ କରି କହିଦେଲା ‘‘ମାଷ୍ଟ୍ରେ, କ’ଣ ଲଙ୍ଗଳା ହୋଇଚି କିଏ, ତମେ ସବୁଦିନ ଗୋବରା ଚଢ଼େଇକୁ ପାଚିଲା କଦଳୀ ଦେଖାଇଲା ପରି, ଯୋଡ଼ ଦେଖେଇ ହେଉଛ !’’ ଏଥିରେ ମଧ୍ୟ ମାଷ୍ଟ୍ରେ ଦବିଲେ ନାହିଁ । ଚାହାଳୀରେ ଦୁର୍ଗା ପିଲାଙ୍କୁ ପଢ଼ାଉଥିବା ବେଳେ ମାଷ୍ଟ୍ରେ ଯାଇ ପହଞ୍ଚି ଆରମ୍ଭ କରି ଦିଅନ୍ତି, ଏମିତି ବୁଝାଇଲେ, ପିଲା କ’ଣ ବୁଝିବେ ? ମୁଁ ବୁଝାଇ ଦେଉଛି, ଶୁଣ ।’’ ଦୂର୍ଗା ଆଗ ଆଗ ଦୁଇ ଚାରିଥର ଶିକ୍ଷା ପ୍ରଣାଳୀ ଶୁଣି ଶିଖିବାକୁ ଚେଷ୍ଟା କରିଥିଲେ, କିନ୍ତୁ ମୌଳିକ ଶିକ୍ଷା ପଦ୍ଧତିର ମୌଳିକ ଉଦ୍ଦେଶ୍ୟ ବୁଝିପାରିବା ପରେ, ସେ ମାଷ୍ଟ୍ରଙ୍କୁ ଚାହାଳୀ ଆଡ଼କୁ ମୁହାଁଇବାର ଦେଖିଲେ, ବିନା ଆପତ୍ତିରେ ନିଜର ଅଧିକାର ତାଙ୍କୁ ଦେଇ ପକାଇ, ବାବାଙ୍କ ପାଖେ ଆସି ବସନ୍ତି ।

 

ସମସ୍ତଙ୍କ କାର୍ଯ୍ୟରେ ସହଯୋଗ କରିସାରି ମାଷ୍ଟ୍ରେ ଆସି ବେବର୍ତ୍ତାଙ୍କ ବସାଘରେ ପଶନ୍ତି-। ତାଙ୍କ ବଟୁଆରୁ ପାନ ଭାଙ୍ଗି ଖାଉ ଖାଉ, ବେବର୍ତ୍ତା ତାଙ୍କ ପାଇଁ ଯତ୍ନ କରିବାରେ ହେଳା କରିବାରୁ ତାଙ୍କୁ ନରମ ଓ ଗରମ ଭାଷାରେ ଦି’ ପଦ ଶୁଣାଇ ଦିଅନ୍ତି । ଦିନେ ବେବର୍ତ୍ତାଙ୍କ ପରି ସହିଷ୍ଣୁ ଲୋକଙ୍କର ମଧ୍ୟ ଏହା ଅସହ୍ୟ ହେଲା । ସେ ଜବାବ୍‍ ଦେଲେ, ‘‘ମାଷ୍ଟ୍ରେ, ତମେ ତ ବେଳକୁ ବେଳ ବଡ଼ ବଡ଼ ବଡ଼ କଥା କହୁଛ ! ତମକୁ ମୁଁ ଲଙ୍ଗଳା ହୋଇ ଡେଇଁବାର ଦେଖିଛି । ଆଜକୁ ତିରିଶବର୍ଷ ହେଲା ମୁଁ ଏଠି ରହିଲିଣି । ହରି ବେବର୍ତ୍ତା ଠାକୁର ସମ୍ପତ୍ତିରୁ କାଣିକଉଡ଼ିଟାଏ ବରବାଦ କରିବା କଥା କେହି କେବେ କହି ନାହାନ୍ତି । କ’ଣ କରି ପକାଇବ, କର । ତମେ ତ ବାପ ରାଣ ପକାଇ ଢେଙ୍କି ଗିଳିବାକୁ କହୁଛ ।’’ ମାଷ୍ଟ୍ରେ ସମତୁଲ ଚଢ଼ାସ୍ଵରରେ ଜବାବ୍‍ ଦେଲେ, ‘‘ବେବର୍ତ୍ତାଏ-! ଏଡ଼େ ଚଲାକ ଲୋକ ବୋଲି ନାମ କମେଇଚ, ଏତିକି ଜାଣିନାହଁ, ଆଜିକାଲି ଯୁଗରେ ନିଆଁ ନ ଥିଲେ ବି ଧୂଆଁ ବାହାରେ । ସଜ ମାଛରେ କେମିତି ପୋକ ପକାଇବାକୁ ହୁଏ, ସେ କଥା ଯୋଗୀକୁ ଜଣା-। ଆଗରୁ କହି ରଖୁଛି, ନିଜେ ବୁଝ ଓ ବାବାଙ୍କୁ ବୁଝାଇ ଦିଅ, ତୁମେମାନେ ଯଦି ମୋ ବସାଟି ସଜାଡ଼ି ନଦେବ ତେବେ ମୁଁ ତମ ବସା ଭାଙ୍ଗିଦେବି । ଦେବୋତ୍ତର ବିଭାଗ କମିସନ୍‍ରଙ୍କ ଅର୍ଦ୍ଦଳୀ ମୋର ସୂର୍ଯ୍ୟବନ୍ଧୁ, ଏକଥା ଜାଣିଚ ଟି ?’’ ବେବର୍ତ୍ତା ଏକଥା ଭଲକରି ଜାଣନ୍ତି । ଏହି ସୂର୍ଯ୍ୟବନ୍ଧୁଙ୍କ ଯୋଗୁଁ ପାଖ ଗାଁର ଗୋଟିଏ ବହୁକାଳର ମନ୍ଦିରରେ ଯୋଗୀମାଷ୍ଟ୍ରଙ୍କର ଜଣେ ସାଙ୍ଗ ଟ୍ରଷ୍ଟି ହୋଇ, ଭୋଗରାଗ ସବୁ ବନ୍ଦ କରି ସମ୍ପତ୍ତି ରକ୍ଷା କରୁଛନ୍ତି । ସେ ନରମ ହୋଇଯାଇ ବଟୁଆରୁ ଦୁଇଖଣ୍ଡି ପାନ ବାହାର କରି ଚୂନ ଲଗାଉ ଲଗାଉ କହିଲେ, ‘‘ମାଷ୍ଟ୍ରେ, ତମର ସ୍ଵଭାବଟା ବଡ଼ ଉଗ୍ର । ଏଡ଼େ ଉଗ୍ର ସ୍ଵଭାବ ହେଲେ କ’ଣ କାର୍ଯ୍ୟ ଉଦ୍ଧାର ହୋଇପାରିବ ? ତମେ ସୁବିଧା ଦେଖି ଆଉ ଥରେ ବାବାଙ୍କୁ ତୁଣ୍ଡ ଶୁଣାଅ । ମୁଁ ବି ମୋ ସୁବିଧାରେ ତାଙ୍କୁ କହିବି ।’’

 

ବାବାଙ୍କୁ ମାଷ୍ଟ୍ରେ ତୁଣ୍ଡ ଶୁଣାଇବା ଦରକାର ହେଉନଥାଏ । ତାଙ୍କର ଆକାର, ଇଙ୍ଗିତ ଓ ଗତି ଦେଖି ତାଙ୍କ ଅନ୍ତର୍ଗତ ମନକୁ ଜାଣିବା ନିମନ୍ତେ ବାବାଙ୍କୁ କଷ୍ଟ ହେଉନଥାଏ । ପ୍ରତ୍ୟହ ଯୋଗୀ ମାଷ୍ଟ୍ରଙ୍କୁ ଦେଖିଲେ ସେ ଦ୍ଵନ୍ଦରେ ପଡ଼ନ୍ତି–ଏ ଦୁର୍ଜନଟିକୁ ସେ ଏ ପର୍ଯ୍ୟନ୍ତ ଯାହା ପ୍ରଶ୍ରୟ ଦେଉଛନ୍ତି ତାହା ଠିକ୍‍ ହେଉଛି ନା ନାହିଁ ? ଯୋଗୀ ମାଷ୍ଟ୍ରେ ଦିନତମାମ ମନ୍ଦିରରେ ରହିବାରୁ ସମସ୍ତଙ୍କ କାର୍ଯ୍ୟରେ ବିଶୃଙ୍ଖଳା ହେଉଥିବାର ସେ ଆଖିରେ ଦେଖୁଛନ୍ତି । କିନ୍ତୁ ଯଦି ତାଙ୍କୁ ମନ୍ଦିରକୁ ଏତେ ଘନ ଘନ ନ ଆସିବାକୁ କୁହାଯାଏ, ତେବେ ଯୋଗୀ ମାଷ୍ଟ୍ରପରି ଦୁର୍ବୃତ୍ତ ତ ସମ୍ଭାଳି ହୋଇ ରହିବ ନାହିଁ ! ଦୁଷ୍ଟଲୋକକୁ ଶତ୍ରୁ କରିବା ଉଚିତ ନୁହେଁ ବୋଲି ବୁଝି ବାବା ତୁନି ହୋଇ ରହିଥାନ୍ତି । ତାଙ୍କର ଆଶା ଥାଏ, ଦୁର୍ଗାର ଉଦାସୀନତାରେ ସେ ଆପେ ଆପେ ଅପସରି ଯିବେ ।

 

କ୍ରମେ କିନ୍ତୁ ଯୋଗୀମାଷ୍ଟ୍ରଙ୍କ ପ୍ରତି କଠୋରତା ଅବଲମ୍ବନ କରିବା ସକାଶେ ସେ ମନକୁ ଟାଣ କରୁଥାନ୍ତି । ଯୋଗୀ ମାଷ୍ଟ୍ରେ ସ୍କୁଲ ଦଖଲ କରିବାବେଳେ ଦୁର୍ଗା ଆସି ତାଙ୍କ ପାଖରେ ଯେପରି ବସନ୍ତି, ତାହା ଦେଖି ସେ ମନେ ମନେ ମାଷ୍ଟ୍ରଙ୍କ ଉପରେ ଭାରି ବିରକ୍ତ ହୁଅନ୍ତି । ବାବା ଜୀବନରେ କୌଣସି ନାରୀର ହୃଦୟ ଅଧିକାର କରିବାକୁ କେବେ ଉଦ୍ୟମ କରିନାହାନ୍ତି । କିନ୍ତୁ ଦୀର୍ଘ ସାଂସାରିକ ଅଭିଜ୍ଞତାରେ ସେ ବୁଝିଛନ୍ତି, ନାରୀକୁ ତା’ର କାର୍ଯ୍ୟରେ ପ୍ରଶ୍ରୟ ଦେଇ ଅକ୍ତିଆର କରାଯାଏ; ତା’ର ରାସ୍ତାରେ କଣ୍ଟକ ହୋଇ ନୁହେଁ । ସେ ନିଜ ଇଚ୍ଛାରେ ଯୋଗୀମାଷ୍ଟ୍ର ପରି ଲୋକ ସଙ୍ଗେ ଦୁର୍ଗାର ଭବିଷ୍ୟତ ଛନ୍ଦିଦେବାକୁ କେବେ ଚାହାନ୍ତେ ନାହିଁ । କିନ୍ତୁ ନିଜେ ଦୁର୍ଗାର ଯଦି ପୁଣି ଗୃହସ୍ଥାଶ୍ରମ କରିବାକୁ ମନ ବଳନ୍ତା, ତେବେ ସେ ବାଧା ଦେବେନାହିଁ ବୋଲି ସ୍ଥିର କରିଥିଲେ । ଦୁର୍ଗାର ଢଙ୍ଗରଙ୍ଗ ପ୍ରତି ତୀକ୍ଷ୍ଣ ଦୃଷ୍ଟି ରଖି ସେ କ୍ରମେ ବିଶ୍ୱାସ କରିବାକୁ ଆରମ୍ଭ କରିଥିଲେ ଯେ, ଆଉ ଥରେ ବିବାହ କରି, ଗୃହ ସୁଖ ଭୋଗ କରିବାକୁ ଦୁର୍ଗାର ପ୍ରବୃତ୍ତି ନାହିଁ । ନିଜର ଧାରଣାକୁ ଦୃଢ଼ କରିବା ସକାଶ ସେ ଦିନେ ପରିଷ୍କାର ଭାବେ ଏ ବିଷୟରେ କଥାବାର୍ତ୍ତା ହେବାକୁ ବିଚାର କରିଥିଲେ-। କିନ୍ତୁ ଯୋଗୀମାଷ୍ଟ୍ରଙ୍କ ଉପଲକ୍ଷରେ ଦୁର୍ଗା ସଙ୍ଗେ ଏ ଆଲୋଚନା କଲେ, ନାରୀତ୍ଵର ଅବମାନନା ହେବ ବୋଲି ସେ ଚିନ୍ତାକୁ ଦୂର ଭବିଷ୍ୟତକୁ ଆଡ଼େଇ ଦେଇଥିଲେ ।

 

ଯୋଗୀମାଷ୍ଟ୍ରଙ୍କର କିନ୍ତୁ ମନ ଅସମ୍ଭାଳ । ସେ ଦିନେ ସକାଳୁ ବାବାଙ୍କ ପୂଜା ସଜାଡ଼ୁ ସଜାଡୁ, ନିଜେ ପୂଜାରେ ବସିଲାପରି ବାବାଙ୍କ ପାଖରେ ବସିଲେ ଯେ, ବାବା ପୂଜାସାରି ତାଙ୍କ ଅଭିନିବେଶର କାରଣ ପଚାରିବା ପର୍ଯ୍ୟନ୍ତ । ଯୋଗୀମାଷ୍ଟ୍ରେ ଉତ୍ତର ଦେଲେ, ‘‘ବାବା, ଆପଣଙ୍କଠାରୁ କଥା ପଦେ ପାଇବି ବୋଲି ଏତେଦିନ ତକେଇଲି । ମୋର ଆତୁର ତ ଆପଣ ବୁଝିଲେ ନାଇଁ ! ବାବା ମୃତ୍ୟୁଶଯ୍ୟାରେ ଆପଣଙ୍କୁ ଯେଉଁ ମାଗୁଣି କରିଥିଲେ ତାହା କ’ଣ ଆପଣଙ୍କର ପାସୋର ହୋଇଗଲା ?’’

 

ବାବା ଉତ୍ତର ଦେଲେ, ‘‘ମାଷ୍ଟ୍ରେ ! ମୋ ବିରୁଦ୍ଧରେ ଏଡ଼େ ବଡ଼ କଥା କହୁଛ ! ତୁମ ବାପା ମଲାବେଳେ ମୋତେ କହିଛନ୍ତି, କସ୍ମିନ୍‍ କାଳେ ତୁମ ଉପରେ ଅସନ୍ତୋଷ ନ ରଖିବାପାଇଁ । ମୋର ଅସନ୍ତୋଷର କାରଣ ତ ଘଟିନାହିଁ । ଘଟିଲେ ବି, ମୁଁ ଅସନ୍ତୁଷ୍ଟ ହେବି ବୋଲି କ’ଣ ତୁମର ବିଶ୍ଵାସ ହେଉଛି ? ତୁମ ବାପାଙ୍କ ପରି ଜଣେ ସାଧୁଲୋକ ମୃତ୍ୟୁଶଯ୍ୟାରେ ମାଗି ନ ଥିଲେ ବି, ମୁଁ ଜ୍ଞାତସାରରେ କୌଣସି ଲୋକ ଉପରେ ତ ଅସନ୍ତୁଷ୍ଟ ହୁଏ ନାହିଁ, ବାବା ! ମନରେ କାହିଁକି କିନ୍ତୁ ରଖୁଛ ? ମୋ’ ଉପରେ ତୁମେ କାହିଁକି ଅସନ୍ତୁଷ୍ଟ, କହୁନାହଁ ?’’

 

ଯୋଗୀମାଷ୍ଟ୍ରଙ୍କ ନିବେଦନ ନିର୍ବିକାର ଭାବେ ଶୁଣି ବାବା କହିଲେ, ‘‘ମାଷ୍ଟ୍ରେ ! ମୁଁ ତ ଜାଣିଛି, ଦୁର୍ଗାର ଏ ପ୍ରସଙ୍ଗରେ ମନ ନାହିଁ । ତୁମେ ତା’କଥା ମନରୁ ପୋଛିଦେଇ ଅନ୍ୟ ପାତ୍ରୀଟିଏ ଖୋଜ । ଦୁର୍ଗା ପୁନର୍ବିବାହରେ ରାଜି ହେଲାପରି ମୋତେ ଲାଗୁନାହିଁ । ଯଦି ତା’ଠାରୁ ମୁଁ କିଞ୍ଚିତ ସଙ୍କେତ ପାଇବି, ତୁମେ ସାଙ୍ଗେ ସାଙ୍ଗେ ଶୁଣିବ ।’’

 

ଯୋଗୀମାଷ୍ଟ୍ରେ ଅଳି ଆରମ୍ଭ କଲେ, ‘‘ବାବା, ଆପଣଙ୍କୁ କିଛି ଅଭାବ ନୁହେଁ । ଆପଣଙ୍କର ଏଥିରେ ମନ ନାହିଁ ବୋଲି ମୋ’ର ମନେ ହେଉଛି ।’’

 

ବାବା କହିଲେ, ‘‘ସେ କଥା କେତେକ ପରିମାଣରେ ସତ । ତୁମେ ସ୍କୁଲରେ ପଶିଲେ ସେ ପଳାଇ ଆସି ମୋ ପାଖରେ ଯେପରି ବସୁଛି, ତାହା ଦେଖି ମୋ’ର ତା’ ପ୍ରତି ଦୟା ହେଉଛି । ତେଣୁ ବିବାହ ପ୍ରସଙ୍ଗ ତା’ସଙ୍ଗେ ଆଲୋଚନା କରିବାକୁ ମୋର ମନ ହେଉନାହିଁ ।’’

 

ମାଷ୍ଟ୍ରେ ଗୁଣୁଗୁଣୁ ହୋଇ କହି ଉଠିଲେ, ‘‘ଆଜ୍ଞା, ଆପଣ କ’ଣ ଏତିକି ଜାଣି ପାରୁନାହାନ୍ତି, ଯୁବତୀଟାଏ ତା’କାମ ଛାଡ଼ି ଘଣ୍ଟା ଘଣ୍ଟା ଧରି ଆପଣଙ୍କ ପାଖେ କାହିଁକି ବସୁଛି ।’’

 

ବାବା ସାମାନ୍ୟ ଚଢ଼ାସ୍ଵରରେ ପଚାରିଲେ, ‘‘ମାଷ୍ଟ୍ରେ,କ’ଣ କହିଲ ?’’

 

ମାଷ୍ଟ୍ରେ ସଦର ଦରଜା ଆଡ଼କୁ ଆଗେଇ ଆଗେଇ ସମସ୍ତଙ୍କୁ ଶୁଣାଇ କହିଲେ, ''ଆପଣଙ୍କ ନିଜ ହିତପାଇଁ କହୁଥିଲି ଯେ, ଆପଣଙ୍କୁ ଗନ୍ଧେଇଲା । ମୋ’ର ଆଉ ଚାରା କ’ଣ ?’’ ସଦର ଦରଜା ପାରହେଲା ବେଳକୁ ସେ ଆହୁରି ବଡ଼ ପାଟିରେ କହିଗଲେ, ‘‘ବାବା, ବାବା ବୋଲି ଆଉ କେତେଦିନ ଲୋକଙ୍କ ଆଖିରେ ଅନ୍ଧପୋଟଳୀ ବନ୍ଧା ହୋଇ ରହିବ ଦେଖିବା । ବର୍ଷକ ଭିତରେ ଏ ଲୀଳା ଯଦି ମୁଁ ଶେଷ ନ କରିଚି, ତେବେ ମୋ ନାଁ ଯୋଗୀ ନୁହେଁ ।’’

 

ଚଢ଼ା ଗଳାରେ ବାବା କଥାବାର୍ତ୍ତା କରିବା, ବିମଳା ମନ୍ଦିରର ପରିଜନଙ୍କୁ ଅପୂର୍ବ । ‘‘କ’ଣ କହିଲ’’ ବୋଲି ସେ ମାଷ୍ଟ୍ରଙ୍କୁ କହିଲା ବେଳୁ ବେବର୍ତ୍ତାଙ୍କଠାରୁ ଟହଲିଆ ପର୍ଯ୍ୟନ୍ତ ସମସ୍ତେ ଆସି ମଣ୍ଡପ ପାଖରେ ଜମିଯାଇଥାନ୍ତି । ମାଷ୍ଟ୍ରଙ୍କ ଶେଷ ପଦ ଶୁଣି ସମସ୍ତେ ବାବାଙ୍କ ମୁହଁକୁ ଚାହିଁଥାନ୍ତି, ଘଟଣାର ବିଷୟରେ କିଛି ଶୁଣିବାକୁ । ବାବା କିଛି ନକହି ‘ମା, ମା’ ବୋଲି ଦୁଇ ତିନିଥର ଡାକିଲେ-। ଦୁର୍ଗା ଏ ଡାକ ଶୁଣି ତାଙ୍କ ପାଖରେ ଯାଇ ବସିବାରେ, ବାବା କହିଲେ ‘‘ମା’, ସଂସାରରେ ଚଳିବାକୁ ହେଲେ ଦେହକୁ ପଥର କରିବାକୁ ହୁଏ ।’’ ଦୁର୍ଗା କିଛି ନ କହି ମୁହଁକୁ ତଳକୁ ପୋତି ରହିଲେ ।

 

ଦେହକୁ ଯେ କେଡ଼େ କାଠ କରିବାକୁ ଦରକାର ତାହା ଦୁର୍ଗାଙ୍କୁ ଜଣା ପଡ଼ିବାକୁ ବିଳମ୍ବ ହେଲା ନାହିଁ । ପୂର୍ବରେ ଯେଉଁ ଘଟଣାର ଉଲ୍ଲେଖ ହେଲା ତାହାର ବାସିଦିନ ସକାଳୁ ଚାହାଳୀର ଅଧେରୁ ବେଶୀ ପିଲା ଅନୁପସ୍ଥିତ ହେଲେ । ଏତେ ପିଲା ଅନୁପସ୍ଥିତ ହେବା, ପୂର୍ବରୁ କେବେ ହୋଇନଥିଲା । ଦୁର୍ଗା ଉପସ୍ଥିତ ହୋଇଥିବା ପିଲାଙ୍କୁ କାରଣ ପଚାରିଦେଇ ଅନୁତାପ କଲେ । ସବୁଠାରୁ ନିରୀହ ରାଧୁ କହିଲା, ‘‘ମାଉସି, ତମ ନାଁରେ ଆଉ ବାବାଙ୍କ ନାଁରେ କ’ଣ ଗୋଟାଏ କଥା ଉଠିଛି ଯେ, ଆମ ସାଇ ଗୋବିନ୍ଦ କକା କହୁଥିଲେ, ଆଉ ଏ ଚାହାଳୀକୁ କେହି ଆସିବେ ନାହିଁ । ମୁଁ ଆସିବି କି ନାଇଁ ମୋ ବୋଉକୁ ପଚାରିଲି ଯେ, ମୋ ବୋଉ କହିଲା, ‘‘ଆଃ, ବାବା ଯାହା କରୁଛନ୍ତି, ମାଉସୀ ଯାହା କରୁଛି, ସେଥିରେ ଆମର କ’ଣ ଅଛି ବା ? ତାଙ୍କ ସାଙ୍ଗରେ ତୁ ଶୋଉଛୁ ନା ବସୁଛୁ-। ତୋ’ ପାଠ ଭଲ କି ତୁ ଭଲ । ଚାହାଳୀ ଭାଙ୍ଗିବାଯାଏଁ ତୁ ଯାଉଥା ।’’ ସୁଲି କହିଲା, ‘‘ମୋ ବାପା କହିଲେ, ‘‘ସେ ଯୋଗିଆ କଥା ଯେ ଶୁଣୁଛି ସେ ସେଇମିତି । ଆମର ତୁ ଯା’ ମନ ଦେଇ ପଢ଼ିବୁ-।’’ ହରିଆ ଧାଇଁ ଧାଇଁ ଆସି ଚାହାଳୀ ଭିତରେ ପଶିଯାଇ କହିଲା, ‘‘ମାଉସି, ବାଟରେ ଯୋଗୀମାଷ୍ଟ୍ରେ ମତେ କହିଲେ, ‘ସେ ଚାହାଳୀରେ ଆଉ ଗାଁର କେହି ଚଢ଼ିବେ ନାହିଁ । ତୁ’ ଘରକୁ ଫେରି ଯା’ ନଇଲେ ଦେଖିବୁ ।’ ମୁଁ ପରା ଧାଇଁ ଧାଇଁ ପଳେଇ ଆସିଚି ।’’ ପ୍ରତ୍ୟେକେ ନିଜ ନିଜ କଥା କହିବାକୁ ଏଇପରି ଆବୁଡ଼ା ପଡ଼ିବାରୁ, ଦୁର୍ଗା କହିଲେ, ‘‘ହଉ, ସେ କଥା ପଛରେ ପକାଇବା, ଆଗ ପାଠ ପଢ଼-।’’ ବହୁ କଷ୍ଟରେ ପିଲାଙ୍କ ମନ ପାଠରେ ଲାଗିଲା । କିନ୍ତୁ ଦୁର୍ଗାଙ୍କ ମନ ପଢ଼ାଇବାରେ ଲାଗୁ ନଥାଏ-

 

ସେଇଦିନ ଉପର ଓଳି ଗାଁର ତିନିଜଣ ମାତପର ଲୋକ ଆସି ବାବାଙ୍କ ପାଖରେ ବସିଲେ । ଏଣୁ ତେଣୁ କଥା ପଦେଅଧେ ପକାଇ ଜଣେ ଆରମ୍ଭ କଲେ, ‘‘ବାବା, ଆମ ଗାଁ ଲୋକଗୁଡ଼ାକ ମହା ମୁର୍ଖ । ଯୋଗିଆଟା ସମସ୍ତଙ୍କୁ ମତାଇ ଦେଇଛି । ତା’ର ତ ଏବେ କିଛି କାମ ନାଇଁ । ମିଛ ସତ କରି ଗୁଡ଼ାଏ ତ ଅନର୍ଗଳ ଗପୁଛି ।’’

 

ବାବା ଅବିଚଳିତ ଭାବେ କହିଲେ, ‘‘ଯୋଗୀ ତା’ହେଲେ ସାଙ୍ଗେ ସାଙ୍ଗେ କାମ ଆରମ୍ଭ କରିଦେଲେ, ନାଁ ? ଭଲ, ଭଲ, ତେବେ ଆଉ ଏ ମନ୍ଦିର ଭାଙ୍ଗିବାକୁ ବର୍ଷେ କାହିଁକି ଲାଗିବ ?’’

 

ଯେଉଁ ଜଣକ କଥାର ଉପକ୍ରମଣିକା କରିଥିଲେ ସେ ଉତ୍ତର ଦେଲେ, ‘‘ଏତେ ବାଟଯାଏଁ କାହିଁକି ଯିବ ଯେ ବାବା ! ଆମର ବା’ରଶ ବଢ଼େଇରେ ଦାୟୀ ନା ପୁଅରେ ଦାୟୀ । ଦୁର୍ଗା ଦେବୀ ଏଠାରେ ରହିବାରୁ ସିନା ଏତେ ଗୋଳ ଘାଣ୍ଟ । ତାଙ୍କର ଆପଣାର ଲୋକଙ୍କ ପାଖକୁ ସେ ଚାଲିଯା’ନ୍ତୁ । ଆମ ଦେଉଳ ଦୁଆରେ କିଏ କଣ୍ଟା ଛାଟିବ ଦେଖିବା ।’’

 

ବାବା କହିଲେ, ‘‘ରାମ, ଏ ସବୁ କଥା ମୁଁ ବିଚାରିଛି । ଦୁର୍ଗିକୁ ମଧ୍ୟ ପଚାରିଛି । ତା’ର ବି ନିଜର ଲୋକ ସେପରି କେହି ନାହାନ୍ତି । ମୁଁ ତା’କୁ ଆଶ୍ରୟ ଦେଇଛି, ଯା’ ଭାରି ବୋଲି କହିପାରିବ ନାହିଁ ।’

 

ଆଉ ଜଣେ ଭଦ୍ର ଲୋକ ଆରମ୍ଭ କଲେ, ‘‘ଆଜ୍ଞା, ସେ କଥା କ’ଣ ସତ ନୁହେଁ କି ? ବଚନ ଦେଇ ସାରିଲେ ତ କଥା ସରିଲା । ମୁଁ କ’ଣ ବିଚାରୁଛି କି, ଗାଁବାଲା ଯିମିତି ମାତିଛନ୍ତି, କ’ଣ ଗୁଡ଼ାଏ ଘଟିବ । ଯୋଗିଆ ତ କ’ଣ କହୁଛି ଦେବୋତ୍ତର ହାକିମ ପାଖକୁ ଲେଖିବ, ଆମର ଏ ଦିଅଁ ସର୍ବସାଧାରଣ ସମ୍ପତ୍ତି । ହାକିମ ଏକୁ ନିଜେ ବୁଝା ସୁଝା କରନ୍ତୁ ।’’

 

ତୃତୀୟ ଜଣକ ଯୋଡ଼ିଲେ, ‘‘ଖାଲି ଲେଖିଦେଲେ ହୋଇଗଲା ! ମନ୍ଦିର ସର୍ବସାଧାରଣ ବୋଲି ପ୍ରମାଣ ହେଲେ ତ ହେବ ! ପାଖରେ ପଡ଼ିଛି ନାଁ ? ଏବେ ସେ କଥା କାହିଁକି ପଡ଼ିଛି ଯେ ? ଆମେ ଆସିଲେ କାହିଁକି, ପଡ଼ିଛି କୋଉ କଥା । ଆମ ଘରଟିକୁ ତ ଆମେ ସଫା କରିଦେଲେ ଗଲା-। ଦେବୋତ୍ତର ହାକିମ କରିବ କ’ଣ ?’’

 

ବାବା ଜବାବ ଦେଲେ, ‘‘ଏ ମନ୍ଦିର ସର୍ବସାଧାରଣ ସମ୍ପତ୍ତି । ମୁଁ ମାର୍ଫତ୍‍ଦାର ବୋଲି ମଧ୍ୟ ମୋ ନାମ ଲେଖାଇ ନାହିଁ । ହାକିମ କହିବା ଯାଏଁ କାହିଁକି ଯାଉଛି, ଗାଁବାଲା ମତେ କହିଦେଲେ ମୁଁ ଏଠାରୁ ବାହାରି ଯିବି । ସଂସାର ତ ଛାଡ଼ିଛି, ଆଉ ସମ୍ପତ୍ତି ପାଇଁ ଟଣା ଓଟରା କରିବି ବୋଲି ଆଶଙ୍କା କରୁଛ ! ଯୋଗୀ ଯାହା କହୁଛନ୍ତି ସେଥିରେ ଯଦି ତୁମ ମନ ନମାନୁଛି ତେବେ ଗାଁ ବାଲାଙ୍କୁ ଯାଅ ବୁଝାଇ ଦିଅ ।’’

 

ଆଉ ବେଶୀ କଥାବାର୍ତ୍ତାକୁ ବାବା ପ୍ରଶୟ ଦେଲେ ନାହିଁ । ମାମଲତକାର ତିନିହେଁ କଥାବାର୍ତ୍ତା ହୋଇ ଯାଉଥିବାର ମାଳତୀ ଶୁଣିଲା, ‘‘ଆରେ ! ସେ ଯୋଗିଆଟା ତ ସତ କଥା କହୁଥିଲା ! ବାବା ତ ଜୀଅନ୍ତା ମା’ଙ୍କ ପାଇଁ ପଥର ମା’କୁ ଛାଡ଼ିବାକୁ ତିଆର ! ଓହୋ ! ‘କିସ ପୁଣି ଦେଖା ନ ଯାଇ ଜୀଇଥଲେ ଜୀବରେ !’

 

X X X

 

ଦିନକ ପରେ, ଦୁର୍ଗା ଆସି ଧରି ବସିଲେ, ସେ ତାଙ୍କ ପିଇସୀ ଘରକୁ ଯିବେ । ବାବା କହିଲେ, ‘‘ମା’, ତୁ ଯେଉଁଥିପାଇଁ ଇଆ କହୁଛୁ, ତା’ ମୁଁ ଜାଣେ ! ପିଲାଙ୍କ ପରି ହେଲେ ଚଳିବ ? ସେ ଦିନ ପରା କହିଥିଲି, ଦେହକୁ ପଥର କରିବାକୁ ହେବ । ଗୋଟାଏ ଝଡ଼ ତୋଫାନର ସୂଚନା ଦିଶୁଛି । ଏତେବେଳେ ତୁ’ ଯିବାଟା କ’ଣ ଠିକ୍‌ ହେବ ? ସେ ମାଳଟା ତୋ ମତକୁ ଦୁର୍ବଳ କରୁଛି, ନାଁ ! ତା’କୁ କହିବୁ, କାଲିଠାରୁ ସେ ବା ତୁ ଆଉ ନଈକୁ ଗାଧୋଇ ଯିବନାହିଁ ।’’

☆☆☆

 

ଅନ୍ଧାରି ବୁଝାମଣା

 

ହଠାତ୍ ଅନ୍ଧାର ଘୋଟିଗଲେ ଯେମିତି ଲାଗେ ଯୋଗିମାଷ୍ଟ୍ରଙ୍କ ଅଭିଯାନର ସୂରୁପ ଗାଁର ମୁରବିମାନଙ୍କଠାରୁ ପାଇ ବାବାଙ୍କୁ ସେହିପରି ଲାଗିଲା । କିନ୍ତୁ ମୁହୂର୍ତ୍ତକ ପାଇଁ । ସେହି ମୁହୂର୍ତ୍ତକରେ ସେ ତାଙ୍କର ଭବିଷ୍ୟତ କାର୍ଯ୍ୟପନ୍ଥା ଠିକଣା କରିନେଲେ । ତା’ପରେ ରାତିରେ ଯେପରି ଅନ୍ଧାର ନିଦକୁ ଡାକିଆଣି ଆରାମ ଦିଏ, ସେହିପରି ସେ ନିଜର ମନକୁ ସ୍ଥିର ରଖି ଅବିଚଳିତ ଭାବେ ନିଜର ଅନ୍ତରଙ୍ଗମାନଙ୍କୁ ହେମତ୍‌ ଦେବାରେ ନିଯୁକ୍ତ ହେଲେ । ଦୁର୍ଗାଙ୍କ ସଙ୍ଗେ ସେ ଏ ପ୍ରସଙ୍ଗରେ ବିଶେଷ ଆଲୋଚନା କରନ୍ତି ନାହିଁ । ଦୁର୍ଗା ବି ଲୋଡ଼ନ୍ତି ନାହିଁ । ବାବାଙ୍କଠାରେ ଦୁର୍ଗାଙ୍କର ପୂର୍ଣ୍ଣ ପ୍ରତ୍ୟୟ ଆସି ସାରିଥିଲା । ଉପସ୍ଥିତ ସଙ୍କଟରେ ତାଙ୍କ ମନ ବିଚଳିତ ହେଲେ ଥରେ ମାତ୍ର ବାବାଙ୍କ ପ୍ରସନ୍ନ ମୁଖମଣ୍ଡଳରେ ଦୃଷ୍ଟି ପଡ଼ିଗଲେ, ଯୁଗପତ୍‌ ମନ ସ୍ଥିର ହୋଇଯାଏ । ପ୍ରଥମେ ପ୍ରଥମେ ଚାହାଳୀରୁ ପିଲା କମିଯିବାରୁ ତାଙ୍କର କ୍ଷୋଭ ହେଉଥିଲା । ବର୍ତ୍ତମାନ ଛାତ୍ର-ଛାତ୍ରୀଙ୍କ ସଂଖ୍ୟାର ସ୍ଵଳ୍ପତା ଯୋଗୁଁ ସେ ବେଶୀ ସମୟ ଓ ମନ ସେଇମାନଙ୍କୁ ଦେଇଛନ୍ତି ।

 

ମାଳତୀ ତୁନି ହୋଇ ରହିପାରେ ନାହିଁ । ବାବାଙ୍କ ଦୃଷ୍ଟିର ଅନ୍ତରାଳରେ ଗାଁବାଲା କେହି ହାବୁଡ଼େ ପଡ଼ିଗଲେ ସେ ନିଜର ମନର ଭାବକୁ ଟାଣ ଟାଣ କଥାରେ ପ୍ରକାଶ କରିଦିଏ–ଯୋଗି ମାଷ୍ଟ୍ରରଙ୍କ ଶୁଣିବା ସକାଶେ । କଥା ଶେଷରେ ସେ ଶୁଣାଇ ଦିଏ, ଯୋଗିମାଷ୍ଟ୍ରେ କେବେ ଥରେ ମନ୍ଦିର ହତାରେ ହାବୁଡ଼େ ପଡ଼ିଗଲେ ତାଙ୍କୁ ସେ କିପରି ସତ୍କାର କରନ୍ତା ।

 

ଗୋପାଳିଆ ମୁହଁରୁ ଏପରି କିଛି ଶୁଣାଯାଏ ନାହିଁ । ନିତାନ୍ତ ତା’ ସଙ୍ଗେ ଯଦି ଯୋଗିମାଷ୍ଟ୍ରଙ୍କ କୁତ୍ସାରଟନା କରିବା କଥା କିଏ ପକାଏ, ସେ କହେ, ‘‘ମିଛରେ କାହିଁକି ସେଇଟା କଥା କହୁଛ ହେ ! ଚୁଚୁନ୍ଦ୍ରାଟା ବାଘ ହେବ ବୋଲି ବିଚାରୁଛି । କାଲି ତ ମତେ ଲୁଗା ଯାଚୁଥିଲା, ବାବାଙ୍କୁ କହି ତା’କୁ ଏଠି ମାଷ୍ଟ୍ର କରାଇ ଦେବାକୁ । କାଲି ଯାହାଙ୍କ ଗୋଡ଼ତଳେ ମୁଣ୍ଡିଆ ମାରୁଥିଲା, ଆଜି ତାଙ୍କ ମୁଣ୍ଡ ଉପରେ ଚଢ଼ିବାକୁ ବସିଛି ! ଆପଣା ପାପର ଫଳ ସେ ଆପେ ପାଇଯିବ ଯେ ! ମୋତେ ଆମ ବାବାଙ୍କୁ ଡର ! କ’ଣ ଗୋଟାଏ ମନରେ ବିଚାର ଯଦି ଏ ଆସ୍ଥାନଟା ତ୍ୟାଜ୍ୟ କରିଦେବେ, ତେବେ ଏଡ଼େ ସୁନ୍ଦର ଘରଦ୍ୱାର, ବାଡ଼ି ବଗିଚା ସବୁ ଅବୈଛତ୍ର ହୋଇଯିବ ।’’ ଦିନେ ଜଣେ ଏହା ଶୁଣି ପଚାରିଥିଲେ, ‘‘ଆଚ୍ଛା, ବାବା ଯଦି ମନ୍ଦିର ଛାଡ଼ି ଚାଲିଯିବେ ତେବେ ତୁ’ କୁଆଡ଼େ ଯିବୁ ?’’ ଗୋପାଳିଆ କହିଲା, ‘‘ବାବା ଏଠୁ ଚାଲିଯିବେ କାହିଁକି କହଲ ଦେଖି ! ଯଦି ସେ ଯିବେ, ତେବେ ଠାକୁରାଣୀ ତ ପଛରେ ଗୋଡ଼େଇବେ ! ମୋ କଥା କି ଛାର ? ତମେ ଦେଖିବ ନାଇଁ, ବାବା ଏଠାରୁ ଯେଉଁଦିନ ଯିବେ, ତା’ ବାସିକି ଏଠାରେ ଆଉ କିଏ ରହିବ । ମୋ ବାପା କହୁଥିଲା, ମୁଁ ଶୁଣିଛି, ଏଇ ବାବା ଆସିବା ଦିନୁ ଏ ଠାକୁରାଣୀଙ୍କ ପରାକ୍ରମ ବଢ଼ିଲା । ତା’ ଆଗରୁ ବେଢ଼ା ଭିତରେ ପରା ବିଲୁଆ ବୁଲୁଥିଲେ ।’’

 

ବେବର୍ତ୍ତା କିନ୍ତୁ ମନର କଥା କାହାଆଗେ ଯାଇ କହିବାକୁ ବେଳ ପାଉନଥାନ୍ତି । ଗତ ପରିଚ୍ଛେଦର ଶେଷାଂଶରେ ବର୍ଣ୍ଣିତ ଘଟଣାର ପରଦିନ ସକାଳେ ବାବା ବେବର୍ତ୍ତାଙ୍କୁ ଡକାଇ କହିଲେ, ‘‘ବେବର୍ତ୍ତା, ମତେ ଜଣାଯାଉଛି, ତୁମର ମୁନିବ ବଦଳିବେ । ମୋ ଅମଳରେ ଯେମିତି ଚଳୁଥିଲା, ହୁଏତ ଆଉ ସେମିତି ଚଳିବ ନାହିଁ । ‘ନାନା ମୁନିନାଂ ମତୟଶ୍ଚ ଭିନ୍ନାଃ’ । ବୁଝିଲଟିକି ?

 

ସବୁ ବୁଝି ମଧ୍ୟ ନ ବୁଝିଲା ପରି କିମିତି ମୁହଁ କରାଯାଏ ତାହାର ପ୍ରତିଯୋଗିତା ହେଲେ, ବେବର୍ତ୍ତା ପୃଥିବୀରେ ଶ୍ରେଷ୍ଠ ବୋଲାଇ ପାରନ୍ତେ କି ନାହିଁ, ସେ ବିଷୟରେ ସନ୍ଦେହ ଥିଲେ ବି, ଏହା ନିଃସନ୍ଦେହରେ କୁହାଯାଇପାରେ ଯେ, ଭାରତ ପକ୍ଷରୁ ତାଙ୍କୁ ପଠିଆ ହୋଇଥାନ୍ତା । ତାଙ୍କଠାରୁ କିଛି ଊତ୍ତର ନପାଇ ବାବା ପୁଣି ପଚାରିଲେ, ‘‘କ’ଣ ବେବର୍ତ୍ତାଏ ! ତୁନୀ ହେଲ ଯେ ?’’

 

ବେବର୍ତ୍ତା କହିଲେ; ‘‘ଆଜ୍ଞା, ମୁଁ ସବୁ ସମଜି ପାରୁଛି ଯେ, ଏଡ଼େ ସହଜରେ ଯୋଗିମାଷ୍ଟ୍ରେ ଜିଣିଯିବେ ବୋଲି ପସନ୍ଦ ଆସୁନାହିଁ ।’’

 

ବାବା କହିଲେ, ‘‘ତେବେ କ’ଣ ତୁମେ ବିଚାରୁଛ, ସେ ଦେବୋତ୍ତର ବିଭାଗକୁ ଲେଖି ଏନକ୍ଵାରି ଅଣେଇବ, ଆମେ ଲଢ଼ିବା, କମିସନ୍‍ରଙ୍କ ମନ ନେବା, ଯଦିବା ସେ ଆମ କଥା ନ ଶୁଣିବେ, ତେବେ ଆମେ ଅପିଲ୍‌ କରିବା–ଏମିତି ଗୁଡ଼ାଏ ବିଚାରିଲେ ତ ବଳେ ମନ ହେବ କାଳକ୍ଷେପ କରାଇବାକୁ । ହାମ୍‌–ରାଏ–ଘୋଡ଼ ନୀତି, ନା କ’ଣ ।’’

 

ବେବର୍ତ୍ତା କହିଲେ, ‘‘ଆଜ୍ଞା ! ଏ କଥାଟା ମୁଁ ଶୁଣି ନାଇଁ ଆଜିଯାଏଁ ।’’

 

ବାବା ହାକିମ ସ୍ଵରରେ କହିଲେ, ଶୁଣିଥିବ ଯେ, ପାସୋରି ଦେଇଛ ! ଜଣେ ପଣ୍ଡିତ ଜଣେ ମୂର୍ଖ ରାଜାଙ୍କଠାରୁ ଘୋଡ଼ାଟାଏ ଆଣିଥିଲେ, ଗୀତ ଗୋବିନ୍ଦ ପଢ଼ାଇବାକୁ । ଗୃହିଣୀ ଏହାର ପରିଣାମ ଚିନ୍ତା କରି ଦୁଃଖିତ ହେବାରେ ପଣ୍ଡିତେ ସାନ୍ତ୍ଵନା ଦେଇଥିଲେ ‘ରଜା ବୁଦ୍ଧି ତ ଗୋଜା; ଧରି ବସିଲା, ଘୋଡ଼ାଟା ନିଶ୍ଚୟ ଗୀତଗୋବିନ୍ଦ ପାରାୟଣ କରିବ ! ସେ ପଡ଼ିକାଟ କରିଦେଲେ ତ ଆମର ଚୁଲା ଲାଗିବ ନାଇଁ । ହଁ କରିବାକୁ ପଡ଼ିଲା । କିଛିଦିନ ସୁଖରେ କଟୁ । ଯଦି କାଳବଳରେ ମୁଁ ମରେ, ତେବେ ତମେ ତ ମୋତେ ହରାଇ ଏପରି ବାୟାଣୀ ହୋଇଥିବ ଯେ ମୋ ନିନ୍ଦା ତମକୁ କାଟିବ ନାଇଁ । ଯଦି ରଜା ମରନ୍ତି, ତେବେ ତାଙ୍କ ଉତ୍ତରାଧିକାରୀଙ୍କୁ ସରଳଭାବେ ସବୁ କଥା ବୁଝାଇଦେବି । ନାଇଁ ଘୋଡ଼ା ଯଦି ତୁମ ହେପାଜତରେ ମଲା, ତେବେ ରଜାକୁ ଭୁଲାଇ ଦେବା ବଳାଇବ ନାଇଁ ।’ ଏଇ ହେଲା ହାମ–ରାଏ–ଘୋଡ଼ ନୀତି ।’’

 

ବେବର୍ତ୍ତା କହିଲେ, ‘‘ତେବେ କ’ଣ ଆମେ ବିନା ପ୍ରତିବାଦରେ ଏଡ଼େ ବଡ଼ ଅନୁଷ୍ଠାନଟାଏ ଲୁଟ୍‌ କରାଇଦେଇ ଯିବା ?’’

 

ବାବା–ବେବର୍ତ୍ତାଏ ! ଆମେ ନୁହେଁ, ମୁଁ । ଏ କଥାଟି ମନେ ରଖିଥାଅ ଯେ ତୁମେ ଏଠା ଛାଡ଼ି ଚାଲି ଯିବା ପଟିବ ନାହିଁ । ତୁମେ ଗଲେ, ଦୁଷ୍ଟଙ୍କୁ ସୁବିଧା ମିଳିବ, ମୋତେ ନିନ୍ଦା କରିବାକୁ–ସମ୍ପତ୍ତି ବରବାଦ କରିଦେଲି, ନେଇ ଗଲି ବୋଲି କହିବାକୁ । ମୋତେ ସେଇଆ ଡର । ମୋତେ କେତେ ହିନସ୍ତା କରିବେ କରନ୍ତୁ, କିନ୍ତୁ ମୋ ନାମରେ ସାଧ ସନ୍ଥକୁ ନିନ୍ଦା ହେଲେ ଦେବାଦେବୀ ଆଉ ପୃଥ୍ଵୀରେ ରହିବେ ନାହିଁ । ଆମ ଦେଶରେ ସାଧାରଣ ଲୋକେ ଧର୍ମତତ୍ତ୍ଵ ବୁଝୁନାହାନ୍ତି, ରାଜାଙ୍କର ଅନୁଗ୍ରହ ନାହିଁ, ସାଧୁ ଓ ସନ୍ଥଙ୍କ ନାମରେ ଧର୍ମ କର୍ମ ଚଳୁଛି । ଲୋକେ ସେମାନଙ୍କଠାରେ ଦ୍ରୋହୀ ହୋଇ ସାରିଲେଣି । ଆମ ଯୋଗୁଁ ତାହା ନ ବଢ଼ୁ । ମୁଁ ତୁମକୁ ଡାକିଥିଲି କହିବାକୁ, କାଗଜପତ୍ର ସବୁ ଠିକଣା କର । ବାର ବର୍ଷର ହିସାବ ମୋର ତୁଣ୍ଡେ ତୁଣ୍ଡେ ଅଛି; କିନ୍ତୁ ହାକିମ ପରା କାଗଜପତ୍ର ଖୋଜିବ ? ହଉ ଯାଅ ।’’

 

ବେବର୍ତ୍ତା ବାବାଙ୍କୁ ଖୁବ୍ ନଇଁକରି ନମସ୍କାର କରି ଗଲେ ଯେ, ନିଜ ବାକ୍‍ସ ଉପରେ ଏବେ ପନ୍ଦର ଦିନ ହେଲା ମୁହଁ ପୋତି କ’ଣ ଲେଖା ପଢ଼ି କରିବାରେ ଲାଗିଛନ୍ତି ! ଗୋପାଳିଆ ଗାଁ ଦୋକାନରୁ ଯାଇ ତିନିଦସ୍ତା ବାରଫର୍ଦ୍ଦ ଧଳା କାଗଜ ଓ ଦିସ୍ତାଏ ବାଲି କାଗଜ ଆଣି ସାରିଲାଣି । ଯୋଗିମାଷ୍ଟ୍ରଙ୍କ ତରଫରୁ ଜଣେ ବାଟରେ ଗୋପାଳିଆକୁ ଏତେ କାଗଜ କ’ଣ ହେବ ବୋଲି ପଚାରିବାରେ, ସେ କହିଲା, ‘‘ଆଗରୁ ତ ଆଉ ନେଇଛି ! ଯୋଗିମାଷ୍ଟ୍ରଙ୍କ ନାଁରେ ବେବର୍ତ୍ତା କ’ଣ ଉପରକୁ ପଠାଇବାକୁ କାଗଜ କରୁଛନ୍ତି ପରା ! ଏତିକିରେ ସରିବ କି ନାଇଁ କେଜାଣି ?’’ ଏ କଥା ଶୁଣି ଏହାର ପ୍ରତିକାର ସ୍ଵରୂପ ଯୋଗିମାଷ୍ଟ୍ରେ ଆହୁରି ତିନିଟା ଦରଖାସ୍ତ ଦସ୍ତଖତ କରାଇ କମିସନ୍‍ରଙ୍କ ପାଖକୁ ପଠାଇ ଦେଲେ ।

 

ଏହାର ଦୁଇ ଚାରିଦିନ ପରେ ଜଣେ ବୁଢ଼ା ଦିନେ ଆସି ବାବାଙ୍କୁ କହିଲେ, ‘‘ମହାପୁରୁ ! ଆଜି ମସୁଧା ହେଉଥିଲା, ଗାଁରେ ଭାଗବତ ଗୋସାଇଁଙ୍କୁ ବସେଇବେ । ପାଞ୍ଚ ଦଶବର୍ଷ ପୂର୍ବେ ଯିମିତି ଗାଁ ଭିତରେ ଭାଗବତ ବୋଲା ହେଉଥିଲା ସିମିତି ହେବ ।’’

 

ବାବା କହିଲେ, ‘‘ଭଲ ହେଲା । ରାତିରେ ମୁଁ ଯାଇ ପାରିବି ନାହିଁ ବୋଲି ସିନା, ସେଠାରେ ବନ୍ଦ ହୋଇ ଏ ମଣ୍ଡପରେ ଭାଗବତ ଲାଗିଥିଲେ । ଗାଁରେ ଲାଗିଲେ ଭଲ । ସ୍ତ୍ରୀ ବାଳକଙ୍କ କାନରେ ତ ଟିକିଏ ପଡ଼ିବ ! ଯେଉଁମାନଙ୍କର ଟିକିଏ ଭିତରେ ପଶି ବୁଝିବାକୁ ମନ ହେବ, ସେମାନେ ଏଠିକୁ ଆସିବେ ।’’

 

ଆଗନ୍ତୁକ କହିଲେ, ‘‘ସେମିତି ହେଲେ କ’ଣ ହୁଅନ୍ତା ନାହିଁ କି ? ଏଠିକୁ କେହି ଆସିବେ ନାହିଁ ବୋଲି ଗାଁରେ ଭାଗବତ ଆରମ୍ଭ ହେଲା । ଯୋଗିଆ କହୁଛି, ଏ ମନ୍ଦିରରେ ଅନିୟମ ହେଉଛି, ଆଉ କେହି ଦର୍ଶନ କରିବାକୁ ମଧ୍ୟ ଆସିବେ ନାହିଁ ।’’

 

ବାବା ଟିକିଏ ତୁନି ରହି କହିଲେ, ‘‘ତୁମେ ସବୁ କ’ଣ ଦେଖୁଛ, ଏଠାରେ ଅନିୟମ ପଶି ଗଲାଣି ବୋଲି ? ଯାହାଙ୍କ ମନ ଏଠାକୁ ଆସିବାକୁ ନ ହେଉଛି, ସେ ନ ଆସନ୍ତୁ । ତୁମେମାନେ ତ ଆସିବ ?’’

 

ଆଗନ୍ତୁକ ଆସିବାର କାରଣ ସ୍ପଷ୍ଟଭାବେ କହିଲେ, ‘‘ବାବା ! ଏକୁଟିଆ ମୁଁ ନୁହେଁ, ଆମେ କେତେ ଜଣ ବଡ଼ ଅଡ଼ୁଆରେ ପଡ଼ିଛୁ । ଆମେ ଜାଣୁଛୁ, ଯୋଗିମାଷ୍ଟ୍ରେ ଏଠି ମାଷ୍ଟ୍ର ହୋଇ ନପାରିଲେ ବୋଲି, ଦୁର୍ଗାଙ୍କୁ ଦ୍ଵିତୀୟ ହୋଇ ନ ପାରିଲେ ବୋଲି, ସବୁ ଭିଆଣ କରିଛନ୍ତି । ଏ ଦେଉଳକୁ ବାସନ୍ଦ କରିବେ । ଧୋବା ଭଣ୍ଡାରି ଆସିବେ ନାହିଁ ବୋଲି ଠିକ୍‌ ହୋଇଛି । ଏ ବର୍ଷ ଠାକୁରାଣୀଙ୍କ ଧାନ ବନ୍ଦ କରିବାକୁ ମଧ୍ୟ ରଇତଙ୍କୁ ତାଗିଦ୍‌ କରାହୋଇଛି । ଆମକୁ ସବୁ ଧମକାଇଛନ୍ତି, ଆମେ ଯଦି ଯିବା ଆସିବା କରିବୁ ଆମକୁ ଦହସତ୍ ଦେବେ । ମତେ ସମସ୍ତେ ପଠାଇଛନ୍ତି, ଆପଣଙ୍କ ସଙ୍ଗେ ମସୁଧା କରି ଆସିବାକୁ ।’’

 

ବାବା ଠାକୁରାଣୀଙ୍କ ଆଡ଼କୁ ଚାହିଁ ସବୁ ଶୁଣୁଥାନ୍ତି । ଆଗନ୍ତୁକ ନିଜର ବକ୍ତବ୍ୟ ଶେଷ କରି ବାବାଙ୍କଠାରୁ ମସୁଧା ପାଇବାକୁ ଘଡ଼ିଏ ଅପେକ୍ଷା କଲେ । ବାବା କିଛି ନ କହିବାରୁ ସେ ପୁଣି ପଚାରିଲେ, ‘‘ବୁଢ଼ାମାନେ ସବୁ ଚାହିଁ ବସିଥିବେ ଆପଣଙ୍କଠାରୁ ପଦେ ଶୁଣିବାକୁ । ଏଠାରୁ ଯାଇ ସେମାନଙ୍କୁ କ’ଣ କହିବି ?’’

 

ବାବା କହିଲେ, ‘‘କହିବ, ଯାହାକୁ ଯେମିତି ଭଲ ଦିଶୁଛି, ସେହିପରି କରନ୍ତୁ ।’’

 

ଆଗନ୍ତୁକ କହିଲେ, ‘‘ସେମାନେ କହିଛନ୍ତି, ଆପଣ ଟିକିଏ ବଳ ଦେଲେ ଆମେ ସମସ୍ତେ ଆସିବୁ । ଧୋବା ଭଣ୍ଡାରି ମଧ୍ୟ ଟୋକାଙ୍କ କଥା ଶୁଣିବେ ନାହିଁ ।’’

 

ବାବା–ବୁଝିଲ ନାୟକେ, ଏ ବିଷୟରେ ମୁଁ ବଳ ଦେଇ ପାରିବି ନାହିଁ । ଗାଁ ବାଲାଙ୍କ ବଳରେ ମୁଁ ଏଠାରେ ଅଛି । ମୋ’ର ଏଠାରେ କ’ଣ ଅଧିକାର ? ତୁମର ତ ମନେଥିବ, ମୁଁ ଆସିବା ବେଳର କଥା । ମୁଁ କହିଥିଲି, ଗାଁ ବାଲାଙ୍କର ଯେତେଦିନ ମୋଠାରେ ଶ୍ରଦ୍ଧା ଥିବ ମୁଁ ଥିବି, ଶ୍ରଦ୍ଧା କମିଲେ ମୁଁ ଏ ସ୍ଥାନ ଛାଡ଼ିବି । ବର୍ତ୍ତମାନ ତ ଶ୍ରଦ୍ଧା କମିଲା ପରି ଜଣାଯାଉଛି; ମୋର ଅନ୍ୟ ସ୍ଥାନ ଖୋଜିବା ଦରକାର ।

 

ନାୟକେ ଆଉ କ’ଣ ଶୁଣିବେ ବୋଲି ଉଠିବାକୁ ଟିକିଏ ବିଳମ୍ବ କଲେ । ବାବା ପଚାରିଲେ, ‘‘ଆଚ୍ଛା, ନାୟକେ ! ଗାଁର ସବୁ ପିଲା କ’ଣ ଯୋଗିମାଷ୍ଟ୍ର କଥାରେ ମାତିଛନ୍ତି ? ତମ ପୁଅଟିର ତ ଆଚରଣ ଭଲ । ସେ ମାତିଛି ଟିକି ?’’

 

ନାୟକେ–‘‘ଆଜ୍ଞା ତା’ କଥା ତ ସୃଷ୍ଟି ବାହାର କଥା । ତା’ ବୋଉକୁ ବୁଝାଉଥିଲା–ଯୁବତୀ ସ୍ତ୍ରୀଟିଏ ବିଧବା ହୋଇ ଯାଇଛି ବୋଲି କ’ଣ ତା’ର ପୁଣି ବିବାହ ହେବା ଉଚିତ ନୁହେଁ ? ବାବା ଯଦି ତାକୁ ଟିକିଏ ବୁଝାଇ ଦିଅନ୍ତେ, ତେବେ ସେ ପୁଣି ବିଭାହୋଇ ସୁଖରେ ରହନ୍ତା । ବିଧବା ବିବାହ ଉଚିତ୍‌ ବୋଲି ଆଜିକାଲି ପଣ୍ଡିତ ଲୋକେ କହୁଛନ୍ତି । ବାବା କ’ଣ ଏହା ଜାଣି ପାରୁ ନାହାନ୍ତି-? ବୋଧହୁଏ ତାଙ୍କର ମନ୍ଦ ଉଦ୍ଦେଶ୍ୟ ଅଛି ।’ ଯୋଗିମାଷ୍ଟ୍ରଙ୍କ ବିଷୟରେ କହିଲା, ‘ଯୋଗିମାଷ୍ଟ୍ରେ ଟ୍ରେନିଂ ପାସ୍‌ କଲା ମାଷ୍ଟ୍ର । ଅଳ୍ପ ଦରମାରେ ସେ ମନ୍ଦିରରେ ଚାହାଳୀ କରିବାକୁ କହୁଥିଲେ-। ବାବାଙ୍କୁ କାହିଁକି ଅସୁଖ ଲାଗିଲା । ପାଠପଢ଼ା ବିଷୟରେ ସେ ଜାଣନ୍ତି କ’ଣ ? ସେ କ’ଣ, ଡି. ଇଡ଼ି.ପାସ୍ କରିଛନ୍ତି ନା ବିଲାତ ଯାଇଥିଲେ’ । ଆଜ୍ଞା, ଏକଥା ଶୁଣି ତ ତା’ ମା ମତେ କହୁଛି, ‘‘ପିଲେ ତ ଭଲ କଥା କହୁଛନ୍ତି । ତମେ ଯାଅ, ବାବାଙ୍କୁ ବୁଝାଇ ଦିଅ ।’’

 

ବାବା କହିଲେ, ‘‘ବୁଝେଇବା ଦରକାର ନାହିଁ, ନାୟକେ ! ମୁଁ ବୁଝୁଛି, ତମ ପୁଅ ଯାହା କହୁଛି, ତାହା ଆଜିକାଲି ବିଚାରକୁ ଠିକ୍ । ଆମେ ଯଦି ୟା’କୁ ଅନ୍ଧ ବୁଝାମଣା କହିବା, ତେବେ ଆମକୁ ଲୋକେ ଅନ୍ଧ ବୋଲି କହିବେ । ତୁମ ଘରେ ଯାହା କହିଲେ, ଆଜିକାଲି ଅଧିକାଂଶଙ୍କର ତ ସେଇ ମତ ।’’

 

ବାବା ହସି ହସି ପୁଣି କହିଲେ, ‘‘ମତେ ଦିଶୁଛି, ମୁଁ ଯଦି ଯୋଗିମାଷ୍ଟ୍ରଙ୍କ ସଙ୍ଗେ ମୁଣ୍ଡ ପକାଇବାକୁ ରହିବି, ତେବେ ତୁମେ ତୁମ ପିଲାଙ୍କ ସଙ୍ଗେ ମୋ ବିରୁଦ୍ଧରେ ଲଢ଼ିବାକୁ ବାହାରିବ । ତୁମ ମନରେ ଦୁଃଖ ଦେବାକୁ ଏହା କହୁନାହିଁ । ବିଚାରି ଦେଖ । ଆଜି ପୁଅ କଥାରେ ମୋତେ ବୁଝାଇବାକୁ ଆସିଥିଲା । ପୁଅକଥାରେ ମୋତେ ମାଡ଼ ମାରିବାକୁ ଆସିବା ସେଇ ଏକାରକମ କଥା-।’’

 

ନାୟକେ ବିଷଣ୍ଣ ହୋଇ ବସିଲେ । ବାବା ବିରକ୍ତ ହୋଇଥିବାରୁ ଏପରି ନିଷ୍ଠୁର କଥା କହି ପାରୁଛନ୍ତି ବୋଲି ତାଙ୍କର ମନେହେଲା । ସେ ବିଚାରିଲେ, ‘‘ହେବାର କଥା । ଏଡ଼େ ବଡ଼ ସମ୍ପତ୍ତି, ଏଡ଼େ ବଡ଼ ମାନ ମହତ–ସବୁ ଉପରେ ଯେତେବେଳେ ଆଞ୍ଚ ଆସିଛି, ଟାଣ କରି ପଦେ କହିଦେଲେ କ’ଣ ହୋଇଗଲା ?’’ କିନ୍ତୁ ସାମାନ୍ୟ ମାଇକିନିଆଟେ ପାଇଁ ବାବା ଏତେ ଛାଡ଼ିବାକୁ କାହିଁକି ବାହାରିଛନ୍ତି, ସେ ବୁଝିପାରୁନଥାନ୍ତି ।

 

ନାୟକେ ଆଉ କିଛି ଆଲୋଚନା ନକରି ଦଣ୍ଡେ ବସିଲେ । ତା’ପରେ ମୁଣ୍ଡିଆ ମାରି ବାବାଙ୍କ ପାଦଧୂଳି ନେଇ ଗଲାବେଳେ କହିଲେ, ବାବା ! ଆପଣ ଶୁଦ୍ଧ ପୁରୁଷ । ଆପଣଙ୍କର ଅସନ୍ତୋଷରେ ଆମର କିଛି ମଙ୍ଗଳ ହେବନାହିଁ ।’’

 

ବାବା କରୁଣା ଓ ମମତା ମିଶ୍ରିତ ଆର୍ଦ୍ରସ୍ୱରରେ କହିଲେ, ‘‘ନାୟକେ ! ସେ ସନ୍ଦେହ କେବେ କରିବ ନାହିଁ । ଆଉ ସମସ୍ତଙ୍କୁ ମଧ୍ୟ ଆଶ୍ୱସ୍ତ କରିଦେବ, ଯାହା ହେଲେ ବି ମୁଁ ତୁମ୍ଭମାନଙ୍କ ପ୍ରତି ବା ତୁମ ପିଲା କବିଲାଙ୍କ ପ୍ରତି କୌଣସି ରାଗ କେଭେଁ ରଖିବି ନାହିଁ ।’’

 

ନାୟକେ ଯିବା ପରେ ମଣ୍ଡପ ତଳେ ଅପେକ୍ଷା କରି ରହିଥିବା ବେବର୍ତ୍ତା ଆସି ଖଣ୍ଡିଏ ଚିଠି ବାବାଙ୍କ ଆଗରେ ଥୋଇ ଦେଇ କହିଲେ, ‘‘ଆଜ୍ଞା, ଦେବୋତ୍ତର କମିସନର୍ ଆମ ମନ୍ଦିରରେ କେତେକ ଅଭିଯୋଗର ତଦନ୍ତ କରିବେ ବୋଲି ଲେଖିଛନ୍ତି । ଆଜି ୫ତାରିଖରେ ଆସିବେ ବୋଲି ଚିଠିରେ ଲେଖା ହୋଇଛି ।’’ ବାବା ପଚାରିଲେ, ଏ ଚିଠି କ’ଣ ଆଜି ପାଇଲ ?’’

 

ବେବର୍ତ୍ତା–ଆଜ୍ଞା, ହଁ । ଚିଠି ଏ ମାସ ପହିଲାରେ କଟକଠାରେ ପଡ଼ିଥିବାର ମୋହରରୁ ଜଣାପଡ଼ୁଛି । କିନ୍ତୁ ଆମ ଏଠା ଡାକଘରେ ଆଜିର ମୋହର ବାଜିଛି ।

 

ବାବା କିଛି କହିବା ପୂର୍ବରୁ ଦେଉଳ ଦୁଆରେ ଗହଳି ଶୁଭିଲା । ଦାମିକା ଗରମ ସୁଟ୍, ପିନ୍ଧି ଯେଉଁ ଜଣକ ଆଗରେ ଥାଆନ୍ତି ସେ ସାହେବ ବୋଲି ଜାଣିବା କଷ୍ଟ ହେଉନଥାଏ । ତାଙ୍କର କିରାଣୀ ଓ ଅର୍ଦ୍ଦଳୀ ହୋଇ ଚାରି ପାଞ୍ଚଜଣଙ୍କ ମେଳରେ ଗାଁର ପ୍ରାୟ ପଚାଶ ଜଣ ପର୍ଯ୍ୟନ୍ତ ଦେଉଳ ଭିତରକୁ ପଶିଲେ । ତାଙ୍କୁ ସଙ୍ଗେ ଚୌକିଦାର ଦଫାଦାର ହୋଇ ପାଞ୍ଚ ସାତଜଣ ମଧ୍ୟ ଥାଆନ୍ତି ।

 

ଜୋତା ମାଡ଼ି ସାହେବ ମଣ୍ଡପ ଉପରକୁ ଚଢ଼ି ଆସିଲାବେଳେ ଗୋପାଳିଆ କହିଦେଲା, ‘‘ବାବୁ ! ଉପରକୁ ଜୋତା ଯାଏନାହିଁ । ସେତିକିରେ ଜନତାର ‘ଯୁଦ୍ଧଂ ଦେହି’ ମନୋଭାବ ତେଜି ଉଠିଲା । ‘‘ଜୋତା କ’ଣ ଏହିଠାରୁ ମନା’ ବୋଲି ସାହେବ ପଚାରି ଦିଅନ୍ତେ, ଗାଁ ଟୋକାଙ୍କ ଭିତରୁ ଜଣେ କହିଲା, ‘‘ଆଜ୍ଞା, ଏ ଦେଉଳର ନୀତି ବିଷୟ ଆମ ଦରଖାସ୍ତରେ ଅଛି । ଏହି ମଣ୍ଡପ ତ ପ୍ରେମ–ସମ୍ଭାଷଣର ସ୍ଥାନ । ଜୋତା ଏଠାକୁ ଯିବ କିମିତି ? ‘‘ସାହେବ ଟିକିଏ ମୁରୁକି ମୁରୁକି ହସି ପାହାଚ ଉପରେ ଜୋତା-ଯୋଡ଼ିକୁ ରଖି ମଣ୍ଡପର କଡ଼କୁ ବସିଲେ ।

 

ବେବର୍ତ୍ତା ପାଞ୍ଚମିନିଟ୍ ଭିତରେ ପାନ ସିଗାରେଟ୍ ଆଣି ଗୋଟିଏ ଥାଳିଆରେ ଥୋଇବାରେ ସାହେବ ଆହୁରି ରହସ୍ୟ କଲେ । ସେ ବେବର୍ତ୍ତାଙ୍କୁ ପଚାରିଲେ, ‘‘ତୁମେ ବେବର୍ତ୍ତା ପରା; ସିଗାରେଟରେ ତୁମର କେତେ ଖର୍ଚ୍ଚ ହୁଏ ?’’

 

ବେବର୍ତ୍ତା ନିଜର ଅପରିଜ୍ଞେୟ ମୁଖଭଙ୍ଗୀ କରି କହିଲେ, ‘‘ହଜୁର ! ମୁଁ ସିଗ୍ରେଟ୍ ସାରେ ନାହିଁ । ପାନ ଟିକିଏ ଟିକିଏ ଖାଏ ।’’

 

ସାହେବ ଚଢ଼ା ଗଳାରେ କହିଲେ, ‘‘ତୁମର ନିଜ ରୀତି ବା ଅଭ୍ୟାସ ବିଷୟରେ ଅନୁସନ୍ଧାନ କରିବାକୁ ମୁଁ ଆସିନାହିଁ । ତୁମ ଠାକୁରାଣୀଙ୍କ ଫଣ୍ଡ୍‍ରୁ ସିଗ୍ରେଟ୍‌ ମଝିରେ ମଝିରେ କିଣା ହୁଏ, ନା ?’’

 

ବେବର୍ତ୍ତା ଅତି ନିରୀହ ଭାବେ କହିଲେ, ‘‘ଆଜ୍ଞା, ଠାକୁଣୀଙ୍କର ସିଗ୍ରେଟ୍‌ ଖଞ୍ଜା ନାହିଁ । ତିନି ବରଷ ତଳେ ଆପଣଙ୍କ ଇଲାକାର ଜଣେ ହାକିମ ଆସିଥିଲେ ଯେ, ସିଗ୍ରେଟ ନ ଦେବାରୁ ମୋତେ ଗାଳି ଦେଇଥିଲେ । ମୋ ନିଜ ଖର୍ଚ୍ଚରେ ଗୋଟିଏ ପୁଡ଼ିଆ ଆଣିଥିଲି । ସେଥିରେ ତିନୋଟି ବଳିଥିଲା ଯେ ଆଜି ଦେଖିଲା ବେଳକୁ ନଷ୍ଟ ହୋଇଯାଇଛି । ଆପଣଙ୍କର କେଜାଣି ଦରକାର ହେବ ବୋଲି ୟାକୁ ଅଣାଇଛି ।’’

 

‘ଓଃ, ଏ ତେବେ ଠାକୁରାଣୀଙ୍କ ସମ୍ପତ୍ତି ନୁହେଁ ବୋଲି ହାକିମ ପ୍ୟାକେଟ ଫିଟାଇ ଖଣ୍ଡେ ସିଗ୍ରେଟ୍ ଅମଣିଆ କଲେ । ଉପସ୍ଥିତ ଜନତାଙ୍କ ଭିତରୁ କଲେଜ ଛାତ୍ର ଦୁଇ ତିନିଜଣ ନିଃସଙ୍କୋଚରେ ପ୍ୟାକେଟ୍‍ଟି ନେଇ ତାହାର ସଦ୍‌ବ୍ୟବହାର ଆରମ୍ଭ କଲେ । ବାବା ଏସବୁ ଦେଖି ନ ଦେଖିଲା ପରି ବସିଥାନ୍ତି ।

 

ସିଗ୍ରେଟ୍ ଅଧା ପୋଡ଼ିବା ପର୍ଯ୍ୟନ୍ତ ସାହେବ କିଛି ନ କହି ଚାରିଆଡ଼େ ଆଖି ବୁଲାଉଥାନ୍ତି-। ସେ ବୋଧହୁଏ ଆଶା କରୁଥିଲେ, ବାବାଙ୍କ ଆଡ଼ୁ ସମ୍ଭାଷଣ ଆରମ୍ଭ ହେବ । ତାହା ନହେବାରୁ ସେ ଆରମ୍ଭ କଲେ, ‘‘ଏ ମନ୍ଦିରର ପୁଝାରୀ ତୁମେ ?’’

 

ବାବା–ଆଜ୍ଞା, ମୁଁ ।

 

ହାକିମ–ଆଉ ମହନ୍ତ କିଏ ?

 

ବାବା ଉତ୍ତର ଦେବା ପୂର୍ବରୁ ଟୋକାଙ୍କ ଭିତରୁ ଜଣେ କହିଲା, ‘‘ଆଜ୍ଞା, ସେଇ ସବୁ । ପୂଜାରୀ ସେଇ, ମହନ୍ତ ସେଇ, ମଠାଧୀଶ ଓ ମାତାଧୀଶ ମଧ୍ୟ ସେଇ । ଏକରେ ବହୁ ଓ ବହୁରେ ଏକ !’’ ଜନତା ଭିତରୁ ହାସ୍ୟର ରୋଳ ଉଠିଲା । ସାହେବ ମୁରୁକି ମୁରୁକି ହସି ତାଗିଦ୍ କଲେ, ଆପଣମାନେ ତୁନି ହୋଇ ରହନ୍ତୁ । ଏନକ୍ୱାରି କରିବାକୁ ମୋତେ ଛାଡ଼ିଦିଅନ୍ତୁ । ମୁଁ ଏଙ୍କଠାରୁ ବଡ଼ ଜନ୍ତୁ ବି ଶିକାର କରିଛି ।

 

ହାକିମଙ୍କ ନିରପେକ୍ଷତାର ନିଦର୍ଶନ ପାଇ ବାବା ନିଜେ ସଂଯତ ରହି ଏ ଏନ୍‌କ୍ଵାରିରେ ସେ କି ଅଂଶ ଗ୍ରହଣ କରିବେ ଠିକ୍ କରିନେଲେ । ତେଣୁ ହାକିମ ଯେତେବେଳେ ପଚାରିଲେ, ‘‘ଏଠାରେ କେତେ ମୂର୍ତ୍ତି ମାତା ଥାଆନ୍ତି ?’’ ସେତେବେଳେ ବାବା ଗମ୍ଭୀର ଭାବେ କହିଲେ, ‘‘ମହାଶୟ ! ମୁଁ ଏ ଏନ୍‌କ୍ଵାରିରେ ଭାଗ ନେବାକୁ ଚାହେଁନାହିଁ । ଆପଣ କ’ଣ ଅଭିଯୋଗ ପାଇଛନ୍ତି, ତାହା ମୁଁ ଜାଣେନାହିଁ । କିନ୍ତୁ ମୁଁ ଜାଣୁଛି, ଅଭିଯୋଗଗୁଡ଼ାକ ସେ ସତ୍ୟ, ଏ ବିଷୟରେ ଆପଣଙ୍କର ବିଶ୍ୱାସ ହୋଇ ସାରିଛି । ଆପଣଙ୍କର ଯେମିତି ମନ ସେପରି କରନ୍ତୁ ।’’

 

ହାକିମ ଟିକିଏ ବିବ୍ରତ ହୋଇଗଲେ । ନିଜର ଅଧିକାରକୁ ସ୍ମରଣ କରି ସେ ବିବ୍ରତ ଭାବ ଚପାଇ କହିଲେ, ‘‘ମୁଁ ଆପଣଙ୍କ ବିରୁଦ୍ଧରେ ଗୁରୁତର ଅଭିଯୋଗ ପାଇଛି । ଆପଣଙ୍କର ଯଦି ତା’ଉପରେ କିଛି ଜବାବ୍ ଦେବାର କଥା ଦିଅନ୍ତୁ । ଅଭିଯୋଗ ଆପଣ ପଢ଼ିବାକୁ ଯଦି ଚାହାନ୍ତି, ତେବେ ପଢ଼ିପାରନ୍ତି ।’’

 

ବାବା କହିଲେ, ‘‘ଅଭିଯୋଗରୁ ଦୁଇଟି ତ ମୁଁ ଶୁଣି ସାରିଲିଣି–ମଣ୍ଡପରେ ପ୍ରେମ ସମ୍ଭାଷଣ ହୁଏ ଓ ମୁଁ ମାତା ରଖିଛି । ୟାବାଦ୍ ଅଭିଯୋଗ ଶୁଣିବାକୁ ମୋର ଇଚ୍ଛା ନାହିଁ । ଆପଣଙ୍କର ଯଦି ଆଉ କିଛି ଅନୁସନ୍ଧାନ କରିବାର ଅଛି କରନ୍ତୁ । ଏ ବିଷୟରେ ମୋ କହିବା ନିରର୍ଥକ । ଗ୍ରାମବାସୀ ଯାହା କହିବେ ତାହା ଠିକ୍‌ ବୋଲି ମୁଁ ସ୍ୱୀକାର କରିବି ।’’

 

ହାକିମ ଜନତା ଆଡକୁ ଚାହିଁ କହିଲେ, ‘‘ମୋ ପାଖକୁ ଯେଉଁ ତିନିଖଣ୍ଡ ଦରଖାସ୍ତ ଯାଇଛି ସେଥିରେ ଆପଣମାନେ ଦସ୍ତଖତ କରିଛନ୍ତି ତ ?’’ ସମସ୍ତେ ନିରୁତ୍ତର ହେଲେ । ହାକିମ ପୁଣି ପଚାରିଲେ, ‘‘ଆପଣମାନଙ୍କୁ କେହି ଡକାଇ ଧମକାଇ ଦସ୍ତଖତ୍‌ ନେଇନାହିଁ ତ ?’’ ପୁଣି ସମସ୍ତେ ତୁନି ରହିଲେ । ମୌନ ସମ୍ମତି ଲକ୍ଷଣ ବୋଲି ବୁଝି ନେଇ ହାକିମ ବାବାଙ୍କୁ ପଚାରିଲେ, ‘‘ଆଚ୍ଛା, ଏ ମନ୍ଦିର ସର୍ବସାଧାରଣ ନା ଆପଣଙ୍କର ଏଥିରେ ସ୍ଵତ୍ତ୍ଵ ଅଛି ।’’

 

ବାବା କହିଲେ, ଦେବାଦେବୀଙ୍କ ଉପରେ ବା ତାଙ୍କର ସମ୍ପତ୍ତି ଉପରେ କୌଣସି ବ୍ୟକ୍ତି ବା ଗୋଷ୍ଠୀର ସ୍ଵତ୍ତ୍ଵ ରହି ନପାରେ ।’’

 

ହାକିମ ପଚାରିଲେ, ‘‘ଆପଣ ଏଠାରେ ରହିବାକୁ ଯଦି ଗ୍ରାମବାସୀ ନ ଚାହିଁବେ ଓ ଦେବୋତ୍ତର ବିଭାଗ ଯଦି ଏହାର ପରିଚାଳନା ହାତକୁ ନେବେ, ତେବେ ଆପଣଙ୍କର କିଛି କହିବାକୁ ଅଛି ?’’

 

ବାବା କହିଲେ, ‘‘ନା, ମୋର କିଛି କହିବାକୁ ନାହିଁ । ମୋତେ ଯିବାକୁ କହିବା ପୂର୍ବରୁ ମଧ୍ୟ ମୁଁ ଯିବାକୁ ପ୍ରସ୍ତୁତ ଅଛି । ଆପଣ ଯାହାଙ୍କୁ ମନ୍ଦିରର ଭାର ଦେବେ, ମୁଁ ତା’ଙ୍କୁ ସବୁ କାଗଜପତ୍ର ବୁଝାଇଦେଇ ଚାଲିଯିବି ।’’

 

ହାକିମ ପୁଣି ଜନତା ଆଡ଼କୁ ଚାହିଁ ପଚାରିଲେ, ‘‘ଏ ମନ୍ଦିରର ଭାର ବୁଝିବାକୁ ଆପଣଙ୍କ ଭିତରେ କେହି ଯୋଗ୍ୟ ଲୋକ ଅଛନ୍ତି ?’’

 

ଯୋଗିମାଷ୍ଟ୍ରଙ୍କ ପାଖରେ ଠିଆ ହୋଇଥିବା ଦୁଇଜଣ ଯୁବକ କହିଲେ, ‘‘ଆମେ ଚାହୁଁ, ଯୋଗିବାବୁ ଏ ମନ୍ଦିର ବୁଝିବେ । ବାବା ଯେପରି ଅଛନ୍ତି, ସେପରି ରହିବାରେ ଆମର ଆପତ୍ତି ନାହିଁ-। ଯେଉଁ ସ୍ତ୍ରୀ ଲୋକମାନେ ଏଠାରେ ଅଛନ୍ତି ସେମାନେ ରହିଲେ ମଧ୍ୟ ଆମର ଆପତ୍ତି ନାହିଁ-। ଦେଉଳର ଜଣେ ମୁରବି ରହିଲେ ହେଲା ।’’

 

ସାହେବ ବାବାଙ୍କ ଆଡ଼କୁ ଚାହିଁବାରେ ସେ କହିଲେ, ‘‘ଆପଣ ଦେଉଳର ଭାର କାହାକୁ ଦେବେ, ସେଥିରେ ମୋର କିଛି କହିବାର ନାହିଁ । ତାହା ଆପଣଙ୍କ କାମ । କିନ୍ତୁ ମୁଁ ଏଠାରେ ରହିବି କି ନାହିଁ ତାହା ମୋ ଉପରେ ଛାଡ଼ିଦିଅନ୍ତୁ ।’’

 

ହାକିମ କହିଲେ, ‘‘ଏଥିରେ ମୋର ଆପତ୍ତି ନାହିଁ । ଯୋଗିବାବୁ ! ଆପଣ ସେବା ପୂଜାର ବନ୍ଦୋବସ୍ତ କରିପାରିବେ ?’’

 

ଯୋଗିମାଷ୍ଟ୍ରେ ହିଁ କରିବାରୁ, ‘ତେବେ ସେଇଆ ହେଉ’ ବୋଲି କହି ହାକିମ ଉଠି ପଡ଼ିଲା ବେଳକୁ ବେବର୍ତ୍ତା ଆରମ୍ଭ କଲେ ‘‘ହଜୁର ! ଆପଣଙ୍କ ସାମନାରେ ମାଷ୍ଟ୍ରେ କାଗଜପତ୍ର ବୁଝି ନିଅନ୍ତୁ-। ମୁଁ ତାଙ୍କୁ ଏକୁଟିଆରେ କାଗଜ ବୁଝାଇବାକୁ ଡ଼ରୁଛି । ସେ ସୁବିଧା ଲୋକ ନୁହନ୍ତି ।’’

 

ଜନତା ଭିତରୁ ଘୋ କିନି ପାଟି ଶୁଭିଲା । ଯୋଗିମାଷ୍ଟ୍ରେ ଅତି କ୍ଷିପ୍ତ ହୋଇ କହିଲେ, ‘‘ହଜୁର ! ସାମାନ୍ୟ ଚାକରଟାର ଆସ୍ପର୍ଦ୍ଧା ଦେଖନ୍ତୁ । ସମସ୍ତଙ୍କ ଆଗରେ ସେ ମୋର ମାନ ହାନି କରୁଛି । ଆପଣ ଏହା ବୁଝନ୍ତୁ, ନ ହେଲେ ଅବସ୍ଥା ସାଙ୍ଘାତିକ ହୋଇଯିବ । ଲୋକେ ଏମାନଙ୍କ ଉପରେ ଅତି ଉତ୍‍କ୍ଷିପ୍ତ ହୋଇଛନ୍ତି । ମୁଁ ଶାନ୍ତି ରକ୍ଷା କରିପାରିବି ନାହିଁ ।’’ କଲେଜ ପଢ଼ୁଆ ଛାତ୍ରମାନେ ଚିତ୍କାର କଲେ, ‘‘ବେବର୍ତ୍ତା ! ଯାହା କହିଛନ୍ତି ତାହା ପ୍ରତ୍ୟାହାର କରନ୍ତୁ ।

 

ହାକିମ ବେବର୍ତ୍ତାଙ୍କୁ କହିଲେ, ବେବର୍ତ୍ତା ! ତୁମେ ଦୁଃଖ ପ୍ରକାଶ କର ।’’

 

ସେତିକିବେଳେ ଜନତାର ଆର ପାଖରୁ ଶୁଭିଲା–

 

‘‘ପ୍ରଥମେ ଆପଣ ଯାହା ଯାହା କହିଛନ୍ତି, ତାହା ପ୍ରତ୍ୟାହାର କରନ୍ତୁ । ଏ ଯୁଗରେ ଆପଣଙ୍କ ପରି ଯୋଗ୍ୟ ଲୋକ ଏପରି ଅନ୍ଧ ବୁଝାମଣା କରିବା ଆଶ୍ଚର୍ଯ୍ୟ ଲାଗୁଛି ।’’

 

‘‘କିଏ ?’’ ବୋଲି ହାକିମ ବିକୃତ ମୁଖଭଙ୍ଗୀ କରି ଚାହିଁଲା ବେଳକୁ ଦୁର୍ଗା ଆସି ତାଙ୍କ ଆଗରେ ଠିଆ ହୋଇ କହିଲେ, ମୁଁ କହିଛି । ଆଉ ଶୁଣିବାକୁ ଯଦି ଆପଣଙ୍କର ଧୈର୍ଯ୍ୟ ଅଛି, ତା’ହେଲେ ଆଉ କିଛି କହିବାକୁ ଚାହେ ।’’

☆☆☆

 

କର୍ମ ଓ ଅକର୍ମ

 

ଦେବୋତ୍ତର କମିସନର୍‌ଙ୍କର ଦେବାୟତମାନଙ୍କ ଉପରେ ଯେଉଁ ଅଖଣ୍ଡ ପ୍ରଭୁତ୍ଵ ସେଥିରେ ସେ ସ୍ଫୀତ ହେବା ଅସ୍ଵାଭାବିକ ନୁହେ । ସାମାନ୍ୟ ନାରୀ ଜଣେ ସମସ୍ତଙ୍କ ସମକ୍ଷରେ ତାଙ୍କୁ ତେଢ଼ି ଦେବାରେ ସେ ପ୍ରଥମେ ବିସ୍ମିତ ହୋଇଗଲେ । ବିସ୍ମୟ ପରେ ପରେ ତାଙ୍କ ମୁହଁରେ ତାଚ୍ଛଲ୍ୟ ପ୍ରକାଶ ପାଇଲା । ସେ ତାଚ୍ଛଲ୍ୟରେ ଦୁର୍ଗାଙ୍କ ଆଡ଼କୁ ଚାହିଁ ସ୍ତମ୍ଭୀଭୂତ ହୋଇଗଲେ । ବିମଳବାବୁ ପ୍ରଫେସରଙ୍କ ଘରକୁ ଥରେ ସେ ବୁଲି ଆସି ଦୁର୍ଗାଙ୍କୁ ସେଠାରେ ଦେଖିଥିଲେ । ସେତେବେଳେ ସେ ତାଙ୍କୁ ଜଣେ ଆଦର୍ଶ ନାରୀ ବୋଲି ଭାବିଥିଲେ ଓ ସେହି ଭାବରେ ଦୁର୍ଗାଙ୍କ ରୂପ ତାଙ୍କ ମନରେ ଅଙ୍କିତ ହୋଇ ରହିଥିଲା । ଏ’ ତ ସେଇ ରୂପ ! କିନ୍ତୁ ଏତେ ଦୀପ୍ତି ସେ ସେତେବେଳେ ଏ ମୁହଁରେ ଦେଖିନଥିଲେ । ସେ ବିବ୍ରତ ହୋଇ କହିଲେ, ‘‘ମୁଁ ତ ଆପଣଙ୍କୁ ପୂର୍ବରେ ଦେଖିଥିଲା ପରି ମନେ ହେଉଛି !’’

 

ଦୁର୍ଗା ଉତ୍ତର ଦେଲେ, ‘‘ହୋଇଥିବ ! ମୁଁ କିନ୍ତୁ ଆପଣଙ୍କୁ ଆଜି ଯେତିକି ଦେଖିଛି, ତା’ରି ଉପରେ କହିବାକୁ ଚାହେଁ । ଦେବୀ ମନ୍ଦିରର ପରିଚାଳନାରେ ସୁବ୍ୟବସ୍ଥା କରିବା ଆପଣଙ୍କ କାମ । ଆଜି ଆପଣ ଯାହା କରିଛନ୍ତି, ସେଥିରେ ଆପଣ ଏ ମନ୍ଦିରର ଅନିଷ୍ଟ କରୁନାହାନ୍ତି କି ? ଏପରି କଲେ ଠାକୁରାଣୀଙ୍କ ରୋଷଦୃଷ୍ଟି, ଆପଣଙ୍କ ଉପରେ ପଡ଼ିବ ବୋଲି ଆପଣ କ’ଣ ଜାଣିପାରୁ ନାହାନ୍ତି ? ଆପଣ ଜଣେ ଆଇନଜ୍ଞ । ଆପଣ ଯେପରି ଆଜି ଏନକ୍ଵାରି କଲେ ତାହା କ’ଣ ଠିକ ହେଲା ? କିଏ କି ଅଭିସନ୍ଧି ରଖି ଆପଣଙ୍କ ଦ୍ଵାରସ୍ଥ ହୋଇଛି ତାହାର ଭିତରକୁ ନ ପଶି ଆପଣ ମୂଳରୁ ଅଭିଯୋଗକାରୀଙ୍କ ପାଲରେ ପଡ଼ିଯିବା ଦ୍ଵାରା ନିଜର ପଦମର୍ଯ୍ୟାଦା ହରାଇଛନ୍ତି । ତାହା ତ ଆପଣଙ୍କର ନିଜର କ୍ଷତି । ସେଥିପାଇଁ ଅନ୍ୟ ଲୋକ ବିବ୍ରତ ହେବା ଉଚିତ ହୋଇ ନପାରେ । କିନ୍ତୁ ଆପଣ ନିଜ କାର୍ଯ୍ୟଦ୍ଵାରା ଆମମାନଙ୍କ ପ୍ରତି ଯେଉଁ ଅନ୍ୟାୟ କରିଛନ୍ତି ତାହା ପାଇଁ ଦାୟୀ କିଏ ? ଆପଣ ଏ ମନ୍ଦିର ଭିତରେ ପଶିବାବେଳୁ ଦୁଷ୍ଟ ଲୋକଙ୍କର ମନୋରଞ୍ଜନ କରିବାକୁ ଯାଇଁ ନିରୀହ ଲୋକଙ୍କୁ କେତେ ଯାତନା ଦେଲେଣି ଜାଣୁଛନ୍ତି ତ ? ‘ବାବା’ ଯେଉଁ ସ୍ତ୍ରୀ ଲୋକ ସାଙ୍ଗେ ପ୍ରେମରେ ମାତିଛନ୍ତି ବୋଲି ଆପଣ ଫଇସଲା କରି ଆଜି ଏ ମନ୍ଦିରର ପରିଚାଳନା ପାଇଁ ଅନ୍ୟ ଜଣଙ୍କୁ ରଖୁଛନ୍ତି, ମୁଁ ସେଇ ସ୍ତ୍ରୀ ଲୋକ । ଆପଣ ତ ସଂସାରୀ ହୋଇଥିବେ ! ଆପଣଙ୍କ ଘରେ ତ ସ୍ତ୍ରୀ ଲୋକ ଥିବେ ! ସେମାନଙ୍କ ଚରିତ୍ର ଉପରେ ଆପଣ କ’ଣ ଏହିପରି ଧାରଣା କରି ପକାନ୍ତି ।’’

 

ସାହେବଙ୍କୁ ଏ ଶେଷ ପଦ ବଡ଼ ବାଧିଲା । ଆଜିକାଲି ସ୍ତ୍ରୀ ଲୋକମାନଙ୍କର ପରପୁରୁଷ ସଙ୍ଗେ ଅବାଧ ମିଳାମିଶା ତାଙ୍କୁ ସୁଖ ଲାଗେ ନାହିଁ । ଯୁଗର ଧର୍ମରେ ମାତି ସେ ନିଜର ଝିଅମାନଙ୍କୁ ସ୍ୱାଧୀନ ଭାବେ ଲୁଗାପଟା ଓ ଅଳଙ୍କାର ଦୋକାନକୁ ଛାଡ଼ନ୍ତି, କିନ୍ତୁ ଫେରିବାକୁ ଟିକିଏ ଉଛୁର ହୋଇଗଲେ, ‘ହାଣ୍ଡିଶାଳ ବିପ୍ଲବ’ ଆରମ୍ଭ କରିଦିଅନ୍ତି । ତାଙ୍କ ସ୍ତ୍ରୀ ତାଙ୍କୁ ସେଥିପାଇଁ ବହୁତ ଥର କହିଲେଣି, ‘‘ମାଇକିନିଆଙ୍କ ପ୍ରତି ଯଦି ଏତେ ସନ୍ଦେହ, ତେବେ ସେମାନଙ୍କୁ ଘରେ ବନ୍ଦ କରି ନ ରଖି ଦାଣ୍ଡକୁ ଛାଡ଼ୁଛ କାହିଁକି, ଏତେ ଅଶାନ୍ତି ଘଟାଉଛ କାହିଁକି ?’’ ଦୁର୍ଗାଙ୍କ ମୁହଁରୁ ସେଇ ମର୍ମରେ ଅଭିଯୋଗ ଶୁଣି ସେ ଆହୁରି ବିଚଳିତ ହୋଇଗଲେ ଓ ନିଜ ସ୍ତ୍ରୀଙ୍କର ବାକ୍ୟବାଣରୁ ରକ୍ଷା ପାଇବାକୁ ସେ ଯେଉଁ ମାର୍ଗ ଧରନ୍ତି ତାହାକୁ ଧରି କହିଲେ, ‘‘ଆପଣ ମୋତେ ଏପରି ଭାବରେ ଅପମାନ ଦେବା ଅତି ଅସୁନ୍ଦର ହେଉଛି । ଆପଣଙ୍କ ବିଷୟରେ ହୋଇଥିବା ଅଭିଯୋଗର ତ ବିଚାର ହୋଇନାହିଁ । ମୁଁ ଏନ୍‌କ୍ୱାରି କରିବାକୁ ଆସିଥିଲି, କିନ୍ତୁ ଆପଣଙ୍କ ‘ବାବା’ ମୋତେ ସେଥିପାଇଁ ସୁଯୋଗ ନ ଦେଇ ଏକାଥରକେ ଦେଉଳ ଛାଡ଼ି ଦେବାକୁ ତିଆର ।’’

 

ଦୁର୍ଗା ଆହୁରି ତେଜ ସ୍ଵରରେ କହିଲେ, ‘‘କୌଣସି ଅନୁସନ୍ଧାନ ନକରି ଆପଣ ବାବାଙ୍କୁ ‘ଜନ୍ତୁ’ ବୋଲି କହିଲେ କିପରି ? ଦେବୀମଣ୍ଡପ ପ୍ରେମ ସମ୍ଭାଷଣର ସ୍ଥାନ ବୋଲି କିଏ ଜଣେ କହି ଦେବାରେ ଆପଣ ତାଙ୍କୁ ଦାବିଦେବା କୁଆଡ଼େ ଗଲା, ଆପଣ ଖୁସିରେ ହସୁଥିଲେ କାହିଁକି ? ଆପଣଙ୍କ ଏ ବୃତ୍ତି ଦେଖି ଆପଣଙ୍କ ଏନ୍‌କ୍ୱାରି ନିରର୍ଥକ ବୋଲି ତ ଆଗରୁ ଜଳଜଳ ଦିଶିବାର କଥା-।’’

 

ଦୁର୍ଗାଙ୍କର ଏ ବାକ୍ୟ-ବାଣରେ ହାକିମ ଜର୍ଜରିତ ହୋଇଗଲେ । ସେ ତାଙ୍କ ପାଖରେ ଠିଆ ହୋଇଥିବା ଟୋକାଙ୍କ ଆଡ଼କୁ ସାହାଯ୍ୟ ପାଇଁ ଆଖି ବୁଲାଇଲେ । ସେମାନଙ୍କର ମଧ୍ୟ ଛତ୍ରଭଙ୍ଗ ଦେବା ଅବସ୍ଥା । ଯୋଗୀ ମାଷ୍ଟ୍ରେ ଦୁର୍ଗାଙ୍କ କଥା କହିବାର ଭଙ୍ଗୀ ଦେଖି ତାଙ୍କ ସହିତ ଗାର୍ହସ୍ଥ୍ୟ ଜୀବନ କି ରୂପ ଧରିଥା’ନ୍ତା କଳ୍ପନା କରି ଶଙ୍କିଯାଇଥାନ୍ତି । ସମସ୍ତେ ଚୁପ୍, କେବଳ ମାଳତୀ ଗୁଣୁ ଗୁଣୁ ସୁରରେ କହୁଥାଏ, ‘‘ପାଅ ପାଅ । ଘରର ବୋହୂକୁ ସେ ବିଚ୍‌ଦାଣ୍ଡରେ ଅପମାନ ଦିଏ, ତାକୁ ମା’ ବିମଳା ଶାସ୍ତି ଦେବେ । କ’ଣ ହେଲାଣି କି ? ଆଉ ଅଛି । ଯେତେ ଚୂଲିପଶା ସମସ୍ତେ ଏଇ ଅବୁଝାମଣା ହାକିମର ବହପ ପାଇ ଚାଲି ଆସିଥିଲେ, ମୋ’ ଦୁର୍ଗିକୁ ମାଙ୍କଡ଼ମୁହାଁ ଯୋଗିଆ ସାଙ୍ଗେ ପୁଆଣୀ କରି ଦେବେ ବୋଲି । ସମସ୍ତେ ଏତେ ତୁନି ହୋଇଥା’ନ୍ତି ଯେ ମାଳତୀର କଥା ଅଧିକାଂଶଙ୍କୁ ଶୁଣାଯାଉଥାଏ । ଏତିକିବେଳେ ବାବା ପାଟି ନ ପିଟାଇଥିଲେ ଯୋଗୀ ମାଷ୍ଟ୍ରଙ୍କ ପକ୍ଷ ଧରି ଆସିଥିବା ଜନତାଙ୍କ ଭିତରୁ କେତେକ ତାଙ୍କରି ବିରୁଦ୍ଧରେ ଉଠିବାର ଆଶଙ୍କା ଥିଲା ।

 

ବାବା ହାକିମଙ୍କୁ କହିଲେ, ‘‘ମହାଶୟ, ଅଦ୍ୟାପି ମୁଁ ଏ ଦେଉଳର ଦାୟିତ୍ଵରେ ଅଛି । ଆପଣ ମୋର ଅତିଥି । ଆପଣଙ୍କ ମନକୁ କଷ୍ଟ ଦେଲାଭଳି ପଦେ ଆପଣଙ୍କୁ ଏଠାରେ କେହି କହିବା ମୁଁ ସହିପାରିବି ନାହିଁ । ଅବଳାର ଇଜ୍ଜତ୍ ଉପରେ ପଡ଼ିଲେ ସେ ତୁନି ରହିପାରେ ନାହିଁ । ମା’ ଦୁର୍ଗା ଆପଣଙ୍କୁ ଯାହା କହିଛି, ସେଥିପାଇଁ ଆପଣ ତାହାର ଦୋଷ ଧରନ୍ତୁ ନାହିଁ । ତା’କୁ ଆପଣ ଆଗରୁ ଚିହ୍ନିଛନ୍ତି ବୋଲି କହିଲେ । ତାକୁ ଚିହ୍ନିବା ଲୋକ ତା’କୁ ସନ୍ଦେହ କରିବା ଅସମ୍ଭବ । (ଦୁର୍ଗାଙ୍କ ଆଡ଼କୁ ଚାହିଁ) ମା’ ! ତୁ କାହିଁକି ଏଠିକୁ ଆସିଲୁ, କହିଲୁ ଦେଖି ! ତୁ ତୋ ଘରକୁ ଯା ।’’

 

ବାବାଙ୍କ କଥା ଶୁଣି ମାଳତୀ ଆସି ଦୁର୍ଗାଙ୍କୁ ହାତ ଧରି ନେଇଗଲା । ହାକିମ କଟକ ଫେରିବାକୁ ଠିଆ ହେଲେ । ଗୋପାଳିଆ କହିଲା, ‘‘ହାକିମେ ଠାକୁରାଣୀଙ୍କୁ ଦର୍ଶନ ନ କରିଯିବେ-?’’ ହାକିମେ ସାଧାରଣତଃ କୌଣସି ଦେବାଦେବୀଙ୍କୁ ଦର୍ଶନ କରନ୍ତି ନାହିଁ । ପ୍ରଧାନ ଅନ୍ତରାୟ, ଜୋତା । ଆଜି ଜୀବନ୍ତ ଠାକୁରାଣୀଙ୍କ ତାଡ଼ନା ପାଇ ସେ ମନେକଲେ, ନିର୍ଜୀବ ଠାକୁରାଣୀ ଶହେ ଗୁଣରେ ଭଲ । ଓଷୁଅ ଖାଇଲା ପରି ମୁହଁକରି ସେ ଜୋତା କାଢ଼ିଲେ ଓ ମନ୍ଦିରର ବାହାର ଦରଜା ପାଖରେ ଯାଇ ଠିଆରେ ଗୋଟିଏ ମୁଣ୍ଡିଆ ମାଇଲେ । ବାବା ତାଙ୍କୁ ପାଦୁକ ଟିକିଏ ଦେବାରେ ସେ ତାହା ପାଟିକୁ ନ ନେଇ ମୁଣ୍ଡରେ ବୋଳି ଦେଲେ ।

 

ସେ ପୁଣି ଆସି ଜୋତା ପିନ୍ଧିଲା ବେଳକୁ ବେବର୍ତ୍ତା ତାଙ୍କ ଟ୍ରଙ୍କ୍‌ ଫିଟାଇ କହିଲେ, ‘‘ହଜୁର, ଏ କାଗଜପତ୍ର ଗୁଡ଼ାକରେ ଗୋଟାଏ ଗୋଟାଏ ଦସ୍ତଖତ୍‌ ମାରିଦେଲେ ମୁଁ ଛୁଟି ପାଆନ୍ତି ।

 

ହାକିମଙ୍କ ହାକିମି ଜାଗ୍ରତ ହେଲା । ସେ କହିଲେ, ‘‘ନା, ନା, ତା’ ବର୍ତ୍ତମାନ ହୋଇପାରିବ ନାହିଁ । ମୁଁ ସନ୍ଧ୍ୟା ପୂର୍ବରୁ କଟକରେ ପହଞ୍ଚିବା ଦରକାର । ତୁମର ମନ୍ଦିର ଯେପରି ଚାଲୁଛି ସେପରି ଚାଲୁଥାଉ । କିଛି ଦିନ ପରେ ମୋର ସହକାରୀ କମିସନର ଆସି କାଗଜପତ୍ର ଦେଖି ଯୋଗୀନାଥଙ୍କୁ ଚାର୍ଜ ଦିଆଇଦେବେ ।’’

 

ବେବର୍ତ୍ତାଙ୍କୁ ଦେବୋତ୍ତର ଆଇନ୍‌ ପ୍ରତି ଛତ୍ର ଜଣା । ସେ କହିଲେ, ‘‘ଆଜ୍ଞା, ଏ ମନ୍ଦିର କିଛି ଆପଣଙ୍କ ଡିପାଟ୍‌ମେଣ୍ଟର ନୁହେ । କାଗଜପତ୍ର ଆପଣଙ୍କୁ ଅଡ଼ିଟ୍‌ ପାଇଁ ପେସ୍‌ କରିବାକୁ ଆମେ ବାଧ୍ୟ ନୋହୁଁ । ମୋର ଏତିକି କହିବାର କଥା, ଆପଣ ଏ କାଗଜପତ୍ର ପାଇଲେ ବୋଲି ରସିଦ୍‌ ଖଣ୍ଡେ ଦେଲେ ହେଲା । ତା’ପରେ ଏଥିରେ ଯଦି ଜାଲ ଜୁଆଚୋରି ଥିବ, ଆପଣ ସିଭିଲ୍‌ କୋଟ କରିବେ ।’’

 

ହାକିମ ଏ କଥାର କ’ଣ ସିଧା ଜବାବ୍‍ ଦେବେ ଜାଣି ନ ପାରି, ‘ବାବା’ଙ୍କୁ କହିଲେ, ‘‘ଆପଣ କ’ଣ ଆଉ ହପ୍ତେ ଖଣ୍ଡେ ଏ ଦେଉଳ ଚଳାଇ ପାରିବେ ନାହିଁ ?’’

 

ବାବା କହିଲେ, ‘‘ନିତାନ୍ତ ବାଧ୍ୟ ନ ହେଲେ ମୁଁ ଏଠାରେ ମୁହୂର୍ତ୍ତେ ରହିବାକୁ ଚାହେ ନାହିଁ-। ମୁଁ ବୈରାଗୀ । ଗ୍ରାମବାସୀଙ୍କ ଶ୍ରଦ୍ଧାରେ ଧର୍ମ ହୁଡ଼ି ମୁଁ ଏଠାରେ ଏତେ କାଳ ରହି ପାଇଥିଲି-। ଆଜି ଦେଖୁଛି, ମୋ’ ପ୍ରତି ଲୋକଙ୍କର ସେ ଶ୍ରଦ୍ଧା ନାହିଁ । ଆଜି ସମସ୍ତେ ଚାହାନ୍ତି, ଯୋଗୀଙ୍କ ହାତକୁ ମନ୍ଦିର ଗଲେ ଭଲ ଚଳିବ । ମୁଁ ଅନ୍ତରାୟ ହେବି କାହିଁକି ? ଏବେ କେତେ ଦିନ ହେଲା, ଏ ଗାଁରେ ଯେଉଁ ବିଭ୍ରାଟ ଉପସ୍ଥିତ ହୋଇଛି ତାହାର ପ୍ରତିକାର ମୁଁ କରାଇପାରିଥାଆନ୍ତି, କିନ୍ତୁ ଆପଣ ଆସି ପହଞ୍ଚିବା ପରେ ପ୍ରତିକାର କରିବାର ଦାୟିତ୍ଵ ଆଉ ମୋ ଉପରେ ନାହିଁ । ମୁଁ ଜାଣୁଛି, ମୁଁ ଏଠାରୁ ଉଠିଗଲେ ଏ ମନ୍ଦିରଟିର ଅବସ୍ଥା ଖରାପ ହୋଇଯିବ; କିନ୍ତୁ ଉପାୟ କ’ଣ ? ଆପଣଙ୍କ ହାତରେ ପୁଲିସ୍ ଅଛନ୍ତି, ମେଜେଷ୍ଟର ଅଛନ୍ତି–ଆପଣ ଅବସ୍ଥା ସୁଧାରିବାକୁ ପ୍ରଯତ୍ନ କରିବେ । ଆମେ ବିନା କ୍ଷମତାରେ, ମା’ର ନାମରେ ଚଳୁ ଓ ଚଳାଉ । କିନ୍ତୁ ଆପଣଙ୍କ ବଳ ପାଇ ଆମ ବିରୁଦ୍ଧରେ ଲୋକମତ ଗଢ଼ି ଉଠିଲେ, ଆମର ଆଉ ଚାରା କ’ଣ ?’’

 

କମିସନର ସାହେବ ନିଜକୁ ଅଭିଯୁକ୍ତ ହେବାର ଦେଖି ଦୃଢ଼ ପ୍ରତିବାଦ କଲେ,‘‘ବାବା ! ମୁଁ ତ ଦେଖୁଛି, ଆପଣ ଖୁବ୍‍ ବଢ଼ି ବଢ଼ି କହୁଛନ୍ତି ! ଆପଣ କାହା ସାଙ୍ଗେ କଥାବାର୍ତ୍ତା ହେଉଛନ୍ତି ବୋଧହୁଏ ଜାଣନ୍ତି !! ଆପଣ କ’ଣ କହିବାକୁ ଚାହାନ୍ତି, ମୁଁ ଏ ଜନତାକୁ ଆପଣଙ୍କ ବିରୁଦ୍ଧରେ ଉତ୍‌କ୍ଷିପ୍ତ କରିଛି ?’’

 

ବାବା ଟିକିଏ ସୁଦ୍ଧା ବିଚଳିତ ନହୋଇ କହିଲେ, ‘‘ମୁଁ ଯାହା ନ କହିଛି ତାହା ଆପଣ କାହିଁକି ମନକୁ ଆଣୁଛନ୍ତି । ପ୍ରଥମେ ଗୋଟିଏ କଥା ଦେଖନ୍ତୁ, ଆପଣ ଯେଉଁମାନଙ୍କ ଅଭିଯୋଗ ପାଇ ଏଠାକୁ ଆସିଥିଲେ, ସେମାନେ ଏ ଦିଅଁଙ୍କୁ ମାନନ୍ତି କି ନାହିଁ ଆପଣ ବିଚାରିବାର କଥା । ଏତେଗୁଡ଼ିଏ ଲୋକ ଆପଣଙ୍କ ସଙ୍ଗେ ଠାକୁରାଣୀଙ୍କ ପାଖକୁ ଆସିଛନ୍ତି । କେତେ ଜଣ ଦର୍ଶନ କଲେ, ପାଦୁକ ପାଇଲେ, ଆପଣ ତ ଲକ୍ଷ୍ୟ କରିଥିବେ ? ଧନରତ୍ନ ମୁଁ କ’ଣ ଖାଇଯାଇଛି ବୋଲି କୌଣସି ଅଭିଯୋଗ ହୋଇଛି ? ଏକମାତ୍ର ଅଭିଯୋଗ, ମୁଁ ଗୋଟିଏ ଅବଳାକୁ ଏଠାରେ ଆଶ୍ରୟ ଦେଇଛି । ଦୈବାତ୍‌ ତାହାକୁ ମହାନଦୀ ଗର୍ଭରୁ ପାଇଲି । ମୁଁ ତାହାର ରକ୍ଷାକର୍ତ୍ତା–ପିତା । ମୋ ଆଶ୍ରୟରେ ନ ରହି ସେ ଆଉ କେଉଁଠି ରହିବ ? ଏ ଗ୍ରାମର ଯେଉଁମାନେ ମୋତେ ପିଲାଦିନରୁ ଦେଖୁଛନ୍ତି, ସେମାନେ ମୋର ଚରିତ୍ରରେ କ’ଣ ଦୋଷ ଦୁର୍ଗୁଣ ଦେଖିଛନ୍ତି ? ଯାହାଙ୍କ ନେତୃତ୍ଵରେ ସେମାନେ ସମସ୍ତେ ମାତିଛନ୍ତି, ତାଙ୍କ ଉପରେ କ’ଣ ସେମାନଙ୍କର ଖୁବ୍‌ ବିଶ୍ଵାସ ଅଛି ! ସେ ଚିଠି ଦେଇ ଆପଣଙ୍କୁ ଏଠାକୁ ଅଣାଇ ପାରୁଛନ୍ତି, ଏଇ ହେଲା ଲୋକଙ୍କର ତାଙ୍କୁ ଡରିବାର ପ୍ରଧାନ କାରଣ । ଏଥର ଆପଣ ବିଚାର କରନ୍ତୁ, ଆପଣଙ୍କ ବଳରେ ଏ ଗ୍ରାମର ବିଭ୍ରାଟ ତେଜିଛି ନା ନାହିଁ । ଆପଣମାନେ ଅବସ୍ଥା ସୁଧାରିବାକୁ ଯେଉଁ କର୍ମ–ପନ୍ଥାର କଳ୍ପନା କରିଛନ୍ତି, ତାହାର କର୍ମ–ପ୍ରଣାଳୀରେ ଅବସ୍ଥା ବେଳକୁ ବେଳ ଖରାପ ହେଉଛି । ଏହା ଯେଉଁଦିନ ବୁଝିପାରିବେ ସେହିଦିନ ସବୁ ଠିକ୍‌ ଚାଲିବ ।’’

 

ହାକିମ କ’ଣ କହିବାକୁ ବାହାରିଲା ବେଳକୁ ବାବା ପୁଣି କହିଲେ, ‘‘ମୁଁ ବଡ଼ ବଡ଼ କହୁଚି ବୋଲି ଆପଣଙ୍କୁ ବାଧୁଛି ! କାହିଁକି ? ମୁଁ ଏ ମନ୍ଦିରର ପୁଜାରୀ ଓ ଆପଣ ମନ୍ଦିର ଇଲାକାର ହାକିମ–ଏଇଥିପାଇଁ ତ ! ଆଜି ମୁଁ ସ୍ଥାନ ଛାଡ଼ୁଛି । ତା’ପରେ ? ଆପଣ ୪୦ ବର୍ଷର ଯୁବକ, ମୁଁ ୭୦ ବର୍ଷର ବୁଢ଼ା । ଏକା ଦେଶର ଲୋକ; ଆପଣ ମୋର ପୁତ୍ର ତୁଲ୍ୟ । ଆପଣଙ୍କର କାର୍ଯ୍ୟରେ କିଛି ଗଲତି ଦେଖିଲେ ମୁଁ ଯଦି ତାହା ଦେଖାଇ ନ ଦିଏ ତେବେ ମୁଁ ଠାକୁରାଣୀଙ୍କ ପାଖେ ଦ୍ରୋହୀ ହେବି । ଏପରି କଥା ଆପଣଙ୍କୁ ସୁଖ ନ ଲାଗିପାରେ, ଏଇ ଆଶଙ୍କାରେ ମୁଁ ଏପର୍ଯ୍ୟନ୍ତ ତୁନି ଥିଲି । କଥା ପଡ଼ିବାରୁ କହିବାକୁ ହେଲା । କ୍ଷମା କରିବେ ।’’

 

ହାକିମ ଅବଶେଷରେ ବାବାଙ୍କ ବ୍ୟକ୍ତିତ୍ଵ ଆଗରେ ଦବିଗଲେ । ଖୁବ୍‍ ନରମ ସ୍ଵରରେ ସେ ପଚାରିଲେ, ‘‘ଆପଣଙ୍କ ବିରୁଦ୍ଧରେ ଏପରି ଦରଖାସ୍ତ ହେବାର କାରଣ କ’ଣ ?’’

 

ବାବା–ସେ କଥା ତ ମୁଁ କହିବାର କଥା ନୁହେଁ । ଯାହାଙ୍କ ଉଦ୍ୟମରେ ଏ କାଣ୍ଡ ସବୁ ହୋଇଛି ତାଙ୍କୁ ପଚାରନ୍ତୁ ।

 

ହାକିମ–ସେ କିଏ ଆପଣ କହୁନାହାନ୍ତି ?

 

ବାବା–ତାହା ମଧ୍ୟ ମୋର କହିବାର ନୁହେଁ । ଆପଣ ପରା ଏନକ୍ଵାରି କରିବାକୁ ଆସିଛନ୍ତି ? ଆପଣ ବୁଝୁନାହାନ୍ତି ?

 

ହାକିମ ଜମା ହୋଇଥିବା ଗ୍ରାମବାସୀଙ୍କୁ ଚାହିଁଲେ । ଯୋଗି ମାଷ୍ଟ୍ରେ ଚାରି ପାଞ୍ଚ ଜଣ ଟୋକାଙ୍କୁ ଫୁସ୍‌ଫୁସ୍‌ କରି ପ୍ରବର୍ତ୍ତାଉଥାନ୍ତି, ହାକିମଙ୍କ ଆଗରେ ଅଭିଯୋଗ ବାଢ଼ିବାକୁ । ଜଣେ ଟୋକା ହାତ ହଲାଇ ବାବାଙ୍କ ଚରିତ୍ର ଉପରେ ଆକ୍ଷେପ କଲାବେଳକୁ, ଗ୍ରାମର ଜଣେ ଦରିଦ୍ର କୃଷକ, ବନ୍ଧୁ ନାୟକ ପାଟି କରି କହିଲା, ‘‘ଆରେ ଏ ଟୋକା ! ମହାତ୍ମାଙ୍କ ନାମରେ ଏମିତି ଗୁଡ଼ାଏ କହନା, ଜିଭ ଛିଡ଼ି ପଡ଼ିବ । ହାତ ହଲାଉଛୁ କେତେ ? ହାତ ରହିଯିବ । ଆରେ ! କିଛି ନ କହିବାରୁ ତୁମମାନଙ୍କ ମୁହଁ ବଢ଼ିଯାଉଛି । ବାବୁ ! ଏ ନାଟର ମୂଳ କଥା ମୁଁ କହୁଛି ।’’

 

ଯୋଗୀ ମାଷ୍ଟ୍ରେ ତା’କୁ କୁହାଇ ନ ଦେବାକୁ ଚଢ଼ା ଗଳାରେ କହିଲେ, ‘‘ଆଜ୍ଞା, ଏଇ ବୁଢ଼ାମାନଙ୍କୁ ବାବା ଗୁପ୍ତ ପରାମର୍ଶ ଦେଇ, ଲୋଭ ଦେଖାଇ ଆମ ବିରୁଦ୍ଧରେ ମତାଇଛନ୍ତି ।

 

ଆଉ ଜଣେ ବୁଢ଼ା ବାହାରି ପଡ଼ି କହିଲେ, ‘‘ଯୋଗୀ ! ତୁନି ହୁଅ । ଭଲ ଲୋକଙ୍କ ପାଟି ଫିଟିଲା ବେଳେ ତମେ ଆଉ କାହିଁକି ପାଟି କରୁଛ ? ତୁମେ ପରା କହୁଥିଲ, ‘ହାକିମ ବାବାଙ୍କୁ ତଡ଼ିବାକୁ ରାଏ ଦେଇ ସାରିଲେଣି । ଆଜି ଖାଲି ନୂଆ ମେନେଜର ହୋଇ ତୁମେ ନିଯୁକ୍ତ ହେବ ?’ ଏ ବର୍ଷ କେତେଜଣଙ୍କୁ ସଞ୍ଜାଧାନ ଛାଡ଼ିଦେବ ବୋଲି କହିଥିଲ, କହୁନାହଁ । (ହାକିମଙ୍କୁ) ବାବୁ ! ଏ ଫିସାଦିଆ ହାତରେ ଯଦି ମନ୍ଦିର ପଡ଼ିବ, ତେବେ ଏ ବେଢ଼ା ଭିତରେ ବିଲୁଆ ଚରିବେ ।’’

 

ଯୋଗୀ ମାଷ୍ଟ୍ରେ ବ୍ୟତିବ୍ୟସ୍ତ ହୋଇ ପଡ଼ିଲେ । ହାକିମ ତାଙ୍କୁ ଜିଜ୍ଞାସୁ ଦୃଷ୍ଟିରେ ଚାହିଁବାରେ ସେ କହିଲେ, ‘‘ଆଜ୍ଞା, ବାବା ଏଠାରୁ ଚାଲିଯାଆନ୍ତୁ ବୋଲି କୌଣସି ଦରଖାସ୍ତରେ ଲେଖା ନାହିଁ । ଆମେ କେବଳ ଚାହୁ–’’

 

ଆଉ ଜଣେ ବୁଢ଼ା ଯୋଡ଼ି ଥିଲେ, ‘‘ତମେ ଚାହ, ବାବା ଅକଳରେ ପଡ଼ି ସେ ଯୁବତୀ ବିଧବାଟିକୁ ତୁମ ସଙ୍ଗେ ବିଭା କରେଇ ଦେବେ ! ନାଇଁ କ’ଣ ?’’

 

ଜଣେ ଯୁବକ ଆପତ୍ତି କଲେ, ‘‘ଦେବ ମନ୍ଦିରରେ କ’ଣ ସ୍ତ୍ରୀଲୋକ ରହିବାର କଥା ?’’

 

ବୃଦ୍ଧ ଜବାବ ଦେଲେ, ‘‘ନା, ନା, ଯେତେ ଅରକ୍ଷ ସ୍ତ୍ରୀଲୋକ ସମସ୍ତେ ତୁମରି ପରି ଗୁଣ୍ଡାଙ୍କ ଘରେ ଯାଇ ରହିଲେ ତୁମକୁ ଭଲ ହୁଅନ୍ତା । ଓଃ, କି କାଳ ହୋଇଛି ! ହାକିମ ୟା’ କହିଛନ୍ତି, ତା’ କହୁଛନ୍ତି ବୋଲି କହି ଆମକୁ ଏ ପଞ୍ଝା କେତେ ନ ନଚେଇଲେ ?’’

 

ହାକିମ ଚିତ୍ରାର୍ପିତ ପରି ଏ ସବୁ ଶୁଣୁଥାନ୍ତି । ଶେଷରେ ସେ ବାବାଙ୍କୁ ଚାହିଁ କହିଲେ, ‘ବାବା ! ଆପଣ ଠିକ୍‌ କହିଥିଲେ, ମୋ’ରି ବଳରେ ଏ ସବୁ ଅନିଷ୍ଟ ହୋଇଛି ! ଆଜି ଏଠାକୁ ଆସି ମୋର ବହୁତ ଲାଭ ହୋଇଛି । ଆପଣଙ୍କର ଅନିଷ୍ଟ କରିବା ମୋ କ୍ଷମତାର ବାହାରେ । ଯେଉଁ ଭଦ୍ରମହିଳାଙ୍କୁ ମୁଁ ଅପମାନିତ କରିଛି ତାଙ୍କୁ କ୍ଷମା ପ୍ରାର୍ଥନା କଲେ ମୁଁ ବିଦାୟ ନେବି ।’

 

ବାବା–ମହାଶୟ, ମୋର ଦୃଢ଼ ବିଶ୍ୱାସ, ସେ ଅପମାନିତ ହୋଇଛି ବୋଲି ମନେ କରୁନାହିଁ । ସଂସାରରେ ରହିଲେ, ଏଇପରି ସବୁ ଅନୁଭୂତି ଅର୍ଜନ କରିବାକୁ ହୁଏ । ଏଥିରେ ମାନ ଅପମାନର କଥା କାହିଁକି ଉଠିବ ? ଆଜି ଯାହା ହେଲା, ସେଥିରେ ଏ ଗାଁରେ ଶାନ୍ତି ଆସିଲେ ସରୁ ମିଳିଲା ବୋଲି ବୁଝିବାକୁ ହେବ ।

 

ହାକିମ ନିଜର ଅର୍ଦ୍ଦଳି ଆଡ଼କୁ ରୋଷ–ଦୃଷ୍ଟିରେ ଚାହିଁ ବାବାଙ୍କୁ କହିଲେ, ‘‘ଆପଣଙ୍କର ଏଇ ଫିସାଦିଆ ଯୋଗିଆ ମୋର ଅର୍ଦ୍ଦଳି ବସାରେ ଯାଇ ରହି, ତାହାରି ମୁହଁରେ ମୋତେ ଆପଣଙ୍କ ନାମରେ ଗୁଡ଼ାଏ କୁଚ୍ଛା ଶୁଣାଇଥିଲା । ତେଣୁ ମୁଁ ଆପଣଙ୍କ ନାମରେ ଖୁବ୍‌ ବିରକ୍ତ ହୋଇ ଆସିଥିଲି । ଯାହା ହେଉ ଆପଣ ମହାତ୍ମା । ଆପଣ ଆଜିର ଏ ଘଟଣା ମନରେ ରଖିବେ ନାଇଁ ।’’

 

ବାବା–ମହାଶୟ, ଆପଣ ଏପରି କହି ମୋତେ ଅପଦସ୍ଥ କରୁଛନ୍ତି; ଯୋଗୀ ମୋର ନିଜ ଲୋକ; ତା’ ବାପ ମଲାବେଳେ ତା’କୁ ମୋ ହାତରେ ଦେଇଯାଇଛି । ସେ ଯାହା ଦୋଷ କରିଛି ତାହା ଆପଣ ଭୁଲିଯାନ୍ତୁ । ଆପଣଙ୍କ ଅର୍ଦ୍ଦଳିକୁ ମଧ୍ୟ ମାଫ୍‌ ଦିଅନ୍ତୁ । ଆପଣ ଯଦି ସେମାନଙ୍କ ଉପରେ ଦଣ୍ଡବିଧାନ କରିବେ, ତେବେ ମୋତେ ବାଧ୍ୟ ହୋଇ ଏଠାରୁ ଚାଲିଯିବାକୁ ହେବ !

 

ହାକିମ ଏ ଲୋକର ପରସ୍ପର ବିରୋଧୀ କଥା ଶୁଣି ଇତସ୍ତତଃ ହେଲେ । ଯାହାର କୁଚକ୍ରରେ ସେ ଆପେ ଚାଲିଯିବାକୁ କହୁଥିଲେ, ଏବେ ତା’କୁଇ ରକ୍ଷା କରିବାକୁ ଚାଲିଯିବାକୁ ତିଆର । ଏଭଳି ଦୁଷ୍ଟ ଓ ସନ୍ଥଙ୍କ ପାଲରୁ ରକ୍ଷା ପାଇବାକୁ ସେ ଉଠିଲେ, କଟକ ଫେରିବାକୁ । ବାବା ତାଙ୍କୁ ବାଟେଇ ଦେବା ସକାଶ ତାଙ୍କ ସାଙ୍ଗରେ ଆସିଲେ । ସେତେବେଳକୁ ମୁହଁ ସଞ୍ଜ ହୋଇ ଆସିଲାଣି । ହାକିମ ସମସ୍ତଙ୍କଠାରୁ ବିଦାୟ ନେଇ ମଟରରେ ବସିଲେ । ଡ୍ରାଇଭର୍‌ ମଟର ଷ୍ଟାର୍ଟକରି ଆଲୁଅ ଜଳାଇଲା ବେଳକୁ ଆଲୁଅ ନ ଜଳେ ।

 

ହାକିମ ଡ୍ରାଇଭରକୁ ଧମକାଇବାରେ ସେ କହିଲା, ‘‘ହଜୁର ! ମୁଁ ଚାରି ଦିନ ହେଲା କହିଲିଣି, ଆଲୁଅ ବେଳେ ବେଳେ ଗୋଳମାଳ କରୁଛି । ଆଜି ବାହାରିଲାବେଳେ ଆପଣଙ୍କୁ କହିଲି, ଆପଣ କହିଥିଲେ ସନ୍ଧ୍ୟା ପୂର୍ବରୁ ଫେରି ଆସିବା ବୋଲି ।’’

 

ବାବା ହସି ହସି କହିଲେ, ‘‘ବାବୁ ! ଏ’ ତ ଠାକୁରାଣୀଙ୍କର ମାୟା । ତା’ର ଇଚ୍ଛା, ଆପଣ ଆଜି ରାତିଟି ଏଇ ମନ୍ଦିରରେ କଟାଇବେ ।’’

 

ଚୋର ପରି ଖଣ୍ଡେ ଦୂରରେ ଠିଆ ହୋଇଥିବା ଯୋଗୀ ମାଷ୍ଟ୍ରଙ୍କୁ ବାବା କହିଲେ, ‘ଯୋଗୀ, ଯାଅ, ରୋଷେଇଆକୁ କହିବ ଆଜି ମହୋତ୍ସବର ବ୍ୟବସ୍ଥା କରୁ । ତମେ ସମସ୍ତେ ଆଜି ପ୍ରସାଦ ପାଇବ । ସଂକୀର୍ତ୍ତନ–ମଣ୍ଡଳକୁ ଖବର ଦିଅ । ଭାଗବତ ପାଠ ଓ ସଂକୀର୍ତ୍ତନରେ ଆଜି ପହରେ କଟୁ ?

 

ହାକିମ ସର୍କସ–ବାଘ ପରି ମୋଡ଼ି ଭିଡ଼ି ହୋଇ ମଟରରୁ ଓହ୍ଲାଇ କହିଲେ, ‘ମୁଁ ଶେଯ, ମଶାରି କିଛି ଆଣି ନାହିଁ । ଏଇ ଅର୍ଦ୍ଦଳି ଯୋଗୁଁ ମୁଁ ଆଜି ଏତେ ହୀନସ୍ତା ହେଲି ।’’

 

ବାବା କହିଲେ, ‘‘ତା’ର ଦୋଷ ଠାକୁରାଣୀ ମୁଣ୍ଡେଇବେ । ମନ୍ଦିରର ଅତିଥିଶାଳାରେ ଶୋଇବାର ବ୍ୟବସ୍ଥା ଅଛି । ସଫା ଚାଦର ଓ ମଶାରିର ଅଭାବ ରହିବ ନାହିଁ । ଆପଣ ଆସନ୍ତୁ, ଆଳତୀ ବେଳ ହୋଇଯାଉଛି ।’’

 

ହାକିମ ପୁଣି ମନ୍ଦିରକୁ ଫେରିଲା ବେଳେ, ଦି’ପହରେ ସେ ମନରେ ଯେଉଁ ଧାରଣା ଧରି ମନ୍ଦିରରେ ପଶିଥିଲେ, ସେକଥା ମନେ ପକାଇ ଲଜ୍ଜିତ ହେଲେ । ବାବାଙ୍କ ପ୍ରତି ତାଙ୍କର ଶ୍ରଦ୍ଧା ବିଶେଷ ବଢ଼ିଥାଏ । ସେହି ଶ୍ରଦ୍ଧାରେ ସେ ଭାଗବତ ଶୁଣିବାକୁ ଆକୃଷ୍ଟ ହେଲେ । ମଫସଲର ଗୋଟାଏ ମନ୍ଦିରର ଅଶିକ୍ଷିତ ପୂଜାରୀ ପାଖେ ବସି ସେ ଭାଗବତର ବ୍ୟାଖ୍ୟା ଶୁଣିବେ, ଏହା ସେ ସ୍ୱପ୍ନରେ ସୁଦ୍ଧା ଭାବି ନ ଥିଲେ । ନିଜର ଏ ଅଧଃପତନରେ ଅନୁତପ୍ତ ହୋଇ ସଂକୀର୍ତ୍ତନ ଓ ମହୋତ୍ସବରେ ଯୋଗ ନ ଦେଇ ସେ ବିଶ୍ରାମ କରିବାକୁ ଗଲେ ! ବେବର୍ତ୍ତା ତାଙ୍କର ଚର୍ଚ୍ଚା କରିବାରେ ଲାଗିଥାନ୍ତି; ଦୁର୍ଗା ତାଙ୍କ ପାଇଁ ଖାଇବାକୁ ଆଣି ଦେଲେ; ଗୋପାଳିଆ ଶେଯ ପାରି ଗୋଡ଼ ଘଷି ଦେଇଗଲା । ମନ୍ଦିରର ଦ୍ୱାର ବନ୍ଦହେବା ବେଳେ ବାବା ଆସି ତାଙ୍କର କୁଶଳ ପଚାରି ଶୋଇବାକୁ ଗଲେ ।

 

ସକାଳେ ବାବାଙ୍କଠାରୁ ବିଦାୟ ନେଇ କଟକ ଫେରିଲା ବେଳକୁ ସାହେବ ବାବାଙ୍କର ଭକ୍ତ ହୋଇ ସାରିଥାନ୍ତି । ମଟର ଛାଡ଼ିବା ପୂର୍ବରୁ ସେ କହିଲେ, ବାବା ! ଆପଣଙ୍କ ସଙ୍ଗେ ପରିଚୟ ହେବାରୁ ମୁଁ ବଡ଼ ପ୍ରୀତ ହେଲି । ବାସ୍ତବିକ ମୋର ମନ ହେଉଛି, ଆପଣଙ୍କ ପାଖରେ ମୁଁ କେତେ ଦିନ ରହନ୍ତି ।’’

 

ବାବା କହିଲେ, ‘‘ବାପା ! ସେ’ ତ ମୋର ଭାଗ୍ୟ । ଆପଣମାନଙ୍କ ସଙ୍ଗ ପାଇଲେ ଆମମାନଙ୍କର ବହୁତ ଲାଭ ।’’

 

ହାକିମ–ଆପଣଙ୍କ ଅପେକ୍ଷା ମୋର ତ ଅଧିକ ଲାଭ ହୁଅନ୍ତା । ସମୟ ପାଇଲେ ପୁଣି ଆସିବି । ଆମ ଦେଶରେ ଆପଣଙ୍କ ପରି ସାଧୁ ବିରଳ ।

 

ବାବା–ନାଇଁ, ନାଇଁ, ବାପା ! ଶ୍ରଦ୍ଧା ଯୋଗୁଁ ଆପଣ ସେପରି ବିଚାରୁଛନ୍ତି । ଭାରତରେ ସାଧୁସନ୍ଥଙ୍କର ଅଭାବ ନାହିଁ । କର୍ମ ଜଞ୍ଜାଳରେ ଆପଣମାନଙ୍କୁ ସୁବିଧା ମିଳୁନାହିଁ, ସେମାନଙ୍କୁ ଦେଖିବାକୁ ।

 

ହାକିମ–ଇଂରେଜ ହାକିମମାନେ ନିଜ ବେହେରା ଖାନସାମାଙ୍କ ସଙ୍ଗେ ଚଳୁଥିଲେ । ଆମର ପରିସର ଟିକିଏ ବଢ଼ିଛି; ମଫସଲର ଟାଉଟର ଓ ମାମଲତକାରଙ୍କ ହାବୁଡ଼ରେ ଆମ୍ଭେମାନେ ପଡ଼ିଯାଇଛୁ ।

 

ବାବା ହସି ହସି କହିଲେ, ‘‘ମୋର ତ ଆନନ୍ଦ, ସେଇମାନଙ୍କୁ ଅନୁଗ୍ରହରୁ ମୋର ଆପଣଙ୍କ ସଙ୍ଗେ ପରିଚୟ ହେଲା । ଠାକୁରାଣୀର କାର୍ଯ୍ୟରେ ଦିନଟି କଟିଯାଉଥିବାରୁ ମୋତେ ସମୟ ହୁଏ ନାହିଁ, ଏ ମନ୍ଦିରରୁ ବାହାରିବାକୁ ।’’

 

ଯୋଗୀ ମାଷ୍ଟ୍ରେ ଓ ତାଙ୍କର ସହକର୍ମୀମାନଙ୍କ ବିଦାୟ ସମ୍ବର୍ଦ୍ଧନା ଗ୍ରହଣ କରି ହାକିମ ତାଗିଦ୍‌ କରିଗଲେ, ‘‘ତୁମେମାନେ ନିଜର ରୀତି ବଦଳେଇ ଗାଁର ପ୍ରକୃତ ମଙ୍ଗଳରେ ଲାଗ ।’’

 

ଯୋଗୀ ମାଷ୍ଟ୍ରେ କିଛି ଉତ୍ତର ଦେଲେ ନାହିଁ । ତାଙ୍କ ପାଖରେ ଠିଆ ହୋଇଥିବା ଜଣେ କଲେଜଛାତ୍ର ମଟର ଛାଡ଼ିବା ପରେ କହିଲା, ‘‘ଏଡ଼େ ଲହକା ଲୋକଟାଏ କ’ଣ ହାକିମି କରିବ ।’’

☆☆☆

 

ଉଦ୍ୟମ କଲେ ଯେତିକି ନକଲେ ସେତିକି

 

ସେଦିନ ବିମଳା ମନ୍ଦିରରେ ଯେଉଁ ଝଡ଼ ତୋଫାନ ବହିଗଲା, ତହିଁ ଆରଦିନକୁ ତାହାର ବିଶେଷ କିଛି ଲକ୍ଷଣ ରହିଲା ନାହିଁ । ଖରାଦିନିଆ ବର୍ଷା ପବନରେ ଗୁଡ଼ାଏ ଶବ୍ଦ ହୁଏ, ମାଟି ଟିକିଏ ଓଦା ହୋଇଯାଏ, ଚାଳରୁ ପୁଳାଏ ଦି’ପୁଳା ନଡ଼ା ଉଡ଼ିଯାଏ, ଦିନେ ଖଣ୍ଡେ ବାୟୁମଣ୍ଡଳ ଟିକେ ପରିଷ୍କାର ରହେ ! ତା’ପରେ ପୂର୍ବର ଅବସ୍ଥା ଫେରିଆସେ । ଏଠାରେ ସେହିପରି ହେଲା । ସେ ଦିନର ସ୍ମୃତି ଦିନେ ଖଣ୍ଡେ ସମସ୍ତଙ୍କ ମନରେ ରହିଲା । ନିଜର ନିତ୍ୟନୈମିତ୍ତିକ କାର୍ଯ୍ୟ ଭିତରେ ବେବର୍ତ୍ତା ଦିନେ ଦୁଇ ଦିନ ପର୍ଯ୍ୟନ୍ତ ମଝିରେ ମଝିରେ ହାକିମଙ୍କ ଆସିବା ବେଳ ଓ ଯିବା ବେଳ ମନେ ପକାନ୍ତି । ଯୋଗୀମାଷ୍ଟ୍ରଙ୍କ କାରସାଦି ସ୍ମରଣ କରି, ଘୃଣାରେ ଟିକିଏ ନାକ ଟେକି ହୋଇଯାଏ-। ମାଳତୀ ସବୁ କାମ କରୁଥାଏ; ମନକୁ ମନ ସେ ଦିନର ଘଟଣା ଉପରେ ଆଲୋଚନା କରି ଅନ୍ୟକୁ କହିଲା ପରି, ନିଜକୁ ନିଜେ ତୁଣ୍ଡ ଶୁଣାଇ କହୁଥାଏ । ଗୋପାଳିଆ ବିଶେଷ କିଛି ଭାବୁ ନଥାଏ । କେତେବେଳେ କିମିତି ବିଜୁଳି ମାରିଲା ପରି ସେ ଦିନର ଘଟଣା ମନକୁ ଚାଲି ଆସିଲେ, ମୁହଁ ଟିକେ ହସ ହସ ହୋଇଯାଏ । ବାବାଙ୍କୁ ଦେଖି କିନ୍ତୁ କିଛି ଜଣା ପଡ଼ୁ ନ ଥାଏ । ସେଦିନର ଘଟଣା ପ୍ରକୃତ ଘଟିଛି କି ନାହିଁ, ବୋଧହୁଏ, ସେ ବିଷୟରେ ସେ ନିଜେ ବି ସ୍ଥିରନିଶ୍ଚିତ ନଥାନ୍ତି-। ତାଙ୍କୁ ପ୍ରସନ୍ନ ମୁଖମଣ୍ଡଳରେ ଟିକିଏ ହେଲେ କେଉଁଠି ଦାଗ ଦେଖାଯାଉନଥାଏ ।

 

କିନ୍ତୁ ଦୁର୍ଗାଙ୍କୁ ଦେଖି ବାବା ଜାଣି ପାରୁଥାନ୍ତି ସେ ତାଙ୍କ ମନରେ ଗୋଟାଏ କ’ଣ ଦ୍ଵନ୍ଦ୍ଵ ଚାଲିଛି । ଦୁଇ ଦିନ ଯିବା ପରେ ଦୁର୍ଗା ମଣ୍ଡଳ ଓଳାଇ ଠାକୁରାଣୀଙ୍କୁ ମୁଣ୍ଡିଆ ମାରି ତଳକୁ ଓହ୍ଲାଇ ଗଲାବେଳେ ବାବା ଡାକିଲେ, ‘‘ମା’ ! ଏଠାରେ ଟିକିଏ ବସ । ମନକୁ ଥୟ କରିବାରେ ଏତେ ବିଳମ୍ବ ହେଉଛି କାହିଁକି ?’’

 

ଦୁର୍ଗା ଛଳ ଛଳ ଆଖି କରି କହିଲେ, ‘‘ବାବା ! ମୋର ମନ ଭାରି ଘାଣ୍ଟି ହେଉଛି । ବିଚାରିଥିଲି, ଆପଣଙ୍କଠାରେ ପୂର୍ଣ୍ଣ ଆତ୍ମସମର୍ପଣ କରିଛି; କିନ୍ତୁ ପାରିନାହିଁ । ଆପଣଙ୍କୁ ମୁଁ ବୁଝି ପାରିନାହିଁ ।’’

 

ବାବା ହସି ହସି କହିଲେ, ‘‘ଯାହା ବିଚାରୁଛୁ ତାହା ପରିଷ୍କାର କରି କହିଲେ ସିନା ହେବ-! ସେଦିନ ମୁଁ ବିନା ଆପତ୍ତିରେ ଏ ସ୍ଥାନଟା ଛାଡ଼ି ଯିବାକୁ ବାହାରିବା ତୋର ପସନ୍ଦ ହୋଇନାହିଁ-। ନାହିଁ ମା’ ?’’

 

ଦୁର୍ଗାଙ୍କ ମୁଖମଣ୍ଡଳ ଟିକିଏ ଉଜ୍ଜ୍ୱଳ ହୋଇଗଲା । ‘‘ମୁଁ ତ ସେହି ଦିନଠାରୁ ଏହି ଗୋଟିକ କଥା ବିଚାରୁଛି । ସେଦିନ ସବୁ ଛାଡ଼ି ଛାଡ଼ି ଚାଲିଯିବା କ’ଣ ଭଲ ହୋଇଥାନ୍ତା ?’’ ବାବା ହସି ହସି ଉତ୍ତର ଦେଲେ, ‘‘ସେଥିରେ ଆଉ ପଚାରିବାର କ’ଣ ଅଛି ? ଯଦି ଭଲ ହୋଇଥାନ୍ତା, ତେବେ ତ ଯାଇଥାଆନ୍ତେ । ନଯାଇଥାଇଁ ଯେତେବେଳେ ଯିବା ଭଲ ହୋଇନଥାନ୍ତା ବୋଲି ପ୍ରମାଣ ହୋଇଗଲା ।’’

 

ଦୁର୍ଗା ପ୍ରତିବାଦ କଲେ, ‘ତେବେ କ’ଣ ଯାହା ହେଉଛି ତାହା ହିଁ ଭଲ ?’’ ବାବା କହିଲେ, ‘‘ଆଉ ତେବେ କ’ଣ ? କୌଣସି ଘଟଣା ଘଟିବା ଆଗରୁ ଏପରି କଲେ ଭଲ, ସେପରି କଲେ ଭଲ ବୋଲି ବିଚାର ହେଉଥାଏ । ଘଟଣାଟି ଘଟିବା ପରେ, ତାହାକୁ ସ୍ୱୀକାର କରିନେବାକୁ ହେବ । କେହି ଅନନ୍ୟଗତ ହୋଇ ମାନିଯାନ୍ତି; ଅନ୍ୟ କେହି ଏପାଖ ସେପାଖ ଉଭୟ ପାଇଁ ପ୍ରସ୍ତୁତ ହୋଇ ରହିଥାନ୍ତି । ଯାହା ଘଟିବାର ଘଟେ । ମୁଁ କଲି, ମୁଁ କରିପାରିଲି ନାହିଁ–ଏହିପରି ଯେ ବିଚାରେ ସେ ସୁଖ ଦୁଃଖ ଭୋଗ କରେ । ସେ ସବୁଥିପାଇଁ ପ୍ରସ୍ତୁତ ହୋଇ ରହିଥାଏ, ତାହାର ‘ରାମାୟ ସ୍ୱାହା, ରାବଣାୟ ସ୍ୱାହା’ । ଅଳ୍ପ ବହୁତେ ସମସ୍ତଙ୍କର ଏହି ଭାବ ଆସେ, କାହାର ଟିକେ ଆଗ, କାହାର ଟେକି ପଛ ।’’

 

ଦୁର୍ଗାଙ୍କ ମନରେ ସଂଶୟ ଅଧିକ ହେଲା । ସେ ପଚାରିଲେ, ‘‘ତେବେ କ’ଣ ଆମ ପ୍ରତି ଯେ ଯାହା ଅନ୍ୟାୟ କରିବ, ଅତ୍ୟାଚାର କରିବ, ତାହାର ଆମେ ପ୍ରତିକାର ବା ପ୍ରତିବାଦ କରିବା ନାହିଁ ?’’

 

ବାବା କହିଲେ, ‘‘ପାରିବ ଯଦି ପ୍ରତିକାର କର, ପ୍ରତିବାଦ କର । କିନ୍ତୁ ଉପାୟ ଚିନ୍ତା କଲାବେଳେ, ଅପାୟ ତ ଚିନ୍ତା କରିବାକୁ ହୁଏ । ପ୍ରତ୍ୟେକଙ୍କର ଏପରି ଗୋଟିଏ ସମୟ ଆସିବ, ଯେତେବେଳେ ପ୍ରତିବାଦ ବା ପ୍ରତିରୋଧ କ୍ଷମତା ଚାଲିଯିବ । ସେତେବେଳେ ମନ ପ୍ରତିବାଦ କରୁଥିବ, ଶରୀର ପାରୁନଥିବ; ଘୋର ଅଶାନ୍ତି ହେବ । ସେ ଅଶାନ୍ତିର ନିରାକରଣ ପାଇଁ ଆଗରୁ ତିଆର ହୋଇଥିବା ଉଚିତ । ମୁଁ ବହୁଦିନ ବଞ୍ଚିଲିଣି; ଏପରି ଅବସ୍ଥା ସକାଶ ଚେଷ୍ଟା କରି କରି ଟିକିଏ ଆର ହୋଇଗଲାଣି; ତେତେ ଆଉ ଟିକିଏ ବେଳ ଲାଗିବ ।’’ ଦୁର୍ଗା ଚିନ୍ତିତ ହେଲେ, ପଚାରିଲେ, ‘‘ବାବା, ମୂଳରୁ ଏହିପରି ମନକୁ ଗଢ଼ିଲେ ତ ମଣିଷ ନିଷ୍କ୍ରିୟ ହୋଇଯିବ । ଚାରିଆଡ଼େ ଅନ୍ୟାୟ ଅତ୍ୟାଚାର ଚାଲିଥିବ, ନିଜେ ତାକୁ ସହିଯିବାଦ୍ଵାରା ମଣିଷ ଅନ୍ୟାୟକୁ ପ୍ରଶ୍ରୟ ଦେବ ।’’

 

ବାବା ଉତ୍ତର ଦେଲେ, ‘‘ତା’ କିଏ କହିଲା ? ଅନ୍ୟାୟ ବିରୁଦ୍ଧରେ ପ୍ରତିବାଦ କରିବା ମଣିଷର ସ୍ଵଭାବ । କିଏ କାର୍ଯ୍ୟରେ ପ୍ରତିବାଦ କରୁଛି, କିଏ ମନରେ ପ୍ରତିବାଦ କରୁଛି । ଦେହରେ ବଳ ଥିଲେ ଲୋକେ କାର୍ଯ୍ୟରେ ପ୍ରତିବାଦ କରନ୍ତି, ବଳ ନ ଥିଲେ ମନରେ ପ୍ରତିବାଦ କରନ୍ତି । ପ୍ରତିବାଦ ସମାନ । ତାହାର ପ୍ରକାଶ ଅଲଗା ଅଲଗା । ଧର, ଆମେ ଦୁହେଁ ଏହିଠାରେ ବସିଥାଇଁ, ଗୋଟିଏ ମହାବଳ ବାଘ ବେଢ଼ା ଭିତରେ ପଶିଲା । ତୁ ପଳାଇଯାଇ ଆତ୍ମରକ୍ଷା କରିବୁ । ମୁଁ ଧାଇଁପାରିବି ନାହିଁ, କିନ୍ତୁ ଆତ୍ମରକ୍ଷା ତ କରିବି ! ବାଘକୁ ଆଖି ଦେଖାଇ ଡରାଇବି ।’’

 

ଦୁର୍ଗା ପୁଣି ପଚାରିଲେ, ‘‘ପ୍ରତିବାଦ ନ କରି ଆମେ ଛାଡ଼ି ଯାଇଥିଲେ, ଏ ସ୍ଥାନଟି ତ ଖରାପ ହୋଇ ଯାଇଥାନ୍ତା ? ସର୍ବସାଧାରଣ ସମ୍ପତ୍ତି ବରବାଦ ହୋଇଥାଆନ୍ତା ।’’

 

ବାବା କହିଲେ, ‘‘ସେଇଥିପାଇଁ ତ ଆମେ ରହିଲେ । ସେଦିନ ସେ ବୁଢ଼ା ହାକିମଙ୍କୁ କ’ଣ କହିଲା, ଶୁଣିଲୁ ନାହିଁ ? ଆମେ ରହିଲେ ଭଲ ହୁଅନ୍ତା କି ମନ୍ଦ ହୁଅନ୍ତା, ସେ କଥା କ’ଣ ଆମେ ବିଚାରିବାର କଥା ? ବୁଢ଼ା କହିଲା, ହାକିମଙ୍କ ହୃଦ୍‌ବୋଧ ହେଲା । ସେ ଆନନ୍ଦରେ ଫେରିଲେ । ତାଙ୍କ ସହିତ ଯଦି ଆମେ କଳି ତକରାଳ କରିଥା’ନ୍ତେ, ତେବେ ବିଷୟଟିର ଏଡ଼େ ସୁନ୍ଦର ଭାବରେ ନିଷ୍ପତ୍ତି ହୋଇଥାନ୍ତା କି ? ମୋର ତ ବିଶ୍ୱାସ ହେଉଛି, ସେଦିନ ହାକିମଙ୍କ ମନ ଯେପରି ବଦଳିଲା, ଦିନେ ଯୋଗୀର ମଧ୍ୟ ସେହିପରି ମନ ବଦଳିବ ।’’

 

ଯୋଗାଁମାଷ୍ଟ୍ରଙ୍କର ଖୁବ୍ ଆୟୁଷ–ତାଙ୍କରି ନାମ ପଡ଼ିବାର ଦଣ୍ଡକ ଭିତରେ ସେ ସଦର ଫାଟକ ବାଟେ ବେଢ଼ା ଭିତରେ ପଶିବାର ମଣ୍ଡପଠାରୁ ଦେଖାଗଲା । ତାଙ୍କ ସଙ୍ଗରେ ଆଉ ଜଣେ ଭଦ୍ରଲୋକ । ପୋଷାକପତ୍ର ଲକ୍ଷ୍ୟ କରି ଗୋପାଳିଆ ଟିପ୍ପଣୀ କଲା, ‘‘ୟେ ତ ଜଣେ କଟକିଆ ବାବୁ ପରି ଜଣାଯାଉଛି । ବାବା ଯୋଗିଆକୁ ଭଲ ମଣିଷ କରିବାକୁ ଲାଗିଛନ୍ତି ଯେ, ହେଇଟି ସେ ଆଉ ଜଣେ ହାକିମ ଆଣିଲାଣି । ଯାହା ହେଉ, ଆଜି ଆଉ ଗାଁବାଲା ତା’ ପଛରେ ଗୋଡ଼ାଉ ନାହାନ୍ତି !’’

 

କଟକର ଜଣେ ଭଦ୍ରଲୋକ ଆସିବାର ଶୁଣି ବିଶେଷ କରି ଯୋଗୀମାଷ୍ଟ୍ର ଆସୁଥିବାର ଶୁଣି ଦୁର୍ଗା ସେ ଆଡ଼କୁ ନ ଚାହିଁ, ଧୀରେ ଉଠି, ତାଙ୍କ ନିଜ ବସା ଘରକୁ ବାହାରିଗଲେ । ତାଙ୍କର କେତେ କାମ ବାକି ଅଛି ବୋଲି ମାଳତୀ ଚେତାଇ ଦେଇ ଆଗରୁ ଯାଇଥାଏ । ସେଦିନ ଦେବୋତ୍ତର ହାକିମଙ୍କ ସଙ୍ଗେ ବଚସା ପରେ ତାଙ୍କୁ କିମିତି ଲାଗୁଥାଏ ଯେ, ସେ, ସେତେବେଳେ ପାଟି ଫିଟେଇବା ବାବା ପସନ୍ଦ କରିନାହାନ୍ତି । କୌଣସି ଅଭ୍ୟାଗତଙ୍କ ମନରେ ଆଘାତ ଲାଗିଲା ଭଳି କିଛି କହିବା ଉଚିତ ନୁହେଁ ବୋଲି ବାବା ଇତିମଧ୍ୟରେ ଥରେ ଉଁକାରି ସାରିଥାଆନ୍ତି ।

 

ଦୁର୍ଗା ଆଗନ୍ତୁକ ଭଦ୍ରବ୍ୟକ୍ତିଙ୍କ ଦୃଷ୍ଟିରୁ ସମ୍ପୂର୍ଣ୍ଣ ଅନ୍ତର ହେବା ପୂର୍ବରୁ ସେ ମଣ୍ଡପ ମୂଳରେ ଆସି ପହଞ୍ଚିଲେ ଓ ଗୋଡ଼ରୁ ଜୋତା ଫିଟାଇ, ଉପରକୁ ଉଠି, ବାବାଙ୍କୁ ମୁଣ୍ଡ ନୁଆଇଁ ପ୍ରଣିପାତ କଲେ । ଯୋଗୀ ମାଷ୍ଟ୍ରେ ପରିଚୟ ଯୋଗାଇ ଦେଲେ, ‘‘ବାବା, ୟେ ବାବୁ ଆପଣଙ୍କ ସଙ୍ଗେ ଦେଖା କରିବାକୁ କଟକରୁ ଆସିଛନ୍ତି ।’’

 

ଆଗନ୍ତୁକ କୈଫିୟତ୍ ଦେଲେ, ‘‘ଦେବୋତ୍ତର ବିଭାଗର କମିସନର୍‌ ଆପଣଙ୍କ ଏଠାରୁ ଫେରି, ଆପଣଙ୍କ ବିଷୟରେ ମୋତେ ବହୁତ କହିଛନ୍ତି । ସେ କ’ଣ ଗୋଟାଏ ଅଭିଯୋଗ ପାଇ ଏଠାକୁ ତଦନ୍ତ କରିବାକୁ ଆସିଥିଲେ । ସେଇ ସମ୍ପର୍କରେ ଆପଣଙ୍କ ସଙ୍ଗେ ତାଙ୍କର ପରିଚୟ ହେବା କଥା କହୁଥିଲେ ।’’

 

ବାବା ଅନାବିଳ ସନ୍ତୋଷରେ ମୁରୁକି ହସି କହିଲେ, ‘‘ସବୁ କଥା ତେବେ ସେ ଆପଣଙ୍କୁ କହିନାହାନ୍ତି । ଆଚ୍ଛା, ସେ କଥା ପରେ ପଡ଼ିବ । ବାପା ଯୋଗୀ ! ଗୋପାଳିଆକୁ ଡାକ । ବାବୁଙ୍କ ଗୋଡ଼ ଧୋଇଦେଉ । ସେ ଦର୍ଶନ କରନ୍ତୁ । ବେବର୍ତ୍ତାଙ୍କୁ କହ ତାଙ୍କର ପ୍ରସାଦସେବା ଓ ବିଶ୍ରାମର ବନ୍ଦୋବସ୍ତ କରି ଦିଅନ୍ତୁ ।’’

 

ବାବୁ ଆପତ୍ତି କଲେ, ସେ ବସ୍‌ରେ ଆସିଥିବାରୁ ତାଙ୍କର ପାଦରେ ଆଦୌ ଧୂଳି ଲାଗିନାହିଁ । ସଡ଼କ ଧୂଳିର ସ୍ପଷ୍ଟ ବିଜ୍ଞାପନ ତାଙ୍କ ବାଳ ଓ ମୁଣ୍ଡରେ ଦେଖି ବାବା ଠିକ୍‌ କଲେ, ବୋଧହୁଏ ଆଗେ ଟିକିଏ କଥାବାର୍ତ୍ତା ହେବାକୁ ତାଙ୍କର ମନ । ସେ ଆଉ ଚର୍ଚ୍ଚାବାର୍ଚ୍ଚା ଜିଦ୍‌ କଲେ ନାହିଁ । ବେବର୍ତ୍ତାଙ୍କ ବସାଆଡ଼େ ଗୋଡ଼ କାଢ଼ୁଥିବା ଯୋଗୀ ମାଷ୍ଟ୍ରଙ୍କୁ କହିଲେ, ‘‘ଆଚ୍ଛା, ଯୋଗୀ, ବାବୁ ଏଇଠାରେ ଆଗ ଟିକିଏ ହାଲିଆ ମାରନ୍ତୁ, ତା’ପରେ ଦେଖିବା । ହଉ, ତୁମେ ବସିବ ନା କୁଆଡ଼େ କାମ ଅଛି ?’’

 

ଯୋଗୀମାଷ୍ଟ୍ରେ କୌଣସି ଜରୁରୀ କାମ ଥିବାର ଲକ୍ଷଣ ଦେଖାଇଲେ ନାହିଁ । ସେ ବସିଛନ୍ତି ବୋଲି କୌଣସି ସଙ୍କୋଚ ନକରି, ଦୁଇ ଚାରି ପଦ କୁଶଳ ପ୍ରଶ୍ନ ପଚାରୁ ପଚାରୁ ଆଗନ୍ତୁକ କହିଲେ, ‘‘ଆପଣଙ୍କ ସଙ୍ଗେ ନିଶ୍ଚିନ୍ତରେ ଦି’ ପଦ କଥାବାର୍ତ୍ତା ହେବାକୁ କମିସନରଙ୍କ ଭାରି ଇଚ୍ଛା । ସେ ମୋ ସଙ୍ଗେ ଆସିବାକୁ ବାହାରିଥିଲେ । ଶେଷ ମୁହୂର୍ତ୍ତରେ ଭୁବନେଶ୍ୱରରୁ ଜରୁରି ଡାକରା ପାଇ ସେ ଆସିପାରିଲେ ନାହିଁ ।’’

 

ବାବା କହିଲେ, ‘‘ସେ ବଡ଼ ସୁନ୍ଦର ଲୋକ । ଆମ ଏଠାରେ ତାଙ୍କୁ ଅପମାନ ମିଳିଥିଲେ ବି ସେ ଆମର ଦୋଷ ଧରିଲେ ନାହିଁ । ଗଲବେଳେ ମା’କୁ ଦର୍ଶନ କରି ପାଦୁକ ପାଇ ଗଲେ । ପାଠ ପଢ଼ୁଆ ଲୋକ ନା ! ମନରେ ବିଚାର ଅଛି; ଉଦାରତା ଅଛି ।”

 

ଆଗନ୍ତୁକ ଜିଜ୍ଞାସୁ ହେଲେ । ବାବା କହିଲେ, ‘‘ଏଇ ଯୋଗୀର ବୋକାପଣିଆରୁ ସରୁ ଘଟିଲା । ବୁଝିଲେ, ବାବୁ ! ଆପଣମାନେ ତ ଆଜିକାଲି ସବୁ ବିଷୟ ମୂଳରୁ ବୁଝୁଛନ୍ତି ! ଯୌବନଟା ହେଲା ଅବିବେଚନାର ସମୟ । ପାଠ ପଢ଼ି ମନକୁ ଦବାଇ ରାସ୍ତାରେ ରହିବାକୁ ହୁଏ । ଆମ ୟେ ଯୋଗୀ, ପିଲା ଦିନୁ ମୋରି ଆଗରେ ବଢ଼ିଛି, ପାଠ ସାଠ ଗୁଡ଼ାଏ ପଢ଼ିଛି, ମାଷ୍ଟ୍ର କାମ ଜାଣେ; କିନ୍ତୁ ଏମିତି ଗୋଟାଏ କଥାରେ ଜିଦ୍ ଧଇଲା ଯେ ସମସ୍ତେ ଅଡ଼ୁଆରେ ପଡ଼ିଗଲୁ । ହାକିମ ଗୁଡ଼ାଏ ଦହସତ୍‌ ପାଇଲେ । କି ଯୋଗୀ ! ମନ ଥୟ ହେଲାଣି ନା !’’

 

ଯୋଗୀ ମାଷ୍ଟ୍ରେ କିଛି ଉତ୍ତର ନଦେଇ ତୁନି ରହିଲେ । ବାବା କେଉଁ ବିଷୟରେ ମନ ଥୟ କଥା ଉଠାଉଛନ୍ତି, ଠିକଣା କରି ନପାରୁଥିବାରୁ କ’ଣ ବା ଉତ୍ତର ଦିଅନ୍ତେ ? ତାଙ୍କର ମୌନରୁ ବାବା ବୁଝିଲେ, ତାଙ୍କ ମନ ଠିକ୍‍ ରାସ୍ତାରେ ପଡ଼ିବାକୁ ଆରମ୍ଭ କଲାଣି । ଆଗନ୍ତୁକଙ୍କ ଜିଜ୍ଞାସୁ ଦୃଷ୍ଟି ଦେଖି ସେ ପୁଣି କହିଲେ, ‘‘କମିସନର୍‌ ସାହେବଙ୍କ ପାଖେ ମୋର ଦୁଃଖ ପ୍ରକାଶ କରିବାକୁ ବେଳ ପାଇଲିନାହିଁ । କଥା କ’ଣ କି, ଗୋଟିଏ ଯୁବତୀ ବିଧବା ଆମ ଏଠାରେ ଆଶ୍ରୟ ପାଇଛି । ବୟସ ଅଛି । ମନ ବସିନାହିଁ । ଏତିକିବେଳେ ବୈଧବ୍ୟ ମାନସିକ ବୃତ୍ତିକୁ ଛିନଛତ୍ର କରିଦିଏ, ଠିକ୍‌ ଯେପରି ବହୁତ ଉଚ୍ଚରୁ ଉଡ଼ାଜାହାଜରୁ ଖସିପଡ଼ିଲେ ଶରୀରର ଅବସ୍ଥା ହୁଏ । ସଂସାର ଆରମ୍ଭ କରିଥିଲା, ପିଲାଝିଲା ଦୁଇଟି ମଧ୍ୟ ହୋଇଥିଲେ । ସ୍ଵାମୀଟି ରୂପ ଓ ଗୁଣ ଉଭୟରେ ସୁନ୍ଦର । ଅଚାନକ ଭାବେ ତା’ର ଭାଗ୍ୟ ପୋଡ଼ିଗଲା । ଗୋଟାଏ ପିଲା ରହିଯାଇଥିଲେ ଯାଇଥାନ୍ତା । ସ୍ତ୍ରୀଲୋକମାନଙ୍କୁ ପୁଅଠାରେ ସ୍ଵାମୀ ଦିଶନ୍ତି, ଝିଅର ଜ୍ଵାଇଁଠାରେ ବି ନିଜର ଭବିଷ୍ୟତ୍‌ ଦିଶେ । ବିଚାରିର କେହି ରହିଲେ ନାହିଁ । ବର୍ତ୍ତମାନ କଥା ହେଉଛି, ତା’ର ଜୀବନ କଟିବ କିମିତି ?’’

 

ବାବା ଆଗନ୍ତୁକଙ୍କ ମୁହଁକୁ ଚାହିଁଲେ । ତାଙ୍କ ଆଖିରେ ପାଣି ଢଳଢଳ ହେବାର ଦେଖି ତାଙ୍କୁ ବଡ଼ ଖୁସି ଲାଗିଲା, ଏ ଲୋକଟିର ମାନବିକତା ଅଛି ବୋଲି ଅନୁମାନ କରି । ଯୋଗୀ ମାଷ୍ଟ୍ରଙ୍କ ମୁହଁରେ ବି ଉତ୍କଣ୍ଠା । ପୁଣି ତାଙ୍କ ମନରେ କ୍ଷୀଣ ଆଶା ଜାଗ୍ରତ ହେଉଥାଏ । ବାବାଙ୍କୁ ଦିଶିଲା, ସେ ନିଜର ଭୁଲ ବୁଝିବାକୁ ନିଜ ମନକୁ ପ୍ରସ୍ତୁତ କରୁଛି । ସେ କହି ଲାଗିଲେ, ‘‘ଆଜିକାଲିର ଦଳେ ଲୋକ କହୁଛନ୍ତି, ପୁନର୍ବିବାହ ହେଲେ ବିଧବାର ଦୁଃଖ ଯିବ । ଠିକ୍‌ କଥା । ଯେଉଁମାନେ ସ୍ଵାମୀ ସୁଖକୁ ଜୀବନର ସର୍ବସ୍ଵ ବୋଲି ମନେ କରୁଥିବେ, ସେମାନଙ୍କ ସମସ୍ୟା ଅତି ସରଳ । ତାଙ୍କର ପୁଣି ସଂସାର ବ୍ୟବସ୍ଥା କରିଦେଲେ ଗଲା । ଆମ ଧର୍ମର ଅସଲ ମର୍ମ ନ ବୁଝି ଆଉ ପଞ୍ଝେ କହୁଛନ୍ତି, କୌଣସି ବିଧବାର ପୁନର୍ବିବାହ ଉଚିତ ନୁହେଁ । ଅସଲ କଥା ହେଉଛି, ସମସ୍ତଙ୍କ ସକାଶ ପୁନର୍ବିବାହ ପାଇଁ ବ୍ୟବସ୍ଥା କରିବା ଯେପରି ଅନୁଚିତ, ସମସ୍ତଙ୍କୁ ଠେଙ୍ଗା ଦେଖାଇ ସେଥିରୁ ନିବର୍ତ୍ତାଇବା ସେହିପରି ଖରାପ । ଅନ୍ୟ ପୁରୁଷକୁ ପାଇ, ପୁନର୍ବିବାହ କରି, ଯେଉଁମାନେ ପୂର୍ବ ସ୍ଵାମୀର ସ୍ମୃତି ପାସୋରି ପାରିବେ, ସେମାନଙ୍କ ପାଇଁ ସଙ୍ଗେ ସଙ୍ଗେ ବିବାହ ବ୍ୟବସ୍ଥା କରିଦିଆଯାଉ-। କିନ୍ତୁ ଯେ ସେପରି ନ ପାରିବ, କିମ୍ବା ଯାହାଦ୍ୱାରା ମହତ୍ତର ଉଦ୍ଦେଶ୍ୟ ସାଧିତ ହୋଇପାରିବ, ସେମାନଙ୍କୁ ଧରି ବାନ୍ଧି ବିବାହ କରାଇଦେବା ଅଧର୍ମ ।’’

 

ଆଗନ୍ତୁକଙ୍କ ମୁହଁରେ ସଂଶୟ ଦେଖି ବାବା ପୁଣି କହିଲେ, ‘‘ଆମ ପାଠରେ ବିଧିବାକୁ ତପସ୍ଵିନୀ କୁହାଯାଏ । ସେ ଆଉ ଗୁରୁଜନଙ୍କୁ ନମସ୍କାର ହୁଏ ନାହିଁ । କାରଣ, ସେ ସମସ୍ତଙ୍କ ଗୁରୁର ଆସନ ପାଇଯାଏ । ନିଜ ବାପଠାରୁ ସେ ହୋଇଯାଏ ବଡ଼ । ତେଣୁ ଆଉ ବାପକୁ ମଧ୍ୟ ନମସ୍କାର କରେ ନାହିଁ । ଭୋଗବିଳାସ ପୂର୍ଣ୍ଣ ସଂସାରରେ ସବୁଠାରୁ ଦୂରରେ ଓ ଉଚ୍ଚରେ ରହି ସେ ସୃଷ୍ଟିର ଅଳୀକତା ପ୍ରତି ସମସ୍ତଙ୍କୁ ଜାଗ୍ରତ ରଖେ । ବୈଧବ୍ୟର ମୂଳରେ ଏଇ ତତ୍ତ୍ଵ ଅଛି ।’’

 

କିଛି ସମୟ ପରେ ବାବା ପୁଣି କହିଲେ, ‘‘ପିଲାଟିକୁ ତ ମୁଁ ଝିଅ କରିଛି । କ’ଣ କଲେ ସେ ତା’ର ଅବଶିଷ୍ଟ ଜୀବନ ଶାନ୍ତିରେ କଟାଇବ, ଏଇ କଥା ମୋତେ ପ୍ରଥମେ କେତେ ଦିନ ଖୁବ୍‌ ଘାଣ୍ଟିଲା । ତା’ର କ’ଣ ଦରକାର, ଖୋଜିହେଲି । ଶେଷରେ ଦେଖିଲି, ମୋ ମା’ ବର୍ତ୍ତମାନର ଏ ମୋହଗ୍ରସ୍ତ ସମାଜରେ ପୁରୁଣା ଆଦର୍ଶକୁ ନୂଆ କରି ଦେଖାଇବ । ତାକୁ ସେ ଯୋଗ୍ୟତା ମିଳିଛି......

 

‘‘ସେତିକିବେଳେ ଯୋଗୀ ଧରି ବସିଲେ ତା’କୁ ବିଭା ହେବେ । ହଉ, ଥୟ ଧର, ଯଦି ମୋ ମା’ର ପୁଣି ସଂସାର କରିବାକୁ ମନ ହେବ, ଆଉ ତୁମ ସଙ୍ଗେ ସେ ଯଦି ସୁଖ ପାଇପାରିବ, ତେବେ ମୋର ବା ଆପତ୍ତି କ’ଣ ? ତା’ ଦ୍ଵାରା ସଂସାରର ହିତ ସାଧିତ ହେବ ବୋଲି ବିଚାରୁଛି ସିନା, ଆଗ ତ ତା’ର ନିଜ ହିତ ମୋର ଦେଖିବାକୁ ହେବ ! କେଉଁ ବାପର ଇଚ୍ଛା ନ ହୁଏ, ନିଜ ଝିଅର ସୁଖ ଦେଖିବାକୁ । ସମସ୍ତଙ୍କ ଦୃଷ୍ଟିରେ ସିନା ସେ ବିଧବା, ଦୁର୍ଭଗା–ବାପ ଦୃଷ୍ଟି ରେ ତ ନୁହେଁ-।’’

 

ବାବାଙ୍କ ମୁହଁରେ ସନ୍ତାନବାତ୍ସଲ୍ୟ ଗୋଟିଏ ଅଭିନବ ଆଲୋକ ବିଞ୍ଚିଦେଲା । ତାଙ୍କ ତୁଣ୍ଡକୁ ଆଉ କଥା ସ୍ଫୁରିଲା ନାହିଁ । ସେ ଧୀରେ ଧୀରେ ମୁହଁ ଟେକି ଆଗନ୍ତୁକଙ୍କ ଆଡ଼କୁ ଚାହିଁଲେ । ଆଗନ୍ତୁକଙ୍କ ଆଖିରେ ନିଆଁ ଜଳିବାର ଦେଖି ସେ ବିସ୍ମିତ ହୋଇଗଲେ । ସେ ଆଖିକୁ ସେ ମଧ୍ୟ ଚାହିଁପାରିଲେ ନାହିଁ । ଯୋଗୀମାଷ୍ଟ୍ରେ ସେ ଆଖିର ସମ୍ମୁଖୀନ ହେବା ସଙ୍ଗେ ସଙ୍ଗେ ସତେ ଯିମିତି ତାଟକା ହୋଇଗଲେ ।

 

ଠିଆ ହେଉ ହେଉ ଅସ୍ପଷ୍ଟ ସ୍ଵରରେ ସେ କହିଲେ, ‘‘ମୋର କାମ ଅଛି, ମୁଁ ଯାଉଛି ।’’ ବାବା ସଙ୍କେତରେ ସମ୍ମତି ଦେଲେ । କିଛି ସମୟ ପରେ ସେ ପୁଣି ଆଗନ୍ତୁକଙ୍କ ଆଡ଼କୁ ଚାହିଁ ଦେଖିଲେ, ମୁହଁରେ ତାଙ୍କର ଆଉ ହିଂସବୃତ୍ତି ନାହିଁ । ପୁଣି କଥାବାର୍ତ୍ତା ଆରମ୍ଭ କଲେ, ‘‘ବାପା ! ମୋ କଥା ଗୁଡ଼ାଏ ଗପିଗଲ । ତୁମର ତ ପରିଚୟ ପାଇଲିନାହିଁ । କଟକରେ କ’ଣ କର ?’’

 

ଆଗନ୍ତୁକ କହିଲେ, ‘‘ମୁଁ କଲେଜରେ ମାଷ୍ଟରି କରେ ।’’

 

ବାବା ଉତ୍କଣ୍ଠିତ ହୋଇ ପଚାରିଲେ ‘‘ଏଁ ! ତମ ନାମ କ’ଣ, ବାପା ।’’

 

ଆଗନ୍ତୁକ ଅସ୍ପଷ୍ଟ ଭାବେ ଊତ୍ତର ଦେଲେ, ‘‘ବି–ମ–ଳ’’ !

 

ବାବା ବିମଳବାବୁଙ୍କ ମୁଣ୍ଡକୁ ହାତ ବଢ଼ାଇ, ସେଥିରେ ହାତ ବୁଲାଉ ବୁଲାଉ, କହିଲେ ‘‘ଆରେ ! କେଡ଼େ ଭୁଲ କଲି ମ ! ତୁମର ପରିଚୟ ପାଇବା ପୂର୍ବରୁ କ’ଣ ଗୁଡ଼ାଏ କହି ପକାଇଲି । ଏବେ କେତେଦିନ ହେଲା, ମନ ଟିକିଏ ବିଚଳିତ ହୋଇ ଯାଇଛୁ ନା ? ବିବେଚନା ରହୁନାହିଁ !’’

☆☆☆

 

କର୍ତ୍ତବ୍ୟର ନୂଆ ରୂପ

 

ବିମଳବାବୁ ଅଧ୍ୟାପକ–କଲେଜରେ ପ୍ରତିଦିନ ସେ ନବଯୁବକମାନଙ୍କର ଜ୍ଞାନପିପାସା ଚରିତାର୍ଥ କରନ୍ତି । ଭଲ ପଢ଼ାନ୍ତି ବୋଲି ତାଙ୍କର ଛାତ୍ରମହଲରେ ଖ୍ୟାତି ଅଛି । ସେ ନିଜେ ଛାତ୍ରଟି ପରି ବାବାଙ୍କ ପାଖେ ଦିନର ଦଶ ବାର ଘଣ୍ଟା ବସି ତାଙ୍କ ବକ୍ତୃତା ଶୁଣିବାର ଦେଖିଲେ କଲେଜ ଛାତ୍ରମାନେ ବିସ୍ମିତ ହୋଇଥାନ୍ତେ । ସେ ନିଜେ ମଧ୍ୟ କମ୍‌ ବିସ୍ମିତ ହେଉନଥାନ୍ତି । ତାଙ୍କର ପୁଣି ଏତେ ଶୁଣିବାର ଅଛି, ଏତେ ଶିଖିବାର ଅଛି !

 

ବାବା ଯାହା କହୁଥାନ୍ତି, ତାହା ବିମଳବାବୁଙ୍କ ମନକୁ ଗୋଟାଏ କିମିତି ନୂଆ ରାଜ୍ୟକୁ ନେଇଯାଉଥାଏ । ପ୍ରତ୍ୟେକ ସମସ୍ୟାକୁ ବାବା ଗୋଟାଏ କିମିତି ନୂଆ ରଙ୍ଗରେ ଚିତ୍ର କରି ଦେଇଥାନ୍ତି । ଅତି ସରଳ ଗାଉଁଲି ଢଙ୍ଗରେ ସେ ଜଟିଳ ବିଷୟସବୁ ଦୁଇଚାରି ପଦରେ ଏପରି ବାଢ଼ି ଦେଉଥାନ୍ତି ଯେ, ବିମଳ ବାବୁଙ୍କ ମାଜତ ବୁଦ୍ଧିରେ ତାହା ମୌଳିକ ସତ୍ୟ ବୋଲି ସହଜରେ ଗୃହୀତ ହୋଇଯାଉଥାଏ । ବିଷୟଟିକୁ ଏହି ରୂପରେ ସେ ଏତେ ଦିନ ଯାଏଁ କିପରି ଦେଖି ପାରି ନ ଥିଲେ ବୋଲି, ବିମଳବାବୁ ତାଜୁବ୍‌ ହୁଅନ୍ତି । ପ୍ରଥମ ଦିନ ଦୁର୍ଗାଙ୍କ ସଙ୍ଗେ କଥାବାର୍ତ୍ତା ହେବା ପୂର୍ବରୁ, ତାଙ୍କ ବିଷୟରେ ସେ ବାବାଙ୍କଠାରୁ ଯାହା ଶୁଣିଥିଲେ ସେଥିରେ ଯୋଗୀ ମାଷ୍ଟ୍ରଙ୍କ ଉପରେ ସେ ଉତ୍ତ୍ୟକ୍ତ ହେବା ସଙ୍ଗେ ସଙ୍ଗେ ନିଜ ଭିତରେ ଲୁଚି ରହିଥିବା ପ୍ରବୃତ୍ତିର ବିଶ୍ଳେଷଣ କରି ମନେ ମନେ ନିଜକୁ ଦୋଷୀ ସାବ୍ୟସ୍ତ କରିଥିଲେ; ଯୋଗୀ ମାଷ୍ଟ୍ରେ ଯେତିକି ଦୋଷୀ ତହିଁରୁ ସେ କୌଣସିମତେ କମ୍‍ ନୁହନ୍ତି ବୋଲି ମନେ ମନେ ଅନୁତପ୍ତ ହୋଇଥିଲେ । ବାବା ତାଙ୍କ ବିଷୟରେ କେତେ କ’ଣ ଜାଣନ୍ତି, ସେ ବିଷୟରେ ସବିଶେଷ ଧାରଣା ନ ଥିଲେ ହେଁ ସେ ପ୍ରଥମେ ସନ୍ଦୀହୀନ ହୋଇଥିଲେ ଯେ, ଯୋଗୀ ମାଷ୍ଟ୍ରଙ୍କର ଆଚରଣକୁ ବାବା ଯେଉଁ ଦୃଷ୍ଟିରେ ଦେଖିଲେ, ତାଙ୍କ ନିଜ ଆଚରଣ ତହିଁରୁ ଉଚ୍ଚ ସ୍ତରର ନୁହେ ବୋଲି ବାବା ନିଶ୍ଚୟ ବୁଝିଛନ୍ତି । କାର୍ଯ୍ୟରେ ସେ କିଛି ଗର୍ହଣୀୟ ନ କରିଥିଲେ ହେଁ, ଦୁର୍ଗା ଯେ ତାଙ୍କ ପାଖରୁ ଚାଲି ଯାଇଥିଲେ ଓ ଶେଷରେ ଆତ୍ମହତ୍ୟା କରିବାକୁ ବସିଥିଲେ ଏଇଥିରୁ ସେ ନିଶ୍ଚୟ ତାଙ୍କୁ ଠଉରାଇଥିବେ ।

 

ବାବାଙ୍କ କଥାରେ ଓ କାର୍ଯ୍ୟରେ ଏ ସନ୍ଦେହକୁ ପ୍ରମାଣିତ କରିବାର କିଛି ସଙ୍କେତ ନଦେଖି ସେ ଟିକିଏ ଆଶ୍ଵସ୍ତ ହୋଇଥିଲେ । ତାଙ୍କର ପରିଚୟ ପାଇ ବାବା ଯେପରି ସଶ୍ରଦ୍ଧ ଭାବେ ତାଙ୍କର ଅଭିବାଦନ କରି ଦୁର୍ଗାଙ୍କୁ ଡାକିପଠାଇଲେ ସେଥିରେ ତାଙ୍କର ସନ୍ଦେହ ଅନେକାଂଶରେ ଦୂର ହୋଇଥିଲା । ଯାହା ବା ଟିକିଏ ଆଉ ଥିଲା, ତାହା ଦୁର୍ଗାଙ୍କୁ ଦେଖିବା ସଙ୍ଗେ ସଙ୍ଗେ ଦୂର ହୋଇଗଲା । ଦୁର୍ଗାଙ୍କ ମନ ଭିତରେ କୌଣସି ଗ୍ଳାନି ଥିଲା ପରି ତାଙ୍କୁ ବୋଧ ହେଲାନାହିଁ । ତାଙ୍କର ଖବର ପାଇ ଦୁର୍ଗା ଯେପରି ଆଲୁଳାୟିତ କେଶ ଓ ବେଶରେ ତାଙ୍କ ପାଖରେ ଆସି ପହଞ୍ଚିଗଲେ ଓ ତାଙ୍କୁ ନିଜ ଘରକୁ ଡାକି ନେଇ ତାଙ୍କର ଚର୍ଚ୍ଚା ଆରମ୍ଭ କଲେ ସେଥିରେ ତାଙ୍କର ଆଉ ବୁଝିବାକୁ ବାକି ରହିଲାନାହିଁ ଯେ, ଦୁର୍ଗାଙ୍କ ମନ ଭିତରେ ତାଙ୍କ ପ୍ରତି ଭ୍ରାତୃ-ଭଗ୍ନୀ ଭାବ ବ୍ୟତୀତ ଆଉ କିଛି ନାହିଁ । ସେହି ଭାବର ପ୍ରତିବିମ୍ବ ମାଳତୀର ମୁହଁରେ ପ୍ରକଟିତ ହେବାକୁ ଡେରି ହେଲାନାହିଁ । ଦିନେ ଖଣ୍ଡେ ଭିତରେ ସେ, ବେବର୍ତ୍ତାଙ୍କଠାରୁ ଆରମ୍ଭ କରି ଗୋପାଳିଆ ପର୍ଯ୍ୟନ୍ତ ସମସ୍ତଙ୍କର ‘ବିମଳା ଭାଇ’ ହୋଇଗଲେ । ଗ୍ରୀଷ୍ମ ଛୁଟି ଗାଁରେ ବାପା ମା’ଙ୍କ ସଙ୍ଗେ କଟାଇଲେ ଯେପରି ଲାଗେ, ତହିଁରୁ ଆରାମରେ ଦିନଟିମାନ କଟିଯାଉଥାଏ । ଏଠାରେ ଆଉ କେତେ ଦିନ ରହିବାକୁ ସେ ବାପାଙ୍କ ପାଖକୁ ଲେଖି ସାରିଥାନ୍ତି । ବାପା ମା’ ଦୁହେଁ ଆସି ବିମଳା ମନ୍ଦିରରେ ପହଞ୍ଚିଯିବେ ବୋଲି ସେ ପ୍ରତୀକ୍ଷା କରୁଥାନ୍ତି; ଦୁର୍ଗା ସୁଲ ଅପାଙ୍କୁ ଭେଟିବାର ଆଶାରେ ଯେତିକି ଉତ୍‌ଫୁଲ୍ଲ ଥାନ୍ତି, ଆଶଙ୍କାରେ ସେତିକି ସନ୍ତର୍ପିତ ହେଉଥାନ୍ତି । ଏସବୁ ଚିନ୍ତା ପାଇଁ ବିମଳବାବୁଙ୍କର ବେଳ ନ ଥାଏ । ସେ ପ୍ରତିଦିନ କାହିଁକି, ପ୍ରତି ମୁହୂର୍ତ୍ତରେ ବାବାଙ୍କଠାରୁ ସନ୍ଥ ଘେନି, ବ୍ୟାବହାରିକ ଜୀବନରେ ପରୀକ୍ଷା ପାଇଁ ତା’କୁ ମାଜୁଥାନ୍ତି ।

 

ସେତେବେଳକୁ ସେ ବିମଳା ମନ୍ଦିରରେ ଚାରି ଛଅ ଦିନ କଟାଇ ସାରିଲେଣି । ବାବାଙ୍କ ଦୈନନ୍ଦିନ ଜୀବନ ସହିତ ପରିଚିତ ହେବା ସଙ୍ଗେ ସଙ୍ଗେ ସେ ମନେକରୁଥାନ୍ତି, ତାଙ୍କ ଚିନ୍ତା ରାଜ୍ୟର ସୀମା ସରହଦ ବି ତାଙ୍କୁ ମାଲୁମ ହୋଇଯାଇଥାଏ । ସେ ଆବ୍‌ଦାର କରି କହିଲେ, ‘‘ବାବା ! ତେବେ ତ ମୁଁ ମନେ କରୁଛି, ମୁଁ ଏତେ ଅଧ୍ୟବସାୟ କରି ଆଜିଯାଏଁ ଯାହା ସବୁ ପଢ଼ିଚି ସେ ସବୁ ବୃଥା !

 

ବାବା ହସି ହସି ଉତ୍ତର ଦେଲେ, ‘‘ମୋ ପାଖରେ ବସି ତୁମର ତ ତାହାହେଲେ ଖୁବ୍ ଉପକାର ହେଲା, ବାପା ! ଆତ୍ମଗ୍ଳାନିଠାରୁ ବଳି ଦୋଷ ନାହିଁ । ଯାହାର କଥାରେ ପୁଣି ସେ ଦୋଷ ମନରେ ସଞ୍ଚରେ, ସେ ବଡ଼ ଦୋଷୀ ।’’

 

ବିମଳବାବୁ କହିଲେ, ‘‘ଦୋଷ ଗୁଣ କଥା ମୁଁ ବିଚାରୁ ନାହିଁ । ଏହା ତ ନିରାଟ ସତ୍ୟ । ବିଦେଶୀ ଗଛ ଆଣି ନିଜ ମାଟିରେ ବଢ଼ାଇବାକୁ ବସିବା ଯେପରି ପଣ୍ଡ ପରିଶ୍ରମ, ଆମ ପାଠ ସେହିପରି ବୃଥା ।’’

 

ବାବା ଅତି ସହଜରେ ଏ କଥା କାଟିଦେଲେ, “କାହିଁକି ? ବିଦେଶୀ ଗଛ ପାଳିବା ଯେ ପଣ୍ଡ ପରିଶ୍ରମ ନୁହେ, ତାହାର ତ ପ୍ରମାଣ ଆମ ବଗିଚାର ଏହି ଗୋଲାପଜାମୁ ଓ ସପେଟା ଗଛ, ଅଙ୍ଗୁର ଲଟୀ । ବିଦେଶୀ ଫଳ ତ ପ୍ରତିଦିନ ଦେଶୀ ପାଲଟି ଯାଉଛି । ବିଲାତି ଆଳୁ ଓ ବିଲାତି ବାଇଗଣର ‘ବିଲାତି’ ବିଶେଷଣ ତ ଆଜି ନିରର୍ଥକ । ତାକୁ ନିଜ ମାଟିରେ ବଢ଼ାଇପାରିବା କମ୍‌ ବାହାଦୁରି ନୁହେଁ । ତୁମେମାନେ ଯେଉଁ ଶିକ୍ଷା ପାଇଛ ତା’କୁ ଆମ ସଂସ୍କୃତିରେ ଚଳାଇ ପାରିଲେ ଦେଶର କମ୍‍ ମଙ୍ଗଳ ହେବ ନାହିଁ । ଆମ ରୀତି ରୀତି ମାର୍ଜିତ ହୋଇଯିବ, ଆମେ ଯୁଗର ଅନୁରୂପ ଢଙ୍ଗରେ ଚଳିପାରିବା । ତୁମ ସଙ୍ଗେ କଥାବାର୍ତ୍ତା ହୋଇ ତ ମୁଁ ବିଶେଷ ଉପକୃତ ହେଉଛି । ପାଠ କେବେ ବୃଥା ହୋଇ ନ ପାରେ ।’’

 

ବିମଳବାବୁ କହିଲେ, “ମୋ ନିଜ ପକ୍ଷରେ ତ ତାହା ବୃଥା ହୋଇଛି ।’’

 

ବାବା ଉତ୍ତର ଦେଲେ, ‘‘ତୁମେ ସେପରି ବିଚାରୁଛ ନା; ବୃଥା କାହିଁକି ହୁଅନ୍ତା ? କେଉଟ ମାଛ ମାରୁଛି, କିନ୍ତୁ ତା’କୁ ନିଜେ ଘରେ ନ ରାନ୍ଧି, ତୁମକୁ ବିକି ଦେଉଛି, ଚାଉଳ, ଡାଲି, ଲୁଗାପଟା କିଣିବାକୁ । ମାଛ କ’ଣ ବୃଥା ହୋଇଗଲା, ମାଛ ମାରିବା କ’ଣ ପରିଶ୍ରମ ହେଲା । ଆଜିକାଲି ଏ ଦେଶର ପଣ୍ଡିତମାନେ ବିଦ୍ୟାକୁ ନିଜ କାମରେ ନ ଲଗାଇ, ଖାଲି ପଣ୍ୟଦ୍ରବ୍ୟ ପରି ବିକ୍ରି କରି ଦେଉଛନ୍ତି । କେଉଟବୃତ୍ତି ସାଙ୍ଗକୁ ହୋଟେଲବାଲା ହୋଇଗଲେ ହୁଅନ୍ତା । ମାରିଥିବା ମାଛକୁ ନିଜେ ରାନ୍ଧି ଦିଅନ୍ତେ, ପାଞ୍ଚଜଣ ଖାଆନ୍ତେ, ନିଜ ପାଇଁ ମଧ୍ୟ ଟିକିଏ ବଳନ୍ତା । ମାଛ ବିକା ହୁଅନ୍ତା, ଖିଆ ବି ହୁଅନ୍ତା । ନାଇଁ, କ’ଣ ?’’

 

ବିମଳ ବାବୁ ହଁ କଲେ । ବାସ୍ତବିକ୍‌ ସେ ଓ ତାଙ୍କ ସଙ୍ଗୀମାନେ ଆଉ କରୁଛନ୍ତି କ’ଣ ? ସେମାନେ ତ ଠିକ୍‌ କେଉଟ ପରି, ‘‘ମାରନ୍ତି ମାଛ, ଖାଆନ୍ତି କଙ୍କଡ଼ା’ । ପିଲାଙ୍କ ପରୀକ୍ଷା ପାଇଁ ସିନା ଚ’ସର୍‍ ସେକସ୍‌ପିଅର୍‌ଙ୍କ କୃତି ଘଣ୍ଟା ହେଉଛି । ସେଥିରୁ କେତେ ନିଜର ଦୈନନ୍ଦିନ ଜୀବନକୁ ପ୍ରଭାବିତ କରୁଛି ? ଯେ ଅର୍ଥନୀତି ପଢ଼ାଉଛନ୍ତି, ତାଙ୍କର ଅବସ୍ଥା ତ ଅଲଗା ନୁହେ । ଭିନ୍ନ ସଂସ୍କୃତିରେ ଯେଉଁ ବ୍ୟାବହାରିକ ଜୀବନ ଗଢ଼ିଉଠିଛି, ତାହାର ବିଶ୍ଳେଷଣ ଓଡ଼ିଶାର ଗାଁ ଗହଳିର ପିଲାଙ୍କ ଆଗରେ କରିବା ଯାହା କାଲା ଆଗେ ମୂଳା ଚୋବାଇବା ସେଇଆ ବୋଲି ତାଙ୍କର ମନେହେଲା । ଏପରି କରିବା ଫଳରେ ଏ ଦେଶର ଯୁବକମାନଙ୍କର ଆଖି ଝଲସି ଯାଉଛି, କିନ୍ତୁ ବୁଦ୍ଧିବୃତ୍ତି ଚାପିହୋଇ ଯାଉଛି । ବାଡ଼ି ବାଇଗଣ ଓ ପୋଥି ବାଇଗଣ ଭିତରେ ପାର୍ଥକ୍ୟ ଦିନକୁ ଦିନ ବଢ଼ି ଚାଲିଛି । ବାସ୍ତବିକ୍, ଏ ଶିକ୍ଷା ଆମର ଏକାବେଳକେ ଅନୁପଯୋଗୀ ହୋଇଗଲାଣି ବୋଲି ବିମଳବାବୁ ବୁଝିବାକୁ ଆରମ୍ଭ କଲେ ।

 

ତାଙ୍କ ମନର କଥାକୁ ଠିକ୍‍ ଠଉରାଇ ବାବା କହିଲେ, ‘‘ପୋଖରୀରେ ହଜାଇ ନଈରେ ଖୋଜିଲା ପରି, ଆଜିକାଲି ଆମେମାନେ ନିଜ ମନକୁ ନ ସଜାଡ଼ି ଶିକ୍ଷା ପ୍ରଣାଳୀରେ ଦୋଷ ଅଛି ବୋଲି ସେଥିରେ ସଂସ୍କାର କରିବାକୁ ବସିଥାଇ । ଏଇ କୋଡ଼ିଏ ପଚିଶ ବର୍ଷ ଭିତରେ ତ ମୁଁ ଦେଖୁଛି, ପ୍ରାଇମେରୀ ସ୍କୁଲର ପାଠରେ କେତେପ୍ରକାର ବଦଳ ଉଦଳ ହେଲାଣି । ପାଠ୍ୟପୁସ୍ତକର ପରିବର୍ତ୍ତନ ଓ ପରିମାର୍ଜନାରେ କିଛି ଫଳ ନ ହେବାରୁ ଏବେ ଏ ସ୍କୁଲଗୁଡ଼ାକ ଏକାବେଳକେ ଉଠାଇ ମୌଳିକ ନା ବୈଷୟିକ ସ୍କୁଲ ବସାଇବାକୁ ବିଚାର ଚାଲିଛି । କିନ୍ତୁ ମନ ନ ବଦଳିଲେ ପୋଷାକ ବଦଳାଇ ଫଳ କ’ଣ ? ସୌଖିନ ଲୁଗା ପିନ୍ଧା ଲୋକ ବ୍ୟଭିଚାରୀ ହେବା ଯେପରି ଦେଖାଯାଉଛି, ଡୋର କୌପୀନ ଧରି ମଧ୍ୟ ସେଇପରି ।’’

 

ବିମଳବାବୁ ପଚାରିଲେ, “ପାର୍ଥକ୍ୟ ତ ପୁଣି ଅଛି !’’

 

ବାବା କହିଲେ, “ହଁ, ଅଛି । ବିଳାସରେ ଥିବା ପାଞ୍ଚଜଣ ଅବାଟରେ ଯିବା ସ୍ଥଳେ, ଡୋର କୌପୀନ ପିନ୍ଧି ଦି’ ଜଣ ଯାଉଛନ୍ତି । କିନ୍ତୁ ଯାଉଛନ୍ତି ତ ! ଯଦି ଯାଉଛନ୍ତି, ତେବେ ବାହାରର ପୋଷାକ, ବା ସ୍କୁଲର ପାଠ୍ୟକ୍ରମ ମଙ୍ଗଳ ବା ଅମଙ୍ଗଳର ଏକମାତ୍ର ବା ପ୍ରଧାନ କାରଣ ହେବ କିପରି ? ବହୁ କାରଣ ଭିତରୁ ଏହା ଗୋଟିଏ ହୋଇପାରେ; ଏହା କଦାପି ପ୍ରଧାନ କାରଣ ନୁହେଁ-।’’

 

ବିମଳବାବୁ ଚିନ୍ତିତ ହେଲେ । ବାସ୍ତବିକ୍ ଆଜିକାଲି ଶିକ୍ଷାବିତ୍‌ମାନେ ଘଡ଼ିଘଡ଼ିକେ ଶିକ୍ଷାର ପ୍ରଣାଳୀ ପରିବର୍ତ୍ତନ କରିବାରେ ଲାଗିଛନ୍ତି–କିନ୍ତୁ ସବୁ ଗଛରେ ଏକା ଫଳ ଫଳୁଛି । ବୃତ୍ତି ଶିଖାଇବାକୁ ସାଧାରଣ ଲେଖାପଢ଼ା ସଙ୍ଗେ ବଢ଼େଇ କାମ, କମାର କାମ ଶିଖାଇବାକୁ ସ୍କୁଲ ବସିଲା । କିନ୍ତୁ ସେଥିରେ ଯେଉଁମାନେ ତାଲିମ ହେଲେ ସେମାନେ ବଢ଼େଇ ବା କମାର କାମ ପ୍ରତି ଆକୃଷ୍ଟ ନହୋଇ, ସେହି ସ୍କୁଲମାନଙ୍କରେ ଶିକ୍ଷକ–ଚାକିରି ପାଇବା ପାଇଁ ବିକଳ ହେଉଛନ୍ତି । ମୌଳିକ ସ୍କୁଲର ଛାତ୍ର, ସ୍ୱାଧୀନ ବୃତ୍ତିପ୍ରତି ଆକୃଷ୍ଟ ହେଉନାହିଁ । ସେ ଲୋଡ଼ୁଛି, କିପରି ମୌଳିକ ସ୍କୁଲର ଶିକ୍ଷକ ହେବ । ଶିକ୍ଷାରୀତିର ପ୍ରତ୍ୟେକ ସଂସ୍କାର ନୂଆ ରକମର ବେକାର ଅବସ୍ଥା ସୃଷ୍ଟି କରୁଛି ମାତ୍ର । ଏହାର ପ୍ରତିକାରର ଉପାୟ କ’ଣ ବୋଲି ସେ ଭାବିହୋଇ ନିଜର ଭାବନାକୁ ପ୍ରକାଶ କଲେ ।

 

ବାବା କହିଲେ, “ମୂଳ ତ ହେଲା ମନ । ମନକୁ ଠିକ୍‌ କରିଦେଲେ ଚଳୁଥିବା ରୀତି ରଖିଲେ ବି ଦୋଷ କିଛି ନାହିଁ । ପୂର୍ବକାଳରେ ନୀରସ ବ୍ୟାକରଣ ଘୋଷି ତ ମଣିଷ ଗଢ଼ା ହେଉଥିଲେ । ଆଜିକାଲିର ପାଠ୍ୟକ୍ରମ ତ ତାହାଠାରୁ ଢେର ଅଧିକ ସ୍ଵାଦ୍ୟ ଓ ଉପାଦେୟ ।’’

 

ବିମଳବାବୁଙ୍କ ମନରେ ଆହୁରି ସଂଶୟ ହେଲା । ସେ କହିଲେ, ‘‘ଯୁଗର ତ ପୁଣି ପ୍ରଭାବ ଅଛି । ଆଜିକାଲିର ଜୀବନର ମାନ ତ ବଦଳି ଯାଇଛି, ସମସ୍ୟା ତ ବଢ଼ିଛି । ସେତେବେଳେ ମଣିଷ ଅଳ୍ପରେ ସନ୍ତୁଷ୍ଟ ହୋଇ ବିଦ୍ୟାବିଳାସରେ ମାତିଥିଲା । ଆଜି ତ ତାହା ସମ୍ଭବ ନୁହେ ।”

 

ବାବା ଟିକିଏ ତୁନି ହେଲେ; ତା’ପରେ କହିଲେ, ‘‘ଏ ଯୁଗରେ ଜୀବନର ଢଙ୍ଗ ସିନା ଟିକିଏ ବଦଳିଯାଇଛି, କିନ୍ତୁ ସେ ସମୟରେ ମଧ୍ୟ ବିଦ୍ୟା ଅର୍ଥକରୀ ଥିଲା । ନୂଆ ନୂଆ ଚିନ୍ତା ଓ ଯୋଗ୍ୟତାର ଉନ୍ମେଷ ନ ହେଲେ ତ ବିଦ୍ୟା ବିଦ୍ୟା ନୁହେ । ନିଜର ବ୍ୟାବହାରିକ ଅଭାବ ଦୂର କରିବା ସବୁବେଳେ ବିଦ୍ୟାର ଶ୍ରେଷ୍ଠ ଫଳ ଥିଲା । ବରଂ ଆଜି ଆଉ ସେପରି ହେଉନାହିଁ । ଆଜି ପାଠ ତ ବାଞ୍ଝ ହୋଇଯାଇଛି । ପଢ଼ିଲେ ସାମର୍ଥ୍ୟ ନ ବଢ଼ି, ଅସାମର୍ଥ୍ୟ ଉପୁଜୁଛି । ଦେଖୁ ନାହଁ, କୃଷକର ପିଲା ପାଠ ପଢ଼ି କିପରି ବେକାର ହୋଇଯାଉଛନ୍ତି ! କୃଷକର ଜୀବନ କର୍ମମୟ; ତାହାର ବୃତ୍ତି ଆମ ଜୀବନର ସମ୍ବଳ । କିନ୍ତୁ ତା’ର ପିଲା କର୍ମମୟ ଜୀବନ ଭିତରୁ ବାହାରି ଅକର୍ମା ହୋଇଯାଉଛି ।”

 

ବିମଳବାବୁ ପଚାରିଲେ, ‘‘ଆପଣ ତ କହୁଛନ୍ତି, ଶିକ୍ଷାପ୍ରଣାଳୀରେ ଦୋଷ ନାହିଁ, ତେବେ ଏପରି ହେଉଛି କାହିଁକି ?’’

 

ବାବା କହିଲେ, “କହିଲି ପରା, ସବୁ ମୂଳରେ ମନ । ପିଲାଙ୍କ ମନ ବାପ ମା’ଙ୍କୁ ଦେଖି, ମାଷ୍ଟ୍ରଙ୍କୁ ଦେଖି ଗଢ଼ି ହେଉଛି । ବାପ ମା’ ନିଜ ମୁଣ୍ଡରୁ ଛଡ଼ାଇ, ମାଷ୍ଟ୍ର ଓ ଦେଶର ରବାଦ୍ ଉପରେ ଦୋଷ ଲଦି ଦେଉଛନ୍ତି । ମାଷ୍ଟ୍ରେ, ବାପ, ମା’ ଓ ସାମାଜିକ ବେଷ୍ଟନୀକୁ ଦୋଷୁଛନ୍ତି । ସାମାଜିକ ବେଷ୍ଟନୀର ତ ପାଟିତୁଣ୍ଡ ନାହିଁ । ସେ ‘ରକ୍ଷଣଶୀଳ’ଙ୍କ ମୁହଁରେ ନିଜର ଅତୀତ ସଂସ୍କୃତିକୁ ବାହୁନୁଛି-। ଏଇ ତିନିଙ୍କ ଭିତରୁ ଜଣେ କେହି ନିଜର ମନକୁ ଠିକ୍‌ କରିଦେଲେ ସବୁ ଠିକ୍‌ ବାଟର ବାଟ ଫିଟିଯା’ନ୍ତା । ଶିକ୍ଷକ ଯଦି ନିଜର ବିଶ୍ଵାସରେ ଦୃଢ଼ ହୋଇଯାଆନ୍ତେ ତାହାହେଲେ ତାହାର ପ୍ରଭାବ ପିଲାଙ୍କ ଉପରେ ପଡ଼ନ୍ତା; ତାଙ୍କରିଠାରୁ ତାହା ବାପ ମା’ଙ୍କ ଆଡ଼କୁ ପ୍ରସରନ୍ତା । ଯଦି ବା ‘ଅଶିକ୍ଷିତ’, ‘କୁସଂସ୍କାରଗ୍ରସ୍ତ’ ବାପ ମା’ ପ୍ରଭାବିତ ନ ହୁଅନ୍ତେ, ଭବିଷ୍ୟତର ବାପ ମା’ତ ତିଆର ହୋଇଯା’ନ୍ତେ ! ଆଜିର ଯେ ଛାତ୍ର ଛାତ୍ରୀ ସେ ତ କାଲି ପଅର ଦିନର ବାପ ମା' ! ପୁଣି ସମାଜରେ ଯେଉଁମାନେ ପୁରୁଖା ଓ ନିଜ ସନାତନ ସଂସ୍କୃତି ରଖିବାକୁ ବ୍ୟାକୁଳ, ସେମାନେ ନିଜ ପିଲାଙ୍କୁ ସଜାଡ଼ିଲେ ତ ସବୁ ସଜାଡ଼ି ହୋଇଯାଆନ୍ତା । ଆଜିକାଲିର ମୁରବିମାନେ ଅପରର ପିଲାଙ୍କୁ ଖୁଣୁଛନ୍ତି, କିନ୍ତୁ ନିଜ ପିଲାଙ୍କୁ ସେଇ ରାସ୍ତାରେ ଚଳାଇବାକୁ ଆଶା ପୋଷିଛନ୍ତି । ଏ ତିନିଙ୍କ ଭିତରୁ ଜଣେ କେହି କାମ ଆରମ୍ଭ କଲେ ହୁଅନ୍ତା । ମୋର ମନେ ହେଉଛି, ଲୋକନେତା ଓ ଲୋକଶିକ୍ଷକଙ୍କର ସୁବିଧା ଓ ସୁଯୋଗ ରହିଛି, ନିଜର ମନକୁ ଆଗ ସଜାଡ଼ିବାକୁ । ପାଠ ତାଙ୍କରିଠାରେ, ଶାସନ କ୍ଷମତା ତାଙ୍କରିଠାରେ । ସେ ଯାହା ଇଚ୍ଛା କରିବେ ତାହା ହୋଇପାରିବ । ନିଜର ମତକୁ ଲୋକଙ୍କ ଆଗେ ଠିକ୍‌ ଠିକ୍‌ ବାଢ଼ି ପାରିବାର ସାମର୍ଥ୍ୟ ସେମାନେ ଅର୍ଜନ କରିଛନ୍ତି ।’’

 

ବିମଳବାବୁ, ଆଧୁନିକ ସଭ୍ୟତାର ପ୍ରତୀକ ଏଇ ଶିକ୍ଷିତ ଶ୍ରେଣୀ–ଶାସକ ଓ ଶିକ୍ଷକଙ୍କ ଉପରେ ଆଖି ବୁଲାଇ ଗଲେ । ଶାସକ, କ୍ଷମତାରେ ଅନ୍ଧ ହୋଇ ସେଇ କ୍ଷମତାର ଲୋଭରେ ବାଟ ଅବାଟ ନ ମାନି ଆଗେଇ ଚାଲିଛି । ତୁଣ୍ଡରେ ଯାହା ଠିକ୍‍ ବୋଲି କହୁଛି, କାମରେ ତା’ର ଓଲଟା କରୁଛି । ତୁଣ୍ଡରେ କହୁଛି ମନ୍ତ୍ରୀମାନେ ବାହ୍ୟ ଆଡ଼ମ୍ବରରେ ମାତିବାରେ ଦୁର୍ନୀତି ବଢ଼ୁଛି, କିନ୍ତୁ ନିଜେ ସେଇ ଆଡ଼ମ୍ବରରେ ମାତିଛି । କେହି କେହି ପୁଣି ଏପରି କାମଳବ୍ୟାଧି–ଗ୍ରସ୍ତ ଯେ, ଅନ୍ୟର ଆଡ଼ମ୍ବରଟା ଦେଖି ପାରୁଛନ୍ତି, କିନ୍ତୁ ନିଜର ଆଡ଼ମ୍ବରକୁ ଦେଖୁ ନାହାନ୍ତି । ନିଜେ ଦୁର୍ନୀତି କରି, ଦେଶରୁ ଦୁର୍ନୀତି ଦୂର କରିବେ ବୋଲି ବସିଛନ୍ତି । ଶିକ୍ଷକଙ୍କର ନଜର ତ ଶିକ୍ଷା ଉପରେ ନ ରହି, ନିଜକୁ ମିଳୁଥିବା ଉପସ୍ଵତ୍ୱ ଉପରେ ଚାରି ଚଉକସ ହୋଇ ପଡ଼ିଛି । ଶିକ୍ଷକତାରେ ସର୍ବୋଚ୍ଚ ଆସନରେ ବସିଥିବା ଲୋକେ, ହାକିମି ଚାକିରି ଲୋଭରେ ତଳକୁ ଓହ୍ଲାଇବାକୁ ତିଆର । ‘ବାର ବର୍ଷର ତପସ୍ୟା’ ଯେ ‘ଶୁଖୁଆ ପୋଡ଼ା’ ରେ ଯିବାକୁ ଦେଉଛନ୍ତି ସେମାନେ ଦେଶକୁ କ’ଣ ରାହା ଦେଖାଇବେ ? ବିମଳ ବାବୁ ନିଜେ ସେହି ଶିକ୍ଷିତ ଗୋଷ୍ଠୀରୁ ଜଣେ ବୋଲି, ନିଜକୁ ଧିକ୍‌କାରିଲେ ।

 

ଏହି ସମସ୍ୟା ଓ ବାବାଙ୍କ ମୁହଁରେ ତାହାର ବିଶ୍ଳେଷଣ କଥା ସେ ଯେତେ ମନକୁ ଆଣିଲେ ତାଙ୍କର ମନରେ ସେତିକି ଦୃଢ଼ ଭାବରେ ସଂକଳ୍ପ ଜାତ ହେଲା, ସେ ଚାକିରିର ମୋହ କଟାଇ ଦେଶର ଜାଗୃତି ଆଣିବାକୁ ଜୀବନ ଉତ୍ସର୍ଗ କରିବେ । ଥା ଥା ମା ମା ହୋଇ ସେ ନିଜର ସଂକଳ୍ପ ବାବାଙ୍କୁ ଜଣାଇଲେ ।

 

ବାବା ଟିକିଏ ଚିନ୍ତିତ ହେଲେ; କହିଲେ, ସଂକଳ୍ପ ଯେ ସାଧୁ ଏଥିରେ ସନ୍ଦେହ ନାହିଁ । କିନ୍ତୁ ବାପା ! ଏ ତ ବଡ଼ ଗହନ ପଥ । ଏହାକୁ ପାରିବଟିକି ? ଖୁବ୍‌ ବୁଝି ବିଚାରି ଏଥିରେ ପଶିବାକୁ ହୁଏ । କ୍ଷଣକ ଉତ୍ତେଜନାରେ ଏଥିରେ ଯେଉଁମାନେ ପଡ଼ିଯାନ୍ତି ସେମାନେ ନିଜର ଅନିଷ୍ଟ କରିବା ସଙ୍ଗେ ସଙ୍ଗେ ସମାଜର ଘୋରତର ଅମଙ୍ଗଳର କାରଣ ହୁଅନ୍ତି । ବିଦ୍ୟା, ବୁଦ୍ଧି ଓ ସାମର୍ଥ୍ୟ ବିନିମୟରେ ନିଜର ସ୍ୱାର୍ଥ ସାଧନ କରିବା ମନୁଷ୍ୟର ସ୍ଵାଭାବିକ ପ୍ରବୃତ୍ତି ! ସୃଷ୍ଟି ଆରମ୍ଭରୁ ଦେଣ ନିର୍ବିଶେଷରେ ସର୍ବତ୍ର ଏହା ଦେଖାଯାଏ । ଏହି ପ୍ରବୃତ୍ତିକୁ ନୀଚ ବୋଲି ବୁଝି ଶହକେ ହଜାରକେ ଜଣେ ସ୍ଵାର୍ଥ ବା ସଂସାର ଛାଡ଼ି ବାବାଜୀ ବୈଷ୍ଣବ, ସାଧୁ, ସନ୍ଥ ହୁଅନ୍ତି । ଏମାନଙ୍କ ମଧ୍ୟରୁ ପ୍ରତ୍ୟେକ ପ୍ରଥମେ ଡୋର କୌପୀନ, ଦୀକ୍ଷା ବା ମନ୍ତ୍ର ଘେନିଲା ଦିନ ମହତ୍ ଆଦର୍ଶରେ ଅନୁପ୍ରାଣିତ ହୋଇଥାନ୍ତି–ଏଥିରେ କୌଣସି ସନ୍ଦେହ ନାହିଁ । କିନ୍ତୁ ଯେଉଁମାନେ ବୁଝି ବିଚାରି ଏଥିରେ ଗୋଡ଼ ଦେଇ ନଥାନ୍ତି, ସେମାନଙ୍କ ଗୋଡ଼ ଅଳ୍ପକେ ଖସଡ଼ିଯାଏ । ସେମାନେ ନିଜେ ପଡ଼ନ୍ତି ଓ ଅନ୍ୟଙ୍କୁ ଲୋକସେବା ପ୍ରତି ବିମୁଖ କରିଦିଅନ୍ତି । ଏପରି ଗୁଡ଼ାଏ ଲୋକଙ୍କ ଅଧଃପତନ ଦେଖି ସାଧୁ ସନ୍ଥଙ୍କ ପ୍ରତି ଲୋକସାଧାରଣଙ୍କର ଅନାସ୍ଥା ଆସିଯାଏ । ସମାଜର ଅଧୋଗତ ହୁଏ ।’’

 

ବିମଳବାବୁ କହିଲେ, ‘‘ମୁଁ ତ ସେପରି କୌଣସି ମନ୍ତ୍ର ବା ଦୀକ୍ଷା ନେବାକୁ ଚାହୁଁ ନାହିଁ !”

 

ବାବା କହିଲେ, “ମୁଁ ଆକ୍ଷରିକ ଅର୍ଥରେ ଡୋର, କୌପୀନ କଥା କହିନାହିଁ । ସେ ସବୁ ବାହାରର ଚିହ୍ନ ମାତ୍ର । ସେ ଚିହ୍ନ ଭିତରେ, ମନରେ ତ ସ୍ଵାର୍ଥ ଛାଡ଼ି ପର ମଙ୍ଗଳ କରିବାରେ ଜୀବନ କଟାଇବାର ସଂକଳ୍ପ ଥାଏ । ତୁମ ମନରେ ବର୍ତ୍ତମାନ ଯେଉଁ ସଂକଳ୍ପ ଅଙ୍କୁରିତ ହେଉଛି, ଡୋର କୌପୀନ ଲୋଡ଼ିବା ଲୋକର ମନରେ ସେଇ ସଂକଳ୍ପ । ସେ ଈଶ୍ଵରସେବାରେ ଜୀବନ କଟାଇବାକୁ ଚାହେ; ଲୋକ ସେବା, ଲୋକ ମଙ୍ଗଳର ତାହା ନାମାନ୍ତର ମାତ୍ର । ଆମ ସଂସ୍କୃତିରେ ନିଜକୁ ଛାଡ଼ି ସମସ୍ତେ ଈଶ୍ଵର, ଆମେ ନିଜେ ସେହି ଈଶ୍ଵରଙ୍କର ଦାସ, ଭକ୍ତ, ସେବକ । ଏ ଯୁଗରେ ଈଶ୍ଵରଙ୍କ ନାମ ନ ଘେନି ଯେଉଁମାନେ ଲୋକମଙ୍ଗଳ ବ୍ରତ ଧରୁଛନ୍ତି, ସେମାନେ ସ୍ଵତନ୍ତ୍ର ଭେଖ ଧରୁଛନ୍ତି । ମହାତ୍ମାଗାନ୍ଧୀ ଖଦଡ଼ି ଭେଖ ଧରିଥିଲେ, ବିନୋବା ପଦଯାତ୍ରା ଭେଖ ଧରିଛନ୍ତି–ଭେଖ ଯାହା ହେଉ ଭିତର କଥା ସର୍ବତ୍ର ଏକ । ନିଜକୁ ଅପର ପାଇଁ ଉତ୍ସର୍ଗ କରିଦେବା, ସମସ୍ତେ ଯାହାକୁ ଶ୍ରେୟ ଓ ପ୍ରେୟ ବୋଲି ମନେ କରୁଛନ୍ତି ତାକୁ ଛାଡ଼ି ଅନ୍ୟ ଶ୍ରେୟର ଅନୁସନ୍ଧାନରେ ରହିବା ବଡ଼ ଶକ୍ତ କାମ–ଏଥିପାଇଁ ଖୁବ୍‌ ତ୍ୟାଗ ଦରକାର । ପାରିବ କି ନାହିଁ, ଆଗ ଦେଖ, ତା’ପରେ ଯାହା କରିବ ।’’

 

ଏ କଥାରେ ବିମଳବାବୁ ଦବି ନଯାଇ ଆହୁରି ଉତ୍ସାହିତ ହେଲେ; କହିଲେ, ‘‘ବାବା ! ସବୁ ପ୍ରକାର କଷ୍ଟ ବରଣ କରିବାକୁ ମୁଁ ପ୍ରସ୍ତୁତ । ମୁଁ ସ୍ଥିର କରିଛି, ମୋର ଚାକିରି ଇସ୍ତଫା ଦେଇ ଦେବି ଓ ଆପଣଙ୍କ ପାଖେ କିଛି ଦିନ ରହି ନିଜକୁ ସବୁ ପ୍ରକାର କଷ୍ଟ ପାଇଁ ତାଲିମ କରିବି ।’’

 

ବାବା ହସି ହସି କହିଲେ, “କଷ୍ଟ ବୋଇଲେ, ତୁମେ ବୋଧହୁଏ କେବଳ ଶାରୀରିକ କଷ୍ଟ କଥା ଚିନ୍ତା କରୁଛ । ଶାରୀରିକ କଷ୍ଟକୁ ମୁଁ କାହିଁକି, କେହି କଷ୍ଟ ବୋଲି ମନେ କରନ୍ତି ନାହିଁ । ଆଜି ଜୋତା ନମାଡ଼ିଲେ ଚଳୁନାହିଁ, କାଲି କଠୋଉ ଅଭ୍ୟାସ ହୋଇଯିବ; କଠୋଉ ନ ମିଳିଲା ତ ଦି’ ଚାରି ଦିନ ଅଭ୍ୟାସ କରିଦେଲେ ଖାଲି ଗୋଡ଼ରେ ଚଳିବ । ଦେଶର ଶହକେ ନବେ ଖାଲି ଗୋଡ଼ରେ ଚଳୁଛନ୍ତି । ସେ କିଛି ବଡ଼ କଥା ନୁହେଁ । ଅସଲ କଷ୍ଟ ହୁଏ ମନରେ । ମନକୁ ସମ୍ଭାଳି ପାରିବ ? ନିନ୍ଦା ସ୍ମୃତିକୁ ସମାନ ପର୍ଯ୍ୟାୟରେ ରଖି ପାରିବ ? ଧର, ତୁମେ ଜଣକର ମଙ୍ଗଳ କରିବାକୁ ଯାଉଚ, ତଦ୍ଦ୍ୱାରା ତାହାର ଅମଙ୍ଗଳ ହେଉଛି ବୋଲି ସେ ଯଦି ଅଭିଯୋଗ କରେ, ଓ ସେହି ଅଭିଯୋଗରେ ଯଦି ତୁମକୁ ଦଣ୍ଡ ହୁଏ, ନିର୍ବିକାରରେ ସହି ପାରିବ ?’’

 

ବିମଳବାବୁ ହସି ହସି କହିଲେ, ‘‘ଏ ତ ଗୋଟାଏ ଅସମ୍ଭବ ପ୍ରଶ୍ନ, ବାବା ! ଏପରି କ’ଣ ହୁଏ ? ଆମେ କରିଥିବା ଉପକାରକୁ ଲୋକ ସ୍ଵୀକାର କରି ନପାରେ, କିନ୍ତୁ, ଅପକାର ବୋଲି କାହିଁକି କହିବ ? ଏହା ତ ସ୍ଵାଭାବିକ ନୁହେଁ ।’’

 

ବାବା କହିଲେ, “ଏହା ହିଁ ସ୍ଵାଭାବିକ ବୋଲି ପ୍ରସ୍ତୁତ ହେବାକୁ ହେବ । ଧର, ଜଣେ ଲୋକ ପାଣିରେ ବୁଡ଼ିଯାଉଛି, ତୁମେ ତା’କୁ ଉଦ୍ଧାର କରି ଆଣିଲ । କୂଳକୁ ଆସି ସେ ଆପତ୍ତି କଲା, ତା’କୁ ଧରି ଆସିଲା ବେଳେ ତୁମେ ତାକୁ ପାଣିରେ ମାଡ଼ି ଦେଉଥିଲ, ସେ ପ୍ରତିରୋଧ କରି ନଥିଲେ ବୁଡ଼ି ମରିଥାନ୍ତା । ତୁମକୁ ପୁରସ୍କାର ମିଳିବା ପୂର୍ବରୁ ଗୁଡ଼ାଏ ଘୋଷରା ମିଳିବ ନା ନାହିଁ–କହିଲ ? ସେଇ ଘୋଷରା ବେଳେ ଯେଉଁ ଆତ୍ମଗ୍ଳାନି ଆସିବ, ସେଥିକୁ ଆଗରୁ ତିଆରି ହୋଇ ରହିଲେ ଏ କାମକୁ ଆସ । ଆଉ ଗୋଟିଏ କଥା, କାହାର ଉପଦେଶ, ପ୍ରବର୍ତ୍ତନା ବା ଆକର୍ଷଣରେ ଏ କାମ ନେବାର ନୁହେଁ । ମହାତ୍ମାଗାନ୍ଧୀଙ୍କ ପ୍ରବର୍ତ୍ତନାରେ ଯେଉଁମାନେ ଦେଶସେବାର ବ୍ରତ ନେଇଥିଲେ ସେମାନଙ୍କ ମଧ୍ୟରୁ ଅନେକଙ୍କର ଏବେ କି ପରିଣତି ହୋଇଛି ଦେଖୁଛ ତ ? ଧର୍ମଗୁରୁଙ୍କ ତେଜରେ ଝଲସି ଯାଇ ଯେଉଁମାନେ ମନ୍ତ୍ର ନିଅନ୍ତି ସେମାନଙ୍କ କଥା ତ ଜାଣିଥିବ । ମନରେ ଯଦି ଲୋକସେବାର ସଂକଳ୍ପ ଆସିଛି, ତେବେ ଭଲ । କିନ୍ତୁ ନିଜ ମନକୁ ଦୃଢ଼ କରିବାକୁ ବେଳ ଲାଗିବ, ସେବାର ମାର୍ଗ ବି ଠିକଣା କରିବାକୁ ହେବ । ସେ ସବୁ ଆଗ କର । ତା’ ପରେ ଭବିଷ୍ୟତ ପାଇଁ ବାଟ ଖୋଜ ।’’

 

ବିମଳବାବୁଙ୍କ ଜିଦ୍‌ କିନ୍ତୁ ନ ଛାଡ଼େ ! ସେ କହିଲେ, “ବାବା ମୁଁ ଯଦି ଚାକିରି ଛାଡ଼ି ଏଇଠାରେ ରହିବାକୁ ସ୍ଥିର କରିଛି । ଅବଶ୍ୟ ଆପଣ ଯଦି ନାରାଜ ହୁଅନ୍ତି, ତେବେ ମୁଁ ବଳାଇବି ନାହିଁ ।”

 

ବାବା ବଡ଼ ପାଟିରେ ହସି କହିଲେ, ଶେଷରେ ମୋ’ରି ମୁଣ୍ଡରେ ଅଠା ଲାଗିଲା ପରା ! ଏଠାରେ ରହିବାକୁ ତୁମକୁ ମନା କରିବାକୁ ମୁଁ କିଏ ? ଠାକୁରାଣୀ ଯେତେବେଳେ ଏଠାକୁ ଆଣିଛି : ସେ ତୁମକୁ ରଖିବ । ମୋ ମନକୁ ଯାହା ଆସିଲା ମୁଁ କହିଲି ସିନା ! ଆଚ୍ଛା, ତୁମର ଏ ସଂକଳ୍ପ କଥା ଦୁର୍ଗିକୁ କହିଛ ?”

 

ବିମଳବାବୁ ହଁ କଲେ, କହିଲେ, ‘‘ତା’ର କିନ୍ତୁ ଇଚ୍ଛା ନୁହେ, ମୁଁ ଏଠାରେ ରହିବା । ବାପା ମା’ଙ୍କୁ ନ ପଚାରି ଚାକିରି ଛାଡ଼ିବାକୁ ମଧ୍ୟ ସେ ପସନ୍ଦ କରୁନାହିଁ ।’’

 

ବାବା ମୁରୁକି ମୁରୁକି ହସି କହିଲେ, “ମୁଁ ସେଇଆ ବିଚାରିଥିଲି । ତୁମେ ଏଠାରେ ରହିବାରେ ଦୁର୍ଗିର ଆପତ୍ତି ମୁଁ ଗ୍ରହଣ କରିନପାରେ । ମନ୍ଦିର ଠାକୁରାଣୀର, ମୁଁ ସେଥିରେ ମାର୍ଫତ୍‌ଦାର । ମୋ ତୁଣ୍ଡରେ ଠାକୁରାଣୀ ହଁ ନାହିଁ କରାଇପାରେ । ନାହିଁ କରିବାକୁ ଦୁର୍ଗି କିଏ ? ବାପା ମା’ଙ୍କ ସଙ୍ଗେ ପରାମର୍ଶ କରିବା ପ୍ରସ୍ତାବଟା କିନ୍ତୁ ଗ୍ରହଣ କରିବାକୁ ହେବ । ତାଙ୍କ ପ୍ରତି ତ କର୍ତ୍ତବ୍ୟ ଅଛି । ନିଜ ବାପ ମା’ଙ୍କର ଯେ ମନ ନେଇ ନ ପାରିବ ସେ ପରଙ୍କର ମନ ନେବ କ’ଣ ? ତୁମେ ସେମାନଙ୍କ ପାଖକୁ ଲେଖ, ସେମାନେ ଆସନ୍ତୁ । ନହେଲେ ତୁମେ ଗାଁରେ ଯାଇ ବୁଲି ଆସ-।’’

 

ବିମଳବାବୁ ଉତ୍ତର ଦେବା ପୂର୍ବରୁ ପାଟି କରି କରି ମାଳତୀ ମଣ୍ଡପ ଉପରକୁ ଚଢ଼ିଲା ! ତା’ ପଛରେ ଆସୁଥିବା ଗୋଟିଏ ଛିଣ୍ଡାଲୁଗା ପିନ୍ଧିଥିବା ନାରୀ ମଣ୍ଡପ ତଳେ ଅଣଆଡ଼ିଆ ହୋଇ ମୁହଁକୁ ପୋତି ଠିଆ ହୋଇ ରହିଲା । ବାବା ଜିଜ୍ଞାସୁ ଦୃଷ୍ଟିରେ ମାଳତୀ ଆଡ଼କୁ ଚାହିଁବାରେ, ସେ କିଞ୍ଚିତ୍‌ ସଂଯତ ହୋଇ ବୟାନ କଲା, ‘‘ବାବା ଦେଖିଲ ! ଏ ବାଡ଼ିପଡ଼ା ଯୋଗିଆ ଏ ଗାଁଟାକୁ ଏକାବେଳକେ ସତ୍ୟାନାଶ କରିପକାଇବ । ଏ ବିଚାରୀ ରାଏପୁରର ଚଷାଘର ମାଇକିନିଟାଏ । ବାଡ଼ିପଡ଼ା ଯୋଗିଆ ସେଇ ଗାଁରେ ମାଷ୍ଟ୍ର ହୋଇଥିଲା । ନିରାଶ୍ରୟ ବିଧବାଟିଏ । ଏ ବାଡ଼ିପଡ଼ା କଥାରେ ପଡ଼ି କୁଳ ବୁଡ଼େଇଚି । ଆଜି ଯୋଗିଆ ପାଖକୁ ଯାଇଥିଲା ଯେ, ବାଡ଼ିପଡ଼ା କେମିତି ବାଡ଼େଇଛି, ଦେଖିଲ ! ବାଡ଼ିପଡ଼ାକୁ ମରଣ ହେଉନାହିଁ କାହିଁକି କେଜାଣି ?’’

 

ବାବା ନିର୍ବିକାର ଭାବେ କହିଲେ, “ହଉ ! ୟେ ଏବେ କ’ଣ କହୁଛି ଯେ !"

 

ମାଳତୀ କହିଲା, ‘‘ସେ ଆଉ କହିବ କ’ଣ ? ବାବାଙ୍କ ପାଖକୁ ତ ସେ ପଚାରିବାକୁ ଆସିଛି, ସେ ସଂସାରରେ ରହିବ ନା ଜହର ଖାଇବ । ବାବା ଯଦି ଗାଁ ଲୋକଙ୍କୁ ଡାକି ବାଡ଼ିପଡ଼ା ଯୋଗିଆକୁ ଶାସନ ନକରନ୍ତି ତେବେ ତା’ ଉତ୍ପାତରେ ଆଉ ଗାଁ ଲୋକେ ଚଳିପାରିବେଟି !’’

☆☆☆

 

କର୍ତ୍ତବ୍ୟର ଦୁଇ ଦିଗ

 

ବିମଳାମନ୍ଦିରରେ ଏବେ କେତେ ଦିନ ହେଲା ଭାରି ମଉଚ୍ଛା ଚାଲିଛି । ହପ୍ତାକ ଭିତରେ ତିନିଟା ମଉଚ୍ଛା ହୋଇଗଲାଣି । ଗାଁର ମାନ୍ୟଗଣ୍ୟ ଲୋକେ ମଧ୍ୟ ଆସି, ଇତର ଲୋକଙ୍କ ସହିତ ଏକା ପଂକ୍ତିରେ ଖାଇଯାଉଛନ୍ତି । ପାଖ ଆଖର ବ୍ରାହ୍ମଣମାନେ ଆସି ସାତଦିନ ହେଲା, ଚଣ୍ଡୀ ଗୁଣୁଥିଲେ । ଶେଷ ଦିନ ବ୍ରାହ୍ମଣମାନେ ଯେପରି ହେଲେ, ମନେ ହେଉଥିଲା, ବଡ଼ଧରଣର ଗଣ୍ଡଗୋଳଟାଏ ହେବ ।

 

ବ୍ରାହ୍ମଣମାନେ ଦକ୍ଷିଣା ବିଷୟରେ ଭାରି ଗୁରାଳି କଲେ । ପ୍ରତ୍ୟେକେ ପ୍ରତ୍ୟେକଙ୍କର ଗଈ ଖୋଳି ଦାବି କଲେ, ‘‘ସେ ଯଥାବିଧି ଚଣ୍ଡୀ ଗୁଣିଛନ୍ତି, ତେଣୁ ଅପରଠାରୁ ଅଧିକ ପାଉଣା ପାଇବାର କଥା’ । ବାବା ଧରି ବସିଲେ, ଦୋଷଗୁଣ ବାଛ ବିଚାର ନକରି ସମସ୍ତଙ୍କୁ ଏକାପରି ଦକ୍ଷିଣା ଦିଆଯିବ । ବ୍ରାହ୍ମଣମାନେ ନିଜର ତ୍ୟାଗର ଦୃଷ୍ଟାନ୍ତ ନ ଦେଖାଇଲେ ଲୋକଙ୍କର ମତି ଆମ ଦେବତା ଓ ପିତୃଙ୍କ ଆଡ଼କୁ ଆକୃଷ୍ଟ ହେବା ସମ୍ଭବ ନୁହେ ବୋଲି ବାବା କଥା ପ୍ରସଙ୍ଗରେ କହିବାରୁ ଜଣେ ଉଚ୍ଚକୁଳୀନ ବ୍ରାହ୍ମଣ ତେଜି ଉଠି କହିଲେ, “ବାବାଜୀ, ବୈଷ୍ଣବ, ସାଧୁ ସନ୍ଥ ସମସ୍ତଙ୍କର ମନ, ଧୁଆମୂଳା ଅଧୂଆମୂଳା ସମାନ କରିବେ । ଆମର ଆଉ ଚାରା କ’ଣ ? ଯଦି ଓତା, ପତି ସମସ୍ତଙ୍କୁ ଆମ ସଙ୍ଗେ ସମାନ କରି ତୁଳିବାର ମନ ଥିଲା, ତେବେ ଆମକୁ ଡକାଇଲ କାହିଁକି ? ମୁଁ ଏଇପାଇଁ ଚଣ୍ଡୀ ଗୁଣିବାକୁ କୁଆଡ଼େ ଯାଏ ନାହିଁ ।’’

 

ବିମଳବାବୁଙ୍କ ବାପା ଓ ମା’ ପୁଅର ଚିଠି ପାଇବା ସଙ୍ଗେ ସଙ୍ଗେ ନିଜ ଅନୁପସ୍ଥିତିରେ ଘର ଚଳେଇବାକୁ ବନ୍ଦୋବସ୍ତ କରି ଦେଇ ବିମଳା ମନ୍ଦିରଠାରେ ଆସି ପହଞ୍ଚିଲେ । ବାବୁ ଜମିବାଡ଼ି, ଗାଈଗୋରୁଙ୍କ ବିଷୟରେ ବ୍ୟବସ୍ଥା କଲା ଭିତରେ, ସାଆନ୍ତାଣୀ କଳରେ ଚାଉଳ ପେଷାଇ ଚାଉଳ କରିବାରେ ଲାଗିଥା’ନ୍ତି । ଆସିବା ଦିନ ଟ୍ରକ୍‌ ବରାଦ ହେବାରେ ସିଧୁବାବୁ ଘଟନାଟା ଜାଣିଲେ । ସୁଲକ୍ଷଣା ଦେବୀ ଦୁର୍ଗି ଓ ବିମଳାଙ୍କ ଖୁରାକି ବାବତରେ ଠାକୁରାଣୀଙ୍କର ଧାରୁଆ ହେବେନାହିଁ ବୋଲି କୋଡ଼ିଏ ବସ୍ତା ଚାଉଳ ଓ ତାକୁ ଚାହିଁ ଡାଲି ଓ ପରିବାପତ୍ର ସାଙ୍ଗରେ ଧରି ବାହାରିଲେ । ଏ ସବୁ ଜିନିଷ ମନ୍ଦିର ଦୁଆରେ ଆସି ଠିଆ ହେବାରେ ବେବର୍ତ୍ତାଙ୍କର ହୁବ ପାଇଲା ନାହିଁ, ବାବାଙ୍କୁ ନ ପଚାରି ସେଗୁଡ଼ିକ ରଖିବାକୁ । ବାବାଙ୍କଠାରୁ ଅନୁମତି ଆଣିଲେ ସୁଲକ୍ଷଣା ଦେବୀ । କିନ୍ତୁ ଗୋଟିଏ ସର୍ତ୍ତରେ–ଆପେ ଥିବା ଭିତରେ ସବୁଗୁଡ଼ିକ ଜିନିଷ ଖଇରାତ୍‌ କରାଇବେ । ସେଇ ସର୍ତ୍ତ ପୂରଣ କରିବା ପାଇଁ ସୁଲକ୍ଷଣା ଦେବୀଙ୍କର ବରାଦରେ ଲାଗିଥାଏ, ଚଣ୍ଡୀ ଭାଗବତ ଆଦି ପୁରାଣ ପାଠ ଓ ମହାପ୍ରସାଦ ବଣ୍ଟନ ।

 

ବାବା ସଙ୍ଗେ ଯିମିତି ଭୂସ୍ଵର୍ଗରେ ଥାନ୍ତି । ମନ୍ଦିର ବେଢ଼ାରେ ଏତେ ଲୋକ ହାତ ଧୋଇ ଯିବା ତାଙ୍କ ଅମଳରେ ହୋଇ ନ ଥିଲା । ୟାରି ଭିତରେ ସେ କେତେ ଲୋକଙ୍କର ଚିହ୍ନା ହୋଇଥାନ୍ତି, କେତେ ଲୋକଙ୍କର ଦୁଃଖସୁଖ ତାଙ୍କ କାନକୁ ଆସିଥାଏ । ବାବାଙ୍କୁ ନିଜର ଦୁଃଖ ଦୁର୍ଦ୍ଦଶା କହିଦେଇ, ଅଧିକାଂଶଙ୍କର ମନ ଉଶ୍ଵାସ ହେଉଥାଏ । ସିଧୁବାବୁ ବାବାଙ୍କର ପାଖେ ପାଖେ ରହି ଆଧୁନିକ ରୀତିର ମାନଦଣ୍ଡରେ ସବୁ କଥା ତୁଳୁଥା’ନ୍ତି । ସେ ବହୁକାଳ ଓକିଲାତି କରି ମନୁଷ୍ୟଚରିତ୍ର ଆଦୌ କଳି ପାରୁ ନାହାନ୍ତି ବୋଲି ବିଚାରୁଥା’ନ୍ତି । ସେ ବୁଝିଥା’ନ୍ତି, ଓକିଲ ଗୋଟାଏ ଅବାସ୍ତବ ବେଷ୍ଟନୀ ଭିତରେ ଥାଏ । ପରାମର୍ଶ ନେବାକୁ ଆସନ୍ତି କପଟୀ ଲୋକେ, ସତକୁ ନାନା ଚିତ୍ର କରି କହନ୍ତି । ପଇସା ପାଇଁ ଓକିଲ ମଧ୍ୟ ସତକୁ ଘୋଡ଼ାଇବା ସକାଶେ ଉଦ୍ୟମ କରେ । ବାବାଙ୍କ ପରି ଲୋକଙ୍କ ପାଖକୁ ଆସନ୍ତି ସରଳ, ସତ୍ୟ–ଅନୁରକ୍ତ ଲୋକେ । ଓକିଲ ଓ ତାଙ୍କ ମହକିଲମାନେ ଜୀବନକୁ ପଇସାରେ ଗଣନ୍ତି । ସରଳ ଲୋକେ ପଦେ ମଧୁର କଥା ପାଇଲେ ମନକୁ ବୁଝାଇ ଦିଅନ୍ତି । ବାବାଙ୍କ କଥାରେ ଲୋକେ ଫଳ ପାଇବା ମୂଳରେ ସିଧୁବାବୁ ଏଇ ତତ୍ତ୍ଵଟି ଖୋଜି ଖୋଜି ପାଇଲେ । ସେ ବୁଝିଲେ, ସେ ଯେଉଁମାନଙ୍କ ସଙ୍ଗେ ଜୀବନ ତମାମ ଚଳି ଆସିଛନ୍ତି, ସେମାନେ ଦେଶର ଜନତାର ଶତକଡ଼ା ପାଞ୍ଚ ହେବେ ନାହିଁ । ବାବା ଯାହାଙ୍କ ଗହଣରେ ରହିଛନ୍ତି ସେମାନେ ଦେଶର ଶତକଡ଼ା ପଞ୍ଚାନବେ ଭାଗ । ମହୋତ୍ସବରେ ସେ ବାବାଙ୍କ ମହିମା ଅନୁଭବ କରି ତାଙ୍କ ପ୍ରତି ଅଧିକରୁ ଅଧିକ ଆକୃଷ୍ଟ ହେଉଥାନ୍ତି ।

 

ଶେଷ ଦିନ ବ୍ରାହ୍ମଣମାନଙ୍କ ଲୋଲୁପତା ଦେଖି ସେ କ୍ଷୁଣ୍ଣ ହୋଇଥିଲେ । କିନ୍ତୁ ବ୍ରାହ୍ମଣମାନଙ୍କୁ ଅସନ୍ତୁଷ୍ଟ କରିବା ଭୟରେ, ସେ ତୁଣ୍ଡ ନ ଫିଟାଇ, ବ୍ରାହ୍ମଣମାନଙ୍କଠାରୁ ଆତ୍ମରକ୍ଷା କରିବା ସକାଶ ବାବାଙ୍କୁ ଏକୁଟିଆ ଛାଡ଼ି, ତାଙ୍କରି ପଛରେ ରହିଥାନ୍ତି । ବଡ଼ ପଣ୍ଡିତେ ତେଜି ଉଠି ବାବାଙ୍କୁ ଦୋଷୀ କରିବାରେ ସେ ସହି ନପାରି ଜବାବ ଦେଲେ, ‘‘ପଣ୍ଡିତ ମହାଶୟ, ଆପଣ ପଇସା ନ ପାଇଲେ ଚଣ୍ଡୀ ଗୁଣନ୍ତି ନାହିଁ ପରା ।’’ ପଣ୍ଡିତେ ସେମିତି ତେଜସ୍ଵରରେ ଜବାବ୍‌ ଦେଲେ, ‘‘ପଇସା ନପାଇଲେ ଆଜି–କାଲି କିଏ କ’ଣ କରୁଛି ଯେ ?’’

 

ସିଧୁବାବୁ କହିଲେ, ‘‘ତେବେ, ଆପଣ କ’ଣ ସମସ୍ତଙ୍କ ସଙ୍ଗେ ଜଣେ ଯେ, ଧର୍ମକାର୍ଯ୍ୟକୁ ପଇସା ରୋଜଗାରର ପନ୍ଥା କରି ଧରିଛନ୍ତି ?’’

 

ପଣ୍ଡିତେ ଟିକିଏ ଦବି ଯାଇ କହିଲେ,’‘ବାବୁ ! ସେ କଥା ସତ । ଏ ଯୁଗରେ ଧର୍ମ ନ ବିକିଲେ ପେଟ ପୂରୁନାହିଁ । ତମେ ଯିମିତି ପଇସା ନ ପାଇଲେ ହାକିମ ଆଗକୁ ବାହାରୁ ନଥିଲା, ଆମେ ସିମିତି କରୁଛୁ ।’’

 

ସିଧୁବାବୁ ହସି ହସି କହିଲେ, ‘‘ ସମସ୍ତଙ୍କ ସଙ୍ଗେ ସମାନ ଆଚରଣ କରି, ସମସ୍ତଙ୍କ ସଙ୍ଗେ ସମାନ ବିଦାକି ପାଇବାରେ ନାରାଜ ହେଉଛନ୍ତି କାହିଁକି ?’’

 

ବ୍ରାହ୍ମଣ ଏଥକୁ କିଛି ଜବାବ୍‌ ଦେଇ ବାବାଙ୍କୁ କହିଲେ, ‘‘ମହାରାଜ ! ବେବର୍ତ୍ତାଙ୍କୁ ପଦୁଟାଏ କହିଦିଅ, ମୁଁ ବିଦା ହୋଇଯାଏ । ବହୁତ ଗୁଡ଼ାଏ ବାଟ ଯିବାକୁ ଅଛି । ସାତ ଦିନ ଏଠାରେ ରହିଲିଣି, ସିଆଡ଼େ ଗୋରୁ ଗାଈ ପୁଞ୍ଜାକ ଘରକୁ ଆସୁଥିବେ କି ନାହିଁ କେଜାଣି ?’

 

ବାବା ହସି ହସି ବେବର୍ତ୍ତାଙ୍କୁ କହିଲେ, ‘‘ବେବର୍ତ୍ତାଏ ! ୟାଙ୍କୁ ଆଉ ପଇସା ଆଠଣା ଦେଇଦିଅ । ବ୍ରାହ୍ମଣ ସନ୍ତୋଷରେ ଯାଆନ୍ତୁ । ଅନ୍ୟମାନଙ୍କୁ କହିବ, ୟେ ଆପଣେ ଆଠ’ଣା ନେବାରୁ ସେ ଅସନ୍ତୁଷ୍ଟ, ସେ ମୋ ପାଖକୁ ଆସିବେ ।’’

 

ବ୍ରାହ୍ମଣ ସନ୍ତୋଷରେ ଗଲେ, କିନ୍ତୁ ବାବାଙ୍କ କଥା ସିଧୁବାବୁଙ୍କ ମନକୁ ପାଇଲା ନାହିଁ । ସେ କହିଲେ, ‘‘ବାବା ! ସେ ମହାଶୟ ତ ଯୁକ୍ତିରେ କାବୁ ହୋଇ ସିଧା ସିଧା ଯାଇଥାନ୍ତେ, ଆପଣ ତାଙ୍କୁ ସ୍ଵୀକାର କଲେ କାହିଁକି ? ଗୋଟାଏ କୁସଂସ୍କାରକୁ ପ୍ରଶ୍ରୟ ଦିଆ ହେଲା ସିନା ?’’

 

ବାବା ହସି ହସି ଜବାବ୍‌ ଦେଲେ, ‘‘ତେବେ, ଗୋଟାଏ ଦୋଷକୁ ଯୋଡ଼ାଏ ଦଣ୍ଡ ହୁଅନ୍ତା-? ସେ ତ ସମସ୍ତଙ୍କ ସଙ୍ଗେ ସମାନ ବୋଲି ମାନିଲେ । ସେଇ ମାନିବା ପାଇଁ କିଛି ପୁରସ୍କାର ଦରକାର; ତା’ ପରିବର୍ତ୍ତେ ପଇସା କାଟିଲେ କ’ଣ ଭଲ ହୁଅନ୍ତା ? ତାଙ୍କରି ଆଗରେ ତ ପୁଣି କହି ଦେଇଛି, ଆଉ ଯେ ଚାହିବେ, ମୋ ପାଖକୁ ଆସିବେ । ଚଣ୍ଡୀ ଗୁଣିବାର ଦକ୍ଷିଣାଟା ସମସ୍ତଙ୍କ ପାଇଁ ଆଉ ଆଠ’ଣା ବଢ଼ିଗଲା ବୋଲି ଧର ।’’

 

ସିଧୁବାବୁ ତୁନି ହେଲେ । ବାବା ପୁଣି କହିଲେ, ‘‘ବିନା ବ୍ରାହ୍ମଣରେ ଏ ସମାଜଟା ଚଳିବ ନାହିଁ । ସବୁ ଛାଡ଼ିବା, କିନ୍ତୁ ବିଭାଘର, ଶୁଦ୍ଧଘର ତ ଲୋପ ହେଲାପରି ଦିଶୁନାହିଁ । ବ୍ରାହ୍ମଣ ନ ବସିଲେ ନଚଳେ । ତାଙ୍କୁ ବାଟକୁ ଆଣିବାକୁ ଯେ ବିଚାରିବ, ସେ ସେମାନଙ୍କୁ ଆଦର କରି ଆସ୍ତେ ଆସ୍ତେ ବାଟକୁ ଆଣିବ । ଭଗବାନ ପରା ବ୍ରାହ୍ମଣର ଗୋଇଠା ଖାଇଥିଲେ !’’

 

ସିଧୁବାବୁ ଏଥର ଜବାବ ଦେଲେ, ‘‘ଏଇ ପୁରୁଣା କଥାର ନଜର ଦେଇ ଆମେ ଯୁଗର ପ୍ରତିକୂଳରେ ଚଳିବା ସିନା !’’

 

ବାବା ହସି ହସି କହିଲେ, ‘‘ଏ ତ ସବୁଯୁଗର ଅନୁକୂଳ ରୀତି । କୌଣସି ଲୋକକୁ ବଳରେ, କଳରେ, ବା କଥା ଜୋରରେ ଅକତିଆର କରିବାଦ୍ଵାରା କୌଣସି ସ୍ଥାୟୀ ଫଳ ମିଳେନାହିଁ-। ଲୋକ ଅକଳରେ ପଡ଼ି ସେତିକିବେଳ ପାଇଁ ତୁନି ହୋଇଯାଏ । କିନ୍ତୁ ପେଟ ଭିତରେ ଅସନ୍ତୋଷ ପୁଣି ନୂଆ ରୂପ ଧରି ସୁବିଧା ପାଇଲାମାତ୍ରେ ବାହାରେ । ଆଜିକାଲି ଜଗତରେ, ମଝିରେ କେତେ ବର୍ଷ ଶାନ୍ତି ରହିବା ପରେ ଯୁଦ୍ଧ ନିଆଁ ଜଳି ଉଠୁଛି କାହିଁକି ? ଅପରର ଆଶା ଆକାଂକ୍ଷାକୁ ବୋମା ପକାଇ ଚାପି ଦେବାରୁ ନୁହେ କି ? ଏ ଯୁଗ ହେଉ ବା ସେ ଯୁଗ ହେଉ, ସବୁବେଳେ ବିପଥଗାମୀକୁ କଅଁଳେଇ ସଅଳେଇ ବାଟକୁ ଆଣିବାକୁ ହେବ । ସେ ବୃତ୍ତି ଧଇଲେ ପୁଲିସ, ହାକିମ ବା ଗୁଳାଗୁଳିର ଦରକାର ହେବ ନାହିଁ । ଆମ ଦେଶରେ ତ ହେଉନାହିଁ ।

 

ସିଧୁବାବୁ ଜବାବ୍‌ ଦେଲେ, ‘‘ଆପଣ ଏ ମନ୍ଦିରରେ ବସିଛନ୍ତି ଓ ଆପଣା ପରି ସମସ୍ତଙ୍କୁ ଦେଖୁଛନ୍ତି ବୋଲି ଆପଣଙ୍କୁ ଦିଶୁଛି, ଲୋକେ ସିଧାସଳଖ ଭାବେ ଅଛନ୍ତି । ମୋର ଧାରଣା, ଦେଶରେ ଅନ୍ୟାୟ ଓ ଦୁର୍ନୀତି ଭରିଗଲାଣି । ଯେଉଁ ସରଳ ଜୀବନ କଥା ଆପଣ ଭାବୁଛନ୍ତି, ତାହା କ’ଣ ଆଉ ଅଛି ?’’

 

ବାବା ହସି ହସି କହିଲେ, ‘‘ବାବୁ, ମୋତେ ଯେଉଁ ଦୋଷ ଦେଉଥିଲ, ଏବେ ନିଜେ ସେଇଥିରେ ପଡ଼ିଗଲ ! ମୁଁ ଠାକୁରାଣୀ ମଣ୍ଡପରେ ବସିଥିବାରୁ ମୋତେ ଯେମିତି ସବୁ ସୁନ୍ଦର ଦିଶୁଛି, ତୁମେ ଜୀବନ ତମାମ କଚେରୀ ହତାରେ ବସିଥିବାରୁ, ଓକିଲ, ମୁକ୍ତାର ଓ ମିଛସାକ୍ଷୀଙ୍କ ଭିତରେ ଚଳିଚଳି ସବୁ ମନ୍ଦ ଦେଖୁଛ । ପ୍ରତି ସବ୍‌ଡ଼ିଭିଜନ୍ ଓ ଜିଲା ହାକିମଙ୍କ ନଥି ଖୋଜି ଦେଖିବ, ଶହକେ ଜଣେ ମଧ୍ୟ ତୁମ କୋଟ କଚେରୀକୁ ଆସୁନାହାନ୍ତି । ଗୋଟିଏ ଗୋଟିଏ ସବ୍‌ଡ଼ଭିଜନ୍‌ରେ ୪।୫ ଲକ୍ଷ ଲୋକ । ବର୍ଷକୁ ମକଦ୍ଦମା ହେଉଛି, ମୋଟେ ଚାରିଶହ କି ପାଞ୍ଚଶହ । ପ୍ରତି ମକଦ୍ଦମାରେ ହାରାହାରି ଦଶଜଣ ସଂପୃକ୍ତ ଥିଲେ ବି, ଶହକେ ଜଣେ ପଡ଼ିବ କି ନାହିଁ ସନ୍ଦେହ । ଶହକେ ଯଦି ଦୁଇଜଣ ଦୁଷ୍ଟ ବାହାରନ୍ତେ ତେବେ ଏ ସରକାର ଅଚଳ ହୋଇଯା’ନ୍ତା । କର୍ମଚାରୀଙ୍କ ସଂଖ୍ୟା ଡବଲ ନ କଲେ ଚଳନ୍ତା ନାହିଁ ।’’

 

ସିଧୁବାବୁ ବୁଝିବାକୁ ଆରମ୍ଭ କଲେ । ବାବା ପୁଣି କହିଲେ, ‘‘ଯେତେ କଡ଼ା ଆଇନ କଲେ ବା ପୁଲିସ ଓ ହାକିମ ରଖିଲେ, ଶହକେ ହଜାରକେ ଜଣେ ଅଧେ, ନିଶ୍ଚୟ ଆଇନକୁ ଝୁଣା ମାରି ରହିଯିବେ ! ଲୋକଙ୍କୁ ବୁଝେଇ ସୁଝେଇ, ଚଳେଇବାକୁ ବସିଲେ ମଧ୍ୟ ସେହିପରି ଜଣେ ଅଧେ ଅବୁଝା, ଏକଶିଂଘା ରହିଯିବେ । ପ୍ରଥମ ପନ୍ଥାରେ ଗୁଡ଼ାଏ ଖର୍ଚ୍ଚ, ଗୁଡ଼ାଏ ଦହସତ୍; ଦ୍ଵିତୀୟ ପନ୍ଥା ସହଜ, ସରଳ ଓ ଅଳ୍ପ ବ୍ୟୟସାପେକ୍ଷ ।’’

 

ସିଧୁବାବୁ କହିଲେ, ‘‘ହଁ, କମ୍ୟୁନିଜମ୍‌ର ଆଦର୍ଶ ଏଇଆ । ଲୋକର ବୃତ୍ତି ନିୟନ୍ତ୍ରିତ ହେଉ ହେଉ ଏପରି ଗୋଟିଏ ସମୟ ଆସିବ, ଯେତେବେଳେ ନିୟନ୍ତ୍ରଣର ପ୍ରୟୋଜନ ରହିବ ନାହିଁ-। ଆଉ ସରକାର ଦରକାର ହେବନାହିଁ । ଲୋକେ ନିଜେ ନିଜେ ନିଜକୁ ସମ୍ଭାଳିବେ । ପ୍ରତ୍ୟେକେ ନିଜ ନିଜକୁ ରାସ୍ତାରେ ରଖିବାକୁ ଯିବାଦ୍ଵାରା, ସମସ୍ତେ ରାସ୍ତାରେ ରହିବେ, ଅନାବିଳ ସାମାଜିକ ବନ୍ଧନ ସମସ୍ତଙ୍କୁ ବାନ୍ଧି ରଖିବ । କିନ୍ତୁ ଏହା କଳ୍ପନାର ସାମଗ୍ରୀ; କାର୍ଯ୍ୟରେ ହେବାକୁ କେତେ ଶହ, କେତେ ହଜାର ବର୍ଷ ଲାଗିବ, କିଏ କହିବ ?’’

 

ବାବା କହିଲେ, ‘‘ମୋତେ କିନ୍ତୁ ଜଣାପଡ଼ୁଛି, ଆମ ଦେଶରେ ଏକ ସମୟରେ ଏଇ ଅବସ୍ଥାଟା ଥିଲା । ଆଜି ବି କିଛି କିଛି ଅଛି । କେଉଁ ରାଜା ହାରିଲା, କିଏ କିଣିଲା, ତାହାର ଖବର ଆମ ଲୋକେ ରଖନ୍ତି ନାହିଁ । ନିଜର ଗୋଷ୍ଠୀ, ସଂପ୍ରଦାୟ ବା ଜାତିଆଣସଭାକୁ ଧରି ଶାନ୍ତିରେ ଥାନ୍ତି; ଏବେ ବି ଅଛନ୍ତି । ଧୋବା, ଭଣ୍ଡାରୀ, ବାଉରି, ହାଡ଼ି, ପାଣ ସମସ୍ତେ ନିଜର ଜାତିଆଣର ଶାସନରେ ଅଛନ୍ତି । ସେମାନଙ୍କ ନିଜ ନିଜ ଭିତରେ ହେଉଥିବା ବାଦବିସମ୍ଭାଦ ଆପଣଙ୍କ କୋଟ୍‌କୁ ଆସେ କି ନାହିଁ ଆପଣ ଜାଣିଥିବେ । ବ୍ରାହ୍ମଣ, କରଣ, ଖଣ୍ଡାୟତ ପ୍ରଭୃତି ଯେଉଁ ଜାତି ଇଂରେଜି–ଶିକ୍ଷାରେ ଟିକିଏ ଆଗେଇଛନ୍ତି, ସେଇମାନେ ନିଜ ସାମ୍ପ୍ରଦାୟିକ ଅନୁଷ୍ଠାନର ଶୃଙ୍ଖଳା ଛିଣ୍ଡାଇ ଦେଇଛନ୍ତି । ସବୁ ଗୋଳମାଳ, ଅଶାନ୍ତି ସେଇମାନଙ୍କ ଭିତରେ । ସେଇମାନଙ୍କ ଭିତରର ଲୋକ ବେଳେ ବେଳେ ଭଣ୍ଡାରୀ, ଗଉଡ଼ଙ୍କୁ କଚେରୀକୁ ଟାଣୁଥିବେ ।’’

 

ସିଧୁବାବୁ କହିଲେ, ‘‘ଏ ଯୁଗର କ’ଣ ସେ ଯୁଗର କଥା ଚଳିବ ? ଗୋଷ୍ଠୀ ଧରି ରହିବା ସଭ୍ୟତା କେଉଁ କାଳୁ ଗଲାଣି । ବର୍ତ୍ତମାନ ପୃଥିବୀର ସବୁ ଲୋକଙ୍କୁ ଆପଣାର କରି ଚଳିବା ଦରକାର ପଡ଼ିଲାଣି ।’’

 

ବାବା କହିଲେ, ‘‘ସେ ତ ଭାରି ଭଲ କଥା । ଖାଲି ବିଶ୍ଵର ମାନବ କାହିଁକି, ସ୍ଥାବର ଜଙ୍ଗମ ସମସ୍ତଙ୍କଠାରେ ପରମାତ୍ମାଙ୍କର ସତ୍ତା ଅଛି ବୋଲି ଆମେ ବିଶ୍ୱାସ କରେ । କିନ୍ତୁ ସାଥି ଛିଡ଼ା ହୋଇ ବିଶ୍ୱମାନବିକତା ହାସଲ କରି ହେବନାହିଁ । ପରିବାର, ଗ୍ରାମ, ଗୋଷ୍ଠୀ, ରାଜ୍ୟ, ଦେଶ–ଏହାରି ଶୃଙ୍ଖଳା ଭିତରେ ହିଁ ବିଶ୍ୱମାନବିକତା ବା ବିଶ୍ଵମୈତ୍ରୀ ଆଡ଼କୁ ଆଗେଇବାକୁ ହେବ । ନିଜ ଭାଇ ସଙ୍ଗେ କଳି କରି ପରଦେଶୀ ସଙ୍ଗେ ଭାବ ରଖିବା, ନୀତି ଦୃଷ୍ଟିରୁ ସମର୍ଥନ କରି ହେବ ନାହିଁ, ସୁବିଧା ଦୃଷ୍ଟିରୁ ମଧ୍ୟ ନୁହେଁ ।’’

 

ସିଧୁବାବୁ ଆଉ ଯୁକ୍ତି ପାଇଲେ ନାହିଁ । ବାବାଙ୍କ କଥାର ଯୁକ୍ତିଯୁକ୍ତତା ଓ ସାରବତ୍ତା ସେ ହୃଦୟଙ୍ଗମ କଲେ । ତାଙ୍କର ତଥାପି ସନ୍ଦେହ ରହିଲା, ଆଜିକାଲିର ସଭ୍ୟତା ଯେତେଦୂର ଆଗେଇଲାଣି, ସେଥିରେ ପୁଣି ପଛକୁ ଫେରିବା ସମ୍ଭବ କି ?

 

ଏକଥା ଶୁଣି ବାବା କହିଲେ, ‘‘ସ୍ଵାଭାବିକ ରୀତିରେ ପଛକୁ ଫେରିବାକୁ ହେବ ବୋଲି ଆମ ଶାସ୍ତ୍ରରେ ପ୍ରମାଣ କରାଯାଇଛି । ବର୍ତ୍ତମାନର ସଭ୍ୟତା ଉଠି ଉଠି ଏପରି ଗୋଟାଏ ଅବସ୍ଥାରେ ଯାଇ ପହଞ୍ଚିବ, ଯେଉଁଥିରେ ଏ ସଭ୍ୟତାର ସବୁ ସ୍ଵତ୍ୱ ଭାଙ୍ଗିରୁଜି ଧୂଳିସାତ୍‌ ହୋଇଯିବ । ଦୈବାତ୍‌ ଯେଉଁ ଅଳ୍ପ ସଂଖ୍ୟକ ଲୋକ ରହିଯିବେ, ସେଇମାନେ ପୁଣି ନୂଆକରି ଆରମ୍ଭ କରିବେ ସତ୍ୟଯୁଗଠାରୁ । କୁକୁର ପିଲା ନିଜ ନାଙ୍ଗୁଡ଼ ପଛରେ ଦଉଡ଼ିବା ପରି, ଯୁଗକୁ ଯୁଗ ଏଇପରି ଚାଲିଛି-। ତେଣୁ ତୁମ ସଭ୍ୟତାକୁ ପଛକୁ ଫେରାଇବାକୁ ନ ବସି ଆଗାମୀ କାଳକୁ ଅପେକ୍ଷା କରି ରହିବା ହିଁ ଏକମାତ୍ର ପନ୍ଥା ।’’

 

ସିଧବାକୁ କହିଲେ, ‘‘ତେବେ କ’ଣ ଆପଣ ନିଷ୍କ୍ରିୟତାକୁ ପସନ୍ଦ କରୁଛନ୍ତି ?’’

 

ବାବା–ନା, ନା, ନିଷ୍କ୍ରିୟ ହୋଇ ରହିବା ତ ସମ୍ଭବ ନୁହେଁ । ଏତିକିମାତ୍ର ଫରକ, ମୁଁ ଯାହାକୁ କ୍ରିୟା ବୋଲି କହୁଛି, ତାହା ତୁମକୁ ନିଷ୍କ୍ରିୟତା ପରି ଦିଶିପାରେ ।

 

ସିଧୁବାବୁ ଆଉ କିଛି ପଚାରିବା ପୂର୍ବରୁ ବିମଳବାବୁ ଆସି ପହଞ୍ଚିଲେ । ସେ ଭାରି ଉତ୍ତେଜିତ ଦିଶୁଥାନ୍ତି । ଦେହଯାକ ଝାଳ, ନାକରୁ ସଁ ସଁ ନିଶ୍ଵାସ ବାହାରୁଥାଏ । ବାବା ତାଙ୍କୁ ସସ୍ନେହ ଜିଜ୍ଞାସୁ ଦୃଷ୍ଟିରେ ଚାହିଁଲେ । ତାଙ୍କ ଚାହାଣିଙ୍କୁ ବିମଳବାବୁଙ୍କ ବେଳ ନଥାଏ । ସେ ଫଁ ଫଁ ହୋଇ ଆରମ୍ଭ କଲେ, ‘‘ବାବା, ଯୋଗୀମାଷ୍ଟ୍ର ନାଁରେ ସାଙ୍ଗେ ସାଙ୍ଗେ ମକଦ୍ଦମା କରିବାକୁ ହେବ । ମୁଁ ଆଜି କଟକ ଯାଉଛି, ଓକିଲ ପରାମର୍ଶ କରିବି ।’’

 

ବାବା ଜାଣି ପାରିଲେ, ଯେଉଁ ସ୍ତ୍ରୀ ଲୋକଟି ଅନ୍ତଃସତ୍ତ୍ଵା ହୋଇ ବିମଳାଙ୍କ ଆଶ୍ରୟ ପାଇଛି, ତା’ରି ବିଷୟରେ ଏ ପର୍ଯ୍ୟନ୍ତ କିଛି ନ ହେବାରୁ ବିମଳବାବୁ ଅସହିଷ୍ଣୁ ହୋଇ ପଡ଼ିଛନ୍ତି । ସେ ମୁରୁକି ହସି କହିଲେ, ତୁମ ବାପା ପରା ଓକିଲ ବୋଲି ଖ୍ୟାତି ଅର୍ଜିଥିଲେ; ସେ ଥାଉ ଆଉ ଓକିଲ ପରାମର୍ଶ ପାଇଁ କଟକ ଯିବ କାହିଁକି ?

 

ବିମଳବାବୁ କହିଲେ, ‘‘ବାପା ତ ଚାରିବର୍ଷ ହେଲା ଓକିଲାତି ଛାଡ଼ିଲେଣି । ଟଙ୍କାର ପ୍ରୟୋଜନ ନାହିଁ ବୋଲି ବୋଉ ତାଙ୍କୁ ଓକିଲାତି ଛଡ଼େଇଲା । ବାପା ସେଇଦିନଠାରୁ ଓକିଲ ପରାମର୍ଶ କାହାକୁ ଦେଇନାହାନ୍ତି ।’’

 

ବାବା ସିଧୁବାବୁଙ୍କ ଆଡ଼କୁ ଚାହିଁ କହିଲେ, ‘‘ମାନେ, ଓକିଲାତି ଛାଡ଼ିବା ପରେ ଆଉ ଓକିଲ ପରାମର୍ଶ ବିକିନାହାନ୍ତି । କିନ୍ତୁ କଥା ପଡ଼ିଲେ କ’ଣ କହିବେ ନାହିଁ ? ଆଗ ଆମର ଏଇଠାରେ ବିଚାର କର । କଟକ ଯିବାର ହେଲେ କାଲି ଯିବ ।’’

 

ବିମଳବାବୁ ଏତେବେଳକୁ ଟିକିଏ ପ୍ରକୃତିସ୍ଥ ହୋଇଥାନ୍ତି । ସେ କହିଲେ, ‘‘ଆପଣ ସବୁ ବିଷୟରେ ନିଷ୍କ୍ରିୟ ରହିବାକୁ ପସନ୍ଦ କରୁଛନ୍ତି । ଲୋକଟା ଏଡ଼େ ପାପ କାର୍ଯ୍ୟ କଲା, ସେ ଦଣ୍ଡ ପାଇବ ନାହିଁ ? ଓଲଟି କାଠ ମୁହଁରେ ବାହାଦୁରି କରି ବୁଲିବ ? ଆପଣ ଦାଣ୍ଡକୁ ବାହାରୁ ନାହାନ୍ତି ବୋଲି କିଛି ଜାଣୁ ନାହାନ୍ତି । ଅପସରା କଥା ଶୁଣି ଗାଁ ଯାକର ଝିଅ ବୋହୂ ପ୍ରମାଦ ଗଣିଲେଣି । କ୍ରମେ ଯୋଗିଆ ବେଶୀ ଉଦ୍ଧତ ହେଲାଣି । ମୁଁ ଆଜି ତା’କୁ ପଡ଼ୁଚେଇବାକୁ ଯାଇଥିଲି । ସେ କହିଲା, ‘‘ଯାଅ, ତୁମ ହାତରେ, ତୁମ ବାବାଙ୍କ ହାତରେ କ’ଣ ହେଉଚି କର । ମନେ ରଖିଥିବ, ତମେ ମାଷ୍ଟ୍ରକୁ ମୁଁ ବି ମାଷ୍ଟ୍ର । ମୁଁ ଗଧଙ୍କୁ ମଣିଷ କଲେ ଓ ତୁମ୍ଭେ ମଣିଷଙ୍କୁ ଗଧ କର ।’’

 

ସିଧୁବାବୁ ହସି ପକାଇଲେ, କହିଲେ, ‘‘ବାଃ , ଲୋକଟା ତ ଖୁବ୍‍ ରସିକ । ସେ ଛୋଟପିଲାଙ୍କୁ ପାଠ ପଢ଼ାଉଚି ବୋଲି ଗଧଙ୍କୁ ମଣିଷ କରିବା କଥା କହୁଛି, ଆଉ ତୁମେ ଦେଶର ନବଯବାନମାନଙ୍କୁ ପରମୁଖାପେକ୍ଷୀ ଓ ଚାକିରିଆ କରୁଚ ବୋଲି ମଣିଷଙ୍କୁ ଗଧ କରୁଛ ! ନାଁ ?’’

 

ଏତେବେଳକୁ ସୁଲକ୍ଷଣା ଦେବୀ ଆସି ମିଶି ଯାଇଥାନ୍ତି । ସେ ସିଧୁବାବୁଙ୍କୁ ତିଆରିଲେ, ‘‘କେତେବେଳେ କ’ଣ କହନ୍ତି, ତୁମକୁ ଆସିଯାଏ ଆସିଲା ନାଇଁ । ଅପସରା କଥା ତୁମ ଦିହକୁ କାଟିବ କାହିଁକି ? ମାଇକିନିଆ ସିନା ମାଇକିନିଆର ଦୁଃଖ ବୁଝିବ ।’’

 

ବାବା ସୁଲକ୍ଷଣାଙ୍କ ଆଡ଼କୁ ଚାହିଁ ପଚାରିଲେ, ‘‘ଅପସରାର କ’ଣ ମାସ ଗଡ଼ିଗଲାଣି ?’’

 

ସୁଲକ୍ଷଣା ଦେବୀ କହିଲେ, ‘‘ସେ ତ ଓଲିଟାଏ, କିଛି ଜାଣିପାରୁନାହିଁ । ମୋତେ ଜଣାଯାଉଛି, ସାତମାସ ପୂରି ଗଲାଣି ପରା । ମାଳତୀ ବି ସେଇଆ କହୁଛି ।’’

 

ବାବା ଟିକିଏ ଗମ୍ଭୀର ଭାବରେ କହିଲେ ‘‘ତେବେ ଏତେବେଳେ ଆଉ ମକଦ୍ଦମା କଥା କାହିଁକି ଉଠାଉଛ ? ବିଚାରୀ ଆଗ ଖଲାସ ହୋଇ ସାରୁ । ତା’ପରେ ଦେଖିବା ।’’

 

ବିମଳବାବୁ କହିଲେ,’‘ ସ୍ତ୍ରୀ ମାନେ, ଆମେ ମୁଣ୍ଡ ପୋତି ତୁନି ହୋଇ ରହିଯିବା । ଦୁର୍ବୁତ୍ତ ଦଣ୍ଡ ନପାଇ ଆହୁରି ଦୁର୍ଦ୍ଦଣ୍ଡ ହୋଇଯିବ ।

 

ବାବା ନିରୁଦ୍‌ବେଗ ସ୍ୱରରେ କହିଲେ, ‘‘ବୁଝିଲ, ବିମଳ ! ତୁମେ ଟୋକା ଲୋକ ନା, ଦି’ ପଟ କଥା ବିଚାରି କହୁନାହଁ । ଦୁର୍ବୃତ୍ତକୁ ଦଣ୍ଡ ଦେଉ ଦେଉ ଯଦି ନିରୀହ ସ୍ତ୍ରୀଲୋକଟିର ଅନିଷ୍ଟ ହବ-?’’

 

‘‘ଅପସରାର ମାସ ଗଡ଼ିଗଲାଣି । ଏଥର ଏତିକି ସେ ଘରୁ ବାହାରିବାର କଥା ନୁହେ । ରେଳ, ମଟରରେ ଚଢ଼ିଲେ ଗର୍ଭପାତର ଆଶଙ୍କା ଅଛି । ତାକୁ ଏ ବିଷୟରେ ଗୁଡେ଼ଇ ତୁଡ଼େଇ ପଚାରିଲେ ମଧ୍ୟ ଗର୍ଭପାତ ହୋଇପାରେ । ପୁଣି ପୁଲିସ୍‍ଙ୍କ ପ୍ରଶ୍ନ ଓ ଓକିଲଙ୍କ ଜେରାରେ ବିଚାରୀର ଇଜ୍ଜତ ଯିବ । ଗୋଟିଏ ପାପ କରିଛି, ତାହାର ପ୍ରତିକାର କରୁ କରୁ ଜୀବନ ତମାମ ନିନ୍ଦା ଓ ଅପମାନରେ ସଢ଼ିଯିବା ଯଦି ଫଳ ହୁଏ, ତେବେ?’’

 

ବିମଳବାବୁ ଚିନ୍ତିତ ହେଲେ । ତାଙ୍କୁ ବଳ ଦେବାପାଇଁ ବାପା ଓ ମା’ ଙ୍କ ଆଡ଼କୁ ଚାହିଁଲେ-। ବାପା କହିଲେ , ‘‘ଦୋଷୀ ଧରା ପଡ଼ିଲେ, ପିଲାଟିର ଓ ତା’ ମା’ର ଭରଣ ପୋଷଣ ପାଇଁ ଦାୟୀ ହେବ । ଏ ଦାୟିତ୍ଵ ଏଡ଼ାଇବା ପାଇଁ ସେ ତ ପୁଣି ଚେଷ୍ଟା କରିବ । ମୋର ଗୋଟିଏ ମକଦ୍ଦମା କଥା ମନେପଡ଼ୁଛି । ଏପରି ଗୋଟିଏ ଯୁବତୀକୁ ଜଣେ ପାପଗର୍ଭ କରିଥିବାର ଅଭିଯୋଗ ହୋଇଥିଲା-। ଆମେ ପ୍ରମାଣ କଲୁ ଯେ ଯୁବତୀର ଚରିତ୍ର ଖରାପ, ତା’ ଘରକୁ ଆଉ ପାଞ୍ଚଜଣ ପଇସା ଦେଇ ଯିବାର ପ୍ରମାଣ ମିଳିଲା । ଯୁବତୀଟି ବେଶ୍ୟା ବୃତ୍ତି କରିବାର ପ୍ରମାଣ ହେବାରୁ ଆସାମୀ ଛାଡ଼୍‌‌ ପାଇଲା । ମକଦ୍ଦମା ହେଲେ ତାହା କେଉଁଆଡ଼େ ମାଡ଼ିଯିବ, କିଏ କହିବ-?’’

 

ବାବା ପଚାରିଲେ, ‘‘ଆଚ୍ଛା, ସେ ଯୁବତୀଙ୍କ ଶେଷରେ କ’ଣ ହେଲା ?’’

 

ସିଧୁବାବୁ କହିଲେ, ‘‘ଆମ ଓକିଲ ଦସ୍ତୁର, ମକଦ୍ଦମା ଫଇସଲା ହେବା ମାତ୍ରେ ଆମେ ସେ ସମ୍ପର୍କୀୟ ସବୁକଥା ପାଶୋରୀ ପକାଉ । ତେବେ ମୋର ଝାପ୍‌ସା ମନେପଡ଼ୁଛି, ସେ ଯୁବତୀଟି ମକଦ୍ଦମାରେ ହାରିବା ପରେ ବେଶ୍ୟାବୃତ୍ତି କଲା ।’’

 

ସୁଲକ୍ଷଣା ଦେବୀ କହିଲେ, ‘‘ଆପଣା ବୃଦ୍ଧିରେ ତ ୟା ହେଲା । କେଡ଼େ ସାଧୁ ଲୋକଟି ପରି କହୁଛନ୍ତି, ମକଦ୍ଦମା ଫଇସଲା ହେବାମାତ୍ରେ ଆମେ ସବୁ ପାସୋରି ଦେଉ । ତମେ ତିନିଟା ମିଛ ସାଖି ଯୋଗାଡ଼ କରି ତିନି ତୁଣ୍ଡରେ ବିଚରା ମାଇକିନିଆଟାକୁ ବେଶ୍ୟାପଡ଼ାକୁ ପେଲି ଦେଲ ଟି-? ସେଇ ପଇସା ପେଟରେ ପଡ଼ିବାରୁ ପରା ଆମର କିଛି ମଙ୍ଗଳ ହେଉନାହିଁ !’’

 

ବାବା ହସି ହସି ଚେତାଇ ଦେଲେ, ‘‘ଏଇ ଅପସରା କଥା ପଡ଼ିଛି ପରା ! ଏ କଥାଟି ତୁଟିଯାଉ, ଅନ୍ୟ କଥା ପକାଇବା ।’’

 

ବିମଳବାବୁ କହିଲେ, ‘‘ବାପା ଯେଉଁ ମକଦ୍ଦମା କଥା କହିଲେ, ଯୋଗିଆ ବୋଧହୁଏ ସେ କଥା ଜାଣେ । ସେ ମୋତେ କହିଲା, ‘ଦାରିଟାଏ କୁଆଡ଼ୁ ପିଲା ଜନ୍ମ କଲା ସେଥିପାଇଁ ମୁଁ ହିଁ ଦାୟୀ ପରା ! ଆଚ୍ଛା ହେଉ, ହାକିମ ଇଜଲାସ୍‌କୁ ଚାଲ, ଦେଖା ଦେଖି ହେବା ।’

 

ସିଧୁବାବୁ କହିଲେ, ‘‘ମକଦ୍ଦମାର ନଜିର ସବୁ ଛାପା ହୋଇ ରହିଛି; ଖବରକାଗଜବାଲା ତ ଏମିତି ସମ୍ବାଦ ପାଇଲେ ଖୁବ୍‌ ବଡ଼ ଅକ୍ଷରରେ ଛପାଉଛନ୍ତି । ମକଦ୍ଦମା କଥା ଯୋଗୀ ଜାଣିବାରେ ଆଶ୍ଚର୍ଯ୍ୟ କ’ଣ ! ନ ଜାଣିଲେ ବି ଓକିଲ, ବୁଦ୍ଧି ବତାଇ ଦେବାକୁ ଚାହିଁ କରି ବସିଛନ୍ତି ।’’

 

ସୁଲକ୍ଷଣା ଦେବୀ ଜବାବ ଦେଲେ ‘‘ତମର ଯେବେ ମନ ହଉଚି, ଯାଉନାହିଁ ଏମିତି ବୁଦ୍ଧି ବତେଇବାକୁ ଚାହିଁ କରି ବସିବ ।’’

 

ସମସ୍ତେ ହସି ଦେଲେ, ବାବା ବି । କେବଳ ବିମଳବାବୁ ବିମର୍ଷ ହୋଇ କର୍ତ୍ତବ୍ୟ ନିରୂପଣ କରୁଥାନ୍ତି । ଏତେବେଳକୁ ମାଳତୀ ବି ଆସି ମଣ୍ଡପ କଡ଼ରେ ବସିଯାଇଥାଏ । ସେ ମତ ଦେଲା, ‘‘ବାଡ଼ିପଡ଼ା ଯୋଗୀଆର କେଡ଼େ ବହପ ! ଅପସରାକୁ ସେ ଦାରି ବୋଲି ପ୍ରମାଣ କରେଇଦବ ! କୁ’ ରଇଜଳା ହାକିମ ଏ କଥାରେ ବିଶ୍ଵାସ କରିବ ଯେ? ମୁହୂର୍ତ୍ତେ ବିଚାରୀକୁ ଚାହିଁ ଦେଲେ ତ ଜଣାପଡ଼ିଯିବ ସେ ଭଲ ନା ମନ୍ଦ ।’’

 

ବାବା ସୁଲକ୍ଷଣୀ ଦେବୀଙ୍କ ଆଡ଼କୁ ଚାହିଁବାରେ ସେ କହିଲେ, ‘‘ସେ କଥା ସତ । ମୋର ବୋଲି କ’ଣ ମୁଁ ବଡ଼େଇ କରି କହିବି ? ମୋ ଦୁର୍ଗିର ଯେମିତି ପ୍ରକୃତି, ଅପସରାର ସିମିତି । ସହଜରେ ପାପରେ ଗୋଡ଼ ଦେବା ବାଲା ସେ ନୁହେଁ । ମୁଁ ସବୁ କଥା ଶୁଣିଛି । ଏ ମାଷ୍ଟରଟା ତା’କୁ ବିଭା ହବ ବୋଲି ଲୋଭ ଦେଖେଇ ଏମିତି କରିଛି ।’’ ବାବା ପଚାରିଲେ, ‘‘ଏବେ କ’ଣ କରିବା କହ ।’’

 

ସୁଲକ୍ଷଣା ଦେବୀ କହିଲେ, ‘‘ସେ କଥା ଆପଣଙ୍କୁ ମୁଁ ବତେଇବି ? ଚାରିଆଡ଼କୁ ଚାହିଁ ଯାହା ଉଚିତ ହେବ ତାହା କରିବେ । ଦୁର୍ଗି ତ କହିଛି, ପିଲାଟିଏ ଜନ୍ମ ହେଲେ ସେଉଟି ସିଏ ରଖିବ; ଅପସରାକୁ କହିଛି ସେ ଧାଈ କାମ ଶିଖି ପୋଖତୀ ମାଇପିଙ୍କୁ ସାହଯ୍ୟ କରିବ । ଆଜିକାଲି ସରକାରରୁ ଯେଉଁ ଧାଈ ଗୁଡ଼ାକ ଆସୁଛନ୍ତି ସେମାନେ ଗୁଡ଼ାଏ ଓଷୁଅ ଖୋଜୁଛନ୍ତି, କନା, ତୁଳାରେ ଗୁଡ଼ାଏ ପଇସା ନେଉଛନ୍ତି । ଆମର ଆଗ ଯେମିତି ଧାଈ ଥିଲେ ସେମିତି ଧାଈ ହେବ ଯଦି ହେଉ ବୋଲି ମୁଁ କହିଛି ।’’

 

ବାବା କହିଲେ, ‘‘କିଓ, ବିମଳ ! ସବୁ ତ ହୋଇଯାଇଛି ଖୋରାକ ପୋଷାକ ପାଇଁ ସିନା ମକଦ୍ଦମା କରନ୍ତେ । ମା’ ପିଲା ଦୁହିଁଙ୍କ ପାଇଁ ତ ଖୋରାକ ପୋଷାକର ବ୍ୟବସ୍ଥା ହୋଇ ସାରିଲାଣି; ଆଉ ମକଦ୍ଦମା କାହିଁକି ?’’

 

ବିମଳବାବୁ ଅବୁଝା ପିଲା ପରି କହିଲେ, ‘‘ଆଉ ଯୋଗିମାଷ୍ଟ୍ର ଇମିତି ଗୋପାଳଜୀ ଷଣ୍ଢ ହୋଇ ବୁଲୁଥିବ ?’’ ବାବା ତିଆରିଲା ପରି କହିଲେ, ‘‘ୟେ ଭୁଲ ବିଚାର । କେହି ଚିରକାଳ ସମସ୍ତଙ୍କୁ ତେଢ଼ି ଚଳିପାରିବ ନାହିଁ । ସଦାଦିନେ ମନ୍ଦ ହୋଇ କେହି ରହି ନପାରେ । ସମାଜରେ ଜଣେ ଭଲ ଲୋକ ଥିବା ପର୍ଯ୍ୟନ୍ତ, ତାଙ୍କର ପ୍ରଭାବ ମନ୍ଦ ଲୋକଙ୍କ ଉପରେ ପଡ଼ିବ ଇ ପଡ଼ିବ । ମନ୍ଦ ଧୀରେ ଧୀରେ ଭଲ ବାଟରେ ଚାଲିବ । କିନ୍ତୁ ତା’ ବିରୁଦ୍ଧରେ ପ୍ରତିହିଂସା କରିବାକୁ ବସିଲେ, ସେ ଅନନ୍ୟଗତି ହୋଇ ମନ୍ଦ ମାର୍ଗରେ ଗୋଡ଼ ପୋତି ରହିଯିବ । ଯୋଗୀ କଥା ମନରୁ ଏକାବେଳକେ ପୋଛି ପକାଅ । ବିଚାରୀ କିପରି ସୁବିଧାରେ ଖଲାସ ହେବ ସେ କଥା ବୁଝ । ମୁଁ ତ ବିଚାରୁଛି ଆଜିଠାରୁ ଗୋଟିଏ ଭଲ ଧାଈ କଟକରୁ ଆଣିଲେ ହୁଅନ୍ତା । ଗାଁରେ ଇତିମଧ୍ୟରେ ଯେତେଟା ପୋଖତୀ ହେବ, ସେ ସବୁ ଦୁର୍ଗି ସାଙ୍ଗରେ ସେ ଦେଖନ୍ତା । ଆମର ପ୍ରୟୋଜନ ପଡ଼ିଲା ବେଳକୁ ଦୁର୍ଗି ହୋଇଯାନ୍ତା, ଅପସରାର ଧାଈ–ମାଷ୍ଟରାଣୀ ।’’

 

ମକଦ୍ଦମାର ଚୂଡ଼ାନ୍ତ ରାଏ ବୋଲି ସିଧୁବାବୁ ଏହା ମୁଣ୍ଡେଇ ଗଲେ । ସୁଲକ୍ଷଣୀ ଦେବୀ ମଧ୍ୟ । ବିମଳବାବୁ ତହିଁ ଆର ଦିନ ଧାଈ ପାଇଁ କଟକ ଯିବାକୁ ପ୍ରସ୍ତୁତ ହେଲେ ।

☆☆☆

 

Unknown

କର୍ମ ଓ କରଣ

 

ବିମଳବାବୁ ଆସିବା ଦିନୁଁ, ବିଶେଷ କରି କଟକରୁ ଧାଈଟିଏ ଆସି ରହିବା ଦିନୁଁ ବିମଳା ମନ୍ଦିରରେ ଆଧୁନିକ ଧରଣର ଗୋଟିଏ ସମାଜମଙ୍ଗଳ କେନ୍ଦ୍ର ଗଢ଼ି ଉଠୁଛି ! ଖାଲି ବିମଳାପୁର ଗ୍ରାମର ନୁହେଁ, ପାଖ ଆଖ ବହୁଗ୍ରାମର ଲୋକେ ପ୍ରସୂତି ଚର୍ଯ୍ୟା ପାଇଁ ଓ ଅନ୍ୟାନ୍ୟ ପରାମର୍ଶ ପାଇଁ ବିମଳା ମନ୍ଦିରକୁ ପ୍ରତ୍ୟହ ଆସୁଛନ୍ତି । ଦୂର ଗାଁମାନଙ୍କୁ ଧାଈ ସଙ୍ଗେ ବିମଳବାବୁ ଯା’ନ୍ତି, ଦୁର୍ଗାଦେବୀ ମଧ୍ୟ କେତେବେଳେ କିମିତି ଯା’ନ୍ତି । ଧାଈ ପୋଖତୀର ସାହାଯ୍ୟ କରୁଥିବା ବେଳେ ବିମଳବାବୁ ଗ୍ରାମର ସବୁ ବେକାର ଯୁବକମାନଙ୍କୁ ଏକାଠି କରି ଗୋଟିଏ ସମିତି ଗଠନ କରନ୍ତି ଓ ଗଠନମୂଳକ କାର୍ଯ୍ୟ ବିଷୟରେ ସେମାନଙ୍କ ସଙ୍ଗେ ନାନାପ୍ରକାର ଆଲୋଚନା କରନ୍ତି ।

 

ସବୁ ଗାଁରେ ଗୋଟିଏ ଦାବି–ପଞ୍ଚବାର୍ଷିକ ଯୋଜନାରେ ସରକାର ଲୋକଙ୍କର ମଙ୍ଗଳ ପାଇଁ ଯେଉଁ ସବୁ ସୁବିଧା କରିବାର ମସୁଧା କରିଛନ୍ତି, ତାହା ଗାଁମାନଙ୍କୁ ଆସୁ । ବିମଳବାବୁ ଏ ଦାବୀର ଯଥାର୍ଥତା ଅନୁଭବ କରି ଦିନେ ବାବାଙ୍କ ପାଖେ ଅଭିଯୋଗ କଲେ, ‘‘ସରକାରଙ୍କଠାରୁ କୌଣସି ସାହାଯ୍ୟ ନ ନେଇ ଗ୍ରାମ ସଙ୍ଗଠନ କରିବାକୁ ଆପଣ କହୁଛନ୍ତି କାହିଁକି ? ସରକାରଙ୍କ ଟଙ୍କା ତ ଆମ ଦେଶର ଟଙ୍କା । ତାହାର ଉପଯୋଗ କରିବାରେ କ୍ଷତି କ’ଣ ? ସରକାର ତ ପୁଣି ଆମର ।’’

 

ବାବା କହିଲେ, ‘‘ସରକାର ପ୍ରକୃତିରେ ଆମର ହେଲେ ତ କହିବାର କିଛି ନଥିଲା । ଆମ ଦେଶର ଲୋକେ ସରକାର ଗଢ଼ିଛନ୍ତି, ଆମରି ପିଲେ ସରକାରରେ କର୍ମକର୍ତ୍ତା ଓ କର୍ମଚାରୀ । କିନ୍ତୁ ଦେଶର ଲୋକଙ୍କ ସ୍ଵାର୍ଥରେ ଶାସନ ଚଳୁଛି ନା ନାହିଁ ତାହା ଦେଖିବା ଦରକାର । ମୋର ତ ମନେ ହେଉଛି, ସେଇ ଇଂରେଜଙ୍କ ଛାଞ୍ଚରେ ଓ ଢଙ୍ଗରେ ଅଦ୍ୟାପି ସରକାର ଚାଲିଛି । ଲୋକେ ଯାହା ଲୋଡ଼ୁଛନ୍ତି ତାହା ମିଳୁନାହିଁ; ଲୋକଙ୍କୁ ଯାହା ମିଳିବା ଉଚିତ ବୋଲି ଉଚ୍ଚକର୍ତ୍ତାମାନେ ବିଚାରୁଛନ୍ତି ତାହା ଲୋକଙ୍କ ଉପରେ ଲଦିବାର ଉଦ୍ୟମ ହେଉଛି । ସେ ଉଦ୍ୟମ ସଫଳ ନ ହେବାର କଥା, ହେଉନାହିଁ । ତହୁ କମିଟି ବସୁଛି, କମିଶନ୍‌ ବସୁଛି । କିଛି ନ ହେଲା ବେଳକୁ ରାଏ ଦିଆ ହେଉଛି, ଲୋକେ ଯୋଜନାକୁ କାର୍ଯ୍ୟକାରୀ କରିବା ନିମନ୍ତେ ଯୋଗ୍ୟ ହୋଇନାହାନ୍ତି । ତାଙ୍କର ଯୋଗ୍ୟତା ବଢ଼ାଇବା ନିମନ୍ତେ ପୌଢ଼ଶିକ୍ଷାଠାରୁ ଆରମ୍ଭ କରି ପ୍ରଚାର ପର୍ଯ୍ୟନ୍ତ ଜୋର ଦେଇ ଚଳାଉଛନ୍ତି ।’’

 

ବିମଳବାବୁ କହିଲେ, ‘‘ବାସ୍ତବ ପରିସ୍ଥିତି ତ ଏଇଆ । ଏଥିରେ କ’ଣ ଭୁଲ ରହୁଛି, ମୁଁ ବୁଝି ପାରୁନାହିଁ ।’’

 

ବାବା କହିଲେ, ‘‘ଆଉ କିଛିଦିନ ମଫସଲରେ ରହି, ଲୋକଙ୍କ ହିତାହତ ନିଜ ଆଖିରେ ଦେଖ, କାନରେ ଶୁଣ, ତା’ପରେ ସବୁ ବୁଝିପାରିବ । ତୁମମାନଙ୍କର ପ୍ରଧାନ ଅଭାବ ହେଉଛି, ପ୍ରତ୍ୟକ୍ଷ ଅନୁଭୂତି । ତୁମେ ଶିକ୍ଷିତ ଲୋକେ ସହରରେ ବଢ଼ିଛ ବା ସହରକୁ ଆଖି ଆଗରେ ରଖି ଚଳିଛ । ମଫସଲଗୁଡ଼ାକୁ ସହର କରିଦେଲେ ଯାଇ ମଫସଲର ସମସ୍ୟା ସମାଧାନ ହେଲା ବୋଲି ବିଚାରିଛ । ଗାଁ ଗହଳରେ ବର୍ଷେ ଚଳିଲେ ନିଜର ଭୁଲଟା ଜଣା ପଡ଼ିଯିବ ।’’

 

ବିମଳବାବୁ ପଚାରିଲେ, ‘‘କିମିତି ?’’ ବାବା କହିଲେ, ‘‘କିମିତି, ତାହା ନିଜ ଆଖିରେ ଦେଖିଲେ ଭଲ । ମୋ ମତ ତୁମ ଉପରେ ଲଦିଲେ ତାହା ତୁମର ମସ୍ତିଷ୍କକୁ ସନ୍ତୁଷ୍ଟ କରିପାରେ । ମନ ବୁଝିବ ନାହିଁ । ତେବେ ପଚାରିଲ ଯେତେବେଳେ ଗୋଟିଏ ଦୁଇଟି ଉଦାହରଣ ଦେଉଛି ।

 

‘‘ସହର ଓ ମଫସଲର ଚିନ୍ତାର ଧାରା ପୃଥକ୍ । ଏ ବର୍ଷ ଧାନ ଗଜା ହେଲା ବେଳକୁ ବର୍ଷା ଛାଡ଼ିଗଲା । ଲୋକେ ହାହାକାର କରୁଥିଲେ । ତା’ପରେ ପାଞ୍ଚଦିନ ଧରି ଝଡ଼ି ହେଲା, ଖୁବ୍‌ ବର୍ଷା ହେଲା । ହେଇଟି ତୁମ ଦୈନିକ କାଗଜରେ କ’ଣ ବାହାରିଛି ଦେଖ–‘ପାଞ୍ଚଦିନ ହେଲା ପାଗ ଭାରି ଖରାପ ହୋଇଛି । ଆଉ ଦୁଇ ଦିନ ଏହିପରି ରହିବ ବୋଲି ଆଶଙ୍କା କରାଯାଉଛି ।’ ଏହି ସମ୍ବାଦ ମଫସଲ ଲୋକଙ୍କ ଭାଷାରେ କ’ଣ ହୁଅନ୍ତା ? ତୁମକୁ ଯେ ଖରାପ, ଚାଷୀକୁ ସେ ଭଲ । ତୁମର ଯାହା ଆଶଙ୍କା ତାହାର ସେ ଆଶା ।

 

‘‘ଚିନ୍ତାର ଧାରା ପୃଥକ୍‌ ହୋଇଥିବାରୁ ତା’ ପାଇଁ କ’ଣ ଭଲ ତୁମେମାନେ ଧରିପାରୁନାହଁ-। ଗୋଟିଏ ଉଦାହରଣ ଦିଏଁ । ବୀରପୁରର ଦାଣ୍ଡରେ ଏବେ ବିଜୁଳି ଆଲୁଅ ଦିଆହୋଇଛି । ଆରବର୍ଷ ବଡ଼ ସଡ଼କରୁ ସେ ଗାଁକୁ ଗୋଟିଏ ପକ୍‍କା ରାସ୍ତା ହୋଇଥିଲା, ଅଥଚ ସେ ଗାଁରେ ପଇବାକୁ ଟୋପେ ପାଣି ମିଳେ ନାହିଁ । ଲୋକଙ୍କ ଦୃଷ୍ଟିରୁ କାମ ହୋଇଥିଲେ ଆଗ ପାଣିର ବ୍ୟବସ୍ଥା ହୋଇଥାନ୍ତା, ତା’ପରେ ସଡ଼କ ହୋଇଥାନ୍ତା ଓ ତୃତୀୟରେ ବିଜୁଳି ଆଲୁଅ ଦିଆହୋଇଥାନ୍ତା’’-। ବିମଳବାବୁ ଆପତ୍ତି କଲେ, ‘‘କିନ୍ତୁ ସେ ଲୋକଙ୍କର କ’ଣ ବିଜୁଳି ଆଲୁଅ ଦରକାର ନୁହେଁ-?’’

 

ବାବା କହିଲେ, ‘‘ହାତରେ ତ ଟଙ୍କା ଅଛି, ଦର୍ପଣ କାହିଁକି ଦରକାର । ରାତିରେ ସେ ଗାଁରେ ପଶିଗଲେ ଜଣାପଡ଼ିବ ତାଙ୍କର ବିଜୁଳି କେଡ଼େ ଦରକାର । ସଡ଼କଯାକ ଆଲୁଅ ଜଳୁଛି, କିନ୍ତୁ ଚାରିଶ’ ଘରରୁ ଦୁଇଟି ମାତ୍ର ଘରକୁ ବିଜୁଳି ଆଲୁଅ ଯାଇଛି । ଲୋକେ କିରାସିନି ଖର୍ଚ୍ଚ ତୁଲାଇ ପାରୁନାହାନ୍ତି ,ବିଜୁଳି କ’ଣ କରିବେ ? ବେଳ ଆସିବ, ପ୍ରତି ଘରେ ବିଜୁଳି ଆଲୁଅ ଜଳିବ । କିନ୍ତୁ ସେ ବେଳ ଆହୁରି ଡେରି ଅଛି। ଆଗ ବିଜୁଳି ଆଲୁଅ ଶସ୍ୟ ଓ ସାମଗ୍ରୀର ଉତ୍ପାଦନରେ ଲାଗୁ, ତା’ପରେ ଘର ଆଲୁଅ କରିବ ।’’

 

ବିମଳବାବୁ କଥାଟା ବୁଝିଲେ, ‘‘କିନ୍ତୁ ଏ ଅବସ୍ଥାର ପ୍ରତିକାର ହେବ କିପରି ? ସରକାର ସଙ୍ଗେ ସହଯୋଗ ନ କଲେ ସେ ଆମ ଅଭାବ ଜାଣିବେ କିପରି ?’’

 

ବାବା କହିଲେ, ‘‘ବର୍ତ୍ତମାନ ସହଯୋଗ କରିବାର ଅର୍ଥ, ସରକାର ଯାହା କରିବାକୁ ବିଚାରିଛନ୍ତି ଆମେ ଆଖି ବୁଜି ସେହିପରି କରିବା । ସେପରି କଲେ ସରକାର ଯେପରି ଲୋକଙ୍କଠାରୁ ଛାଡ଼ରା ହୋଇଯାଉଛନ୍ତି , ଆମେ ବି ସେହିପରି ଛାଡ଼ରା ହୋଇଯିବା । ମୁଁ କହୁଛି, ସରକାରଙ୍କୁ ନ ଚାହିଁ, ଲୋକଙ୍କର ଯାହା ପ୍ରକୃତ ମଙ୍ଗଳ କରିବ ସେପରି କାର୍ଯ୍ୟ ଆମର ଆରମ୍ଭ କର । ସରକାର ଯେତେବେଳେ ଆମ କାମ ଦେଖିବେ ତାଙ୍କର ମନ ଓ ମତ ବଦଳିବ ।’’

 

ବିମଳବାବୁ କହିଲେ, ‘‘ଏହା କିନ୍ତୁ କିନ୍ତୁ ଭାରି ଭିଡ଼ କଥା ।’’

 

ବାବା ହସି ହସି କହିଲେ–ସେଇଥିପାଇଁ କହନ୍ତି, ‘‘ବିଷମ ପଥ ଏ ଭଜନ, ଭୟେ ଭାଜନ୍ତି ଯୋଗୀଜନ ।’’

 

ବିମଳବାବୁ କିନ୍ତୁ ଭାଜିବାର ଲୋକ ନୁହନ୍ତି । ବାବାଙ୍କ ପରାମର୍ଶ ଅନୁସାରେ ସେ ପ୍ରଥମେ ଗୋପାଳନ ଯୋଜନାଟି ଧଇଲେ । ଗାଁରେ ଯେଉଁମାନଙ୍କର ସମ୍ବଳ ଅଛି ବା ସାମର୍ଥ୍ୟ ଅଛି ସେଇମାନଙ୍କୁ ଏକାଠି କରି ପ୍ରତ୍ୟେକେ ଗୋଟିଏ ଗୋଟିଏ ଗାଈ ଖୁଆଇ ପିଆଇ ପାଳିବାର ବ୍ୟବସ୍ଥା ହେଲା । ପ୍ରଥମ ତିନି ମାସ ଲୋକଙ୍କୁ ଏଥିରେ ପ୍ରବର୍ତ୍ତାଇବାକୁ ଭାରି କଷ୍ଟ ହେଲା । କିନ୍ତୁ ଦୁଧର ଉତ୍ପାଦନ ବଢ଼ିବାରେ ଲୋକଙ୍କର ଆଗ୍ରହ ବଢ଼ିଲା । କ୍ରମେ ଲୋକଙ୍କର ମସୁଧାରେ ଗାଁ ଦୋକାନୀମାନେ ଗାଁକୁ ଗୁଣ୍ଡ ଦୁଧ ଆଣିବା ବନ୍ଦ କରିଦେଲେ । ଗାଁରେ ସବୁଠାରୁ ବଡ଼ ଧନୀ ଲୋକ ଗୋଟିଏ ସଲକ୍ଷଣ ବାଛୁରୀ ଷଣ୍ଢ କରି ଛାଡ଼ିଲେ । ଗାଁର ପାଖ ଆଖ ଗୋ–ବୈଦ୍ୟମାନଙ୍କୁ ପ୍ରଶଂସା ଓ ପୁରସ୍କାର ଦେଇ ଉତ୍ସାହିତ କରାଗଲା । ତିନିମାସର କାର୍ଯ୍ୟର ଗୋଟିଏ ବିବରଣୀ ତିଆର କରି ବିମଳବାବୁ କାଗଜରେ ଯେଉଁ ଦିନ ଛପାଇଲେ ତାହାର ଦୁଇ ତିନି ଦିନ ଭିତରେ ତାଙ୍କର ୩–୪ ଜଣ ବନ୍ଧୁ ପ୍ରକୃତ କାର୍ଯ୍ୟଟା ଆଖିରେ ଦେଖିବାକୁ ବିମଳା ମନ୍ଦିରରେ ଆସି ପହଞ୍ଚିଲେ ।

 

କାମ ସେମାନଙ୍କ ମନକୁ ପାଇଲା । କିନ୍ତୁ ବିମଳବାବୁ ମଫସଲ ଗାଁରେ ରହି ନିଜ ଜୀବନକୁ ନଷ୍ଟ କରୁଛନ୍ତି ବୋଲି ସେମାନେ ଜିଦ୍ ଧରି ବସିଲେ, ସେ ତାଙ୍କ କାମକୁ ପୁଣି ଫେରନ୍ତୁ । ସେମାନଙ୍କ କଥାରେ ସୁଲକ୍ଷଣା ଦେବୀଙ୍କ ଅପେକ୍ଷା ସିଧୁବାବୁ ବେଶୀ ପ୍ରଭାବିତ ହେଲେ ଓ ଦିନେ ଏ କଥା ବାବାଙ୍କ ପାଖେ ଉତ୍‌ଥାପନ କଲେ ।

 

ବାବା କହିଲେ, ‘‘ବାବୁ, ପ୍ରଣବରୁ ତ ଅଶୁଦ୍ଧ ହୋଇଯାଇଛି । ତୁମ ଦୁହିଁଙ୍କ ଆଦର୍ଶରେ ବିମଳ ନିଜର ଭଲ ମନ୍ଦ ଅପେକ୍ଷା ଅପରର ଭଲ ମନ୍ଦକୁ ବଡ଼ କରି ଦେଖୁଛି । ନିଜେ ଚାକିରି ଖଣ୍ଡିଏ ଧରି ନିଶ୍ଚିନ୍ତ ହୋଇ କଟକରେ ବସିବାକୁ ସେ ପସନ୍ଦ ନକରି ଲୋକଙ୍କର ସେ ମଙ୍ଗଳ ହେବ, ସେଥିପାଇଁ ବ୍ୟସ୍ତ ହୋଇ ଏଠାରେ ଆସି ପହଞ୍ଚିଛି । ଯେତେବେଳେ ଯାହା କରୁଛି, ଲୋକଙ୍କର ମଙ୍ଗଳ ହେବ ବୋଲି ବିଚାରି କରୁଛି । ଯେତେହେଲେ ବୁଝିଛି ଯେ ତା’ କାର୍ଯ୍ୟଦ୍ଵାରା ଲୋକଙ୍କର ମଙ୍ଗଳ ହେଉନାହିଁ ଯେତେବେଳେ ଯାହା ଛାଡ଼ି ଦେଇ ଅନ୍ୟ କାମ ଖୋଜୁଛି । ଏପରି ଲୋକଙ୍କୁ ତାଙ୍କ ନିଜ ବିଚାର ଉପରେ ଛାଡ଼ିଦେବା ଉଚିତ । ନା, କ’ଣ ?’’

 

ସିଧୁବାବୁ କହିଲେ, ‘‘ହଁ, ସେ ତ ଆଉ ପିଲା ନୁହେଁ । ତା’କୁ ଯାହା ଭଲ ଦିଶୁଛି, କରୁ । କିନ୍ତୁ ଏତେ ପାଠ ପଢ଼ିଥିଲା, କଲେଜରେ ଭଲ ଅଧ୍ୟାପକ ବୋଲି ନାମ ଅର୍ଜିଥିଲା । ସେ ପାଠ ସବୁ ତ ଏଠାରେ କୌଣସି ପ୍ରୟୋଜନରେ ଲାଗିବ ନାହିଁ ।”

 

ବାବା କହିଲେ, ‘‘ସେ କଥା ମୁଁ ତା’କୁ ପଚାରୁଛି । ସେ କହେ, ସେ ପାଠଟା କେବଳ ଚାକିରି ଖଣ୍ଡେ ପାଇବାକୁ ତା’କୁ ଯୋଗ୍ୟ କରିଥିଲା । ତା’ ପାଖରେ ସେମାନେ ପଢ଼ୁଥିଲେ, ସେମାନଙ୍କର ମଧ୍ୟ ପାଠ ଅପେକ୍ଷା ଚାକିରି ଉପରେ ବେଶୀ ଲୟ । ଚାକିରିର ପ୍ରଲୋଭନ ନଥିଲେ, ଜଣେ କେହି କଲେଜରେ ନାମ ଲେଖାନ୍ତେ ନାହିଁ । ତା କଥା ମୋତେ ଯୁକ୍ତିଯୁକ୍ତ ମନେ ହେଲାରୁ ମୁଁ ଆଉ କିଛି କହିଲି ନାହିଁ । ତା’କୁ ଡକାଇ ପୁଣି ଆଲୋଚନା କରାଯାଉ । ତା’ର ଯେଉଁ ବନ୍ଧୁମାନେ ଆସିଛନ୍ତି ସେମାନେ ତ ତାକୁ ପ୍ରବର୍ତ୍ତାଉଥିବେ ?’’

 

ସିଧୁବାବୁ କହିଲେ, ‘‘ସେମାନେ ତା’ ସଙ୍ଗେ ବହୁତ କଥା କଟାକଟି କଲେଣି । ମୁଁ ବି କାଲି କହୁଥିଲି । କିନ୍ତୁ ତା’ର କିପରି ଗୋଟାଏ ଢଙ୍ଗ ହେଲାଣି ଯେ ତା’ କଥାର ଜବାବ ଦେଇ ହେଉନାହିଁ । ତା’ର ବନ୍ଧୁମାନଙ୍କ ଭିତରୁ ଜଣେ ପଶୁପାଳନ ବିଭାଗରେ ଉଚ୍ଚ ଚାକିରି କରୁଛନ୍ତି । ତାଙ୍କୁ ସେ କାଲି ପଚାରିଲା, ‘ଦେଶର ଗୋସଂପଦର ଉନ୍ନତି ଓ ନିଜର ଦରମା ଏ ଦୁଇଟାରୁ ତୁମ ଚକ୍ଷୁରେ ମୁଖ୍ୟ କିଏ, ଗୌଣ କିଏ ?’ ଏତିକିରେ ସେ ମୁହଁ ତଳକୁ ପୋତିଲେ । ମୁଁ ବି ତୁନି ହେଲି । ଗୋସଂପଦର ଉନ୍ନତି କରିବା ପାଇଁ ଏତେ ଲୋକ ଲାଗିଛନ୍ତି ଓ ଏତେ ପଇସା ଖର୍ଚ୍ଚ ହେଉଛି । ବାସ୍ତବିକ ଯଦି କାମ ଉପରେ ତା’ ଭିତରୁ ଅଧେ ଲୋକଙ୍କର ମନ ଥାନ୍ତା, ତେବେ ତ କିଛି ଉନ୍ନତି ହୋଇ ସାରନ୍ତାଣି । ଯେପରି ଦେଖାଯାଉଛି, ବେଳକୁ ବେଳ ଆମ ଦେଶର ଗୋରୁଙ୍କ ଅବସ୍ଥା ଖରାପ ହେଉଛି ।’’

 

ବାବା–ମୁଁ ଏବେ ଦିନେ ବିମଳ ସଙ୍ଗେ ସେଇ ବିଷୟରେ କଥାବାର୍ତ୍ତା ହେଉଥିଲି । ଦେଶର ସବୁତକ ଯୋଗ୍ୟ ଲୋକ ଚାକିରି ମନୋବୃତ୍ତି ଧରିବାରୁ ଚାକିରି ବଢ଼ିବାରେ ଲାଗିଛି, କିନ୍ତୁ କାମ କିଛି ହେଉନାହିଁ । ଏହାର ପ୍ରତିକାରର ଏକମାତ୍ର ଉପାୟ, ବିମଳ ଯାହା ଆରମ୍ଭ କରିଛି ସେଇଆ । ସରକାରୀ କଳର ବାହାରେ କେତେଜଣ ପାରିବାର ଲୋକ ଯଦି ଗଠନମୂଳକ କାମରେ ଲାଗିବେ, ତେବେ ଯାଇ ଚାକିରିଆ ଦଳର ଚେତା ପଶିବ । ଗାଳିଦେଲେ ହେବ ନାହିଁ କି ଦଣ୍ଡ ବା ପୁରସ୍କାରରେ ହେବନାହିଁ । ସିଧୁବାବୁ କହିଲେ, ‘‘ସେ କଥା ଠିକ୍ । କିନ୍ତୁ ଗୋଟିଏ ବୋଲି ପୁଅ, ସୁଖ ଓ ଶାନ୍ତିରେ ରହନ୍ତା ବୋଲି ମନରେ ଦୁର୍ବଳତା ଆସୁଛି । ମୋ ଅପେକ୍ଷା ତା’ ମା’ ପାଇଁ ବିଶେଷ ଚିନ୍ତିତ–’’

 

ସୁଲକ୍ଷଣା ଦେବୀ ଏତେବେଳକୁ ଆସି ତୁନି ହୋଇ ଏ ଆଲୋଚନା ଶୁଣିଥିଲେ । ସେ ବାଧା ଦେଇ କହିଲେ, ‘‘ପୁଅ ଚାକିରି ଛାଡ଼ିଲା ବୋଲି ମୋ ମନରେ ତିଳେ ମାତ୍ର ଶୋଚନା ନାହିଁ । ତୁମଙ୍କୁ ପରା ମୁଁ ଓକିଲାତି, ଛଡ଼ାଇ ଗାଁକୁ ଆଣିଲି । ପେଟ ପୋଷିବାକୁ ଲୋକେ ଚାକିରି କରନ୍ତି । ନହେଲେ ପରର ମୁଣ୍ଡ ଧାରତା ହୋଇ ରହିବା କ’ଣ ବଡ଼ କଥାଟାଏ କି ? ମୋ ପୁଅର ବାପ ଗୋସିଁ ବାପ ଖୁବ୍ ସମ୍ପତ୍ତି ଅର୍ଜିଛନ୍ତି । ସେ ବସି ରହିଲେ ମଧ୍ୟ ଓପାସ ରହିବ ନାହିଁ । ମୋ ମନରେ ଖାଲି ଗୋଟିଏ ଚିନ୍ତା, ତା’ର ହାତକୁ ଦି’ ହାତ ହୁଅନ୍ତା । ମୋ ଶଶୁର, ତା’ର ପିଲାଙ୍କ ହାତରୁ ପିଣ୍ଡ ମୁଠେ ପାଆନ୍ତେ । ତା’ରି ଆଶା ନ ଦେଖି ବେଳେ ବେଳେ ମନ ପୋଡ଼ିଯାଉଛି ।’’

 

ସିଧୁବାବୁ କହିଲେ, ‘‘ମୁଁ ତ ସେଇଥିପାଇଁ କହିଥିଲି, ବିମଳ ଓ ଦୁର୍ଗିଙ୍କର ବିବାହ କରିଦେବାକୁ । ଭାଇ ଭଉଣୀ ବୋଲି ତୁମେ ଖୁଣିଦେଲ ।’’

 

ସୁଲକ୍ଷଣା ଦେବୀ କହିଲେ, ‘‘ଆଗ ମୋତେ କିମିତି କିମିତି ଲାଗୁଥିଲା । ଏବେ ବିଚାରୁଛି ତା’ହେଲେ ଖୁବ୍‌ ଭଲ ହୁଅନ୍ତା । ସେ ଦିହିଙ୍କ ଭିତରେ ଯେପରି ଭାବ ଅଛି, କେତେଟା ଘଇତା–ମାଇପଙ୍କର ସେପରି ଭାବ ଅଛି ଭଲା ! କିନ୍ତୁ ଆମ ଭିତରେ ତ ବିଧବାବିବାହ ଚଳିନାହିଁ । ବାବା ଯଦି କହିବେ ।’’

 

ବାବା ଉଭୟଙ୍କର ମତାମତ କିଛିକ୍ଷଣ ଆଗ୍ରହରେ ଶୁଣି କହିଲେ, ମୁଁ ସେ କଥା ବି ବିଚାରିଛି । ବିଧବା ବିବାହରେ ମୋର କୌଣସି ଆପତ୍ତି ନାହିଁ । ଆମ ଦେଶର ଶହକେ ନବେ ଜଣଙ୍କ ଭିତରେ ତ ତାହା ଚଳେ । ବଡ଼ ବୋଲାଉଥିବା ଗୋଟିଏ ଯୋଡ଼ିଏ ଜାତି ତାକୁ ରୋକିଛନ୍ତି ସିନା । କିନ୍ତୁ ଆମେ ବିଚାରି ଦେଲେ କ’ଣ ବିଭାଘର କରେଇ ଦେବା ? ସେ ଦୁହିଙ୍କର ମନ ମାନିଲେ ତ ! ତାଙ୍କ ଭିତରେ ଯେଉଁ ଭାବ ଦେଖୁଛ ତାହା ପ୍ରେମ ନା ଖାଲି ଶ୍ରଦ୍ଧା । ମୋଠାରୁ ସ୍ତ୍ରୀଦୁଷ୍ଟିକୁ ତାହା ଭଲ ବାରିହୋଇ ଦିଶିବ ।

 

‘‘ଯୁବକ ଯୁବତୀ ବୈବାହିକ ବନ୍ଧନରେ ବାନ୍ଧି ନ ହୋଇ ଏକାଠି ବୁଲିଲେ ଲୋକଙ୍କର କିପରି ସନ୍ଦେହ ହେବ, କାମରେ ବାଧା ପଡ଼ିବ, ସେକଥା ମୁଁ ତ ଏବେ ବୁଝାଇ କହିଛି । କିନ୍ତୁ ୟେ ବା ସେ କେହି ତ ମୋ କଥାକୁ ପସରା କଲେ ନାହିଁ । ଉଭୟଙ୍କର ନିଜ ଉପରେ ଖୁବ୍‍ ବିଶ୍ଵାସ । ମା’ର ଯାହା ଇଚ୍ଛା ଥିବ ତା’ ହେବ । ଦୁହିଁଙ୍କ ଗତିବିଧି ମୁଁ ଖୁବ୍‍ ଲକ୍ଷ୍ୟ କରୁଛି । ଟିକିଏ ଯଦି ସୂଚନା ପାଇବି ମୁଁ ବିମଳା ଓ ଦୁର୍ଗିଙ୍କ ଉପରେ ଚାପ ଦେବି ବୋଲି ବିଚାରିଛି । ’’

 

ସିଧୁବାବୁ ତୁନି ହେଲେ । ସୁଲକ୍ଷଣା ଦେବୀ କିନ୍ତୁ ଆଉ ପଦଟିଏ କହିଲେ, ‘‘ବାବା, ଆପଣ ଟିକିଏ ଜୋର କଲେ ଏହା ବଳେଇବ ନାହିଁ ।

 

ବାବା କହିଲେ, ‘‘ମା’ ! ମୋର ସାମର୍ଥ୍ୟ ମୁଁ ସବୁବେଳେ କଳୁଥାଏ । ନିଜେ ତ ଯାହା କରିବାକୁ ବିଚାରୁଥାଇଁ ସେଥିରେ ଦୈବ ବାଧା ଦେଉଛି । ଅପର ହାତର କାମ ଉପରେ ଜୋର୍‍ ହେବା କିମିତି । କର୍ମ କରିବାକୁ ଓ କରେଇବାକୁ କର୍ତ୍ତା ସବୁବେଳେ ବିଚାରୁଥାଏ । କିନ୍ତୁ ଯାହାଙ୍କ ଦ୍ଵାରା କରେଇବ, ତାକୁ କହନ୍ତି କରଣ, ସେ ହେଉଛି ଅସଲ । କଥାରେ କହନ୍ତି, ‘ଛେଳିକି ସିନା ପାଣିକି ଓଟାରିବା, କିନ୍ତୁ ପାଣି ପିଇବା ତ ତା’ ହାତ କାମ ।’ ତେଣୁ ସବୁବେଳେ ଚାହିଁ କରି ବସିବାକୁ ହେବ, କରିବାବାଲାର ମର୍ଜିକୁ । ତା’ରି ବେଳରେ କରେଇ ଦେଲେ କାମ ହୋଇଯିବ । ନହେଲେ ଭଣ୍ଡୁର । ସେ ବେଳଟା ଠାକୁରାଣୀଙ୍କର ହାତରେ ।’’

 

ସିଧୁବାବୁ ଓ ସୁଲକ୍ଷଣା ଦେବୀ ବୁଝିଲେ । ବିମଳବାବୁଙ୍କ ବନ୍ଧୁମାନେ କଟକ ଫେରିବାର ହପ୍ତେ ଖଣ୍ଡେ ପରେ, ଘରର ହାଲହୈକତ୍‍ ବୁଝି ଆସିବାକୁ ସିଧୁବାବୁ ଦମ୍ପତି ଗାଁକୁ ବାହାରିଲେ ସୁଲକ୍ଷଣା ଦେବୀଙ୍କର ଅସଲ ମତଲବ୍, ପୁଅର କାମ ପାଇଁ ଆଉ କିଛି ସମ୍ବଳ ଘରୁ ଆଣିବା । ଏତେବେଳକୁ ବିମଳା ମନ୍ଦିରର ଦୈନିକ ଖର୍ଚ୍ଚ ଯେପରି ବଢ଼ିଥାଏ ସେଥିରେ ଠାକୁରାଣୀଙ୍କର ବର୍ଷକର ଆୟ, ମାସକୁ ବି ନିଅଣ୍ଟ ହୁଅନ୍ତା ।

 

ବାବାଙ୍କର ସେଥିକୁ ଶୋଚନା ନଥାଏ । ତାଙ୍କର ପୁରା ବିଶ୍ଵାସ ଧନ କୁଆଡ଼ୁ ହେଲେ ଆସିବ । ପ୍ରୟୋଜନକୁ ଚାହିଁ ଖର୍ଚ୍ଚ କମିବ, ଟଙ୍କାକୁ ଚାହିଁ ନୁହେଁ । ସିଧୁ ବାବୁ, ସୁଲକ୍ଷଣା ଦେବୀ ଓ ବିମଳ ବାବୁ, କାହାକୁ ଏକଥା ଯୁକ୍ତିଯୁକ୍ତ ଜଣାପଡ଼େ ନାହିଁ । ସେମାନଙ୍କର ଅଭିଯୋଗରେ ବାବା ଜବାବ ଦେଇଥିଲେ ‘‘ସଂସାରୀ ବୁଦ୍ଧି ଓ ବୈରାଗୀ ବୁଦ୍ଧିରେ ସେତିକି ତାରତମ୍ୟ । ସଂସାରୀ ନିଜର ସମ୍ବଳ ଉପରେ ନିର୍ଭର କରେ ଓ ନିଜର ପରିସର ଭିତରେ ଖର୍ଚ୍ଚ କରେ । ଆମର ସମ୍ବଳ ନାହିଁ କି କାର୍ଯ୍ୟର ପରିସର ସୀମାବଦ୍ଧ ନୁହେଁ । ଏ ତ ଅଭ୍ୟାଗତଙ୍କ ଜାଗା । କିଏ ଆସିଲେ ତାକୁ ଫେରାଇ ପାରିବା ନାହିଁ , ଖାଇବାକୁ ଦେବାନାହିଁ ବୋଲି କହି ପାରିବା ନାହିଁ । ଯାହାର ଲୁଗା ନାହିଁ ତାକୁ ଲୁଗା ଖଣ୍ଡେ ଦେବାକୁ ହେବ, ଯେଉଁଦିନ ନିଜର ଖାଇବାକୁ ନଥିବ, ସେଦିନ ଅନ୍ୟକୁ ଫେରାଇ ଦେଲେ ଦୋଷ ନାହିଁ; ଆମର ଗାମୁଛା ଖଣ୍ଡେ ଥିବା ପର୍ଯ୍ୟନ୍ତ ଅନ୍ୟର ପିନ୍ଧିବାକୁ ଦାବି କରିବାର ଅଧିକାର ଅଛି ।’’

 

ନେଇ ଆଣି ଥୋଇବା

 

ଦିନେ ବିମଳବାବୁ ବ୍ୟସ୍ତସମସ୍ତ ହୋଇ ଆସି ବାବାଙ୍କ ପାଖେ ପହଞ୍ଚି ଜଣାଇଲେ , ସେ ଯେଉଁ କାର୍ଯ୍ୟଟି ଧରି ପକାଇଛନ୍ତି, ତାହା ବର୍ତ୍ତମାନ ତାଙ୍କ ସହିତ ଦେଉଳକୁ ମଧ୍ୟ ଗ୍ରାସ କରିବାକୁ ବସିଲାଣି ।

 

ବାବା ବିଷୟଟି ଭଲ କରି ନ ଜାଣି ମଧ୍ୟ ଅବିଚଳିତ ଭାବେ କହିଲେ, ‘‘ଏମିତି ତ ହୁଏନାହିଁ । ଭଲ କାମର ପରିଣତି ଏପରି ହେବାର ଶୁଣାନାହିଁ । ଆମେ ଲୋକଙ୍କର ମଙ୍ଗଳ କରିବା–ତାଙ୍କୁ ଓଷୁଅ ଦେବା, ପାଠ ପଢ଼ାଇବା, କାମ ଯୋଗାଇବା ବୋଲି ସଂକଳ୍ପ କରିଥାଇଁ । ଲୋକେ ତ ଏହା ପସନ୍ଦ କରୁଛନ୍ତି ବୋଲି ଅନୁଭବ କରୁଛ । ତେବେ ତ ସେମାନଙ୍କ ସହଯୋଗ ମିଳିବାର କଥା । ଜଣକ କାମକୁ ପାଞ୍ଚଜଣ ଆଦରି ନେଲେ ବୋଝ ଉଶ୍ଵାସ ହେବାର କଥା, ଗରୁ ହେଉଛି କାହିଁକି ? ବର୍ତ୍ତମାନ କ’ଣ ଅଡ଼ୁଆ ପଡ଼ିଛି କହିଲ ଦେଖି ।’’

 

ବିମଳବାବୁ କହିଲେ, ‘‘ଧାଈଙ୍କ ପାଇଁ ଯେତିକି ଔଷଧ ଓ ସରଞ୍ଜାମ ଦରକାର, ତାହା ଯୋଗାଇବା ଆମ ପକ୍ଷରେ ଅସମ୍ଭବ ହୋଇ ଉଠିଲାଣି । ପ୍ରତି ପ୍ରସୂତି ପାଇଁ ପ୍ରାୟ ପାଞ୍ଚ ଟଙ୍କା ପଡ଼ୁଛି । ଏ ପର୍ଯ୍ୟନ୍ତ ଶହେରୁ ଅଧିକ ପିଲାଙ୍କୁ ଆମ ଧାଈ ଇଚ୍ଛାରିଲେଣି । ବେବର୍ତ୍ତା, ଦୂର୍ଗା ଓ ମାଳତୀଙ୍କଠାରୁ ଏତକ ଖର୍ଚ୍ଚ ଆଦାୟ କରିଛି । ଆଉ କାହା ପାଖେ କିଛି ନାହିଁ । ବର୍ତ୍ତମାନ ହାତରେ ଦଶ ବାରଜଣ ପୋଖତି ଅଛନ୍ତି । ବେବର୍ତ୍ତା କହିଲେ, ଏଥର ବାବାଙ୍କୁ ନ କହିଲେ ଚଳିବ ନାହିଁ । ’’

 

ବାବା ଟିକିଏ ବିରକ୍ତ ହୋଇ କହିଲେ, ‘‘ବେବର୍ତ୍ତାଙ୍କର ତ ଏଇ ଢଙ୍ଗ । ଗଣ୍ଠି ଯେତେବେଳେ ମୋଟ ହୋଇଯିବ ସେତିକିବେଳେ ‘ବାବାଙ୍କୁ କହ’ ।

 

ବେବର୍ତ୍ତା ଏତେବେଳକୁ ଆସି ପହଞ୍ଚିଥାନ୍ତି । ତାଙ୍କ ବିରୁଦ୍ଧରେ ହୋଇଥିବା ଅଭିଯୋଗର କୌଣସି ପ୍ରତିବାଦ ନକରି ସେ ତୁନି ହୋଇ ଠିଆ ହେଲେ । ବାବାଙ୍କଠାରୁ ଗାଳି ଖାଇବା ତାଙ୍କର ଅଭ୍ୟାସ ହୋଇଗଲାଣି । ବରଂ ମଝିରେ ମଝିରେ ଗାଳି ନ ମିଳିଲେ ତାଙ୍କର ସନ୍ଦେହ ହୁଏ, ବୋଧହୁଏ ବାବା କୌଣସି କାରଣରେ ବିରକ୍ତ ହେଲେଣି ପରା ! କିଛି ନ କହିବାରୁ ଆଜି ସିନା ଦୋଷ ହୋଇଛି । କହିବାକୁ ବସିଲେ ମିଳେ, ‘‘ତୁମେ ଏଠାରେ ଏତେଗୁଡ଼ିଏ ଦିନ ରହିଲଣି, ତୁମ ମନକୁ ଯେପରି ପାଉଛି ସେପରି କରୁନାହଁ ? ସବୁବେଳେ ଚାଉଳ ଡାଲି, ଟଙ୍କା ପଇସା, ଭଜି ଭଜି ମୁଁ ତ ଏକାବେଳକେ କୈବଲ୍ୟ ପାଇଯିବି !’’

 

ଏଇସବୁ କଥା ବେବର୍ତ୍ତା ବିଚାର କରୁଥିବାର ଅନୁମାନ କରି ବାବା କଥାର ଲହର ବଦଳାଇ କହିଲେ, ‘‘କିଓ ବେବର୍ତ୍ତାଏ, ଆମରି ପାଖପୁଖାରେ ତ ପ୍ରତିଦିନ ଦୁଇଟା ପୁଞ୍ଜେ ପିଲା ଜନ୍ମ ହେଉଛନ୍ତି । ପ୍ରତ୍ୟେକଙ୍କ ପାଇଁ ଯଦି ପାଞ୍ଚଟଙ୍କାର ତୁଳା ଆଉ କନା ଲୋଡ଼ା ହେବ ତେବେ ସେ ପିଲେ ବଞ୍ଚିଲେ ଖାଇବେ କ’ଣ ? ତୁମ ଜନ୍ମ ବେଳକୁ କେତେ କନା କେତେ ତୂଳା ଲୋଡ଼ା ହୋଇଥିଲା କହିଲ ?’’

 

ବିମଳବାବୁ ହସି ପକାଇଲେ । ବେବର୍ତ୍ତା ମୁହଁରେ ହର୍ଷ ବା ବିଷାଦ ନ ଫୁଟାଇ ଉତ୍ତର ଦେଲେ, ‘‘ମହାପୁରୁ, ମୋ ଜନ୍ମ କଥା ତ ମୋତେ ଜଣାନାହିଁ । ମୋ’ର ଖଣ୍ଡିଏ ଚିରା ଲୁଗାରେ ଗୋଟିଏ ଲେଖାଏଁ ପୋଖତି ନିବିଡ଼ିଯାଉଛି । ତୂଳା, ମସାରିକନା (gauge) ଆମ ଗାଁରେ ସପନ-।’’

 

ବାବା ବିମଳଙ୍କୁ ଚାହିଁ କହିଲେ, ‘‘ବିମଳ ! ସବୁ ଗାଁରେ ଅବସ୍ଥା ଅଳ୍ପ ବହୁତେ ଏଇଆ । ଏଇପରି ତ ଚଳିଯାଉଛି ଆହୁରି ବେଶୀ ଡାକ୍ତରି ଢଙ୍ଗରେ ପ୍ରସୂତି ହେଲେ ଭଲ ହୁଅନ୍ତା’, ଏଥିରେ ତ କେହି ନାହିଁ କରୁନାହିଁ । କିନ୍ତୁ ବଳ ପାଇଲେ ତ !’’

 

ଏତେବେଳକୁ ଧାଈ ବି ଆସି ପହଞ୍ଚିଥାନ୍ତି । ସେ ଏ ପର୍ଯ୍ୟନ୍ତ ବାବାଙ୍କ ଧରଣ ଧରିପାରିନଥାନ୍ତି । ତାଙ୍କର ପୂରା ମିଡ୍‌ୱାଇଫ୍ ପୋଷାକ । ପୋଷାକ ଦି ‘ଥର କଟକରୁ ଇସ୍ତ୍ରି ହୋଇ ଆସିଥାଏ । ସେ ନିଜର ମନ୍ତବ୍ୟ ଶୁଣାଇ ଦେଲେ, ‘‘ପୋଖତି ପାଇଁ କଟନ୍, ଡେଟଲ୍, ସାବୁନ୍, ବୋରିକ୍ ପାଉଡର୍, ଗଜକନା, ଗାଟ୍, କଇଞ୍ଚି, ଫର୍‌ସେପ୍‌–ଏତକ ନ ହେଲେ ମୋ ହାତ ଚଳିବନାହିଁ-। ତା’ପରେ ତ ପୁଣି ଆର୍‌ଗଟ୍‌ ମିକ୍‌ସ୍‍ଚର ଅଛି । ଜର ହେଲେ ଡାକ୍ତରଙ୍କୁ ଗୋଟିଏ ଯୋଡ଼ାଏ କଲ୍‌ ଦେବା ଦରକାର । ଆପଣଙ୍କର କ୍ଲିନିକ୍‌ର ଦାୟିତ୍ଵରେ ଯେତୋଟି କାମ ହେବ ସେଥିରେ ଯେପରି ଗୋଟିଏ ଫେଲ୍‌ନ ହୁଏ । ନହେଲେ ଆପଣଙ୍କର ଦୁର୍ନାମ ହେବ ।’’

 

ବାବା ମୁରୁକି ମୁରୁକି ହସି କହିଲେ, ‘‘ମା’ ! ତମର ଦୋଷ କ’ଣ ? ତମେ ଯାହା ପଢ଼ିଛ, ତା’ ତ କହୁଛ । କିନ୍ତୁ ଏ ସବୁ ଜିନିଷ ଯେ ଯୋଗାଇ ନ ପାରିବ ତା’ କଥା କ’ଣ ହେବ ?’’

 

ଧାଈ କହିଲେ ‘‘ସେ ବାଧ୍ୟ ହୋଇ ନେଟିଭ୍ ମିଡ଼ୱାଇଫ୍‌ଙ୍କ ଦ୍ଵାରା କାମ କରାଇବ ।’’

 

ବାବା କହିଲେ, ‘‘ବିଚାରିର ସମ୍ବଳ ନାହିଁ ବୋଲି ତା’କୁ ତୁମ ବିଦ୍ୟା ମଧ୍ୟ ମିଳିବ ନାହିଁ । ତା’ର ଦି’ ଆଡ଼ୁ ଗଲା । ସରଞ୍ଜାମ ପାଇଲା ନାହିଁ କି ତୁମ ସାହାଯ୍ୟ ପାଇଲା ନାହିଁ ।’’

 

ଧାଇ କହିଲେ, ‘‘ହଁ, ସେଇ ତ ଦୁଃଖ । ବିଚାରିମାନଙ୍କର ମଙ୍କଳ ପାଇଁ ଆପଣ ଖୁବ୍ କରୁଛନ୍ତି । ବର୍ତ୍ତମାନ୍‌ ସୁଦ୍ଧା ଆମର କୌଣସି ସରଞ୍ଜାମର ଅଭାବ ନାହିଁ । ଏଥର ଏଣିକି ସରକାରଙ୍କୁ ଲେଖନ୍ତୁ । ତାଙ୍କର ତ ଟଙ୍କା ମଞ୍ଜୁର କରୁ କରୁ ବେଳ ଲାଗିବ । ଯଦି ଆପଣ ସେତକ ସମୟ ଚଲାଇ ପାରିବେ, ତେବେ ଚଳାଇବେ । ନହେଲେ ସରକାରଙ୍କଠାରୁ ଟଙ୍କା ମିଳିବା ଯାଏଁ ଅପେକ୍ଷା କରିବାକୁ ହେବ ।’’

 

ବାବା ମୁରୁକି ମୁରୁକି ହସି ପଚାରିଲେ, ‘‘ଯଦି ସରକାର ଖୁବ୍‌ ଡେରି କରନ୍ତି ବା ପରବାରେ କିଛି ନ ଦିଅନ୍ତି ? ଆମ ପାଖରେ ତ ଆଉ ସମ୍ବଳ ନାହିଁ । ବିଚରା ପୋଖତି ମାଇପିଗୁଡ଼ିକ ପୁଣି କ’ଣ କରିବେ ?’’

 

ଧାଈ କହିଲେ, ‘‘ନେଟିଭ୍ ଧାଈଙ୍କ ଉପରେ ନିର୍ଭର କରିବାକୁ ପଡ଼ିବ । ଆଉ ଚାରା କ’ଣ-?’’

 

ବିମଳବାବୁଙ୍କୁ କହିଲେ–ସେଇ ଧାଈମାନେ ଅଛନ୍ତି ବୋଲି ସିନା ଅଭାବ ବେଳେ ଚଳାଇ ନେବେ । ଅଭାବ ହେଲେ ତୁମେ ଆଉ କ’ଣ କରିବ ?

 

ବିମଳବାବୁଙ୍କୁ କହିଲେ–କିଓ, ବିମଳ ! ଅବସ୍ଥା ତ ଶୁଣିଲ । ଦୁଃଖୀରଙ୍କୀଙ୍କ କାର୍ଯ୍ୟରେ ଯେଉଁ ବିଦ୍ୟା ନ ଲାଗିବ ସେଥିର ମୂଲ୍ୟ କ’ଣ ? ପରର ହାତଟେକିଆ ଦାନ ତ !–ସରକାରର ହେଉ ବା ଅନ୍ୟ କୌଣସି ଦାତାର ହେଉ । ବର୍ତ୍ତମାନର ସବୁ ସୁବିଧା ଖାଲି ସ୍ଵଚ୍ଛଳ ଲୋକଙ୍କପାଇଁ ।

 

ବିମଳବାବୁ ଜବାବ୍‌ ଦେଲେ–ସମସ୍ତଙ୍କୁ ତ ସ୍ଵଚ୍ଛଳ କରିବା ପାଇଁ ଯୋଜନା ହେଉଛି । ଗତ ପାଞ୍ଚବର୍ଷରେ ବିଶେଷ କିଛି ହୋଇ ପାରିଲା ନାହିଁ, ଏଥର ସମସ୍ତେ ମନଦେଇ ଲାଗି ପଡ଼ିଛନ୍ତି-

 

ବାବା କହିଲେ, ‘‘ତା’ ତ ପଢ଼ୁଥାଇଁ, ଶୁଣୁଥାଇଁ । ଧର ଯୋଜନା ସଫଳ ହେବ । ଉପରୁ ଉପରୁ ଆହୁରି କେତେଗୁଡ଼ିଏ ଚାକିରି ପାଇଯିବେ, କାମ ଧନ୍ଦା ବି ପାଇଯିବେ । କିନ୍ତୁ ଦେଶର ଅଧିକରୁ ବେଶୀ ଲୋକ ତ ଏ ଯୋଜନାର ଫଳରେ ଘାଣ୍ଟି ହେବେ । ସରକାରୀ ସୁବିଧା ହାସଲ କରିବାକୁ ସାମର୍ଥ୍ୟ ନଥିବ । ଧାନ ଚାଉଳର ଦର ବଢ଼ିବା ଫଳରେ ସେମାନଙ୍କର ଆହୁରି କଷ୍ଟ ହୋଇପାରେ । ସେଇମାନଙ୍କ ପ୍ରତି ଦୃଷ୍ଟି ରଖି ସବୁ କାମ କଲେ ସିନା ହେବ ।’’

 

ଦୁର୍ଗା ଦେବୀ ଆଲୋଚନାରେ ଯୋଗ ଦେଲେ । ସେ କହିଲେ, ‘‘ବାବା ! ମୁଁ ବିଚାରିଛି ଗାଁର ଧାଈମାନେ ଯେପରି କରୁଛନ୍ତି, ସେଇପରି ଆମେ ବି କରିବା । ସେମାନେ ଧୋବ ମଇଳା ବାରଣ କରୁ ନାହାନ୍ତି, ଆମେ ତାହା କରିବା । ନିତାନ୍ତ ଯେତିକି ଓଷୁଅ ନହେଲେ ନଚଳେ ସେତିକି ଲଗେଇବା ।’’

 

ବାବା କହିଲେ, ‘‘ହଁ ମା ! ମୁଁ ସେଇଆ ଚାହୁଁଛି । କେଉଁଠି ଖଇର ପାଣିରେ, ହରିଡ଼ା ପାଣିରେ, ହଳଦି ଗୁଣ୍ଡରେ ଚଳିବ ସେ କଥା ମଧ୍ୟ ବିଚାରିବା ଦରକାର । ଆମର ଡାକ୍ତରମାନେ ଲୋକଙ୍କ ଅବସ୍ଥାକୁ ଚାହିଁ ବ୍ୟବସ୍ଥା କଲେ, ଏଇମିତି କେତେ ଠୁଣୁକିଆ ଚଳାନ୍ତେ । ସମସ୍ତେ ତ ଆଗକୁ ଚାହିଁଛନ୍ତି । ନିଜର କ’ଣ ସଦଳ ଅଛି, ଅଭିଜ୍ଞତା ଅଛି ତାହାର କଳନା କରି ସିନା ଲୋକେ ଅନ୍ୟଠାରୁ ଧାର ଉଧାର କରିଥାନ୍ତି । ଆମେ ତ ଏବେ ବିନା ମୂଳଧନରେ ଅପରର ହାତଟେକିଆ ଦାନକୁ ଚାହିଁ ବସିଥାଇଁ । ଏ ଚକୁଳିଆ ପଣ୍ଡା ବୃତ୍ତିରେ ପେଟ ସିନା ପୋଷି ହୋଇଯିବ, ମଣିଷପଣିଆ ଫୁଟିବ କୁଆଡ଼ୁ ?’’

 

ଦୁର୍ଗା ଦେବୀଙ୍କ ପ୍ରଯତ୍ନରେ ଆସ୍ତେ ଆସ୍ତେ ଧାଈଙ୍କଠାରେ ଯେଉଁତକ ପଶ୍ଚାତ୍ୟ ଶିଉଳି ଲାଗିଥିଲା ,ସେତକ ଘଷିମାଜି ହୋଇଗଲା । ଗାଁ ଗହଳରେ ଏହି କାର୍ଯ୍ୟରେ ଯେଉଁମାନଙ୍କର ଅଭିଜ୍ଞତା ଥିଲା ସେମାନେ ଏ ପର୍ଯ୍ୟନ୍ତ ଆଡ଼େଇ ହୋଇ ରହିଥିଲେ । ଧାଈଙ୍କର ବାଘଚମ ଖଣ୍ଡ ଦେହରୁ ଖସି ଯିବାରୁ ସେ ସମସ୍ତଙ୍କର ପୂର୍ଣ୍ଣ ସହଯୋଗ ମିଳିଲା । ଧାଈର ଅଭାବ ସେ ଅଞ୍ଚଳରେ ଗୋଟାଏ ବଡ଼ ଅଭାବ ବୋଲି ପ୍ରଥମେ ଜଣା ପଡ଼ୁଥିଲା । ବିମଳବାବୁ ଆଶ୍ଚର୍ଯ୍ୟ ହେଲେ ଯେ, ହଠାତ୍ ଯାଦୁବିଦ୍ୟା ଭଳି ସବୁ ଗାଁରେ ଯଥେଷ୍ଟ ଧାଈ ବାହାରି ପଡ଼ିଲେ । ବିମଳବାବୁ ଯେଉଁ ଧାଈମାନଙ୍କୁ ଆଣିଥିଲେ ସେ ରାଧିଅପା ନାମରେ ସେ ସମସ୍ତଙ୍କ ଭିତରେ ମିଶି ଗଲେ । ବିମଳବାବୁଙ୍କ ଆନନ୍ଦ ଉପରେ ବାବା ଟିପ୍‌ପଣୀ ଦେଲେ, ‘‘ବାପା ! ଖାଲି ଏଇ ବିଷୟରେ ନୁହେଁ ସବୁ ବିଷୟରେ ଜାଣିବାର ଲୋକ, ପାରିବାର ଲୋକ ଆମର ଅଛନ୍ତି । ନୂଆ ଶିକ୍ଷିତମାନେ ନିକି ଖୋଳସ ଉଚାରିଦେଲେ କାରିଗର କି କର୍ମୀର ଅଭାବ ଆମ ଏ ଦେଶରେ ହେବନାହିଁ ।

 

ଅପସରର ପୋଖତି ଘର ସେ ଅଞ୍ଚଳରେ ଗୋଟାଏ ମନେ ରଖିବାର ଘଟଣା ହୋଇ ରହିଛି । ଦୁର୍ଗାଙ୍କର ପ୍ରସ୍ତାବରେ ସେ ଦିନ ଦଶ କୋଣ ଭିତରର ସବୁ ପୁରୁଣା ମାଇପିଙ୍କର ଗୋଟାଏ ସଭା ହେଉଥାଏ । ଏଇମାନେ ତ ମଫସଲର ଧାଈ । ରାଧିଅପା ସେମାନଙ୍କ ସଙ୍ଗେ ଧାଈ ବିଦ୍ୟା ବିଷୟରେ କଥାବାର୍ତ୍ତା ହେଉଥାନ୍ତି । ଅପସରାର କୋଠରୀରୁ କୁଆଁ, କୁଆଁ ଡାକ ଶୁଣି ସମସ୍ତେ ଚମକି ପଡ଼ିଲେ । ରାଧାଅପାଙ୍କ ସମେତ ସମସ୍ତେ ସ୍ତ୍ରୀ–ସୁଲଭ ଚଞ୍ଚଳତାରେ ମାଛହାଟ ବସାଇ ଦେଲେ । ବାବା ମଧ୍ୟ ମଣ୍ଡପରୁ ଆସି ସମସ୍ତଙ୍କ ଭିତରେ ପଶିଲେ ।

 

ଅପସରାର ଗୋଟିଏ ଝୁଅ ହୋଇଛି ବୋଲି ମାଳତୀ କାନକୁ ଶୁଣାଇବା ସଙ୍ଗେ ସଙ୍ଗେ, ଆଖିର ବିବାଦ ଭଞ୍ଜନ କରାଇବାକୁ ବାବାଙ୍କ ଆଗରେ ପିଲାଟିକୁ ଧଇଲା ।

 

ରାଧିଅପା ପିଲାଟି ଆଡ଼କୁ ତୀକ୍ଷ୍‌ଣ ବୃଷ୍ଟି ଦେଇ ଅଭିଯୋଗ ଆରମ୍ଭ କଲେ, ‘‘ବାବା, ଦେଖ, ମାଳତୀର କାମ ! ଆମେ ଏତେଗୁଡ଼ାଏ ମଣିଷ ପାଖରେ ବସିଛୁ । କାହାକୁ କିଛି କହିବାକୁ ନାଇଁ, ଆପେ ଆପେ ସବୁ କରି ଦେଇଛି ।

 

ମାଲତୀ ହସି ହସି କୈଫତ୍‌ ଦେଲା, ‘‘ବାବା ! କାମରେ ସିନା କ’ଣ ଖଇଚା କରିଥିଲେ କହିବେ, ପାଖରେ ତ ଥିଲି, ମୋ କାମ ମୁଁ କରିଦେଲି । ୟାଙ୍କୁ ସଭାରେ ଯାଇ କ’ଣ କହିଥାନ୍ତି ।’’

 

ବାବା ହସି ହସି କହିଲେ, ‘‘କାମ ଖଇଚା କରିଚୁ କି ନାହିଁ ବଳେ ଦି’ ତିନି ଦିନରେ ଜଣା ପଡ଼ିଯିବ ନାଇଁ କି ? ଯଦି ଜର ହେବ, ଡାକ୍ତର ଆସିବା ଦରକାର ପଡ଼ିବ, ତେବେ ଦେଖିବୁ ।’’

 

ମାଳତୀ ଟିକିଏ ସୁଦ୍ଧା ଦବି ନିଯାଇ ଜବାବ୍‌ ଦେଲା, ‘‘ମୋ କାମ ତ ମୁଁ କରିଦେଲି ଏଥର ବାବା ତାଙ୍କ କାମ କରନ୍ତୁ । ବାବା ବିଚାରିଲେ କ’ଣ ଅପସରି ଉଠିଆରି ଦିନକୁ ଧୋଇଧାଇ ହୋଇ ନ ଉଠିବ ।’’

 

ସମସ୍ତେ ହସିଲେ, ବାବା ମଧ୍ୟ ନିଜର ହସ୍ତ ସମସ୍ତଙ୍କ ସଙ୍ଗେ ମିଳାଇ ଦେଲେ; ପିଲାଟି ଆଡ଼କୁ ଚାହିଁ କହିଲେ, ‘‘ଭଲ ଦିନରେ ଅପସରିର ଝିଅ ଜନ୍ମ ହୋଇଛି ! ତାରି ପାଇଁ ଦଶ କୋଶର ସବୁତକ ଧାଈ ଆସି ଏକାଠି ହୋଇଛନ୍ତି । ସେ ହେବ ଆମ ରାଜ୍ୟର ସ୍ୱାସ୍ଥ୍ୟ–ମନ୍ତ୍ରୀ ।’’

 

ବିମଳବାବୁ ଅସ୍ପଷ୍ଟ ଅଥଚ ଶ୍ରାବ୍ୟ ସ୍ଵରରେ କହିଲେ, ‘‘ତେବେ ତା’ ନାଁ ବସନ୍ତମଞ୍ଜରୀ ହେଉ’’ । ଟହଲିଆ ଗୋପାଳିଆ ଜବାବ୍ ଦେଲା, ‘‘ମଗୁଶିର ମାସରେ ଜନ୍ମ ହେଉଥିବା ପିଲାଟିକୁ ବସନ୍ତମଞ୍ଜରୀ ନାଁ ଦେବ, ବାବୁ ?’’

 

ବାବା ମଣ୍ଡପକୁ ଫେରୁ ଫେରୁ କହିଗଲେ, ‘‘ନାହିକଟା, ନାମଦିଆ ସବୁ ଏକାଦିନକେ କରିଦେବା ନ କ’ଣ ?’’

 

ବାବା ନିଜେ ପିଲାଟିର ଜାତକ ତିଆରି କରି ସାରି, ଲେଖନ ଥୋଇଦେଇ, ମାଳତୀକୁ କହିଲେ, ‘ଜାତକ ଖଣ୍ଡେ ଏକା ! ଏ ପିଲା ଯାହା ହାତ ଧରିବ, ତାକୁ ରଜା କରେଇ ଦେବ ।’’

 

ମାଳତୀ ହସି ହସି କହିଲା, ‘‘ବାବା ପରା ଜନ୍ମଦିନ କହୁଥିଲେ, ଏ ଟୋକି ନିଜେ ମନ୍ତ୍ରୀ ହେବ ବୋଲି । ମାଇପ ମନ୍ତ୍ରୀ କି ଘଇତା ରଜା ! ବାବା କହିଲେ, ସେଥିରେ କ’ଣ ଅଛି । ଆଜିକାଲି ତ ରଜା ନାହାନ୍ତି । ମନ୍ତ୍ରୀ ହେଉଛନ୍ତି ରଜା । ଦିହେଁଯାକ ମନ୍ତ୍ରୀ ହେବେ । ୟେ ଗୋଟାଏ ଇଲାକା ବୁଝିବ ତ ସେ ଆଉ ଗୋଟାଏ ବୁଝିବ । ନୋଇଲେ, ଦିହେଁ ଗୋଟାଏ ଇଲାକାରେ ରହିବେ । ଜଣେ ହେବ ସାନମନ୍ତ୍ରୀ ଆଉ ଜଣେ ହେବ ବଡ଼ ମନ୍ତ୍ରୀ । ଆଜିକାଲି ପ୍ରଧାନମନ୍ତ୍ରୀମାନେ ପରସ୍ତ୍ରୀଙ୍କୁ ମନ୍ତ୍ରୀ କରୁଛନ୍ତି; ନିଜ ସ୍ତ୍ରୀ ଯୋଗ୍ୟ ହେଲେ ତ ଅପବାଦ କଥା ଯାହାହଉ, ନିଜ ଘର ଗୋଳମାଳରୁ ଉଦ୍ଧାର ପାଇବେ ।’’

ଜାତକଟା ଠିକ୍ ବୋଲି ମୂଳରୁ ଜଣା ପଡ଼ିବାର ଆଗ ମାଳତୀ ଠଉରେଇଲା । ଗାଁ ଭିତରେ ଯୋଗି ମାଷ୍ଟ୍ରଙ୍କର ଯେଉଁ ଦଳଟା ସବୁବେଳେ ବିମଳାମନ୍ଦିର ବିରୁଦ୍ଧରେ କୁତ୍ସାରଟନା କରୁଥିଲେ, ସେମାନେ ହଠାତ୍ ମିଳନ ପଡ଼ିଗଲେ । ଗାଁ ମାଇପଙ୍କ ତୁଣ୍ଡରୁ ବାହାରି ଚାରିଆଡ଼େ କଥା ରାଷ୍ଟ୍ର ହୋଇଥାଏ । ଯୋଗିମାଷ୍ଟ୍ରଙ୍କ ପିଲା ହେବାରେ ତାଙ୍କର ସାଙ୍ଗସାଥିମାନେ ତାଙ୍କୁ ମିଠେଇଖିଆ ମାଗିବାରୁ ଯୋଗି ମାଷ୍ଟ୍ରେ ଦାଣ୍ଡକୁ ବାହାରିବା ବନ୍ଦ କରିଦେଲେ । ଉଡ଼ା ଖବର ଉଠିଲା ଯେ, ତାଙ୍କର କ’ଣ ରୋଗ ହୋଇଛି । ଜଣେ ଦି’ଜଣ ଯେ ହାଲ ହୈକତ ବୁଝିବାକୁ ଗଲେ, ସେମାନେ ଯେଉଁ ସନମାନ ପାଇଲେ, ସେଥିରେ ଆଉ କେହି ଯିବାକୁ ଭରସିଲେ ନାହିଁ । ଯିବା ବାଟ ବି ବନ୍ଦ । ପ୍ରାୟ ସବୁବେଳେ ଦାଣ୍ଡ ଦୁଆର କିଳା । ତିନି ଚାରି ଦିନରେ ଥରେ ଯୋଗି ମାଷ୍ଟ୍ରେ ଲୁଣତେଲ କିଣି ନେଲା ବେଳେ, ତାଙ୍କୁ ଚାହିଁ ସମସ୍ତେ ଆଶ୍ଵସ୍ତ ହୁଅନ୍ତେ ଯେ, ରୋଗ ଶାରୀରିକ ନୁହେଁ, ମାନସିକ ।

ପୋଖତି ମାନଙ୍କୁ ସାହାଯ୍ୟ କରିବା କାର୍ଯ୍ୟରେ ବିଶେଷ ସଫଳତା ହେବାରୁ, ବିମଳବାବୁଙ୍କର ପ୍ରତ୍ୟେକ କଥାର ମୂଲ୍ୟ ବଢ଼ିଗଲା । ସେ ଯାହା ପରାମର୍ଶଦେଲେ ତାହା ଲୋକଙ୍କ ମନକୁ ଧଇଲା । ଗୋପାଳନ ପାଇଁ ସେ ଯେଉଁ ପ୍ରଚାର କରିଥିଲେ ତାହା କ୍ରମେ ଆଖିକୁ ଦିଶିଲା ପରି ହେଲା । ତାଙ୍କ ଉଦ୍ୟମରେ ଗୋଟିଏ ବଡ଼ ଷଣ୍ଢ ବିମଳାଙ୍କର ହୋଇ ଆସିଥାଏ । ତାହାର ଖୁରାକି ବାବତରେ ଲୋକେ ସ୍ଵେଚ୍ଛାରେ ଚାନ୍ଦା ଦେଉଥାନ୍ତି । ସ୍ଥନୀୟ ବିଶିଷ୍ଟ ଲୋକ ୫ ଜଣ ପାଞ୍ଚଟି ଭଲ ଗାଈ ଠାକୁରାଣୀଙ୍କ ପାଇଁ ଆଣିଥାନ୍ତି । ଠାକୁରାଣୀଙ୍କର ପ୍ରତିଦିନ ଯାହା ଦୁଧ ଆମଦାନି ହୁଏ ତାହା ପାଖ ଆଖର ରୋଗଣା ପିଲାମାନଙ୍କୁ ବଣ୍ଟା ହେଉଥାଏ । ସେ ପିଲାମାନେ ପ୍ରତିଦିନ ସକାଳୁ ଗାଧୋଇ ଠାକୁରାଣୀଙ୍କୁ ଦର୍ଶନ କରି ପାଦୁକ ପାଇ, ଗଜାମୁଗ ଓ ବୁଟ ଜଳଖିଆ ପାଆନ୍ତି, ଓ ଶେଷରେ ଗ୍ଲାସେ ଗ୍ଲାସେ ଦୁଧ ପିଅନ୍ତି । ନିୟମିତ ଭାବେ ଚଳିବା, ବ୍ୟାୟାମ କରିବା ଓ ପୃଷ୍ଟିକର ଖାଦ୍ୟ ନିୟମିତ ପାଇବା ଫଳରେ ଦିନ ପନ୍ଦରଟାରେ ପିଲାମାନଙ୍କର ଚେହେରା ବାଗେଇଗଲା । ସେମାନଙ୍କୁ ଦେଖି ଗାଁର ମାଇପିମାନେ ବାବାଙ୍କୁ ଧନ୍ୟ ଧନ୍ୟ କରିବାରେ ଲାଗିଲେ ଓ ସେଇ ଢଙ୍ଗରେ ନିଜର ପିଲାମାନଙ୍କୁ ଚଳାଇବାକୁ ପ୍ରଯତ୍ନ କଲେ । ଗାଁରେ ଧୀର, ମନ୍ଥର ଅଥଚ ସ୍ଥାୟୀ ଭାବରେ ନୂଆ ଉଦ୍ୟୋଗ ଆରମ୍ଭ ହୋଇଗଲା । ପ୍ରତିଦିନ ଭାଗବତ ପାଠ ସମୟରେ ବାବା ଲୋକଙ୍କର ଉଦ୍ୟୋଗଶୀଳତା ବଢ଼ାଇବାକୁ ଉତ୍ସାହବାଣୀ ଶୁଣାଉଥାନ୍ତି ।

ଦିନେ ସେ କହିଲେ, ‘‘ଉଦ୍ୟମ କରନାହିଁ, ଓପାସରେ ରହି ହରିନାମ କୀର୍ତ୍ତନ କର’–ଏକଥା ଆମ ପାଠରେ କୌଣସିଠି ଲେଖା ହୋଇନାହିଁ । ଭଗବାନ୍ ଆମକୁ ଯେଉଁ ସମ୍ପତ୍ତି ସବୁ ଦେଇଛନ୍ତି ତାହାର ପୂର୍ଣ୍ଣ ଉପଯୋଗ କରିବା ଆମର ଧର୍ମ । ତେବେ ତାହା କରିବାରେ ରାସ୍ତା ହୁଡ଼ିଲେ ଚଳିବ ନାହିଁ । ନିଜର ଉପାର୍ଜନ ଯେ ନିଜେ ଖାଇଯାଏ ସେ ଚଣ୍ଡାଳ । ପ୍ରତ୍ୟେକ ଜିନିଷରୁ ଚଣ୍ଡ କାଢ଼ି ଦିଅଁଙ୍କୁ ଦେବାକୁ ହେବ । ତା’ର ମାନେ–ନିଜ ଉପାର୍ଜନରୁ ଭାଗ ଦୁଃଖୀ ରଙ୍କୀଙ୍କୁ ଦେବାକୁ ହେବ । ସେମାନଙ୍କ ସନ୍ତୋଷରେ ତୁମର ଊତ୍ପାଦନ ସ୍ଵତଃ ବଢ଼ିବ ।’’

ଏହାର ଉଦାହରଣ ସେ ଦିଅନ୍ତି ନିଜର ଗୋଶାଳାକୁ ଦେଖାଇ । ଗୋଶାଳାରୁ ଯେଉଁମାନେ ଦୁଧ ନିଅନ୍ତି ସେମାନେ ପ୍ରତିଦିନ ଗୋରୁଙ୍କ ପାଇଁ କିଛି ନ ଆଣନ୍ତି । କିଏ ଘାସ କେରେ ଆଣେ ତ କିଏ ନଡ଼ା ବିଡ଼େ ଆଣେ, କିଏ ମକା ଡାଙ୍ଗ ଆଣେ ତ କିଏ କିଛି ନ ପାଇ ନିଜ ଘରୁ ଆଟିକେ ତୋରାଣି ଆଣି ପହଞ୍ଚାଇଦିଏ । ବାବା କହନ୍ତି, ‘‘ଗୋରୁଙ୍କ ପିଛା ଏ ପର୍ଯ୍ୟନ୍ତ ଠାକୁରାଣୀଙ୍କର କିଛି ଖର୍ଚ୍ଚ ହୋଇନାହିଁ । ଦୁଧ ଲୋକଙ୍କୁ ବଣ୍ଟା ହେଉଛି ଓ ଲୋକଙ୍କର ଦାନାରେ ଗୋରୁ ଚଳି ଯାଉଛନ୍ତି । ଦେବା ନେବାଟା ଖାଲି ନିୟନ୍ତ୍ରଣ କରିହେବା ଆମର କାମ । ଏଇ ରୀତିରେ କଲେ, ଅଳ୍ପ ପଇସାରେ ବହୁତ କାମ ହୋଇପାରିବ ।’’

☆☆☆

 

ଥୁଆଥୋଇ

 

କାର୍ତ୍ତିକ ପୂର୍ଣ୍ଣିମାର ନିର୍ମଳ ଚନ୍ଦ୍ର ଆକାଶରେ ଢଳି ଛାଡ଼ିଦେଲେଣି । ଚାରିଆଡ଼େ ସବୁଜ କ୍ଷେତମାନଙ୍କ ଉପରେ ହଳଦିଆ ଲୁଗା ଶୁଖିଲା ପରି ଦିଶୁଛି । ଆଶ୍ଵିନର ଶେଷ ଓ କାର୍ତ୍ତିକର ପ୍ରଥମ ପନ୍ଦରଦିନ ଏକାବେଳକେ ବର୍ଷା ଛାଡ଼ିଯାଇ ନିରାଟ ଖରା ହେବାରୁ କ୍ଷେତରେ ଧାନଗଛ ଯେପରି ଝାଉଁଳି ପଡ଼ିଥିଲା, ଗାଁ ଗହଳିରେ ଲୋକଙ୍କ ମନ ସେହିପରି ଝାଉଁଳି ପଡ଼ିଥିଲା । କାର୍ତ୍ତିକା ପବନ ମାସଶେଷକୁ ଉତ୍ତର ଆଡ଼ୁ ମେଳା ଡାକି ଆଣିବାରୁ ପୁଣି କ୍ଷେତ ହସି ଉଠୁଛି , ଲୋକେ ବି ଆଶା ଧରିଲେଣି । ଏ ବର୍ଷର ଫସଲ ଆଠପଣିଆରୁ ଅଧିକା ହେବା ସମ୍ଭବ ନୁହେଁ । ସବୁତକ ଗଲା ବୋଲି ବହୁ ଦିନ ନିରାଶ ହେବା ପରେ, ଆଠପଣିଆ ଫସଲର ଆଶାରେ ଲୋକେ କୋଟିନିଧି ପାଇଲା ପରି ହେଉଛନ୍ତି ।

 

ଏହାର ଚାକ୍ଷୁକ୍ଷ ପ୍ରମାଣ ଆଜି ଦୁର୍ଗାଦେବୀ ମଧୁବନ ଗାଁରେ ପାଇଛନ୍ତି । ଆଜି ଉପରଓଳି ସେଠାରେ ଗୋଟିଏ ଶିଶୁମେଳା ହୋଇଥିଲା । ଦଶ ପନ୍ଦରଖଣ୍ଡ ଗାଁରୁ କେତେ ମା ବୋହୂ ଆସିଥିଲେ । ମଧୁବନ ମହାଦେବଙ୍କ ପାଖରେ ସେ ଅଞ୍ଚଳର ଲୋକେ କାର୍ତ୍ତିକ ପୂର୍ଣ୍ଣିମା ଦିନ ମେଳ ହୁଅନ୍ତି । କିନ୍ତୁ ପିଲାଙ୍କୁ ଆଣି ଉତ୍ସବ କରିବା ଏ ବର୍ଷ ନୂଆ ।

 

ରାଧିଅପାଙ୍କ ଯୋଗୁଁ ଶିଶୁମେଳାଟି ହୋଇପାରିଥିଲା । ଗୋଟିଏ ସ୍କୁଲଘରେ ଏ ଉତ୍ସବଟି ଅନ୍ୟଦିନ କରିବାକୁ ରାଧିଅପା ପ୍ରସ୍ତାବ ଦେଇଥିଲେ । ବିମଳବାବୁ ମଧ୍ୟ ଏହାର ଅନୁମୋଦନ କରି ବାବାଙ୍କ କାନ କରିଥିଲେ ।

 

ବାବା କହିଲେ ‘‘ଭଲ କଥା । କର, କର । କିନ୍ତୁ ଲଛିପୁରରେ ଅଁଳା ନବମୀ ଦିନ କଲେ ତୁମ ସଭାକୁ ମାଇପେ ଆସିବେ ? ସେ ଦିନ ପରା ଘରେ ଘରେ ପୂଜା–ଅଁଳା ପୂଜା । ଯେବେ ମଧୁବନ ମହାଦେବଙ୍କ ତୋଟାରେ କାର୍ତ୍ତିକ ପୂର୍ଣ୍ଣିମା ଦିନ କରିବ, ତେବେ ତମ କାମଟି ଭଲ ନିବିଡ଼ିବ, ଠାକୁରଙ୍କ କାମ ମଧ୍ୟ ଭଲ ହେବ । ସେ ପୋଖରୀରେ ସ୍ନାନ କରି ମଧୁବନ ମହାଦେବଙ୍କୁ ଦର୍ଶନ କଲେ ରୋଗ ହେବନାହିଁ ବୋଲି ଲୋକମାନଙ୍କର ବିଶ୍ଵାସ । ଏ ସବୁ କୁସଂସ୍କାର ବୋଲି ଏବେ ଉଡ଼ାଉଥିବାରୁ କ୍ରମେ କ୍ରମେ ଲୋକଗହଳ କମିଯାଉଛି । ପୋଖରୀରେ ବା ମହାଦେବଙ୍କଠାରେ ବାର୍ଷିକ ନୀରୋଗ ରଖିବାର ସାମର୍ଥ୍ୟ ଥାଉ ବା ନଥାଉ, ନୀରୋଗ ରହିବ ବୋଲି ଦୃଢ଼ ବିଶ୍ୱାସ ହେଲେ କ’ଣ ହୁଏ ଡାକ୍ତରଙ୍କୁ ପଚାର । ସେ କଥା ଛାଡ଼ । ପନ୍ଦରଟି ଗାଆଁର ଲୋକ ଏକାଠି ହୋଇ ମେଳାମଉତ୍ସା କଲେ ତ ପୁଣି ଲାଭ ଅଛି । ଲୋକେ ପୁରୁଣା କଥାଗୁଡ଼ାକର ଭିତରକୁ ନ ପଶି ଖାଲି ଦୂରଦୂର ମାର୍‌ମାର୍‌ କରୁଛନ୍ତି ।’’

 

ଏତିକିରେ ମଧୁବନରେ ଶିଶୁମେଳା ହେବାର ସ୍ଥିର ହେଲା । ସଭା ଆରମ୍ଭରେ ମଧୁବନ ମହାଦେବଙ୍କ ମାଳୀ ସବୁ ପିଲାଙ୍କ ମୁଣ୍ଡରେ ମହାଦେବଙ୍କ ଫୁଲ ପାଖୁଡ଼େ ପାଖୁଡ଼େ ଥୋଇ ଟିକିଏ ବେଲପତ୍ରି ଡଙ୍କିଏ ପାଦୁକ ଦେଇଦେବାରେ ପିଲମାନଙ୍କ ମା’ଙ୍କ ମନରେ କି ଆନନ୍ଦ ଲାଗି ଉଠିଥିଲା ଦେଖିବାର କଥା । ଡାକ୍ତର ମଧ୍ୟ ଧର୍ମବିଶ୍ଵାସରେ ଅନୁପ୍ରାଣିତ ହୋଇ ତନ୍ନ ତନ୍ନ କରି ସମସ୍ତଙ୍କ ଦେହ ପରୀକ୍ଷା କଲେ । ବିମଳବାବୁ ସଭାପତି ଅଭିଭାଷଣରେ କହିଲେ, ‘‘ହାରି କରି ଲୋକେ କିପରି ଆନନ୍ଦ ପାଆନ୍ତି, ମୁଁ ଆଜି ଅନୁଭବ କରୁଛି । ବାବା ଏଠାରେ ଏ ସଭା କରିବାକୁ ପରାମର୍ଶ ଦେଇ କାର୍ଯ୍ୟକ୍ରମର ଯେଉଁ ସୂଚନା ଦେଇଥିଲେ ତାହା ମୁଁ ଆଜ୍ଞାବହ ରୂପେ ପାଳିଥିଲେ ହେଁ, ମୋ ମନର କୌଣସି ଗୋଟାଏ କୋଣରେ ଏ ସନ୍ଦେହ ରହିଯାଇଥିଲା । ମୁଁ ବିଚାରୁଥିଲି, ବୋଧହୁଏ ପୁରୁଣା ଓ ନୂଆର ଆମେ ଯେପରି ସମନ୍ଵୟ କରୁଥାଇଁ ସେଥିରେ ଉଭୟର କ୍ଷତି ହେବ । ଆଜି ଡାକ୍ତରବାବୁ ଓ ସମବେତ ଜନତା ମୋର ଆଖି ଖୋଲି ଦେଇଛନ୍ତି ।’’

 

ଡାକ୍ତର ବାବୁ ତାଙ୍କ ପୂର୍ବରୁ କହିଥିଲେ, ‘‘ମୋତେ ଆଜି ଆପଣମାନେ ଏଠାକୁ ନିମନ୍ତ୍ରଣ କରି ଅନୁଗୃହୀତ କରିଛନ୍ତି । ମୁଁ ଖ୍ରୀଷ୍ଟିୟାନ୍, ଓ ମୋ ଧର୍ମରେ ମୋର ପୂର୍ଣ୍ଣ ବିଶ୍ଵାସ ଅଛି । ତେଣୁ ମୁଁ ଜାଣେ, ସବୁ ଧର୍ମର ମୂଳରେ ଏକ ଈଶ୍ଵର ଓ ଏକ ନୀତି । ଆମେ ଡାକ୍ତରମାନେ ମଧ୍ୟ ଧର୍ମବିଶ୍ଵାସ ବିନା ଆମ କାମ କରିପାରୁ ନାହିଁ । ଏକା ଔଷଧ, ଏକା ଚିକିତ୍ସା, ଏକରକମ ରୋଗୀଙ୍କୁ ଭିନ୍ନ ଭିନ୍ନ ଫଳ ଦେଉଥିବାରୁ ପ୍ରତିଦିନ ଦେଖି ଦେଖି ମୁଁ ବିଶ୍ୱାସ କରେ ଯେ, ମନ ଦୃଢ଼ ନ ରହିଲେ ଚିକିତ୍ସାର ପୂର୍ଣ୍ଣ ଫଳ ଦେଇହେବ ନାହିଁ କି ପାଇହେବ ନାହିଁ । ମନ ଦୃଢ଼ କରିବାର ଏକମାତ୍ର ସାଧନ ଧର୍ମବିଶ୍ୱାସ । ମିସନ ହସ୍‌ପିଟାଲମାନଙ୍କର ବାର୍ଷିକ ଫଳାଫଳ ଦେଖି ମୋର ଏ ବିଷୟରେ ସମସ୍ତ ସନ୍ଦେହ ଦୂର ହୋଇଛି । ମୋ ପାଖରେ କେତୋଟି ମିସନ ଡାକ୍ତରଖାନା ବିଷୟରେ ରିପୋଟ୍ ଅଛି-। ସଭାପତି ମହାଶୟ ତାହା ଦେଖିଲେ ଜାଣିବେ, ରୋଗୀର ମନକୁ ପ୍ରଭାବିତ କରିପାରିଲେ ଚିକିତ୍ସାର କିପରି ଅଦ୍‌ଭୁତ ଫଳ ହୁଏ ।

 

‘‘ମୁଁ ପ୍ରସ୍ତାବ କରୁଛି, ଏଠାରେ ଗୋଟିଏ ସ୍ୱାସ୍ଥ୍ୟକେନ୍ଦ୍ର ସ୍ଥାପିତ ହେଉ । ମୁଁ ମାସେ ବା ପନ୍ଦର ଦିନରେ ଥରେ ମୋ ଡାକ୍ତରଖାନାରୁ ଛୁଟି ନେଇ ଏଠାରେ ଚିକିତ୍ସା କରିବାକୁ ଆସିବ । ଆପଣମାନଙ୍କୁ ଯିବାଆସିବା ଖର୍ଚ୍ଚ ବି ଦେବାକୁ ପଡ଼ିବ ନାହିଁ ।’’

 

ଡଙ୍ଗାରେ ବିମଳା ମନ୍ଦିର ଆଡ଼କୁ ଫେରିଲା ବେଳେ ଦୁର୍ଗାଦେବୀ ଏଇ କଥାସବୁ ମନରେ ବାରମ୍ବାର ଓଲଟ ପାଲଟ କରୁଥାନ୍ତି । ମଝିରେ ମଝିରେ ନଈର ଗୋଳିଆପାଣି ଭିତରେ ନିଜର ଅତୀତର ଚିତ୍ର ଦିଶିଯାଉଥାଏ । ଆଜି ‘ସେ’ ଯଦି ଥା’ନ୍ତେ–ଲୋକସେବାର ନୂତନ ଆଭିମୁଖ୍ୟ ବାବାଙ୍କଠାରୁ ପାଇ ସେ ତ ସମ୍ଭାଳି ହୋଇ ରହି ପାରୁ ନ ଥାନ୍ତେ ! ଆଖି ଛଳ ଛଳ ହୋଇ ଯାଉଥାଏ । ତାଙ୍କ ସଙ୍ଗେ ପିଲା ଦୁହଁଙ୍କ ମୁହଁ ବି ଦିଶିଥାଏ । ଲୁହ ମନା ମାନେନାହିଁ । ଦୁର୍ଗା ନିଜକୁ ସମ୍ଭାଳିବାକୁ ଚେଷ୍ଟା କରୁଥାନ୍ତି । ପାଣିକୁ ହାତବଢ଼ାଇ ଚଳେ ମୁହଁରେ ମାରି, ଆଉ ଚଳେ କୁଳୁକୁଞ୍ଚା କରି ଫୋପାଡ଼ି ଦେଲେ । ମନ୍ଦିରରେ ଯାଇ ଜଳ ତୁଳସୀ ପାଇ କାର୍ତ୍ତିକ ମାହାତ୍ମ୍ୟ ଅଧ୍ୟାୟେ ବୋଲିଲା ପରେ ସିନା ହବିଷ କରିବାକୁ ହେବ, ଜଳ ପ୍ରଶ୍ନ କରିବାକୁ ହେବ । ମନକୁ ବୁଝାନ୍ତି–‘ସେ ଥିଲେ ବା ପିଲେ ଥିଲେ ବିମଳା ମା’ଙ୍କୁ ସେବା କରିବାର ଭାଗ୍ୟ ମିଳନ୍ତା କେତେକେ-? ନିଜକୁ ପାଖରେ ରଖିବେ ବୋଲି ତ ମା’ ସବୁ ଲଟରା ଛିଣ୍ଡାଇ ଦେଲେ । ଆଉ ପଛକଥା କାହିଁକି-?’ ମେଘକୁ ଚାହିଁ, ଅସଂଖ୍ୟ ତାରା ଭିତରେ ନିଜର ଦେବତାଙ୍କୁ ଦେଖି ସେ ତାଙ୍କ ପାଦତଳେ ମନର ପ୍ରଣତି ଜଣାଇ ନିଜକୁ ବୋଧ କରୁଥାନ୍ତି ।

 

ଏତିକିବେଳେ ରାଧି ଅପା ଆରମ୍ଭ କଲେ, ‘‘ଦେଇ ! ଗୋଟିଏ କଥା ପଚାରିବି ପଚାରିବି ବୋଲି ଆଜିର ଶିଶୁମେଳା ଆରମ୍ଭରୁ ବିଚାରୁଛି । ଆଚ୍ଛା, କହିଲ ଦେଖି ନାରୀର ପୂର୍ଣ୍ଣତା କେଉଁଠି-?’’

 

ଦୁର୍ଗା ଇଷତ୍ ହସି ହସି କହିଲେ, ‘‘ଅପସରାକୁ ପଚାରୁ ନାହିଁ ? ସେ କହିବ । ତା’ ଶରଦିକୁ ତ ସକାଳ ପହରୁ ଛାଡ଼ି ଆସିଛି ଯେ ସେ ନାଉରିକୁ ମନେ ମନେ କେତେ ଗାଳି ଦେଉଥିବ-।’’

 

ଅପସରାର ଚିନ୍ତାର ଏକାଗ୍ରତା ଭାଜିଗଲା । ସେ ହସି ହସି କହିଲା, ‘‘ହଁ ମ ଦେଈ, ଏ ଡଙ୍ଗା କେଡ଼େ ଧୀରେ ଧୀରେ ଯାଉଛି । ନଈରେ ଏଡ଼େ ସୁଅ ! ମତେ ଜଣା ପଡ଼ୁଛି, ସକାଳେ ଉଜାଣି ଉଠିବାକୁ ଏବେ ଆହୁରି ଧୀରେ ଧୀରେ ଡଙ୍ଗା ଯାଉଛି ।’’

 

ରାଧିଅପା କହିଲେ, ‘‘ହେଇଟି ପରା ମନ୍ଦିରର ଆକାଶ ଦୀପ ଦିଶିଲାଣି । ଘାଟ ଆଉ ବାଟ କୋଶେ ବି ହେବ ନାଇଁ । ତୋ ଶରଦି ପାଇଁ ତୋର ଏତେ ଚିନ୍ତା କାହିଁକି ଯେ ? ତୁ ଥିଲାବେଳେ ତ ତା’କଥା ମାଳ ଅପା ବୁଝେ । କୋଉ କ୍ଷୀର ଗୁଡ଼ାକ ତୋ ଠେଇ ଟଣକୁଛି ଯେ ବାଇବିଛୁ ହେଉଛୁ ?’’

 

ଦୁର୍ଗା ବାଧା ଦେଲେ, ‘‘ତମ କଥାର ଉତ୍ତର ପାଇଲ ରାଧି ଅପା ? ସ୍ତ୍ରୀର ପୂର୍ଣ୍ଣତା ମାତୃତ୍ଵରେ ।’’ ରାଧି ଅପା ତୁନି ହୋଇ ରହିଲେ । ସମସ୍ତେ ତୁନି । ନାଉରିର ହାଉଲ ଆହୁଲା ଓ ଡଙ୍ଗାର ଝପ୍‌ଝପ୍‌ ଶବ୍ଦ ନଦୀସ୍ରୋତର ମଧୁର ଶବ୍ଦ ସଙ୍ଗେ ମିଶି ଚାଲିଥାଏ । ଦୁର୍ଗା ଏ ଏକତନ୍ତ୍ର ଭାଙ୍ଗି ପୁଣି କହିଲେ, ‘‘ରାଧି ଅପା ! ନାରୀର ମାତୃତ୍ଵ କ’ଣ ଖାଲି ନିଜର ପିଲାଙ୍କଠାରେ ଫୁଟି ଉଠିବ ? ଅନ୍ୟର ପିଲାରେ ନିଜକୁ ଦେଖିଲେ କିପରି ଶାନ୍ତି ମିଳୁଛି, ମାଳତୀଠାରେ ଦେଖୁଥିବ ! ତା’ ମାତୃତ୍ଵରେ ବୟସର ବନ୍ଧନ ନାହିଁ । ବାବାଙ୍କୁ ସେ ତା’ ପୁଅ ବୋଲି ବିଚାରେ ବୋଲି ତ ମୋ’ର ଧାରଣା ! ସେ କିନ୍ତୁ ଏ କଥା ଲୁଚାଏ ।’’

 

ରାଧିଅପା ହସି ପକାଇଲେ, ଅପସରା ମଧ୍ୟ । ଦୁର୍ଗା କହିଲେ, ‘‘ବାବା, ମୁଁ , ତମେ, ଅପସରା, ଅପସରା ଝିଅ–ସମସ୍ତେ ତା’ର ଜନ୍ମକଲା ପିଲା !’’

 

ଅପସରା ହସି ହସି ଯୋଗ କଲା, ‘‘ବାବୁ ମଧ୍ୟ ।’’ ରାଧି ଅପା ଯୋଗେଇଲେ, ‘‘ବେବର୍ତ୍ତା, ଗୋପାଳିଆ, ପୂଝାରୀକୁ ଛାଡ଼ି ଯାଉଛ କାହିଁକି ?’’

 

ଦୁର୍ଗା କହିଲେ, ‘‘ଏତିକିରେ କ’ଣ ତା’ ପେଟ ପୂରିଲାଣି କି ? ଆମ ମେଳକୁ ଯେତେ ଆସିବେ ସମସ୍ତଙ୍କ ପାଇଁ ତା’ ପେଟରେ ଥାନ ଅଛି ।’’

 

ରାଧି ଅପା କହିଲେ, ‘‘ପ୍ରକୃତରେ ଦେଈ, ମୁଁ ଏଠାରେ ଯେତିକି ଯେତିକି ପୁରୁଣା ହେଉଛି ମାଳ ଅପାଠାରେ ମୋର ସେତିକି ଅଧିକ ମାୟା ଲାଗୁଛି । କିନ୍ତୁ ୟା କ’ଣ ସମସ୍ତଙ୍କଠାରେ ସମ୍ଭବ ?’’

 

ଦୁର୍ଗା କହିଲେ, ‘‘ମାଳତୀ କେତେ ଘାଣ୍ଟି ହୋଇ ହୋଇ ମନକୁ ଇମିତି ତିଆରିଛି କ’ଣ ଜାଣି ନାହଁ ? ବାବା ମୋତେ ଥରେ କହିଥିଲେ, ଯୋଗୀମାନଙ୍କୁ ଯେତିକି ତପସ୍ୟା କରିବାକୁ ହୁଏ, ମାଳତୀ ସେତିକି ତପସ୍ୟା କଲାଣି ।’’

 

ଆଉ ଟିକିଏ ପରେ ସେ ଉପସଂହାର କଲେ, ‘‘ରାଧି ଅପା ! ଆଜି ସିନା ମୁଁ ଏତକ କହିପାରୁଛି ? ଆର ବର୍ଷ ଏଇ ଦିନେ ମନରେ ବଳ ନଥିଲା । ଅତୀତର ଅନ୍ଧକାରରେ ଘାଣ୍ଟି ହେଉଥିଲି, ଭବିଷ୍ୟତର ଅନ୍ଧାରକୁ ମଧ୍ୟ ଗୋଡ଼ ବଢ଼େଇବାକୁ ବେଳେ ବେଳେ ମନ ହୋଇଯାଉଥିଲା । ବାବାଙ୍କ ଆଶୀର୍ବାଦ ନ ମିଳିଥିଲେ, ମୁଁ ଯେଉଁ ପାଣିରୁ ଉଦ୍ଧାର ପାଇଛି ସେଇଥିରେ ପୁଣି ଭାସୁଥାନ୍ତି ।’’

 

ରାଧି ଅପା ନିଜ ମନର ସଂଶୟକୁ ପ୍ରକାଶ କଲେ, ‘‘ଦେଈ ! ମଣିଷ ଜୀବନ ପାଇ ଏତେ କଷ୍ଟ ସହିବ କାହିଁକି ଯେ ? ବାବା ପରା କହନ୍ତି, ସଂସାରଟା ଖେଳଘର । ବାଜିଏ ହାରିଗଲେ, ପୁଣି ଆଉଥରେ ଚେଷ୍ଟା ନ କରିବା କିଆଁ ?’’

ଦୁର୍ଗା ଗମ୍ଭୀର ଭାବେ କହିଲେ, ‘‘ଖେଳ ଯେ, ଜୀବନ ମରଣର ଖେଳ । ସମସ୍ତଙ୍କ ହାତରେ ଖେଳ ପରି ଖେଳି ହୁଏ ନାହିଁ । ଯେ ନ ପାରିଲା, ସେ ଦେଖଣାହାରୀ ହୋଇ ରହିଲେ ନିଦକରେ ଦେଖି ଦେଖି ଖେଳିବାର ସୁଖ ଅନୁଭବ କରିପାରିବ ।’’

ରାଧୀ ଅପା ସ୍ପଷ୍ଟ କରି ନିଜର ଆପତ୍ତି ଜଣାଇଲେ, ‘‘ଦେଈ, ତୁମର ଏ ଉଦାସୀ ଭାବ ମତେ ଭଲ ଲାଗୁନାହିଁ । ବୟସ ତ ବେଶୀ ହୋଲାନାହିଁ ! ସେଦିନ ପରା ହିସାବ କରୁଥିଲେ ମୋଠାରୁ ତମେ ମାତ୍ର ଦି’ ବର୍ଷ ବଡ଼ । ସୁନ୍ଦରପଣରେ ତ ତୁମ ପରି ଜଣେ ଏ ପର୍ଯ୍ୟନ୍ତ ମୁଁ ଦେଖି ନାହିଁ । ଆଜି ମନେ କଲେ, କାଲି ପୁଣି ସୁନାର ସଂସାର ଗଢ଼ି ହୋଇ ଉଠିବ । ତା’ ନ କରି ଅନ୍ୟର ସୁଖ ଦୁଃଖରେ, ପୂରା ମଜ୍ଜି ରହିବାରେ କ’ଣ ଆନନ୍ଦ କହିଲ ଭଲା !’’

ଦୁର୍ଗା ନିଜର ସୁଖ ଦୁଃଖ ଉପରେ ମନକୁ ରଖି ମେଘରୁ ଖସିଲା ପରି ଭାବରେ କହିଲେ, ‘‘ରାଧି ! ଯାହା ବୁଝିବୁନାଇଁ ସେ କଥାଗୁଡ଼ାକ ପକାଉଛୁ କାହିଁକି, କହିଲୁ ? ଘର ଭାଙ୍ଗି ଭଙ୍ଗା ଇଟା, ପୁରୁଣା ଗୋଡ଼ିରେ ଘର କଲେ ସେ କ’ଣ ନୂଆ ଘର ପରି ହେବ ? କୌଣସି ନା କୌଣସିଠି ପୁରୁଣାର ମୂକସାକ୍ଷୀ ଉଙ୍କି ମାରୁଥିବ । ମଣିଷର ସଂସାରଟା ପୁଣି ମନରେ ତିଆରି । ଆଜି ଯେଉଁ ସଂସାରଟା ଗଢ଼ିବ, ପୁରୁଣାର ସ୍ମୃତି ସେ ସଂସାରକୁ ଖାଲି ଦୀର୍ଘ ନିଃଶ୍ୱାସରେ ପୋଡ଼ି ପକାଇବ ସିନା ! ମୋର ନିଜ କଥା ବିଚାର କର । ଯାହାଙ୍କୁ ମୁଁ ହରାଇଛି ତାଙ୍କଠାରେ ମନଟାକୁ ସଁପି ଦେଇଥିଲି; ଆଜି ଆଉ ଜଣକୁ ଦେହଟା ସିନା ଦେଇଦେବି, ମନ ଆସିବ କୁଆଡ଼ୁ କହିଲୁ ?’’

 

ରାଧି ଅପା ଉତ୍ତେଜିତ ହୋଇ କହିଲେ, ‘‘ଏ ସବୁ ସୃଷ୍ଟି ବାହାର କଥା । ସଂସାର ତମ କହିଲାପରି ଚଳୁନାହିଁ, ମୋ କହିଲା ପରି ଚଳୁଛି । ଖାଲ ବିଦେଶରେ ନୁହେଁ, ଆମ ଦେଶରେ ମଧ୍ୟ ଶହକେ ୧୦, ୫ ଜଣ ଭାଙ୍ଗିଲା ସଂସାରକୁ ପୁଣି ଗଢ଼ୁଛନ୍ତି ।’’

 

ଦୁର୍ଗା ହସି ହସି କହିଲେ, ‘‘ମୋଟେ ୧୦। ୫ ଜଣ ତ ? ୧୦।୫ ଜଣ ନୂଆସଂସାର ଗଢ଼ିଲା ବେଳକୁ ୨୦।୨୫ ଜଣ ପୁରୁଣାର ସ୍ମୃତି ଉପରେ ନୂତନତ୍ଵ ଦେଖୁଛନ୍ତି । ମୋର କହିବାର କଥା, ମୁଁ ପୁରୁଣାର ସ୍ମୃତି ଉପରେ ନୂଆର ଆରୋପ କରିପାରିବି ନାହିଁ । ଯେ ପାରିବେ ତାଙ୍କୁ ତ କିଏ ବାରଣ କରୁନାହିଁ ! ତେବେ ବହୁସ୍ଥଳରେ ପରୀକ୍ଷା ହୋଇସାରିଛି ଯେ ଏମିତିରେ ମନ ବୋଧ ହୁଏନାହିଁ । ସେଇଥିପାଇଁ ୟାକୁ ଆମଦେଶରେ କହନ୍ତି ‘ଥୁଆଥୋଇ’ ସଂସାର । ମୂଳ ପୋକ ଖାଇଯାଇଥିବା ସ୍ଥଳେ ‘ନିଦା’ ପୁଣି ଆସିବ କୁଆଡ଼ୁ ? ସେଇଥିପାଇଁ ଦୈବ ଆଗରେ ମୁଣ୍ଡ ନୁଆଇଁ ଦେବାକୁ ସମାଜ ଶିଖାଏ । ଯାହାର ମୁଣ୍ଡ ନ ନଇଁବ ସେ ନିଜ ଇଚ୍ଛା ଅନୁସାରେ ଚଳୁ । ଯଦି ଭାଗ୍ୟକୁ ମୁଣ୍ଡ ନ ନଇଁଲା ତେବେ ଯଥା-ଲାଭ । ମୁଁ ତ ବିଚାରୁଛି, ତୁମରିମାନଙ୍କ ସୁଖରେ ମୁଁ ସୁଖର ଅନୁଭୂତି ପାଇବି । ଭଗବାନ୍ ମୋ’ଠାରୁ ଯାହା ଛଡ଼ାଇ ନେଇଛନ୍ତି ତାହା ତୁମମାନଙ୍କୁ ଦିଅନ୍ତୁ । ମୋର ସେଇ ସୁଖ ।’’

 

ରାଧି ଅପାଙ୍କ ମନ ସ୍ଥିର ହୋଇଗଲା । ସେ କଥାର ମଙ୍ଗ ମୋଡ଼ି କହିଲେ, ‘‘ଦେଈ ! ଭଗବାନ୍ ତ ସେତକ ମଧ୍ୟ ତୁମପାଇଁ ରଖିନାହାନ୍ତି । ହେଇଟି ଏଇ ଅପସରା କଥା ଦେଖ । ୟାର କାଳ କିମିତି କଟିବ କହିଲ ? ତୁମରି ପରି ମନ ଟାଣ ହେଲେ ସିନା ସେ ଶାନ୍ତି ପାଇବ ।’’

 

ଦୁର୍ଗା ସାଙ୍ଗେ ସାଙ୍ଗେ ପ୍ରତିବାଦ କଲେ, ‘‘କାହିଁକି ମ ! ତା’ର କ’ଣ ହୋଇଯାଇଛି କି ? ତା’ର କୋଡ଼ରେ ପିଲାଟିଏ ଅଛି । ବାବା ତ କହିଛନ୍ତି ସେ ଟୋକି ଭାରି ବଡ଼ ମଣିଷଟାଏ ହେବ । ତା’ର ସ୍ଵାମୀ ତ ଅଛି । ଆଜି ସିନା ମୁଣ୍ଡ ବିଗିଡ଼ି ଯାଇଛି । ମୁଣ୍ଡ ଥିଲେ ବିଗିଡ଼ିବା ଯେପରି ସମ୍ଭବ ସଳଖ ହେବା ସେଇପରି ସମ୍ଭବ ।’’

 

ଅପସରା ଲାଜ ଲାଜ ହୋଇ ନିଜର ନୈରାଶ୍ୟ ପ୍ରକାଶ କଲା, ‘‘ଦେଈ ! ତମ କଥା ଶୁଣିଲେ ଶୁଖିଲା କାଠରେ ବି ପତ୍ର କଅଁଳି ଯାଉଛି । ସତେ ତାଙ୍କ ମନ ବଦଳିବ ? ପିଲାଟିଏ ହେଲା, ଏତେ ଲୋକ ଦେଖିବାକୁ ଆସିଲେ । ସମସ୍ତେ ଏତେ ଆଦର କରୁଛନ୍ତି କିନ୍ତୁ ଯେ ଟିକିଏ ବିଚାରିଲେ ତା’ ମୁଣ୍ଡରୁ କଳଙ୍କର ଦାଗ ଲିଭି ଯାଆନ୍ତା, ସେ ତ ଦିନେ ମୁହଁ ଫେରାଇଲେ ନାହିଁ ।’’

 

ଦୁର୍ଗା ଶାସନ କଲେ, ‘‘ଶୁଣ, ଶୁଣ, କିମିତି ବୁଢ଼ୀଟା ଭଳି କଥା କହୁଛି ? ତୁ ବୁଢ଼ୀ ହେଇଗଲୁଣି ନା ତୋ ପିଲା ବୁଢ଼ୀ ହୋଇଗଲାଣି ? ବାବା ତ ସେଦିନ କହୁଥିଲେ, ‘‘ରହ ! ଘା’ଟାକୁ ଶୁଖିବାକୁ ଦେଲେ ସିନା ଶୁଖିବ । ମାଙ୍କଡ଼ ପରି ସବୁବେଳେ ଉଖାରୁଥିଲେ ହବ କିମିତି ?’’

 

ଡଙ୍ଗା ଆସି କୂଳରେ ଲାଗିଲା । ମନ୍ଦିର ଆଉ ମୋଟେ ମାଇଲିଏ । ସଂକୀର୍ତ୍ତନର ଧ୍ୱନି କାନରେ ଆସି ବାଜୁଥାଏ ! ଆଜି ବିମଳା–ମନ୍ଦିରରେ ବଡ଼ ଉତ୍ସବ । ସେ ଉତ୍ସବରୁ ବଞ୍ଚିତ ହେବେ ନାହିଁ ବୋଲି, ବିମଳବାବୁ ଅଧେବାଟ ନଈ ବନ୍ଧରେ ସାଇକେଲରେ ଓ ଅଧେବାଟ ଚାଲି ଆସି ପହଞ୍ଚିବାକୁ ଦୁଇଘଣ୍ଟା ଆଗରୁ ମଧୁବନ ଛାଡ଼ିଥାନ୍ତି । ବାଟରେ ଚାଲୁ ଚାଲୁ ରାଧିଅପା ପଚାରି ଦେଲା, ‘‘ବାବୁ ଏ ସଂକୀର୍ତ୍ତନରେ ମିଶିବା ପାଇଁ ଆଜି କେତେ ଖରାରେ ଧାଇଁ ଆସିଛନ୍ତି ! ତାଙ୍କର ଏ ସବୁରେ ଏବେ ଭାରି ମନ ଲାଗି ଯାଇଛି ।’’

 

ଦୁର୍ଗା କହିଲେ, ‘‘ମନ ଲାଗିବା ନ ଲାଗିବାରେ କ’ଣ ଅଛି । ମନ୍ଦିରରେ ଏଡ଼େ ଉତ୍ସବ, ଏଡ଼େ ଲୋକଗହଳି ! ଯେ ମୁରବି ହେବ ତା’ର ବିଶ୍ଵାସ ଥାଉ ବା ନ ଥାଉ କର୍ତ୍ତବ୍ୟ ତ ପୁଣି ଅଛି । ମଣ୍ଡପରୁ ଉଠିବାକୁ ଆଉ ବାବା ପସନ୍ଦ କରୁ ନାହାନ୍ତି । ତାଙ୍କର ଇଚ୍ଛା, ଭାଇ ଏ ସବୁ କାମ ବୁଝନ୍ତୁ-।’’

ଅପସରା ଦୁଷ୍ଟାମି ଆରମ୍ଭ କଲା, ‘‘ବାବୁ ଆମ ଏଠାରେ ଶେଷକୁ ବାବା ହେବେ ପରା-!’’ ସେ ବିମଳବାବୁଙ୍କୁ ପଛରେ ଥଟ୍ଟା କରିବାକୁ ଆରମ୍ଭ କରିଥାଏ । ଦୁର୍ଗା ପ୍ରତିବାଦ କଲେ ‘‘ଖାଲି ବିଚାରିଦେଲେ ବାବା ହୋଇଯାନ୍ତି ପରା ? ବାବାଙ୍କର ତ ଇଚ୍ଛା ଅନ୍ୟ ରମକ । ମାଳତୀ କହୁଥିଲା, ବାବାଙ୍କର ଇଚ୍ଛା, ଭାଇ ସଂସାର କରିବେ । ସେ ଦିଗରେ ବାବାଙ୍କର ଆଖି ଅଛି ।’’

ରାଧିଅପା ସାମାନ୍ୟ ଉତ୍ସୁକ ହୋଇ ପଚାରିଲେ, ‘‘ବାବୁ କ’ଣ ଏ କଥା ଜାଣନ୍ତି ? ମୋତେ ତ ଜଣାପଡ଼ୁଛି, ବାବୁଙ୍କର ସଂସାର କରିବା ମନ ଏକାବେଳକେ ଭାଜିଯାଇଛି । ସତେ ଦେଈ, ମୋର ମନ ହୁଏ, ସେ ଯଦି ତୁମକୁ ଯାଇଥାନ୍ତେ ତେବେ ସୁଖ ପାଇଥାନ୍ତେ !’’

ଦୁର୍ଗା ଚଢ଼ା ସ୍ଵରରେ କହିଲେ, ‘‘ମୁଁ କ’ଣ କୁଆଡ଼େ ମରି ହଜି ଗଲିଣି କି ? ମୋର ତ ମନ, ମୁଁ ପାରିଲେ ଚିରକାଳ ତାଙ୍କରି ଛାଇ ପରି ରହିବି । କିନ୍ତୁ ତୁମେ ଯେଉଁ ଇସାରା ଦେଉଛ, ତାହା ମନରେ ବିଚାରିବା ବି ପାପ, ରାଧି ଅପା ! ସେ ମୋର ଭାଇ । ସେ କଥା ସେ ଯେତେ ଦିନ ଯାଏ ଜାଣି ନଥିଲେ, ଜାଣି ନ ଥିଲେ । ଜାଣିବା ପରେ ମଧ୍ୟ ମୋତେ ସେ ଯଦି ଅନ୍ୟଦୃଷ୍ଟିରେ ଦେଖନ୍ତି, ତେବେ ମୁଁ ନିଜେ ନ ପାରିଲେ ତାଙ୍କୁ ବାବାଙ୍କ ହାତରେ ଦଣ୍ଡ ଦିଆଇବି । ବିମଳ ଭାଇଙ୍କ ପାଇଁ ଦଣ୍ଡର ପ୍ରୟୋଜନ ନାହିଁ, ରାଧିଅପା, ସେ ସୁନାମୁଣ୍ଡା । ନିଜ ମନର ମଙ୍ଗ ସେ ବେଶ୍‌ ଧରି ଜାଣନ୍ତି । ନାରୀ ହୋଇ ତୁମେ ଏଇତକ ଆଜିଯାଏ ବାରିନାହିଁ ?’’

ଅଜାଣତରେ ରାଧିଅପାଙ୍କର ଗୋଟିଏ ଦୀର୍ଘନିଃଶ୍ଵାସ ବାହାରିଗଲା । ବିଲମାଳରେ ତାହାର ଶବ୍ଦ ଛପିଲା ନାହିଁ । ଦୁର୍ଗାଙ୍କ ମୁହଁର ପ୍ରସନ୍ନ ଭାବ କିନ୍ତୁ ସେ ବା ଅପସରା ଲକ୍ଷ୍ୟ କରି ପାରିଲେ ନାହିଁ ।

ବିମଳା ମନ୍ଦିରର ସଦର ଦରଜା ପାଖ ହୋଇଗଲା । ଭିତରେ ସେ ପର୍ଯ୍ୟନ୍ତ ସଂକୀର୍ତ୍ତନ ଚାଲିଥିବାରୁ, ଦରଜା ପାଖେ କେହି ନଥାନ୍ତି । ନିଜର ସହଚରୀଙ୍କୁ ଧରି ଭିତରେ ପଶିଗଲାବେଳକୁ ଦୁର୍ଗା ଦେଖିଲେ, ବିମଳ ଭାଇଙ୍କ ସଙ୍ଗେ ଯୋଗିମାଷ୍ଟ୍ରେ କଥାବାର୍ତ୍ତା ହୋଇ ହୋଇ ବାହାର ଦରଜା ପାଖକୁ ଆସୁଛନ୍ତି । ସେ ଆଶ୍ଚର୍ଯ୍ୟ ହେଲେ । ସହଚରୀ ଦୁହେଁ ବି ଆଶ୍ଚର୍ଯ୍ୟ ହେଲେ । ବହୁଦିନରୁ ଯୋଗିମାଷ୍ଟ୍ରେ ଦେଉଳ ଆଡ଼େ ମୁହାଁଇ ନଥିଲେ । ସେମାନେ କିଛି ସମୟ ବିସ୍ମିତ ହୋଇ ଦରଜା ପାଖରେ ଠିଆ ହୋଇଗଲେ । ବିମଳବାବୁଙ୍କ ଦୃଷ୍ଟି ସେମାନଙ୍କ ଆଡ଼େ ପଡ଼ିବା ମାତ୍ରେ, ସେ ଆପାତରୁକ୍ଷସ୍ଵରରେ ମାଡ଼ ମାଇଲା ପରି କହିଲେ, ‘‘ଆଚ୍ଛା, ତୁମକୁ ମୁଁ ଛାଡ଼ି ଆସିଲି ଯେ ତୁମେ ବିଚାରିଲ ପରା ରାତି ପାଇଲେ ଫେରିବ ? ବାବା ପଚିଶ ଥର ପଚାରି ସାରିଲେଣି । ଦୁର୍ଗା ଦେବୀ ନ ବାଣ୍ଟିଲେ ପରା ପ୍ରସାଦ ସେବନ ହୋଇପାରିବ ନାହିଁ ? ଯାଉଛି କହିବି, ବାବା ଆପଣମାନଙ୍କୁ ସ୍ଵାଗତ କରିବାକୁ ଆସିବେ ।’’

ତିନେହେଁ ତରତର ହୋଇ ହତା ଭିତରେ ପଶିଲେ । ବିମଳବାବୁ ଯୋଗିମାଷ୍ଟ୍ରଙ୍କୁ ଆଉ ଟିକିଏ ଆଗକୁ ବଳାଇ ଦେବାକୁ ଗଲେ ।

☆☆☆

 

ସମସ୍ୟା ଓ ସମାଧାନ

 

ଇତିମଧ୍ୟରେ ବିମଳାମନ୍ଦିରକୁ କେନ୍ଦ୍ର କରି ଗୋଟିଏ ନୂଆ କାର୍ଯ୍ୟକ୍ରମ ତେଜି ଉଠିଛି । ଯୋଗିମାଷ୍ଟ୍ରେ କାର୍ତ୍ତିକପୂର୍ଣ୍ଣିମା ଦିନ ବାବାଙ୍କ ସଙ୍ଗେ କଥାବାର୍ତ୍ତା କରି ଯିବାଦିନୁଁ ଖାଲି ଯେ ବିମଳାମନ୍ଦିରର ସ୍କୁଲଟିର ଭାର ନେଇଛନ୍ତି ତାହା ନୁହେ, ପାଖ ଆଖ ଗାଁମାନଙ୍କର ସ୍କୁଲଗୁଡ଼ିକର ମାଷ୍ଟ୍ରଙ୍କୁ ମିଳାଇ ଗୋଟିଏ ଅନୁଷ୍ଠାନ ଗଢ଼ିଛନ୍ତି । ଯେଉଁ ଗାଁମାନଙ୍କରେ ସ୍କୁଲ୍ ନଥିଲା ସେଠାରେ ସ୍ଥାନୀୟ ଉଦ୍ୟୋକ୍ତାଙ୍କ ସାହାଯ୍ୟରେ ଗୋଟିଏ ଗୋଟିଏ ଚାଟଶାଳୀ ଖୋଲା ହୋଇଛି । ସବୁ ସ୍କୁଲର ଗତାନୁଗତିକ କାର୍ଯ୍ୟକ୍ରମରେ ଗୋଟିଏ ନୂଆ ଅଙ୍ଗ ଯୋଡ଼ି ଦିଆଯାଇଛି । ପ୍ରତିଦିନ ସନ୍ଧ୍ୟାବେଳେ ସ୍କୁଲର ଛାତ୍ରମାନେ ଶିକ୍ଷକଙ୍କ ନେତୃତ୍ଵରେ ଏକାଠି ହୋଇ, ଭାଗବତ, ମହାଭାରତ ଆଦି ପୁରାଣ ପଢ଼ୁଛନ୍ତି; ଛାନ୍ଦ ଶିଖୁଛନ୍ତି ।

 

ଏହାର ଉପଯୋଗିତା ବିଷୟରେ ଖାଲି ଯେ ଯୋଗୀମାଷ୍ଟରଙ୍କର ସନ୍ଦେହ ଥିଲା ତାହା ନୁହେଁ, ବିମଳବାବୁଙ୍କର ମଧ୍ୟ ସନ୍ଦେହ ଥିଲା । ବିମଳବାବୁ ଆପତ୍ତି କରିଥିଲେ, ‘ପିଲାଙ୍କୁ ଗୁଡ଼ାଏ ଜ୍ଞାନ ଦେବାକୁ ବସିଲେ, ତାଙ୍କର ମସ୍ତିଷ୍କର ବିକାଶ ଦବିଯିବ । ସେମାନେ ଯେତେ ଅଳ୍ପ ସମୟ ବିଦ୍ୟାଳୟରେ କଟାଇବେ ସେମାନଙ୍କର ସେତେ ଭଲ । ସନ୍ଧ୍ୟାବେଳେ ସେମାନଙ୍କୁ ଖେଳିବାକୁ ଛାଡ଼ି ନ ଦେଇ ପୁଣି ପାଠରେ ଲଗାଇବା ଉଚିତ ନୁହେଁ ବୋଲି ଶିକ୍ଷାବିତ୍‌ମାନେ କହୁଚନ୍ତି ।’

 

ବାବା ଜବାବ ଦେଲେ, ‘‘ସେ ତ ଠିକ୍‌ କଥା । ସନ୍ଧ୍ୟାବେଳେ ତ ସ୍କୁଲ ବସାଅ ବୋଲି ମୁଁ କହୁନାହିଁ । ସ୍କୁଲରେ ବସି ପାଠ ପରୀକ୍ଷା କରିବା, ଅଙ୍କ ସାହିତ୍ୟ ଶିଖାଇବା ଏକ କଥା, ସନ୍ଧ୍ୟାରେ ପୁରାଣ ବୋଲାଇବା ଅନ୍ୟ କଥା । ପାଠ ଶିଖିବାକୁ ସେମାନଙ୍କୁ ଗୁଡ଼ାଏ ଟାଣିଲେ ଖରାପ; କିନ୍ତୁ ଖେଳ ଓ ମଉଜ ଭିତରେ ଅଜାଣତରେ ପିଲାମନରେ ଯଦି ବିଦ୍ୟା ଓ ସଂସ୍କାର ପ୍ରବେଶ କଲା । ତେବେ ମସ୍ତିଷ୍କ ଭାରାକ୍ରାନ୍ତ ହେବ କାହିଁକି ? ଆମ ଦେଶରେ ଏଇ ନୀତିର ଅବଲମ୍ବନରେ ଶିକ୍ଷାରୀତି ଚଳୁଥିଲା I ତାକୁ ପରୀକ୍ଷା କରି ଦେଖ । ଛ’ ମାସ ବର୍ଷକରେ ଯଦି ଦେଖିବ ପିଲାଙ୍କର ମନ ଦବିଯାଉଛି ତେବେ ତା’କୁ ଛାଡ଼ିଦେବ । କାମରେ ପିଲା ମନ ଦବେ ନାହିଁ, କି ରୀତିରେ ସେ କାମ କରାହେଉଛି ତା’ରି ଉପରେ ସବୁ । ତମ ଶିକ୍ଷାବିତ୍‍ମାନେ ସିନା ତୁଣ୍ଡରେ କହୁଛନ୍ତି ପିଲାର ମୁଣ୍ଡରେ ବୋଝ ଲଦିବେ ନାହିଁ ବୋଲି; କିନ୍ତୁ ଘରେ ପଢ଼ିବାକୁ ଯେଉଁତକ ଲଦି ଦିଅନ୍ତି ସେଥିରେ ପିଲା ସ୍କୁଲରୁ ଫେରିଲା ବେଳେ ବୋଝ ମୁଣ୍ଡାଇ ଘରକୁ ଆସେ ଓ ପୁଣି ସକାଳେ ସ୍କୁଲକୁ ଗଲାବେଳେ ଶଙ୍କି ଶଙ୍କି ଯାଏ ।’’

 

ବିମଳବାବୁ ତୁନି ହେଲେ । ବାବା ପୁଣି କହିଲେ, ‘‘କୌଣସି ପିଲାକୁ ପୁରାଣ ବୋଲିବାକୁ ବାଧ୍ୟ କରିବ ନାହିଁ । ମାଷ୍ଟ୍ରେ ବୋଲନ୍ତୁ, ତୁମେମାନେ ବୋଲ, ଗାଁର ଅନ୍ୟ ସାକ୍ଷର ଲୋକେ ବୋଲନ୍ତୁ । ପିଲା ଆଗ ଆସିବାକୁ ମଙ୍ଗିବେ ନାହିଁ । ମଝିରେ ମଝିରେ ପୁରାଣ ବଢ଼ାକରି ଉଖୁଡ଼ା ପୁଞ୍ଜେ ପୁଞ୍ଜେ ବାଣ୍ଟ । ଉଖୁଡ଼ାକୁ ପିମ୍ପୁଡ଼ି ଯିମିତି ଧାଆନ୍ତି; ପିଲା ସିମିତି ଧାଇଁବେ । ଶୁଣି ଶୁଣି ସେମାନେ ବୋଲି ଶିଖିବେ । ବଡ଼ଙ୍କ ସାଙ୍ଗେ ବୋଲିବାକୁ ସୁବିଧା ପାଇଲେ, ସେମାନଙ୍କର ସାହାସ ଓ ଆତ୍ମବିଶ୍ଵାସ ବଢ଼ିବ ।’’

 

ଚିକିଏ ପରେ ସେ ପୁଣି କହିଲେ, ‘‘ମୁଁ ବିଚାରୁଛି ଏପରି କଲେ ପାଠପଢ଼ା ପ୍ରତି ଗାଁ ଲୋକଙ୍କର ମନ ପ୍ରସନ୍ନ ହେବ । ଏଇ ଦିଗକୁ ଦୃଷ୍ଟି ନ ଥିବାରୁ ଗାଁ ଲୋକେ ନୂଆ ଇସ୍କୁଲମାନଙ୍କ ପ୍ରତି ଆକୃଷ୍ଟ ହେଉନାହାନ୍ତି । ତୁମେ ସବୁ ଓ ପରିବାର ଯେତେ ସଭ୍ୟ ହେଲେ ବି ଏ ଦେଶର ଅଧିକାଂଶ ଲୋକ ଏ ପର୍ଯ୍ୟନ୍ତ ପୁରାଣକୁ ମୁଣ୍ଡେଇ ରହିଛନ୍ତି । ସେମାନଙ୍କ ମନ ପିଲାଙ୍କ ପାଠପଢ଼ାରେ ଲାଗିଲେ ପିଲାଙ୍କ ହିତ ପାଇଁ ଆଉ କେତେ କଥା ଆରମ୍ଭ କରି ହେବ ।’’

 

ସତକୁ ସତ ସେଇପରି ହେଲା । ପିଲାଙ୍କର ସକାଳ ଗାଧୁଆ, ଖେଳ କସରତ ସବୁ ସୁନିୟନ୍ତ୍ରିତ ହୋଇଗଲା । ପିଲାମାନେ ଗାଁର ଉଦ୍ୟୋକ୍ତମାନଙ୍କ ସାଥିରେ ଗୀତ, ଜଣାଣ ବୋଲି ବୋଲି ଗାଁ ମାନଙ୍କରେ ମୁଷ୍ଠି ଭିକ୍ଷା କଲେ । ସେଇ ପଇସାରେ ସେମାନଙ୍କର ସକାଳ ଜଳଖିଆ, ଗଜାମୁଗ, ଗଜାବୁଟ ଓ ଗୁଡ଼ର ବ୍ୟବସ୍ଥା ହେଲା ।

 

ସକାଳ ଗାଧୁଆକୁ ଯୋଗିମାଷ୍ଟ୍ରେ ଯେପରି ସୁରୁଖୁରୁରେ କରାଇଦେଲେ ତାହା ଦେଖି ବିମଳବାବୁ ତାଜୁବ ହେଇଗଲେ । ଯୋଗିମାଷ୍ଟ୍ରଙ୍କୁ ପଖଜ ବଜାଇ ଆସେ । ବିମଳାମନ୍ଦିରରୁ ଓ ଅନ୍ୟାନ୍ୟ ସଂକୀର୍ତ୍ତନିଆଙ୍କଠାରୁ ସେ କେତେ ଖଣ୍ଡ ଖେଳ ଓ ଶହେ ପଟ ପର୍ଯ୍ୟନ୍ତ ଚିନି ସଂଗ୍ରହ କରିଦେଲେ । ଖୋଳ ବଜାଇବାକୁ ଲୋକ ଅଭାବ ହେଲା ନାହିଁ, କି ଗିନି ହଳେ ଧରିବାର ସୌଭାଗ୍ୟ ପିଲା ସହଜେ ଛାଡ଼ିଲେ ନାହିଁ । ପାହାନ୍ତିଆରୁ ଯୋଗିମାଷ୍ଟ୍ରେ ଖୋଳ ଓ ଗିନିତକ ପୋଖରୀ କୂଳକୁ ନେଇଯାନ୍ତି । ସମସ୍ତେ ଗାଧୋଇବାକୁ ସେଠାରେ ରୁଣ୍ଡ ହୁଅନ୍ତି । ସିନ୍ଦୂରା ଫାଟିବାର ବହୁତ ଆଗରୁ ସମସ୍ତେ ଗାଧୋଇ ସାରି, ଖୋଳ କରତାଳ ଧରି ଗୀତ ଗାଇ ଗାଇ ଗାଁର ସବୁ ଦେବାଦେବୀଙ୍କୁ ଦର୍ଶନ କରି ବିମଳା ମନ୍ଦିରରେ ଆସି ରୁଣ୍ଡ ହୁଅନ୍ତି । ସେଠାରେ କୁସ୍ତି କସରତ ହୁଏ, ଜଳଖିଆ ହୁଏ । ବେଳ ଘଡ଼ିକ ସରିକି ଯେଝା କାମରେ ଯିଏ ଚାଲିଯାନ୍ତି ।

 

ଏଇ ସାମାନ୍ୟ ଉଦ୍ୟମରେ ଗାଁର ସମସ୍ତେ ଭୋରରୁ ଉଠିବାକୁ ଆରମ୍ଭ କଲେ । କୀର୍ତ୍ତନିଆ ଆସିବା ବେଳକୁ ଦେଉଳମାନଙ୍କର ଦୁଆର ଫିଟି ସଫାସୁତୁରା, ଦିଅଁ ଗାଧୁଆ ସରିଯାଇଥାଏ । ବିଜୁଳି ପରି ଗାଁରେ କର୍ମଠତାର ଗୋଟିଏ ଚମକ ଖେଳିଗଲା ପରି ଜଣାଗଲା । ଯୋଗିମାଷ୍ଟ୍ରଙ୍କୁ ଧରି ଗାଁ ଗାଁରେ ଏଇ ରୀତିରେ କାର୍ଯ୍ୟ ଆରମ୍ଭ କରିବା ତାଙ୍କ ପକ୍ଷରେ କଷ୍ଟ ହେଲା ନାହିଁ । ବିନା ଖର୍ଚ୍ଚରେ ଶିକ୍ଷା ଓ ସ୍ୱାସ୍ଥ୍ୟର ଏପରି ଉନ୍ନତି ହେବାରେ ବିସ୍ମିତ ହୋଇ ସେ ଦିନ ବାବାଙ୍କୁ ୧୫ ଦିନର ରିପୋର୍ଟ ଦିଅନ୍ତେ ବାବା କହିଲେ, ‘‘ବାପା ! ସବୁ କାମ ହେବ, ଆମ ଲୋକ ବି ସବୁ ଭଲ କାମକୁ ତିଆର । କାମ କରାଇ ଜାଣିଲେ ହେଲା । ମନେ ନେଇ କାମ କରାଇବାକୁ ତମେ ଯେପରି ଲାଗିଛ, ସେପରି ଲାଗିଲେ ସବୁ ହେବ । ଖର୍ଚ୍ଚ ବି ଏପରି ଗୁଡ଼ାଏ ବେଶୀ ହେବ ନାଇଁ ଯେ, ଆମେ ସରକାରଙ୍କୁ ହାତ ପତେଇବା, ବା ସରକାର ଯାଇ ବାରଦ୍ଵାର ଶୁଣ୍ଡି ପିଣ୍ଡା ହୋଇ ଭିକ ମାଗିବେ ।’’

 

ନିଜ କାର୍ଯ୍ୟର ପରିସର ବଢ଼ାଇବାରେ ବିମଳବାବୁ ମନପ୍ରାଣ ଢାଳି ଦେଇଥାନ୍ତି । ତାଙ୍କ ସାଙ୍ଗେ ରାଧିଅପା ପ୍ରାୟ ସବୁଦିନ ଯାନ୍ତି । ଦୁର୍ଗାଦେବୀ ମଝିରେ ମଝିରେ ଯାନ୍ତି–ସେ ଏବେ ଏକୁଟିଆରେ ଗ୍ରାମାନ୍ତରକୁ ଯିବାକୁ ଆରମ୍ଭ କଲେଣି । ଯୋଗିମାଷ୍ଟ୍ରେ ବେଳେ ବେଳେ ତାଙ୍କ ସଙ୍ଗେ ବା ବିମଳବାବୁଙ୍କ ସଙ୍ଗେ ଦାଣ୍ଡକୁ ବାହାରିବାରୁ ଅପସରା ଆଉ ବାହାରକୁ କୁଆଡ଼େ ଯାଏ ନାହିଁ । ତା’ ପିଲାଟିକୁ ପାଳିବାରେ ଲାଗିଥାଏ ଓ ମାଳତୀନାନିର ପ୍ରତିଦିନ ବଢ଼ି ବଢ଼ି ଯାଉଥିବା କାମରେ ସାହାଯ୍ୟ କରେ ।

 

ସେଦିନ ବିମଳାମନ୍ଦିରର ସମସ୍ତେ–ବେବର୍ତ୍ତାଙ୍କ ପର୍ଯ୍ୟନ୍ତ, ବାହାର ଗାଁକୁ ଯାଇଥାନ୍ତି ଭାରି ନିଜ ନିଜ କାମରେ । ମାଳତୀ ଆସି ମଣ୍ଡପ ପାଖରେ ଠିଆ ଠିଆ ହେଲା । ବାବା କହିଲେ, ‘‘କିଲୋ-! ଇମିତି ଥଙ୍ଗ ଥଙ୍ଗ ହଉଚୁ କିଆଁ , ଏବେ ତ କେତେଦିନ ହେଲା କ’ଣ ଗୋଟାଏ କହିବୁ ବୋଲି ବିଚାରୁଚୁ, କହୁନାହୁଁ ?’’

 

ମାଳତୀ ସାହସ ପାଇ ଆରମ୍ଭ କଲା, ‘‘ବାବା ! ତମେ ତ ସବୁ ଜାଣୁଚ ! ମୋ ମନରେ କଥା ଥିବାର ତ ଜାଣିଲଣି, କ’ଣ ଅଛି ତ ଜାଣୁଥିବ । ତା’ର ଗୋଟାଏ କିଛି କିନାରା କରୁନାଅଁ ।’’

 

ବାବା ମୁରୁକି ହସି କହିଲେ, ‘‘ତୋ ମୁହଁରୁ ସିନା ଜଣାପଡ଼ୁଛି, କ’ଣ ଗୋଟାଏ ବିଚାରୁଛୁ ବୋଲି । କ’ଣ ବିଚାରୁଛୁ ତୁ ନ କହିଲେ ମୁଁ ଜାଣିବି କୁଆଡ଼ୁ ?’’

 

ମାଳତୀ କହିଲା, ‘‘ବାବାଙ୍କ ଅନୁଗ୍ରହରୁ ମୋର କ’ଣ ଅଭାବ ଅଛି ଯେ ବିଚାରିବା । ସେଇ ପୋଡ଼ାମୁହିଁ ଅପଚ୍ଛରା କଥା ତ ! ତା’ ବର ତ ପୁଣି ବାବାଙ୍କର ପ୍ରିୟ ହେଲେଣି, ଅପଚ୍ଛରା କଥାଟା ପକାଉ ନାହାନ୍ତି କାହିଁକି ?’’

 

ବାବା କହିଲେ, ‘‘ଯୋଗିଆ ମୋର କୋଉ ଦିନ ଅପ୍ରିୟ ହୋଇଥିଲା ଯେ ଆଜି ପ୍ରିୟ ହୋଇଗଲା । ତା’ ବାପ ପରା ତା’କୁ ମୋ ପାଖେ ସମର୍ପି ଦେଇ ଯାଇଚି । ଗରରାସ୍ତାରେ ଯାଉଥିଲା, ଏବେ ଟିକିଏ ବାଟକୁ ଆସିଚି ! ଅଥୟ ଟୋକାଟାଏ ତ ! ପୁଣି କେଉଁଦିନ ବିଗିଡ଼ିବ ।’’ ମାଳତୀ କହିଲା, ‘‘ନାଇଁ, ବାବା, ଏଥର ତ ତାଙ୍କ ମନ ଘର ଧଇଲା ପରି ଲାଗୁଛି ! ମୁଁ ପିଲାଟାକୁ ଧରି ଯାଉଥିଲି ଯେ, ତାକୁ ଦେଖି ଠିଆ ହୋଇ ରହିଲେ । ମାଇପି ମନ ତ ! ହାତକୁ ବଢ଼େଇଦେଲି-। ପିଲାକୁ କାଖେଇ ପକେଇଲେ ! ମତେ ଦିଶିଲା, ଆଖି ଛଳ ଛଳ ହୋଇ ଯାଉଚି । ପିଲାକୁ ମତେ ବଢ଼େଇ ଦେଇ କହିଲେ, ‘‘ନାନି ! ୟା ପାଇଁ କୁରୁତାଖଣ୍ଡେ କରେଇଥିଲି ଯେ କହନ୍ତ ଯଦି ଦିଅନ୍ତି-।’’

 

ବାବା ପଚାରିଲେ, ‘‘ତୁ କ’ଣ କହିଲୁ ।’’ ‘‘ଆଉ ନିଆଁ ରଡ଼ କହନ୍ତି । ବାପ ତ ଝିଅ ପାଇଁ କୁରୁତା ଖଣ୍ଡେ ଦେଉଚି, ନାହିଁ କରନ୍ତି କିମିତି ? ଯିମିତି ହଁ କରିଚି ଆପଣା ଘରର କୁଞ୍ଚି ଯୋଡ଼ାକ ମୋ ହାତରେ ଦେଇ କହିଲେ, ‘‘ମୋ ବାକ୍‍ସରେ ଅଛି, ଘିନି ଆସିବ ।’’

 

ବାବା କହିଲେ, ‘‘କାଲି ଆଣିଲୁ ପରା !’‘ ମାଳତୀ ଆଶ୍ଚର୍ଯ୍ୟ ହୋଇ ପଚାରିଲା, ‘‘ବାବା ପୁଣି କିମିତି ଜାଣିଲେ ମ ! ମୁଁ କାଲି ଦି’ ପହରେ ଯିମିତି ଚୋରଣୀପରି ଯାଇଚି, ଆସିଚି !’’

 

ବାବା ହସି ହସି କହିଲେ, ‘‘ମୁଁ ଗୁହାଳ ଦୁଆରେ ଠିଆ ହେଇଥିଲି; ଦେଖିଲାବେଳକୁ ମାଳତୀନାନି କାଗଜ ପୁଡ଼ାଟାଏ ଧରି ପଳାଶିଛନ୍ତି । କେଡ଼େ ପୁଡ଼ାଥାଏ ତ ଦିଶୁଥିଲା !’’

 

ମାଳତୀ କହିଲା, ‘‘ସେଇ କଥା ପରା ! ଏଡ଼େ ପୁଡ଼ାଟାଏ ଦେଖି କରି ଜାଣିପାରିଲି ନାଇଁ ଯେ, ସେଇଥିରୁ କେତେ କାଣ୍ଡ ହେଲାଣି । ଘରେ ଆଣି ଫିଟାଇଲା ବେଳକୁ ଅପଛରି ପାଇଁ, ଗୋଟାଏ ଶାଢ଼ି, ଗୋଟାଏ କୁରୁତା, ପିଲା ପାଇଁ ଦି’ଖଣ୍ଡ ପେଣ୍ଟ, ଦି’ଖଣ୍ଡ କୁରୁତା । ଅପଛରି ମତେ ଗୁଡ଼ାଏ ଜିଙ୍ଘାସିକରି କହିଲା, ଦେଈ ତାକୁ ଗୁଡ଼ାଏ ଗାଳି ଦେଲେ । ଏବେ କ’ଣ ହେବ, ବାବା କରନ୍ତୁ ! ମାଷ୍ଟ୍ରଙ୍କ ଘରଟା ଦେଖିଲି ଯେ, କେତେ କାଳରୁ ସେଥିରେ ଛାଞ୍ଚୁଣି ବାଜିନାହିଁ । ୟା କଥାଟା କିମିତି ତୁଟନ୍ତା, ଏ ଯା’ନ୍ତା, ଆପଣାଘର ଆପେ ସମ୍ଭାଳନ୍ତା ।’’

 

ବାବା କହିଲେ, ‘‘ଏବେ ସେ କ’ଣ କହୁଚି ?’’ ମାଳତୀ କହିଲା, ‘‘କହୁଚି, ଚୁଲି । ମୁଁ ଯେବେ ଯିବି, ତେବେ ସେ ଯିବ । ତା’ ପିଲାଟା ମତେ ଟିକିଏ ଆରିଛି ବୋଲି କ’ଣ ମୋର ବାରବରଷର ତପସ୍ୟା ଶୁଖୁଆ ପୋଡ଼ାରେ ଯିବ । ମୁଁ କହୁଛି, ମୁଁ କେଭେଁ ଏ ଥାନ ଛାଡ଼ିବି ନାଇଁ, ବାବା ତଡ଼ିଲେ ବି ଯିବିନାଇଁ । ସେ କହୁଛି, ସେ ବି ଏଠୁ ବାହାରିବ ନାଇଁ ।’’

 

ବାବା ପଚାରିଲେ, ‘ଏବେ କ’ଣ ସେଇଆ ଠିକ୍‌ ହେଲା ?’

 

ମାଳତୀ–ଆଉ ଠିକ୍‌ ହେଲା କ’ଣ ଯେ । ଦେଈ ତାକୁ ଗୁଡ଼ାଏ ଗାଳି ଦେବାରୁ ସେ ମଙ୍ଗିଛି, ବାବା ଯାହା ହୁକୁମ କରିବେ ସେ ତା’ ମୁଣ୍ଡେଇବ ।

 

ବାବାଙ୍କ ମୁହଁ ପ୍ରସନ୍ନ ହୋଇଗଲା । ସେ କହିଲେ, ‘‘କିଲୋ ! ମାଳତୀ ! ଅପସରା ଆସିବା ଦିନ ତୋ’ରି ମନ ପରା ହେଉଥିଲା, ଯୋଗିଆକୁ ଗୋଟାସୁଦ୍ଧା ଖାଇ ଦେଇଥାନ୍ତୁ । ଏବେ ପୁଣି ୟେ କ’ଣ ? ରହ, ରହ, ମା’ ଯାହା ବିଚାରିଥିବ ତା’ ହେବ । ଆଚ୍ଛା, ପଶ୍ଚିମ ପଟକୁ ସେ ଯେଉଁ ଘର ବଖରାକ ଅଛି, ସେଇଠି ତୋ ଝିଅ ଜୋଇଁ ନାତୁଣୀକୁ ଧରି ତୁ ଘର କର ।’’

 

ମାଲତୀ ଲଥ୍‍ କରି ବସି ପଡ଼ି ପାହାଚରେ ମୁଣ୍ଡିଆଟିଏ ମାରି କହିଲା, ‘‘ବାବାଙ୍କୁ ମୁଁ ସେଇ କଥା ପଚାରିବି ବୋଲି ଆସିଥିଲି । ଆଉ ଖାଲି କ’ଣ କି ? ମାଷ୍ଟ୍ରଙ୍କ କୁଟୁମ୍ବ ପୁଞ୍ଜେ ଖା’ ନ୍ତେ-। ଶଙ୍ଖ ମହୁରୀ ପଟେ ପଟେ ବାଜନ୍ତା । ବ୍ରାହ୍ମଣ ଜଣେ ହାତ ଗଣ୍ଠିଟେ ପକାଇ ଦିଅନ୍ତା-। ତେବେ ଆଉ ମନରେ କିଛି ଦକା ରହନ୍ତା ନାଇଁ। ଅପଛରାଟା କ’ଣ ଦିନେ ଭୁଲ କଲା ବୋଲି ଜୀବନତମାମ ପାଇଲି ହୋଇ ରହିବ ?’’

 

ବାବା କହିଲେ, ‘‘ତୁ ତ ବଡ଼ ଗହୀରରେ ଚାଷ କରୁଛୁ । ମୁଁ ପ୍ରଥମ ଦିନରୁ ଏଇ କଥା ବିଚାରୁଛି । ପୁରୀ ମୁକ୍ତିମଣ୍ଡପରେ ଜଣେ ପଣ୍ଡିତଙ୍କ ପାଖକୁ ଲେଖିଥିଲି । ସେ କହୁଛନ୍ତି, ‘‘ଅଭାବରେ ବିଭାଘର ହୋଇ ପାରି ନାହିଁ । କୁଟୁମ୍ବ ରାଜି ହେଲେ ପ୍ରାୟଶ୍ଚିତ କରି ବିଭାଘର କରି ହେବ ।’’

 

ମାଳତୀ–ବାବା କହିଲେ କ’ଣ କୁଟୁମ୍ବ ନାହିଁ କରିବେ ?

 

ବାବା–‘‘ସେ କଥା ବି ପଡ଼ିଲାଣି ଯେ, ଆଉ କିଛି ଦିନ ଯାଉ । ମୋ ମନ ତ ପୁଣି ମାନିଲେ ମୁଁ ଏଥିରେ ବାହାରିବି । ଅପସରା ମୋ ଉପରେ ନିର୍ଭର କରୁଛି, ଯେବେ, ମୁଁ ତ ପୁଣି ବୁଝି ବିଚାରି କଥାଟାଏ କରିବି ! ’’

 

ମାଳତୀ କହିଲା–‘‘ମୁଁ କ’ଣ କହୁଛି, ଆଜି ସବୁ ହୋଇଯାଉ ବୋଲି । କଥାଟା ବାବାଙ୍କ ମନରେ ପକାଇ ଦେବି ବୋଲି ଆସିଥିଲି ଯେ ବାବା ଆଗରୁ ସବୁ କରି ସାରିଛନ୍ତି ।’’

 

ଏତିକି କହି ମାଳତୀ ଉଠିଲା ବେଳକୁ ବାବା କହିଲେ, ‘‘ଆଲୋ ମାଳତୀ, ତୁ ତ ଆମକୁ ଗୋଟାଏ ବରାଦ କରିଦେଲୁ, ଏବେ ଆମର ଗୋଟାଏ ବିଷୟରେ ବଡ଼ ଚିନ୍ତା, ଟିକିଏ ପରାମର୍ଶ ଦେଲୁ । ତମ ବାବୁଙ୍କର କାଳଟା କ’ଣ ଇମିତି ଅଭିଆଡ଼ା ହୋଇ କଟିଯିବ ? ବୁଢ଼ାବୁଢ଼ୀ ଦିଇଟା ଅଛନ୍ତି । ସେ ମୋକ୍ଷ ପାଇବେ କିମିତି ?’’

 

ମାଳତୀ ଲାଜରେ ଜଡ଼ସଡ଼ ହୋଇ କହିଲା, ‘‘ବାବାଙ୍କୁ ପୁଣି ମୁଁ ସଲା ଦେବି ! ମୁଁ ତ ଆଗ ବିଚାରିଥିଲି, ଆମ ଦେଈଙ୍କ ସାଙ୍ଗରେ ବାବୁଙ୍କର ପୁଆଣି ହେଲେ ଦିହେଁ ସୁଖରେ ରହିଥାନ୍ତେ-। ସେ ତ ଭାଇ ଭଉଣୀ ହୋଇଗଲେ ।’’

 

ବାବା ମାଳତୀର ମନ ବିଡ଼ିବାକୁ କହିଲେ, ‘‘ସେ ଭାଇ ଭଉଣୀ ତୁଚ୍ଛା କଥା । ଦୁର୍ଗି ବାପର, ବିମଳ ବୋଉ କୁଟୁମ୍ବାଦି ଭଉଣୀ । ଦଶ ବାର ପୁରୁଷ ଛାଡ଼ି । ସେପରି ବିବାହରେ ତ ବାଧା ନାହିଁ । ବ୍ରାହ୍ମଣଘରେ ତ ଏପରି ବିଭାଘର ଚଳୁଛି, ୟାଙ୍କର କାହିଁକି ଚଳିବ ନାହିଁ । ଆମ ଦୁର୍ଗି ବିଧବା ବୋଲି ଦୋଷ ହୋଇପାରେ ।’’

 

ମାଳତୀ କହିଲା, ‘‘ମୁଁ ଏକଥା ବୁଢ଼ୀମାଙ୍କ ସଙ୍ଗେ ପକେଇଛି ଯେ, ୟେ ଦି କଥାକୁ ସେ ଦୋଷ ବୋଲି ଧରୁନାହାନ୍ତି । ସେ ସବୁ ଛାଡ଼ିଥିଲେ ଦେଈଙ୍କ ଉପରେ । ଦେଈ ତ ବାହାଘର କଥା ମନରେ ଧରୁ ନାହାନ୍ତି––ବାବୁଙ୍କ ସାଙ୍ଗେ ନୁହେଁ, କି ଆଉ କାହା ସାଙ୍ଗେ ନୁହେଁ ।’’

 

ବାବା ପଚାରିଲେ, ‘‘ଦୁର୍ଗି ମନ ବିମଳ ପ୍ରତି କିମିତି ତୁ ତ ବାରୁଥିବୁ ?’’

 

ମାଳତୀ–ମାଇକିନିଆଁ ମନକୁ ତ ସେଇକଥା ଆଗ ଆସେ, ବାବା ! ମୁଁ ଖୁବ୍‌ ପରୀକ୍ଷା କରିଛି । ଦେଈଙ୍କର ବାବୁ ଅସଲ ଭାଇ–ଜନ୍ମକଲା ଭାଇ ପରି । ବାବୁଙ୍କ ମନରେ ଟିକିଏ କଳମଷ ଥିଲା ଯେ ଏବେ ସେତକ ଧୋଇ ହୋଇଗଲାଣି । ଏଇଲେ ତାଙ୍କ ମନ ଆଉ ଆଡ଼େ । ଦେଈ ବି ଜାଣିଲେଣି । ତାଙ୍କର ମନକୁ ପାଉଛି । ସେ କହୁଛନ୍ତି, ‘‘ସୁଲଅପା ହଁ କରନ୍ତା କି ଏଇ ମଗୁଶିରରେ କରି ଦିଅନ୍ତେ.....’’

 

ଏତିକି ବେଳେ ସଦର ଦରଜା ପାଖରେ ଗୋଟିଏ ଟ୍ରକ୍ ଆସି ଥୁଆହେଲା । ସିଧୁବାବୁ ଓ ସୁଲକ୍ଷଣା ଦେବୀ ବେଢ଼ା ଭିତରେ ପଶିବାର ଦେଖି ମାଳତୀ ଲସରପସର ହୋଇ, ‘‘ମୋ ବୁଢ଼ୀମା’, ବଡ଼ବାବୁ କେତେକାଳ ବଞ୍ଚିବେ ! ତାଙ୍କ କଥା ତୁଣ୍ଡରୁ ବାହାରୁ ବାହାରୁ ହେଇ ଆସି ପହଞ୍ଚିଲେଣି’’ ବୋଲି କହି ପାଛୋଟି ଆଣିବାକୁ ବାହାରିଲା । ବାବା ମଧ୍ୟ ଚାଲ ଚାଲ ହୋଇ ସେଇ ଆଡ଼କୁ ବାହାରିଲେ ।

 

ଠିକ୍ ସେତିକିବେଳେ ବିମଳବାବୁ ଓ ରାଧିଅପା ନିଜର କାମ ସାରି ଡଙ୍ଗାରେ ଫେରୁଥାନ୍ତି । ନାଉରି କୂଳରେ ଡଙ୍ଗା ବାନ୍ଧିଦେଇ ବାହାରପାଣି ଯାଇଥାଏ । ବିମଳବାବୁ ଟିକିଏ ଶଙ୍କି ଶଙ୍କି କଥା ଆରମ୍ଭ କଲେ, ‘‘ରାଧି ! ତୁମକୁ ଏ ଭିଡ଼ କାମରେ ଆଣି ପକାଇଦେଲି ବୋଲି ମୋତେ ମନେ ମନେ ଖୁବ୍ ଗାଳି ଦେଉଥିବ, ନା ?’’

 

କଥାର ଢଙ୍ଗ ଦେଖି ରାଧିଅପାଙ୍କ ମୁହଁ ରଙ୍ଗ ପଡ଼ିଗଲା । ସେ ଅସ୍ପଷ୍ଟ ସ୍ଵରରେ କହିଲେ, ‘‘ଆପଣଙ୍କୁ ଏ କାମ ଭିଡ଼ ହେଉଚି ବୋଲି ବୋଧହୁଏ ଏପରି କହୁଛନ୍ତି ।’’

 

ବିମଳ–ନା, ନ, ସତ କହ । କଟକରେ କେଡ଼େ ଖୁସିରେ ଥିଲ; ଏଠେଇ ଏତେ ଧାଁ ଧପଡ଼, ଯିବା ଆସିବା ପଡ଼ୁଛି ।

 

ରାଧି–ମୁଁ କଟକରେ ଖୁସିରେ ଥିଲି ବୋଲି ଆପଣଙ୍କୁ ତ କହିନାହିଁ !

 

ବିମଳ–ନା, କହିନାହିଁ ଅବଶ୍ୟ । କିନ୍ତୁ କଟକର ସୁଖସ୍ୱାଚ୍ଛନ୍ଦ୍ୟ ଏଠାରେ ତ ନାଇଁ । କଟକରେ କ’ଣ ଗୋଡ଼ରେ ଧୂଳି ଲାଗୁଥିଲା ? ଦେହରେ ଖରା ପଡ଼ୁଥିଲା ? ଲୁଗାରେ ମଇଳା ଲାଗୁଥିଲା ?

 

ଏଥର ରାଧିଅପାଙ୍କ ସଂକୋଚ ଅନେକାଂଶରେ ଛାଡ଼ିଥାଏ । ସେ କହିଲେ, ଆପଣଙ୍କର ତେବେ କ’ଣ ସୁଖର ଏଇ ଧାରଣା ! ଆପଣ କାହିଁକି କଟକ ଛାଡ଼ି ଏଠି ଘାଣ୍ଟି ହେଉଛନ୍ତି ତାହାହେଲେ ?’’

 

ବିମଳ ହସି ହସି କହିଲେ, ‘‘ତେବେ କ’ଣ ମୁଁ ଯେଉଁ କାରଣରୁ ଘାଣ୍ଟି ହେଉଛି, ତୁମେ ସେଇ କାରଣରୁ ଘାଣ୍ଟି ହେଉଚ ?’’

 

ରାଧିଅପା ଏହାର କିଛି ଉତ୍ତର ଦେଲେ ନାହିଁ । ଏକାବେଳକେ କଥାଟା ସେ ବୁଝିଲେ ନାହିଁ । କିନ୍ତୁ ସ୍ତ୍ରୀ କ’ଣ ଏଡ଼େ ଶୀଘ୍ର ଧରା ଦିଏ ? ସେ ନିଜର ମୁହଁର ଭାବ ଲୁଚାଇ କହିଲେ, ‘‘ଆପଣ କାହିଁକି ଏ କାମ କରୁଛନ୍ତି ମୁଁ କି ଜାଣେ ? ଆପଣ ତ ମୋତେ ଏଇ କାମ କରିବାକୁ ଆଣିଛନ୍ତି, ମୁଁ କରୁଛି ।’’

 

ବିମଳ ଏ ଉତ୍ତରରେ ଟିକିଏ ଦବିଗଲେ ପରା । ଟିକକ ପରେ ସେ କହିଲେ, ‘‘ରାଧି ! ସେ ଦିନ ମୋର ବଡ଼ ଭାଗ୍ୟ, ତୁମେ ଆସିଲ । ଆଉ କିଏ ଆସିଥିଲେ, କାମରେ ଏପରି ମନ ଦେଇଥାନ୍ତା ବୋଲି ବିଶ୍ୱାସ ହେଉନାହିଁ ।’’

 

ରାଧିଅପାଙ୍କ ମୁହଁ ଆହୁରି ଲାଲ ହୋଇଗଲା । ସେ ମୁହଁ ଫେରାଇ ନାଉରି ଆଡ଼କୁ ଚାହିଁଲେ । ନାଉରି ଗୁଡ଼ିଏ ଶୁଖିଲା କାଠ ସଂଗ୍ରହ କରୁଥାଏ । ରାଧିଅପାଙ୍କ ନଜର ତା’ ଉପରେ ପଡ଼ିଯିବାରେ ସେ ବଡ଼ପାଟି କରି କହିଲା, ‘‘ମା’ ! ଆଉ ଦଣ୍ଡେ ! ଗାଁରେ ଚୁଲିରେ ମୋହିଁବାକୁ କୁଟା ଖିଏ ମିଳୁନାହିଁ । ଗୋଟାଏ ଶୁଖିଲା ଡାଳ ଏଠି ହାବୁଡ଼େ ପଡ଼ିଗଲା । ‘‘ବିମଳବାବୁ ଜବାବ ଦେଲେ, ‘‘ହଉ, ହଉ ! ଆମର ତରତର ନାହିଁ, ତୁ ତୋ କାମ ସାରି ଆ ।’’

 

ରାଧିଅପାକୁ କହିଲେ, ‘‘ରାଧି, କ’ଣ ବିଚାରୁଛ ?’’ ରାଧିଅପା ଜବାବ ଦେଲେ, ‘‘ପ୍ରଭୁ ଭୃତ୍ୟର କାର୍ଯ୍ୟରେ ସନ୍ତୁଷ୍ଟ ହେଲେ ଭୃତ୍ୟ ଯାହା ବିଚାରେ ମୁଁ ତାହା ହିଁ ବିଚାରୁଛି, ଆଉ କ’ଣ । ବିମଳବାବୁ ଅସହିଷ୍ଣୁ ହୋଇ କହିଲେ, ‘‘ତେବେ କ’ଣ ତୁମର ମୋର ପ୍ରଭୁ ଭୃତ୍ୟ ସମ୍ପର୍କ ! ତୁମେ ଭୃତ୍ୟ ଭାବରେ ତେବେ ଏ ସବୁ କରୁଛ ? ମୁଁ ଏହା ଏକାବେଳକେ ବିଚାରି ନଥିଲି । ପ୍ରଥମ ଦିନ କାମର ପ୍ରକୃତି ଓ ଦରମା ବିଷୟରେ ଯାହା କଥାବାର୍ତ୍ତା ହୋଇଥିଲେ, ତାହାର ପରିବର୍ତ୍ତନ ହେବା ଉଚିତ ଥିଲା । ’’

 

ରାଧିଅପା ଦୁଷ୍ଟାମି ହସ ହସି କହିଲେ, ‘‘ପରିବର୍ତ୍ତନ ତ ହୋଇଛି ।’’

 

ବିମଳବାବୁ କହିଲେ, ‘‘ହଁ, ହୋଇଛି । ଆଗେ ତୁମେ ମାସକୁ ୫୦ ଟଙ୍କା ନେବ ବୋଲି କହିଥିଲ । ଚାରିମାସ ପରେ ବେବର୍ତ୍ତା କହିଲେ, ତୁମେ ମାସ ଶେଷର ଦରମା ନ ନେଇ କହିଲ, ‘‘ଥାଉ, ଯେତେବେଳେ ଦରକାର ହେବ ନେବି’ ।’’

 

ରାଧିଅପା କହିଲେ, ‘‘ମାସିକ ନିର୍ଦ୍ଦିଷ୍ଟ ଦରମା ଅପେକ୍ଷା, ଏହା କ’ଣ ଢେର ଅଧିକ ନୁହେଁ-? ମୋର ଯେତେବେଳେ ଯାହା ଦରକାର ହେଉଛି ମୁଁ ନେଇଛି କି ନାହିଁ ଆପଣ ବୁଝନ୍ତୁ-। ଭବିଷ୍ୟତରେ ପୁଣି ଦରକାର ହୋଇପାରେ ।’’

 

ବିମଳବାବୁ କହିଲେ, ‘‘ବେବର୍ତ୍ତା କଥାଟାଏ ଆରମ୍ଭ କଲେ ମୂଳରୁ ଶେଷ ପର୍ଯ୍ୟନ୍ତ କହନ୍ତି, ୟା ବୋଧହୁଏ ତୁମେ ଜାଣ । ସେ କହୁଥିଲେ, ଗତ ୪ମାସରେ ତୁମର ଦୁଇଶହ ପାଇବାର କଥା । ତୁମେ ନେଇଛ ଟ୫୪୯୩/୬ । ପଚାଶ ଟଙ୍କା ତୁମ ଖୁଡ଼ିଙ୍କ ପାଖକୁ ପଠାଇଥିଲ, ବାକି ମନିଅର୍ଡର କମିଶନ ଓ ଦାନ ଖଇରାତ୍ ।’’

 

ରାଧିଅପା କୃତ୍ରିମ ଅଭିମାନରେ କହିଲେ, ‘‘ଜଣେ ସ୍ତ୍ରୀ ଲୋକ ବିଷୟରେ ଏତେ ଖୁଣ୍ଟିନାଟି ଅନୁସନ୍ଧାନ କରିବା କ’ଣ ଆପଣଙ୍କ ପକ୍ଷରେ ଉଚିତ ହୋଇଛି ?’’

 

ବିମଳବାବୁ ସ୍ତ୍ରୀଚରିତ୍ର ବୁଝିବାରେ ପଟୁ ହୋଇଥିଲେ ଏଥିରୁ ବହୁତ କଥା ବୁଝିଥାନ୍ତେ । କିନ୍ତୁ ଏ ବିଷୟରେ ଦଖଲ ନ ଥିବାରୁ ସେ ଅସ୍ଵାଭାବିକ ଆଗ୍ରହରେ କହିଲେ, ‘‘ରାଧି ! ତୁମେ ବିଶ୍ଵାସ କର, ମୁଁ ତୁମକୁ ଭୃତ୍ୟ ବୋଲି କେବେହେଲେ ବିଚାରି ନାହିଁ । ତୁମକୁ ମୁଁ ସହକର୍ମିଣୀ ବୋଲି ବିଚାରୁଥିଲି । ଏବେ ଆହୁରି ଅଧିକ କିଛି ବିଚାରୁଛି ।’’

 

ରାଧିଅପା ନାଉରି ଆଡ଼କୁ ଚାହିଁ ଅତି ଅସ୍ପଷ୍ଟ ସ୍ଵରରେ ପଚାରିଲେ, ‘‘ଏବେ କ’ଣ ବିଚାରୁଛନ୍ତି , କହୁ ନାହାନ୍ତି ?’’

 

ବିମଳବାବୁ ସଙ୍କୋଚରେ ପାଖକୁ ଘୁଞ୍ଚି ନ ପାରି ରାଧିଅପାଙ୍କ ପିଠିକୁ ହାତ ବଢ଼ାଇ କହିଲେ, ‘‘ରାଧି, ମୋର ଇଚ୍ଛା ‘ତୁମେ ମୋର ସହଧର୍ମିଣୀ ହୁଅନ୍ତ !’’

 

ରାଧିଅପା ଆଉ ଟିକିଏ ଦୂରକୁ ଘୁଞ୍ଚିଯାଇ ମୁହଁକୁ ତଳକୁ ପୋତି କାନିରେ ଆଖି ପୋଛୁଥାନ୍ତି । ବିମଳବାବୁଙ୍କର ମନରେ ଶୋଚନା ହେଲା, ବୋଧହୁଏ ସେ କହୁ କହୁ ଅବଳାକୁ ବେଶୀ କିଛି କହି ଦେଇଛନ୍ତି । ସେ ନିଜର ଦୋଷ ମାଗି ନେବାକୁ କହିଲେ, ‘‘ରାଧି ! ମୋତେ କ୍ଷମାକର , ମୁଁ ତୁମର ମନରେ ଦୁଃଖ ଦେବାକୁ ଏହା କହି ନଥିଲି । ମୁଁ ଆଉ ଏପରି ଅପରାଧ କେଭେ କରିବି ନାହିଁ ।’’

 

ଏତିକିବେଳେ ନାଉରି ଡଙ୍ଗା ଆଡ଼କୁ ଧାଉଁ ଧାଉଁ କହିଲା, ‘‘ବାବୁ ! ବହୁତଗୁଡ଼ାଏ ବେଳ ହୋଇଗଲା । ଆପଣ ମୋ ଉପରେ ଭାରି ବିରକ୍ତ ହେବେଣି । କାଠପୁଞ୍ଜାକ ଲୋଭରେ ତ ରହିଗଲି । ଦେଖନ୍ତୁ ବାବୁ, ଏତକ କାଠରେ ଆଉ କାହା ଘର ହେଲେ ୧୫ ଦିନ ଜାଳକଷ୍ଟ ମେଣ୍ଟନ୍ତା । ମୁଁ ଯାହା ଗୋଡ଼ରେ ବନ୍ଧା ହୋଇଛି, ସେ ପଅରଦିନକୁ ସବୁତକ ସାରିଦେଇଥିବ ।’’

 

ବିମଳବାବୁ ଯଥାସମ୍ଭବ ରହସ୍ୟ କରି ପଚାରିଲେ, ‘‘ଆରେ ସେ ତୋ ଗୋଡ଼ରେ ବନ୍ଧା ହୋଇଛି ନା ତୁ ତା’ ଗୋଡ଼ରେ ବନ୍ଧା ହୋଇଛୁ ମ ?’’

 

ନାଉରି କାତ ମାରୁ ମାରୁ କହିଲା, ‘‘ବାବୁ ! ଆପଣଙ୍କର ତ ବାହାଘର ହୋଇ ନାଇଁ, ଆପଣ ଜାଣିବେ କୁଆଡ଼ୁ ? ପହିଲି ଦିନ ମାଇକିନିଆଁ ଆମ ଗୋଡ଼ରେ ବନ୍ଧା ହୁଏ, ତା’ପରେ ତା’ ଗୋଡ଼ରେ ଆମେ ।’’

 

ବିମଳବାବୁ ଏ କଥାର ପ୍ରତିକ୍ରିୟା ରାଧିଅପାଙ୍କ ମୁହଁରେ ଦେଖିବାକୁ ଚୋରପରି ଚାହିଁଲେ । କିନ୍ତୁ ରାଧିଅପାଙ୍କ ମୁହଁ ଆର ଆଡ଼କୁ ଥାଏ ।

☆☆☆

 

ସାଧକ ଓ ସାଧନା

 

ସୁଲକ୍ଷଣା ଦେବୀ ବିମଳାମନ୍ଦିରରେ ପାଦ ପକାଇଲା ବେଳୁ ପୁଣି ପୂର୍ବ ଲକ୍ଷଣସବୁ ପ୍ରକାଶ ପାଇଲା । ଆରଥର ସୁଲକ୍ଷଣା ଦେବୀ ଯାହା ସମ୍ଭାର ଆଣିଥିଲେ ଏଥର ତା’ଠାରୁ ଅଧିକ । ସେ ସବୁ କିପରି ଶୀଘ୍ର ଖର୍ଚ୍ଚ ହୋଇଯିବ ସେଥିରେ ବାବାଙ୍କର ଆଗ୍ରହ ବଢ଼ିବାର ଦେଖି ସମସ୍ତେ ଏକମନରେ ଫେରିଯାଇଥାନ୍ତି ।

 

ବିମଳବାବୁ ଓ ଦୁର୍ଗାଦେବୀ ଯେଉଁ ଯେଉଁ ଗ୍ରାମରେ ଗଠନମୂଳକ କାର୍ଯ୍ୟ ଆରମ୍ଭ କରିଥାନ୍ତି ସେ ସବୁ ଗାଁରେ ଦିଅଁଙ୍କ ମାଜଣା ଓ ମେଳା ଜୋରସୋରରେ ଚାଲିଥାଏ । ସେଇ ସଙ୍ଗେ କୁସ୍ତିକସରତର ପ୍ରତିଯୋଗିତା, ଗୋ–କୃଷି–ଶିଳ୍ପ ପ୍ରଦର୍ଶନୀ, କବି ସମ୍ମିଳନୀମାନ ଚାଲିଥାଏ । ସିଧୁବାବୁ ଓ ସୁଲକ୍ଷଣା ଦେବୀ ଏଥିରୁ ଗୋଟିକରୁ ଫେରି ବାବାଙ୍କ ପାଖରେ ସବୁ ବୃତ୍ତାନ୍ତ କହୁ କହୁ ସିଧୁବାବୁ ଆରମ୍ଭ କଲେ, ‘‘ମୁଁ ଆଜିର ଘଟଣା ଦେଖି ବଡ଼ ତାଜୁବ୍ ହୋଇଗଲି, ବାବା ! ଦୁର୍ଗା କହୁଛି, ଆଜି ଯେଉଁ ଉତ୍ସବ ହେଲା ସେଥିରେ ମନ୍ଦିର ଖର୍ଚ୍ଚ ହୋଇଛି ମୋଟେ କୋଡ଼ିଏ ଟଙ୍କା–ଟଙ୍କା ଓ ଜିନିଷ ଉଭୟରେ । ମୁଁ ତ ମୋଟାମୋଟି ହିସାବ କରି ଦେଖିଲି, ହଜାରେ ଟଙ୍କାରୁ କମ ଖର୍ଚ୍ଚ ହୋଇନଥିବ ।’’ ବାବା କହିଲେ, ‘‘ହଁ, ଲୋକଙ୍କ ପରିଶ୍ରମର ମୂଲ୍ୟ ମିଶାଇଲେ ହୋଇପାରେ । ବିମଳ ମୋତେ କହିଛି, ପ୍ରାୟ ହଜାରେ ଲୋକେ ଖାଇଲେ ଓ ଶହେ ଜଣଙ୍କୁ ପୁରସ୍କାର ଦେବାରେ ଟଙ୍କା ଦୁଇଶହ ଖର୍ଚ୍ଚ ହେଲା । ଆଜି ଡାକ୍ତର ଯାହା ବ୍ୟବସ୍ଥା ଦେଇ ଯାଇଛନ୍ତି ସେଥିରେ ଟଙ୍କା ୧୦।୨୫ର ଔଷଧ କିଣା ହେବାକୁ ରହିଛି । ଦୁଇଖଣ୍ଡ ଗାଁର ଲୋକ ଏତକ ନିଜ ନିଜ ଭିତରୁ ବାହାର କରିବା ତ କିଛି ବିଚିତ୍ର କଥା ନୁହେ ।’’

 

ସିଧୁବାବୁ କହିଲେ, ‘‘ଏଠାରେ ତ ବିଚିତ୍ର ନୁହେଁ, ଦେଖିଲି । କିନ୍ତୁ ଅନ୍ୟଠାରେ ଦେଖିଛି, ଏହାଠାରୁ ଢେର ନିକୁଛିଆ ଧରଣରେ ହୋଇଥିବା ପ୍ରଦର୍ଶନୀରେ ଢେର ଅଧିକ ଖର୍ଚ୍ଚ ହୋଇଛି । ଲୋକଙ୍କର ଖାଇବା ଖର୍ଚ୍ଚ ପୁଣି ତା’ ବାହାରେ ।’’

 

ବାବା କହିଲେ, ‘‘ଆଜିକାଲି ସରକାର ଯେଉଁ ପ୍ରଦର୍ଶନୀ ସବୁ କରାଉଛନ୍ତି, ତା’ରି କଥା କହୁଛ । ପଇସା ଖର୍ଚ୍ଚ କରି ନ ଜାଣିବାରୁ ସେପରି ହେଉଚି । ପଇସାକୁ ନିଜର ବୋଲି ବିଚାରି ଖର୍ଚ୍ଚ କଲେ ସିନା ହେବ । ‘ସରକାରୀ ପଇସା ତ, ଆମର କ’ଣ ଅଛି’ ବୋଲି ବିଚାରି ଦେଲେ, ଖର୍ଚ୍ଚର ଖାପ ମାପ ରହିବନାହିଁ, ବୃଥାରେ ପଇସା ଖର୍ଚ୍ଚ ହୋଇଯିବ । ସେଥିରେ ଦି’ପଇସା ନିଜେ ମାରିନେବାକୁ ବି ମନୋବୃତ୍ତି ହୋଇଯିବ । ଆମ ଦେଶର ସାଧାରଣ ଲୋକେ ଏ ସବୁ ଦେଖି ମୁହଁ ମୋଡ଼ି ଦିଅନ୍ତି; କହନ୍ତି,ପରଧନଗଣନା ଝଣତ୍‍କାରା’, ‘ସରକାର୍‍ କା ମାଲ, ଦରିଆମେ ଡାଲ’ । ଏ ମନୋବୃତ୍ତିରେ ନିଜ ଅଣ୍ଟାରୁ ପଇସା କାଢ଼ିବ କିଏ ? ସରକାରୀ ଲୋକେ ନିଜ ଅଣ୍ଟାରୁ ପାଇସା କାଢ଼ି ନ ପାରି ନିଜ ମହତ ରକ୍ଷା କରିବାକୁ କୈଫତ୍ ଦିଅନ୍ତି , ‘ଲୋକେ ଅତି ଦରିଦ୍ର’ ।’’

 

ସିଧୁବାବୁ ଆପତ୍ତି କଲେ, ‘ଆମ ଦେଶରେ ଯେ ଅଧିକାଂଶ ଲୋକେ ଦରିଦ୍ର ଏ କଥା କ’ଣ ଆପଣ ଅସ୍ଵୀକାର କରିବେ ? ଅନେକ ଲୋକଙ୍କର ତିନି ଓଳିରେ ଓଳିଏ ଚୁଲି ଲାଗେ ନାହିଁ-।’’

 

ବାବା କହିଲେ, ‘‘ବାବୁ, ଯାହାର ଆଖି ଯେମିତି ତା’କୁ ସିମିତି ଦିଶିବ । ନିଜର ଅଣ୍ଟାରୁ ପଇସା ଯଦି ସହଜେ ବାହାରୁ ନଥିବ, ତେବେ ସମସ୍ତେ ସେହିପରି କୁଣ୍ଠିତ ଓ ଅସମର୍ଥ ବୋଲି ଦିଶିବ । ପୁଣି ଶାସ୍ତ୍ରରେ ଅଛି, ଅନ୍ୟର ଦୁଃଖ ଦୂର କରିବା ବିଷୟରେ ଯେମିତି ଉତ୍ସୁକ ହେବ, ଅନ୍ୟର ମହତ୍ତ୍ୱ ଦେଖିବାରେ ସେହିପରି ଉଦାର ହେବା । ଦୁଃଖ ଦୂର କରିବାକୁ ଦୁଃଖୀଙ୍କୁ ଚାହିଁବ; ସେ ସକାଶ ସମ୍ବଳ ଖୋଜିଲାବେଳକୁ ସ୍ଵଚ୍ଛଳ ଲୋକଙ୍କୁ ଚାହିଁବ । ଦେଶରେ ଦୁଃଖୀ ଅଛନ୍ତି, ଥିଲାବାଲା ତ ଅଛନ୍ତି ! ନିଜ କଥା ଦେଖୁନାହଁ ? ତୁମଠାରେ ଯେଉଁ ପୁଞ୍ଜିକ ଅଛି ସେଥିରେ ତ ଦଶୋଟି ଗାଁରେ ଆନନ୍ଦର ସୁଅ ଚାଲିଛି । ତୁମପରି ଲୋକ ତ ଦେଶରେ କମ୍ ନାହାନ୍ତି । ପୁଣି ଏ ଦେଶର ଲୋକଙ୍କ ପାଖେ ପୁଞ୍ଜି କମ୍ ଥାଇପାରେ; କିନ୍ତୁ ପୁଞ୍ଜି କ’ଣ ଏକମାତ୍ର ସମ୍ପତ୍ତି । ମୁଁ ଦେଖିଛି, ପଚିଶିଜଣଙ୍କୁ କାର୍ଯ୍ୟରେ ଆମ ଲୋକେ ଯେଡ଼େ ଆଗ୍ରହରେ ମାତନ୍ତି, ଅନ୍ୟଠି ସେପରି ମାତନ୍ତି ନାହିଁ । ଦିଅଁଙ୍କ ବେଢ଼ାରେ ଛାମୁଣ୍ଡିଆ ହେବ, ସଭା ସଂକୀର୍ତ୍ତନ ପାଇଁ ଆୟୋଜନ ହେବ–ଏ ସକାଶ ତ ମଜୁରିଆ ନିଯୁକ୍ତି କରିବାକୁ ପଡ଼େନାହିଁ । ଲୋକେ ଅଳସୁଆ ହୋଇ ବସିଥାନ୍ତି, ଏପରି କାମ ପଡ଼ିଗଲେ ସାଙ୍ଗେ ସାଙ୍ଗେ ଅଣ୍ଟାଭିଡ଼ି ବାହାରନ୍ତି ।

 

ସିଧୁବାବୁ ସ୍ୱୀକାର କଲେ, ‘‘ଠାକୁରଙ୍କ କାର୍ଯ୍ୟରେ ଏ ଉତ୍ସାହ ସଚରାଚର ଦେଖାଯାଏ ।’’ ବାବା କହିଲେ, ‘‘ପାଞ୍ଚଜଣଙ୍କ କାର୍ଯ୍ୟ ଯେ ସେ ଠାକୁରଙ୍କ କାର୍ଯ୍ୟ । ଠାକୁରଙ୍କୁ ଛାଡ଼ି ପାଞ୍ଚଜଣଙ୍କ କାର୍ଯ୍ୟ କରିବାକୁ ବସିଲେ, ଆମ ଲୋକେ ନାକ ଟେକନ୍ତି, ଅବିଶ୍ୱାସ କରନ୍ତି–ଭିତରେ କ’ଣ ଅଭିସନ୍ଧି, ସ୍ଵାର୍ଥଚେଷ୍ଟା ଥିବା ପରା ବୋଲି ସନ୍ଦେହ କରନ୍ତି । ସରକାରଙ୍କର ସବୁ କାର୍ଯ୍ୟ ଏଇ କାରଣରୁ ଉଧେଇ ପାରୁନାହିଁ । ଠାକୁରଙ୍କ ନାମରେ କାମ କଲେ ଅପର ଲୋକ ଆକୃଷ୍ଟ ହୁଅନ୍ତି, କର୍ତ୍ତାର ମନରେ ବି ଠକିଦେବା, ମାରିନେବାର ପ୍ରବୃତ୍ତି ରହେନାହିଁ । ଏଇ ଯୋଗୁଁ ଆମ ପିଲେ ଯେଉଁ କାମସବୁ ଆରମ୍ଭ କରିଛନ୍ତି, ସେଥିରେ ଲୋକଙ୍କର ଉତ୍ସାହ ବଢ଼ୁଛି, ସମସ୍ତେ ମୁକ୍ତହସ୍ତରେ ପରପାଇଁ ଖର୍ଚ୍ଚ କରୁଛନ୍ତି..... (ଗୁଡ଼ିଏ ଲୋକ ମଣ୍ଡପ ଆଡ଼କୁ ଏକ ହୋଇ ଆସିବାର ଦେଖି) ହେଇଟି ଦେଖ, ପୁଣି ଗୋଟାଏ କ’ଣ କାମର ବରାଦ ଆସି ପହଞ୍ଚିଲାଣି !’’

 

ଆଗନ୍ତୁକମାନେ ଆସି ଠାକୁରାଣୀଙ୍କୁ ମୁଣ୍ଡିଆମାରି, ପାଦୁକ ପାଇ, ସଂଭ୍ରମରେ ବାବାଙ୍କଠାରୁ ଟିକିଏ ଛାଡ଼ି ତୁନି ହୋଇ ବସିଲେ । ତାଙ୍କ ଆଡ଼ୁ କଥା ଆରମ୍ଭ ହେବାକୁ ସେମାନେ ଅପେକ୍ଷା କରିଛନ୍ତି ଜାଣି ବାବା ଆରମ୍ଭ କଲେ, ‘‘କିରେ ! ଏଡ଼େ ଉବେଳରେ ଆଜି ଠାକୁରାଣୀ କାହିଁକି ମନେ ପଡ଼ିଗଲେ ?’’

ଆଗନ୍ତୁକଙ୍କ ମୁଖିଆ ଗଣି ପଧାନ ଉତ୍ତର ଦେଲା, ‘‘ମହାପୁରୁ, ଏ ଟୋକାଏ କ’ଣ ଠାକୁରାଣୀଙ୍କଠିକୁ ଆସିଛନ୍ତି କି ? ୟାଙ୍କର ମନ, ଗାଁରେ ଗୋଟାଏ ସଭା କରେଇବେ । ସଂକୀର୍ତ୍ତନ ଦଶପଚିଶ ମେଳ ବରାଦ କରିଛନ୍ତି । ନାମ ସଂକୀର୍ତ୍ତନଠାରୁ ମେଣ୍ଢା ଲଢ଼େଇ ପର୍ଯ୍ୟନ୍ତ ସବୁ ଯୋଗାଡ଼ କରିଛନ୍ତି । ବାବୁଙ୍କ ପାଖକୁ ଆସିଥିଲୁଁ, ସେ ଡାକ୍ତରବାବୁଙ୍କୁ ଟିକିଏ ଅଣାଇବେ, ଡାକ୍ତରାଣୀ ମା’ ଯିବେ–ତେବେ ଯାଇ କାମଟି ବଢ଼ିବ । ଆଉ ତ କେତେ ଆଶା କରିଥିଲୁଁ, କିନ୍ତୁ ବାବୁ ତ ନାହିଁ କରିଦେଲେଣି । ସେଇକଥା ଆପଣଙ୍କ ପାଖେ ଜଣାଇବାକୁ ଆସିଛୁ ।’’

ବାବା ଜାଣନ୍ତି, ଏପରି କାମରେ ବିମଳ ନାହିଁ କରିବା ଲୋକ ନୁହନ୍ତି । ଏମାନେ ଯେଉଁଦିନ ପାଇଁ ଆୟୋଜନ କରୁଛନ୍ତି, ସେଦିନ ବୋଧହୁଏ ଅନ୍ୟ କିଛି କାମ ଥିବାରୁ ବିମଳ ନାହିଁ କରିଛନ୍ତି–ଏହି ଅନୁମାନରେ ସେ ପଚାରିଲେ, ‘‘ବିମଳବାବୁ ଆଉ କ’ଣ କହୁଛନ୍ତି ? ସେ ତ ଅଡ଼କରାରେ ପାଖ ଆଖ ଗାଁମାନଙ୍କରେ ବୁଲି ଏଇ କାମ କରାଉଛନ୍ତି; ତୁମେ ଡାକିଲାବେଳକୁ ନାହିଁ କରିବେ କାହିଁକି ?’’

ବିମଳବାବୁ ଓ ଦୁର୍ଗାଦେବୀ ଏତିକିବେଳେ ଆସି ମଣ୍ଡପରେ ସିଧୁବାବୁ ଓ ସୁଲକ୍ଷଣା ଦେବୀଙ୍କ ପାଖରେ ବସିଲେ । ଗଣି ପଧାନ ଉତ୍ତର ଦେଲା, ‘‘ମହାପୁରୁ ! ବାବୁ କହୁଛନ୍ତି, ଫାଲଗୁନ ମାସକୁ ଘୁଞ୍ଚାଇବାକୁ ।’’

 

ବିମଳବାବୁ ହସି ହସି କହିଲେ, ‘‘ତୁମର ତ ଏକା ଜିଦ୍‌ ପୁଷମାସରେ କଲେ ହେବ ! ନହେଲେ କ’ଣ ସୃଷ୍ଟି ପ୍ରଳୟ ହୋଇଯିବ ? ଆଜିଠାରୁ ମାସେ ପର୍ଯ୍ୟନ୍ତ ଆମକୁ ଦିନେ ଫୁରସତ୍‌ ନାହିଁ । କେବଳ ଯୋଡ଼ିଏ ଦିନ ରଖିଛୁ, କଟକ ଯିବାକୁ ।’’

 

ବାବାଙ୍କ ପ୍ରଶ୍ନବାଚକ ଦୃଷ୍ଟିର ଉତ୍ତରରେ ସେ କହିଲେ, ‘‘ପ୍ରଧାନମନ୍ତ୍ରୀ ଆସୁଛନ୍ତି ଆସନ୍ତା ୧୫ ତାରିଖରେ । ତାଙ୍କର ବକ୍ତୃତା ଶୁଣିବାକୁ ଦୁର୍ଗିର ଭାରି ମନ । ସେଇଥିପାଇଁ ଆମେ ସମସ୍ତେ ୧୩ ତାରିଖରେ କଟକ ଯିବୁ ବୋଲି ବିଚାରିଛୁ । ୧୪ ତାରିଖ ଦିନ ମୋର ସାଙ୍ଗସାଥୀମାନଙ୍କର ଗୋଟିଏ ବୈଠକ ହେବାର ମଧ୍ୟ ଆୟୋଜନ ହୋଇଛି । ଏହା ବି ସେଇ ଦୁର୍ଗିର ଜିଦରେ । ଆମେ ଏଠାରେ କ’ଣ କରୁଛୁ ସେମାନଙ୍କୁ ଜଣାଇବୁ । ଏପରି ବୈଠକରେ କ’ଣ ଲାଭ ହେବ ମୁଁ ଜାଣି ପାରୁନାହିଁ । ଆମର ଠିକଣା ହେଉଚି ଆପଣଙ୍କ ଆଗେ କଥା ପଡ଼ିବ–ଆପଣ ହଁ କଲେ ଆମେ କଟକ ଯିବୁ । ଏଇ ଯୋଡ଼ିକ ଦିନ ବାଦ୍ ଆଉ ଦିନ ନାହିଁ ।’’

 

ବାବା ଗଣି ପଧାନ ଆଡ଼କୁ ଚାହିଁଲେ । ସେ ଜଣାଇଲା, ‘‘ମହାପୁରୁ, ଫାଲ୍‌ଗୁନ ହେଉ ବା ଚଇତ ହେଉ, ଆମର କିଛି ଆପତ୍ତି ନଥିଲା ଯେ, ଏବର୍ଷ ଫସଲ ଆଠପଣିଆ ମିଳିଛି । ପାଲ୍‌ଗୁନକୁ ଆମ ଗାଁର ଅଧାଅଧି ଲୋକ ଖାଇବାକୁ ନପାଇ କଲିକତା, କାଳିମାଟି, ରାଉରକେଲା ପଳେଇବେ । ଯେ ରହିବେ ତାଙ୍କର ପେଟକୁ ଦାନା ଖୋଜୁ ଖୋଜୁ ବେଳ ଯିବ; ସେତେବେଳେ ଆଉ ମେଳାମଉଚ୍ଛା ହେବ କ’ଣ ? ପୁଣି ବାବୁ କହୁଛନ୍ତି, ଆମଗାଁ ପୋତା ପୋଖରୀଟା ଏଇ ଭାଗବତ ହପ୍ତାରେ ଖୋଳାଇବାକୁ । ସେତେବେଳେ କାହା ଦିହରେ ବଳ ଥିବ ଯେ କାମ ଉଠିବ ? ଏବର୍ଷ, ପୁଣି ତିରୁଟିଆ ବର୍ଷା । ସେତେବେଳକୁ ଦଶହାତ ତଳେ ବି ଓଦାମାଟି ପଡ଼ିବ ନାଇଁ । ଏଇଥିପାଇଁ ମୁଁ କହୁଛି ନା !’’ ବାବା ଇତିମଧ୍ୟରେ ପାଞ୍ଜି ଲେଉଟାଉଥାନ୍ତି । ୧୪।୧୫ ତାରିଖର ଦିନ ବାର ବାହାର କରି ସେ ବିମଳବାବୁଙ୍କୁ କହିଲେ, ‘‘କଟକ ଯିବା କଥା ତ ତୁମେ ଏପର୍ଯ୍ୟନ୍ତ ମୋ ଆଗରେ ପକେଇ ନାହଁ ! ପଡ଼ିଲା ବେଳେ ବିଚାର କରିବା; ଆଗ ୟାଙ୍କ କଥା ପଡ଼ୁ । ୧୫ ତାରିଖଟା ବଡ଼ ଭଲ ଦିନ । ସେଇଦିନ ୟାଙ୍କ ସଭାଟା ଆରମ୍ଭ କରିଦେଲେ ଭଲ ହୁଅନ୍ତା । ଗଣି ପଧାନ ଯାହା କହୁଛି, ସେ କଥା ସତ । ଯଦି ତାଙ୍କ ଗାଁରେ କିଛି କରିବ ତେବେ ତାଙ୍କ ଘରୁ ଭାତ ସରିବା ଆଗରୁ କର । ଏ ବର୍ଷ ତ ଗିରାନି ବର୍ଷ । ପଛକୁ ପଛକୁ ଭାରି ଅଭାବ ପଡ଼ିବ ।’’

 

ଦୁର୍ଗା ଦେବୀ କହିଲେ, ‘‘ଅଭାବ ସମୟରେ ହପ୍ତା ବସିଲେ ବାହାରୁ ଯେ ଆସିବେ ସେ ଲୋକଙ୍କ ଅବସ୍ଥା ଦେଖିବେ । ସରକାରରୁ ମଧ୍ୟ କିଛି ସାହାଯ୍ୟ ମିଳିବ । ସରକାରଙ୍କ ସାହାଯ୍ୟରେ ପୋଖରୀଟା ଖୋଳା ହୋଇପାରିବ । କଟକର ବାବୁଭାୟାଙ୍କର ସଭା କରି ଏ ଅଞ୍ଚଳ ପ୍ରତି ସେମାନଙ୍କ ଦୃଷ୍ଟି ପଡ଼ିବାର ବି ବିଚାର ଅଛି । ଆଗ ୧୪।୧୫ ତାରିଖରେ କଟକରେ ରହିବା କଥାଟା ହେବ କି ନାହିଁ ବିଚାର ହେଉ, ତା’ପରେ ଗଣି ପଧାନଙ୍କ କଥା ପଡ଼ିବ ।’’

 

ବାବା ହସି ହସି କହିଲେ, ‘‘ଜାଣିଲୁ ଗଣି, ଆଜି ଦେଈଙ୍କ ନଜର ତମ ଗାଁ ଉପରେ ନୁହେଁ, କଟକରେ । ତମେ ସବୁ ଆଜି ଯାଅ, ଦି’ ତିନ ଦିନରେ ଆମେ ନିଧାର୍ଯ୍ୟ କଥା ଶୁଣାଇ ଦେବୁ-। (ବିମଳବାବୁଙ୍କ ଆଡ଼କୁ ଚାହିଁ) ଆଜି କୁଆଡ଼େ ଯିବ ନା ଏଠି ରହିବ ?

 

ବିମଳବାବୁ ଜଣାଇ ଦେଲେ, ‘‘ଆଜି ଶରଧାପୁରକୁ ସମସ୍ତେ ବାହାରିଥିଲୁଁ, ପଧାନେ ଆସି ପହଞ୍ଚିଲେ । ଆପଣଙ୍କ ପାଖକୁ ସେମାନେ ଆସିବାରୁ, ଆପଣ ଖୋଜିବେ ଅବା ବୋଲି ତକେଇଛୁ । (ପଧାନକୁ ଚାହିଁ) ହଉ ତେବେ ପଧାନେ ! ଆଜି ତମେ ଯାଅ । ଦି’ ଚାରି ଦିନରେ ବି କଥା ପକ୍‌କା ହେବ ।’’

 

ଗଣି ପଧାନ ଯିବାକୁ ଠିଆ ହୋଇ ପୁଣି ଆରମ୍ଭ କଲା, ‘‘ମହାପୁରୁ ! ଅସଲ କଥା ତ ପଡ଼ିନାହିଁ ! ଗାଁଯାକ ସମସ୍ତଙ୍କର ମନ, ବାବାଙ୍କର ପାଦ ଟିକିଏ ଆମ ଗାଁରେ ପଡ଼ିବ !’’

 

ବାବା କହିଲେ, ‘‘କିଓ ଗଣି ! ମତେ କ’ଣ ତୁମ ଗାଁ ନୂଆ ! ମନେ ଅଛି ଟିକି ସନ୍ଧ୍ୟାବେଳେ ତମ ଗାଁରୁ ଫେରିଲା ବେଲେ ନାଳିଆରେ ଭାସି ଯାଉଥିଲେଇଁ ! ମୁଁ ତ ଏବେ କେତେଦିନ ହେଲା, ଆଉ ଯିବା ଆସିବାକୁ ପାରୁନାହିଁ । ପିଲେ ଯିବେ; ମତେ ଆଉ କାହିଁକି ଟାଣୁଚ-!’’

 

ଗଣି ପଧାନ ନେହୁରା ହୋଇ କହିଲା, ‘‘ମହାପୁରୁ, ସେଦିନ ବାବାଙ୍କ ଯୋଗୁଁ ମୋ ପ୍ରାଣ ରହିଛି । ଆଉ ଚାରିଜଣ ବି ସେ ଦିନ ଆପଣଙ୍କ ଯୋଗୁଁ ବଞ୍ଚିଲେ । ସେଇ ଚାରିରୁ ଏବେ ଆମ ଘରମାନଙ୍କରେ କୋଡ଼ିଏରୁ ବେଶୀ ଭେଣ୍ଡା । ଆପଣ ଯାଇ ନପାରିଲେ ସେଇ ଭେଣ୍ଡିଆମାନେ ଲୁଣଚୋରି କରି ନେଇଯିବେ !’’

 

‘‘ହଉ, ସେ କଥା ପଛେ ପକେଇବା’’ ବୋଲି ବାବାଙ୍କ ଠାରୁ ଶୁଣି ଗଣି ପଧାନ ମୁଣ୍ଡିଆ ମାରି ବିଦାୟ ନେଲା । ସେ ଓ ତା’ର ସାଥୀମାନେ ପୂର୍ଣ୍ଣ ନିର୍ଭରରେ ଗଲେ ଯେ, ତାଙ୍କ ଦାବି ଗୃହୀତ ହୋଇଛି । ବିମଳବାବୁ ଓ ଦୁର୍ଗାଦେବୀ ଶରଧାପୁର ବାହାରିଲେ । ବାବା ସିଧୁବାବୁଙ୍କୁ କହିଲେ, ‘‘ଦେଖିଲ ! ଲୋକଙ୍କର ଏ ଉତ୍ସାହକୁ ବାଟରେ ପକାଇଦେଲେ କୋଉ କାର୍ଯ୍ୟ ଅସାଧ୍ୟ ହୋଇ ରହିଯିବ ?’’

 

ସିଧୁବାବୁ ବିସ୍ମିତ ଦୃଷ୍ଟିରେ ସମ୍ମତି ଜଣାଇଲେ । ସୁଲକ୍ଷଣା ଦେବୀ ଏ ପର୍ଯ୍ୟନ୍ତ କିଛି କହି ନଥିଲେ । ଏ ସବୁ ଭିତରେ ତାଙ୍କୁ କିପରି ଗୋଟାଏ ଅଭାବବୋଧ ବିବ୍ରତ କରୁଥିଲା । ସେ କହିଲେ, ‘‘ବାବା, ବିମଳ ଆଉ ଦୁର୍ଗା ତ ଦିନ ରାତି ପର କଥାରେ ବ୍ୟସ୍ତ ରହୁଛନ୍ତି; ତାଙ୍କ ଜୀବନ କିମିତି କଟିବ, ସେ କଥା ବାବା ବିଚାରୁଛନ୍ତି ଟି ? ଇମିତି ତ ଆଉ ସବୁଦିନେ ଚଳିବ ନାଇଁ !’’

 

ବାବା କହିଲେ, ‘‘ମୁଁ ଯେତିକି ପାରୁଛି, ବିଚାରୁଛି । ଏବେ ତ ସେମାନେ ମୋତେ ବିଚାରିବାକୁ ସୁଯୋଗ ଦେଉନାହାନ୍ତି । ଦେଖିଲ ତ, ତାଙ୍କ ବିଚାର ସବୁ ଆଗରୁ ହୋଇଯାଉଛି । ଖାଲି ମୋଠାରୁ ଗୋଟିଏ ‘ହଁ’ ଆଦାୟ କରିବାକୁ ବାକି ରଖୁଛନ୍ତି ।’’ ସୁଲକ୍ଷଣା ଦେବୀ କହିଲେ, ‘‘ବାପ ମା’ ତ ପିଲାଙ୍କଠାରୁ ସେତିକି ଲୋଡ଼ନ୍ତି । ତାଙ୍କ ପାରୁପର୍ଯ୍ୟନ୍ତେ ସେ ଉଡ଼ିବେ । ଖାଲି ବସା ଉପରେ ଟିକିଏ ଦୃଷ୍ଟି ରହିଥିଲେ ହେଲା । ବାବାଙ୍କ ଅନୁମତି ନ ପାଇ ମଧ୍ୟ ସେ ଦୁଗୁଣେଇ ହୋଇ କିଛି କରି ପକାଇବେ –ଏ ଭୟ ଯଦି ନାଇଁ, ତେବେ ଆଉ ଚିନ୍ତା ନାଇଁ । ମୁଁ ତ ସେକଥା ପଚାରୁ ନଥିଲି ! ମୋତେ ତ ଜଣାଯାଉଚି, ସେ ଘରର ପିଲାପରି ଚଳୁଛନ୍ତି !’’

 

ବାବା ପଚାରିଲେ, ‘‘ତେବେ ଆଉ ଚିନ୍ତା କେଉଁଥିକୁ ?’’ ସୁଲକ୍ଷଣା ଦେବୀ କହିଲେ, ‘‘ସେ କଥା କ’ଣ ବାବାଙ୍କୁ ଅଜଣା ? ସବୁଦିନେ ତ ଆମେ ନଥିବା ! ତାଙ୍କର ତ ବଳବଅସ ସବୁଦିନ ରହିବ ନାଇଁ । ବାବାଙ୍କ ପରି ନିରାଲମ୍ବ ହୋଇ କ’ଣ ବିମଳ, ଦୁର୍ଗା ଚଳିପାରିବେ ? ସଂସାର ଯଦି କରିବେ, ତେବେ ଆଗରୁ କରନ୍ତେ ବୋଲି ବିଚାରୁଛି ! ମାଇକିନିଆଁ ଲୋକଙ୍କର ତ ସେତିକି ଚିନ୍ତା !’’

 

ବାବା ଟିକିଏ ଚିନ୍ତିତ ହୋଇ କହିଲେ, ‘‘ଦେଈ ! ଆରଥର ଏଇକଥା ଉଠେଇଥିଲ । ଏଥର ତମେ ଆସିବା ବେଳୁଁ ମୁଁ ବିଚାରୁଛି ଏ ବିଷୟରେ ଗୋଟେ ଫଇସଲା କରିଦେବା ବୋଲି । ଆଜି ତ କଥା ପଡ଼ିଲାଣି, ପଡ଼ୁ । ଦି’ଜଣ ଯାକଙ୍କର ପ୍ରସ୍ତୁତି ଟିକିଏ ଭଲକରି ବାରିବାକୁ ମୁଁ ତକେଇଥିଲି । ତରତରରେ କିଛି ଗୋଟାଏ ମାଡ଼ି ମକଚି କରିଗଲେ, ଜୀବନତମାମ ପିଲେ ଦଣ୍ଡ ପାନ୍ତେ । ଆମେ ମୁରବି ବୋଲି ତ ସବୁ ଆମ ମନରେ କରିଦେବା ନାଇଁ । ପିଲାଙ୍କ ମନ ଧରି ଚଳିବାକୁ ହୁଏ । ମୋର ତ ମନେ ହେଉଚି , ତାଙ୍କ ମନ ମୁଁ ଜାଣି ସାରିଲିଣି ।’’

 

ସିଧୁବାବୁ ଉତ୍କଣ୍ଠିତ ସ୍ଵରରେ କହିଲେ, ‘‘ତେବେ କ’ଣ ଦୁର୍ଗି ମଙ୍ଗିଛି ?’’

 

ସୁଲକ୍ଷଣା ଦେବୀ ମାରି ମିଶିଲା ପରି କହିଲେ, ‘‘ତମେ ଯେଉଁକଥା ନ ବୁଝିବ, ସେଥିରେ ମୁଣ୍ଡ ପୂରାଅ କାହିଁକି ଯେ । ଦୁର୍ଗି ମନରେ ଯଦି ସିମିତି ଚିନ୍ତା ଥା’ନ୍ତା ସେ ଆମ ଆଗରେ ଟିକିଏ ଶଙ୍କି ନଯାଇ ବିମଳ ସାଙ୍ଗେ ବାହାର ଗାଁକୁ ଯା’ନ୍ତା ଭଲା ! କିମିତି ଓକିଲ ହୋଇଥିଲ କେଜାଣି !’’

 

ବାବା ହସି ହସି କହିଲେ, ‘‘ଦୁର୍ଗା ବିଷୟରେ ମୋର କୌଣସି ଚିନ୍ତା ନାଇଁ । ସଂସାରକୁ ନିଜର ଘର ବୋଲି ଯେ ମନେ କରିପାରିବ, ତା’ର ଅଭାବ କିଛି ରହିବ ନାଇଁ । ସେଇ ଭାବ ତା’ର ଆସିଛି । ଖାଲି ଏଠାରେ ନୁହେଁ, ଏଠାରୁ ଦଶକୋଶ ଆକ୍ରାନ୍ତରେ ଲୋକେ–ସ୍ତ୍ରୀ, ପୁରୁଷ, ପିଲାଝିଲା ସମସ୍ତେ ତା’ର ସେବା କରିବାକୁ , ତା’ ମୁହଁରେ ଆନନ୍ଦ ଟିକିଏ ଉକୁଟାଇବାକୁ ଉତ୍କଣ୍ଠିତ । କ୍ରମେ ତା’ ହୃଦୟର ପବିତ୍ରତା ଯେତିକି ଜଣାପଡ଼ିବ, ତା’ ପ୍ରଭାବ ସେଇ ଅନୁସାରେ ବଢ଼ିବ । କିନ୍ତୁ ବିମଳର କଥା ସ୍ଵତନ୍ତ୍ର ।’’

 

ସୁଲକ୍ଷଣା ଦେବୀ କହିଲେ, ‘‘ମୁଁ ସେ କଥା ଆଗରୁ ବାରିଛି, ବାବା । ତା’ର ବିଭାହେବା ଦରକାର; ସେ ଘରୁଆ ମଣିଷ । ଘରେ ସୁଖରେ ରହିଲେ ସେ ପଚିଶଜଣଙ୍କର ସୁଖପାଇଁ ଲାଗିବ । ପଚିଶଜଣଙ୍କ ସୁଖରେ ସେ ନିଜର ସୁଖକୁ ଭୁଲିଯାଇ ପାରିବ ନାହିଁ । ଏଇଥିପାଇଁ ମୁଁ ମୂଳରୁ ଲଗେଇଛି ତାକୁ ହାତକୁ ଦି’ ହାତ କରିଦେବି । ୟେ କି ଓକିଲାତି ପଢ଼ିଛନ୍ତି କେଜାଣି, ୟାଙ୍କୁ ଏ କଥାଗୁଡ଼ାକ ବୁଝାପଡ଼େ ନାହିଁ । ଖାଲି ନଜିର ଦେଖାନ୍ତି, ‘ଅମୂକ ଲୋକ ବାହା ହୋଇନାହିଁ, ସମୁକ ଲୋକ ବାହା ନହୋଇ ମହା ଆନନ୍ଦରେ ଅଛି, ଆମ ବିମଳ ବାହା ନ ହେଲେ ନାଇଁ । ନିଜ ବିମଳଟି କୋଉ ଧାତୁର ମଣିଷ ଜାଣିଲେ ସିନା ହେବ ! ଆଚ୍ଛା, କହିଲେ ଭଲା ବାବା, ଏଠାରେ ଯଦି ଦୁର୍ଗି ନଥାନ୍ତା, ତେବେ ବିମଳ ଏତେ ମନସୁଖରେ ଏତେ କାମରେ ମାତି ପାରନ୍ତା ଭଲା ?’’

 

ବାବା ସୁଲକ୍ଷଣା ଦେବୀଙ୍କ ଅନୁଭବ–ଲବ୍‌ଧ ମନସ୍ତତ୍ତ୍ଵଜ୍ଞାନ ଦେଖି ବିସ୍ମିତ ହୋଇ କହିଲେ, ‘‘ଦେଈ ! ତମେ ଅନୁଭବରେ ଯାହା ଜାଣିଚ, ଅନେକ ଲୋକ ପଢ଼ି ପଢ଼ି ବୁଢ଼ା ହୋଇ ମଧ୍ୟ ଏହାର କାଣିଚାଏ ବି ଜାଣନ୍ତି ନାହିଁ । ଆଉ ଗୋଟିଏ କଥା ତୁମେ ବାରିଥିବ । ଯେଉଁମାନଙ୍କର ମନ ଘରର ସୁଖପାଇଁ ଧାଏଁ, ସେମାନେ ଠାଏ ହାରିଲେ, ଆଉଠାଏ ଆଉଜିଯା’ନ୍ତି । ବିମଳର ସେଇଆ ହୋଇଛି । ଦୁର୍ଗିକୁ ଭଉଣୀ ବୋଲି ମାନିଯିବା ଦିନୁଁ ତା’ର ମନ ଆଉ ଜଣଙ୍କଠାରେ ରସିଛି । ତମେ ଯଦି ପସନ୍ଦ କରିବ, ତେବେ ସେଇଠେଇ କରିଦେବା । ନହେଲେ ଦେଖିବା, ଠାକୁରାଣୀ ତା’ ମନକୁ ଅନ୍ୟତ୍ର ଘୁଞ୍ଚାଉଛି କି ନାହିଁ ।’’

 

ସିଧୁବାବୁ ଏଇଠାରେ ଆବୁଡ଼ାପଡ଼ି କହିଲେ, ‘‘ବିମଳର ବୟସ ହୋଇଗଲାଣି । ତା’ ମନକୁ ଠା’କୁ ଠା’ କରିବା ହୁଏତ ଠିକ୍ ହେବ ନାହିଁ । ଆପଣ ଯଦି କୌଣସି ଅଭାବ ଦେଖୁନାହାନ୍ତି ତେବେ ସେ ଯାହାକୁ ଇଚ୍ଛା ତା’କୁ ଗ୍ରହଣ କରିଯାଉ ।’’

 

ସିଧୁବାବୁଙ୍କ ଭାଗ୍ୟ, ସୁଲକ୍ଷଣା ଦେବୀ ଏଥିରେ ସ୍ୱର ମିଳାଇ ଦେଲେ । ସେ କହିଲେ, ‘‘ବାବା, ବିମଳ କଥା ଆପଣଙ୍କୁ ଲାଗେ । ସେ ତା’ ମନକୁ ଆପଣଙ୍କ ପାଖେ ଆଉଜି ଯାଇଛି । ଆମକୁ ବି ଏଇଠାକୁ ଟାଣି ଆଣିଛି । ତା’ ବାପା ତ କହୁଛନ୍ତି, ଆପଣଙ୍କ ଚରଣଧୂଳି ପାଇବା ଦିନୁଁ ସେ ନିଶ୍ଚିନ୍ତ ହୋଇଛନ୍ତି । ଆପଣଙ୍କୁ ଯାହା ଭଲ ଦିଶୁଛି ସେଇପରି ହେଉ । ସବୁ ଠିକ୍ ଠାକ୍ କରି ଆମକୁ ଖାଲି ଦିନ କହିଦେଲେ ଆମେ ତିଆର ହୋଇଯିବୁ ।’’

 

ବାବା ରାଧିଅପାଙ୍କ କଥା ଉତ୍‌ଥାପନ କଲେ । ସୁଲକ୍ଷଣା ଦେବୀ ତ ମୂଳରୁ ତା’ଠାରେ ଶ୍ରଦ୍ଧା ରଖିଥାନ୍ତି । ତା’ ଚାଲିଚଳନ, ରୂପ, ଘରକରଣାପଣର ସେ ବର୍ଣ୍ଣନା କରି କହିଲେ, ‘‘କେବଳ ଗୋଟିଏ କଥା । ସେ ପରା କ’ଣ ଖିରସ୍ତାନ ବୋଲି ଶୁଣିଥିଲି । ପିତୃପୁରୁଷ ଯେବେ ତା’ ପିଲାଙ୍କଠାରୁ ପାଣି ନ ପାଇବେ, ତେବେ ମଙ୍ଗଳ କୃତ୍ୟରେ କ’ଣ ଫଳ–ଖାଲି ଏତିକି ବିଚାରୁଚି ।’’

 

ବାବା କହିଲେ, ‘‘ସେ ସବୁ କଥା ମୁଁ ବିଚାରିଛି । ବିମଳର ମନର ଭାବ ଅନୁମାନ କରି ମୁଁ ରାଧିର ଢଙ୍ଗରଙ୍ଗ ଲକ୍ଷ୍ୟ କଲି । ସେ ତ ତା’ ମନକୁ ଖୁବ୍ ରୋକିପାରେ । କିନ୍ତୁ ମାଳତୀ ବାରିଛି; ମୁଁ ବି ବାରିଛି, ବିମଳ ହାତ ଧରି ପାରିଲେ ସେ ସୁଖ ପାଇବ । ଗୁଡ଼ାଏ କାମ ହାତରେ ନେଇଛି, ସେଥିପାଇଁ ଆଉ ଜଣେ ମଣିଷ ଆଣିବାକୁ ପଡ଼ିବ । ଏଇ ଅସୁବିଧା ପାଇଁ କ’ଣ ଗୋଟାଏ ଜୀବନ ନଷ୍ଟ କରନ୍ତି ? ମୁକ୍ତିମଣ୍ଡପର ଜଣେ ପଣ୍ଡିତଙ୍କ ପାଖକୁ ଲେଖିଥିଲି । ହେଇଟି ତାଙ୍କ ଚିଠି ପଢ଼ ।’’

 

ଏହା କହି ନିଜ ବସ୍ତାନି ଭିତରୁ ଚିଠି ଖଣ୍ଡିକ ସେ ସିଧୁବାବୁଙ୍କ ହାତକୁ ବଢ଼ାଇ ଦେଲେ । ସିଧୁବାବୁ ସୁଲକ୍ଷଣା ଦେବୀଙ୍କୁ ଶୁଣାଇ ପଢ଼ିଲେ–‘ଖ୍ରୀଷ୍ଟଧର୍ମକୁ ଉଚିତ ବିଚାରରେ ବୈଷ୍ଣବଧର୍ମ ପରି ଗୋଟିଏ ସାମ୍ପ୍ରଦାୟିକ ଧର୍ମ ରୂପେ ଗ୍ରହଣ କରାଯାଇପାରେ । ସୃଷ୍ଟି ତତ୍ତ୍ଵ, ଭଗବତ୍‌ ତତ୍ତ୍ଵ ଓ ଆଚାର ବ୍ୟବହାରର ବିଚାରରେ ସେ ଧର୍ମକୁ ‘ଅଧର୍ମ’ ବୋଲି ଗ୍ରହଣ କରିବାର କାରଣ ଥିଲେ ହେଁ, ଯୁଗୋଚିତ ସମୀକ୍ଷାରେ ତାହାର ନିରାଶ ଅଯୌକ୍ତିକ ନୁହେ । ସ୍ମାର୍ତ୍ତ ବ୍ରାହ୍ମଣ ଓ ବୈଷ୍ଣବ ବ୍ରାହ୍ମଣଙ୍କ ମଧ୍ୟରେ ଯେଉଁ ଦୃଷ୍ଟିରେ ବୈବାହିକ ସମ୍ବନ୍ଧ ଧର୍ମର ପ୍ରତିକୂଳ ନୁହେ, ଏ ସମ୍ବନ୍ଧକୁ ମଧ୍ୟ ସେହି ଦୃଷ୍ଟିରେ ବିଚାର କରିବା ଯୁଗୋଚିତ ହୋଇପାରେ ଲୋକାଚାରର ପ୍ରତିକୂଳ ହୋଇଥିବାରୁ ଏପରି ସମ୍ବନ୍ଧ ଗୃହଣୀୟ ନ ହେଲେ ହେଁ ସ୍ଥଳ ବିଶେଷରେ ଅନୁମତି ଦିଆଯାଇପାରେ । ଆପଣ ଯେଉଁ ପ୍ରସଙ୍ଗଟି ଲେଖିଛନ୍ତି, ସେଥିରେ ଆଉ ଗୋଟିଏ ଦିଗରୁ ପ୍ରତିବନ୍ଧକ ଦୁର୍ବଳ ହେଉଛି । ଖ୍ରୀଷ୍ଟିଆନ ଓ କରଣଙ୍କ ଭିତରେ କରଣ, ଉଚ୍ଚକୂଳ ବୋଲି ସ୍ୱଚ୍ଛନ୍ଦରେ କୁହାଯାଇପାରେ । ଉଚ୍ଚକୂଳର ବର ନୀଚ କୂଳର ପତ୍ନୀ ଗ୍ରହଣ କଲେ ବିବାହ ଅନୁଲୋମ ଅଖ୍ୟାତ ହେବ । ଅନୁଲୋମ ବିବାହ ସ୍ମୃତି–ସମ୍ମତ । ସର୍ବୋପରି ସ୍ତ୍ରୀ ଜାତି, ପତି ଠାରୁ ସ୍ୱତନ୍ତ୍ର ହୋଇ ନ ପାରେ । ବିବାହ ପୂର୍ବରୁ ସ୍ତ୍ରୀର ଜାତି ଯାହା ହେଉ ପଛେ ବିବାହ କର୍ମ ପରେ ସେ ପତିର ଜାତି ଓ କୂଳର ଅଧିକାରିଣୀ ହେବ । କିମଧିକମିଦମ୍-।’’

 

ପତ୍ରପାଠ ପରେ ସିଧୁବାବୁ ହସି ହସି କହିଲେ, ‘‘ସମସ୍ତେ କହନ୍ତି, ଆମେ ଓକିଲମାନେ କଳାକୁ ଧଳା କରିପାରୁ । କିନ୍ତୁ ଏ ବ୍ରାହ୍ମଣମାନେ ଆମକୁ ବଳନ୍ତି ।

 

ବାବା ଉତ୍ତର ଦେଲେ, ‘‘ ସେମାନେ ତ ଆମ ଜାତିର ଓକିଲ ! ପ୍ରତ୍ୟେକ ବିଶିଷ୍ଟ ସ୍ଥଳରେ ଶାସ୍ତ୍ରକୁ ଯଦି ଉଦାରଭାବେ ଅର୍ଥ କରି ଲଗାଇ ନହେଲା ତେବେ ତ ଶ୍ରୁତିସ୍ମୃତି ଚିରନ୍ତନ ହୋଇପାରିବ ନାହିଁ.... । ଆଉ ଗୋଟିଏ ମାତ୍ର ଅନ୍ତରାୟ । ଆପଣଙ୍କର କୁଟୁମ୍ବାଦିର ସମସ୍ତେତ ବିଷୟଟିକୁ ସମାନ ଭାବରେ ଗ୍ରହଣ କରିବେ ନାହିଁ । ଅବଶ୍ୟ ବର୍ଷ କେଇଟା ପରେ ସେମାନଙ୍କର ଆପତ୍ତି ରହିବ ନାହିଁ । ସବୁ ଚଳିଯିବ । ଆଜି ସମାଜରେ ସବୁ ଚଳିଯାଉଛି । କିନ୍ତୁ ଭବିଷ୍ୟତ ପ୍ରତି ଦୃଷ୍ଟି ରଖି ସେମାନଙ୍କ ପାଖେ ଆଗରୁ ପ୍ରାର୍ଥୀ ହେବାକୁ ପଡ଼ିବ । ଯେଉଁମାନେ ବିଷୟଟି ଉଦାର ଭାବେ ବିଚାର କରିବେ ସେମାନେ ତ; ସମ୍ମତି ଦେବେ । ଯେଉଁମାନେ ଆଜି ବିରୋଧ କରିବେ ସେମାନେ ଯେପରି ଭବିଷ୍ୟତରେ ନ କହନ୍ତି ଯେ ଆପଣ ପୂର୍ବରୁ ସେମାନଙ୍କୁ ଅବଜ୍ଞା କରିଥିଲେ ।’’

 

ସିଧୁବାବୁ ସମ୍ମତ ହେଲେ । ମାଘ ମାସ ତିଥିରେ ବିବାହ ହେବାର ଏକରକମ ସ୍ଥିର ହେଲା । ସୁଲକ୍ଷଣା ଦେବୀ ଧରି ବସିଥିଲେ, ଗାଁକୁ ଯାଇ ବିଭାଘର ସକାଶେ ସବୁ ଆୟୋଜନ କରି ଆଣିବେ । ସିଧୁବାବୁଙ୍କ ନିଷେଧରେ ସେ ତୁନି ହେଲେ । ବିମଳା ମନ୍ଦିରରେ ବିଭାଘର ହେବାର ହେଲା । ବିମଳ ଓ ରାଧାଙ୍କର କାର୍ଯ୍ୟକ୍ଷେତ୍ରରେ ହିଁ ସେମାନଙ୍କର ଉପଯୁକ୍ତ ବରଯାତ୍ରୀ ଓ କନ୍ୟାସଖୀ ମିଳିବେ ।

 

ଏକା ତିଥିରେ ଯୋଗୀମାଷ୍ଟ୍ରେ ଓ ଅପସରାର ମଙ୍ଗଳକୃତ୍ୟ ସମ୍ପନ୍ନ କରିବାକୁ ବାବା, ଯୋଗୀମାଷ୍ଟ୍ରଙ୍କ କୁଟୁମ୍ବର ପୁରୁଖାମାନଙ୍କୁ ସେଇଦିନ ସନ୍ଧ୍ୟାକୁ ଡକାଇ ପଠାଇଲେ ।

☆☆☆

 

ପାନ୍ଥକୁ ଚାହିଁ ପନ୍ଥା

 

ଜାନୁଆରୀ ମାସର ୧୫ ତାରିଖ, କଟକର ଇତିହାସରେ ଗୋଟିଏ ବଡ଼ ଘଟଣା ହୋଇ ରହିବ । ସେଦିନ ଭାରତର ପ୍ରଧାନମନ୍ତ୍ରୀଙ୍କ ବାଲିଯାତ୍ରା ପଡ଼ିଆରେ ଭାଷଣ ଦେବା ଉପଲକ୍ଷରେ ଯେତେ ଲୋକ ହୋଇଥିଲେ ସେତେ ଲୋକ ଆଉ କେବେ ହୋଇ ନଥିଲେ । ପୁଲିସଙ୍କ ହିସାବରେ ଲକ୍ଷ ବୋଲି ବାହାରିଲା, ଖବରକାଗଜ ବାଲାଙ୍କର ଦୁଇଲକ୍ଷ । ସାଧାରଣତଃ ଏହି ଦୁହିଁଙ୍କ ମଝିରେ ସତ ଚିପି ହୋଇ ରହିଯାଏ । ତେଣୁ ଦେଢ଼ ଲକ୍ଷ ଲୋକ ହୋଇଥିଲେ ବୋଲି ନିର୍ଦ୍ୱନ୍ଦ୍ଵରେ କୁହାଯାଇପାରେ । ଅଧେ ଲୋକ ଖାସ୍ କଟକ ସହରର, ବାକି ଅଧିକ ଆସିଛନ୍ତି ଦୂରଦୂରାନ୍ତ ମଫସଲରୁ । ସୁଦୁର କୋରାପୁଟ, କଳାହାଣ୍ଡିରୁ ବି ଲୋକେ ଆସିଥାନ୍ତି । ଏମାନେ କିନ୍ତୁ ରାଜନୀତିକ ଚେତନା ଥିବା ଲୋକେ । କଟକ ମଫସଲରୁ ଆସିଥାନ୍ତି ଜନତା–ଯେଉଁମାନଙ୍କର ଏକମାତ୍ର ଉଦ୍ଦେଶ୍ୟ, ଭାରତର ଭାଗ୍ୟବିଧାତାଙ୍କୁ ଦେଖିବେ । ଏଇମାନଙ୍କ ମେଳରେ ଆସିଥାନ୍ତି ଦୁର୍ଗାଦେବୀ ଓ ମାଳତୀ । ତାଙ୍କ ଗାଁର ମରଦ ମାଇକିନିଆ ହୋଇ ପ୍ରାୟ ୨୫ ଜଣ ସାଙ୍ଗରେ ଥାନ୍ତି-

 

ପାଞ୍ଚଟା ବେଳେ ସଭା ହେବାକୁ ନୋଟିସ୍ ଦିଆହୋଇଥାଏ; ଅସଲ ଭିତରି ସମୟ ଛ’ଟା । ପ୍ରଧାନମନ୍ତ୍ରୀ ଚା’ ଜଳଖିଆ ଖାଇ ପାଞ୍ଚଟାରେ ଭୁବନେଶ୍ଵରରୁ ବାହାରିବେ । କୌଣସି ଭିତରି ଖବର ତ ଆଉ ଭିତରେ ରହୁନାହିଁ । ପ୍ରଧାନମନ୍ତ୍ରୀ ୬ଟାରେ ପହଞ୍ଚିବେ ବୋଲି ନିଧାର୍ଯ୍ୟ ଶୁଣିଥିବା ଲୋକେ ବି ୪ଟା ଆଗରୁ ଆସି ସଭାସ୍ଥଳରେ ରୁଣ୍ଡ ହୋଇଗଲେ । କଟକରେ ବସା ଠିକଣା କରି ନଥିବାରୁ ଦୁର୍ଗାଦେବୀ ଓ ତାଙ୍କ ସହ ଯାତ୍ରୀମାନେ ବସ୍‌ରୁ ଓହ୍ଲାଇବା ସାଙ୍ଗେ ସାଙ୍ଗେ ସଭାରେ ଆସି ପହଞ୍ଚିଥାନ୍ତି । ପ୍ରଧାନମନ୍ତ୍ରୀଙ୍କ ପାଇଁ ଯେଉଁଠି ମଞ୍ଚ ତିଆରି ହୋଇଥାଏ ସେଇଠାରୁ ଅଳ୍ପ ଦୂରରେ ଏମାନେ ଥାନ ପାଇଥାନ୍ତି । କ୍ରମେ କ୍ରମେ ସମୁଦ୍ରପରି ଲୋକ ମାଡ଼ି ଆସିଲେ । ଦୁର୍ଗାଦେବୀଙ୍କ ପଛଆଡ଼କୁ ପ୍ରାୟ ୨ ଫର୍ଲଙ୍ଗ୍‌ ଯାଏଁ ମଣିଷ ଲାଗିଥାନ୍ତି । ପିଲାଙ୍କ କାନ୍ଦଣା, ସ୍ତ୍ରୀଲୋକମାନଙ୍କ ଦୁଃଖସୁଖ କଥାବାର୍ତ୍ତା ଓ ଭେଣ୍ଡିଆମାନଙ୍କ ଭିତରେ ବସିବା ସ୍ଥାନ ନେଇ କଳିତକରାଳରେ ଦଶଟା ହାଟର ହୋ ହା ଶୁଭୁଥାଏ ।

 

୬ଟା ବାଜି ଦଶ ମିନିଟ୍‍ ବେଳକୁ ଡାକବାଜି ଯନ୍ତ୍ରରେ ପ୍ରଚାର ବିଭାଗ ବାଲା ଡାକିଦେଲେ, ‘‘ଆପଣମାନେ ସମସ୍ତେ କଥାବାର୍ତ୍ତା ବନ୍ଦ କରନ୍ତୁ, ପ୍ରଧାନମନ୍ତ୍ରୀ ଆସିଗଲେଣି । ସମସ୍ତେ ନିଜ ନିଜ ସ୍ଥାନରେ ବସି ଯାନ୍ତୁ ।’’

 

ଏ କଥାକୁ ଲୋକେ ଅଧାଅଧି ମାନିଲେ । ସମସ୍ତେ ଖୁନ୍ଦାଖୁନ୍ଦି ହୋଇ ଆଗ ବସି ପଡ଼ିଲେ । ଯେଉଁ କଥାବାର୍ତ୍ତା ଚାଲିଥିଲା ତାହା ବନ୍ଦ ହୋଇ ସାଙ୍ଗେ ସାଙ୍ଗେ ପ୍ରଧାନମନ୍ତ୍ରୀଙ୍କ ଜୟଜୟ ନାଦରେ ସଭାସ୍ଥଳ ମୁଖରିତ ହେଲା–ତା’ର ଟିକକ ପରେ ଗୋଟିକଠାରୁ ସମସ୍ତେ ଠିଆ ହୋଇ ପଡ଼ିଲେ, ପ୍ରଧାନମନ୍ତ୍ରୀ ମଞ୍ଚ ଉପରକୁ ଉଠିବାର ଦେଖିବାକୁ । ଯେ ମଞ୍ଚାକୁ ଉଠିଲେ ସେ ପ୍ରଧାନମନ୍ତ୍ରୀ ନୁହନ୍ତି, ଆମ ରାଜ୍ୟର କଂଗ୍ରେସ କମିଟିର ସଭାପତି ବୋଲି ଦେଖି, ଲୋକଙ୍କ ଭିତରେ ଥଟ୍ଟା, ବିରକ୍ତ , ଅସହିଷ୍ଣୁତା ଓ କ୍ରୋଧ ଜାତ ହେଲା । ପିଲାଙ୍କର ହ୍ଵିସିଲ୍‍ ବଜାଇବା ଆରମ୍ଭ ହେଲା । ପ୍ରଚାର ବିଭାଗର ଡାକବାଜି–ଭାଷଣ ୟାରି ଭିତରେ ଚାଲିଥାଏ । ଅସହିଷ୍ଣୁ ଜନତା ଏହି ଭାଷଣର ପ୍ରତି ବାକ୍ୟ କାହିଁକି, ପ୍ରତି ପଦ ଉପରେ ଟିପ୍‍ପଣୀ କରୁଥାନ୍ତି ।

 

ଆହୁରି ୨୦ ମିନିଟ୍‌ ଲାଗିଲା । ପ୍ରକୃତରେ ଯେତେବେଳେ ପ୍ରଧାନମନ୍ତ୍ରୀ ଆସିଲେ, ସେତେବେଳକୁ ପ୍ରଚାର ବିଭାଗ ଅଫିସର୍‍ଙ୍କର ଆଉ ପ୍ରବୃତ୍ତି ନଥାଏ କିଛି କହିବାକୁ, ଲୋକଙ୍କର ବି ପ୍ରବୃତ୍ତି ନଥାଏ ଶୁଣିବାକୁ । ବାଧ୍ୟ ହୋଇ ଯେତେବେଳେ ସେ ଜଣାଇଦେଲେ, ‘ହେଇଟି ପ୍ରଧାନମନ୍ତ୍ରୀ ଆସୁଛନ୍ତି––ଆସିଗଲେଣି ଆପଣମାନେ ତୁନି ହୁଅନ୍ତୁ ।’ ସେତେବେଳେ ପିଲମାନେ ସବୁଠାରୁ ବଡ଼ ସ୍ଵରରେ ହୁଇସିଲ୍‌ ଦେଲେ, ଦୁଇ ଚାରିଜଣ କହି ଉଠିଲେ, ‘‘ବାବାରେ ଆଲୁଅ, ଜଣେ ଖୁବ୍ ବଡ଼ ପାଟିରେ ଚିତ୍କାର କଲା, ‘‘ଆପଣ ତୁନି ହୁଅନ୍ତୁ, ଆପଣଙ୍କ ବକ୍ତୃତା ଶୁଣିବାକୁ ଆମେ ଆସିନାହୁଁ ।’’ ଗଣ୍ଡଗୋଳ ଏତେ ବେଶୀ ହେଲା ଯେ ଶାନ୍ତିରକ୍ଷାକାରୀ ପୁଲିସ୍ ସଭାର ବିଭିନ୍ନ ସ୍ଥାନକୁ ଜୋରରେ ଧାଇଁଲେ ।

 

ସଭାର ଏଇ ଅବସ୍ଥାରେ ପ୍ରଧାନମନ୍ତ୍ରୀ ମଞ୍ଚ ଉପରକୁ ଉଠି ଉତ୍‌କ୍ଷିପ୍ତ ହୋଇ ଉଠିଲେ । ରାଗରେ ତାଙ୍କ ମୁଖ ବିକୃତ ହୋଇଗଲା । ବିଧିରେ ସଭାକାର୍ଯ୍ୟ ଆରମ୍ଭ ହେବାକୁ ନଦେଇ ସେ ଡାକବାଜି ଯନ୍ତ୍ର ଟାଣି ନେଇ କହିବାକୁ ଆରମ୍ଭ କଲେ, ‘‘ୟେ କ’ଣ କଟକର ନାଗରିକମାନଙ୍କର ସଭା ନା ଗୁଣ୍ଡାମାନଙ୍କର ଜମାଏତ୍‌ବସ୍ତ । ସଭା ସମିତିରେ କିପର ବସିବାକୁ ହୁଏ ତାହା ତୁମେମାନେ ଯେତେଦିନ ଜାଣିନାହଁ, ସେ ପର୍ଯ୍ୟନ୍ତ ଭାରତର ଅଗ୍ରଗତି ଅସମ୍ଭବ । ସବା ଆଗରୁ ମୁଁ ଚାହେ ଶାନ୍ତି ଶୃଙ୍ଖଳା । ଦରକାର ହେଲେ, ପୁଲିସ ଲଗାଇ ଲାଠିମାଡ଼ ଦେଇ ମୁଁ ଲୋକଙ୍କୁ ଶାନ୍ତିଶୃଙ୍ଖଳା ଶିଖାଇବା ପରେ, ମିଛି ଲୋକପ୍ରିୟତା ଅର୍ଜିବା ପାଇଁ ଏସବୁ ସହିପାରିବି ନାହିଁ ।’‘

 

ଅଧିକାଂଶ ଲୋକ ଏ କଥାରେ ତ୍ରସ୍ତ ହୋଇଗଲେ । ଅଳ୍ପ କେତେଜଣ ନିଜ ନିଜ ବସିବା ସ୍ଥାନରୁ ପାଟିକଲେ, ‘‘ସଭାକୁ କିପରି ଆସିବାକୁ ହୁଏ, ଆପଣ ଯେଉଁ ଦିନ ଜାଣିବେ ସେଇଦିନ ଆମେ ଜାଣିବୁ ସଭାରେ କିପରି ବସିବାକୁ ହୁଏ ?’’ ଆଉ ଜଣେ ଦୁଇଜଣ ପଚାରିଦେଲେ, ‘‘ଆପଣଙ୍କ ହାତରେ ଯେଉଁ ଘଣ୍ଟା ଅଛି ତାହା ଚାଲୁଛି ନା ?’’ ଏଥିରେ ସମସ୍ତେ ଫେଁ କିନି ହସି ଦେଲେ । ଏ ଶବ୍ଦ କାନରେ ବାଜିବା ସଙ୍ଗେ ସଙ୍ଗେ ପ୍ରଧାନମନ୍ତ୍ରୀ ଆଉରି ଉତ୍ତେଜିତ ହୋଇଗଲେ; ଆହୁରି ଟାଣ ଭାଷାରେ ଗାଳିବର୍ଷଣ କଲେ । କ୍ଷଣିକ ଉତ୍ତେଜନାର ତୋଡ଼ରେ ସେ ଦେଶର ସମସ୍ୟାର ଉତ୍ତେଜିତ ବିଶ୍ଳେଷଣ ଆରମ୍ଭ କଲେ, ‘‘ଶାନ୍ତି ଶୃଙ୍ଖଳାର ଜ୍ଞାନ ନଥିବାରୁ ସରକାର ଯେତେ ଉଦ୍ୟମ କଲେ ବି ଆଶାନୁରୂପ ଫଳ ହେଉନାହିଁ । ଯୋଜନା ପରେ ଯୋଜନା ଚାଲିଛି । କିନ୍ତୁ ଲୋକେ ଶୃଙ୍ଖଳିତ ଓ ଶିକ୍ଷତ ନଥିବାରୁ ସେଥିରେ ପୂର୍ଣ୍ଣ ସହଯୋଗ କରୁନାହାନ୍ତି । ଅଭାବ ଅନଟନ ଭିତରେ ଦାଣ୍ଡପିଣ୍ଡାରେ ବସି ରହିଚନ୍ତି; ଡାକିଲେ ବି ପିଣ୍ଡାରୁ ତଳକୁ ଖସୁ ନାହାନ୍ତି । ଏଇ ଅବସ୍ଥାରେ ହେବ କ’ଣ ?’’ ଏତେବେଳକୁ ଲୋକେ ତୁନି ହୋଇଯାଇଥାନ୍ତି । ଯେଉଁମାନେ ସଭାର ଶେଷ ମୁଣ୍ଡକୁ ବସିଥିଲେ ବା ଠିଆ ହୋଇଥିଲେ ସେମାନେ ପ୍ରଧାନମନ୍ତ୍ରୀଙ୍କୁ ଦେଖି ସାରିବା ପରେ ଘରମୁହାଁ ଧରୁଥାନ୍ତି । ଭିତରେ ବସିଥିବା ଲୋକେ କିମିତି ବେଗେ ସଭା ସରିବ ସେଇ ଆଶାରେ ତୁନିଟି ହୋଇ ଅପେକ୍ଷା କରି ରହିଥାନ୍ତି । ଲୋକଙ୍କର ଶାନ୍ତି ଆସିବାର ଦେଖି ପ୍ରଧାନମନ୍ତ୍ରୀଙ୍କ ମୁଖମଣ୍ଡଳ ପ୍ରସନ୍ନ ହୋଇଗଲା । ସେ ଧୀର ଶାନ୍ତ ଭାବରେ ପୃଥିବୀ ଓ ଭାରତର ସମସ୍ୟା ବିଶ୍ଳେଷଣ କରିବାକୁ ଆରମ୍ଭ କଲେ, ‘‘ପୃଥିବୀ ବର୍ଷକୁ ବର୍ଷ କାହିଁକି, ଦିନକୁ ଦିନ ଆଗଉଛି । ବିଜ୍ଞାନ ପ୍ରକୃତିକୁ ଅକ୍ତିଆର କଲାଣି । ଏତେବେଳେ ଅତୀତର କୁସଂସ୍କାର ସବୁ ଛାଡ଼ିବାକୁ ହେବ । ବିଜ୍ଞାନର ଯୁଗରେ, ଅନ୍ଧ ଧର୍ମବିଶ୍ୱାସର ସ୍ଥାନ ନାହିଁ । ନିଆଁରେ ଘିଅ ଢାଳି ପରମାର୍ଥ ପାଇବାର ବେଳ ଗଲାଣି-!’’

 

ଏଇଠାରେ ଦୁର୍ଗାଦେବୀ ହଠାତ୍ ଠିଆ ହୋଇ ପଡ଼ି ପାଟିକଲେ ‘‘ମୋର କିଛି କହିବାର ଅଛି’’ । ସାଙ୍ଗେ ସାଙ୍ଗେ ଚାରିଆଡ଼ୁ ପାଟି ହେଲା, ‘‘ବସିପଡ଼’’ । ପାଖରେ ବସିଥିବା ଜଣେ ବୁଢ଼ା କହିଲେ, ‘‘ଆଲୋ ବାୟାଣୀ ! ବସି ପଡ଼, ବସି ପଡ଼ । ତୋରି କ’ଣ ଖାଲି କହିବାକୁ ଅଛି ? ମୋର ବି କହିବାକୁ ଅଛି । ପାଠ ଡାକୁଛି, ବଡ଼ ଲୋକକୁ ଉତ୍ତର ନାଇଁ । ଏତେବେଳେ ତାଙ୍କ ରାଜୁତି ! ସେ ଯାହା କହିବେ ସେଇଆ ପାଠ । ଏ ଦେଶଖଣ୍ଡ ତ ସ୍ଵେଚ୍ଛାଚାରୀଙ୍କ ଚରାଭୁଇଁ ହୋଇଗଲାଣି । ଯେଝା ବେଳରେ ଯେ ଯାହା କହି ଯାଉଛନ୍ତି ସହିଯାଅ । ବଢ଼ି ପାଣିପରି ତାଙ୍କ କଥା ସୁଅ ମୁହଁରେ ଚାଲିଛି । ତୋ କଥା, ମୋ କଥା ଶୁଣୁଛି କିଏ ? ବସି ପଡ଼ ।’’

 

ଦୁର୍ଗା ବସିବା ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ଶରୀରରକ୍ଷୀ ଚାରିଜଣ ଧାଇଁଆସି, ଦୁର୍ଗାଙ୍କୁ ସଭାସ୍ଥଳରୁ ବାହାରକୁ ନେଇ ଯିବାକୁ ବସିଲେ । ଦୁର୍ଗା ପାଟିକରି କହୁଥାନ୍ତି, ‘‘ଆପଣ ଦେଶରେ ସର୍ବଶ୍ରେଷ୍ଠ । ଆପଣଙ୍କ ମୁହଁରୁ କ’ଣ ଏଇ କଥା ଆଶା କରାଯାଏ ? ବିଦେଶରେ ଯାଇ ଏ ଦେଶର ସଂସ୍କୃତିକୁ ଟେକୁଛନ୍ତି । ଦେଶରେ ଅତୀତର ସଂସ୍କୃତିକୁ କୁସଂସ୍କାର ବୋଲି କାଟି ଦେଉଛନ୍ତି । ଯଜ୍ଞ ବିଷୟରେ ଆପଣ କ’ଣ ଜାଣନ୍ତି ?’’

 

ଆଉ କହିବା ପୂର୍ବରୁ ଶରୀରରକ୍ଷୀମାନେ ଗୋଟାସୁଦ୍ଧା ଦୁର୍ଗାଦେବୀଙ୍କୁ ଟେକିନେଲେ । ମାଳତୀ ସେମାନଙ୍କ ସପ୍ତପୁରୁଷକୁ ଶ୍ରାଦ୍ଧ କରି ଥରକୁ ଥର କହୁଥାଏ, ‘‘ବାଡ଼ିପଡ଼େ, କାହା ଦେହରେ ହାତ ଲଗେଇ ଦେଲ ? ବାଡ଼ିପଡ଼ାଙ୍କୁ ଧର୍ମ ସହିବ ?’’

 

ସଭାରେ ଟିକିଏ ଉତ୍ତେଜନା ଦେଖାଦେଲା । ପ୍ରଧାନମନ୍ତ୍ରୀଙ୍କ ବକ୍ତୃତା କିଛି ସମୟ ପାଇଁ ବନ୍ଦ ହୋଇଗଲା । ଘଟଣାଟା ବୁଝି ପ୍ରଧାନମନ୍ତ୍ରୀ ଲୋକଙ୍କୁ ବୁଝାଇ ଦେଲେ, ‘‘ତୁମମାନଙ୍କ ଚପଳତା ଦେଖି ମୋତେ ହସ ମାଡ଼ୁଛି । ଗୋଟାଏ ପାଟଳୀ ସଭା ଭିତରେ ଗଣ୍ଡଗୋଳ ଭିଆଇବାକୁ ବସିଥିଲା । ଶାନ୍ତିରକ୍ଷକମାନେ ତା’କୁ ନେଇଗଲେଣି । ଆପଣମାନେ ତୁନି ହୁଅନ୍ତୁ । ବର୍ତ୍ତମାନ ସମଗ୍ର ପୃଥିବୀ ଯେଉଁ ସମସ୍ୟାର ସମ୍ମୁଖୀନ ହୋଇଛି ସେଥିରେ ପାଗଳୀର ପ୍ରଳାପ ଆମକୁ ବିଚିତ୍ର କରିଦେଲେ ଚଳିବ କିପରି ?’’

 

ସଭା ଭିତରୁ ଜଣେ ପାଟି କଲା, ‘‘ପାଗଳର ପ୍ରଳାପ ବୋଲି କହନ୍ତୁ । ଏଡ଼େ ବଡ଼ ଗୋଳମାଳ ପରେ ଏକଥା କାହା କାନରେ ବାଜିଲା ନାହିଁ । ବକ୍ତୃତା ସୁରୁଖୁରୁରେ ଚାଲିଲା ।

 

X X X X

 

ପ୍ରଧାନମନ୍ତ୍ରୀ କଟକ ଛାଡ଼ିଲା ପରେ ଲାଲବାଗ୍‌ ଥାନା ଅଫିସରଙ୍କର ସମୟ ହେଲା, ସଭାରେ ଗିରଫ୍ ହୋଇଥିବା ପାଗଳୀ ‘ନାମରେ ଡାଇରି କରିବାକୁ । ପାଗଳୀର କଥାବାର୍ତ୍ତାରେ କୌଣସି ଅସଙ୍ଗତି ବା ଅସାମଞ୍ଜସ୍ୟ ନଦେଖି ସେ କ’ଣ କରିବେ ଠିକ୍ କରି ପାରୁ ନଥାନ୍ତି । ଆମ ଦେଶର ଧର୍ମ, ସଂସ୍କୃତିକୁ ତୁଚ୍ଛ କରି ପ୍ରଧାନମନ୍ତ୍ରୀ କହିବାବେଳେ ଜଣେ ଧାର୍ମିକ ଜାତୀୟବାଦୀ ଲୋକ ଉତ୍ତ୍ୟକ୍ତ ହେବା ଯେ ସ୍ଵାଭାବିକ ଏହା ସେ ବୁଝିପାରୁଥାନ୍ତି । ତାଙ୍କ ନିଜ ବାପା ଥରେ କହିଥିଲେ, ‘‘ଯଜ୍ଞରେ ଘିଅ ପୋଡ଼ିବା କୁସଂସ୍କାର ବୋଲି ତ ତୁମ ପ୍ରଧାନମନ୍ତ୍ରୀ କହୁଛନ୍ତି, ସେ ଯେଉଁ ପେଟ୍ରୋଲ ଯଜ୍ଞ କରୁଛନ୍ତି, ସଭ୍ୟ ଦେଶମାନେ ଯୁଦ୍ଧବେଳେ ଓ ଶାନ୍ତିବେଳେ ଯେଉଁ ଯେଉଁ ନରବଳି ଦେଉଛନ୍ତି, ତାହା କ’ଣ କୁସଂସ୍କାର !’’ ରାତି ପହରେଠାରେ ଗୋଟାଏ ଯୁବତୀକୁ ସେ କେଉଁଠି ରଖିବେ ଭାବି ହେଉଥାନ୍ତି । ସ୍ତ୍ରୀଲୋକଙ୍କୁ ହାଜତରେ ରଖନ୍ତେ ଯେ ସେଥିରେ ଚାରିଟା ଦକ୍ଷିଣିଆ ସ୍ତ୍ରୀଲୋକ ରହିଛନ୍ତି, ସେମାନେ ଆସ୍ଥାନରେ ଅଫିମ ଲୁଚାଇ ରେଳରେ ଯାଉଥିଲେ । ତାଙ୍କ ଦେହରୁ ଏପରି ଅଫିମ ଗନ୍ଧ ବାହାରୁଛି ଯେ ରାତିରେ ତାଙ୍କ ପାଖରେ ରହିଲେ ବିଚାରି ବେହୋସ୍ ହୋଇଯାଇପାରେ । ସବୁଠାରୁ ମୁସ୍କିଲ କରୁଥାଏ ମାଳତୀ । ଥାନାରେ ପହଞ୍ଚିଲାବେଳୁ ସେ ପାଟି ତୁଣ୍ଡ କରି ଥାନା କମ୍ପାଉଥାଏ । ଥାନାବାଲାଙ୍କୁ ବୁହେ ବୁହାଇଲା ପରେ ଦୁର୍ଗାଙ୍କୁ ଖୁଣୁଥାଏ, ‘‘ବାବା ନାହିଁ କରୁଥିଲେ, କଟକ ଆସିବାକୁ । ମାନିଲ ନାଇଁ, ବଳେଇ କରି ଆସିଲ ଯେ ପାଅ । ବିମଳାମନ୍ଦିରରେ ରହିବାବାଲା ଏ ଅସଣା ଜାଗାରେ ବସିବ କିମିତି କହିଲ ! ଏଡ଼େ ସୁନ୍ଦର ସୁନ୍ଦର ମଣିଷଟିମାନ ହେଇଚନ୍ତି, ଘର ଟିକିଏ ସଫାସୁତୁରା ରଖି ପାରୁ ନାହାନ୍ତି । ୟେ କ’ଣ ସଫାସୁତୁରା ରଖିବେ ଯେ ? ଆପେ ତ ଏଠେଇ ସିଠେଇ ପିକା–ପାଉଁଶ ପକାଉଛନ୍ତି, ମଣିଷ ମୁହଁରେ ଧୂଆଁ ଛାଡ଼ୁଛନ୍ତି !’’

 

ମାଳତୀର ଏଇ ବକ୍ତୃତା ଚାଲୁଥିଲାବେଳେ ଇନସ୍ପେକ୍ଟରବାବୁ ଆସି ପହଞ୍ଚିଲେ । ଘଟଣାଟା ଆଦ୍ୟପ୍ରାନ୍ତ ଶୁଣି ସେ ହସି ହସି କହିଲେ, ‘‘କାଲି ସକାଳେ ହାକିମକୁ କହି ୟାଙ୍କୁ ଖଲାସ କରିଦେବା । ପ୍ରଧାନମନ୍ତ୍ରୀଙ୍କ ଶରୀରରକ୍ଷୀ ଧରିଛନ୍ତି ନା, ମନକୁ ଛାଡ଼ିଦେଲେ ହେବନାହିଁ ।’’ ମାଳତୀ ଓଲଟା ଯୁକ୍ତି କଲା–‘‘ଆମେ ରାତିରେ କେଉଁଠି ରହିବୁ ଆଗ ଠିକଣା କର । ଇଂଗ୍‍ଲିସି ଚୋବୋଉଛ କ’ଣ ? ମାଇପି ଦି’ ଟା; ଆମେ ରାତିରେ ଯାଇ କୁଉଠି ମୁଣ୍ଡ ଗୁଞ୍ଜିବୁ ?’’

 

ବାଧ୍ୟ ହୋଇ ଇନିସ୍‌ପେକ୍ଟର ଫଇସଲା କଲେ–ମହିଳା ଦୁଇଟି ତାଙ୍କ ଘରେ ରାତିଟି କଟାଇବେ । ଏଇପରି ଫଇସଲା ମାସକେ ଥରେ, ଦୁଇଥର ହୁଏ । ଇନିସ୍‌ପେକ୍ଟର ଘରଣୀ ମଧ୍ୟ ସତେ ଯେପରି ପ୍ରତିଦିନ ଏଇପରି ଘଟଣାକୁ ଚାହିଁ ବସିଥାନ୍ତି । ଦୁର୍ଗା ଓ ମାଳତୀଙ୍କୁ ନେଇ ଜଣେ କନେଷ୍ଟବଳ ଇନିସ୍‌ପେକ୍ଟର ବାବୁଙ୍କ ଘରେ ପହଞ୍ଚାଇବାର ପାଞ୍ଚମିନିଟ ମଧ୍ୟରେ ତାଙ୍କ ପାଇଁ ରହିବାର ବନ୍ଦୋବସ୍ତ ହୋଇଗଲା । ପଖାଳ ପୁଞ୍ଜିଏ ପୁଞ୍ଜିଏ ମିଳିଗଲା । ଏଇ ପାଞ୍ଚ ମିନିଟ ଭିତରେ ପ୍ରଧାନମନ୍ତ୍ରୀଙ୍କଠାରୁ ଆହୁରି ଅନର୍ଗଳ ବକ୍ତୃତା ଦେବାର କ୍ଷମତା ହାସଲ କରିଥିବା ମାଳତୀ ସଭାସ୍ଥଳର ଘଟଣାଟି ଆମୂଳଚୂଳ ବର୍ଣ୍ଣନା କରିବା ସଙ୍ଗେ ସଙ୍ଗେ ସେମାନଙ୍କର ସଂକ୍ଷିପ୍ତ ପରିଚୟ ମଧ୍ୟ ଦେଇ ସାରିଥାଏ ।

 

ଦୁର୍ଗା କଥାବାର୍ତ୍ତାରେ ବିଶେଷ ଭାଗ ନନେଇ ଇନିସ୍‌ପେକ୍ଟର–ଗୃହଣୀଙ୍କ ପଣତକାନିରେ ବାନ୍ଧିହେଲାପରି ରହିଥିବା ପିଲାଟି ପ୍ରତି ଅନିମେଷ ନୟନରେ ଚାହିଁଥାନ୍ତି । ପିଲାଟି ମଧ୍ୟ ତାଙ୍କ ଆଡ଼କୁ କଡ଼େଇ କଡ଼େଇ ଚାହିଁ ଶେଷରେ କହିଲା, ‘‘ମା’ ! ଦେଖିବୁଟି, ୟେ ବାୟାଣୀ କିମିତି ମୋ ଆଡ଼କୁ ଚାହୁଁଛି !’’

 

‘ମା’ ସ୍ନେହରେ ତିଆରି କହିଲେ, ‘‘ସେ ବାୟାଣୀ କାହିଁକି ହୁଅନ୍ତେ ମ ! ସେ ପରା ମା’, ତୋର ମା’, ମୋର ବି ମା’ । ତୁ ତାଙ୍କୁ ମୁଣ୍ଡିଆ ମାର ।’’ ପିଲାଟି ସାଙ୍ଗେ ସାଙ୍ଗେ ଉତ୍ତର ଦେଲା ,’‘ ତୁ ମୁଣ୍ଡିଆ ମାରୁନାହୁଁ ?’’ ଦୁର୍ଗା ହସି ପକାଇଲେ । ମାଳତୀ କହିଲା, ‘‘ମା’ ଲୋ ମା’, ଆଜିଠାରୁ ତ ଇମିତି , ୟେ ଯେତେବେଳେ ପୁଲିସିବାଲା ହେବେ, ଆଉ ବାକି ରଖିବେ ନାହିଁ ।’’

 

‘ମା’ ପ୍ରତିବାଦ କଲେ, ‘‘ନାଇଁ , ନାଇଁ, ତା’ ବାପା କହୁଛନ୍ତି, ଯଦି ଭଗବାନ୍ ୟାକୁ ବଞ୍ଚେଇବେ ତେବେ ସେ ପୁଲିସ ଚାକିରି କରିବ ନାଇଁ । ତୁ କ’ଣ ହେବୁ ବୋଲି ବାପା କହୁଛନ୍ତି, ବାବୁ ? କହିଲୁ, କହିଲୁ । ଏଇଲେ ପରା ମତେ କହୁଥିଲୁ ।’’ ପୁଅ କହିଲା, ‘‘ ମୁଁ ନେତା ହେବି । ଓଡ଼ିଶାର ମୁଖ୍ୟମନ୍ତ୍ରୀ ହେବି ।’’ ସମସ୍ତେ ହସିଲେ । ଦୁର୍ଗା ପିଲାଟିର ମୁହଁକୁ ପିଇଗଲା ପରି ଚାହିଁଥାନ୍ତି ।

 

ଖିଆପିଆ ସରିଲା, କିନ୍ତୁ କଥାର ସୁଅ ଛିଣ୍ଡି ନ ଥାଏ । ମାଳତୀ ପଚାରିଲା, ‘‘ମା’, ତମର କ’ଣ ଏଇ ଗୋଟିଏ ବୋଲି ପିଲା ?’’ ଇନିସ୍‌ପେକ୍ଟର ପତ୍ନୀ ଦୀର୍ଘନିଃଶ୍ୱାସ ପକାଇ କହିଲେ, ‘‘ହଁ ଲୋ, ଭଉଣୀ, ଏଇ ଏକୋଇରବଳା ବିଶିକେଶନ । ମହାପୁରୁ ସବୁ ଦେଇଛନ୍ତି–ଘର ଦେଇଛନ୍ତି, ବର ଦେଇଛନ୍ତି । ୟାଙ୍କୁ ତ ଦେଖିଥିବ । ପୁଲିସ କାମ ସିନା କରୁଛନ୍ତି, ମାଛିକୁ ମ ବୋଲି କହିପାରନ୍ତି ନାହିଁ । ଅନ୍ୟାୟ ଦେଖିଲେ ଖାଲି ପାଟିଟେ କରି ଦିଅନ୍ତି । ମୁହୂର୍ତ୍ତକରେ ସବୁ ଶାନ୍ତି । ଷଠିଦୁସେଇ କୋଡ଼ ଖାଲି ରଖିଥିଲେ ଏଉଟି ଆସିବା ପର୍ଯ୍ୟନ୍ତ ।’’ ପିଲାଟି ସତେ ଯିମିତି ଏଇ ମୁହୂର୍ତ୍ତକୁ ଅପେକ୍ଷା କରିଥିଲା । ଲଥକିନା ଆସି ମା’ କୋଡ଼ରେ ବସି ପଡ଼ିଲା ।

 

‘ମା’ କହି ଲାଗିଲେ, ‘‘ୟାକୁ ମୁଁ ପେଟରେ ଧରି ନାଇଁ ମ ଭଉଣୀ ! ମହାପୁରୁ ୟାକୁ ପଠେଇ ଦେଇଛନ୍ତି ।’’

 

ଦୁର୍ଗା ପଚାରିଲେ, ‘‘ପୁଅ କରିଛନ୍ତି ତେବେ ? ଭାଇଠାରୁ ଆଣିଥିବେ ନହେଲେ ଦିଅର ଦେଢ଼ଶୁରଙ୍କଠାରୁ ଆଣିଥିବେ ।’’ ଇନିସ୍‌ପେକ୍ଟର ଗୃହିଣୀ କହିଲେ, ‘‘ୟାଙ୍କ ବଉଁଶଙ୍କ ଉପରେ ଷଠଦୁସିଙ୍କର ଆଡ଼ଆଖି ଲୋ ମା ! ଦିଅରଙ୍କର ତ ତିରିଶି ପୂରି ଏକତିରିଶି ଚାଲୁଛି । କେଜାଣି ଅବା କ’ଣ ହେବ । ଦେଢ଼ଶୁରଙ୍କର କିଛି ନାହିଁ । ବଡ଼ ଯାଆଙ୍କର କିଛି ହେଲା ନାହିଁ ବୋଲି, ଶଶୁର ଆମର ଆଉ ଗୋଟିଏ ମଙ୍ଗଳକୃତ୍ୟ କରେଇଥିଲେ । ସେଥିରେ ବି କିଛି ହେଲା ନାଇଁ । ମୋର ବାପ ବଉଁଶରେ କେହି ନାହାନ୍ତି । ସମସ୍ତେ ତ ଏଇ ଗୋଟିକୁ ଚାହିଁ କରି ରହିଛୁ ।’’

 

ମାଳତୀ ପଚାରିଲା, ‘ୟାଙ୍କୁ ପୁଣି କୋଉଠୁ ପାଇଲ ?’ ପୁଣି ଦୀର୍ଘନିଃଶ୍ଵାସ ପକେଇ ଇନିସ୍‌ପେକ୍ଟର ଘରଣୀ କହିଲେ, ‘ ଆମେ କ’ଣ ପାଇଲୁ ଲୋ, ଭଉଣୀ, ଠାକୁରାଣୀ ଆଣି ପହୁଞ୍ଚାଇଛନ୍ତି । ତିରସ୍ତା ବର୍ଷ ଯେଉଁ ବଡ଼ ବଢ଼ି ହେଲା ନାଇଁ, ସେଥିରେ ପିଲାଟିକି ତା’ ବାପା ଗୋଟିଏ ଗଛ ଉପରକୁ ପାଇ ଆଣିଛନ୍ତି । ମା’ ଲୋ ମା’ ! ଗଛଟାଯାକ ସାପ ! ୟେ ଡଙ୍ଗାରେ ଯାଉଥିଲେ ସାପୁଆ ଜୋର ବୋଲି ଗୋଟେ ନଈରେ । ପିଲାଟିର କାନ୍ଦଣା ଶୁଣି ଗଛ ଉପରକୁ ଚାହିଁଦେଲା ବେଳକୁ ଗୋଟେ ଏଡ଼େ ବଡ଼ ଅଜଗର ସାପ ଡାଳରୁ ଓହଳିଛି । ୟେ ତ ସିମିତି ମଣିଷ-। ଅଜଗର ମନ୍ତେ ଅଜଗର ଓହଳିଛି । ୟେ ଗଛ ଉପରେ ଚଢ଼ିଯାଇ ପିଲାକୁ କାଖରେ ଧରି ପାଣିକୁ ଡେଇଁ ପଡ଼ିଲେ । ସେଇଦିନ ରାତିରେ ୟାକୁ ମୋ କୋଳକୁ ଟେକି ଦେଇ କହିଲେ, ‘‘ରଖ, ୟାକୁ-! କାହା ଭାଡ଼ିରୁ ଭିଡ଼ ଆସିଛି । ୟାର ବାପ ମା’ ଆସି ୟାକୁ ନେବାଯାଏଁ ୟେ ତମର ।’’

 

ଦୁର୍ଗାଙ୍କୁ ତ ଏତକ ଶୁଣିବା ଆଗରୁ ଜଣା ପଡ଼ିଯାଇଥିଲା ପିଲାଟି କିଏ ? ସେ ବିମଳା ମା’ଙ୍କୁ ସ୍ମରଣ କରି, ବାବାଙ୍କୁ ସ୍ମରଣ କରି, ମନକୁ କାଠ କରୁଥାନ୍ତି । ଗଛରେ ସାପ ଭେଳା ଭେଳା ହୋଇଥିବାର ଆଖିକୁ ଦିଶିଗଲା ବେଳୁ ଆଖିରୁ ଦି’ଧାର ପାଣି ଗଡ଼ି ପଡ଼ିଥାଏ । ହାତ ବଢ଼ାଇ ଇନିସ୍‌ପେକ୍ଟର ଗୃହିଣୀଙ୍କଠାରୁ ‘ବାବୁ’ କୁ ନିଜ କୋଳକୁ ଆଣି ତା’ ମୁଣ୍ଡରେ ହାତ ବୁଲାଉ ବୁଲାଉ କହିଲେ, ‘‘ମା’ ! ଯେଉଁ ଠାକୁରାଣୀ ୟାକୁ ଦେଇଛନ୍ତି, ସେ ବିଚାରିଲେ ୟାକୁ ତୁମ କୋଳରୁ କେହି ଛଡ଼ାଇ ପାରିବେ ନାହିଁ । ତମ ଘରେ ତିନି ଜଣଙ୍କର କୁଳ ରଖିବାକୁ ୟେ ଆସିଛି । ମା’ ୟାକୁ ଆୟୁଷ ଦିଅନ୍ତୁ ।’’

 

ଇନିସ୍‌ପେକ୍ଟର ଗୃହିଣୀ କହିଲେ, ‘‘ମା’ ! ତମକୁ ଦେଖିଲାବେଳୁ ତ ମୁଁ ବିଚାରିଛି ତୁମେ ମଣିଷ ନୁହଁ, ଦେବତା । ତୁମରି ତୁଣ୍ଡ ଶ୍ରୀତୁଣ୍ଡ ହେଉ । ପିଲାଟି ଆୟୁଷ ପାଉ । ୟାକୁ ଯେ ଦଶମାସ ପେଟରେ ଧରିଛି, ସେ ଯଦି ଆସିବ ଆସୁ , ୟାକୁ ନେଉ । କିନ୍ତୁ ୟେ ଯଦି ଆୟୁଷ ପାଇ ରହିବ, ତେବେ ଯେଉଁଠି ଥିଲେ କ’ଣ ମୋତେ ମନେ ନ ପକାଇବ ?’’

 

ଇନିସ୍‌ପେକ୍ଟର ଗୃହିଣୀ ଅତିଥିମାନଙ୍କର ଶୋଇବାର ବନ୍ଦୋବସ୍ତ କରି ରାତି ଅଧକୁ ଶୋଇବାକୁ ଗଲେ । ମାଳତୀ ଦୁର୍ଗାଙ୍କର ଗୋଡ଼ତଳକୁ ଶେଯ ପାରିଥାଏ । ତାକୁ କିନ୍ତୁ ନିଦ ହେଉ ନ ଥାଏ । କି ଅଦୌତି ନ ହେଲା ? ଦେଈ ଅବା କ’ଣ ପଚାରିବେ ବୋଲି ଟିକିଏ ଠିଆହୋଇ ପଡ଼ିଲେ ! କ’ଣ ନା ସେ ବାୟାଣୀ ! ତିନି ତୁଣ୍ଡରେ ଛେଳି କୁକୁର ହେଲା ପରି ସମସ୍ତେ ଦଣ୍ଡକରେ ଭଲ ମଣିଷଟାକୁ ବାୟାଣୀ କରିଦେଲେ ! ଦୁର୍ଗାଙ୍କ ଆଖିରେ ପାଣି ଦେଖି ସେ ଭାରି ବ୍ୟସ୍ତ ହୋଇ ଯାଇଥାଏ । ସେ ବିମଳାମନ୍ଦିରକୁ ଆସିବା ଦିନୁଁ ଦିନେ କାନ୍ଦି ନାହାନ୍ତି ! ମାଳତୀ ଏଇପରି ଭାବି ପଚାରିଲା, ‘‘ଦେଈ ! ତମେ ଏଇ ସାପଖିଆଙ୍କ ଯୋଗୁଁ ଆଜି କାନ୍ଦିଲ ? କାହିଁକ ଭଲ ଏଠିକି ଆସିଥାନ୍ତେ, କହିଲ !’’

 

ଦୁର୍ଗା ଉତ୍ତର ଦେଲେ, ‘‘ଅପା ! ତୁ ଏତେବେଳଯାଏ ଶୋଇନାହୁଁ କାହିଁକି ଯେ ? ଆଜି ଏଠାକୁ ଆସିବାରୁ ଖୁବ୍‍ ଭଲ ହେଲା ! ୟାଙ୍କ ଘର ପିଲାଟିକୁ ଦେଖି ବଡ଼ ଆନନ୍ଦ ଲାଗିଲା ।’’

 

ମାଳତୀ କହିଲା, ‘‘ଆହା, ତମ କୁନିଟି ହେଲେ ଇମିତି କୋଉ ଗଛରେ ଲାଗି ଯାଇଥାନ୍ତା । କିଏ ଜଣେ ମହାତ୍ମା ତାକୁ ପାଇଥାନ୍ତା ।’’

 

ଦୁର୍ଗା କହିଲେ, ‘‘ସେଠୁ କ’ଣ ହୁଅନ୍ତା ?’’ ମାଳତୀ ଦୀର୍ଘନିଃଶ୍ୱାସ ପକାଇ କହିଲା, ‘‘ଆହା ! ୟା କହୁଛ ? ପ୍ରାଣରେ ତ ଥାନ୍ତା । ହାତୀ ବନସ୍ତରେ ଥିଲେ ରାଜାଙ୍କର ! କେବେ କ’ଣ ହାବୁଡ଼େ ପଡ଼ନ୍ତା ନାହିଁ ? ଯିମିତି ହେଲେ ଖୋଜି ଖୋଜି ବୋଉ ପାଖରେ ଯାଇ ପହଞ୍ଚନ୍ତା ! ଆହା-! ସତେ କ’ଣ ଦେଈ, ଆମର ଏ ଭାଗ୍ୟ ହେବ ? ଘର ପୁଅ ଘରକୁ ଫେରିବ ?’’

 

ଦୁର୍ଗା ଶେଯରେ ବସି ମାଳତୀ ଆଡ଼କୁ ଘୁଞ୍ଚିଯାଇ କହିଲେ, ‘‘ଆଉ ଏଇ ପିଲାଟି ଯଦି ଆମ ପିଲା ହୋଇଥାନ୍ତା ?’’

 

ମାଳତୀ ଏକଥା ଶୁଣି ଦୁର୍ଗାଙ୍କୁ କୁଣ୍ଢେଇ ପକେଇ କହିଲା, ‘‘ସତେ ଦେଈ ! ମୁଁ ଉଲିଟା ସାପୁଆଜୋଡ଼ କଥା ଶୁଣି ଏକଥା କାହିଁକି ନ ବିଚାରିଲି ମ ? ସେଇ ସଭା ସାପଖିଆଙ୍କ କଥା ବିଚାରିଲେ ଆଉ କିଛି ମନେ ପଡ଼ୁ ନାଇଁ ! ସତେ ଦେଈ ! ତମେ ଚିହ୍ନିଲ ? ତମ ପିଲାକୁ ତମେ ମାଗିଲ ନାଇଁ ? କାଲି ସକାଳୁ ତ ଏକଥା ମୁଁ ଲୁଚେଇ ପାରିବି ନାଇଁ ! ତମ କୋଳରେ ପୁଅକୁ ଦେଖି ବାବା କେଡ଼େ ଖୁସି ନ ହେବେ ?’’

 

ଦୁର୍ଗା ଚୁପ୍‌ ହେବାକୁ ତାଗିଦ୍ କରି ଧୀରେ ଧୀରେ କହିଲେ, ‘‘ମାଳତୀ ଅପା ! ତୁ ମୋ କଥା କେଭେଁ ତଳକୁ ପକାଇ ନାହୁଁ । ଏକଥା ଯିମିତି ୟାଙ୍କ ଆଗରେ ଭୁଲରେ ବି ନ କହୁ । ପୁଅଟି ମିଳିଗଲେ କ’ଣ ମୋର ସବୁ ମିଳିଗଲା ? ଯାହା ଯାଇଚି ସବୁ କ’ଣ ଫେରସ୍ତ ମିଳିବ ? ଜାଣିଲେ ତ ପିଲାଟି ରହିଛି । ତା’ ଯୋଗୁଁ ତ ଏ ବିଚାରିକି ଏଡ଼େ ଆନନ୍ଦ ମିଳୁଛି । ଆମେ କାହିଁକି କଣ୍ଟା ହେବା କହ ! ଆମ ଦିନକାଳ ତ ଗୋଟାଏ ରକମ କଟିଯାଉଛି । ଏ ବାପା ମା’ ଥିବା ଯାକ କଥାଟା ଲୁଚାଇ ରଖିବାକୁ ହେବ ।’’

 

ମାଳତୀ ଦୁର୍ଗାଙ୍କର ପାଦରେ ହାତମାରି ମୁଣ୍ଡରେ ଲଗାଇଲା, କହିଲା, ‘‘ଦେଈ ! ତମେ ମଣିଷ ନୁହଁ, ଦେବତା ! ଏ ବିଚାର କେହି କରିପାରନ୍ତେ ନାଇଁ ତ ! ହଉ ତମରି କଥା ହେଉ । ରକ୍ତର ଯଦି ଟାଣ ଥିବ ତେବେ ଆମରି ପୁଅ ଆମରି ପାଖରେ ଯାଇ ପହଞ୍ଚିବ, ଦେଖିବ ।’’

 

X X X X

 

ତହିଁଆରଦିନ ସକାଳୁ ଇନିସ୍‌ପେକ୍ଟର ଓ ସବ୍ ଇନିସ୍‌ପେକ୍ଟରର ଦୁର୍ଗା ଓ ମାଳତୀଙ୍କୁ ନେଇ ସବ୍‌ଡିଭିଜନ୍ ମେଜେଷ୍ଟରଙ୍କ ପାଖକୁ ଗଲେ । ସବୁ କଥା ଶୁଣି ହାକିମ ଶଙ୍କିଗଲେ । ପ୍ରଧାନମନ୍ତ୍ରୀ ଯାହାକୁ ପାଗଳୀ ବୋଲି କହି ସାରିଛନ୍ତି ତାକୁ ବେକସୁର୍‍ ଛାଡ଼ିଦେବେ କିମିତି ? ଯଦି ତାଙ୍କ ଚାକିରି ଉପରେ ପଡ଼େ ? ସେ ଇନିସ୍‌ପେକ୍‌ଟରଙ୍କୁ କହିଲେ, ‘‘ବୋଧହୁଏ ଡାକ୍ତର ମାଇନା ପାଇଁ ପଠାଇ ଦେଲେ ଠିକ୍ ହେବ ! ଇନ୍‌ସ୍‌ପେକ୍‌ଟର କହିଲେ, ‘‘ହଜୁର, ମୁଁ ସାହସ କରି ଏ ପ୍ରସ୍ତାବ ଦେଇ ପାରୁନାହିଁ । ପାଗଳାମିର କ’ଣ ଲକ୍ଷଣ ଦେଖିଲେ ସିନା ମୁଁ ଡାକ୍ତର ମାଇନା ପାଇଁ ଦାବି କରିବି ? ସ୍ତ୍ରୀ ଲୋକଟିକୁ ବୃଥାରେ ଅଟକାଇ ରଖି ଆମ ଆଡ଼ୁ ଅନ୍ୟାୟ ହୋଇଛି ବୋଲି ମନେ ହେଉଛି । ସଭାରେ ଠିଆହୋଇ ସେ ପ୍ରଧାନମନ୍ତ୍ରୀଙ୍କୁ ଗୋଟାଏ ପ୍ରଶ୍ନ କରୁଥିଲା । ଏହା କ’ଣ ପାଗଳାମି ବୋଲି ପ୍ରମାଣ କରି ହେବ ? ମୁଁ ବିଚାରୁଛି, ସେ ପାଗଳ ବୋଲି ଆପଣଙ୍କର ହୃଦବୋଧ ନ ହେଲେ ଆପଣ ଛାଡ଼ିଦେଇ ପାରନ୍ତି ।’’

 

ହାକିମ ଦୁର୍ଗାଙ୍କୁ ଏଣୁ ତେଣୁ କେତେଟା ପ୍ରଶ୍ନ କଲେ । ଶେଷରେ କହିଲେ, ‘‘ୟାଙ୍କୁ ବିଦ୍ରୋହରେ ପକା ଯାଇ ପାରନ୍ତା । କିନ୍ତୁ ପୁଲିସ ପକ୍ଷରୁ ସେ ସମ୍ପର୍କରେ କୌଣସି ଅଭିଯୋଗ ନ ଥିବା କାରଣ ମୁଁ ତାହାର ବିଚାର କରୁନାହିଁ । ୟାକୁ କଡ଼ା ତାଗିଦ୍‌ କରି ଛାଡ଼ି ଦେଉଚି । ’’

 

ମୁକ୍ତ ହେଲେ ବୋଲି ନିଷ୍ପତ୍ତି ଶୁଣାଇ ଦେଇ ହାକିମ ଉଠିଗଲା ବେଳକୁ ମାଳତୀ କହିଲା, ‘‘ହଇଏ ବାବୁ ! ତମେ ତ ଗୁଡ଼ାଏ ପାଠ ପଢ଼ିଛ ବୋଲି ତୁମକୁ ସରକାର ମୁଠେ ପଇସା ଦେଇ ରଖିଛି । ମିଛୁଟାରେ ଆମକୁ ମରଦ ଗୁଡ଼ାକ ଟଣା ଓଟରା କଲେ ! ଭଲ ମଣିଷଟାକୁ ପାଗଳୀ ବୋଲି ଏଡ଼େ ପାଟିରେ ଯେ କହିଲେ ତାଙ୍କର ଦୋଷ ତ ଦେଖିଲ ନାହିଁ ! ଗରିବ ମାଇପ ସମସ୍ତଙ୍କର ଶାଳୀ, ନା ! ତମେ କ’ଣ ଧର୍ମ ବୁଝାମଣା କରିବ ଯେ !’’ ହାକିମ ଚିଡ଼ି ଯାଇ କହିଲେ, ‘‘ଏଇ ମାଇକିନିଆଟାକୁ ପାଗଳୀ ବୋଲି ବିଚାର କରିବା ଉଚିତ ।’’ ଇନିସ୍‌ପେକ୍‌ଟରଙ୍କ ତାଗିଦ୍ ଓ ଦୁର୍ଗାଙ୍କ ଇଙ୍ଗିତରେ ମାଳତୀ ତୁନି ହେଲା । ଇନିସ୍‌ପେକ୍‌ଟର ନିଜେ ଦୁହିଙ୍କୁ ଭଡ଼ା ମଟରରେ ବସାଇ ଦେଇ କାର୍ଯ୍ୟାନ୍ତରରେ ଗଲେ ।

 

X X X X

 

ଦୁର୍ଗାଦେବୀ ଓ ମାଳତୀ ଯାଇ ବିମଳାମନ୍ଦିରରେ ପହଞ୍ଚିଲା ବେଳକୁ, ବେଳ ଆଉ ପହରେ ଥାଏ । କାଲି ରାତିରୁ ବିମଳବାବୁଙ୍କର ଓ ଯୋଗୀମାଷ୍ଟ୍ରଙ୍କର ବିଭାଘର ସରିଥାଏ; କିନ୍ତୁ ମନ୍ଦିରରୁ ଲୋକଗହଳି ଭାଜି ନଥାଏ । ସୁଲକ୍ଷଣା ଦେବୀଙ୍କ ଜିଦ୍‌ରେ ପାଖପାଖ ସବୁ ଗାଁର ଲୋକେ ନିମନ୍ତ୍ରଣରେ ଆସିଥିଲେ । ଆଜି ଦିନ ତମାମ ଦଶଟା ଅହିଆରେ ଅନବରତ ଚାଉଳ ଓ ଡାଲି ସିଝି ସମସ୍ତଙ୍କର ବାସି ପଙ୍ଗତ ସରିବାରେ ଦଳ ଦଳ ହୋଇ ଲୋକ ବିଦା ହେଉଥାନ୍ତି । ଗାଁର ଯେଉଁମାନେ କଟକ ଯାଇଥିଲେ ସେମାନେ ସକାଳ ନଅଟାରେ ମଟରରୁ ଓହ୍ଲାଇବା ବେଳୁଁ ଦୁର୍ଗାଙ୍କୁ ପୁଲିସ ନେଇଥିବା ଖବର ଚାରିଆଡ଼େ ପ୍ରଚାର ହୋଇଯିବାରୁ ଦଳେ ଲୋକ ଭୟରେ ଗାଁକୁ ପଳାଇଥିଲେ । କିନ୍ତୁ ଅଧିକାଂଶ ଉତ୍କଣ୍ଠିତ ହୋଇ ଚାହିଁ ରହିଥାନ୍ତି , କେଜାଣି ଉପରଓଳି ମଟରରେ ସେ ଫେରିବେ ବୋଲି । ବିମଳବାବୁଙ୍କୁ ବାବା ଆଶ୍ଵାସନା ଦେଇ ରଖିଥାନ୍ତି, ଯଦି ଉପରଓଳି ମଟରରେ ଦୁର୍ଗା ନ ଫେରେ ତେବେ ଲୋକବାକଙ୍କ ଜଞ୍ଜାଳ ତୁଟାଇ ଦେଇ ସେ ନିଜେ ବିମଳବାବୁଙ୍କ ସାଙ୍ଗରେ କଟକ ଯିବେ । ମଟର ବେଳକୁ ପ୍ରାୟ ଶହେ ଜଣ ଲୋକ ବସ୍‌ଷ୍ଟାଣ୍ଡରେ ଅପେକ୍ଷା କରି ରହିଥାନ୍ତି–ବିମଳବାବୁ ଓ ଯୋଗୀମାଷ୍ଟ୍ରଙ୍କ ସଙ୍ଗେ । ଦୁର୍ଗା ଦେବୀ ମଟରରୁ ଓହ୍ଲାଇବା ସଙ୍ଗେ ସଙ୍ଗେ ୫।୭ ମେଳ ସଂକୀର୍ତ୍ତନ ଦଳ ମନକୁ ମନ ଆସି ଖୋଳ ଓ ଝାଞ୍ଜ ମାଡ଼ରେ ଦେବୀଙ୍କୁ ଅଭ୍ୟର୍ଥନା କରି ମନ୍ଦିର ଭିତରକୁ ନେଲେ । ଏସବୁ ହୋହା ଉପରେ ପାଟି କରି ମାଳତୀ କାଲିର ଘଟଣା ଯାହା ଇଚ୍ଛା ତାହା ଆଗେ ନିଜ ଟିପ୍‌ପଣୀ ସହିତ ବର୍ଣ୍ଣନା କରୁଥାଏ ।

 

ରାତି ଘଡ଼ିକି ସବୁ ଗଣ୍ଡଗୋଳ ଥମିଗଲା । କୁଳୁଁଆ ମଇତ୍ରଙ୍କ ବିଦାକି ହୋଇଗଲା । ବାବା ଯାଇ ମଣ୍ଡପରେ ବିଶ୍ରାମ କରିବାକୁ ବସନ୍ତେ, ସିଧୁବାବୁ ଓ ସୁଲକ୍ଷଣା ଦେବୀ ପାଇ ପାଖରେ ବସିଲେ; ଦୁର୍ଗା ଆସିଲେ । ବିମଳବାବୁ ବି ଆସିଲେ । ଗୋଟି ଗୋଟି ହୋଇ ସମସ୍ତେ ଆସି ବାବାଙ୍କ ଚାରିପଟେ ବସିଲେ । ସିଧୁ ବାବୁ କହିଲେ, ‘‘ବାବା, କାଲି ରାତିଠାରୁ ମୁଁ ଆପଣଙ୍କ କଥା ସବୁ ଗୋଟି ଗୋଟି ମନରେ ପାଞ୍ଚି କିଛି ଥଳକୂଳ ପାଉନାହିଁ । କଟକରେ ତେଣେ ଠିକ୍‍ ସଭା ହେଲାବେଳେ ଆପଣ ଏଠାରେ କ’ଣ କହିଥିଲେ ମନେ ପକେଇଲେ ମୁଁ ବିସ୍ମିତ ହେଉଛି । ଦୁର୍ଗି କଟକରେ ଅସୁବିଧାରେ ପଡ଼ିଛି ବୋଲି ଆପଣଙ୍କୁ କିମିତି ଜଣାପଡ଼ିଲା ?’’

 

ବାବା ଈଷତ୍ ହସି ହସି କହିଲେ, ‘‘କାଇଁ, ନାଇଁ ତ ! ମୁଁ ତ କିଛି ଜାଣି ପାରିନାଇଁ । ଦୁର୍ଗି କଟକ ଯିବାକୁ କହିଲାବେଳୁ ମୁଁ ଟିକିଏ ବିଚଳିତ ହୋଇଯାଇଥିଲି । ମତେ ପ୍ରଥମେ ଜଣାପଡ଼ିଲା, କଟକ ଯିବା ବୋଧହୁଏ ଠିକ୍‌ ହେବନାଇଁ । ଠାକୁରାଣୀଙ୍କୁ ଦେଖି କିନ୍ତୁ ବୁଝିଲି, ଦୁର୍ଗା କଟକ ଯିବାକୁ ଠାକୁରାଣୀର ଇଚ୍ଛା ଦୁର୍ଗାକୁ ଗୋଟାଏ କ’ଣ ପରୀକ୍ଷାରେ ପକାଇବାକୁ ମା’ ତାକୁ କଟକ ନେଉଥାଏ-। ସେଇ କଥା ବିଚାରି ବିଚାରି କହି ଦେଇଥିଲି, ଆମ ଦୁର୍ଗିର କେହି କିଛି କରିପାରିବେ ନାଇଁ-। ମନରେ କିନ୍ତୁ ଭାରି ସଂଶୟ ଥାଏ । ଯାହା ହେଉ, ମା’କୁ ଆମର ଠାକୁରାଣୀ ଅଳ୍ପକେ ଛାଡ଼ିଦେଲେ-। ସଭାର ଯେଉଁ ଘଟଣାଟା ମାଳତୀ ଏତେ ବଢ଼େଇ କରି କହୁଛି, ସେ ତ ଅତି ସାମାନ୍ୟ କଥା-। କ୍ରମେ ଆମ ମନ୍ତ୍ରୀମାନଙ୍କର ଯିମିତି ରାଜୁଡ଼ା ଢଙ୍ଗ ଦେଖାଯାଉଛି ସେଥିରେ ଇମିତି ସଭାକୁ ନେଇ ଥାନାରେ ହାଜର କରିଦେବା ତ ବଡ଼ ଅକିଞ୍ଚିତକର ଘଟଣା । ଏମାନେ ଯିମିତି ଢଙ୍ଗ ଧରିଲେ, ୟାଙ୍କୁ ଯେ ଖୁଣିବ ତା’ର ଧନ ଜୀବନର ସଙ୍କଟ ପହଞ୍ଚିଯିବ । ପୁଲିସ ଥାନାରେ ରାତିଏ ଅଟକି ଦେବା ତ ତା’ ତୁଳନାରେ କିଛି ନୁହେଁ । ତାକୁ ଯେ ବଡ଼ ବୋଲି ବିଚାରିବ ସେ ତ ବସିଲାଠାରୁ ଗୋଡ଼ କାଢ଼ିବ ନାଇ !’’

 

ବିମଳବାବୁ ସିଧୁବାବୁଙ୍କ ଆଡ଼କୁ ଚାହିଁ କହିଲେ, ‘‘ବାପା ! କହିଲେ ଦେଖି ଦୁର୍ଗା ପ୍ରତି ଯେଉଁ ଅତ୍ୟାଚାର ହେଲେ ସେଥିରେ ସରକାର ବିରୁଦ୍ଧରେ ମକଦ୍ଦମା କରାଯାଇପାରେ କି ନାହିଁ । ’’

 

ସିଧୁବାବୁ ଟିକିଏ ଚିନ୍ତିତ ହୋଇ କହିଲେ, ‘‘ଆଇନ୍ ଅନୁସାରେ ତ ବେଶ୍‌ ହୋଇପାରେ-। କିନ୍ତୁ ଏଭଳି ମକଦ୍ଦମା ବିଚାର କରିବାକୁ ହାକିମ କୁଆଡ଼ୁ ପାଇବା ? ହାଇକୋଟ ଯାଏଁ ଗଲେ ଭଲ ବିଚାରଣା ମିଳିପାରେ; କିନ୍ତୁ ତଳକୋଟରେ ମନ୍ତ୍ରୀଙ୍କ କୋକୁଆ ଭୟ ହାକିମଙ୍କୁ ଘାଉରି ଦେବ-।’’ ବିମଳବାବୁ ଅଳି କଲାପରି କହିଲେ, ‘‘ମୋର ମନହେଉଛି, ଆମେ ଗୋଟେ ମକଦ୍ଦମା କରନ୍ତେ-।’’

 

ବାବା ହସି ହସି କହିଲେ, ‘‘ଯାଅ, ମକଦ୍ଦମା କର । କର ! କିନ୍ତୁ ଥରେ ମକଦ୍ଦମା ତତ୍ପିରରେ ଲାଗିଗଲେ ଏଣେ ଯେଉଁ କାର୍ଯ୍ୟରେ ଲାଗିଛ ସେ ସବୁ ଲଣ୍ଡଭଣ୍ଡ ହୋଇଯିବ । ଲୋକଙ୍କୁ ଯଦି ଚାହିଁବ, ତେବେ ସରକାର ଆଡ଼ୁ ନଜର ହଟାଇ ଆଣ । ସରକାର ସଙ୍ଗେ ଲାଗି ଯଦି ତା’କୁ ସୁଧାରିବାକୁ ମନ, ତେବେ ସରକାର ସୁଧୁରିବା ପର୍ଯ୍ୟନ୍ତ ଆଉ ଲୋକମଙ୍ଗଳ କଥା ଭାବ ନାହିଁ । ସରକାର ସୁଧୁରି ସାରିବା ବେଳକୁ ଯେ ଥିବେ ତାଙ୍କରି ମଙ୍ଗଳ କରିବ ।’’

 

ବିମଳବାବୁ ଆପତ୍ତି କଲେ, ‘‘ତେବେ କ’ଣ ସବୁ ଅତ୍ୟାଚାର ଅନାଚାରକୁ ମୁଣ୍ଡ ପୋତି ସହିଯିବାକୁ ପଡ଼ିବ ?’’

 

ବାବା କହିଲେ, ‘‘କାଦୁଅରେ ପଶିଲେ ସିନା ଗୋଡ଼ ଧୋଇବ । ସରକାରକୁ ଛାଡ଼ି ଚଳି ପାରିଲେ ତାଙ୍କ ଅତ୍ୟାଚାର ତମଯାଏଁ ଆସିବ କାହିଁକି ? ଯଦି ତାଙ୍କ ସଙ୍ଗେ ଲାଗିବାକୁ ମନ, ତେବେ ଏଭଳି ଅତ୍ୟାଚାରକୁ ବେଖାତିର କରିବାକୁ ହେବ । ଦୁର୍ଗାକୁ ପଚାରିଲେ, ସେ କ’ଣ କହୁଛି-।’’

 

ଦୁର୍ଗା ଦେବୀ କହିଲେ, ‘‘ସରକାରୀ କର୍ତ୍ତାମାନେ ଯାହା କରୁଛନ୍ତି ସେଥିରେ କ’ଣ ଅନ୍ୟାୟ ରହୁଛି, ସେ ଯଦି ଜାଣନ୍ତେ ତେବେ ବୋଧହୁଏ ସେପରି କରନ୍ତେ ନାହିଁ । ତାଙ୍କୁ ବୁଝାଇବାକୁ ହେଲେ ତାଙ୍କ ବିରୁଦ୍ଧରେ ପ୍ରତ୍ୟକ୍ଷ ଆନ୍ଦୋଳନ କରିବାକୁ ହେବ । ମାଲିମକଦ୍ଦମା ତ ପ୍ରତ୍ୟକ୍ଷ ଆନ୍ଦୋଳନ ନୁହେଁ । ମୁଁ ବିଚାରୁଛି, ଏ ସମ୍ପର୍କରେ ସଭାସମିତି, ଲେଖାପଢ଼ା ହେବା ଉଚିତ-।’’

 

ବାବା ପଚାରିଲେ, ‘‘ଏଥିରେ ଫାଇଦା କ’ଣ? ଭଗବାନ ତାଙ୍କ ଉପାୟରେ ସବୁ ସଂଶୋଧନ କରିବେ । ସେତେବେଳଯାଏଁ ଧୈର୍ଯ୍ୟ ଧରି ରହି ଦାନ, ଲୋକସେବାରେ ମନ ଲଗେଇଲେ ଭଲ ବୋଲି ମୋର ବିଚାର ।’’

 

ଦୁର୍ଗା ଦେବୀ ଆପତ୍ତି କଲେ, ‘‘ସେମିତି କଲେ ସମାଜରେ ନିଷ୍କ୍ରିୟତା ବଢ଼ିଯିବ । ଅନ୍ୟାୟର ପ୍ରତିରୋଧ କରିବା ଶକ୍ତି ଜାଗ୍ରତ ନକଲେ କ’ଣ ଦୁଃଖୀର ଦୁଃଖ, ଗେରୀର ରୋଗ ଆଖିକୁ ଦିଶିବ, ବାବା?’’

 

ବାବା କହିଲେ, ‘‘ମା’ ! ତୋ’ର ଯୁକ୍ତିକୁ ମାନି ପରା ମୁଁ ତୋତେ କଟକ ଯିବାକୁ ଅନୁମତି ଦେଲି ! କିନ୍ତୁ ତୁ ଯେଉଁ ରାସ୍ତା ଧରିଛୁ, ତାହା ଅତି ବିଷମ । ଦଣ୍ଡେହେଲେ ବିଶ୍ରାମ ପାଇବୁ ନାହିଁ । ସବୁବେଳେ ଚାରି ହତିଆର ବାନ୍ଧି ରହିବାକୁ ହେବ । ନିଜର ମନରୁ ସବୁପ୍ରକାର ସୁଖ ଦୁଃଖର ବୋଧ ଛାଡ଼ିଦେବାକୁ ହେବ । ତୁ ପାରିବୁ ତ ?’’

 

ଦୁର୍ଗା’ କହିଲେ, ‘‘ଆପଣଙ୍କ ଆର୍ଶୀବାଦ ଯେତେ ଦିନ ଯାଏଁ ମିଳୁଥିବ ସେତେଦିନ ମୁଁ ସବୁ ପାରିବ, ବାବା !’’

 

ଏତିକିବେଳେ ମାଳତୀ ବାଧାଦେଇ କହିଲା, ‘‘ଦେଈ, କାଲି ରାତିର ଯେଉଁକଥା ! ତାହା ତ ବାବାଙ୍କ ପାଖରୁ ଲୁଚେଇ ହେବ ନାଇଁ ! ମୁଁ କହୁଛି । ’’

 

ଦୁର୍ଗା ତା’କୁ ଅସମ୍ମତି ଜଣାଇ କହିଲେ, ‘‘ମୁଁ କ’ଣ କହିପାରିବି ନାଇଁ ଯେ ତୁ କହିବୁ ?’’ ଏହା କହି ବାବାଙ୍କ ପାଖକୁ ବସି ସେ ତୁନି ତୁନି ଦି’ଚାରି ପଦରେ ଇନ୍‌ସ୍‌ପେକ୍‌ଟର ବାବୁଙ୍କ ଘରର ଘଟଣା ଜଣାଇଦେଲେ ।

 

ବାବା ପରମ ସନ୍ତୋଷରେ କହିଲେ, ‘‘ମା’, ଠିକ୍‌ ବିଚାର ଯଦି ରଖିପାରିବୁ ତେବେ ତୁ ସବୁ ପାରିବୁ । ତୋ’ଠାରେ ଜଗଦମ୍ବା ଅବତରିବେ ବୋଲି ମୋ’ର ମନେ ହେଉଛି ।’’

☆☆☆

 

ମର୍ତ୍ତ୍ୟରେ ସ୍ଵର୍ଗ

 

ସେଇ ରାତି ଅଧ । ସେଇ ମଣ୍ଡପର ନିର୍ଜନତାରେ ଦୁର୍ଗା ଓ ମାଧବ ବସି ଅତୀତର ଘଟଣାବଳୀକୁ ସିଂହାବଲୋକନରେ ଦେଖୁଥାନ୍ତି । ଶେଷରେ ଦୁର୍ଗା କହିଲେ, ‘‘ଭଗବାନ୍, ଆପଣଙ୍କର ଯେପରି ଇଚ୍ଛା କାର୍ଯ୍ୟ ସେଇପରି ଚାଲିଛି ତ ?’’

 

ଭଗବାନ୍‌ କହିଲେ, ‘‘ଜଗଦ୍ଧାତ୍ରି ! ତୁମେ ଯେଉଁଠାରେ ଅଗ୍ରଣୀ ସେଠାରେ ତ ଅଭାବ ରହିବନାଇଁ । ତୁମରି ଅନୁଗ୍ରହରେ ତ ଦୁର୍ଭଗା ଆଜି ଦେବୀ, ଏଥର ଚାଲ ଘରକୁ ଫେରିବା । ମନୁଷ୍ୟର ମନରେ ଦେବତାର ଅବତରଣ ହେଲା ପରେ, ଆଉ ଦେବତାର ପ୍ରୟୋଜନ କ’ଣ ? ସେପରି ହୋଇଗଲେ ଏଇ ମର୍ତ୍ତ୍ୟ ସ୍ଵର୍ଗ ପାଲଟିଯାଏ । ମଣିଷ ଦେହରେ ଦେବତା ମିଶିଯାଏ । ଆଜି ତ ସେଇ ଦୁର୍ଭଗା ଦୁର୍ଗିଠାରେ ମୁଁ ସାକ୍ଷାତ୍‌ ଦୁର୍ଗାଙ୍କୁ ଦେଖୁଛି ।’’

Image